ଭୁବନେଶ୍ୱରରେ ସ୍ଥାପନ ହେବ ‘ସାଇନ୍ସ ସିଟି’…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଅନ୍ୟ ରାଜ୍ୟ ଢାଂଚାରେ ରାଜଧାନୀ ଭୁବନେଶ୍ୱରରେ ଏକ ସାଇନ୍ସ ସିଟି ସ୍ଥାପନ କରାଯିବ । ଏଥିପାଇଁ ରାଜ୍ୟ ସରକାର ରାଜଧାନୀର ଉପକଣ୍ଠରେ ୩୦ଏକର ଜମି ପ୍ରଦାନ କରିଛନ୍ତି ବୋଲି ରାଜ୍ୟ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ବିଧାନସଭାରେ ସୂଚନା ଦେଇଛନ୍ତି । ଆଜି ଗୃହରେ ମନ୍ତ୍ରୀ ଶ୍ରୀ ପଣ୍ଡା ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ଏକ ପ୍ରଶ୍ନର ଉତ୍ତର ରଖୁଥିବାବେଳେ ବାଚସ୍ପତିଙ୍କ ଅନୁମତି ନେଇ ଏହି ସୂଚନା ଦେଇଥିଲେ । ସେ କହିଥିଲେ, ଅନ୍ୟ ରାଜ୍ୟ ଢାଂଚାରେ ଭୁବନେଶ୍ୱରରେ ସାଇନ୍ସ ସିଟି ନିର୍ମାଣ କରାଯିବ । ଏହାସହିତ ପୁରୀରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ପ୍ରତିଷ୍ଠା କରାଯିବ । ପୁରୀରେ ବିଜ୍ଞାନ ପ୍ରଦର୍ଶନୀ ସମେତ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଶ୍ରୀମନ୍ଦିର ଐତିହ୍ୟ ଆଦି ସ୍ଥାନ ପାଇବ ।ସାତକୋଶିଆ ଅଂଚଳରେ ବାୟୋସ୍ପିୟର ମ୍ୟୁଜିୟମ୍ ମଧ୍ୟ ସ୍ଥାପନ କରାଯିବ । ବଡ଼ମ୍ବା-ନରସିଂହପୁର ଅଂଚଳର ସାତକୋଶିଆଠାରେ ରାଜ୍ୟ ସରକାର ଜୈବବିବିଧତାକୁ ନେଇ ଏକ ପ୍ରାକୃତିକ ସଂଗ୍ରହାଳୟ କରିବେ । ଏଥିରେ କଟକ, ଅନୁଗୋଳ ଓ ନୟାଗଡ଼ ଆଦି ଜିଲ୍ଲାକୁ ସାମିଲ କରାଯାଇଛି । ଏନେଇ ମଧ୍ୟ ଜାତୀୟ ବିଜ୍ଞାନ ପରିଷଦକୁ ସୂଚନା ଦିଆଇଥିବା ନେଇ ମନ୍ତ୍ରୀ ଶ୍ରୀ ପଣ୍ଡା ବିଧାନସଭାକୁ ଅବଗତ କରାଇଥିଲେ । ମନ୍ତ୍ରୀ ଶ୍ରୀ ପଣ୍ଡା ଆଜି ଏହି ସୂଚନା ନିଜ ଆଡ଼ୁ ଗୃହରେ ବାଚସ୍ପତିଙ୍କ ଅନୁମତି ନେଇ ରଖିଥିଲେ ।

ଧବଳେଶ୍ୱର ପୀଠକୁ କାଉଡ଼ିଆଙ୍କୁ ବାହୁଙ୍ଗି ବାରଣ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଏଥର ଶ୍ରାବଣ ମାସରେ କାଉଡ଼ିଆ ମାନେ ଧବଳେଶ୍ୱର ମନ୍ଦିର ଭିତରକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ। ସେମାନେ କେବଳ ମାନସିକ କଳସ ଓ ଭୋଗ ନେଇ ଭିତରକୁ ଯାଇପାରିବେ। ଆଜି ଏହି ସୂଚନା ଦେଇଛନ୍ତି ଆଠଗଡ଼ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ । ଉପ ଜିଲ୍ଲାପାଳ କହିଛନ୍ତି, ପ୍ରତିବର୍ଷ ଧବଳେଶ୍ଵର ପୀଠକୁ କାଉଡ଼ିଆ ମାନେ ଆସି ପ୍ରଭୁଙ୍କ ନିକଟରେ ଜଳ ଲାଗି କରିଥାନ୍ତି। ଏବର୍ଷ ମଧ୍ୟ କାଉଡ଼ିଆମାନେ ଆସିବେ। ସେମାନେ କିପରି ଶୃଙ୍ଖଳିତ ଦର୍ଶନ କରିବେ, ସେନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ହେଲେ ସମସ୍ତ କାଉଡ଼ିଆ ଭାଇ ମାନେ ଝୁଲା ପୋଲ ପୂର୍ବରୁ ବାହୁଙ୍ଗି ରଖିବେ। ସେଠାରେ ବାହୁଙ୍ଗି ରଖି କଳସ ଓ ଭୋଗ ଧରି ମନ୍ଦିର ଭିତରକୁ ଆସିବେ। ସେଠାରେ ପ୍ରଭୁଙ୍କ ନିକଟରେ ଜଳ ଲାଗି କରିବେ। ସୂଚନାଯୋଗ୍ୟ, ପ୍ରତିବର୍ଷ ଶ୍ରାବଣ ମାସରେ ଧବଳେଶ୍ଵର ପୀଠରେ  କାଉଡିଆଙ୍କ ଭିଡ଼ ଜମିଥାଏ। ବିଭିନ୍ନ ଜିଲ୍ଲାରୁ ହଜାର ହଜାର କାଉଡ଼ିଆ ଧବଳେଶ୍ଵର ପୀଠକୁ ଜଳ ଲାଗି କରିବାକୁ ଆସିଥାନ୍ତି।