ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମୁହଁ ଖୋଲିଲେ ଓଲିଉଡ୍‌ ଅଭିନେତା ବାବୁଶାନ୍‌ ମହାନ୍ତିଙ୍କ ପତ୍ନୀ ତୃପ୍ତି ଶତପଥୀ। ନିଜ ସମ୍ପର୍କକୁ ନେଇ ବଖାଣିଲେ। ଖାରବେଳନଗର ଥାନାରେ ଏଫଆଇଆର୍‌ ଦେବା ପରେ ସେ ଗଣମାଧ୍ୟମକୁ କହିଛନ୍ତି, ଦୁଇ ବର୍ଷ ଧରି ଏ ଘଟଣା ଚାଲିଛି। ଏ କଥା ଜଣା ପଡ଼ିବା ପରେ ବୈବାହିକ ଜୀବନକୁ ସଜାଡ଼ିବା ପାଇଁ ମୁଁ ବହୁ ଚାନ୍ସ ଦେଇଛି। ମୁଁ ମୋ’ ଆଡୁ ବହୁବାର ଚେଷ୍ଟା କରିଛି। ଯେଉଁ ଗୁଡ୍‌ ଫ୍ରେଣ୍ଡ କଥା କୁହାଯାଉଛି, ତାହା ଗୁଡ୍‌ ଫ୍ରେଣ୍ଡ ନୁହେଁ। ବହୁ ସ୍ଥାନରେ ମୁଁ ସେମାନଙ୍କୁ ଧରିଛି। ୪ ଥର ସେମାନଙ୍କୁ ରେଡ୍‌ ହେଣ୍ଡେଡ୍‌ ଧରିଛି। ସିଏ ମୋର ଛୋଟ ବେଳର ସାଙ୍ଗ ହୋଇଥିବାରୁ ମୁଁ ତାଙ୍କୁ ବହୁ ବୁଝାଇଥିଲି। ମୁଁ ସେ ସମ୍ପର୍କକୁ ଫେରି ପାଇବା ପାଇଁ ଆଉ ଥରେ ଚାନ୍ସ ଦେବାକୁ ରେଡ୍ଡି ଅଛି। ମୋର ଛୋଟ ଛୁଆଟିଏ ଅଛି ବୋଲି ତୃପ୍ତି କହିଛନ୍ତି। ଆଜି ସକାଳେ ବାବୁଶାନ ଓ ତାଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଟିଏ ଗାଡ଼ିରେ ଦେଖି ରାସ୍ତାରେ ଚିହିଁକି ଉଠିଥିଲେ ତୃପ୍ତି। ରାସ୍ତା ଉପରେ ସେ ବାବୁସାନଙ୍କ ସାର୍ଟ ଧରି ଝିଙ୍କିବା ସହ ଅଭିନେତ୍ରୀ ପ୍ରକୃତିଙ୍କ ଚୁଟି ଟାଣି ଗୋଡ଼ାଇ ଥିଲେ। ଯାହାର ଭିଡିଓ ଭାଇରାଲ୍‌ ହୋଇଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରକୃତିଙ୍କ ବାପା ତଥା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଓ ତାଙ୍କ ମାଆ ଖାରବେଳନଗର ଥାନାରେ ଏତଲା ଦେଇଥିଲେ। ତୃପ୍ତିଙ୍କ ବାପା ଲଳିତ ଶତପଥୀ ଓ ତାଙ୍କ ଝିଅ ଗୁଣ୍ଡାଙ୍କୁ ଧରି ମୋ’ ଝିଅକୁ ଫିଜିକାଲି ଆସଲ୍‌ଟ କରିଛନ୍ତି। ଝିଅକୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଥିଲେ ମନ୍ମଥ ମିଶ୍ର। ଆଜି ଅପରାହ୍ନରେ ବାବୁଶାନଙ୍କ ମାଆ ଅପରାଜିତା ମହାନ୍ତି ବୋହୂ ରହୁଥିବା ଘରକୁ ଯାଇଥିଲେ। ସେଠାରୁ ବୋହୂକୁ ଧରି ଖାରବେଳନଗର ଥାନା ଯାଇଥିଲେ ଅପରାଜିତା। ତୃପ୍ତି ଓ ଅପରାଜିତାଙ୍କ ସହ ତୃପ୍ତିଙ୍କ ମାଉସୀ ମଧ୍ୟ ଯାଇଥିଲେ। ତୃପ୍ତି ଓ ପ୍ରକୃତିଙ୍କ ଅଭିଯୋଗ ଆଧାରରେ କମିଶନରେଟ୍‌ ପୁଲିସ ଦୁଇଟି ମାମଲା ରୁଜୁ କରିଛି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ସେପଟେ ବୋହୂଙ୍କ ସପକ୍ଷରେ ବାହାରିଛନ୍ତି ଉତ୍ତମ ମହାନ୍ତି। ସେ କହିଛନ୍ତି, ମୋ ବୋହୂ ତୃପ୍ତି ବହୁତ ଭଲ। ବାବୁସାନ ଓ ତୃପ୍ତି ପରସ୍ପରକୁ ବହୁତ ଭଲ ମଧ୍ୟ ପାଆନ୍ତି। ତେବେ ପ୍ରକୃତି ମିଶ୍ର ସହ ସଂପର୍କକୁ ନେଇ ତୃପ୍ତି ପାଖରେ ପ୍ରମାଣ ଥାଇପାରେ। ତୃପ୍ତି ବହୁତ ଭଲ ଛାତ୍ରୀ। ଅଭିନୟ ସହ କୌଣସି ସଂପର୍କ ନାହିଁ। ଚଳଚ୍ଚିତ୍ରର ରୋମାଣ୍ଟିକ ଦୃଶ୍ୟ ଆଦିକୁ ସେ ଭଲ ପାଏ ନାହିଁ ବୋଲି କହିଛନ୍ତି ଉତ୍ତମ ମହାନ୍ତି।

ହାଇକୋର୍ଟ ସ୍ଥାୟୀ ବେଂଚ ; ନିଜ ମୁଣ୍ଡରେ ଦୋଷ ଖସାଇଲେ ରାଜ୍ୟ ସରକାର…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗ ଆଜି ଏକ ନୂଆ ମୋଡ଼ ନେଇଛି । ସ୍ଥାୟୀ ବେଂଚ ସ୍ଥାପନ ପାଇଁ ହାଇକୋର୍ଟଙ୍କ ସହ ବିଚାରବିମର୍ଶ କରି ବିଧିବଦ୍ଧ ଭାବେ ପ୍ରସ୍ତାବ ପଠାଇବାକୁ କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜ୍ଜୁ ଗତ ମେ’ ମାସରେ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିବା ବେଳେ ଆଜି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ବିଧାନସଭାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଏ ସମ୍ପର୍କରେ ନିଷ୍ପତ୍ତି ଗତ ଅଧିକାର କେନ୍ଦ୍ର ସରକାର ଓ ହାଇକୋର୍ଟଙ୍କ ପରିସରଭୁକ୍ତ ବୋଲି କହି ପରୋକ୍ଷରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ କିଛି ଭୂମିକା ନାହିଁ ବୋଲି ଦର୍ଶାଇବାକୁ ଚାହିଁଛନ୍ତି । ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଗଣେଶରାମ ସିଂ ଖୁଣ୍ଟିଆଙ୍କ ଏ ସଂକ୍ରାନ୍ତ ଦୁଇଟି ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ ଆଇନ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ, କେଉଁ ହାଇକୋର୍ଟଙ୍କ ସ୍ଥାୟୀ ବେଂଚ ସ୍ଥାପନ ହେବ ତାହା ଭାରତ ସରକାର ଓ ହାଇକୋର୍ଟଙ୍କ ଅଧିକାର ପରିସରଭୁକ୍ତ । ହାଇକୋର୍ଟ ବେଂଚ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଅଂଚଳରୁ ଦାବିପତ୍ର ମାନ ପାଇଛନ୍ତି । ରାଜ୍ୟର କୌଣସି ସ୍ଥାନରେ ବା ଅଂଚଳରେ ସ୍ଥାୟୀ ବେଂଚ ଖୋଲିବା କେନ୍ଦ୍ର ସରକାର ଓ ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତିଗତ ଅଧିକାର ପରିସରଭୁକ୍ତ ବୋଲି ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି । ଯଦିଓ ବିଧାୟକ ଶ୍ରୀ ପାଣିଗ୍ରାହୀ ସିଧାସଳଖ ବ୍ରହ୍ମପୁରରେ ସ୍ଥାୟୀ ବେଂଚ ସ୍ଥାପନ ଦିଗରେ କାହିଁକି ବିଳମ୍ବ ହେଉଛି ଓ ସରକାର କ’ଣ ପଦକ୍ଷେପ ନେଇଛନ୍ତି ତାହା ଜାଣିବାକୁ ଚାହିଁଥିବାବେଳେ ବିଧାୟକ ଶ୍ରୀ ଖୁଣ୍ଟିଆ ଲୋକଙ୍କ ସୁବିଧା ଦୃଷ୍ଟିରୁ କେଉଁ ସ୍ଥାନରେ ବେଂଚ ସ୍ଥାପନ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି ଜାଣିବାକୁ ଚାହିଁଥିଲେ । ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ଭାଗରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ନିମନ୍ତେ ଦାବି ହେଉଥିବାବେଳେ ବିଜେଡି ସରକାର ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗକୁ ଝୁଲାଇ ରଖିଛି । ସ୍ଥାୟୀ ବେଂଚ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟଙ୍କ ସହ ବିଚାରବିମର୍ଶ କରି ରାଜ୍ୟପାଳଙ୍କ ସୁପାରିଶ ଆଧାରରେ ଏକ ବିଧିବଦ୍ଧ ପ୍ରସ୍ତାବ ପଠାଇବାକୁ କେନ୍ଦ୍ର ସରକାର ବାରମ୍ବାର ଗତ ଦୁଇ ଦଶନ୍ଧି ଧରି ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଥିଲେ ମଧ୍ୟ ଶାସକ ବିଜେଡି ନିଜର ରାଜନୀତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗକୁ ବିବାଦୀୟ କରି ରଖିଥିବା ଅଭିଯୋଗ ହେଉଛି ।

ଅନୁସୂଚିତ ଜନଜାତିରେ ୧୬୯, ପଛୁଆ ବର୍ଗରେ ୪୬ ଜାତି ସାମିଲ ଅପେକ୍ଷାରେ ; ମନ୍ତ୍ରୀ ଜାଣିନାହାନ୍ତି ଅନୁସୂଚିତ ଜାତି ସଂଖ୍ୟା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟରେ ୧୬୯ଟି ସମୁଦାୟ ଏବେ ଅନୁସୂଚିତ ଜନଜାତି ବର୍ଗରେ ଓ ୪୬ଟି ଜାତି ପଛୁଆ ବର୍ଗ ତାଲିକାରେ ସାମିଲ ହେବାକୁ ଆବେଦନ କରିଛନ୍ତି । ଆଉ ଏପଟେ ରାଜ୍ୟରେ କେତେ ସଂଖ୍ୟକ ଜାତି ଏବେ ଅନୁସୂଚିତ ଜାତି ବର୍ଗରେ ଅଛନ୍ତି ତାହା ରାଜ୍ୟ ଅନୁସୂିଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଜଣାନାହିଁ । ଏପରିକି ବିଧାନସଭାରେ ସେ ଏ ସଂକ୍ରାନ୍ତରେ ଭିନ୍ନ ଭିନ୍ନ ତଥ୍ୟ ରଖିବାକୁ ପଛାଇ ନାହାନ୍ତି । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଅନୁସୂଚିତ ଜାତି ସଂଖ୍ୟା ୯୧ ବୋଲି କହିଥିବାବେଳେ ବିଜେଡି ବିଧାୟକ ମନୋହର ରନ୍ଧାରୀଙ୍କୁ ୯୩ଟି ଜାତି ଅନୁସୂଚିତ ଜାତି ତାଲିକାରେ ସାମିଲ ଥିବା କହିଛନ୍ତି । ଅନୁସୂଚିତ ଜାତି,ଜନଜାତି ଉନ୍ନୟନ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ମନ୍ତ୍ରୀ ଶ୍ରୀ ସାରକା ଆଜି ବିଧାନସଭାରେ ବିଧାୟକ ପ୍ରଫୁଲ୍ଲ ସାମଲ, ତାରାପ୍ରସାଦ ବାହିନୀପତି, ମନୋହର ରନ୍ଧାରୀ, ରମେଶ ଚନ୍ଦ୍ର ସାଏଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ଏବେ ୧୬୯ଟି ସମ୍ପ୍ରଦାୟ ଅନୁସୂଚିତ ଜନଜାତି ତାଲିକାଭୁକ୍ତ ହେବା ପାଇଁ ଆବେଦନ କରି ପ୍ରତୀକ୍ଷାରେ ଅଛନ୍ତି । ରାଜ୍ୟ ସରକାର ସୁପାରିଶ କରିଥିବା ୧୬୯ଟି ପ୍ରସ୍ତାବର ପୁନର୍ବିଚାର କରି ଯଥାଶୀଘ୍ର ସେମାନଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ଫେବୃୟାରୀ ୧୯ତାରିଖରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହାପରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ପରିସରରେ ଏକ ସଭା ଅନୁଷ୍ଠିତ ହୋଇ ୧୬୯ଟି ସମୁଦାୟ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଉକ୍ତ ସମ୍ପ୍ରଦାୟଗୁଡ଼ିକ ଉପରେ ଗବେଷଣା ରିପୋର୍ଟକୁ ୨୦୨୨ ମେ’ ୨୫ତାରିଖରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟକୁ ପଠାଯାଇଛି । ସେହିପରି ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ, ରାଜ୍ୟ ପଛୁଆବର୍ଗ ତାଲିକାରେ ସାମିଲ ହେବା ପାଇଁ ୪୬ଟି ଜାତି ଏବେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗଙ୍କ ନିକଟରେ ଆବେଦନ କରିଛନ୍ତି । ଉକ୍ତ ଆବେଦନଗୁଡ଼ିକ ଉପରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ରାଜ୍ୟରେ ଏବେ ମୋଟ ୧୯୮ଟି ଜାତି ଅନ୍ୟାନ୍ୟ ପଛୁଆ ବର୍ଗରେ ସାମିଲ ଥିବାବେଳେ ୬୨ଟି ସମୁଦାୟ ଅନୁସୂଚିତ ଜନଜାତି ତାଲିକାରେ ଓ ୯୧ଟି ଜାତି ଅନୁସୂଚିତ ଜାତି ତାଲିକାରେ ସାମିଲ ଅଛନ୍ତି । ତେବେ ମନୋହର ରନ୍ଧାରୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ଏବେ ୯୩ଟି ଜାତି ଅନୁସୂଚିତ ଜାତି ତାଲିକାରେ ଥିବାବେଳେ ୫ଟି ସଂଖ୍ୟାଲଘୁ ସମୁଦାୟ ଅଛନ୍ତି । ତେବେ ପ୍ରଶ୍ନ ଉଠୁଛି, ବିଧାନସଭାରେ ମନ୍ତ୍ରୀ ଶ୍ରୀ ସାରକା କିଭଳି ଅନୁସୂଚିତ ଜାତି ସଂଖ୍ୟାକୁ ଭିନ୍ନ ଭିନ୍ନ ବୋଲି ନିଜ ଦଳର ଦୁଇ ବିଧାୟକଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ବିଧାନସଭାରେ ଏଭଳି ବିଭ୍ରାନ୍ତିକର ଉତ୍ତର ଦେବା ପୂର୍ବରୁ କାହିଁକି ତାକୁ ଯାଂଚ କରାଯାଇ ନଥିଲା ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ।

କଲେଜ ଛାତ୍ରୀମାନଙ୍କୁ ସଚେତନ କରିବ ‘ସାଥୀ’…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କଲେଜ ଛାତ୍ରୀ ଓ କିଶୋରୀମାନଙ୍କୁ ମାନସିକସ୍ତରରେ ସୁଦୃଢ଼ କରି ସମାଜରେ ଜଣେ ଲେଖାଏଁ ସୁନ୍ଦର ନାଗରିକ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଏକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ସହଯୋଗରେ ସାମାଜିକ ସଂଗଠନ ବିଚାର ଭାରତୀ ଟ୍ରଷ୍ଟ ଦ୍ୱାରା ‘ସାଥୀ’ ନାଁରେ ଏହି ସଚେତନତା କାର୍ଯ୍ୟକ୍ରମ ଶନିବାର ଭୁବନେଶ୍ୱରସ୍ଥିତ ମହର୍ଷି ମହିଳା କଲେଜରେ ଆରମ୍ଭ ହୋଇଛି ଓ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୩୬ଟି କଲେଜରେ ଏହି ସଚେତନତା ଅଭିଯାନ ଚାଲିବ ବୋଲି ଜଣାପଡ଼ିଛି । ଶନିବାର ମହର୍ଷି ମହିଳା କଲେଜର ପ୍ରାୟ ୨୦୦ ଛାତ୍ରୀ ଓ ଅଧ୍ୟାପିକାମାନଙ୍କ ଉପସ୍ଥିତିରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜ ଛାତ୍ରୀମାନଙ୍କୁ ସଂଗଠନ ପକ୍ଷରୁ ମନସ୍ତତ୍ତ୍ୱବିତ୍ , ପୁଲିସ ଅଧିକାରୀ, ଡାକ୍ତର, ସରକାରୀ ଅଧିକାରୀମାନଙ୍କ ଏକ ଟିମ୍ ବାଲ୍ୟ ବିବାହ, ଲିଙ୍ଗଗତ ଭେଦଭାବ, ଘରୋଇ ହିଂସା, ସାଇବର ଅପରାଧ ଓ ରାଗିଂ ଆଦିକୁ ନେଇ ସମାଜରେ ଘଟୁଥିବା ଘଟଣାବଳୀ ଓ ଏହାକୁ କିଭଳି ମୁକାବିଲା କରାଯିବ ତାହା ଉପରେ ସଚେତନ କରାଇଥିଲେ । ଛାତ୍ରୀମାନଙ୍କ ସହ ମଧ୍ୟ ଏସବୁ ପ୍ରସଙ୍ଗରେ ଭାବ ବିନିମୟ ହୋଇଥିଲା । ‘ସାଥୀ’ କାର୍ଯ୍ୟକ୍ରମର ମୁଖ୍ୟ ତଥା ସଂଗଠନର ସମ୍ପାଦିକା ପ୍ରୀତିଛନ୍ଦା ଧଳ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଖୋର୍ଦ୍ଧା ଜିଲ୍ଲାର ୩୬ଟି କଲେଜରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ । ମନସ୍ତତ୍ତ୍ୱବିତ୍‌, ପୁଲିସ ଅଧିକାରୀ, ଡାକ୍ତର, ସରକାରୀ ଅଧିକାରୀ ଓ ବିଶେଷଜ୍ଞମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି । ଯେଉଁମାନେ ଛାତ୍ରୀମାନଙ୍କ ସହ ସିଧାସଳଖ ଭାବ ବିନିମୟ କରି ସେମାନଙ୍କୁ ସଚେତନ କରାଇବେ । ସେମାନଙ୍କର କିଛି ସମସ୍ୟା ଥିଲେ ତା’ର ସମାଧାନ ଖୋଜିବାରେ ସହଯୋଗ କରିବେ । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ରାଜ୍ୟର ଅନ୍ୟ ଭାଗରେ ମଧ୍ୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ ମହର୍ଷି ମହିଳା ଜୁନିୟର କଲେଜ ପ୍ରିନ୍ସିପାଲ ଗୀତାଶ୍ରୀ ମିଶ୍ର, ଡିଗ୍ରୀ କଲେଜ ପ୍ରିନ୍ସିପାଲ ପତିତପାବନ ସ୍ୱାଇଁ , ଆସିଷ୍ଟାଣ୍ଟ କଲେକ୍ଟର ଓଏଏସ୍ ଜ୍ୟୋସ୍ନା ପାତ୍ର ,ସମାଜସେବୀ ନମ୍ରତା ଚଢ଼ା ପ୍ରମୁଖ ସାମିଲ ହୋଇଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ୬୦ହଜାର ଏକରରୁ ଅଧିକ ଜମି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବିଶ୍ୱପ୍ରସିଦ୍ଧ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ମୋଟ୍ ୬୦ହଜାର ୮୨୨ଏକର ୧୯୫ଡିସିମିଲ୍ ଜମି ଥିବାବେଳେ ଏଥିରୁ ୩୯୫ଏକର ୨୫୨ ଡିସିମିଲ୍ କେବଳ ରାଜ୍ୟ ବାହାରେ ବୋଲି ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି । ଆଇନ ମନ୍ତ୍ରୀ ଶ୍ରୀ ସାରକା ଶନିବାର ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଉମାକାନ୍ତ ସାମନ୍ତରାୟ ଓ ଦାଶରଥୀ ଗମାଙ୍ଗଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ କହିଥିଲେ, ଓଡ଼ିଶା ଭିତରେ ଓ ବାହାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମୋଟ ୬୦ହଜାର ୮୨୨ଏକର ୧୯୫ ଡିସିମିଲ ପରିମିତ ଜମି ରହିଥିବାର ତଥ୍ୟ ସଂଗ୍ରହ ହୋଇଛି । ତେବେ ଏଥିରୁ ଏପର୍ଯ୍ୟନ୍ତ ମାତ୍ର ୩୫ହଜାର ୩୨୧ଏକର ୪୩୩ ଡିସିମିଲ୍ ପରିମିତ ଜମିର ସଂଶୋଧିତ ସତ୍ତ୍ୱଲିପି ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ମିଳିଛି । ମହାପ୍ରଭୁଙ୍କର ୬୧୩ ଏକର ୪୧୭ ଡିସିମିଲ ପରିମିତ ଜମିକୁ ବେଆଇନ ଭାବେ ଅବରୋଧ କରିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରାଯାଇ ସେହି ବେଆଇନ ଅବରୋଧକୁ ଉଚ୍ଛେଦ କରାଯିବା ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ଆଇନର ଧାରା-୧୬(କ)ରେ ସମ୍ପୃକ୍ତ ତହସିଲଦାରଙ୍କ ପାଖରେ ବେଆଇନ ଅବରୋଧକାରୀଙ୍କ ବିରୁଦ୍ଧରେ ମୋଟ ୯୬୬ଟି ମାମଲା ରୁଜୁ ହୋଇଛି । ସେଥିରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ମିଳିତ ଉଦ୍ୟମରେ ୪ଟି ମୌଜା ଭଁସର, କନ୍ତିଆ, ବୁଢ଼ାପଡ଼ା ଓ କୁଦିଆରୀସ୍ଥିତ ଶ୍ରୀଜୀଉଙ୍କର ୪୪୮ଏକର ୪୦୬ ଡିସିମିଲ ଜମିକୁ ଜବରଦଖଲମୁକ୍ତ କରାଯାଇଛି । ଅବଶିଷ୍ଟ ଜମିକୁ ଜବରଦଖଲମୁକ୍ତ କରିବା ପାଇଁ ପ୍ରଚେଷ୍ଟା ଚାଲିଛି । ସେହିପରି ବିଧାୟକ ଶ୍ରୀ ସାମନ୍ତରାୟଙ୍କୁ ଲିଖିତ ଭାବେ ମନ୍ତ୍ରୀ ଶ୍ରୀ ସାରକା ଦର୍ଶାଇଛନ୍ତି ଯେ, ଓଡ଼ିଶାର ୨୪ଟି ଜିଲ୍ଲାରେ ସାବିକ ବନ୍ଦୋବସ୍ତ ରେକର୍ଡକୁ ଭିତ୍ତିକରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୬୦ହଜାର ୪୨୬ଏକର ୯୪୩ଡିସିମିଲ ଜମି ରହିଥିବା ତଥ୍ୟ ସଂଗ୍ରହ କରାଯାଇଛି । ଓଡ଼ିଶା ବାହାରେ ୬ଟି ରାଜ୍ୟରେ ୩୯୫ଏକର ୨୫୨ ଡିସିମିଲ୍ ଜମି ରହିଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିୟୋଜିତ କର୍ମଚାରୀ ଓ ଅଧିକାରୀମାନଙ୍କ ଦ୍ୱାରା ସରଜମିନ୍ ତଦନ୍ତ କରାଯାଇ ଜମି ବ୍ୟବହାର କରୁଥିବା ଲୋକଙ୍କଠୁ ବାର୍ଷିକ ରାଜଭାଗ ଆଦାୟ କରାଯାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ରେକର୍ଡଭୁକ୍ତ ଜମିକୁ ବେଆଇନ ଭାବେ ଦଖଲ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ୭ଟି ଜିଲ୍ଲାରେ ମୋଟ ୯୬୬ଟି ବେଆଇନ ଅବରୋଧ ମକଦ୍ଦମା ମାମଲା ଦାଏର କରାଯାଇଛି । ମହାପ୍ରଭୁଙ୍କ ଭୂସମ୍ପତ୍ତି ବିଭିନ୍ନ କିସମରେ ଥାଇ ରାଜ୍ୟର ବିଭିନ୍ନ ସହର ଓ ଗାଁରେ ଥିବାରୁ ଏହାର ସଠିକ୍ ମୂଲ୍ୟ ଆକଳନ କରାଯିବା ସମ୍ଭବପର ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ।