ଡିଆରଏମଙ୍କ ଗୁଣୁପୁର ରେଳ ଷ୍ଟେସନ ପରିଦର୍ଶନ…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣୁପୁର)- ପୂର୍ବତଟ ରେଳବାଇ ଓଲଟିୟର ଡିଭିଜନ ର ଡିଆରଏମ୍ ଅନୁପ କୁମାର ଶତପଥୀ ଆଜି ଅପରାହ୍ନରେ ଗୁଣୁପୁର ରେଳ ଷ୍ଟେସନ ପରିଦର୍ଶନ କରିଥିଲେ । ଏହି ଅବସରରେ ଆନ୍ଧ୍ର ଓଡିଶା ରେଳ ବ୍ୟବହାରକାରୀ ସଙ୍ଗଠନ ପକ୍ଷରୁ ଡ଼ ସତ୍ୟପ୍ରକାଶ ପଣ୍ଡା ଶ୍ରୀ ଶତପଥୀଙ୍କୁ ସ୍ୱାଗତ କରିବା ସହ ଓଡ଼ିଶାର ସର୍ବ ପୁରାତନ ତଥା ଶତାୟୁ ନୌପଡା-ଗୁଣୁପୁର ରେଳପଥର ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା କରିବା ସହ ୧୬ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ବିଶେଷ କରି ଗୁଣୁପୁର ଷ୍ଟେସନ ର ପ୍ଲାଟଫର୍ମ ଉଚ୍ଚତା ବୃଦ୍ଧି, ଟିକେଟ ବୁକିଂ ବ୍ୟବସ୍ଥା, ଶୌଚାଳୟ, ପାନୀୟଜଳ ବ୍ୟବସ୍ଥା, ଫୁଟ ଓଭର ବ୍ରିଜ ନିର୍ମାଣ, ସୁରକ୍ଷା ବ୍ୟବସ୍ଥା, ଗୁଣୁପୁର ଠାରୁ ପଲାସା ରେଳ ପୁନଃ ଚଳାଚଳ, ଗୁଣୁପୁର ଠାରୁ ବିଜୟଓଡା, କଟକ-ପଲାସା ପାସେଞ୍ଜେର ଟ୍ରେନ କୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ଯଥା ସମ୍ଭବ ଅଧିକରୁ ଅଧିକ ଟ୍ରେନ ଏହି ରେଳପଥ ରେ ଚଳାଚଳ କରାଇବା ପ୍ରଭୃତି ରହିଛି । ଶ୍ରୀ ଶତପଥୀଙ୍କ ଏହି ପରିଦର୍ଶନ ଅବସରରେ ଗୁଣୁପୁର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

ରେଳ ବିଭାଗ ଜାଗା ଜବରଦଖଲ କାରୀଙ୍କୁ ଜଲଦି ଉଠା ଯିବ – ଡି ଆର ଏମ

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରେଳ ବିଭାଗ ର ବିଶାଖାପାଟଣା ଡି ଆର ଏମ 29 ତାରିଖ ଦିନ ଏକ ସ୍ୱତନ୍ତ୍ର ରେଳ ରେ ଗୁଣପୁର ପରିଦର୍ଶନ କୁ ଆସିଥିଲେ ।ପାରଳାଖେମୁଣ୍ଡି ଠାରୁ ଗୁଣପୁର ପର୍ଯ୍ୟନ୍ତ ସମସ୍ତ ଷ୍ଟେସନ ଗୁଡିକ ର ସ୍ଥିତି ଓ ଆବଶ୍ୟକତା ଗୁଡିକୁ ପଚାରି ବୁଝିଥିଲେ । ଗୁଣପୁର ପହଞ୍ଚିବା ପରେ ବୁଦ୍ଧିଜୀବୀ ମାନଙ୍କ ସହ ବିଭିନ୍ନ ବିଷୟ ଆଲୋଚନା କରିଥିଲେ । ଡି.ଆର .ଙ୍କ ଏହି ପରିଦର୍ଶନ ସମୟ ରେ ଅଞ୍ଚଳ ବାସିନ୍ଦା ଓ ବୁଦ୍ଧିଜୀବୀ ମାନେ ଗୁଣପୁର ରେଳ ବିଭାଗର ଜାଗା ଗୁଡିକୁ ଦୁର୍ବୁତ୍ତ ମାନଙ୍କ ଦ୍ଵାରା ଅକ୍ତିଆର କରି ଘର, ଦୋକାନ ଓ କୋଠା ବାଡ଼ି ନିର୍ମାଣ କରିଥିବା ବିଷୟ ଦୃଷ୍ଟି ଆକର୍ଷଣ କରିଥିଲେ । ରେଳ ବିଭାଗ ର ଇନ୍ସପେକ୍ଟର ଆଫ ୱାର୍କ ଏହି ସମସ୍ତ ବିଷୟ ତଦାରଖ କରିବା ନିୟମ ରହିଥିବା ବେଳେ ସେ କେମିତି ଏହାକୁ ଅଣଦେଖା କରିଲେ ବୋଲି କହି ଡି ଆର ଏମ ନିଜେ ସମସ୍ତ ରେଳ ବିଭାଗ ର ଜବରଦଖଲ ଜାଗା ଗୁଡିକୁ ବୁଲି ବୁଲି ଦେଖିଥିଲେ । ଅନେକ ସ୍ଥାନରେ ଜବର ଦଖଲ କାରୀ ମାନେ ଆବାସ, ବ୍ୟବସାୟ କେନ୍ଦ୍ର ଇତ୍ୟାଦି ନିର୍ମାଣ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ଯୁବ ସମାଜ ସେବୀ ତଥା ସାମ୍ବାଦିକ ଚିନ୍ମୟ ପାଣିଗ୍ରାହୀ ସମସ୍ତ ବିଷୟକୁ ରେଳ ବିଭାଗ ଅଧିକାରୀ ମାନଙ୍କୁ ବୁଝିଥିବା ବେଳେ ସାମାଜିକ କର୍ମୀ ଉମା ଦାଶ ଓ ବି ସତୀଶ କୁମାର ଏହି ସମ୍ପର୍କରେ ପୂର୍ବରୁ ବାରମ୍ବାର ଇନ୍ସପେକ୍ଟର ଅଫ ୱାର୍କ ଙ୍କୁ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଜଣାଇଥିଲେ । କ୍ଷେତ୍ର ପରିଦର୍ଶନ ପରେ ରେଳ ବିଭାଗ ର ଜାଗା କୁ ସାଧାରଣ ଜନତାଙ୍କ ଜବରଦଖଲ ,ନିର୍ମାଣ କୁ ଦେଖି ଇନ୍ସପେକ୍ଟର ଅଫ ୱାର୍କ ଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରି ତାଙ୍କୁ ନିଜ କାର୍ଯ୍ୟ ରୁ ନିଲମ୍ବିତ କରାଯିବ ବୋଲି କହିଥିଲେ । ରେଳ ବିଭାଗ ଯାଗା ଗୁଡିକୁ ଅନେକ ଜବରଦଖଲ କାରୀ ମାନେ ଜବର ଦଖଲ କରିଥିବା ବେଳେ କିଛି ଜବରଦଖଲ ନିଜର ଜାଗା କହି ବିକ୍ରି କରିଦେଇଥିବା ରେଳ କର୍ମଚାରୀ ମାନେ ଦେଖି ଏ ବିଷୟ ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଯାଇଛନ୍ତି । ରେଳ ବିଭାଗ ର ଏଭଳି ଅଚାନକ ପରିଦର୍ଶନ ଜବରଦଖଲ କାରୀ ଙ୍କ ମନରେ ଛନକା ପସେଇଦେଈଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ ପାଇଥିବା ହିତାଧିକାରୀଙ୍କ ବିତରେ ଭାଲେଣି ପଡ଼ିଯାଇଛି ।

ଗୋଟିଏ ମୁର୍ମୁଙ୍କୁ ମୋହରା କରି କୋଟିଏ ଆଦିବାସୀଙ୍କୁ ପ୍ରତାରଣା – କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ବରିଷ୍ଠ ବିଜେପି ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀତ୍ୱକୁ ନେଇ ରାଜ୍ୟରେ ଉଭୟ ବିଜେପି ଓ ବିଜେଡ଼ି ଯେଉଁ ମାଟି ଓ ପାର୍ଟି ରାଜନୀତି ଆରମ୍ଭ କରିଛନ୍ତି ତାକୁ କଂଗ୍ରେସ କଡ଼ା ନିନ୍ଦା କରିବା ସହ ସରଳ ଆଦିବାସୀଙ୍କ ଭାବାବେଗ ସଙ୍ଗେ ପ୍ରତାରଣା ନକରିବାକୁ ପରାମର୍ଶ ଦେଇଛି । ଗୋଟିଏ ମୁର୍ମୁଙ୍କୁ ମୋହରା କରି ଓଡ଼ିଶାରେ କୋଟିଏ ଆଦିବାସୀଙ୍କୁ ପ୍ରତରଣା କରାଯାଉଛି । ମୋଦି ସରକାର ଦୁଇବର୍ଷ ହେଲା ଆଦିବାସୀଙ୍କ କେନ୍ଦ୍ରୀୟ ଅନୁଦାନ ବନ୍ଦ କରିଥିବାବେଳେ ଏଠି ନବୀନ ପଟ୍ଟନାୟକ ସରକାର ୪ବର୍ଷ ହେଲା ଆଦିବାସୀ ଉପଦେଷ୍ଟ କାଉନସିଲ ଗଠନ କରୁନାହାନ୍ତି । ଏଥିରୁ ନବୀନ ଓ ମୋଦି ସରକାରର ଆଦିବାସୀଙ୍କ ପ୍ରତି ଦରଦ ଜଳଜଳ ହୋଇ ଜଣାପଡ଼ୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ଆବାହକ ସତ୍ୟପ୍ରକାଶ ନାୟକ ଉଭୟ ବିଜେପି ଏବଂ ବିଜେଡ଼ିକୁ ଆଦିବାସୀ ସ୍ୱାର୍ଥବିରୋଧି ଦଳ ଭାବରେ ଅଭିହିତ କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିଏକି ରାଜ୍ୟରେ ଆଦିବାସୀଙ୍କର ବିକାଶ ପାଇଁ ଉଦ୍ଦିଷ୍ଟ ଆଦିବାସୀ ଉପଦେଷ୍ଟା କାଉନସିଲର ଅଧ୍ୟକ୍ଷ ଥାଇ ମଧ୍ୟ ବିଗତ ୪ ବର୍ଷ ଭିତରେ ଥରୁଟିଏ ହେଲେ ବୈଠକ ଡାକିନାହାନ୍ତି ବା ଡାକିବାକୁ ଉପଯୁକ୍ତ ଭାବିନାହାନ୍ତି । ରାଷ୍ଟ୍ରପତି ନିର୍ବାଚନ ଏକ ରାଜନୈତିକ ପ୍ରକ୍ରିୟା ଏବଂ ଚଳିତ ନିର୍ବାଚନରେ ବିଜେପିର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡ଼ି ସମର୍ଥନ ଦେଉଛି। କିନ୍ତୁ ପାର୍ଟି ଓ ମାଟିର ନାରା ଦେଇ ରାଜ୍ୟର ଆଦିବାସୀଙ୍କ ସ୍ୱାର୍ଥ ରକ୍ଷାକୁ ଅଗ୍ରାଧିକାର ଦେବା ପରିବର୍ତ୍ତେ କଂଗ୍ରେସ ଉପରକୁ ଦୋଷ ଲଦିବା ଅତ୍ୟନ୍ତ ନିନ୍ଦନୀୟ । ପ୍ରାର୍ଥିତ୍ୱକୁ ନେଇ କଂଗ୍ରେସକୁ ଅଯାଚିତ ଉପଦେଶ ଦେଉଥିବା ବିଜେପି ରାଜ୍ୟର ଏକ କୋଟିରୁ ଊର୍ଦ୍ଧ୍ୱ ଆଦିବାସୀ ମାନଙ୍କର କଲ୍ୟାଣ ନିମନ୍ତେ ଆଦିବାସୀ ଉପଦେଷ୍ଟା କାଉନସିଲ(ଟିଏସି)ର ବିନା ଅନୁମତିରେ କୋଟି କୋଟି ଟଙ୍କା ବେଆଇନ ଭାବରେ ଖର୍ଚ୍ଚ କରାଯିବାକୁ ନେଇ କାହିଁକି ପ୍ରଶ୍ନ ଉଠାଇ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ପାଖରେ ଟିଏସି ଗଠନ ଏବଂ ଏହାର ତୁରନ୍ତ ବୈଠକ ଡାକିବା ପାଇଁ ଦାବି ରଖିବକି? ମାଟିର ପୁଅ ହିସାବରେ ମିଳିତ ବିରୋଧି ଦଳର ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ବିହାର ବିଜେପି ସମର୍ଥନ ଦେବକି? ଓଡ଼ିଶାରେ ୨୦୧୯ ମସିହା ପରଠାରୁ ଟିଏସି ବା ଆଦିବାସୀ ଉପଦେଷ୍ଟା ସମିତିର ଗଠନ କରାଯାଇ ନାହିଁ । ରାଜ୍ୟରେ ଏସଡିସି ବା ସ୍ପେଶାଲ ଡେଭଲପମେଂଟ କାଉନସିଲ ୯ଟି ଆଦିବାସୀ ଅଦ୍ୟୁଷିତ ଜିଲ୍ଲାରେ କାର୍ଯ୍ୟକରୁଥିବା ବେଳେ ଏହାର ଗଠନ ଏବଂ ପରିଚାଳନା ନେଇ ଟିଏସିର କୌଣସି ଅନୁମୋଦନ ନଥିବା ଅତ୍ୟନ୍ତ ପରିତାପର ବିଷୟ । ବିଗତ ୨୨ ବର୍ଷ ଭିତରେ ଓଡ଼ିଶାରେ ୪୪ଥର ଟିଏସିର ବୈଠକ ବସିବା କଥା ମାତ୍ର ୧୭ଥର ବୈଠକ ଅନୁଷ୍ଠିତ ହୋଇଛି । ଅର୍ଥାତ ୨୭ଟି ବୈଠକ ଏପର୍ଯ୍ୟନ୍ତ ବସିନାହିଁ । ରାଜ୍ୟରେ ଆଦିବାସୀଙ୍କ ସଂଖ୍ୟା ୨୨ ପ୍ରତିଶତ ଏବଂ ସର୍ବଭାରତୀୟ ସ୍ତରରେ ତୃତୀୟ ବୃହତ୍ତମ ହୋଇଥିବା ବେଳେ ବିଗତ ଦୁଇବର୍ଷ ଧରି କେନ୍ଦ୍ର ମୋଦି ସରକାରଙ୍କର ଆଦିବାସୀ ମାନଙ୍କ ନିମନ୍ତେ ଆସୁଥିବା ସ୍ୱତନ୍ତ୍ର ଅନୁଦାନକୁ ବନ୍ଦ କରି ରଖାଯିବା କାହା ସ୍ୱାର୍ଥରେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । କଳିଙ୍ଗ ନଗର ଆଦିବାସୀ ନରସଂହାର ଘଟଣା ସମୟରେ ବିଜେପି ବିଜେଡ଼ି ମେଂଟ ସରକାରରେ ମନ୍ତ୍ରୀ ଥିବା ଦ୍ରୌପଦୀ ମୁର୍ମୁ ବିଧାନସଭାରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରିନଥିଲେ କି ଏ ସଂପର୍କରେ ପାଟି ଖୋଲିନଥିଲେ । ବାସ୍ତବରେ ପାର୍ଟିର ଦ୍ୱାହି ଦେଇ ଉଭୟ କ୍ଷମତାରେ ଥିବା ବିଜେପି ଓ ବିଜେଡ଼ି ଏବେ ମାଟିକୁ ମାରା କରିଛନ୍ତି । ଓଡ଼ିଶାରେ ଜନସଂଖ୍ୟାର ୨୨ ପ୍ରତିଶତ ଆଦିବାସୀ ବିଗତ ୨୨ ବର୍ଷଧରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ଭଳି ଅନେକ କ୍ଷେତ୍ରରେ ପଛୁଆ ହୋଇ ରହିଛନ୍ତି । ଖୋଦ୍ ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ୨୨ ବର୍ଷଧରି ବିଜୁଳି ସଂଯୋଗ ନଥିବା ପ୍ରମାଣିତ କରୁଛି ଯେ ଉଭୟ ବିଜେପି ଓ ବିଜେଡି ଆଦିବାସୀଙ୍କ ସ୍ୱାର୍ଥକୁ ନେଇ କେତେ ଗମ୍ଭୀର । ତେଣୁ ଆଦିବାସୀଙ୍କ ହକ୍ ଓ ଅଧିକାର ପାଇଁ ପ୍ରଦେଶ କଂଗ୍ରେସ ସବୁବେଳେ ଲଢ଼େଇ ପାଇଁ ପ୍ରସ୍ତୁତ ରହିଛି ଏବଂ ଏ କ୍ଷେତ୍ରରେ ହୀନ ରାଜନୀତିକୁ ପ୍ରଶୟ ଦେବା ଉଚିତ ନୁହେଁ ବୋଲି ଶ୍ରୀ ନାୟକ କହିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥୀ, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ; ସଂଗଠନକୁ ବିସ୍ତାର ଓ ସୁଦୃଢ଼ କରିବ ବିଜେପି …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲୋଚନା ହେବା ସହ ଆଗାମୀ ଦିନରେ ବିଜେପିର ରୋଡ୍‌ମ୍ୟାପକୁ ନେଇ ବ୍ୟାପକ ଆଲୋଚନା ହୋଇଛି। ସଂଗଠନକୁ ବୁଥସ୍ତରରୁ ସୁଦୃଢ଼ ଓ ବିସ୍ତାର କରିବା ପାଇଁ ଯୋଜନା ସମ୍ପର୍କରେ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ଅବଗତ କରାଯାଇଛି । ଏହାସହିତ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି । ଏହାସହିତ ରାଜନୀତିକ ଓ ସାମାଜିକ ଚିଠା ପ୍ରସ୍ତାବ ଉପରେ ଆଲୋଚନା ହୋଇ ଏହା ପାରିତ ହୋଇଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକ ସମ୍ପର୍କରେ ସୂଚନା ଦେଇ ଦଳର ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଥିଲେ ଯେ, ଓଡ଼ିଶାର ବିକାଶ ବିନା ଭାରତର ବିକାଶ ଯେ ଅସମ୍ଭବ, ସେହି ଅର୍ଥନୈତିକ ଦର୍ଶନରେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱାସ କରୁଥିବା ତାଙ୍କ ଶାସନ କାଳରେ ସେ ବାରମ୍ବାର ପ୍ରମାଣିତ କରିଛନ୍ତି । ବିଭିନ୍ନ କେନ୍ଦ୍ରୀୟ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ପ୍ରଚୁର ପରିମାଣର ଅର୍ଥ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ, ଉଜ୍ୱଳା, ସ୍ୱଚ୍ଛ ଭାରତ, ହରଘର ନଲ ପେଜଲ୍ , ଗରିବ କଲ୍ୟାଣ ଅନ୍ନ ଯୋଜନା, ଏଲଇଡି ବଲବ ବଂଟନ, କିଷାନ ସମ୍ମାନନିଧି , ପ୍ରଧାନମନ୍ତ୍ରୀ ଫସଲବୀମା, ଏମଏସପି , ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆଦିରେ ଓଡ଼ିଶାର ଲୋକେ ଉପକୃତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୟରେ ରାଜ୍ୟରେ ୮ଟି ମେଡିକାଲ କଲେଜ, ଆଇଜର, ନାଇଜର ଓ ଆଇଆଇଏମ ପ୍ରତିଷ୍ଠା ହୋଇଛି । ରେଳ ବିଭାଗ ପାଇଁ ରାଜ୍ୟର ଦାବିଠାରୁ ଅଧିକ ଅର୍ଥରାଶି ମଞ୍ଜୁର କରାଯାଇଛି। ଏସବୁ ସତ୍ୱେ ମୋଦି ପଠାଉଥିବା ସାହାଯ୍ୟ ଓ ସହାୟତାରୁ ରାଜ୍ୟବାସୀ ଯେପରି ବଂଚିତ ନହୁଅନ୍ତି ସେ ସମ୍ପର୍କରେ ବ୍ୟାପକ ଖସଡ଼ା ପ୍ରସ୍ତୁତ ପାଇଁ ଆଜିର ବୈଠକରେ ଆଲୋଚନା ହୋଇଛି। ରାଜନୈତିକ ଚିଠା ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ କହିଥିଲେ । ଜନଆନ୍ଦୋଳନ ଚାପରେ ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀ ମଣ୍ଡଳରୁ ୪ଜଣ ମନ୍ତ୍ରୀଙ୍କୁ ବିଦା କରି ତାଙ୍କୁ ସୁରକ୍ଷା ଦେଉଥିବାବେଳେ ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବା ପାଇଁ କାର୍ଯ୍ୟକାରିଣୀ ଦାବି କରିଛି । “ମହାନଦୀ ମହାନାଟକ” ଓ ବିଜୁ ଜନତା ଦଳର କୁମ୍ଭୀର କାନ୍ଦଣା ୨୦୧୯ ନିର୍ବାଚନ ପରେ ବଳ ହୋଇଯାଇଛି। ଦୁର୍ନୀତି ଚରମ ସୀମାରେ ପହଂଚିଛି । ପଂଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ବ୍ୟାପକ ମାତ୍ରାରେ ଦୁର୍ନୀତି ଚାଲିଛି । ବିକାଶ ପାଇଁ ଆସୁଥିବା ବ୍ୟାପକ କେନ୍ଦ୍ରୀୟ ଅନୁଦାନକୁ ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନେ ଲୁଟି ଖାଉଛନ୍ତି। ସେହିପରି ବିଜୁଳି ସମସ୍ୟା, ଧ୍ୱଂସାଭିମୁଖୀ ଶିକ୍ଷା ବ୍ୟବସ୍ଥା, କୁପୋଷଣ, ଲଘୁ ଖଣିଜ ଚୋରୀ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟବସ୍ଥା, ମହାନଦୀ ସମେତ ଅନ୍ୟାନ୍ୟ ନଦୀ ସମସ୍ୟା, ଓବିସି ବର୍ଗଙ୍କୁ ବିଶ୍ୱାସଘାତକତା, ନିଯୁକ୍ତି, ଶ୍ରମିକ ସମସ୍ୟା, ବାଟବଣା ହୋଇଥିବା ମହିଳା ସଶକ୍ତିକରଣ, ଅଚଳାବସ୍ଥାରେ ପରିଣତ ହୋଇଥିବା ରାଜ୍ୟର ସମବାୟ ସଂସ୍ଥା ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କାର୍ଯ୍ୟକାରିଣୀରେ ଅସନ୍ତୋଷ ପ୍ରକାଶ ପାଇଥିଲା।

କେଉଁ ପଇସାରେ ନବୀନ ପଟ୍ଟନାୟକ ଇଟାଲୀ ଯାଇଥିଲେ ?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ପଇସାରେ ଇଟାଲୀ ଗସ୍ତରେ ଯାଇଥିଲେ। ଯଦି ସରକାରୀ ପଇସାରେ ଯାଇଥିଲେ, ତାହାହେଲେ କ’ଣ କରିବାକୁ ଯାଇଥିଲେ? କ’ଣ ଉପଲବ୍ଧି କଲେ? ମୁଖ୍ୟମନ୍ତ୍ରୀ ଇଟାଲୀ ଯିବାର ୭ ଦିନ ପରେ ଆଜି ଏହି ପ୍ରଶ୍ନ ପଚାରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଜୟନାରାୟଣ କହିଛନ୍ତି, ଲାଇନ୍‌ରେ ଛିଡ଼ା ହୋଇ ପୋପ୍‌ଙ୍କୁ ଭେଟିବାର କ’ଣ ଆବଶ୍ୟକତା ଥିଲା? ନବୀନବାବୁ କେବେ ତ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ନାହାନ୍ତି। ଆଉ ଓଡ଼ିଶାକୁ ଯଦି ଖ୍ରୀଷ୍ଟିଆନ ରାଜ୍ୟରେ ପରିଣତ କରିବାକୁ ନବୀନ ପଟ୍ଟନାୟକ ଚାହୁଁଛନ୍ତି, ତାହାହେଲେ ଆମେ ତାକୁ ଘୋର ବିରୋଧ କରିବୁ। ନବୀନ ପଟ୍ଟନାୟକ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ବ୍ୟାହତ କରିବାକୁ ଚେଷ୍ଟା କଲେ ବିରୋଧ କରିବୁ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଓଡ଼ିଶାକୁ ଖ୍ରୀଷ୍ଟିଆନ୍‌ ରାଜ୍ୟରେ ପରିଣତ କରିବାକୁ ନବୀନ ଚାହୁଁଛନ୍ତି ବୋଲି କେମିତି ଜାଣିଲେ ପ୍ରଶ୍ନରେ ଜୟନାରାୟଣ କହିଛନ୍ତି, ପୋପ୍‌ଙ୍କୁ ଭେଟିବାକୁ କାହିଁକି ଯାଇଥିଲେ? ପୋପ୍‌ଙ୍କ ସହିତ ତାଙ୍କର ସମ୍ପର୍କ କ’ଣ? ପୋପ୍‌ କୌଣସି ନ୍ୟାସନାଲ୍‌ ଲିଡର ନୁହଁନ୍ତି। ସେ ଲାଇନ୍‌ରେ ଛିଡ଼ା ହୋଇ ପୋପ୍‌ଙ୍କୁ ଭେଟିଛନ୍ତି। ପୋପ୍‌ଙ୍କୁ କ’ଣ ପାଇଁ ଭେଟିବାକୁ ଚାହିଁଥିଲେ? ଓଡ଼ିଶାର ବାସିନ୍ଦା ତଥା ବିରୋଧୀ ଦଳ ବିଧାୟକ ହିସାବରେ ସେ କଥା ଆମେ ଜାଣିବାକୁ ଚାହୁଁଛୁ। କାରଣ ସେ ସରକାରୀ ପଇସାରେ ଇଟାଲୀ ଯାଇଥିଲେ। ଏହି ପ୍ରସଙ୍ଗ ବିଧାନ ସଭାରେ ଉଠିବ। ତାଙ୍କର ଯଦି ଧର୍ମ ଉପରେ ଏତେ ବିଶ୍ୱାସ ରହିଛି, ତାହାହେଲେ କାହିଁତ ଦିନେ ଶଙ୍କରାଚାର୍ଯ୍ୟଙ୍କୁ ଦେଖା କରିବାକୁ ଗଲେନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ତାରିଖରୁ ୧୦ ଦିନିଆ ବିଦେଶ ଗସ୍ତରେ ଯାଇଥିଲେ। ସେ ଇଟାଲୀର ରୋମରେ ୬ଦିନ ରହିଥିଲେ। ଜୁନ୍ ୨୨ ତାରିଖରେ ଭାଟିକାନସିଟିରେ ପୋପ୍ ଫ୍ରାନ୍ସିସଙ୍କୁ ଭେଟିଥିଲେ। ପୋପ୍‌ଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୪୦ ମିନିଟ୍ ଧରି ଖରାରେ ବସିବାକୁ ପଡ଼ିଥିଲେ। ତା’ପରେ ଧାଡ଼ିରେ ଯାଇ ପୋପ୍‌ଙ୍କୁ ଭେଟିଥିଲେ। ସେହିପରି ଜୁନ୍‌ ୨୪ ତାରିଖରେ ‘ୟୁଏନ୍ ୱାଲର୍ଡ ଫୁଡ୍ ପ୍ରୋଗ୍ରାମ(ୟୁଏନଡବ୍ଲ୍ୟୁଏଫପି)’ର ରୋମସ୍ଥିତ ମୁଖ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିନିଧି ଦଳ ସହ ଗସ୍ତ କରି ‘ଓଡ଼ିଶା ଖାଦ୍ୟ ସୁରକ୍ଷା ମଡେଲ’ ଓ ସଫଳତା ସମ୍ପର୍କରେ ୟୁଏନଡବ୍ଲ୍ୟୁଏଫପି ମୁଖ୍ୟ ଡେଭିଡ୍ ବାସଲେଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ସରକାରୀ ବୋଲି ଦର୍ଶା ଯାଇଛି।

କଟକରେ ମାସ୍କ ବାଧ୍ୟତାମୂଳକ…!

ଏଥର ସମ୍ଭାଳ ବ୍ୟୁରୋ(କଟକ)- ଭୁବନେଶ୍ୱର ପରେ କଟକରେ ମାସ୍କ ବାଧ୍ୟତାମୂଳକ ହୋଇଛି। ଆଜି ଏହି ନିର୍ଦ୍ଦେଶନାମା ବାହାରିଛି। କଟକ ସହରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ସିଏମ୍‌ସି(କଟକ ମହାନଗର ନିଗମ)। କୋଭିଡ଼ ସଂକ୍ରମଣ ବଢ଼ୁଥିବାରୁ ଏହାର ନିମନ୍ତ୍ରଣ ନିମନ୍ତେ ଏଭଳି କଟକଣା କଡ଼ା କରିଛି ପ୍ରଶାସନ। କଟକରେ ରହୁଥିବା ଲୋକ ଓ କଟକକୁ ଆସୁଥିବା ଲୋକ ମାସ୍କ ପିନ୍ଧିବେ। ବାହାରକୁ କିମ୍ବା ସର୍ବସାଧାରଣ ସ୍ଥାନକୁ ଯାଉଥିବା ଲୋକେ ମାସ୍କ ପିନ୍ଧିବା ଜରୁରୀ କରାଯାଇଛି। ସର୍ବସାଧାରଣ ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତି ଅନ୍ୟମାନଙ୍କ ଠାରୁ ୨ ମିଟର ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ବି ନିର୍ଦ୍ଦେଶ ଜାରି ହୋଇଛି। ସେହିପରି ମଲ୍, ଦୋକାନମାନଙ୍କରେ ଲୋକେ ଯେପରି ମାସ୍କ ପନ୍ଧିବେ ଓ ସାମାଜିକ ଦୂରତ୍ୱ ରଖିବେ ତାହାର ଦାୟିତ୍ୱ ସମ୍ପୃକ୍ତ ଅନୁଷ୍ଠାନ ମାଲିକଙ୍କ ଉପରେ ଦିଆଯାଇଛି। କଟକଣା ପାଳନ ହେଉ ନ ଥିବା ଧରାପଡ଼ିଲେ ସମ୍ପୃକ୍ତ ପ୍ରତିଷ୍ଠାନର କର୍ତ୍ତୃପକ୍ଷ ବା ମାଲିକ ଦାୟୀ ରହିବେ। ସରକାରୀ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିକରେ କର୍ମଚାରୀମାନେ ଯେପରି କଟକଣା ପାଳନ କରିବେ ସେଥିନିମନ୍ତେ ସମ୍ପୃକ୍ତ କର୍ତ୍ତୃପକ୍ଷ ଉପଯୁକ୍ତ ପଦକ୍ଷେପ ନେବାକୁ କୁହାଯାଇଛି।  ଛିଙ୍କିବା ଓ କାସିବା ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। କେହି ଏହାର ଉଲ୍ଲଂଘନ କଲେ କରୋନା ସଂକ୍ରମଣ ନିୟନ୍ତ୍ରଣ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିଏମ୍‌ସି ପକ୍ଷରୁ ଚେତାବନୀ ଦିଆଯାଇଛି।

 

ବାରିପଦା ଓ କେନ୍ଦ୍ରାପଡ଼ାରେ ଆଜି ଗଡ଼ିବ ରଥ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଗତକାଲି ପୁରୀରେ ଲକ୍ଷାଧୀକ ଭକ୍ତଙ୍କ ଗହଳିରେ ରଥ ଗଡ଼ି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିବା ବେଳେ ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଓ  ତୁଳସୀକ୍ଷେତ୍ରର କେନ୍ଦ୍ରାପଡ଼ାରେ ଗଡ଼ିବ ରଥ । ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀର ଗୁଣ୍ଡିଚା ଯାତ୍ରା ଦିନ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ତିନି ଠାକୁରଙ୍କ ପହଣ୍ଡି କରା ଯାଇଥାଏ।  ପୁରୀ ରଥ ଯାତ୍ରାର ପର  ଦୁଇ ଦିନ ଧରି ବାରିପଦାରେ ରଥ ଟଣାଯାଇଥାଏ। ତେଣୁ ବାରିପଦାରେ ଗତକାଲି ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିବା ବେଳେ ଆଜି ହେବ ରଥଟଣା । ଗତକାଲି ପରିଛାଙ୍କ ଦ୍ଵାରା ଛେରାପହଁରା ସେବା ପରେ ତିନି ଠାକୁରଙ୍କ ଗୋଟି ପହଣ୍ଡି କରାଯାଇ ରଥ ଉପରକୁ ଅଣା ଯାଇଥିଲା। ଶହ ଶହ ଭକ୍ତଙ୍କ ଗହଳି ଭିତରେ ରଥାରୂଢ଼ ହୋଇଥିଲେ  ଚତୁର୍ଦ୍ଧାମୂର୍ତ୍ତି। ଆଜି ଭକ୍ତମାନେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥକୁ ମାଉସୀ ମା’ ମନ୍ଦିର ଯାଏଁ ଟାଣି ନେବେ । ଏହାପରେ କେବଳ ମହିଳାମାନେ ଦେବୀ ସୁଭଦ୍ରାଙ୍କ ରଥ ଅଧାବାଟ ଯାଏଁ ଟାଣି ନେବେ ।  ଆସନ୍ତାକାଲି ପୁଣି ସୁଭଦ୍ରାଙ୍କ ରଥ ଟଣା ହେବ ଏବଂ ପରେ ଜଗନ୍ନାଥଙ୍କ ରଥ ଟଣା ଯିବ । ବାରିପଦାରେ ପୁରୀ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣି ନେଇଥାନ୍ତି।  କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ପରେ ବାରିପଦାରେ ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ଆୟୋଜିତ ହେଉଛି  । ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ମଧ୍ୟ ଆଜି ଅନୁଷ୍ଠିତ ହେବ ରଥଯାତ୍ରା  । ରୀତିନୀତି ଅନୁଯାୟୀ ଗତକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଛି  । ପରମ୍ପରା ଅନୁଯାୟୀ ରଥକୁ କିଛି ବାଟ ଟଣାଯାଇ ଦେବୋତ୍ତର ବିଭାଗ ଓ ରଘୁନାଥଜୀଉ ମଠ ପାଖରେ ବ୍ରହ୍ମତାଳଧ୍ୱଜ ରଥ ଅଟକିଛି ।  ଆଜି ନୀତିକାନ୍ତି ପରେ ଆରମ୍ଭ ହେବ ରଥଟଣା । ତୁଳସୀକ୍ଷେତ୍ରର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରେ ରଥଯାତ୍ରା ନିମନ୍ତେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି।

ଶରଧା ବାଲିରେ ଶ୍ରୀଜୀଉ, ଆଜି ହେବ ଆଡ଼ପ ମଣ୍ଡପ ବିଜେ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର/ପୁରୀ)- ଆଜି ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଗତକାଲିଠୁ ଶରଧା ବାଲିରେ ପହଞ୍ଚିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଶ୍ରୀଜୀଉ । ଗତକାଲି ସନ୍ଧ୍ୟା ପୂର୍ବରୁ ଗୁଣ୍ଡିଚା ମନ୍ଦିର ସାମ୍ନା ଶରଧାବାଲିରେ ଲାଗିଥିଲା ତିନି ରଥ । ରଥ ଉପରେ ବିରାଜମାନ ଅଛନ୍ତି ଶ୍ରୀଜିଉ । ସେହି ରଥ ଉପରେ ହିଁ ଠାକୁରମାନଙ୍କ ଦୈନ୍ୟଦିନ ନୀତିକାନ୍ତି ଓ ଭୋଗ ଲାଗି ହେଉଛି । ରଥ ଉପରେ ସନ୍ଧ୍ୟା ଧୂପ ସରିବା ପରେ ଶ୍ରୀଜିଉମାନଙ୍କୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିରକୁ ନିଆଯିବ । ଆସନ୍ତା କାଲିଠୁ ମିଳିବ ଆଡ଼ପ ଅବଢ଼ା । ତାସହ ଜନ୍ମବେଦୀରେ ଠାକୁରଙ୍କ ଦର୍ଶନ କରିବାକୁ ଭକ୍ତଙ୍କୁ ସୁଯୋଗ ମିଳିବ । ଗତକାଲି ରଥ ଟାଣିବାର ସୁଯୋଗ ପାଇନଥିବା ଭକ୍ତମାନେ ଆଜି ରଥାରୁଢ଼ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି । ଶ୍ରୀଜିଉମାନେ ରଥାରୁଢ଼ ଥିବାରୁ ଶ୍ରଦ୍ଧାଳୁଙ୍କୁ ରଥ ଛୁଇଁବାକୁ ଅନୁମତି ଦିଆଯାଉନାହିଁ । ଦୀର୍ଘ ଦୁଇ ବର୍ଷ ପରେ ପ୍ରତ୍ୟକ୍ଷ ଭାବେ ଭକ୍ତମାନେ ରଥଯାତ୍ରାରେ ସାମିଲ ହେବାର ସୁଯୋଗ ପାଇ ବେଶ୍‌ ଖୁସି ଅଛନ୍ତି। ସେପଟେ ଆଜି ରୂପା ଛାଉଣୀ ହେବ ଶ୍ରୀମନ୍ଦିର କଳାହାଟ ଦ୍ୱାର । ଶ୍ରୀଜିଉମାନେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବା ପରେ ଗତକାଲି କଳାହାଟ ଦ୍ୱାରର ଫ୍ରେମ୍ ଶ୍ରୀମନ୍ଦିର ବାହାରକୁ ଯାଇଛି । ନୂଆ ଫ୍ରେମକୁ ନିଳାଦ୍ରୀ ଭକ୍ତ ନିବାସ ପରିସରରେ ତିଆରି କରାଯାଇଛି । ଜିଲ୍ଲା କୋଷାଗାରରେ ରଖାଯାଇଥିବା ୫୦୦ କେଜି ରୂପାକୁ ଅଣାଯାଇଥିଲା । ବର୍ମାଟିକ କାଠ ଉପରେ ଉତ୍କଳୀୟ ଢାଞ୍ଚାରେ କାରୁକାର୍ଯ୍ୟ ହୋଇଛି, ଯାହାକି ଆଜି କଳାହାଟ ଦ୍ୱାରରେ ଲଗାଯିବ । ପୂର୍ବରୁ ଶ୍ରୀମନ୍ଦିରର ୮ଟି ଦ୍ୱାରକୁ ରୂପାଛାଉଣୀ କରାଯାଇଥିଲା । ଦୀର୍ଘ ୨ ବର୍ଷରେ  ରଥଯାତ୍ରାରେ ସାମିଲ ହେବାକୁ ଭକ୍ତଙ୍କୁ ଅନୁମତି ମିଳିଥିବାରୁ ଗତକାଲି ଲୋକାରଣ୍ୟ ହୋଇ ଯାଇଥିଲା ବଡ଼ଦାଣ୍ଡ। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶ୍ରୀକ୍ଷେତ୍ର। ଭୋର ୩ଟାରୁ ମଙ୍ଗଳ ଆଳତି ସରିବା ପରେ ସକାଳ ୬ଟା ୧୫ରେ ପହଣ୍ଡି ଆରମ୍ଭ ଓ ମଧ୍ୟାହ୍ନ ୧୨ଟା ୩୫ରେ ରଥ ଭିଡ଼ା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟା ବେଳକୁ ସମସ୍ତ ୩ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିଲା। ରଥଯାତ୍ରାରେ ସାମିଲ ହେବା ନିମନ୍ତେ ପୁରୀରେ ୭ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

ଆଜିଠୁ ମୌସୁମୀ ଅଧିବେଶନ, ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ୍…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ଏଥର ହୁଲସ୍ତୁଲ ହେବ ଗୃହ।  ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ଆଜି ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି,  ହାତୀ ମୃତ୍ୟୁ, ଚାଷୀ ସମସ୍ୟା, ସବୁ ସ୍ତରରେ ଦୁର୍ନୀତି ହେଉଥିବା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ଧାନର ଅଭାବି ବିକ୍ରି , ଅଗ୍ନିବୀର ଯୋଜନା, ବେକାରୀ ସମସ୍ୟା, ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଅନ୍ତରୀଣ ବେଲ୍ ଆଦି ପ୍ରସଙ୍ଗ ଗୃହରେ ଉଠାଇବ କଂଗ୍ରେସ । ଅନ୍ୟପଟେ ସବୁ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଥିବା କହିଛି ବିଜେଡି । ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୭ ତାରିଖ ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୩ରୁ ଆରମ୍ଭ ହୋଇ ଅଗଷ୍ଟ ୪ରେ ଶେଷ ହେବ ।ଚଳିତ ବଜେଟ୍ ଅଧିବେଶନରେ ସମୁଦାୟ ୨୪ଟି କାର୍ଯ୍ୟଦିବସ ରହିଛି । ମୌସୁମୀ ଅଧିବେଶନରେ ଗୃହ ପ୍ରତ୍ୟେକ ଦିନ ୬ ଘଣ୍ଟା ଚାଲିବ । ଅପରାହ୍ନରେ ଅଧିବେଶନ ୪ଟାରୁ ସନ୍ଧ୍ୟା ୭ଟା ଯାଏ କରିବାକୁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି  ।

ରେଞ୍ଜ ଅଫିସ୍‌ରେ ବସି ମଦ ପିଉଛନ୍ତି ବନ ଅଧିକାରୀ…!

ଏଥର ସମ୍ଭାଳ ବ୍ୟୁରୋ(ମୟୂରଭଞ୍ଜ)- ରେଞ୍ଜ ଅଫିସ୍‌ରେ ବସି ମଦ ପିଉଛନ୍ତି ବନ ଅଧିକାରୀ! ଯାହାର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ। ରାଜ୍ୟରେ ହାତୀ ଶିକାରକୁ ନେଇ ବନ ବିଭାଗ ବିବାଦରେ ଫସିଥିବା ବେଳେ ରେଞ୍ଜ ଅଧିକାରୀଙ୍କ ମଦ ପିଇବା ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ବଢ଼ିଛି। ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି ନିଜ ଅଫିସ୍‌ରେ ବସି ମଦ ପିଉଛନ୍ତି! ମଦ ପିଇବା ସମୟରେ ସେ ସାଦା ପୋଷାକରେ ଥିବା ଦେଖିବାକୁ ମିଳିଛି। ଯାହାର ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ତେବେ ଏହି ଭିଡିଓଟି କେବେକାର, ତାହା ଜଣାପଡ଼ି ନାହିଁ। ଏନେଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣାର ତଦନ୍ତ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପଟେ ବୁଧବାର ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟି ଗଣମାଧ୍ୟମ ପ୍ରତିନିଧିଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ହାତୀ ଆକ୍ରମଣରେ ମୃତ ଜଣେ ଯୁବକଙ୍କ ପରିବାରକୁ କେବେ କ୍ଷତିପୂରଣ ମିଳିବ ପ୍ରଶ୍ନରେ ରାଗିଯାଇଥିଲେ ମାତାଲ୍‌ ଅବସ୍ଥାରେ ଥିବା ଶ୍ରୀ ପୃଷ୍ଟି। ଆଉ ମନଇଚ୍ଛା ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଭଦ୍ର ଭାଷାରେ ଗାଳି ଦେଇଥିବା ଅଭିଯୋଗ ହୋଇଛି। ନିଶାସକ୍ତ ଅବସ୍ଥାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିବା ଖବର ପ୍ରଚାରିତ ହେବା ପରେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ରେଞ୍ଜର ପ୍ରଦୀପ କୁମାର ପୃଷ୍ଟିଙ୍କୁ କୈଫିୟତ ତଲବ କରିଛନ୍ତି। ତିନି ଦିନ ମଧ୍ୟରେ ଲିଖିତ ଭାବେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।