ଜୟନାରାୟଣଙ୍କ ନିଯୁକ୍ତି ପରେ ରାଜ୍ୟରେ ବଦଳିବ କି ବିଜେପିର ରଣନୀତି ?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଦୀର୍ଘଦିନ ଧରି ଅସୁସ୍ଥ ଥିବା ପ୍ରଦୀପ୍ତ କୁମାର ନାଏକଙ୍କୁ ବିଜେପି ହଟାଇ ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ଓଡ଼ିଶାରେ ବିରୋଧୀ ଦଳ ନେତା ପଦରେ ଆସୀନ କରାଇଛି । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାସକ ବିଜେଡି ନିଜର ସଂଗଠନକୁ ସୁଦୃଢ଼ କରୁଥିବାବେଳେ ଜୟନାରାୟଣଙ୍କୁ ନୂଆ ନିଯୁକ୍ତି ଦେଇ ବିଜେପି ଓଡ଼ିଶାରେ ପୁଣିଥରେ ନିଜର ପୁରୁଣା ଆଭିମୁଖ୍ୟ ଆପଣାଇବ ବୋଲି ସନ୍ଦେଶ ଦେବାକୁ ପ୍ରୟାସ କରିଛି । ଯଦିଓ ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେପିକୁ ସବୁ ପ୍ରସଙ୍ଗରେ ଉପରେ ପଡ଼ି ସମର୍ଥନ ଦେଇ ବିଜେଡି ରାଜ୍ୟର ଭୋଟରଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରିବା ସହ ବିଜେପି ସଂଗଠନକୁ ମଧ୍ୟ ଦୁର୍ବଳ କରିବା ରଣନୀତିରେ ଅନେକାଂଶରେ ସଫଳ ହୋଇଥିଲା । ଆଉ ଏହି କାରଣରୁ ଓଡ଼ିଶାରେ ଆଗକୁ ଆସି ନିଜର ସଂଗଠନକୁ ସୁଦୃଢ଼ କରିବା ଓ କର୍ମୀଙ୍କ ମନୋବଳକୁ ବୃଦ୍ଧି କରାଇବା ନିମନ୍ତେ ବିଜେପି ପାଇଁ ଜୟନାରାୟଣ ମିଶ୍ରଙ୍କ ଭଳି ନିଜର କଠୋରପନ୍ଥୀ ନେତାଙ୍କୁ ଚୟନ କରିବାର ବାଧ୍ୟବାଧକତା ଓ ଆବଶ୍ୟକତା ପଡ଼ିଥିବା ରାଜନୀତିକ ବିଶେଷଜ୍ଞ ମହଲରେ ଚର୍ଚ୍ଚା ହେଉଛି । ବିରୋଧୀ ଦଳ ନେତା ଭାବେ ଆଜି ନାମ ଘୋଷଣା ହେବା ପରେ ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଥମଦିନରୁ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ରାଜ୍ୟରେ ନବୀନ ବିରୋଧୀ ଆନ୍ଦୋଳନ ଜୋରଦାର ହେବ ବୋଲି ସେ ସନ୍ଦେଶ ଦେଇଛନ୍ତି । ଓଡ଼ିଶା ପାଇଁ ବିଜେପି ସଂଘର୍ଷ ପଥ ବାଛି ନେଇଛି ଓ ଏବେ ସଂଘର୍ଷ ହେବ । ତାଙ୍କୁ ବିରୋଧୀ ଦଳ ନେତା କରାଯିବା ହିଁ ଏହାର ସଙ୍କେତ ବୋଲି ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିବା ପରେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓ ବିଜେଡି ମଧ୍ୟରେ ପୁଣିଥରେ ରାଜନୀତିକ ଛକାପଞ୍ଝା ଓ ଉଷ୍ମତା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଶ୍ରୀ ମିଶ୍ର କହିଛନ୍ତି ଯେ, ଦଳ ତାଙ୍କ ଉପରେ ବିଶ୍ୱାସ କରି ଦେଇଥିବା ଗୁରୁଦାୟିତ୍ୱକୁ ସେ ସମ୍ପାଦକ କରିବାକୁ ପୂର୍ଣ୍ଣ ପ୍ରୟାସ କରିବେ । ଆଗାମୀ ଦିନରେ ଦଳର ରଣନୀତି ପ୍ରସ୍ତୁତ କରାଯିବ । ୟବିଜେଡି ଉପରେ ରାଜ୍ୟ ବିଜେପିର ନରମ ମନୋଭାବ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଭୁଲ୍ । ୮ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଓଡ଼ିଶା ଆସୁଛନ୍ତି । ନବୀନ ବିରୋଧୀ ଆନ୍ଦୋଳନର ଶୁଭ ସେ ହିଁ ଦେବେ । ୨୦୨୪ ସାଧାରଣ ନିର୍ବାଚନରେ ଆମେ ନିଶ୍ଚିତ ସଫଳତା ପାଇବୁ । ତେବେ ରାଷ୍ଟ୍ରପତି ନିର୍ବାଚନ ବିଜେଡି କାହିଁକି ସମର୍ଥନ ଦେଲା ତାହା ଉପରେ ପ୍ରତିକ୍ରିୟା ରଖି ଶ୍ରୀ ମିଶ୍ର କହିଛନ୍ତି ଯେ, ରାଷ୍ଟ୍ରପତି ପଦ ଏକ ଭିନ୍ନ କଥା । ଏଥିରେ ଦଳୀୟ ରାଜନୀତି ନଥାଏ । ନବୀନ କାହିଁକି ସମର୍ଥନ କରନ୍ତି ଓ ବିରୋଧ କରନ୍ତି ସେ କଥା ବିଜେଡି କହିବ । ଆମେ ଏମିତି କାମ କଲୁ ଯେ, ନବୀନ ସମର୍ଥନ କରିବାକୁ ବାଧ୍ୟ ହେଲେ । ଆଉ ନବୀନ ଯେଉଁ ପ୍ରହସନ କରିଛନ୍ତି ତାଙ୍କୁ ଧନ୍ୟବାଦ ଦେବି କ’ଣ ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି । କାମ କରିବା ଶୈଳୀରେ ନବୀନ ପଟ୍ଟନାୟକ ଓ ମମତା ବାନାର୍ଜୀଙ୍କ ମଧ୍ୟରେ କିଛି ଫରକ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ସମ୍ବଲପୁରର ବିଧାୟକ ଶ୍ରୀ ମିଶ୍ର ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ବିରୋଧୀ ବିଜେଡି ମନୋଭାବ ପାଇଁ ବେଶ୍ ବିବାଦରେ ରହି ଆସିଛନ୍ତି । ସୁଯୋଗ ପାଇବା ମାତ୍ରେ ସେ ବିଜେଡିକୁ ଖୋଲା ସମାଲୋଚନା କରିଥାନ୍ତି । ତାଙ୍କର ଏହି କଠୋରପନ୍ଥୀ ଆଭିମୁଖ୍ୟ ହିଁ ରାଜ୍ୟରେ ବିଜେପି କର୍ମୀମାନଙ୍କ ମନୋବଳକୁ ବୃଦ୍ଧି କରିବ ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ୨୦୧୯ ସାଧାରଣ ନିର୍ବାଚନ ପରଠୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ସୁହାଇବା ଭଳି ଅନେକ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନେଇଛନ୍ତି, ଯାହାକି ପରୋକ୍ଷରେ ରାଜ୍ୟରେ ବିଜେପି ସଂଗଠନକୁ ଦୁର୍ବଳ କରାଇଛି । ଏହାର ପରିଣାମ ମଧ୍ୟ ବିଜେପିକୁ ଗତ ପଂଚାୟତ , ପୌର ଓ ସମବାୟ ନିର୍ବାଚନରେ ଭୋଗିବାକୁ ପଡ଼ିଛି । ବିଜେପିର ସ୍ଥିତି ରାଜ୍ୟରେ ଏଭଳି ହୋଇଛି ଯେ, କେଉଁ କାରଣ ପାଇଁ ଦଳ ନିର୍ବାଚନରେ ଏତେ ବିପର୍ଯ୍ୟୟର ସମ୍ମୁଖୀନ ହେଲା ତା’ର ସମୀକ୍ଷା କି ତର୍ଜମା କରିବାକୁ ମଧ୍ୟ ବିଜେପି ରାଜ୍ୟ ନେତୃତ୍ୱ ଚାହିଁଲେ ନାହିଁ । ମାତ୍ର ଏବେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଥିବାବେଳେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପି ପ୍ରାର୍ଥୀ ଜିତିବା ପ୍ରାୟତଃ ନିଶ୍ଚିତ ।କେନ୍ଦ୍ରରେ ବିଜେପି ଏବେ ବେଶ୍ ଭଲ ସ୍ଥିତିରେ ଥିବାରୁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟରେ ସଂଗଠନକୁ ସୁଦୃଢ଼ କରିବା ରଣନୀତିରେ ରହିଛି । ଓଡ଼ିଶାରେ ‘ମିଶନ-୧୨୦’ ଏବେବି ଉନ୍ମୁକ୍ତ ରଖିଥିବା ବିଜେପି ନେତୃତ୍ୱ ଦାବି କରୁଥିବାବେଳେ ଦଳ ସେ ଦିଗରେ କାର୍ଯ୍ୟ କରୁଛି ବୋଲି କହୁଛି । ୨୦୧୭ରେ ଭୁବନେଶ୍ୱରରେ ବିଜେପି ନିଜର ଜାତୀୟ କାର୍ଯ୍ୟକାରିଣୀ ବୈଠକ କରିବା ସହ ଓଡ଼ିଶାରୁ ୩ଜଣଙ୍କୁ କେନ୍ଦ୍ରମନ୍ତ୍ରୀ ଓ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପଦରେ ଆସୀନ କରିବା ବିଜେପିର ରଣନୀତିର ଅଂଶବିଶେଷ । ଅବଶ୍ୟ ବିଜେଡି ଉପରେ ପଡ଼ି ଜାତୀୟ ରାଜନୀତିରେ ବିଜେପିକୁ ସୁହାଇବା ଭଳି ଅନେକଗୁଡ଼ିକ ନିଷ୍ପତ୍ତି ନେଉଥିଲା, ଯାହା ପରୋକ୍ଷରେ ରାଜ୍ୟରେ ବିଜେପି ସଂଗଠନକୁ ଦୁର୍ବଳ କରାଇଥିଲା । ଯାହାର ପରିଣାମ ବିଜେପିକୁ ପଂଚାୟତ,ପୌର ଓ ସମବାୟ ନିର୍ବାଚନରେ ଭୋଗିବାକୁ ପଡ଼ିଛି । ଆଉ ବିଜେଡି ନିଜର ସଂଗଠନକୁ ଅଧିକ ସୁଦୃଢ଼ କରାଇଛି । ଅନ୍ୟପକ୍ଷରେ ବିଜେଡି ଉପସଭାପତି ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୨୦୨୪ ନିର୍ବାଚନରେ ଓଡ଼ିଶା ବିରୋଧୀ ଦଳ ମୁକ୍ତ ହେବ । ବିଜେଡି ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜୟୀ ହେବ । ବିଜେଡି ସଂଗଠନ ତୃଣମୂଳସ୍ତରରୁ ସୁଦୃଢ଼ ଅଛି । ବିରୋଧୀଙ୍କ ହାୱା କାମ ଦେବନି । ଉଲ୍ଲେଖଯୋଗ୍ୟ, ବିଜେଡି ନେତୃତ୍ୱ ସମଦୂରତ୍ୱ ରଣନୀତିର ଆଳ ଦେଖାଇ ବାସ୍ତବରେ କେନ୍ଦ୍ରରେ ବିଜେପି ସରକାର ଓ ବିଜେପି ନେତୃତ୍ୱଙ୍କୁ ସୁହାଇବା ଭଳି ନିଷ୍ପତ୍ତି ନେଇ ସୁଚିନ୍ତିତ ଢଙ୍ଗରେ ରାଜ୍ୟରେ ବିରୋଧୀ ଦଳକୁ ନିଷ୍ପ୍ରଭ କରିବାକୁ ପ୍ରୟାସ କରିଛନ୍ତି । ୨୦୧୫ରେ ଜିଏସଟି ବିଲ, ୨୦୧୬ରେ ବିମୁଦ୍ରାକରଣ, ୨୦୧୭ରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ, ୨୦୧୮ ଜୁଲାଇ ୨୦ରେ ମୋଦି ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବବେଳେ ସଂସଦରୁ ନାଟକୀୟ ଢଙ୍ଗରେ କକ୍ଷତ୍ୟାଗ କରି ବିଜେଡି ସିଧାସଳଖ ନିଜର ଘନିଷ୍ଠତାର ପ୍ରମାଣ ଦେଇଥିଲା । ୨୦୧୮ ଅଗଷ୍ଟ ୮ରେ ବିଜେଡି ନିଜର ସମ୍ପର୍କକୁ ଆଉ ପାଦେ ଆଗେଇ ନେଇ ଏନଡିଏର ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ଦେଲା । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ବିଜେଡି ସାଂସଦଙ୍କ ସମର୍ଥନ, କଶ୍ମୀରରେ ଧାରା-୩୭୦ର ଉଚ୍ଛେଦ, ଟ୍ରିପଲ ତଲାକ ବିଲ୍ , ନାଗରିକତା ସଂଶୋଧନ ବିଲ୍ (ସିଏଏ)କୁ ସମର୍ଥନ ଦେବାକୁ ପଛାଇ ନଥିଲା । ୨୦୧୯ ଜୁନ୍ ମାସରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇ ଓ ନିଜର ଜିତିବା ସିଟକୁ ଛାଡ଼ି ବିଜେଡି ସମସ୍ତଙ୍କୁ ଚକିତ କରିଦେଇଥିଲା । ୨୦୨୨ରେ ଏନଡିଏ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ମଧ୍ୟ ସମର୍ଥନ ଦେବାକୁ ବିଜେଡି ପଛାଇ ନାହିଁ । ଏଭଳି ସମର୍ଥନ ଦେଇ ବିଜେଡି ପରୋକ୍ଷରେ ରାଜ୍ୟରେ ବିଜେପି ସଂଗଠନକୁ ଦୁର୍ବଳ କରାଇଛି । ଏବେ ଜୟନାରାୟଣଙ୍କ ନିଯୁକ୍ତି ପରେ ଓ ଅମିତ୍ ଶାହାଙ୍କ ଓଡ଼ିଶା ଗସ୍ତ ପରେ ବିଜେପି କର୍ମୀଙ୍କ ମନୋବଳ ଓ ନବୀନବିରୋଧୀ ଆନ୍ଦୋଳନ ରାଜ୍ୟରେ ଜୋରଦାର ହେବ ବୋଲି ଆକଳନ କରାଯାଉଛି ।

ଜୟନାରାୟଣ ମିଶ୍ର ନୂଆ ବିରୋଧୀ ଦଳ ନେତା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ବିରୋଧୀ ଦଳ ନେତା ହେଲେ ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର। ଆଜି ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଦଳର ବିଧାୟକ ଦଳ ନେତା ଭାବେ ଘୋଷଣା କରାଯାଇଛି। ବିଜେପିର ଓଡ଼ିଶା ଦାୟିତ୍ୱରେ ଥିବା ସହ ପ୍ରଭାରୀ ତାଙ୍କ ନାଁ ଘୋଷଣା କରିଛନ୍ତି। ବିରୋଧୀ ଦଳ ନେତା ଚୟନ ନେଇ ଆଜି ବିଧାୟକ ଓ ରାଜ୍ୟର ବରିଷ୍ଠ ନେତାଙ୍କ ବୈଠକ ବସିଥିଲା। ବୈଠକରେ ସର୍ବ ସମ୍ମତି କ୍ରମେ ଜୟନାରାୟଣ ମିଶ୍ରଙ୍କ ନାଁକୁ ଚୟନ କରାଯାଇଥିଲା। ଜୟନାରାୟଣ ମିଶ୍ର ହେଉଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତା। ସେ ଲଗାତାର ୩ ଥର ବିଧାୟକ ହୋଇଥିଲେ। ହେଲେ ୨୦୧୪ ସାଧାରଣ ନିର୍ବାଚନରେ ହାରି ଯାଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ସେ ପୁଣି ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ବିଜେପିକୁ ବରୋଧୀ ଦଳର ମାନ୍ୟତା ମିଳିବା ପରେ ବିରୋଧୀ ଦଳ ନେତା ଭାବେ ପ୍ରଦୀପ୍ତ କୁମାର ନାଏକ ଓ ଜୟନାରାୟଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା। ମାତ୍ର ପ୍ରଦୀପ୍ତ ନାୟକଙ୍କୁ ବିରୋଧୀ ଦଳ ନେତା ଭାବେ ଚୟନ କରାଯାଇଥିଲା। ପ୍ରଦୀପ୍ତ କୁମାର ନାଏକ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି ହୋଇଥିଲେ। ପରବର୍ତ୍ତୀ ସମୟରେ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଥିଲେ। ତେଣୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ନୂଆଦିଲ୍ଲୀ ନିଆଯାଇଥିଲା। ଏବେ ମଧ୍ୟ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।  ଯେଉଁଥିପାଇଁ ସେ ଦୁଇ ବର୍ଷ ଧରି ବିଧାନସଭାକୁ ଆସିପାରୁ ନାହାନ୍ତି। ଏଥିଯୋଗୁ ଆଜି ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଭାବେ ବିଜେପି ଘୋଷଣା କରିଛି। ବିରୋଧୀ ଦଳ ନେତା ଘୋଷଣା ହେବା ପରେ ଜୟନାରାୟଣ ମିଶ୍ର କହିଲେ, ପାରୁପର୍ଯ୍ୟନ୍ତ ଗୁରୁଦାୟିତ୍ୱ ତୁଲାଇବାକୁ ଚେଷ୍ଟା କରିବି। ଗଠନମୂଳକ ବିରୋଧୀ ଦଳ ଭାବେ କାମ କରିବୁ। ମୋହନ ମାଝୀ ପବ୍ଲିକ ଆକାଉଣ୍ଟସ କମିଟି କଥା ବୁଝିବେ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି। ସେ ଆହୁରି କହିଛନ୍ତି, ଆମେ କେନ୍ଦ୍ରୀୟ ଯୋଜନା କଂଗ୍ରେସମୁକ୍ତ ଭାରତ, ବିଜେଡିମୁକ୍ତ ଓଡ଼ିଶା। ଆମଆ ଏହି ୨ଟି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଆଗକୁ ବଢ଼ିବୁ।୨୦୨୪ରେ ଆମେ କେମିତି ସଂଖ୍ୟାଗରିଷ୍ଠ ହେବୁ, ଯୋଜନା କରିବୁ। ବୁଥ୍‌ ସ୍ତରରୁ ଆମେ ସଂଗଠନ ସୁଦୃଢ଼ କରିବୁ। ବିଜେଡି ସହ କୌଣସି ପ୍ରକାର ବୁଝାମଣା ହେବାର ନାହିଁ। ଉଭୟ ବିଧାନସଭା ଓ ରାଜରାସ୍ତାରେ ଆନ୍ଦୋଳନ ପାଇଁ ସମନ୍ୱୟ ରଖିବୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଶନିବାର ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ଲକ୍ଷ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ସଂକ୍ରାନ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶନିବାର ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ଆଲୋଚନାରେ ଉତ୍ତର ରଖି କହିଥିଲେ ଯେ ଚଳିତମାସ ୨ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ହୋଇଥିଲା । ଗତ ୧୪ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ଗୃହରେ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ବିସ୍ତୃତ ଆଲୋଚନା ହୋଇସାରିଛି । ଉତ୍ତମ ଆର୍ଥିକ ଓ ସଠିକ୍ ବିତ୍ତୀୟ ପରିଚାଳନା ହେଉଛି ସରକାରଙ୍କ ପରିଚୟ । ୨୦୨୨-୨୩ ଆର୍ଥିକ ବର୍ଷର ମୋଟ୍ ରାଜସ୍ୱ ପ୍ରାପ୍ତି ୧ଲକ୍ଷ ୬୩ହଜାର ୯୬୭କୋଟି ଟଙ୍କା ଓ ରାଜସ୍ୱ ବ୍ୟୟ ୧ଲକ୍ଷ ୪୫ହଜାର ୭୨୭କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ରାଜସ୍ୱ ବଳକା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ(ଜିଏସଡିପି)ର ୨.୫ ପ୍ରତିଶତ ହେବ ଓ ବିତ୍ତୀୟ ନିଅଂଟ ୩ ପ୍ରତିଶତରେ ସୀମିତ ରହିବ । ବର୍ଷ ଶେଷରେ ଋଣଭାର ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ(ଜିଏସଡିପି)ର ୧୫.୬ ପ୍ରତିଶତ ହେବାର ଆକଳନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । ରାଜ୍ୟରେ ଋଣବୋଝ ବୃଦ୍ଧିକୁ ନେଇ ବିଧାୟକମାନେ ଚିନ୍ତା ବ୍ୟକ୍ତ କରିବା ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ପୂଜାରୀ କହିଛନ୍ତି ଯେ, ରାଜ୍ୟ ଅର୍ଥନୀତିକ ଅବସ୍ଥାରେ ଅଭିବୃଦ୍ଧି ହେବା ସହ ରାଜ୍ୟର ଋଣଧାରଣ କ୍ଷମତା ଓ ମୁଣ୍ଡପିଛା ଋଣରେ ବୃଦ୍ଧି ପାଇବା ସ୍ୱାଭାବିକ । କିନ୍ତୁ ମୁଣ୍ଡ ପିଛା ଆୟର ଅଭିବୃଦ୍ଧି ଯଦି ମୁଣ୍ଡପିଛା ଋଣର ଅଭିବୃଦ୍ଧି ପଠାରୁ ଅଧିକ ହୁଏ ତେବେ ଋଣର ପୋଷଣୀୟତା ରହିଥାଏ । ତେଣୁ ରାଜ୍ୟର ଋଣ ହାର ପୋଷଣୀୟତା ବାବଦକୁ ସନ୍ଦେହ ବ୍ୟକ୍ତ କରାନଯାଉ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।

ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ନୂଆ ନିୟମାବଳୀ ଉପରେ ରହିତାଦେଶ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)-  ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରର ନୂଆ ନିୟମାବଳୀ ଉପରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ହାଇକୋର୍ଟ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାରି ନୂଆ ନିୟମାବଳୀକୁ କାର୍ଯ୍ୟକାରୀ କରିବା ଉପରେ ରହିତାଦେଶ ଜାରି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୪ ସପ୍ତାହ ପରେ ହେବ ବୋଲି ଖଣ୍ଡପୀଠ ଦିନ ଧାର୍ଯ୍ୟ କରିଥିବାବେଳେ ସେହିଦିନ ପର୍ଯ୍ୟନ୍ତ ରହିତାଦେଶ ବଳବତ୍ତର ରହିବ । ଖଣ୍ଡପୀଠ ଏହି ମାମଲାରେ ରାଜ୍ୟ ସରକାର, ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଭାପତି ଓ ସମ୍ପାଦକଙ୍କୁ ମଧ୍ୟ ସତ୍ୟପାଠ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ସାହିତ୍ୟ ଏକାଡ଼େମୀର ସବକମିଟି ଅଧ୍ୟକ୍ଷ ଡଃ ନୃସିଂହ ଚରଣ ଷଡ଼ଙ୍ଗୀଙ୍କ ଦ୍ୱାରା ଦାଏର ଆବେଦନ ଉପରେ କୋର୍ଟ ଏହି ରହିତାଦେଶ ଜାରି କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଓକିଲ ରମାକାନ୍ତ ଷଡ଼ଙ୍ଗୀ ମାମଲା ଲଢ଼ୁଥିଲେ । ସୂଚନାଯୋଗ୍ୟ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଁ ନୂଆ ନିୟମାବଳୀ ପ୍ରସ୍ତୁତ ନିମନ୍ତେ ଏକ ସବକମିଟି ଗଠନ ହୋଇଥିଲା । ଏହି ସବ୍‌କମିଟି ଦ୍ୱାରା ନୂଆ ନିୟମ ପ୍ରସ୍ତୁତ କରାଯିବା ପରେ ତାକୁ ଅନୁମୋଦନ ନିମନ୍ତେ ୨୦୨୧ ଅଗଷ୍ଟ ୧୬ତାରିଖରେ ରାଜ୍ୟ ସଂସ୍କୃତି ବିଭାଗକୁ ପଠାଯାଇଥିଲା । ମାତ୍ର ଏହି କମିଟିର ଚିଠା ନିୟମକୁ ସଂସ୍କୃତି ବିଭାଗ ଅନୁମୋଦନ ଦେବା ପରିବର୍ତ୍ତେ ଆଉ ଏକ ନୂଆ ନିୟମ ପ୍ରଣୟନ କରି ତା’ର ବିଜ୍ଞପ୍ତି ଜାରି କରିଥିଲେ ।

ସ୍କୁଲରେ ପହଞ୍ଚିନି ଜୀବ ବିଜ୍ଞାନ ଓ ଭୂଗୋଳ ବହି ; ମନ୍ତ୍ରୀ କହିଲେ ମୋ’ ପାଖରେ ଖବର ନାହିଁ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସ୍କୁଲ ଖୋଲିବାକୁ ବିତିଲାଣି ଦେଢ଼ ମାସ। ହେଲେ ଏର୍ଯ୍ୟନ୍ତ ସ୍କୁଲରେ ପହଞ୍ଚିନି ଜୀବ ବିଜ୍ଞାନ ଓ ଭୂଗୋଳ ବହି। ଯେଉଁଥିପାଇଁ ମାଟ୍ରିକ୍‌ ପିଲାମାନେ ପୁରୁଣା ବହି ଧରି ବସିଛନ୍ତି। ଏପରି ସ୍ଥିତିରେ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହୁଛନ୍ତି, ମୋ’ ପାଖରେ ଏନେଇ କୌଣସି ଖବର ନାହିଁ। କରୋନା ମହାମାରୀ ପାଇଁ ଦୁଇ ବର୍ଷ ଧରି ପାଠପଢାରେ ଘୋର ବ୍ୟାଘାତ ହୋଇଥିଲା। ପିଲାମାନେ ଏକ ପ୍ରକାର ସ୍କୁଲ୍‌ ବାରଣ୍ଡା ମାଡ଼ି ପାରିନଥିଲେ। ବହୁ ବାଧାବିଘ୍ନ ପରେ ରାଜ୍ୟ ସରକାର ଜୁନ ୧୭ ତାରିଖରେ ସ୍କୁଲ ଖୋଲିଲେ। ଫୁଲ୍‌ ସିଲାବସ୍‌ରେ ପାଠ ପଢ଼ା ହେବ ବୋଲି ଘୋଷଣା ମଧ୍ୟ କଲେ। ହେଲେ ଦୁଃଖର ବିଷୟ ଏଯାଏଁ ମାଟ୍ରିକ୍‌ ପିଲାଙ୍କ ଜୀବ ବିଜ୍ଞାନ ଓ ଭୂଗୋଳ ବହି ସ୍କୁଲରେ ପହଞ୍ଚି ନାହିଁ।ସରକାର ଯୋଗାଇ ଦେଇନାହାନ୍ତି କି ବଜାରରେ ମିଳୁନି ଏହି ଦୁଇଟି ବିଷୟ ବହି। ଯେଉଁଥିପାଇଁ ପିଲାମାନେ ପୁରୁଣା ବହି ସଂଗ୍ରହ କରି କାମ ଚଳାଉଛନ୍ତି। ତେବେ ଯାହା ପାଖରେ ବହି ନାହିଁ, ସେମାନଙ୍କୁ ନାନା ହଇରାଣ ହେବାକୁ ପଡୁଛି। ପିଲାମାନେ ଦୋକାନକୁ ଦୌଡି ଦୌଡି ବହି ନୟାନ୍ତ ହେଲେଣି। ଏପରି ସ୍ଥିତିରେ ବୋର୍ଡ ଅଜବ ଯୁକ୍ତି ଦର୍ଶାଇଛି। ବୋର୍ଡ ସ୍ପଷ୍ଟୀକରଣ ରଖି କହିଛି, ବଜାରରେ ବହି ମିଳୁଛି। ଯେଉଁ ନୂଆ ବିଷୟ ଜୀବ ବିଜ୍ଞାନ ଓ ଭୂଗୋଳ ପୁସ୍ତକରେ ସାମିଲ ହେବ, ତାହା ୱେବସାଇଟ୍‌ରେ ଉପଲବ୍ଧ ହେଉଛି। ଅନ୍ୟପକ୍ଷରେ ଉଭୟ ଚାପ୍‌ଟର ସିଲାବାସ୍‌ର ଶେଷ ଆଡକୁ ଥିବା ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ମାତ୍ର ବୋର୍ଡ ଏହି ଦାବିକୁ କିନ୍ତୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଛାତ୍ରଛାତ୍ରୀ। ଜୀବ ବିଜ୍ଞାନରେ ମହାମାରୀ ପରିଚାଳନା ଓ ଭୂଗୋଳରେ ବିପର୍ଯ୍ୟୟ ପରିଚାଳନା ବିଷୟ ସ୍ଥାନିତ କରିଥିଲେ ରାଜ୍ୟ ସରକାର। ନୂଆ ବିଷୟ ସାମିଲ ହେଉଥିବାରୁ ବହି ଯୋଗାଇବାକୁ ବୋର୍ଡକୁ ଲାଗୁଛି କି ଅଧିକ ସମୟ? ନାଁ ବହି ନଆସିବା ପଛରେ ରହିଛି ଆଉ କିଛି କାରଣ। ନୂଆ  ବହି ଆସିବାରେ ବିଳମ୍ବକୁ ନେଇ ଶିକ୍ଷକମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏ ସଂପର୍କରେ ତାଙ୍କ ପାଖରେ କୌଣସି ଖବର ନଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ତେବେ ଖବର ଆସିଲେ ନିଶ୍ଚୟ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।

ମହର୍ଷି ଗୁରୁକୁଳ ର ଲଗାତାର ସଫଳତା…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଆଜି +୨ ବିଜ୍ଞାନ ଫଳାଫଳ ବାହାରିଛି । ସ୍ଥାନୀୟ ଗୁଣୁପୁର ର ମହର୍ଷି ଗୁରୁକୂଳ ର ଛାତ୍ର ଛାତ୍ରୀ ମାନେ ବାଜିମାତ କରିଛନ୍ତି । ଅନୁଷ୍ଠାନ ରୁ ମୋଟ ୨୨୧ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୨୦୬ ଜଣ ପ୍ରଥମ ସ୍ଥାନ ଓ ୧୫ ଜଣ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସମଗ୍ର ଜିଲ୍ଲା ରେ ୧୦ ଜଣ ୯୦ ପ୍ରତିଶତ ନମ୍ବର ରଖିଛନ୍ତି ସେଥିମଧ୍ୟରୁ ଅନୁଷ୍ଠାନ ପକ୍ଷରୁ ସର୍ବାଧିକ ୭ ଜଣ ୯୦ ପ୍ରତିଶତ ନମ୍ବର ରଖିଛନ୍ତି । ଜିଲ୍ଲାର ଟୋପ ୧୦ ରେ ୮ ଜଣ ଏହି ଅନୁଷ୍ଠାନ ରୁ ସଫଳତା ହାସଲ କରିଛନ୍ତି । ୩୩ ଜଣ ଛାତ୍ର ଛାତ୍ରୀ ୫୦୦ ରୁ ଅଧିକ ନମ୍ବର ରଖି ଅନୁଷ୍ଠାନ ର ଟେକ ବଜାୟ ରଖି ଛନ୍ତି । ଅନୁଷ୍ଠାନ ର ପଦ୍ମ ଲୋଚନ ମିଶ୍ର ୫୫୫ ନମ୍ବର ରଖି ଅନୁଷ୍ଠାନ ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅନୁଷ୍ଠାନ ର ପରିଚାଳନା କମିଟି ଏହି ସଫଳତାର ଶ୍ରେୟ ସବୁ ଛାତ୍ର ଛାତ୍ରୀ, ଅବିଭାବକ ଓ ଷ୍ଟାଫ ମାନଙ୍କ ପାଇଁ ବୋଲି କହିଛନ୍ତି ।ଏହି ସମଗ୍ର ଟିମ ର ଅକ୍ଲାନ୍ତ ପରିଶ୍ରମ ର ଫଳ ବୋଲୀ ମତ ପ୍ରକାଶ କରିଛନ୍ତି ।

ଗୁଣୁପୁର ବଂଶଧାରା ଆବାସିକ ବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା…!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡ ଜିଲ୍ଲା ଗୁଣୁପୁର ସଦର ମହକୁମା ସ୍ଥିତ ସ୍ଥାନୀୟ ବଂଶଧାରା ଆବାସିକ ବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ, ପରିଚାଳନା କମିଟି, ଅଧ୍ୟାପକ, ଅଧ୍ୟାପିକାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଅଭିଭାବକଙ୍କ ସହଯୋଗରେ ଆଜିର ଏହି ସଫଳତା ହୋଇପାରିଛି ବୋଲି ଅନୁଷ୍ଠାନର ସଭାପତି ଲକ୍ଷ୍ମୀ ନାରାୟଣ ମହାଙ୍କୁଡ ପ୍ରକାଶ କରିଛନ୍ତି । ବିଦ୍ୟାଳୟର ଜି ସାଇ ଶ୍ରୀ ସୁବୁଦ୍ଧି ସର୍ବାଧିକ (୫୭୦/୬୦୦) ୯୫% ପ୍ରତିଶତ ମାର୍କ ରଖି ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅନୁଷ୍ଠାନର ୬୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୦ ଜଣ ପ୍ରଥମ ସ୍ଥାନ ଏବଂ ୩ ଜଣ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ସମୁଦାୟ ୬୩ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୧୪ ଜଣ ଛାତ୍ର ଛାତ୍ରୀ ୫୦୦ ରୁ ଉର୍ଦ୍ଧ ମାର୍କ ରଖି ଅନୁଷ୍ଠାନର ଗୌରବ ବଢାଇଛନ୍ତି । ଅନୁଷ୍ଠାନର କର୍ତ୍ତୃପକ୍ଷ ଶତ ପ୍ରତିଶତର ଶ୍ରେୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା , ଅବିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଦେଇଛନ୍ତି । ଏହି ସଫଳତା ଅବସରରେ ସହର ର ବିଭିନ୍ନ ମହଲ, ବୁଦ୍ଧିଜୀବୀ ତଥା ବିଭିନ୍ନ ଛାତ୍ର ସଂଘଠନ ତତଫରୁ ଶୁଭେଛାର ସୁଅ ଛୁଟୁଛି।

ରାୟଗଡ ଜିଲ୍ଲା ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଏସୋସିଏସନ ର ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ରାୟଗଡ ଜିଲ୍ଲା ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଏସୋସିଏସନ ଗୁଣପୁର ବ୍ଲକ ତରଫରୁ ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଗୁଣପୁର ବ୍ଲକ ଆଇନ୍ ଉପଦେଷ୍ଟା ପ୍ରଦୀପ କୁମାର ଦାସ, ବ୍ଲକ ସଭାପତି ଜସ୍ଵ ଶ୍ଵିନୌ ମହାପାତ୍ର, ରାୟଗଡ ବିଜୁ ଶ୍ରମିକ ସଂଗଠନ ର ରାଜ୍ଯ ସମ୍ପାଦକ ନିରଞ୍ଜନ ପତ୍ର, ସନ୍ଧ୍ୟା ରାଣୀ ବାରିକ ଓ ଗୁଣପୁର ବ୍ଲକ ସଂଗଠନ ର୍ ସମସ୍ତ୍ ସଭ୍ୟା ଉପସ୍ଥିତ ଥିଲେ ଆଜିର ସଭାରେ ଅବସର ଗ୍ରହଣ କରିଥିବା କର୍ମଚାରୀ ମାନଙ୍କୁ ସରକାର ତରଫରୁ ସହାୟତା ପ୍ରଦାନ କରାଯାଉ ଥିବାରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।

ସମସ୍ତ୍ ସଭ୍ୟା ନକ୍ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ଅଣ୍ଡା ସମସ୍ୟା ଓ କେନ୍ଦ୍ର ରେ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏପରିକି ଦରମା ବୃଦ୍ଧି ଓ ସ୍ଥାୟୀ କାରଣ ସମ୍ପର୍କରେ ଆଲୋଚନା କରାଯିବା ସହ ସଂଗଠନ ମାଧ୍ୟମ ରେ ଅନ୍ୟନ୍ୟ ଦାବୀକୁ ସରକାର ନକ୍ ନିକଟରେ ଉପସ୍ଥାପିତ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଆଗାମୀ ବୈଠକ ଅଗଷ୍ଟ ୨୮ ରେ କରାଯାଇ ନୂତନ ନିଯୁକ୍ତି କର୍ମକର୍ତ୍ତା ଙ୍କୁ ଓ ଅବସର ଗ୍ରହଣ କରିଥିବା କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତ୍ତି ନିଆଗଲା ।