ଜି ଆଇ ଇ ଟି ଵିଶ୍ଵବିଦ୍ୟାଳୟରେ ଖୋଲିଲା ବି.ଏସସି ନର୍ସିଂ ପାଠ୍ୟକ୍ରମ …!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ଜି ଆଇ ଇ ଟି ଵିଶ୍ଵବିଦ୍ୟାଳୟ ଗୁଣୁପୁରରେ ଚଳିତ ବର୍ଷ ଠାରୁ ନୂତନ କରି ବି.ଏସସି ନର୍ସିଂ ପାଠ୍ୟକ୍ରମ ଆରମ୍ଭ ହୋଇଛି । ଓଡିଶା ନରସେସ ଏଣ୍ଡ ମିଡିୱ।ଇଭସ ରେଜିଷ୍ଟ୍ରସନ କାଉନସିଲ (odisha nurses & midwives registration council ) ପକ୍ଷରୁ ଚଳିତ ଶିକ୍ଷା ବର୍ଷ ୨୦୨୨-୨୩ ରେ ବି.ଏସସି ନର୍ସିଂ ପାଠ୍ୟକ୍ରମ ନିମନ୍ତେ ଜି ଆଇ ଇ ଟି ଵିଶ୍ଵବିଦ୍ୟାଳୟ କୁ ଅନୁମତି ପ୍ରଦାନ କରିଛନ୍ତି। ଉଚ୍ଚ କୋଟିର ଭିତ୍ତିଭୂମି, ଉଚ୍ଚମାନର ଶିକ୍ଷାଦାନ ଯୋଗୁଁ ଇଂଜିନିୟରିଂ, ,କୃଷିବିଜ୍ଞାନ, ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ଗତ ପଚିଶି ବର୍ଷ ଧରି ଯେଉଁ ଉତ୍କୃଷ୍ଟତା ଏହି ଅନୁଷ୍ଠାନ ପ୍ରଦର୍ଶନ କରିଛି, ତାହାରି ଫଳରେ ରାଜ୍ୟ ସରକାର ଏବଂ ନର୍ସିଂ କାଉନସିଲ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ କୁ ଏହି ପାଠ୍ୟକ୍ରମ ନିମନ୍ତେ ଓ.ଏନ.ଏମ.ଆର .ସି . ପତ୍ର ନଂ- ୨୩୯୯ ତା -୦୩-୦୮-୨୦୨୨ ଦ୍ୱାରା ବି.ଏସସି ନର୍ସିଂ ପାଠ୍ୟକ୍ରମ ପାଇଁ ୬୦ ସିଟ ପାଇଁ ଅନୁମତି ପ୍ରଦାନ କରିଛନ୍ତି /ଏହା ଜାଣି ଅବିଭାବକ ମହଲରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଛି / ପୂର୍ବରୁ ଏହି ଅଞ୍ଚଳର ଛାତ୍ରଛାତ୍ରୀ ମାନେ ବହୁ ଦୂରଦୁରାନ୍ତ ଯାଇ ଏହି ପାଠ ପଡୁଥିଲେ,ବର୍ତ୍ତମାନ ନିଜ ଜାଗାରେ ଏହି ସୁବିଧା ପାଇବେ l ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଯେଉଁ ଉଚ୍ଚ କୋଟିର ଶିକ୍ଷାଦାନ ସହ ନିଯୁକ୍ତି ସୁଯୋଗ କରାଯାଉଛି ସେହିପରି ଏହି ବି.ଏସସି ନର୍ସିଂ ର ଛାତ୍ରଛାତ୍ରୀ ମାନଙ୍କୁ ସେହିପରି ଉଚ୍ଚମାନର ଶିକ୍ଷାଦାନ କରାଯିବା ସହ ଦେଶବିଦେଶରେ ନିଯୁକ୍ତି କରାଯିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଆଶା ରଖିଛନ୍ତି lଏହି ଅବସରରେ ରାଜ୍ୟ ସରକାର ଓ ନର୍ସିଂ କାଉନସିଲ କୁ ବିଶ୍ୱବିଦ୍ୟାଳୟର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା, ଉପ ସଭାପତି ଡ଼ଃ ଚନ୍ଦ୍ର ଧ୍ୱଜ ପଣ୍ଡା, ମହା ନିର୍ଦେଶକ ଡ଼ ଜଗଦୀଶ ପଣ୍ଡା , ରେଜିଷ୍ଟ୍ରାର ଡ଼ ଏନ.ଭି .ଜେ.ରାଓ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି l ଚଳିତ ବର୍ଷ ବି.ଏସସି ନର୍ସିଂରେ ଆଡମିଶନ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଥିବା ସହ ଆସନ୍ତା ସେପ୍ଟେମ୍ବର ମାସରେ ପାଠପଢା ଆରମ୍ଭ କରାଯିବା ନେଇ ଅନୁଷ୍ଠାନ କତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ମୋଦିଙ୍କ କଥା ରଖିଲେ ରାହୁଲ ଗାନ୍ଧି ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)-  ତ୍ରିରଙ୍ଗା ପତାକାକୁ ‘ଡିସ୍‌ପ୍ଲେ ପିକ୍‌ଚର୍‌’ ବା ଡିପି ରଖିବାକୁ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ  ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ କଥା ମାନି ଅନେକ ଦେଶବାସୀ ନିଜର ଡିପି ବଦଳାଇଥିବା ଦେଖିବାକୁ ମିଳୁଛି। ଏମିତି କି ପ୍ରତି କଥାରେ ମୋଦିଙ୍କ ବିରୋଧ କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କଥା ରଖିଛନ୍ତି। ରାହୁଲ ଗାନ୍ଧି ନିଜ ଟ୍ୱିଟର ଓ ଫେସବୁକ ଆକାଉଣ୍ଟର ଡିପି ବଦଳାଇଛନ୍ତି। ପ୍ରୋଫାଇଲ ଫଟୋରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଜାତୀୟ ପତାକା ଧରିଥିବା ଫଟୋ ରହିଛି। ଏହି ଫଟୋକୁ ଟ୍ୱିଟ୍‌ କରି ରାହୁଲ ଗାନ୍ଧି ଲେଖିଛନ୍ତି ଯେ, ତ୍ରିରଙ୍ଗା ହେଉଛି ଦେଶର ଗର୍ବ। ଏହା ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ଅଛି। ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ନିଜର ଡିପି ବଦଳାଇ ଜବାହରଲାଲ ନେହେରୁ ଜାତୀୟ ପତାକା ଧରିଥିବା ଫଟୋ ରଖିଥିବା ଦେଖିବାକୁ ମିଳିଛି। ଅଗଷ୍ଟ ୨ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକାକୁ ସାମାଜିକ ଗଣମାଧ୍ୟମ ‘ଡିସ୍‌ପ୍ଲେ ପିକ୍‌ଚର୍‌’ କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ‘ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୩ରୁ ଅଗଷ୍ଟ ୧୫, ତିନି ଦିନ ଯାଏଁ ‘ହର୍‌ ଘର୍‌ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।

ଅଗଷ୍ଟ ୮ ଯାଏ ଇଡି ହେପାଜତରେ ରହିବେ ସଞ୍ଜୟ ରାଉତ …!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ତାଙ୍କ ରିମାଣ୍ଡ ଅବଧିକୁ ଆଜି ମୁମ୍ବାଇର ଗୋଟିଏ କୋର୍ଟ ଆସନ୍ତା ୮ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଏହାର ଅର୍ଥ ଅଗଷ୍ଟ ୮ ଯାଏ ସଞ୍ଜୟ ରାଉତ ଇଡି ହେପାଜତରେ ରହି ଜେରାର ସମ୍ମୁଖୀନ ହେବେ। ଗୋରେଗାଓଁ ଉପକଣ୍ଠରେ ଥିବା ପାତ୍ରା ଚୌଲର ନିବୀକରଣ ନାଁରେ ଦୁର୍ନୀତି ହୋଇଥିବା ଇଡି ଅଭିଯୋଗ କରିଛି। ଏଥିପାଇଁ ରବିବାର ମଧ୍ୟରାତ୍ରରେ ଇଡି ସଞ୍ଜୟ ରାଉତଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଇଡି ହେପାଜତରେ ରହିଛନ୍ତି। ରବିବାର ଗିରଫ ପରେ ସୋମବାର ସକାଳୁ ଇଡିର ଅଧିକାରୀମାନେ ସଞ୍ଜୟ ରାଉତଙ୍କୁ ପିଏମଏଲଏ କୋର୍ଟର ବିଚାରପତି ଏମସି ଦେଶପାଣ୍ଡେଙ୍କ ଆଗରେ ହାଜର କରି ୮ ଦିନର ରିମାଣ୍ଡ ପାଇଁ ଆବେଦନ କରିଥିଲେ। ହେଲେ କୋର୍ଟ ତାଙ୍କୁ ଅଗଷ୍ଟ ୪ ଯାଏ ରିମାଣ୍ଡରେ ପଠାଇଥିଲେ। ଆଜି ଏହି ଅବଧି ଶେଷ ହେଉଥିବାରୁ ଶ୍ରୀ ରାଉତଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା। ଏଥିସହ ଆଉ ୪ ଦିନର ରିମାଣ୍ଡ ଆବେଦନ କରାଯାଇଥିଲା। କୋର୍ଟ ଏହାକୁ ଅନୁମତି ଦେଇଛନ୍ତି। ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ରାଉତ ଓ ତାଙ୍କ ପରିବାର ସଦସ୍ୟ ୧ କୋଟି ଟଙ୍କାର ଫାଇଦା ହାସଲ କରିଥିବା ଇଡି କହିଛି। ଏହି ଟଙ୍କାରେ ସଞ୍ଜୟ ରାଉତ ଆଉ କିଛି ସ୍ଥାନରେ ବିଲଡିଂ କିଣିଥିବାରୁ ଇଡି ଏହାକୁ ସିଜ ମଧ୍ୟ କରିଛି।

ସଂସଦ ଚାଲିଥିବା ବେଳେ ମତେ ଇଡି କେମିତି ସମନ କଲା – ମଲ୍ଲିକାର୍ଜୁନ ଖାଡ଼ଗେ

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ସଂସଦରେ ନ୍ୟାସନାଲ ହେରାଲଡ୍‌ ମାମଲାର ତାତି। ଏହି  ମାମଲାରେ ଇଡିର ଗୋଟିଏ ପରେ ଗୋଟିଏ ପଦକ୍ଷେପକୁ ନେଇ କଂଗ୍ରେସ ଛାନିଆ ହୋଇପଡ଼ିଥିବା ବେଳେ ପ୍ରସଙ୍ଗ ଏବେ ସଂସଦରେ ଉଠିଛି। ପ୍ରଥମେ ରାହୁଲ ଗାନ୍ଧି, ପରେ ସୋନିଆ ଗାନ୍ଧି ଏବଂ ଏବେ ମଲ୍ଲିକାର୍ଜୁନ ଖାଡ଼ଗେଙ୍କୁ ଇଡି ସମନ କରିବା ପରେ ରାଜନୀତି ଜୋର ଧରିଛି। ଆଜି ସଂସରେ ଏହି ପ୍ରସଙ୍ଗକୁ କଂଗ୍ରେସ ସଦସ୍ୟ ମାନେ ଉଠାଇ ପ୍ରବଳ ହୋହଲ୍ଲା କରିଥିଲେ । ଆଜି ରାଜ୍ୟସଭାରେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି ଯେ, ଯେତେବେଳେ ସଂସଦରେ ଅଧିବେଶନ ଚାଲିଛି ସେମାନେ କେମିତି ସମନ କରୁଛନ୍ତି । ଗତକାଲି ଇଡି ପକ୍ଷରୁ ନ୍ୟାସନାଲ ହେରାଲ୍ଡ ପରିସରେରେ ଥିବା ୟଙ୍ଗ ଇଣ୍ଡିଆନ୍‌ କାର୍ଯ୍ୟାଳୟକୁ ସିଲ କରାଯାଇଛି।  ଉକ୍ତ କମ୍ପାନୀର ମଲ୍ଲିକାର୍ଜୁନ ଖାଡ଼ଗେ ହେଉଛନ୍ତି ସ୍ୱୀକୃତିପ୍ରାପ୍ତ ପ୍ରତିନିଧି। ଗତକାଲି ସେ ଅଫିସରେ ନଥିବା ବେଳେ ଉକ୍ତ ଅଫିସକୁ ସିଲ କରାଯାଇଥିଲା। ସେ ଅଫିସରେ ଉପସ୍ଥିତ ରହି ସର୍ଚ୍ଚ ଅପରେସନକୁ ସହଯୋଗ କଲେ ଏହି କଟକଣା ପ୍ରତ୍ୟାହାର କରାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି।  କିନ୍ତୁ  ଇଡିର ଟାଇମିଂକୁ ନେଇ ଖାଡ଼ଗେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଆଜି ମୋତେ(ଗୁରୁବାର) ଦିନ ୧୨ଟା ୩୦ରେ ଇଡିରେ ହାଜର ହେବା ପାଇଁ ନୋଟିସ ହୋଇଛି। ମୁଁ ଆଇନକୁ ସମ୍ମାନ ଦେବାକୁ ଚାହେଁ।  କିନ୍ତୁ ବର୍ତ୍ତମାନ ସମନ କରିବା ଉପଯୁକ୍ତ ସମୟ କି ବୋଲି  ସେ ପ୍ରଶ୍ନ କରିଛନ୍ତି। ସଂସଦ ଅଧିବେଶନ ସମୟରେ ଜଣେ ସାଂସଦକୁ କେମିତି ସମନ କରାଯାଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।  ଅନ୍ୟପଟେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱେଚ୍ଛାଚାରୀ ସରକାରକୁ ଡରେନାହିଁ ବୋଲି  ରାହୁଲ ଗାନ୍ଧି କହିଛନ୍ତି। ରାହୁଲ୍‌ ଗାନ୍ଧି କହିଛନ୍ତି, ଆମେ ଡରିବୁ ନାହିଁ। ତାଙ୍କର ଯାହା କରିବା କଥା କରନ୍ତୁ, କିଛି ଯାଏଆସେ ନାହିଁ। ଟିକେ ଚାପ ପ୍ରୟୋଗ କଲେ ଆମେ ଚୁପ୍‌ ହୋଇଯିବୁ ବୋଲି ସେମାନେ ଭାବୁଛନ୍ତି। ଆମେ ଚୁପ୍‌ ହେବୁନାହିଁ। ବିଜେପି ଯାହା କରୁଛି, ଆମେ ତା’ର ବିରୋଧ କରିବୁ। ଆମେ ଭୟଭୀତ ହେବୁନାହିଁ ବୋଲି ସେ କହିଛନ୍ତି।

ୟଙ୍ଗ ଇଣ୍ଡିଆନ୍‌ ଅଫିସ୍‌କୁ ଇଡିର ସିଲ ପରେ କଂଗ୍ରେସର ଜରୁରୀ ବୈଠକ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କଂଗ୍ରେସ ଦ୍ୱାରା ପରିଚାଳିତ ନ୍ୟାସନାଲ ହେରାଲଡ୍‌ ଭବନରେ ଥିବା ୟଙ୍ଗ ଇଣ୍ଡିଆନ୍‌ ଅଫିସ୍‌କୁ ଇଡି ସିଲ କରିବା ପରେ ଦଳକୁ ଶକ୍ତ ଝଟ୍‌କା ଲାଗିଛି।  ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ ଦଳୀୟ ମହଲରେ ଅସନ୍ତୋଷ ତେଜି‌ଥିବା ବେଳେ ଆଜି ପରବର୍ତ୍ତୀ ରଣନୀତି ନେଇ ବୈଠକ ବସିବ। ନ୍ୟାସନାଲ ହେରାଲଡ୍‌ ଘଟଣାରେ ମନିଲଣ୍ଡରିଂ ମାମଲାରେ ତଦନ୍ତ କରୁଥିବା ଇଡି ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ମା ସୋନିଆ ଗାନ୍ଧିଙ୍କୁ ଜେରା କରିସାରିଛି।  ଏବେ ଏହି ଘୋଟାଲାରେ ଇଡିର ଗୋଟିଏ ପରେ ଗୋଟିଏ ପଦକ୍ଷେ୪ ଦଳକୁ ଅଡ଼ୁଆ ପକାଇଛି। ତେଣୁ ଇଡି ଏବଂ କେନ୍ଦ୍ର ସରକାରଙ୍କୁ ମୁକାବିଲା ପାଇଁ ଆଜି କଂଗ୍ରେସ ପକ୍ଷରୁ ଉଭୟ ଦଳୀୟ ଲୋକସଭା ସଦସ୍ୟ ଏବଂ ରାଜ୍ୟ ସଭା ସଦସ୍ୟଙ୍କୁ ବୈଠକ ପାଇଁ ଡକାଯାଇଛି। ତେବେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଦିଲ୍ଲୀର ୨୪-ଆକବର ରୋଡ଼ରେ ଥିବା  ମୁଖ୍ୟ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି ୧୦ ଜନପଥରେ ଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବାସଭବନ ଆଗରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏଆଇସିସସି ହେଡ୍‌କ୍ୱାର୍ଟର ଅଭିମୁଖେ ରାସ୍ତାକୁ ଦିଲ୍ଲୀ ପୁଲିସ ସିଲ କରିଦେଇଛି। ସେହିପରି ଆଜି ସଂସଦରେ କଂଗ୍ରେସ ଏମପିମାନେ ଆଡଜର୍ଣ୍ଣମେଣ୍ଟ ନୋଟିସ ଦେବାର କାର୍ଯ୍ୟକ୍ରମ ରହିଛି। ଏକ ସାମ୍ବାଦିକ ସମ୍ମିଳିନୀ କରି କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି ଯେ, ସେମାନେ ଡିସିପିଙ୍କଠାରୁ ଏକ ଚିଠି ପାଇଛନ୍ତି। ସେଥିରେ ଲେଖା ଅଛି ଯେ, ଅଗଷ୍ଟ ୫ ତାରିଖରେ ଦଳ ବିକ୍ଷୋଭ କରିପାରିବ ନାହିଁ। ଏହା ଗଣତନ୍ତ୍ରର ହତ୍ୟା ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ ବୁଧବାର ନ୍ୟାସନାଲ ହେରାଲଡ୍ ଅର୍ଥ ହେରଫେର ମାମଲାରେ ଇଡି ହେରାଲଡ ଅଫିସ ସମେତ ୧୨ଟି ସ୍ଥାନରେ ଚଢ଼ଉ କରିଥିଲା।  ବୁଧବାର ହେରାଲ୍‌ଡ ଭବନକୁ ସିଲ୍ କରିଦେଇଛି। ସେହିପରି ପୁଲିସ ଉପସ୍ଥିତିରେ ‌ହେରାଲ୍‌ଡ ଭବନରେ ଥିବ‌ା ୟଙ୍ଗ ଇଣ୍ଡିଆନ୍ ଅଫିସକୁ ସିଲ୍ କରି ଦେଇଛି। କଂଗ୍ରେସ ନେତାମାନେ ସରକାରଙ୍କର ଏଭଳି ପଦକ୍ଷେପର ସମାଲୋଚନା କରିଛନ୍ତି।

ଯେଉଁମାନେ ୫୨ ବର୍ଷ ଧରି ତ୍ରିରଙ୍ଗା ଉଡ଼ାଇ ନଥିଲେ ସେମାନେ ଆଜି ହର ଘର ତ୍ରିରଙ୍ଗା ଅଭିଯାନ କରୁଛନ୍ତି – ରାହୁଲ ଗାନ୍ଧି

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତ୍ରିରଙ୍ଗା ଅଭିଯାନକୁ ନେଇ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ବିଜେପି ପକ୍ଷରୁ  ‘ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ’କୁ ନେଇ ତେରଛା ବାଣ ମାରିଛନ୍ତି ରାହୁଲ। ଜାତୀୟ ପତାକା ପ୍ରତି ଦଳର ପକୃତ ଆନ୍ତରିକତାରକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।  ସେ ସିଧାସଳଖ ବିଜେପି ସହ ଜଡ଼ିତ ଆରଏସଏସକୁ ଆକ୍ଷେପ କରିଛନ୍ତି। ସେ କହିଛନ୍ତି ଯେ, ଆଜି ଯେଉଁମାନେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି ଇତିହାସ ସାକ୍ଷୀ ଅଛି ସେମାନେ ଆରଏସଏସ ସଙ୍ଗଠନରୁ ଆସିଛନ୍ତି।  ଯେଉଁମାନେ ୫୨ ବର୍ଷ ହେବ ତ୍ରିରଙ୍ଗା ଉଡ଼ାଇ ନାହାନ୍ତି। କର୍ଣ୍ଣାଟକର ହୁବୁଲି ଜିଲ୍ଲାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ରାହୁଲ ଗାନ୍ଧି। କର୍ଣ୍ଣାଟକର ଖଦିଗ୍ରାମରେ ରାହୁଲ ଗାନ୍ଧି ପରିଦର୍ଶନ କରିବା ସହ ସେଠାରେ ତିଆରି ହେଉଥିବା ଜାତୀୟ ପତାକାକୁ ସେ ଇସ୍ତ୍ରୀ କରୁଥିବା ଫଟୋ ସେ ତାଙ୍କ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଖଦିଗ୍ରାମ ବୁଲି ସବୁ କର୍ମଚାରୀଙ୍କୁ ଭେଟି ସେ ଖୁବ ଆନନ୍ଦିତ ବୋଲି ରାହୁଲ ଗାନ୍ଧି କହିଛନ୍ତି । ସେ ଅହୁରି କହିଛନ୍ତି ଯେ, ଏଇ ତ୍ରିରଙ୍ଗା ଉଡ଼ାଇବା ପାଇଁ ଲକ୍ଷ ଲକ୍ଷ ଭାରତୀୟ  ତ୍ୟାଗ ଓ ବଳିଦାନ ଦେଇଛନ୍ତି। କିନ୍ତୁ କେବଳ ଗୋଟିଏ ସଙ୍ଗଠନ ଏହି ତ୍ରିରଙ୍ଗାକୁ ମାନିବାକୁ ଅଗ୍ରାହ୍ୟ କରି ଆସୁଥିଲା। ୫୨ ବର୍ଷ ଧରି ନାଗପୁର ମୁଖ୍ୟ କାର୍ଯ୍ୟାଳୟରେ ତ୍ରିରଙ୍ଗା ଉଡ଼ିନଥିବା ସେ କହିଛନ୍ତି। ସେମାନେ ଲଗାତାର ଧରି ଏହି  ଜାତୀୟ ପତାକାକୁ ଅପମାନ କରିଛନ୍ତି।  ଆଜି ସେଇ ସଙ୍ଗଠନରୁ ଆସିଥିବା ଲୋକମାନେ ତ୍ରିରଙ୍ଗାର ଇତିହାସ ବିଷୟରେ କହୁଛନ୍ତି। ସେମାନେ ହର ଘର ତ୍ରିରଙ୍ଗା ଅଭିଯାନ ଚଳାଇଛନ୍ତି। କାହିଁକି ଆରଏସଏସ ୫୨ ବର୍ଷ ଧରି ନାଗପୁର କାର୍ଯ୍ୟାଳୟରେ ତ୍ରିରଙ୍ଗା ଉଡ଼ାରଇ ନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ନିଜ ପେଟପାଟଣା ଲାଗି ଖଦି ବୋର୍ଡ଼ ପକ୍ଷରୁ ଯେଉଁ ଜାତୀୟ ପତାକା ତିଆରି କରାଯାଉଛି ତାକୁ କାହିଁକି ନଷ୍ଠ କରାଯାଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେମାନେ ଦେଶର ମୁକ୍ତି ଆନ୍ଦୋଳନରେ କଂଗ୍ରେସକୁ ଅଟାକି ପାରି ନଥିଲେ। ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ ପରେ ରାହୁଲ ଗାନ୍ଧିଙ୍କ ଏହି ବୟାନ ଆସିଛି। ସୂଚନା ଅନୁଯାୟୀ, ଅଗଷ୍ଟ ୨ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକାକୁ ସାମାଜିକ ଗଣମାଧ୍ୟମ ‘ଡିସ୍‌ପ୍ଲେ ପିକ୍‌ଚର୍‌’ କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ‘ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୩ରୁ ଅଗଷ୍ଟ ୧୫, ତିନି ଦିନ ଯାଏଁ ‘ହର୍‌ ଘର୍‌ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।

କିଏ ହେବ ଶିବସେନାର ମାଲିକ ; ଉଦ୍ଧବ ଠାକରେଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି …!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି। ଶିବସେନା କାହା ନିୟନ୍ତ୍ରଣରେ ରହିବ ତାକୁ ନେଇ ଉଦ୍ଧବ କ୍ୟାମ୍ପ ଏବଂ ସିନ୍ଦେ କ୍ୟାମ୍ପ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଉଦ୍ଧବଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ ନିଷ୍ପତ୍ତି ନନେବାକୁ ଭାରତର ନିର୍ବାଚନ କମିଶନଙ୍କୁ କହିଛନ୍ତି କୋର୍ଟ। ସିନ୍ଦେ ଗ୍ରୁପକୁ ପ୍ରକୃତ ଶିବସେନା ଭାବେ ସ୍ୱୀକୃତି ଦେବାକୁ ଦାବି କରାଯାଇଥିଲା। ସୋମବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି କରି କୋର୍ଟ ସମ୍ବିଧାନ ବେଞ୍ଚକୁ ସୁପାରିସ କରିପାରନ୍ତି। ଆବେଦନକାରୀ ସିନ୍ଦେ ଟିମ ପକ୍ଷରୁ କୁହାଯାଇଥିଲା ଯେ, ଏହା ହେଉଛି ଦଳୀୟ ମାମଲା। ତାଙ୍କ ପାଖରେ ସଂଖ୍ୟା ଅଛି। ତେଣୁ କୋର୍ଟ ଦଳର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନକରିବାକୁ ଅନୁରୋଧ କରିଥିଲେ। ଗଣତାନ୍ତ୍ରିକ ପ୍ରକ୍ରିୟା ବହୁମତକୁ ସମ୍ମାନ ଜଣାଇ ନିଷ୍ପତ୍ତି ନେବାକୁ ଛାଡ଼ି ଦିଆଯାଉ ବୋଲି ସିନ୍ଦେ ଗ୍ରୁପ ଆବେଦନ କରିଥିଲା। ଆଜିର ଶୁଣାଣି ବେଳେ ଜଷ୍ଟିସ ଏନଭି ରମନ୍ନା ସିନ୍ଦେ ଟିମଙ୍କ ଯୁକ୍ତିକୁ ନାପସନ୍ଦ କରିଥିଲେ। ସେ ଜାଣିବାକୁ ଚାହିଁଥିଲେ ନିର୍ବାଚନ ପରେ ଯଦି ଆପଣ ରାଜନୈତିକ ଦଳକୁ ବେଖାତିରି କରନ୍ତି ଏହା କଣ ଗଣତନ୍ତ୍ର ପ୍ରତି ବପଦ ନୁହେଁ? ସୂଚନା ଅନୁଯାୟୀ ଏହି ବିବାଦୀୟ ମାମଲାରେ ପୂର୍ବରୁ ସିନ୍ଦେ ଗୋଷ୍ଠୀ ନିର୍ବାଚନ କମିଶନଙ୍କ ନିକଟରା ଦ୍ୱାରସ୍ତ ହୋଇଥିଲେ। ଉଭୟ ସିନ୍ଦେ ଓ ଉଦ୍ଧବ ଠାକେର ଗୋଷ୍ଠୀଙ୍କୁ ସଂଖ୍ୟାଗରିଷ୍ଠତାର ଦସ୍ତାବିଜ ମାଗିଛନ୍ତି ନିର୍ବାଚନ କମିଶନ। ଯେଉଁ ଗୋଷ୍ଠୀ ଉପଯୁକ୍ତ ପ୍ରମାଣ ଦେଇପାରିବେ, ସେ ହିଁ ଶିବସେନାକୁ ନିୟନ୍ତ୍ରଣ କରିବେ ବୋଲି ନିର୍ବାଚନ କମିଶନ କହିଥିଲେ। ଶିବସେନା ଉପରେ ହକ ଦାବି କରି ସିନ୍ଦେ ଗୋଷ୍ଠୀ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଇସି ଏହାକୁ ଗ୍ରହଣ କରି ଉଭୟ ଗୋଷ୍ଠୀଙ୍କୁ ପ୍ରମାଣ ମାଗିଛନ୍ତି। ଅଗଷ୍ଟ ୮ ସୁଦ୍ଧା ସେମାନେ ଦସ୍ତାବିଜ ଦାଖଲ କରିବା ପରେ ଇସି ବିଧିବଦ୍ଧ ଭାବେ ଏହାର ଯାଞ୍ଚ ଆରମ୍ଭ କରି ପରବର୍ତ୍ତୀ ପଦକ୍ଷେପ ନେବେ। ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର କାରଣ ଲଖିତ ଭାବେ ଜଣାଇବାକୁ ମଧ୍ୟ ଇସି ନୋଟିସ ଜାରି କରି କରିଥିଲେ। ଇସିଙ୍କୁ ଚିଠି ଲେଖି ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ କହିଥିଲେ ତାଙ୍କ ସହ ଶିବସେନାର ୪୦ ଜଣ ବିଧାୟକ ଓ ୧୨ ଜଣ ସାଂସଦ ରହିଛନ୍ତି। ତାଙ୍କ ପାଖରେ ଶିବସେନାର ଅଧିକାଂଶ ସଦସ୍ୟ ଥିବାରୁ ସେ ହିଁ ପ୍ରକୃତ ଶିବ ସୈନିକ। ଏଥିପାଇଁ ତାଙ୍କୁ ଦଳର ଚିହ୍ନ ଧନୁ ଓ ତୀର ମିଳିବା ଦରକାର।

ନରେନ୍ଦ୍ର ମୋଦି ଓ ଅମିତ ଶାହ ଆମକୁ ଚୁପ କରାଇ ପାରିବେନି…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କଂଗ୍ରେସ ମୁଖ୍ୟାଳୟ ଓ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବାସଭବନରେ ପୁଲିସର ଘେରାବନ୍ଦୀକୁ ନେଇ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଛନ୍ତି। ସେହିପରି ଜଣଙ୍କ ପରେ ଜଣେ ବିରୋଧୀ ଦଳର ନେତାଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଟାର୍ଗେଟ କରିବାରେ ଲାଗିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ମୋଦି ଓ ଶାହ ବିରୋଧୀ ଦଳର ସ୍ୱରକୁ ଚାପି ଦେବା ପାଇଁ ଚାହୁଁଛନ୍ତି। ହେଲେ ସେମାନେ ଆମକୁ ଚୁପ କରାଇ ପାରିବେ ନାହିଁ ବୋଲି ରାହୁଲ ଗାନ୍ଧି କହିଛନ୍ତି। ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ଉଭୟ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କୁ ମାରାଥନ ଜେରା କରିଥିଲା। ଏହାପରେ ଗତକାଲି ହେରାଲ୍ଡ ହାଉସରେ ଥିବା ୟଙ୍ଗ ଇଣ୍ଡିଆନ ଲିଃ ଅଫିସକୁ ସିଲ କରାଯାଇଛି। ସେହିପରି କଂଗ୍ରେ ମୁଖ୍ୟାଳୟକୁ ପୁଲିସ୍ ଘେରାବନ୍ଦୀ କରିଥିବାରୁ ଏହାକୁ ନେଇ ରାହୁଲ ଗାନ୍ଧି ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ ଯଦି ଆପଣ ନ୍ୟାଶନାଲ ହେରାଲ୍ଡ କଥା କହିବେ, ତା’ହେଲେ ଡରାଇବା ପାଇଁ ଏହି ପ୍ରସଙ୍ଗ ଅଣାଯାଇଛି। ନରେନ୍ଦ୍ର ମୋଦି ଓ ଅମିତ ଶାହ ଭାବୁଛନ୍ତି ଏହି ସାମାନ୍ୟ ଚାପରେ ଆମେ ଚୁପ ହୋଇଯିବୁ। କିନ୍ତୁ ଆମେ କେବେ ହେଲେ ଚୁପ ହେବୁନାହିଁ। ନରେନ୍ଦ୍ର ମୋଦି ଓ ଅମିତ ଶାହ ଗଣତନ୍ତ୍ର ବିରୋଧରେ ଯେତେ ଯାହା କଲେ ମଧ୍ୟ ଆମେ ସେମିତି ସଶକ୍ତ ହୋଇ ଛିଡ଼ା ହୋଇଥିବୁ।” ଇଡି ବୁଧବାର ୟଙ୍ଗ ଇଣ୍ଡିଆନ ଅଫିସ ସିଲ କରିଥିବାରୁ କଂଗ୍ରେସ ତା’ର ପରବର୍ତ୍ତୀ ରଣନୀତି ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ବୈଠକ କରିଛି। ଏହି ବୈଠକ ପୂର୍ବରୁ ରାହୁଲ ଗାନ୍ଧି ସାମ୍ବାଦିକମାନଙ୍କୁ ଏମିତି କହିଛନ୍ତି। ରାହୁଲ ଗାନ୍ଧି ଆହୁରି କହିଛନ୍ତି, ଆମେ ବିଜେପିର ଧମରେ ଆଦୌ ଭୟଭୀତ ନାହୁଁ। ଆମେ ନରେନ୍ଦ୍ର ମୋଦିଙ୍କୁ ଆଦୌ ଡରୁ ନାହିଁ। ତାଙ୍କର ଯାହା କରିବାର ଅଛି କରନ୍ତୁ। ଆମର ସେଥିରେ କିଛି ବି ଯାଏ ଆସେ ନାହିଁ। ମୁଁ ମୋର କର୍ତ୍ତବ୍ୟ କରି ଚାଲିଛି। ଗଣତନ୍ତ୍ରର ସୁରକ୍ଷା କରିବା ଓ ଦେଶର ସୌହାର୍ଦ୍ଦ୍ୟ ରକ୍ଷା କରିବା ମୋର ପ୍ରଥମ କର୍ତ୍ତବ୍ୟ।”

ମୋଦି-ମମତା ଭେଟଘାଟ ପୂର୍ବରୁ ବିଜେପି-ଟିଏମସି ମୁହାଁମୁହିଁ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଅନେକ ପ୍ରସଙ୍ଗରେ ମମତାଙ୍କ ଦଳ ଟିଏମସି ଓ ବିଜେପି ମୁହାଁମୁହିଁ ହେଉଥିବା ବେଳେ ଏଭଳି ଭେଟଘାଟ ବେଶ ଗୁରୁତ୍ୱପୂର୍ଣ୍ଣ। ମୋଦିଙ୍କୁ ଭେଟିବା ପାଇଁ ଆଜି ମମତା ଦିଲ୍ଲୀରେ ଲ୍ୟାଣ୍ଡ କରିଛନ୍ତି। ହେଲେ ଭେଟଘାଟ ପୂର୍ବରୁ ବିଜେପି ଓ ଟିଏମସି ମୁହାଁମୁହିଁ ହୋଇଛନ୍ତି। ବିଜେପି ନେତା ଦିଲୀପ ଘୋଷ କହିଛନ୍ତି, “ମମତା ବାନାର୍ଜୀ ଏପରି ମିଟିଂ ଦ୍ୱାରା କେନ୍ଦ୍ର ସହ ସବୁ କିଛି ବୁଝାମଣା ହୋଇ ଯାଇଥିବାର ଗୋଟିଏ ସଙ୍କେତ ଦେବାକୁ ଚାହୁଁଛନ୍ତି। କେନ୍ଦ୍ର ସରକାର ମମତାଙ୍କ ଷଡ଼ଯନ୍ତ୍ର ବୁଝିବା ଦରକାର। ଏଥିସହ ତାଙ୍କ ଟ୍ରାପ ପ୍ରତି ସତର୍କ ରହିବା ଉଚିତ।” ତେବେ ବିଜେପିର ଏହି ଦାବିକୁ ମୂଲ୍ୟହୀନ ବୋଲି କହିଛି ଟିଏମସି। ଦଳର ରାଜ୍ୟସଭା ସାଂସଦ ସୁଖେନ୍ଦୁ ରୟ କହିଛନ୍ତି, “ଆମ ପ୍ରତିପକ୍ଷ ଏପରି ଭିତ୍ତିହୀନ ଅଭିଯୋଗ ସର୍ବଦା ଆଣିଥାଆନ୍ତି। ଏହା କିଛି ନୂଆ କଥା ନୁହେଁ।” ଆଜି ଦିଦି ଦିଲ୍ଲୀରେ ପହଞ୍ଚିବା ପରେ ଦଳର ସାଂସଦମାନଙ୍କୁ ଭେଟିଛନ୍ତି। ସୁଖେନ୍ଦୁଙ୍କ ଘରେ ହିଁ ଏହି ଭେଟଘାଟ ହୋଇଛି। ଅଗଷ୍ଟ ୭ରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବାକୁ ଆଜି ଠାରୁ ମମତା ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେ ନୀତି ଆୟୋଗ ବୈଠକରେ ଯୋଗଦେବା ସହ ବିରୋଧୀ ଦଳର କିଛି ବରିଷ୍ଠ ନେତାଙ୍କୁ ଭେଟିବେ। ସେହିପରି ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ଅକ୍ଟୋବରରୁ ଦେଶରେ ୫ଜି ନେଟୱର୍କ, ଶସ୍ତାରେ ସେବା ପାଇବେ ଲୋକ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଆସନ୍ତା ଅକ୍ଟୋବରରୁ ଦେଶରେ ଆରମ୍ଭ ହେବ ୫ଜି ମୋବାଇଲ ସେବା। ସେହିପରି ବିଶ୍ୱ ତୁଳନାରେ ଭାରତର ଲୋକଙ୍କୁ ଶସ୍ତା ଦାମରେ ସେବା ଯୋଗାଇ ଦିଆଯିବ ବୋଲି ଆଜି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଟେଲିକମ କ୍ଷେତ୍ରକୁ ଆବଶ୍ୟକ ସାରଞ୍ଜମ ସାରା ଦେଶରେ ଲଗାଇବା ପାଇଁ ପୂର୍ବରୁ କହିଥିଲୁ। ସେହିପରି ୫ଜି ସ୍ପେକ୍ଟ୍ରମର ନିଲାମୀ ମଧ୍ୟ ଶେଷ ହୋଇଛି। ଆଜି ଆମ କମିଟି ବୈଠକ କରି ସ୍ପେକ୍ଟ୍ରମ ଆବଣ୍ଟନ ବଣ୍ଟନକୁ ଅନୁମତି ଦେବା ପ୍ରକ୍ରିୟା ଆରମ୍ଭ କରିଛି। ସମ୍ଭବତଃ ଅଗଷ୍ଟ ୧୦ ସୁଦ୍ଧା ସ୍ପେକ୍ଟ୍ରମ ଆବଣ୍ଟନ ହୋଇଯିବ। ଏହାପରେ ଅକ୍ଟୋବର ମାସରୁ ଆମେ ୫ଜି ସେବା ବିଧିବଦ୍ଧ ଭାବେ ଆରମ୍ଭ କରିପାରିବୁ। ବର୍ତ୍ତମାନ ଭାରତୀୟ ଟେଲିକମ ସେବା ଅତ୍ୟନ୍ତ ଶସ୍ତାରେ ସମସ୍ତଙ୍କ ପାଇଁ ଉପଲବ୍ଧ ହେଉଛି। ଆମର ଆଶା ୫ଜିରେ ମଧ୍ୟ ସେହି ଧାରା ଜାରି ରହିବ।”  ୫ଜିର ବିକିରଣ ସମ୍ପର୍କରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆମେରିକା ଓ ୟୁରୋପ ତୁଳନାରେ ଭାରତରେ ଆରମ୍ଭ ହେବାକୁ ଥିବା ୫ଜି ନେଟୱର୍କର ବିକିରଣ ୧୦ ଗୁଣା କମ। ସେ ଆହୁରି କହିଛନ୍ତି, “କମ ବିକିରଣର ଅର୍ଥ ଆମେ ଉତ୍ତମ ଗୁଣବତ୍ତାର ସେବା ଯୋଗାଇ ପାରିବୁ। ଆମେ ଗୋଟିଏ ସୁରକ୍ଷିତ ପରିବେଶ ସୃଷ୍ଟି କରିପାରିବା। ସେବା ଆରମ୍ଭ ହେବା ପରେ ୫ଜି ହ୍ୟାଣ୍ଡସେଟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯିବ। ଆମେ ସର୍ବାଧିକ ମୋବାଇଲ ଉତ୍ପାଦନ କରୁଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛୁ। ଭାରତରେ ତିଆରି ହେଉଥିବା ୨୦ରୁ ୩୦% ମୋବାଇଲ ଏବେ ୫ଜି ନେଟୱର୍କକୁ ପରିଚାଳନା କରିପାରିବାର କ୍ଷମତା ରଖିଛି। ୫ଜି ମୋବାଇଲର ଦାମ ପ୍ରତି ବର୍ଷ ହ୍ରାସ ପାଉଛି। ପ୍ରାୟ ବର୍ଷକ ମଧ୍ୟରେ ସବୁ ଫୋନ ୫ଜି ହୋଇଯାଇଥିବ।”