ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞ।ନ ମନ୍ଦିର ଖୋଲିବା ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

!!! ଗୁଣପୁର ରୁ ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ସରସ୍ୱତୀ  ଶିଶୁ  ବିଦ୍ୟା ମନ୍ଦିର ଗୁଣପୁର ରେ ଆସନ୍ତା  ଶିକ୍ଷା ବର୍ଷରୁ ଜ୍ଞ।ନମନ୍ଦିର  (+୨) ଖୋଲିବା ନିମନ୍ତେ ପୂର୍ବ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଥିଲା  । ଉକ୍ତ ବୈଠକରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମାନ୍ୟଗଣ୍ୟ  ବିଜ୍ଞ ବ୍ୟକ୍ତି  ଯଥା ଶ୍ରୀ  ମନୋରଞ୍ଜନ  ରଥ , ଶ୍ରୀ  ଗଣେଶ୍ଵର  ଶତପଥୀ , ଶ୍ରୀ  ନୀଳ ମାଧବ ଦାସ , ଶ୍ରୀ  ପ୍ରଭାତ କୁମାର ମହାପାତ୍ର , ବି ଲକ୍ଷ୍ମୀ ନାରାୟଣ , ଲଳିତ କୁମାର  ବୈଦ୍ୟଭୂଷଣ ,  ଶ୍ରୀ ନନ୍ଦିକେଶ୍ୱର  ଚୌଧୁରୀ (ଜିଲ୍ଲା  ସଙ୍ଘ  ଚାଳକ)  , ଦିଲ୍ଲୀପ କୁମାର ପଣ୍ଡା ଓ ପରିଚାଳନା  ସମିତିର  ସମସ୍ତ  ସଦସ୍ୟ  ଯଥା ଶ୍ରୀ ବି  ଗଜପତି  ରାଓ ,   ଶ୍ରୀ ସୋମନାଥ ଗୌଡ , ଶ୍ରୀ ମୀନକେତନ  ପଣ୍ଡା ,  ଶ୍ରୀ ମୋହନ ଚନ୍ଦ୍ର ସାହୁ , ଶ୍ରୀ ପି ଗୋବିନ୍ଦ  ରାଓ ସଦସ୍ୟା  ଶ୍ରୀମତି ପ୍ରତିଭା  ରଥ  , ପ୍ରଧାନ ଆଚାର୍ଯ୍ୟ  ଶ୍ରୀ  ପ୍ରଫୁଲ୍ଲ କୁମାର ଶତପଥୀ ଓ ଆଚାର୍ଯ୍ୟ  ପ୍ରତିନିଧି  ଶ୍ରୀ ପରିତ୍ରାଣ  ମହାପାତ୍ର  ଉପସ୍ଥିତ ରହିଥିଲେ ।

ବଡମସିଂ ବାସୀଙ୍କ ଦୁଃଖ ବଳସେବା ନଦୀ ।

!!! ଗୁଣପୁର ରୁ ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ପୁଟାସିଂ ଗ୍ରାମ ପଞ୍ଚାୟତ ବଡମସିଂ ବାସୀଙ୍କ ଦୁଃଖ ପାଲଟିଛି ଏହି ଗ୍ରାମଦେଇ ପ୍ରବାହିତ ହେଉଥିବା ବଳସେବା ନଦୀ । ବର୍ଷାଦିନ ହେଲେ ଏହି ନଦୀ ଚାରି ଗୋଟି ପଞ୍ଚାୟତ କୁ ବିଚ୍ଛିନ୍ନ କରୁଛି । ନଦୀ ଉପରେ ସ୍ଥାୟୀ ପୋଲ ଟିଏ ନଥିବାରୁ ଲୋକେ ଭରା ନଦୀରେ ପସି ଯିବା ଆସିବା କରିବାକୁ ପଡୁଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଲାଞ୍ଜିଆ ସଉରା ଙ୍କ ଉନ୍ନତି ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇ ଏହି ପଞ୍ଚାୟତ ରେ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ଗଠନ ଜରାଯାଇଥିବା ସତ୍ୱେ ଏହି ଅଞ୍ଚଳ ଏବେବି ଅବହେଳିତ । ବାଇଶି ବର୍ଷ ସ୍ଥିର ସରକାର ଙ୍କ ଉନ୍ନତି କରଣ ଯୋଜନା ର ଏହା ଏକ ନଗ୍ନଦୃଶ୍ୟ କହିଲେ ଅତ୍ୟୁକ୍ତି ହେବନି । ନଦୀ ଉପରର ପୋଲ ଟିଏ ନିର୍ମାଣ ପାଇଁ ଅଞ୍ଚଳବାସୀ ବହୁବାର ସରକାର କଳ ର ଦ୍ୱାରସ୍ଥ ହୋଇଥିଲେ ବି ବର୍ତ୍ତମାନ ଯାଏଁ ଏମାନଙ୍କ ଦୁଃଖ କେହି  ବୁଝି ନାହାନ୍ତି ବୋଲି  ଅଭିଯୋଗ କରିଛନ୍ତି । ଦୁର୍ଗମ ଅଞ୍ଚଳ ଗସ୍ତ କରି ଗୁହାରି ବୁଝୁଥିବା ମାନ୍ୟବରା ଜିଲ୍ଲାପାଳ ଏହି ଅଞ୍ଚଳ ପ୍ରତି ଦୃଷ୍ଟି ଦେବାକୁ ସମାଜିଜ କର୍ମୀ ପରମ ଶବର ଅନୁରୋଧ କରିଛନ୍ତି ।

ମମତାଙ୍କ ମନ୍ତ୍ରୀ ଗିରଫ; ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଏଥର ସମ୍ଭାଳ ବ୍ୟୁରୋ (ପଶ୍ଚିମବଙ୍ଗ) –  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା ଲାଗିଛି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମମତାଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଶିକ୍ଷକ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗରେ ପାର୍ଥଙ୍କୁ ଇଡି ଗିରଫ କରିଥିବା ଜଣାପଡ଼ିଛି । ତେବେ ପାର୍ଥ ଚାଟାର୍ଜୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀମଣ୍ଡଳର ପୂର୍ବତନ ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ୱରେ ଥିଲେ । ସେହି ସମୟରେ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ହୋଇଥିଲା । ଏହା ଜଣାପଡ଼ିବା ପରେ ଇଡି ଏହାର ତଦନ୍ତ କରିଥିଲା । ପ୍ରଥମେ ପାର୍ଥଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିବା ସହ ଆଜି ଗିରଫ କରିଥିବା ଜଣାପଡ଼ିଛି । ଗୋଟିଏ ଦିନ ପୂର୍ବରୁ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢ଼ାଉ କରିଥିଲା ଇଡି । ଚଢ଼ାଉ ସମୟରେ ଅର୍ପିତାଙ୍କ ଘରୁ ପ୍ରାୟ ୨୦ କୋଟି ଟଙ୍କା ମିଳିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇଥିଲା ।

ଦ୍ରୌପଦୀ ମୁର୍ମୁ ଭାରତ ର ମହାମହିମ (ରାଷ୍ଟ୍ରପତି) ।

ଏଥର ସମ୍ଭାଳ ବ୍ୟୁରୋ (ଦିଲ୍ଲୀ) – ଭାରତୀୟ ଗଣତନ୍ତ୍ର ପାଇଁ ଗୁରୁବାର ଇତିହାସ ସୃଷ୍ଟି ହୋଇଛି। ପ୍ରଥମ ଥର ଜଣେ ଅନୁସୂଚିତ ଜାତି ବର୍ଗର ମହିଳା ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। କେବଳ ଭାରତ ନୁହେଁ; ଓଡ଼ିଶା ପାଇଁ ମଧ୍ୟ ଏହା ଅତ୍ୟନ୍ତ ଗୌରବର ବିଷୟ। ଦେଶର ପ୍ରଥମ ନାଗରିକ ହେବାରେ ୬୪ବର୍ଷୀୟା ଦ୍ରୌପଦୀ ପ୍ରଥମ ଓଡ଼ିଆ ଓ ସର୍ବକନିଷ୍ଠ। ଦ୍ରୌପଦୀ ଆସନ୍ତା ୨୫ରେ ଶପଥ ଗ୍ରହଣ କରିବେ। ଏଥିସହିତ ସେ ହେବେ ସ୍ବାଧୀନ ଭାରତରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି। ଦେଶର ପଞ୍ଚଦଶ ରାଷ୍ଟ୍ରପତି ପଦ ପାଇଁ ଗତ ୧୮ରେ ମତଦାନ ହୋଇଥିଲା। ଗୁରୁବାର ଏହାର ଗଣନା ସଂସଦ ଭବନର ୬୩ନମ୍ବର କୋଠରିରେ ହୋଇଥିଲା; ଯେଉଁଥିରେ ଦ୍ରୌପଦୀ ବିରୋଧୀ ଦଳର ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ବିପୁଳ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି। ରିଟର୍ଣ୍ଣିଂ ଅଫିସର ପି.ସି ମୋଦୀଙ୍କ ସୂଚନାନୁସାରେ ଇଲେକ୍‌ଟୋରାଲ କଲେଜର ମୋଟ ୩୨୧୯ ଯୋଗ୍ୟ ଭୋଟ୍‌; ଯାହାର ମୂଲ୍ୟ ୮ଲକ୍ଷ ୩୮ହଜାର ୮୩୯ ଥିଲାବେଳେ ସେଥିମଧ୍ୟରୁ ଦ୍ରୌପଦୀଙ୍କ ସପକ୍ଷରେ ମୋଟ ୨୧୬୧ ଖଣ୍ଡ ମିଳିଥିଲା। ଏହାର ମୂଲ୍ୟ ୫ଲକ୍ଷ ୭୭ହଜାର ୭୭୭ ଥିଲା। ଏହା ଧାର୍ଯ୍ୟ ୫୦ପ୍ରତିଶତ ଭୋଟ୍‌ରୁ ଯଥେଷ୍ଟ ଅଧିକ। ଅପରପକ୍ଷରେ ଯଶୋବନ୍ତଙ୍କୁ ମୋଟ ୧୦୫୮ ଖଣ୍ଡ ଭୋଟ ମିଳିଥିବାବେଳେ ଏହାର ମୂଲ୍ୟ ୨ଲକ୍ଷ ୬୧ହଜାର ୦୬୨ ରହିଛି ।  ମୋଟ ତିନି ପର୍ଯ୍ୟାୟ ଗଣତି ହୋଇଥିଲା ଓ ପ୍ରତିଟିଥିରେ ଦ୍ରୌପଦୀ ଆଗୁଆ ରହିଥିଲେ। ବାଲଟ ବାକ୍ସ ଖୋଲାଯିବା ପରେ ୧୫ ସାଂସଦଙ୍କ ଭୋଟ୍‌ ନାକଚ ହୋଇଥିବା ଜଣାପଡ଼ିଥିଲା। ସେହିପରି ୧୭ ସାଂସଦ ଓ ୧୧୩ ଜଣ ବିଧାୟକ କ୍ରସ୍‌ ଭୋଟିଂ କରିଥିଲେ। ମଧ୍ୟପ୍ରଦେଶ ଓ ଆସାମରୁ ପ୍ରାୟ ୨୦ପ୍ରତିଶତ କ୍ରସ୍‌ ଭୋଟିଂ ହୋଇଥିବା ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟ ଶେଷ ସୁଦ୍ଧା ଦ୍ରୌପଦୀଙ୍କୁ ୭୪୮ ସାଂସଦଙ୍କ ମଧ୍ୟରୁ ୫୪୦ଜଣଙ୍କ ଭୋଟ୍‌ ମିଳିଥିବାବେଳେ ଯଶୋବନ୍ତଙ୍କୁ ମିଳିଥିଲା ୨୦୮ ଭୋଟ୍‌। ସେହିଭଳି ଦ୍ବିତୀୟ ପର୍ଯ୍ୟାୟ ସୁଦ୍ଧା ମୁର୍ମୁଙ୍କ ୮୦୯ ଭୋଟ୍‌ ମିଳିଥିଲା; ଯାହାର ମୂଲ୍ୟ ଥିଲା ୧ଲକ୍ଷ ୫ହଜାର। ସେହିଭଳି ଯଶୋବନ୍ତଙ୍କୁ ୩୨୯ ଖଣ୍ଡ ଭୋଟ୍‌ ମିଳିଥିଲା; ଯାହାର ମୂଲ୍ୟ ଥିଲା ୪୪ହଜାର ୨୭୬ ।  ତୃତୀୟ ପର୍ଯ୍ୟାୟ ଗଣତିବେଳେ ମୁର୍ମୁଙ୍କୁ ୫୩ପ୍ରତିଶତ ଭୋଟ୍‌ ମିଳିବା ପରେ ତାଙ୍କ ବିଜୟ ସୁନିଶ୍ଚିତ ହୋଇଥିଲା। ଅପରାହ୍ଣ ୫ଟାରେ ଗଣତି ଶେଷ ହୋଇଥିଲା ଓ ସନ୍ଧ୍ୟା ୮ଟାରେ ଫଳାଫଳ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ ଯେ ନିର୍ବାଚନରେ ୯୯.୧୮ ପ୍ରତିଶତ ମତଦାନ ହୋଇଥିଲା। ମୋଟ ୭୭୧ ସାଂସଦ ଓ ୪୦୨୫ ବିଧାୟକଙ୍କୁ ମିଶାଇ ୪୭୯୬ ଇଲେକ୍‌ଟୋରାଲ କଲେଜ ସଦସ୍ୟ ମତଦାନ କରିଥିଲେ। ଦ୍ରୌପଦୀଙ୍କ ପ୍ରାର୍ଥିତ୍ବକୁ ୪୪ଟି ଓ ଯଶୋବନ୍ତଙ୍କୁ ୩୪ଟି ଦଳଙ୍କ ସମର୍ଥନ ମିଳିଥିଲା। ସେହିପରି ୧୦ଟି ରାଜ୍ୟରୁ ଦ୍ରୌପଦୀଙ୍କୁ ପୂର୍ଣ୍ଣ ସମର୍ଥନ ମିଳିଥିଲା। ଦ୍ରୌପଦୀ ସର୍ବାଧିକ ଭୋଟ୍‌ ପାଇଥିଲେ ମଧ୍ୟ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପ୍ରତି ପ୍ରାର୍ଥୀଙ୍କୁ ମିଳିଥିବା ଭୋଟ୍‌ର ମିଶ୍ରଣକୁ ଦୁଇରେ ବିଭକ୍ତ କରି ୧ ମିଶାଇବା ପରେ ବିଜୟ ଧାର୍ଯ୍ୟ ହେବ। ଅର୍ଥାତ୍‌ ବିଜୟୀ ପ୍ରାର୍ଥୀ ଅଧାରୁ ଅଧିକ ଭୋଟ୍‌ ପାଇଥିବା ଆବଶ୍ୟକ। ଏହି ସୂତ୍ର ଦ୍ରୌପଦୀଙ୍କ ସପକ୍ଷରେ ଯାଇଥିଲା। ଫଳାଫଳ ଘୋଷଣା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଦ୍ରୌପଦୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଦ୍ରୌପଦୀଙ୍କ ବିଜୟ ସହିତ ଭାରତ ଇତିହାସ ସୃଷ୍ଟି କରିଥିବା ସେ କହିଛନ୍ତି। ସେହିପରି ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଦ୍ରୌପଦୀଙ୍କ ପ୍ରତିଦ୍ବନ୍ଦ୍ବୀ ଯଶୋବନ୍ତ ସିହ୍ନା ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଦ୍ରୌପଦୀ ମୁର୍ମୁ ଏକାଧିକ ପ୍ରଥମ ରେକର୍ଡର ଅଧିକାରିଣୀ। ଓଡ଼ିଶାରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବାରେ ଯେମିତି ସେ ପ୍ରଥମ, ସେହିଭଳି ୨୦୧୫ରେ ଝାଡ଼ଖଣ୍ଡ ରାଜ୍ୟପାଳ ହେବାରେ ସେ ପ୍ରଥମ ମହିଳା। ଓଡ଼ିଶାରୁ ଜଣେ ଆଦିବାସୀ ରାଜ୍ୟପାଳ ହେବା ମଧ୍ୟ ପ୍ରଥମ ଥିଲା। ଦ୍ରୌପଦୀ ସାନ୍ତାଳୀ ସମ୍ପ୍ରଦାୟର ହୋଇଥିବାବେଳେ ସେ ଏନ୍‌ଏସି କାଉନ୍‌ସିଲର୍ ପଦରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରି ରାଷ୍ଟ୍ରପତି ପ୍ରାର୍ଥୀ ହେବାରେ ମଧ୍ୟ ପ୍ରଥମ। ପାଞ୍ଚ ବର୍ଷ ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା; କିନ୍ତୁ ରାମନାଥ କୋବିନ୍ଦଙ୍କ ମୁଣ୍ଡରେ ସେତେବେଳେ ଶିରପା ପିନ୍ଧା ଯାଇଥିଲା। ସେ ଦୃଷ୍ଟିରୁ ଚର୍ଚ୍ଚାର ପାଞ୍ଚ ବର୍ଷ ବ୍ୟବଧାନରେ ପ୍ରାର୍ଥୀ ତଥା ରାଷ୍ଟ୍ରପତି ହେବାରେ ମଧ୍ୟ ପ୍ରଥମ। ସେହିପରି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, “ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀକୁ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା। ସେ ପ୍ରଥମ ଆଦିବାସୀ ଭାବେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚିତ ହେବା ଆମ ପାଇଁ ଗର୍ବର ବିଷୟ।” ଏମାନଙ୍କ ବ୍ୟତୀତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜନାଥ ସିଂହ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ବିରୋଧୀ ମେଣ୍ଟର ଉପ ରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭା, ଲୋଭସଭା ବାଚସ୍ପତି ଓମ ବିର୍ଲା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ମେଘାଳୟ ମୁଖ୍ୟମନ୍ତ୍ରୀ କର୍ଣ୍ଣଡ ସାଙ୍ଗମା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କର, ନିର୍ମଳା ସୀତାରମଣ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରମୁଖ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି।

ରୋଗୀଙ୍କୁ ଦେଲେନି, ଔଷଧରେ ପୂରିଛି ମେଡିକାଲ ଅଫିସରଙ୍କ କୂଅ ।

ଏଥର ସମ୍ଭାଳ ବ୍ୟୁରୋ (ଫୁଲବାଣୀ) – ମେଡିକାଲ ଅଫିସରଙ୍କ ସରକାରୀ ବାସଭବନ। ବାସ ଭବନ ଭିତରେ ରହିଛି ଏକ କୂଅ। କୂଅ ଭିତରେ ଭରି ପଡ଼ିଛି ପୁଳାପୁଳା ମେଡିସିନ୍‌। ଜ୍ୱର, କାସ, ଝାଡ଼ା ପ୍ରଭୃତି ରୋଗ ପାଇଁ ଏହି ଔଷଧ ବ୍ୟବହାର ହୋଇଥାଏ। ବଟିକା ଠାରୁ ଆରମ୍ଭ କରି ସାଲାଇନ୍ ପର୍ଯ୍ୟନ୍ତ ଭଳିକି ଭଳି ଔଷଧ ରହିଛି। ସବୁ ଔଷଧ ଉପରେ ଓଡ଼ିଶା ସରକାର ଓ ବିକ୍ରୟ ପାଇଁ ନୁହେଁ ବୋଲି ଉଲ୍ଲେଖ କରାଯାଇଛି। ତେବେ ରୋଗୀଙ୍କୁ ନ ଦେଇ କୂଅରେ ଫୋପାଡ଼ି ଲକ୍ଷାଧିକ ଟଙ୍କାର ଔଷଧ ନଷ୍ଟ କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ବାରିକୁମ୍ପା ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସରଙ୍କ ସରକାରୀ ବାସଭବନ ପରିସରରେ ଥିବା ଏକ ପରିତ୍ୟକ୍ତ କୂଅରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ରୋଗୀମାନେ ଠିକଣା ସମୟରେ ଔଷଧ ଟିକିଏ ନ ପାଇ ଜୀବନ ହରାଉଥିବା ବେଳେ ଅନ୍ୟପଟେ ଡାକ୍ତରଖାନା ପରିଚାଳନାରେ ଥିବା ଡାକ୍ତର ଓ କର୍ମଚାରୀମାନେ ଔଷଧକୁ କୂଅରେ ଫୋପାଡ଼ି ନଷ୍ଟ କରିବା ସମାଲୋଚନାର ବିଷୟ ହୋଇଛି। କନ୍ଧମାଳ ଜିଲ୍ଲା ବାରିକୁମ୍ପା ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରହିଛି ମେଡିକାଲ ଅଫିସରଙ୍କ ସରକାରୀ ବାସଭବନ। କିନ୍ତୁ ଡାକ୍ତର ଏଠାରେ ରୁହନ୍ତି ନାହିଁ। ଏକମାତ୍ର ଫାର୍ମାସିଷ୍ଟ ମନହେଲେ ଡାକ୍ତରଖାନା ଖୋଲନ୍ତି, ନହେଲେ ନାହିଁ ତାଲା। ନା କେହି ଦେଖିବାକୁ ଅଛି, ନା କେହି କହିବାକୁ ଅଛି। ନିରୀହ ଆଦିବାସୀ ସରକାରୀ ବାବୁଙ୍କ ନାଲିଆଖି ଦେଖି ଚୁପ୍। ଏହି ଡାକ୍ତରଖାନାକୁ ଆସିଲେ ସେମାନଙ୍କୁ ଔଷଧ ମିଳେନା। ଏପରି ସ୍ଥିତିରେ ପ୍ରାୟ ୫୦ ଫୁଟ ଗଭୀର ଏହି ପରିତ୍ୟକ୍ତ କୂଅରେ ଗଦା ହୋଇଛି ବିଭିନ୍ନ ପ୍ରକାରର ମେଡ଼ିସିନ। କୂଅର ପ୍ରାୟ ୪୦ ଫୁଟ ମେଡ଼ିସିନରେ ହିଁ ପୋତି ହୋଇଯାଇଛି। ହଠାତ୍ କୌଣସି କାମରେ ଯାଇଥିବା ବେଳେ ଏଭଳି ଅଭାବନୀୟ ଦୃଶ୍ୟ ଗ୍ରାମବାସୀମାନଙ୍କ ନଜରରେ ପଡ଼ିଥିଲା। ପରେ ସେହି କୂଅରୁ କିଛି ମେଡ଼ିସିନ ବାହାର କରି ଦେଖିଥିଲେ। ଯେଉଁଥିରେ ସ୍ପଷ୍ଟ ଭାବେ ଲେଖା ରହିଛି ମେଡ଼ିସିନ ଗୁଡ଼ିକ ଓଡ଼ିଶା ଷ୍ଟେଟ ମେଡ଼ିସିନ କର୍ପୋରେସନ (OSMC)ତରଫରୁ ଯୋଗାଣ କରାଯାଇଛି। ମେଡ଼ିସିନ ଗୁଡ଼ିକ ବିକ୍ରୟ କରିବା ପାଇଁ ନୁହଁ। ଲୋକଙ୍କ ନିମନ୍ତେ ଉଦ୍ଧିଷ୍ଟ ବୋଲି ଉଲ୍ଲେଖ କରାଯାଇଛି। ସରକାର ଏହି ସବୁ ମେଡ଼ିସିନଗୁଡ଼ିକୁ ନିରାମୟ ଯୋଜନାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀଙ୍କୁ ମାଗଣାରେ ବଣ୍ଟନ କରିବା ପାଇଁ ଯୋଗାଇ ଦେଇଥିଲେ। କିନ୍ତୁ ରୋଗୀଙ୍କୁ ଏହି ସବୁ ମେଡ଼ିସିନ ଦିଆ ନ ଯାଇ ଲୁଚାଛପାରେ ନଷ୍ଟ କରାଯାଇଛି। ଯାହା ଭିତରୁ ଅନେକ ମେଡିସିନ୍‌ର ଏକ୍ସାପାରୀ ଡେଟ୍ ଚାଲି ଯାଇଥିବା ବେଳେ ଅନେକ ମେଡିସିନ୍ ଏକ୍ସାପାରୀ ହୋଇନାହିଁ। ଲୋକଙ୍କ କାମରେ ମେଡ଼ିସିନ ବ୍ୟବହାର ହୋଇଥିବା ସରକାରଙ୍କୁ ମିଛ ରିପୋର୍ଟ ଦେଇ ଡାକ୍ତରଖାନାର କର୍ମଚାରୀମାନେ ଏହି ମେଡିସିନ୍‌କୁ ଏଭଳି ନଷ୍ଟ କରିଦେଇଛନ୍ତି। ଲୋକେ ବାରମ୍ବାର ସମସ୍ୟା ବିଷୟରେ ଜଣାଇଲେ ମଧ୍ୟ ସମାଧାନ ହେଉନି। ସ୍ଥାନୀୟ ଅଞ୍ଚଳର ପ୍ରାୟ ୬ଟି ପଞ୍ଚାୟତବାସୀ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି। ମାତ୍ର ରୋଗୀଙ୍କ ଚିକିତ୍ସା ନିମନ୍ତେ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡାକ୍ତର ଠିକ୍ ଭାବେ ଆସୁନାହାନ୍ତି। ରୋଗୀମାନଙ୍କୁ ସଠିକ ଭାବେ ଚିକିତ୍ସା ମିଳୁନି। ବାରିକୁମ୍ପାର ଦୀନବନ୍ଧୁ ଗଣ୍ଡା ଓ ସୌରଭ କୁମାର ପ୍ରଧାନ କହିଛନ୍ତି, ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ଏହି ଡାକ୍ତରଖାନାରେ ଚିକିତ୍ସା କିମ୍ବା ଔଷଧ ମିଳୁନି। ମାତ୍ର ଏତେ ପରିମାଣର ମେଡ଼ିସିନକୁ ନଷ୍ଟ କରାଯାଇଛି। ଏହା ପଛରେ କିଏ କାମ କରୁଛି ତାର ଉଚ୍ଚସ୍ତରୀୟ ତଦନ୍ତ ହେବା ଉଚିତ୍। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରୀ। ଏ ନେଇ ପଚରାରିଥିଲେ ହେଁ ବାରିକୁମ୍ପା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଏବଂ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରିଦେଛନ୍ତି।

ହାଇସ୍କୁଲରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ବାଟ ଫିଟିଲା ।

ଏଥର ସମ୍ଭାଳ ବ୍ୟୁରୋ – (ଭୁବନେଶ୍ଵର) ହାଇସ୍କୁଲରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ବାଟ ଫିଟିଲା। ଠିକା ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଜାରି ୨୦୨୧ ମସିହାର ବିଜ୍ଞପ୍ତିକୁ ବିରୋଧ କରି ଦାୟର ସମସ୍ତ ମାମଲାକୁ ହାଇକୋର୍ଟ ଖାରଜ କରିବା ସହ ଅନ୍ତରୀଣ ରହିତାଦେଶ ହଟାଇଛନ୍ତି। ହାଇକୋର୍ଟଙ୍କ ରାୟ ପରେ ଖାଲି ଥିବା ଶିକ୍ଷକ ପଦବୀ ଖୁବଶୀଘ୍ର ପୂରଣ ପାଇଁ ବାଟ ଫିଟିଛି। ରାଜ୍ୟରେ ଖାଲି ପଡ଼ିଥିବା ଉଚ୍ଚ ବିଦ୍ୟାଳୟ ଶିକ୍ଷକ ପଦବୀ ପୂରଣ ପାଇଁ ୨୦୨୧ ମସିହା ଡିସେମ୍ବର ୨୩ ତାରିଖରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏଥିରେ ସଂରକ୍ଷଣ ନୀତିର ଉଲ୍ଲଂଘନ କରାଯିବା ସହ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ ବ୍ୟାପକ ଅନିୟମିତତା ଦର୍ଶାଇ ଏକାଧିକ ମାମଲା ଦାୟର ହୋଇଥିଲା। ଏହି ମାମଲାର ଶୁଣାଣି କରି ଗତ ମେ’ ୧୯ ତାରିଖରେ ମେରିଟ୍‌ ଲିଷ୍ଟ ପ୍ରକାଶ କରିବା ଉପରେ ହାଇକୋର୍ଟ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଥିଲେ। ମାମଲାର ଚୁଡାନ୍ତ ରାୟ ପ୍ରକାଶ କରି ସମସ୍ତ ଆବେଦନକୁ ହାଇକୋର୍ଟ ଖାରଜ କରିବା ସହ ପୂର୍ବରୁ ଜାରି ହୋଇଥିବା ସ୍ଥଗିତାଦେଶକୁ ହଟାଇଛନ୍ତି। 

ବାକି ଶୁଝିଲେନି ସରକାର, ଜିନିଷ ବୋହି ନେଲା କମ୍ପାନୀ …!

ଏଥର ସମ୍ଭାଳ ବ୍ୟୁରୋ – (ଭୁବନେଶ୍ଵର) ୧୨୦ କୋଟି ଟଙ୍କା ବାକି ସୁଝି ପାରିଲେନି ସରକାର। ଶେଷରେ ସରକାରୀ ଅଫିସରୁ ଦରକାରୀ ଉପକରଣ ନେଇଗଲା ସଂପୃକ୍ତ କମ୍ପାନୀ । ଏଥିନିମନ୍ତେ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଉପସ୍ଥିତ ଥିଲା ପୁଲିସ୍‌ ।  ଏପରି ଏକ ଘଟଣା ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଘଟିଛି । ଏହା କୌଣସି ଛୋଟ ମୋଟ କମ୍ପାନୀ କି କାର୍ଯ୍ୟାଳୟର ମାମଲା ନୁହେଁ । ଏଲଆଣ୍ଡଟି ଭଳି ଏକ ବଡ଼ ଘରୋଇ ନିର୍ମାଣକାରୀ କମ୍ପାନୀ ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଫିସରେ ପଶି ଏସି, କମ୍ପ୍ୟୁଟର, ଆଲମାରୀ ଓ ଟେବୁଲ ଆଦି ସାମଗ୍ରୀ ନେଇଯାଇଛି । ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଉପରେ ଏଲଆଣ୍ଡଟିର ୧୨୦ କୋଟି ଟଙ୍କା ବାକି ପଡିଛି । ୨୦୦୪ ରେ ସମ୍ବଲପୁରରୁ ରାଉରକେଲା ସଂଯୋଗ କରୁଥିବା ରାଜପଥ ନିର୍ମାଣ ପାଇଁ ଏଲଆଣ୍ଡଟିକୁ ୨୦ କୋଟି ଟଙ୍କା ଆରଆଣ୍ଡବି ବିଭାଗ ଦେବା ପାଇଁ ଫଇସଲା ହୋଇଥିଲା  । ଟଙ୍କା ନ ଦେବା ପାଇଁ ସରକାର ଜିଲ୍ଲା ଜଜ୍‌ଙ୍କଠାରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲେ । ହେଲେ ସୁପ୍ରିମକୋର୍ଟ ମାମଲା ଖାରଚ କଲେ । ସୁଧ ମୂଳ ମିଶି ୧୨୦ କୋଟି ହେବା ପରେ ମଧ୍ୟ ସରକାରଙ୍କ ଚେତା ପଶିଲା ନାହିଁ। ଶେଷରେ   ଖୋର୍ଦ୍ଧା ବାଣିଜ୍ୟ କର ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ କୋର୍ଟ କର୍ମଚାରୀମାନେ ଆସି ୯ ଟିଏସି , ୧୮ ଟି କମ୍ପ୍ୟୁଟର, ୧୫ ଟି ଆଲମୀରା ଓ ୯ଟି ଟେବୁଲ ଜବତ କରି ନେଇ ଯାଇଛନ୍ତି। ଏନେଇ କୌଣସି ସରକାରୀ ଅଧିକାରୀଙ୍କ ନିର୍ଦ୍ଦେଶ ମିଳିନାହିଁ।

କାଶୀପୁରରେ ଆଖି ବୁଜିଲେ ଆଉ ଜଣେ ହଇଜା ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୮ ଛୁଇଁଲା

ଏଥର ସମ୍ଭାଳ ବ୍ୟୁରୋ – (କାଶୀପୁର) ରାୟଗଡ଼ା ଜିଲ୍ଲା କାଶୀପୁରରେ ଝାଡ଼ାବାନ୍ତି ସ୍ଥିତି ଉଦବେଗଜନକ ରହିଛି। ପ୍ରଶାସନର ବହୁ ଚେଷ୍ଟା ସତ୍ତ୍ୱେ ପୁଣି ଜଣେ ଝାଡ଼ାବାନ୍ତି ଆକ୍ରାନ୍ତ ଆଖି ବୁଜିଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି। ମୃତକ ହେଲେ ଅର୍ଜୁନ ଜାନି । ତାଙ୍କ ଘର ଦୁଡ଼ୁକାବାହାଲ ପଞ୍ଚାୟତ ଡେଙ୍ଗାଗୁଡ଼ାରେ । କାଶୀପୁର ସ୍ଥିତିକୁ ନେଇ ଗୃହ ସରଗରମ ରହୁଥିବା ବେଳେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ ଉକ୍ତ ବ୍ଲକକୁ ଯିବାର କାର୍ଯ୍ୟକ୍ରମ ରହିଛି।ଗତ ୧୮ ତାରିଖରେ ହଇଜାରେ ଆକ୍ରାନ୍ତ ହୋଇଥିବା ଅର୍ଜୁନ ଚିକିତ୍ସିତ ପରେ ଘରକୁ ଫେରିଥିଲେ। ଏହାପରେ ପୁଣି ଥରେ ତାଙ୍କ ନିକଟରେ ସମାନ ଲକ୍ଷଣ ଦେଖାଯାଇଥିବା ବେଳେ ଆଜି ସକାଳେ ସେ ଆଖି ବୁଜିଛନ୍ତି। ଝାଡ଼ାବାନ୍ତି ଯୋଗୁ  ଅର୍ଜୁନଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଥିବା ବେଳେ  ପ୍ରଶାସନ ପକ୍ଷରୁ ଏ ନେଇ କିନ୍ତୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଦୂଷିତ ଝରଣା ପାଣି ହିଁ ରାୟଗଡ଼ା ଜିଲ୍ଲାର କାଶୀପୁରରେ ବ୍ୟାପିଥିବା ଝାଡ଼ାବାନ୍ତିର କାରଣ । ସେଠାରେ ଭିବ୍ରିଓ କଲେରା ବିଜାଣୁ ଠାବ ହୋଇଥିବା ବେଳେ ଏହାର ମୂଳ ସଂକ୍ରମଣ ପାଣି ଉତ୍ସରୁ ହିଁ ଆରମ୍ଭ ହୋଇଛି ବୋଲି କହିସାରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଏହାସତ୍ତ୍ୱେ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଣ ପାଇଁ ପ୍ରଶାସନ ପକ୍ଷରୁ ସେପରି ତତ୍ପରତା ପ୍ରକାଶ ପାଉ ନ ଥିବା ଅଭିଯୋଗ ହେଉଛି। ଏବେ ପ୍ରଶାସନ ପକ୍ଷରୁ କାଶୀପୁର ବ୍ଲକର ବିଭିନ୍ନ ଗ୍ରାମକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଇ ହେଉଥିଲେ ବି ତାହା ପର୍ଯ୍ୟାପ୍ତ ହେଉ ନାହିଁ । ଫଳରେ ଲୋକେ ପୁଣି ଥରେ ଝରଣାର ଦୂଷିତ ଜଳ ସଂଗ୍ରହ କରି ବ୍ୟବହାର କରୁଛନ୍ତି। ଏହାବାଦ କାଶୀପୁର ବ୍ଲକରେ ହଇଜା ବ୍ୟାପିଥିବା ବେଳେ ପ୍ରଶାସନ ପକ୍ଷରୁ ଉକ୍ତ ବ୍ଲକର ଟିକିରିରୁ ହିଁ ବୋରୱେଲରୁ ପାଣି ସଂଗ୍ରହ କରି ଟ୍ୟାଙ୍କର ଯୋଗେ ଲୋକଙ୍କୁ ଦିଆଯାଉଛି। ମାତ୍ର ତାହା କେତେ ବିଶୁଦ୍ଧ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିଥିବାରୁ ପୁଣି ଉକ୍ତ ଅଞ୍ଚଳରୁ ଜଳ ସଂଗ୍ରହ କରି ଲୋକଙ୍କୁ ଦେଲେ ଏହି ଚେନ୍‌ କିପରି ବ୍ରେକ୍‌ କରିବ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହଇଜା ଆକ୍ରାନ୍ତଙ୍କ ସଂଖ୍ୟାକୁ ନିୟନ୍ତ୍ରଣକୁ ଆଣିବାକୁ  କାଶୀପୁରରେ ୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି ।  ଗାଁକୁ ଗାଁ ବୁଲୁଛନ୍ତି ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀ । ମେଡ଼ିକାଲ୍ ଟିମ୍ ବି ମୁତୟନ ହୋଇଛନ୍ତି । ଏହାସତ୍ତ୍ୱେ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଯୋଗୁ ଲୋକେ ଛାନିଆ ହୋଇ ପଡ଼ିଛନ୍ତି।

ଆହୁରି ୩ ଦିନ ବର୍ଷିବ, ଆଜି ପାଇଁ ୮ଜିଲ୍ଲାକୁ ଅରେଞ୍ଜ ଓ ୭ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଏଥର ସମ୍ଭାଳ ବ୍ୟୁରୋ – ରାଜ୍ୟରେ ସକ୍ରିୟ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ତେବେ ଆଜି ରାଜ୍ୟର ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଓ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ  ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନ ଦିଆଯାଇଛି।ଏସ୍‌ଆରସିଙ୍କ ସୂଚନା ଅନୁସାରେ, ରାଜ୍ୟରେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।  ସେହିପରି ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେ ଜିଲ୍ଲାଗୁଡ଼ିକ ହେଲା କନ୍ଧମାଳ, ନୟାଗଡ଼, ଢେଙ୍କାନାଳ, ଅନୁଗୋଳ, ସମ୍ବଳପୁର, ଦେବଗଡ଼ ଓ କେନ୍ଦୁଝର। ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ୨୫ତାରିଖ ବେଳକୁ ବର୍ଷା ପରିମାଣ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଲଗାଣ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।