କାଶୀପୁରରେ ଆଖି ବୁଜିଲେ ଆଉ ଜଣେ ହଇଜା ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୮ ଛୁଇଁଲା

ଏଥର ସମ୍ଭାଳ ବ୍ୟୁରୋ – (କାଶୀପୁର) ରାୟଗଡ଼ା ଜିଲ୍ଲା କାଶୀପୁରରେ ଝାଡ଼ାବାନ୍ତି ସ୍ଥିତି ଉଦବେଗଜନକ ରହିଛି। ପ୍ରଶାସନର ବହୁ ଚେଷ୍ଟା ସତ୍ତ୍ୱେ ପୁଣି ଜଣେ ଝାଡ଼ାବାନ୍ତି ଆକ୍ରାନ୍ତ ଆଖି ବୁଜିଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି। ମୃତକ ହେଲେ ଅର୍ଜୁନ ଜାନି । ତାଙ୍କ ଘର ଦୁଡ଼ୁକାବାହାଲ ପଞ୍ଚାୟତ ଡେଙ୍ଗାଗୁଡ଼ାରେ । କାଶୀପୁର ସ୍ଥିତିକୁ ନେଇ ଗୃହ ସରଗରମ ରହୁଥିବା ବେଳେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ ଉକ୍ତ ବ୍ଲକକୁ ଯିବାର କାର୍ଯ୍ୟକ୍ରମ ରହିଛି।ଗତ ୧୮ ତାରିଖରେ ହଇଜାରେ ଆକ୍ରାନ୍ତ ହୋଇଥିବା ଅର୍ଜୁନ ଚିକିତ୍ସିତ ପରେ ଘରକୁ ଫେରିଥିଲେ। ଏହାପରେ ପୁଣି ଥରେ ତାଙ୍କ ନିକଟରେ ସମାନ ଲକ୍ଷଣ ଦେଖାଯାଇଥିବା ବେଳେ ଆଜି ସକାଳେ ସେ ଆଖି ବୁଜିଛନ୍ତି। ଝାଡ଼ାବାନ୍ତି ଯୋଗୁ  ଅର୍ଜୁନଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଥିବା ବେଳେ  ପ୍ରଶାସନ ପକ୍ଷରୁ ଏ ନେଇ କିନ୍ତୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଦୂଷିତ ଝରଣା ପାଣି ହିଁ ରାୟଗଡ଼ା ଜିଲ୍ଲାର କାଶୀପୁରରେ ବ୍ୟାପିଥିବା ଝାଡ଼ାବାନ୍ତିର କାରଣ । ସେଠାରେ ଭିବ୍ରିଓ କଲେରା ବିଜାଣୁ ଠାବ ହୋଇଥିବା ବେଳେ ଏହାର ମୂଳ ସଂକ୍ରମଣ ପାଣି ଉତ୍ସରୁ ହିଁ ଆରମ୍ଭ ହୋଇଛି ବୋଲି କହିସାରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଏହାସତ୍ତ୍ୱେ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଣ ପାଇଁ ପ୍ରଶାସନ ପକ୍ଷରୁ ସେପରି ତତ୍ପରତା ପ୍ରକାଶ ପାଉ ନ ଥିବା ଅଭିଯୋଗ ହେଉଛି। ଏବେ ପ୍ରଶାସନ ପକ୍ଷରୁ କାଶୀପୁର ବ୍ଲକର ବିଭିନ୍ନ ଗ୍ରାମକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଇ ହେଉଥିଲେ ବି ତାହା ପର୍ଯ୍ୟାପ୍ତ ହେଉ ନାହିଁ । ଫଳରେ ଲୋକେ ପୁଣି ଥରେ ଝରଣାର ଦୂଷିତ ଜଳ ସଂଗ୍ରହ କରି ବ୍ୟବହାର କରୁଛନ୍ତି। ଏହାବାଦ କାଶୀପୁର ବ୍ଲକରେ ହଇଜା ବ୍ୟାପିଥିବା ବେଳେ ପ୍ରଶାସନ ପକ୍ଷରୁ ଉକ୍ତ ବ୍ଲକର ଟିକିରିରୁ ହିଁ ବୋରୱେଲରୁ ପାଣି ସଂଗ୍ରହ କରି ଟ୍ୟାଙ୍କର ଯୋଗେ ଲୋକଙ୍କୁ ଦିଆଯାଉଛି। ମାତ୍ର ତାହା କେତେ ବିଶୁଦ୍ଧ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିଥିବାରୁ ପୁଣି ଉକ୍ତ ଅଞ୍ଚଳରୁ ଜଳ ସଂଗ୍ରହ କରି ଲୋକଙ୍କୁ ଦେଲେ ଏହି ଚେନ୍‌ କିପରି ବ୍ରେକ୍‌ କରିବ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହଇଜା ଆକ୍ରାନ୍ତଙ୍କ ସଂଖ୍ୟାକୁ ନିୟନ୍ତ୍ରଣକୁ ଆଣିବାକୁ  କାଶୀପୁରରେ ୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି ।  ଗାଁକୁ ଗାଁ ବୁଲୁଛନ୍ତି ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀ । ମେଡ଼ିକାଲ୍ ଟିମ୍ ବି ମୁତୟନ ହୋଇଛନ୍ତି । ଏହାସତ୍ତ୍ୱେ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଯୋଗୁ ଲୋକେ ଛାନିଆ ହୋଇ ପଡ଼ିଛନ୍ତି।

ଆହୁରି ୩ ଦିନ ବର୍ଷିବ, ଆଜି ପାଇଁ ୮ଜିଲ୍ଲାକୁ ଅରେଞ୍ଜ ଓ ୭ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଏଥର ସମ୍ଭାଳ ବ୍ୟୁରୋ – ରାଜ୍ୟରେ ସକ୍ରିୟ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ତେବେ ଆଜି ରାଜ୍ୟର ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଓ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ  ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନ ଦିଆଯାଇଛି।ଏସ୍‌ଆରସିଙ୍କ ସୂଚନା ଅନୁସାରେ, ରାଜ୍ୟରେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।  ସେହିପରି ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେ ଜିଲ୍ଲାଗୁଡ଼ିକ ହେଲା କନ୍ଧମାଳ, ନୟାଗଡ଼, ଢେଙ୍କାନାଳ, ଅନୁଗୋଳ, ସମ୍ବଳପୁର, ଦେବଗଡ଼ ଓ କେନ୍ଦୁଝର। ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ୨୫ତାରିଖ ବେଳକୁ ବର୍ଷା ପରିମାଣ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଲଗାଣ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଷ୍ଟ୍ରମୁଖ୍ୟଙ୍କ ଭାଗ୍ୟ ବାଲଟ୍ ବକ୍ସରେ ସିଲ୍, ୨୧ରେ ଖୋଲିବ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ) – କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି? ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା? ବାଲଟ୍ ବକ୍ସରେ ସିଲ୍ ହୋଇଛି ଦୁଇ ପ୍ରାର୍ଥୀଙ୍କ ଭାଗ୍ୟ।  ଆଜି ସଂସଦରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ମତଦାନ କରିଛନ୍ତି । ଏଥିସହ ନିଜ ନିଜ ରାଜ୍ୟର ବିଧାନସଭାରେ  ମୁଖ୍ୟମନ୍ତ୍ରୀ ମାନେ ଦେଇଛନ୍ତି ଭୋଟ୍। ଜୁଲାଇ ୨୧ ତାରିଖରେ ଭୋଟ୍ ଗଣତି  ହେବ ଏବଂ ୨୫ରେ ଶପଥ ନେବେ ନୂଆ ରାଷ୍ଟ୍ରପତି। ସକାଳ ପ୍ରାୟ ୧୦ଟା ପାର୍ଲାମେଂଟର ୬୩ ନମ୍ବର ରୁମରେ  ଆରମ୍ଭ ହୋଇଥିଲା ମତଦାନ ପ୍ରକ୍ରିୟା। ସଂସଦ ଭବନରେ ପହଁଚି ମତଦାନ  କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରେ ପରେ ବିଭିନ୍ନ ମନ୍ତ୍ରୀ, ସାଂସଦ  ଏବଂ କିଛି ବିଧାୟକ ଦେଇଥିଲେ ଭୋଟ୍ । ଦେଶର ପଂଚଦଶ ରାଷ୍ଟ୍ରପତି  ଚୟନରେ ସାମିଲ କରିଥିଲେ ନିଜକୁ।  ଅସୁସ୍ଥ ଥିବାରୁ ହ୍ୱିଲ ଚେୟାରରେ  ପହଁଚିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ମନମୋହନ  ସିଂହ। ମୁଲାୟମ ସିଂହ ମଧ୍ୟ ହ୍ୱିଲଚେୟାରରେ ଆସି ମତଦାନ କରିଥିଲେ। ସେହିପରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ଶଶୀ ଥରୁର,  ଦିଗବିଜୟ ସିଂ ପ୍ରମୁଖ କଂଗ୍ରେସ ନେତା ଦେଇଥିଲେ ଭୋଟ୍। ସେପଟେ ନିଜ  ନିଜ ରାଜ୍ୟ ବିଧାନସଭାରେ ମତଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ବିଧାୟକ।   ଯୋଗୀ ଆଦିତ୍ୟନାଥ, ମମତା ବନାର୍ଜୀ , ଜଗନମୋହନ ରେଡ୍ଡି ,ଏକନାଥ  ସିନ୍ଦେ, ଶିବରାଜ ସିଂହ ଚୌହାନ, ହେମନ୍ତ ସୋରେନଙ୍କ ସମେତ ଅନ୍ୟ  ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ରାଜ୍ୟର ବିଧାନସଭାରେ ମତଦାନ କରିଛନ୍ତି । ଏପଟେ ରାଷ୍ଟ୍ରପତି ନିର୍ବାଚନର ମତଦାନ ପାଇଁ ବିଧାନସଭାରେ  ହୋଇଥିଲା ବ୍ୟାପକ ପ୍ରସ୍ତୁତି ।  ଆଜି ପ୍ରଥମେ ଭୋଟ୍ ଦେଇଥିଲେ ବିଜେପି  ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ସେହିପରି ବିଜେଡିର ପ୍ରଥମ ଭୋଟର ଭାବେ ମତଦାନ କରିଥିଲେ ସୁପ୍ରିମୋ ନବୀନ  ପଟ୍ଟନାୟକ।   ପରେ ପରେ ବିଜେଡିର ଅନ୍ୟ ବିଧାୟକ ଓ ମନ୍ତ୍ରୀମାନେ  ଦେଇଥିଲେ ଭୋଟ୍ ।  ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ  ବିଧାନସଭା ଆସି ମତଦାନ କରିଥିଲେ। ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପଲ୍ଲା  ଭାରି ରହିଛି ।  ଦ୍ରୌପଦୀଙ୍କୁ ୬୦ପ୍ରତିଶତରୁ  ଅଧିକ ଭୋଟ ମିଳିବା ସମ୍ଭାବନା  ରହିଛି । କାରଣ ସମର୍ଥନ ଦୃଷ୍ଟିରୁ ବିପକ୍ଷ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ଠାରୁ  ଆଗରେ ରହିଛନ୍ତି ଦ୍ରୌପଦୀ । ତାଙ୍କୁ ଏନଡିଏ ସମେତ ଅନ୍ୟ ଦଳର ମଧ୍ୟ  ସମର୍ଥନ ରହିଛି  । ବିଜେଡି, ଓ୍ୱାଇଏସ୍ଆର୍ କଂଗ୍ରେସ, ବିଏସ୍ପି, ଶିବସେନା,  ଜେଡିଏସ୍, ଅକାଳୀ ଦଳ, ଜେଏମ୍ଏମ୍ ଏବଂ ଟିଡିପି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଛନ୍ତି।  ସେହିପରି ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ  ଟିଏମ୍ସି, ଡିଏମକେ, ଏସ୍ପି, ଟିଆରଏସ, ଆପ୍, ଆରେଜେଡି ଏବଂ ବାମଦଳ  ସମର୍ଥନ କରୁଛନ୍ତି।

ରାଷ୍ଟ୍ରପତି ନିର୍ବାଚନରେ କ୍ରସ ଭୋଟିଂ, ମୋକିମଙ୍କ ବ୍ୟତୀତ ଆଉ କିଏ…?

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ) – ଦେଶର ପଞ୍ଚଦଶ ରାଷ୍ଟ୍ରପତି ଲାଗି ମତଦାନ ଶେଷ ହୋଇଛି। ଦେଶର ସବୁଠାରୁ ମର୍ଯ୍ୟାଦାଜନକ ପଦ ପାଇଁ ହୋଇଥିବା ଏହି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନଙ୍କା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ଦେଶର ସାଂସଦ ଏବଂ ବିଧାୟକମାନେ ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ତେବେ ଆଜି ଦିନ ତମାମ ଭୋଟ ଦାନରେ ଅନେକ ରୋଚକ ଘଟଣା ଘଟିଛି। କେତେକ ସ୍ଥାନରେ ଦଳର ନିଷ୍ପତ୍ତି ବିରୋଧରେ ଯାଇ କ୍ରସ ଭୋଟିଂ ହୋଇଥିବା ବେଳେ ଆଉ କେଉଁ ନେତା ଭୋଟ ଦାନରୁ ବିରତି ରହିଛନ୍ତି। କ୍ରସ ଭୋଟିଂରେ ଆଜି ପ୍ରଥମେ ଚର୍ଚ୍ଚାରେ ଥିଲା ଓଡ଼ିଶା। ନିଜ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍‌ ପାଇଁ ବିରୋଧୀ କଂଗ୍ରେସ ପକ୍ଷରୁ ହାଇକମାଣ୍ଡଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଏହାକୁ ଅମାନ୍ୟ କରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ। ସେ କ୍ରସ ଭୋଟିଂ କରି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ମହମ୍ମଦ ମୋକିମ କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ। ପାର୍ଟି ନୁହେଁ, ମାଟି ବଡ଼। ତେଣୁ ନିଜ ବିବେକ କଥା ଶୁଣିଲି। ନିଜ ମାଟିର ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଲି। ତାଙ୍କ ପରେ ଚର୍ଚ୍ଚାକୁ ଆସିଛନ୍ତି ଗୁଜରାଟର ଏନସିପି ବିଧାୟକ କନ୍ଧଲ ଜାଡ଼େଜା। ସେ ମଧ୍ୟ କ୍ରସ ଭୋଟିଂ କରି ଯଶୱନ୍ତ ସିହ୍ନାଙ୍କୁ ଭୋଟ ନଦେଇ ଦ୍ରୌପଦୀ ମୁର୍ମୁଙ୍କୁ ଦେଇଛନ୍ତି। ତାଙ୍କ ଦଳ କିନ୍ତୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଯଶଓନ୍ତ ସିହ୍ନାଙ୍କୁ ସମର୍ଥନ କରିଥିଲା। ସେହିପରି ବିଜେପିର କଟର ବିରୋଧୀ ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ବିଧାୟକ ଶାହଜିଲ ଇସଲାମ ମଧ୍ୟ କ୍ରସ ଭୋଟିଂ କରିଛନ୍ତି। ନିଜ ଦଳୀୟ ସମର୍ଥିତ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ବଦଳରେ ଏନଡିଏର ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ଶାହଜିଲ ଇସଲାମ ବରେଲ୍ୟା ଭୋଜିପୁରା ଆସନରୁ ବିଧାୟକ ଅଛନ୍ତି। ଦଳ ଯଶୱନ୍ତଙ୍କୁ ସମର୍ଥନ ଦେଇଥିବା ବେଳେ ଦଳୀୟ ନେତା କିନ୍ତୁ ଓଲଟା ବୟାନ ଦେଇଛନ୍ତି। ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ଯଶୱନ୍ତ ସିହ୍ନାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଯିଏ ଆମ ନେତାଜୀଙ୍କୁ(ମୁଲାୟମ ସିଂହ ଯାଦବଙ୍କୁ) ଆଇଏସଆଇ ଏଜେଣ୍ଟ ବୋଲି କହିଛନ୍ତି। ଆମେ ତାଙ୍କୁ ସମର୍ଥନ କରିପାରିବୁ ନାହିଁ। ଏହା ପରେ ସମାଜବାଦୀ ପାର୍ଟି ବିଧାୟକ ଶାହଜିଲ ଇସଲାମ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ଜଣାପଡ଼ିଛି।

ବିଜେଡିରେ ମିଶିବେ କି ମୋକିମ୍ ?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର) – କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ନିଜ ଦଳର ନିଷ୍ପତ୍ତି ବିରୁଦ୍ଧରେ ଯାଇ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି । ଦଳୀୟ ନେତାମାନଙ୍କ ସମାଲୋଚନା ଓ ଦଳୀୟ କାର୍ଯ୍ୟାନୁଷ୍ଠାନକୁ ଭୟ ନକରି ମାଟିର ଝିଅଙ୍କୁ ଭୋଟ୍ ଦେବାକୁ ଏଭଳି ବ୍ୟକ୍ତିଗତ ନିଷ୍ପତ୍ତି ନେଇଛି ବୋଲି କହି ମୋକିମ୍ ଖୋଲାଖୋଲି ଭାବେ କଂଗ୍ରେସ ହାଇକମାଣ୍ଡଙ୍କ ସହ ମୁହାଁମୁହିଁ ହେବାକୁ ଆଗଭର ହୋଇଛନ୍ତି । ଏପରିକି କଂଗ୍ରେସ ଯଦି କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଏ ସେଥିପାଇଁ ସେ ପ୍ରସ୍ତୁତ ଥିବା କହିବାକୁ ପଛାଇନାହାନ୍ତି । ଅବଶ୍ୟ ମୋକିମଙ୍କର ଏଭଳି ନିଷ୍ପତ୍ତି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଖୁସି ଓ ଗର୍ବର କଥା । ମାତ୍ର ଦଳୀୟ ଶୃଙ୍ଖଳା ଭିତରେ ରହି ମୋକିମ୍ କାହିଁକି ଶେଷ ମୁହୂର୍ତ୍ତରେ ଏଭଳି ନିଷ୍ପତ୍ତି ନେଲେ ଓ ଦଳର ନେତାଙ୍କୁ ନିଜ ନିଷ୍ପତ୍ତି ସମ୍ପର୍କରେ ପୂର୍ବରୁ ଆଭାସ ଦେଲେନି ତାକୁ ନେଇ ନାନାଦି ଆଲୋଚନା ଆରମ୍ଭ ହୋଇଛି । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମୋକିମ୍ ଏଭଳି ନିଷ୍ପତ୍ତି ନେଇଥାଇ ପାରନ୍ତି ଓ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ, ଦୀର୍ଘଦିନ ଧରି ପିସିସି ସଭାପତି ପଦବୀ ପାଇଁ ଆଶାବାଦୀ ଥିବା ମୋକିମ୍ ଗତ କିଛିଦିନ ଧରି ଦଳୀୟ ହାଇକମାଣ୍ଡ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଶରତ ପଟ୍ଟନାୟକଙ୍କୁ ପିସିସି ମୁଖିଆ କରାଯିବା ପରଠୁ ପ୍ରାୟତଃ ମୋକିମ୍ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଛନ୍ତି । ଶରତଙ୍କୁ କଂଗ୍ରେସ ଭବନରେ ସମ୍ବର୍ଦ୍ଧନା ଦେବା ଉତ୍ସବ ହେଉ କି ବିଧାୟକ ଦଳ ସମ୍ପାଦକ ପଦବୀରୁ ଇସ୍ତଫା ଦେଇ ସେ ନିଜର ଅସନ୍ତୋଷ ପ୍ରକାଶ କରିସାରିଛନ୍ତି । ନିଜ ସାମର୍ଥ୍ୟ ବଳରେ ବିଜେଡିର ଗଡ଼ ଉପକୂଳ ଓଡ଼ିଶାରୁ ସେ କଂଗ୍ରେସ ଟିକେଟରେ ବିଧାୟକ ଭାବେ ଜିତିଥିଲେ ମଧ୍ୟ ଦଳ ତାଙ୍କୁ ଆବଶ୍ୟକ ଗୁରୁତ୍ୱ ଦେଉନଥିବାରୁ ସେ ଅସନ୍ତୁଷ୍ଟ ହୋଇ ରହିଛନ୍ତି । ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଥିବାବେଳେ ମଧ୍ୟ ମୋକିମ୍ ସିଧାସଳଖ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଶରତ ପିସିସି ମୁଖିଆ ହେବାପରଠୁ ମୋକିମ୍ ନିଜର ରାଜନୀତିକ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଜେଡିର ନିକଟତର ହେଉଥିବା ଚର୍ଚ୍ଚା ହେଉଛି । ଯାହାର ପରିଣାମସ୍ୱରୂପ ସେ ଆଜି ଏନଡିଏ ପ୍ରାର୍ଥୀ ଶ୍ରୀମତୀ ମୁର୍ମୁଙ୍କୁ ନିଜର ଭୋଟ୍ ଦେଇଛନ୍ତି । ବିଜେଡି ହିଁ ଓଡ଼ିଶାରେ ଶ୍ରୀମତୀ ମୁର୍ମୁଙ୍କ ପାଇଁ କ୍ୟାମ୍ପେନ୍ କରୁଥିଲା ଓ କଂଗ୍ରେସର ବିଧାୟକମାନଙ୍କ ପାଖକୁ ଯାଇ ସେମାନଙ୍କୁ ଭୋଟ୍ ହାସଲ ପାଇଁ ପ୍ରବର୍ତ୍ତାଉଥିଲା । ରାଜନୀତିକ ବିଶ୍ଲେଷକଙ୍କ ମତରେ, ମୋକିମଙ୍କ ଏଭଳି ପଦକ୍ଷେପ ଅପ୍ରତ୍ୟାଶିତ ନୁହେଁ । ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଦେବା ପାଇଁ ଜଣେ ଓଡ଼ିଆ ହିସାବରେ ମୋକିମ୍ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ରାଜ୍ୟର ସାଧାରଣ ଲୋକେ ନିଶ୍ଚିତ ସ୍ୱାଗତ କରିବେ । ମାତ୍ର ଗତ କିଛିଦିନର କଂଗ୍ରେସ ରାଜନୀତିକୁ ଦେଖିଲେ ମୋକିମଙ୍କ ଏହି ନିଷ୍ପତ୍ତି ସ୍ୱାଭାବିକ ଥିଲା । ରାଜ୍ୟରେ କଂଗ୍ରେସର ଏକ ପ୍ରମୁଖ ଚେହେରା ହେଉଛନ୍ତି ମୋକିମ୍ । କିଛି ପରିମାଣର ସଂଖ୍ୟାଲଘୁ ଭୋଟ୍ ବ୍ୟାଙ୍କ ତାଙ୍କ ପାଖରେ ରହିବା ସ୍ୱାଭାବିକ ଅଛି । ତା’ ସତ୍ତ୍ୱେ କଂଗ୍ରେସ ତାଙ୍କୁ ସାଂଗଠନିକ କାର୍ଯ୍ୟରେ ଗୁରୁତ୍ୱ ଦେଇନି । ଏପରିକି ସବୁ ବିଧାୟକ ତାଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାଙ୍କୁ ପିସିସି ସଭାପତି ପଦରୁ ବଂଚିତ ହେବାକୁ ପଡ଼ିଥିଲା । ଏସବୁ ବ୍ୟତୀତ ମୋକିମଙ୍କ ବିଶାଳ ବ୍ୟବସାୟିକ ସାମ୍ରାଜ୍ୟ ରହିଛି । ସେଥିପାଇଁ ସରକାରୀ ସହଯୋଗର ଆବଶ୍ୟକତା ବି ବେଶୀ । ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଦେଇ ସେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି । କଂଗ୍ରେସ ହାଇକମାଣ୍ଡଙ୍କ ମୁହଁରେ ଶକ୍ତ ଚାପୁଡ଼ା ଦେଇ ବିଜେଡି ଓ ବିଜେପିର ନିକଟତର ହୋଇଛନ୍ତି । ବିଜେଡି ସୂତ୍ରରୁ ଜଣାପଡ଼ିଛି ଯେ, ଆଗାମୀ ସାଧାରଣ ନିର୍ବାଚନ ପାଇଁ ଯେଉଁ କିଛି ଚେହେରାଙ୍କୁ ନିଜ ଦଳକୁ ଆଣିବାକୁ ବିଜେଡି ଚାହୁଁଛି ସେଥିରେ ମୋକିମ୍ ସାମିଲ ଅଛନ୍ତି । କଟକ-ବାରବାଟୀ ଆସନରୁ ବିଧାୟକ ଥିବା ମୋକିମ ମଧ୍ୟ ବିଜେଡିକୁ ଡେଇଁବା ସୁଯୋଗରେ ଅଛନ୍ତି । ବିଜେଡି ସେଠାରେ ସାଂସଦ ପ୍ରାର୍ଥୀ ଭାବେ ତାଙ୍କୁ ଆଗକୁ ଆଣିପାରେ । ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପୁଣିଥରେ ଟିକେଟ୍ ଦେବା ସପକ୍ଷରେ ବିଜେଡି ନେତୃତ୍ୱ ନାହାନ୍ତି । ଶ୍ରୀ ମହତାବ ମଧ୍ୟ ନିଜର ବିକଳ୍ପ ସନ୍ଧାନରେ ଥିବାବେଳେ ମୋକିମଙ୍କ ଭଳି ମୁସଲିମ୍ ଚେହେରାଙ୍କୁ ବିଜେଡି ଆଣି ନିଜର ଭୋଟବ୍ୟାଙ୍କ ବଢ଼ାଇବାକୁ ଚାହୁଁଛି । ବିଜେଡିରେ ମୁସଲିମ୍ ଚେହେରା ଭାବେ ପଶ୍ଚିମ ଓଡ଼ିଶାରେ ମୁନ୍ନା ଖାନ ଓ ଆୟୁବ ଖାନ୍ ଥିବାବେଳେ ଉପକୂଳ ଓଡ଼ିଶାରେ କେହି ନାହାନ୍ତି । ତେଣୁ ମୋକିମ ଏବେ କଂଗ୍ରେସ ବିରୁଦ୍ଧରେ ଯାଇ ବିଜେଡିର ନିକଟତର ହେବାକୁ ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି ।

ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦ ଗେଟ୍‌…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର) – ଆଜି ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ପୂର୍ବାହ୍ନ ୧୧ଟା ବେଳେ ହୀରାକୁଦର ୭ନଂ ଗେଟ୍‌ ଦେଇ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି । ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି।  ଆଜି ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯାଇଛି । ଜଳଭଣ୍ଡାରର ଗୋଟିଏ ପଟେ ୩ଟି ଗେଟ୍ ଓ ଆର ପଟେ ୨ଟି ଗେଟ୍ ଖୋଲାଯାଇ ପାଣି ଛଡ଼ାଯାଉଛି  । ହୀରାକୁଦ ବନ୍ୟାଜଳ ଆସନ୍ତାକାଲି  କଟକର ମୁଣ୍ଡଳିରେ ପହଞ୍ଚିବ । ହୀରାକୁଦ ଡ୍ୟାମ୍‌ର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜି ପୂର୍ବାହ୍ନ ୧୧ଟାରେ ହୀରାକୁଦ ଜଳଭଣ୍ଡାରରେ  ୬୧୩.୧୫ ଫୁଟ ଜଳ ଥିବା ବେଳେ ସର୍ବୋଚ୍ଚ ଜଳଧାରଣ କ୍ଷମତା ରହିଛି ୬୩୦ ଫୁଟ । ଡ୍ୟାମରେ ସେକେଣ୍ଡକୁ ପାଖାପାଖି ୧ ଲକ୍ଷ ୨୦ ହଜାର ୧୫୫ ଘନଫୁଟ ଜଳ ପ୍ରବେଶ କରୁଛି। ୪୫ ହଜାର ୯୦୮ ଘନଫୁଟ ଜଳ ନିଷ୍କାସିତ ହେଉଛି। ଉପରମୁଣ୍ଡରେ ଲଗାଣ ବର୍ଷା ହେତୁ ଡ୍ୟାମରେ ଜଳପତ୍ତନ କ୍ରମାଗତ ବଢ଼ି ଚାଲିଛି। ତେଣୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଆଜି ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ଗୋଟିଏ ସ୍ଲୁଇସ୍‌ ଗେଟ୍‌ ଦେଇ ସେକେଣ୍ଡକୁ ପାଖାପାଖି ୧୫ ହଜାର କ୍ୟୁସେକ ଜଳ ନିଷ୍କାସିତ ହେବ ବୋଲି ଜଣାଯାଇଛି। ଗେଟ୍ ଖୋଲାଯିବା ପୂର୍ବରୁ ତଳ ମୁଣ୍ଡରେ ଥିବା ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି  । ଗାଇଡଲାଇନ୍‌ ଅନୁଯାୟୀ, ଡ୍ୟାମ କର୍ତ୍ତୃପକ୍ଷ ଜୁଲାଇ ଶେଷ ସୁଦ୍ଧା ଜଳପତ୍ତନକୁ ୬୦୫ ଫୁଟରେ ରଖିବେ । ବନ୍ୟା ନିୟନ୍ତ୍ରଣ ପାଇଁ ୨୫ ଫୁଟର ବ୍ୟବଧାନ ରଖାଯିବ । ତେଣୁ ଏବେ ଜଳପତ୍ତନ ୬୧୩ ଫୁଟ ଅତିକ୍ରମ କରି ସାରିଥିବା ବେଳେ ଏହାକୁ ୬୦୫ ଫୁଟ୍‌କୁ ହ୍ରାସ କରିବା ଡ୍ୟାମ କର୍ତ୍ତୃପକ୍ଷଙ୍କ ପ୍ରଥମ ପ୍ରାଥମିକତା ହେବ ବୋଲି ଜଣାଯାଇଛି। ତେବେ ଏବେ ଗେଟ୍‌ ଖୋଲାଯାଇଥିଲେ ମଧ୍ୟ ତଳିଆ ଅଞ୍ଚଳ ଲୋକେ ବିଶେଷ ଭୟଭୀତ ହେବା ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । କାରଣ ଏବେ ମହାନଦୀର ତଳ ଅଞ୍ଚଳରେ ବିଶେଷ ପାଣି ନ ଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ଏନେଇ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି, ଏବେ ତଳ ଅଞ୍ଚଳ ପ୍ରତି ସେପରି କୌଣସି ବନ୍ୟା ଆଶଙ୍କା ନାହିଁ ।  କେବଳ ହୀରାକୁଦ ପାଖାପାଖି ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଲେ ମୋକିମ, କହିଲେ-ପାର୍ଟି ନୁହେଁ, ମାଟି ବଡ଼…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର) –  ‘ପାର୍ଟି ନୁହେଁ, ମାଟି ବଡ଼ । ତେଣୁ ନିଜ ବିବେକ କଥା ଶୁଣିଲି। ନିଜ ମାଟିର ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଲି। ପାର୍ଟି ଭିତରେ ଏହାକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ।’ ଆଜି ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମତଦାନ ଚାଲିଥିବା ବେଳେ ଦଳୀୟ ପ୍ରାର୍ଥୀ ପରିବର୍ତ୍ତେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍‌ ଦେବା ପରେ ଏଭଳି ମତ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।
କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ । ଏହା ସମ୍ବିଧାନର ସର୍ବୋଚ୍ଚ ପଦ । ଏହା ଉପରେ ଦଳର କିଛି ହୁଇପ ନ ଥାଏ। ସାଂସଦ କିମ୍ବା ବିଧାୟକ ନିଜ ମନୋନୀତ ପ୍ରାର୍ଥୀଙ୍କୁ ନିର୍ବାଚିତ କରନ୍ତି। ଓଡ଼ିଶାର ଜଣେ ଆଦିବାସୀ ମହିଳା ଭାରତର ସର୍ବୋଚ୍ଚ ପଦ ପାଇଁ ଛିଡ଼ା ହୋଇଛନ୍ତି। ଜଣେ ଓଡ଼ିଆ ମହିଳା ସର୍ବୋଚ୍ଚ ପଦରେ ବସନ୍ତୁ ବୋଲି ଓଡ଼ିଆଙ୍କର ଇଚ୍ଛା ରହିଛି । ତେଣୁ ଓଡ଼ିଆ ହିସାବରେ ନିଜ ବିବେକ ଅନୁଯାୟୀ ମୁଁ ମୋ ମୂଲ୍ୟବାନ ଭୋଟ୍‌ ଦ୍ରୌପଦୀ ମୁର୍ମୁଙ୍କୁ ଦେଇଛି। ଏଥିନିମନ୍ତେ ମୋତେ ବହୁ ବୁଦ୍ଧିଜୀବୀ ଅନୁରୋଧ କରିଥିଲେ। ଜଣେ ଓଡ଼ିଆ ହିସାବରେ ଏପରି ପଦକ୍ଷେପ ନେଇଥିବାରୁ ଦଳ ଭୁଲ୍‌ ବୁଝିବ ନାହିଁ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ । ଏଥିସହ ଯାହା କରିଛନ୍ତି ତାହା ଠିକ୍‌ ଓ ଏଥିନିମନ୍ତେ ତାଙ୍କର କୌଣସି ପଶ୍ଚାତାପ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି। ଅନ୍ୟପକ୍ଷରେ ମହମ୍ମଦ ମୋକିମଙ୍କ ଏଭଳି ଅପ୍ରତ୍ୟାଶିତ ପଦକ୍ଷପରେ ପିସିସି ସଭାପତି ଓ ଅନ୍ୟ ବିଧାୟକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଦଳ ଯାହା ବିଚାର କରିବ, ସେହି ଅନୁସାରେ ନିଷ୍ପତ୍ତି ନିଆଯିବ। ସେହିପରି ଦଳୀୟ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ ଜଣେ ଶୃଙ୍ଖଳିତ ସଭ୍ୟ ଭାବେ ସେ ପାର୍ଟି ନିଷ୍ପତ୍ତି ପ୍ରକାରେ ଭୋଟ୍‌ ଦେବା କଥା। କିନ୍ତୁ ଯାହା ଘଟିଲା, ତାହା ଦୁର୍ଭାଗ୍ୟଜନକ ଘଟଣା। ହାଇକମାଣ୍ଡଙ୍କୁ ଏ ବିଷୟରେ ଅବଗତ କରାଯିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା। ମୋକିମ ଅସନ୍ତୁଷ୍ଟ ଥିବା ଏହା ପ୍ରମାଣ କଲା। ତା’ ସହିତ ଦଳର ଏକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲା। ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏହା ବିଷୟରେ ହାଇକମାଣ୍ଡଙ୍କୁ ଅବଗତ କରାଯିବ। ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ, ଆମେ ତାହାକୁ କାର୍ଯ୍ୟକାରୀ କରିବୁ। ସୂଚନାଯୋଗ୍ୟ, ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଚାଲିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ପକ୍ଷରୁ ଓଡ଼ିଶାର ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି ଯଶୱନ୍ତ ସିହ୍ନା। ଶ୍ରୀମତୀ ମୁର୍ମୁ ଜଣେ ଆଦିବାସୀ ମହିଳା ଓ ଓଡ଼ିଆ ଝିଅ ହୋଇଥିବା ବିଜେଡି ତାଙ୍କୁ ସମର୍ଥନ କରିଛି। ସେହିଭଳି ଏନ୍‌ଡିଏରେ ସାମିଲ ନଥିବା ଆଉ କିଛି ଆଞ୍ଚଳିକ ଦଳ ବି ଶ୍ରୀମତି ମୁର୍ମୁଙ୍କୁ ସମର୍ଥନ ଜଣାଇଛନ୍ତି। ଅନ୍ୟପକ୍ଷରେ ଶ୍ରୀମତି ମୁର୍ମୁ ଓଡ଼ିଶାର ହୋଇଥିଲେ ହେଁ ରାଜ୍ୟର କଂଗ୍ରେସ ବିଧାୟକ ଓ ସାଂସଦମାନେ ଦଳୀୟ ପ୍ରାର୍ଥୀ ଯଶୱନ୍ତ ସିଂହଙ୍କୁ ଭୋଟ୍ ଦେବେ ବୋଲି ପୂର୍ବରୁ ରାଜ୍ୟର ନେତୃବୃନ୍ଦ ଘୋଷଣା କରିଥିଲେ।

ଆଜି ଶ୍ରାବଣ ମାସ ପ୍ରଥମ ସୋମବାର; ଶୈବପୀଠରେ ଅସମ୍ଭବ ଭିଡ଼…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର) – କରୋନା କଟକଣା ହେତୁ ଗତ ୨ ବର୍ଷ ହେବ ବୋଳବମ୍‌ ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମିଳିଛି ଗ୍ରୀନ୍‌ ସିଗନାଲ୍‌ । ଫଳରେ ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ଦେଖିବାକୁ ମିଳୁଛି ଅସମ୍ଭବ ଭିଡ଼ । ହଜାର ହଜାର ବୋଲବମ୍ ଭକ୍ତ ଭୋଳା ବାବାଙ୍କୁ ଜଳ ଲାଗି କରୁଛନ୍ତି । ଲୋକନାଥଙ୍କଠୁ ଲିଙ୍ଗରାଜ, ଧବଳେଶ୍ୱରଙ୍କଠୁ ପଞ୍ଚଲିଙ୍ଗେଶ୍ୱର ରାଜ୍ୟର ସମସ୍ତ ଶୈବପୀଠରେ ହଜାର ହଜାର କାଉଡ଼ିଆଙ୍କ ଭିଡ଼ ଜମିଛି । ଏଥର ଧବଳେଶ୍ୱର ପୀଠକୁ ବାହୁଙ୍ଗି ମନା ହୋଇଥିବାରୁ  କେବଳ କଳସ ଧରି ଝୁଲାପୋଲ ଦେଇ ମନ୍ଦିର ଭିତରକୁ ଯାଉଛନ୍ତି ଶ୍ରଦ୍ଧାଳୁ । ଧବଳେଶ୍ୱର ପୀଠକୁ ଜଳଲାଗି କରିବାକୁ ଯାଉଥିବା କାଉଡ଼ିଆଙ୍କୁ ଝୁଲା ପୋଲ ପୂର୍ବରୁ ବାହୁଙ୍ଗି ରଖିବାକୁ କୁହାଯାଇଛି। ସେଠାରେ ବାହୁଙ୍ଗି ରଖି ସେମାନେ କଳସ ଓ ଭୋଗ ଧରି ମନ୍ଦିର ଭିତରକୁ ଆସିବେ। ସେଠାରେ ପ୍ରଭୁଙ୍କ ନିକଟରେ ଜଳ ଲାଗି କରିବେ ବୋଲି ଆଠଗଡ଼ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଶୈବପୀଠକୁ ଆସୁଥିବା  କାଉଡ଼ିଆମାନେ ଶୃଙ୍ଖଳିତ ଭାବେ ଜଳ ଲାଗି କରିବା ସହ ଦର୍ଶନ ସୁରୁଖୁରୁରେ କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଜି ଆଇ ଇ ଟି ଵିଶ୍ଵ ବିଦ୍ୟାଳୟ ଗୁଣୁପୁର କୁ ଏନ. ଆଇ .ଆର .ଏଫ ରେଙ୍କ ପ୍ରାପ୍ତ॥!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଚଳିତ ବର୍ଷ ଜି ଆଇ ଇ ଟି ଵିଶ୍ଵ ବିଦ୍ୟାଳୟ ଗୁଣୁପୁର କୁ ଏନ. ଆଇ. ଆର .ଏଫ. ର ଇଂଞ୍ଜିନିୟରିଂ ବର୍ଗରେ ରଂକିଙ୍ଗ ଵ୍ୟଣ୍ଡ- ୨୫୧-୩୦୦ ରେ ମାନ୍ୟତା ପ୍ରାପ୍ତ ପାଇଛି। ଏହା ଵିଶ୍ଵ ବିଦ୍ୟାଳୟ ର ଉଚ୍ଚ କୋଟିର ଶିକ୍ଷାଦାନ,ଗବେଷଣା,ଉନ୍ନତ ଭିତ୍ତିଭୂମି,ଛାତ୍ରଛାତ୍ରୀଙ୍କ ଶିକ୍ଷାରେ କୃତିତ୍ୱ, ତାଲିମ ଓ ନିଯୁକ୍ତି କ୍ଷେତ୍ରରେ ସଫଳତା ଆଧାରରେ ଏହି ମାନ୍ୟତା ହାସଲ କରିଛି।ଏହି ସଫଳତା ପାଇଁ ଵିଶ୍ଵ ବିଦ୍ୟାଳୟ ର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା,ଉପ-ସଭାପତି ଡ଼ଃ ଚନ୍ଦ୍ର ଧ୍ୱଜ ପଣ୍ଡା,ମହାନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା,କୁଳପତି ଡ଼ଃ ଗୌତମ ଘୋଷ, ରେଜିଷ୍ଟ୍ରାର ଡ଼ଃ ଏ ନ .ଭି.ଜଗନ୍ନାଧ ରାଓ ପ୍ରମୁଖ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ,ଛାତ୍ରଛାତ୍ରୀ , ଅଭିଭାବକ ଓ ଶୁଭେଚ୍ଛୁ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଜି॰ଆଇ॰ଇ॰ଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ; ୫୧ ୟୁନିଟ ରକ୍ତ ସଂଗ୍ରହ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଜି॰ଆଇ॰ଇ॰ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଵିଶ୍ଵ ବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଏହି ଶିବିରକୁ ବିଶ୍ୱବିଦ୍ୟାଳୟର ମହାନିର୍ଦେଶକ ଡ଼ଃ ଜଗଦୀଶ ପଣ୍ଡା ଶୁଭ ଉଦଘାଟନ କରିଥିବା ବେଳେ ଅନୁଷ୍ଠାନ ର ରେଜିଷ୍ଟ୍ରାର ଡ଼ଃ ଏନ . ଭି. ଜେ. ରାଓ,ସ୍କୁଲ ଅଫ ଇଂଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜି ଡିନ ଏ. ବି .ଶ୍ରୀନିବାସ ରାଓ, ଅଧ୍ୟାପକ ଭି ଗଣେଶ,,ଡ଼ଃ ନିକୁଞ୍ଜ କିଶୋର ପାତ୍ର,କ୍ରୀଡା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା, ଅଧ୍ୟାପିକା ପ୍ରିୟଙ୍କା ପ୍ରିୟଦର୍ଶନୀ ,ବର୍ଷା ଦାସ, ଡାକ୍ତର ଏସ .ଏ ସ ପାଢ଼ୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉଛାହିତ କରିଥିଲେ। ଜାତୀୟ ସେବା ଯୋଜନାର ଆବାହକ ଡ଼ଃ ପ୍ରେମାନଶୁ ଶେଖର ରଥ ,କାର୍ଯ୍ୟକ୍ରମ ଅଧିକାରୀ ତାପସ ଛୁଆଲସିଂ, କୃଷ୍ଣ ପ୍ରସାଦ ଦାସ,ପ୍ରମୁଖ ଶିବରକୁ ପରିଚାଳନା କରିଥିଲେ ।ଗୁଣୁପୁର ରକ୍ତ ଭଣ୍ଡାରର ଡାକ୍ତର ଲକ୍ଷଣ କୁମାର ପାତ୍ର, ଟେକ୍ନିସୀୟାନ ରାକେଶ କୁମାର ପଣ୍ଡା ,ମନୀଷା ନାଗ,ଗୌରୀ ଶଙ୍କର ବ୍ରହ୍ମା, ରାଧାକାନ୍ତ ମହାନ୍ତି,ସୌଦାମିନୀ ଗୌଡ଼ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।