ଭତ୍ତା ବଣ୍ଟନ ବେଳେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ବ୍ୟାନର ଲଗାଇବାକୁ ନିର୍ଦ୍ଦେଶ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ୍ ଯୋଜନାରେ ମାସିକ ଭତ୍ତା ବଂଟନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସନ୍ଦେଶ ଥିବା ବ୍ୟାନର ନିଶ୍ଚତ ଲଗାଇବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଭାସ୍କର ଶର୍ମା ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖି ୭୫ତମ ସ୍ୱାଧିନତା ଦିବସ ସମାରୋହ ଓ ଆଜାଦି କା ଅମୃତ ମହୋତ୍ସବ ସମଗ୍ର ଦେଶ ପାଳନ କରୁଥିବାରୁ ଚଳିତମାସ ଐତିହାସିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସ୍ୱାଧୀନତା ଦିବସ ସହ ଜନସେବା ଦିବସ ଥିବାରୁ ସମାଜର ଅଭାବୀ(ଆବଶ୍ୟକତା) ବର୍ଗଙ୍କୁ ସାମାଜିକ ସୁରକ୍ଷା ପେନସନ୍ ଯୋଗାଇବାର ଏକ ସୁନ୍ଦର ସୁଯୋଗ ମିଳିଛି । ତେଣୁ ଏହି ଦିନ ସମସ୍ତ ପଂଚାୟତ, ଗାଁ, ୱାର୍ଡ ଅଫିସରେ ଯେଭଳି ନିଶ୍ଚତ ଭାବେ ମଧୁବାବୁ ପେନସନ୍ ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମର ଭତ୍ତା ବଣ୍ଟନ କରିବାକୁ କୁହାଯାଇଛି । ଏପରିକି ବୃଦ୍ଧ ଓ ଅସୁସ୍ଥ ହିତାଧିକାରୀଙ୍କୁ ସେମାନଙ୍କ ଘରେ ଏହି ଭତ୍ତା ଦେବାକୁ ପରାମର୍ଶ ଦିଆଯାଇଛି । ଏହି ଭତ୍ତା ଯେଭଳି ଉକ୍ତ ଦିନ ସମସ୍ତଙ୍କୁ ମିଳିବ ତାହା ସୁନିଶ୍ଚିତ କରିବାକୁ କୁହାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସନ୍ଦେଶ ଥିବା ବ୍ୟାନରକୁ ଭତ୍ତା ବଂଟନ ସ୍ଥଳୀରେ ଲଗାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବ୍ୟାନରରେ ଆଜାଦି କା ଅମୃତ ମହୋତ୍ସବର ଲୋଗୋ ମଧ୍ୟ ରଖିବାକୁ କୁହାଯାଇଛି । ଯେଉଁମାନେ ନୂଆ କରି ହିତାଧିକାରୀ ହୋଇଛନ୍ତି ସେମାନଙ୍କୁ ମଧ୍ୟ ଏହି ଦିନ ଭତ୍ତା ଦେବାକୁ ବିଭାଗୀୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭତ୍ତା ବଂଟାର ଭଲ ଫଟୋ ବିଭାଗର ସୋସିଆଲ ମିଡିଆରେ ଅପଲୋଡ୍ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ଏବେ ରାଜ୍ୟରେ ପ୍ରାୟ ୪୯ଲକ୍ଷ ହିତାଧିକାରୀ ଉଭୟ ଯୋଜନାରେ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମର ମାସିକ ଭତ୍ତା ପାଉଛନ୍ତି । ଏଥିରେ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୨୮.୩୮ଲକ୍ଷ ହେବ ଓ ସେମାନଙ୍କ ମଧ୍ୟରୁ ମାତ୍ର ୩.୭୮ଲକ୍ଷ ହିତାଧିକାରୀ ଅନଲାଇନରେ ନିଜର ଭତ୍ତା ପାଉଥିବାବେଳେ ଅନ୍ୟମାନେ ନଗଦ ଆକାରରେ ଏହି ଭତ୍ତା ନେଉଥିବା ଜଣାପଡ଼ିଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରୁନାହାନ୍ତି ରାଜ୍ୟ ସରକାର…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌ରେ ସ୍ପେଶାଲ ଏଜୁକେଟର ନିଯୁକ୍ତି ଦେବାକୁ ଗତବର୍ଷ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନାହାନ୍ତି। ସ୍ପେଶାଲ ଏଜୁକେଟର ନିଯୁକ୍ତି ଦେଇନଥିବାରୁ ସାଧାରଣ ପିଲାଙ୍କ ସହିତ ବସି ଦିବ୍ୟାଙ୍ଗମାନେ ପାଠ ପଢ଼ୁଛନ୍ତି। ସେପଟେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାଇବା ପାଇଁ ତାଲିମ ନେଇ ବସିଥିବା ୪ ହଜାରରୁ ଅଧିକ ଆଶାୟୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସଜବାଜ ହେଲେଣି। ରାଜ୍ୟରେ ୬୪ ହଜାର ସ୍କୁଲ୍‌ରେ ପ୍ରାୟ ୮୨ ହଜାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ହେଲେ ସେମାନଙ୍କ ପାଇଁ ଆବଶ୍ୟକ ସଂଖ୍ୟାକ ସ୍ପେଶାଲ ଏଜୁକେଟର ନିଯୁକ୍ତି ପାଇନାହାନ୍ତି। ସାଧାରଣ ପିଲାଙ୍କ ସହିତ ଗୋଟିଏ କ୍ଲାସ୍‌ରେ ବସି ପାଠ ପଢ଼ୁଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ। ଯାହାଫଳରେ ସେମାନଙ୍କ ପାଠପଡ଼ା ପ୍ରଭାବିତ ହେଉଛି। ଏଥିସହ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ। ଯାହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଗତବର୍ଷ ଅକ୍ଟୋବର ମାସରେ ସୁପ୍ରିମକୋର୍ଟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଥିଲେ। ୬ ମାସ ଭିତରେ ସ୍କୁଲ୍‌ରେ ସ୍ପେଶାଲ ଏଜୁକେଟର ନିଯୁକ୍ତି ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ବିହାର, ଗୁଜୁରାଟ, ଦିଲ୍ଲୀ, ରାଜସ୍ଥାନ, ଝାଡଖଣ୍ଡ ଓ ତ୍ରିପୁରା ଭଳି ରାଜ୍ୟ ସରକାର ସ୍କୁଲ୍‌ରେ ସ୍ପେଶାଲ ଏଜୁକେଟର ନିଯୁକ୍ତି ଦେଇଥିଲେ। ହେଲେ ଓଡ଼ିଶା ସମେତ ଆଉ କିଛି ରାଜ୍ୟ କୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରିନାହାନ୍ତି। ସ୍ପେଶାଲ ଏଜୁକେଟର ନିଯୁକ୍ତି ନେଇ ସବୁ ରାଜ୍ୟ କି ପଦକ୍ଷେପ ନେଇଛନ୍ତି, ସେ ସମ୍ପର୍କରେ ଜଣାଇବା ପାଇଁ କହିଥିଲେ ସର୍ବୋଚ୍ଚ କୋର୍ଟ। ଯାହାର ପରବର୍ତ୍ତି ଶୁଣାଣି ଆସନ୍ତା ୧୭ ତାରିଖରେ ହେବ।ଅନ୍ୟପକ୍ଷରେ ଚାକିରି ମିଳୁନଥିବାରୁ ବେକାର ହୋଇ ବସିଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ସ୍ୱତନ୍ତ୍ର ତାଲିମ ନେଇଥିବା ପ୍ରାୟ ୪ ହଜାର ଆଶାୟୀ। ହତାଶ ହୋଇ ଶେଷରେ ସେମାନେ ରାଜରାସ୍ତାକୁ ଓହ୍ଲାଇବା ଲାଗି ସଜବାଜ ଆରମ୍ଭ କରିଛନ୍ତି। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିଚାର କରାଯାଉଛି। ନିୟମ କହୁଛି, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ୧୦ ପିଲାରେ ଜଣେ ସ୍ୱତନ୍ତ୍ର ଶିକ୍ଷକ ରହିବେ। ଟିଚିଂ, ଲର୍ଣ୍ଣିଂ ପାଇଁ ଆବଶ୍ୟକ ହେଉଥିବା ମାଟେରିଆଲ୍‌ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୋଗାଇବ। ଘରୋଇ ସ୍କୁଲ୍‌ରେ ସ୍ପେଶାଲ ଏଜୁକେଟର ନଥିଲେ, ସରକାରୀ ସ୍ୱୀକୃତି ମିଳିବ ନାହିଁ। ଏତେସବୁ ନିୟମସତ୍ତ୍ୱେ ମଧ୍ୟ ଦିବ୍ୟାଙ୍ଗ ପିଲାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଛି।

ଉପଜିଲ୍ଲାପାଳଙ୍କୁ ପୋକରା ଛତୁଆ ପ୍ୟାକେଟ୍‌ ଉପହାର ଦେଲେ ଗାଁ ଲୋକେ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର)- ଦୀର୍ଘ ଦିନ ଧରି ଗାଁର ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କୁ ଦିଆଯାଉଥିଲା ପୋକରା ଛତୁଆ। ଏନେଇ ଅଭିଯୋଗ କଲେ କେହି ଶୁଣୁନଥିଲେ। ସବୁଆଡୁ ନିରାଶ ହେବା ପରେ ଆଜି ଗାଁ ଲୋକେ ଉପଜିଲ୍ଲାପାଳଙ୍କୁ ଭେଟି ଦୁଇଟି ପୋକରା ଛୁତୁଆ ପ୍ୟାକେଟ୍‌ ଉପହାର ଦେଇଛନ୍ତି। ଆଉ ପୋକଡ଼ା ଛତୁଆ ବଣ୍ଟନ କରୁଥିବା ସ୍ୱୟଂସହାୟଗ ଗୋଷ୍ଠୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଜଗଦଳପୁର ପଞ୍ଚାୟତରେ ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କୁ ବଣ୍ଟା ଯାଉଥିବା ଛତୁଆରେ ପୋକ ସାଲୁବାଲୁ। ଦୀର୍ଘ ୫ରୁ ୭ ବର୍ଷ ହେଲା ଏପରି ଛତୁଆ ବଣ୍ଟା ଯାଉଛି। ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ସବୁଆଡୁ ନିରାଶ ହେବା ପରେ ଜଗଦଳପୁର ଗ୍ରାମପଞ୍ଚାୟତ ବାସୀ ଆଜି ଏନେଇ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ମାତ୍ର ଉପଜିଲ୍ଲାପାଳ ନଥିବାରୁ ଡେପୁଟି କଲେକ୍ଟରଙ୍କୁ ଦୁଇ ପ୍ୟାକେଟ୍‌ ପୋକରା ଛତୁଆ ଗାଁ ଲୋକେ ପ୍ରଦାନ କରିଛନ୍ତି। ଛତୁଆରେ ଯଦି ପୋକ ବାହାରେ, ତାହାହେଲେ ଛତୁଆ ପ୍ରସ୍ତୁତକାରୀ ସ୍ୱୟଂସହାୟକ ଗୋଷ୍ଠୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଗାଁ ଲୋକଙ୍କ କହିବା ଅନୁସାରେ ଅଧିକାରୀମାନେ ଅଚାନକ ଯାଇ ଯାଞ୍ଚ କଲେ ସତ୍ୟତା ଜଣାପଡ଼ନ୍ତା। କିନ୍ତୁ ତାହା ନକରି ଆଗରୁ ଭିତିରିଆ ସୂଚନା ଦେଇ ଯାଉଥିବାରୁ ସେମାନେ ଭଲ ଛତୁଆ ପ୍ୟାକିଂ କରି ଦେଖାଉଛନ୍ତି। ଆଉ ଯାଞ୍ଚ ସରିବା ପରେ ପୂର୍ବ ଭଳି ପୋକଡ଼ା ଛତୁଆ ଦିଆଯାଉଥିବା ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ପ୍ରଶାସନ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି। ଗାଁର ସୀମାଞ୍ଚଳ ଡ଼ାକୁଆ କହିଛନ୍ତି, ଆମ ଗାଁରେ ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କୁ ପୋକରା ଛତୁଆ ଦିଆଯାଉଛି। ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଛତୁଆରୁ ପୋକ ବାହାରୁଥିବାରୁ କେହି ଖାଉନାହାନ୍ତି। ତେଣୁ ଛତୁଆକୁ ଚଲାଇ ଗାଈକୁ ଖାଇବାକୁ ଦେଉଛୁ। ଏ ସମ୍ପର୍କରେ ଅଙ୍ଗନବାଡି ଦିଦିଙ୍କୁ ପଚାରିଲେ, ସେ କହୁଛନ୍ତି ଯାହା ଆସୁଛି ଆମେ ତାହା ଦେଉଛୁ। ନେଲେ ନିଅନ୍ତୁ, ନହେଲେ ଫିଙ୍ଗିଦିଅ ବୋଲି ଅଙ୍ଗନବାଡ଼ି ଦିଦି କହୁଛନ୍ତି। ସେଥିପାଇଁ ଆଜି ଉପଜିଲ୍ଲାପାଳଙ୍କୁ ସେହି ପୋକଡ଼ା ଛତୁଆ ପ୍ରଦାନ କରିଛୁ ବୋଲି ଡାକୁଆ କହିଛନ୍ତି। ସୂଚନାରୁ ପ୍ରକାଶ, ଛତୁଆ ତିଆରି କେମିତି ହେଉଛି, ତାହାର ଗୋଟିଏ ଭିଡିଓ ଭାଇରାଲ୍‌ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା, ଖାଲି ଗୋଡ଼ରେ ଛତୁଆ ତିଆରି ସାମଗ୍ରୀକୁ ମିଶା ଯାଉଛି। ପରବର୍ତ୍ତୀ ସମୟରେ ସେହି ଛତୁଆକୁ ପ୍ୟାକେଟ୍‌ କରି ଗର୍ଭବତୀ, ପ୍ରସୂତି ଓ ଛୋଟ ପିଲାଙ୍କୁ ଯୋଗାଇ ଦିଆଯାଉଛି। ସେହି ଭିଡିଓ ପ୍ରସ୍ତୁତ କରି ଭାଇରାଲ୍‌ କରିଥିବା ବ୍ୟକ୍ତିଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ତେଣୁ ଗାଁ ଲୋକେ ଭୟରେ ଛତୁଆ ପ୍ରସ୍ତୁତକାରୀଙ୍କ ବିଷୟରେ କିଛି କହୁନାହାନ୍ତି।

ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଅପାରଗତାକୁ କେନ୍ଦ୍ରରେ ଉଠାଇବ ବିଜେପି

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସିଏଜି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛି ବିଜେପି। ମୁଖ୍ୟତଃ ଜଙ୍ଗଲ, ପୂର୍ତ୍ତ, ଜଳସଂପଦ ଓ ଖଣି ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ରାଜ୍ୟବାସୀଙ୍କୁ ହଜାର ହଜାର କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଏହି ଦୁର୍ନୀତି ନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଅବଗତ କରାଯିବା ସହ ଲୋକସଭା ଓ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର। ଏକ ସାମ୍ବାଦିକ ସମ୍ମିଳନୀରେ ଭୃଗୁ ବକ୍ସିପାତ୍ର କହିଛନ୍ତି, ରାଜ୍ୟ ସରକାରଙ୍କ ୪୯ଟି ବିଭାଗରୁ ସିଏଜି ଜଙ୍ଗଲ, ପୂର୍ତ୍ତ ଓ ଜଳସଂପଦ ବିଭାଗର ରିପୋର୍ଟ ତଲବ କରିଛନ୍ତି। ଏହି ୩ଟି ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଛି। ୩ ହଜାରରୁ ଅଧିକ ରିପୋର୍ଟ ସେଟେଲମେଣ୍ଟ ପାଇଁ ପଡ଼ି ରହିଛି। ୧୯୮୪ ମସିହାରୁ ପଡ଼ି ରହିଥିବା ସେଟେଲମେଣ୍ଟ ଅଡିଟ୍ ନ କରି ଅଧିକ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୧ ହଜାର ୬୧୦ କୋଟି ଟଙ୍କା ଅନିୟମିତତା ହୋଇଛି। କାମ୍ପା ଫଣ୍ଡରେ ଓଡ଼ିଶାକୁ ସମଗ୍ର ଦେଶରେ ଅଧିକ ଅନୁଦାନ ମିଳିଥିଲା। ଏହାକୁ ଅନ୍ୟତ୍ର ବିନିଯୋଗ କରିବାର ନିୟମ ନ ଥିବା ବେଳେ ରାଜ୍ୟ ସରକାର କିନ୍ତୁ ନିୟମ ଉଲ୍ଲଂଘନ କରି ୨୨୫ କୋଟି ଟଙ୍କାର କାମ୍ପା ଫଣ୍ଡକୁ ଡାଇଭର୍ଟ କରି ଦେଇଛନ୍ତି। ଯେଉଁ ଅଧିକାରୀମାନେ ଏଥିରେ ସଂପୃକ୍ତ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବକ୍ସି ଭୃଗୁପାତ୍ର। ୧୦ଟି ବିଭାଗର ୩୬ ହଜାର ୧୯୪ କୋଟି ଟଙ୍କାର ୟୁସି କେନ୍ଦ୍ର ସରକାରଙ୍କୁ ଏଯାଏ ଦିଆଯାଇନି। ୨୦୧୯-୨୦ ବର୍ଷରେ କେବଳ ୧୬ ହଜାର ୩୦୧ କୋଟିର ୟୁସି ବାକି ରହିଛି। ଫଳରେ ବଳକା ଅର୍ଥ ପୁନର୍ବାର କେନ୍ଦ୍ର ସରକାର ଦେଇପାରୁ ନାହାନ୍ତି। କେନ୍ଦ୍ର ସରକାର ପାତରଅନ୍ତର ନୀତି ପୋଷଣ କରୁଥିବା ରାଜ୍ୟ ସରକାର ଅଭିଯୋଗ କରୁଥିବା ବେଳେ ନିଜ ଦୋଷକୁ ଲୁଚାଇ ରଖୁଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ବିନା ଯୋଜନା ତଥା ରୋଡ ମ୍ୟାପ ବିନା କାମ କରୁଛି ଜଙ୍ଗଲ ବିଭାଗ। ଗଛ ଲଗା ସରିବା ସତ୍ତ୍ୱେ ଡିଏଫଓଙ୍କୁ ଖବର ମିଳୁନି। ରକ୍ଷଣାବେକ୍ଷଣ ପାଇଁ ଅର୍ଥ ନାହିଁ। ପବ୍ଲିକ ସେକ୍ଟର ଉପରେ ୧୩,୧୮୨ କୋଟି ବକେୟା ଅଛି। ବକ୍ସାଇଟ ଖନନରେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ମୂଲ୍ୟ ନିର୍ଦ୍ଧାରଣ ହୋଇପାରି ନାହିଁ। ଫଳରେ ରାଜ୍ୟ ସରକାରଙ୍କର ପାଖାପାଖି ୬୦ କୋଟି କେବଳ ରାୟଗଡ଼ା ଜିଲ୍ଲାରେ କ୍ଷତି ହୋଇଛି। ମାଇନିଂ କର୍ପୋରେସନାର ନେତୃତ୍ୱରେ, ଠିକାଦାରଙ୍କ ସହଯୋଗରେ, ଅଧିକାରୀଙ୍କ ତତ୍ତ୍ୱାବଧାନରେ ବାହାର ରାଜ୍ୟର ବଡ଼ ବଡ଼ କମ୍ପାନୀ ଆସି କୋରାପୁଟ, ରାୟଗଡ଼ାରୁ ବକ୍ସାଇଟ ଖନନ କରି ନେଉଛନ୍ତି। ଏହାଦ୍ୱାରା କୋଟି କୋଟି ଟଙ୍କାର କ୍ଷତି ହେଉଛି। ରାଜ୍ୟ ସରକାର ଓ ମାଇନିଂ କର୍ପୋରେସନ ଦର କମ୍‌ କରି ଠିକାଦାରଙ୍କୁ ଖଣି ଲିଜ୍‌ରେ ଦେଇଦେଉଛନ୍ତି। ରାଜ୍ୟ ସରକାର ଲୁଟ୍‌ କରିବାକୁ କୌଣସି ସୁଯୋଗ ଛାଡ଼ୁ ନାହାନ୍ତି। ନୟାଗଡ଼ ଜିଲ୍ଲାରେ ବକ୍ସାଇଟ୍ ଦର ଧାର୍ଯ୍ୟ କରାଯାଇ ନଥିବାରୁ ୧୬ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି ବକ୍ସି ଭୃଗୁପାତ୍ର। ଏହି ସବୁ ଦୁର୍ନୀତିରେ ଯେଉଁ ଅଧିକାରୀମାନେ ସାମିଲ ହୋଇଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ସହ ଅର୍ଥ ଫେରସ୍ତ କରାଯାଉ ବୋଲି ବିଜେପି ଦାବି କରିଛି।