ଜି ଆଇ ଇ ଟି ଵିଶ୍ଵ ବିଦ୍ୟାଳୟ ଗୁଣୁପୁର କୁ ଏନ. ଆଇ .ଆର .ଏଫ ରେଙ୍କ ପ୍ରାପ୍ତ॥!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଚଳିତ ବର୍ଷ ଜି ଆଇ ଇ ଟି ଵିଶ୍ଵ ବିଦ୍ୟାଳୟ ଗୁଣୁପୁର କୁ ଏନ. ଆଇ. ଆର .ଏଫ. ର ଇଂଞ୍ଜିନିୟରିଂ ବର୍ଗରେ ରଂକିଙ୍ଗ ଵ୍ୟଣ୍ଡ- ୨୫୧-୩୦୦ ରେ ମାନ୍ୟତା ପ୍ରାପ୍ତ ପାଇଛି। ଏହା ଵିଶ୍ଵ ବିଦ୍ୟାଳୟ ର ଉଚ୍ଚ କୋଟିର ଶିକ୍ଷାଦାନ,ଗବେଷଣା,ଉନ୍ନତ ଭିତ୍ତିଭୂମି,ଛାତ୍ରଛାତ୍ରୀଙ୍କ ଶିକ୍ଷାରେ କୃତିତ୍ୱ, ତାଲିମ ଓ ନିଯୁକ୍ତି କ୍ଷେତ୍ରରେ ସଫଳତା ଆଧାରରେ ଏହି ମାନ୍ୟତା ହାସଲ କରିଛି।ଏହି ସଫଳତା ପାଇଁ ଵିଶ୍ଵ ବିଦ୍ୟାଳୟ ର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା,ଉପ-ସଭାପତି ଡ଼ଃ ଚନ୍ଦ୍ର ଧ୍ୱଜ ପଣ୍ଡା,ମହାନିର୍ଦ୍ଦେଶକ ଡ଼ଃ ଜଗଦୀଶ ପଣ୍ଡା,କୁଳପତି ଡ଼ଃ ଗୌତମ ଘୋଷ, ରେଜିଷ୍ଟ୍ରାର ଡ଼ଃ ଏ ନ .ଭି.ଜଗନ୍ନାଧ ରାଓ ପ୍ରମୁଖ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ,ଛାତ୍ରଛାତ୍ରୀ , ଅଭିଭାବକ ଓ ଶୁଭେଚ୍ଛୁ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଜି॰ଆଇ॰ଇ॰ଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ; ୫୧ ୟୁନିଟ ରକ୍ତ ସଂଗ୍ରହ …!

ଏଥର ସମ୍ଭାଳ ବ୍ୟୁରୋ(ଗୁଣପୁର)- ଜି॰ଆଇ॰ଇ॰ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଵିଶ୍ଵ ବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଏହି ଶିବିରକୁ ବିଶ୍ୱବିଦ୍ୟାଳୟର ମହାନିର୍ଦେଶକ ଡ଼ଃ ଜଗଦୀଶ ପଣ୍ଡା ଶୁଭ ଉଦଘାଟନ କରିଥିବା ବେଳେ ଅନୁଷ୍ଠାନ ର ରେଜିଷ୍ଟ୍ରାର ଡ଼ଃ ଏନ . ଭି. ଜେ. ରାଓ,ସ୍କୁଲ ଅଫ ଇଂଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜି ଡିନ ଏ. ବି .ଶ୍ରୀନିବାସ ରାଓ, ଅଧ୍ୟାପକ ଭି ଗଣେଶ,,ଡ଼ଃ ନିକୁଞ୍ଜ କିଶୋର ପାତ୍ର,କ୍ରୀଡା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା, ଅଧ୍ୟାପିକା ପ୍ରିୟଙ୍କା ପ୍ରିୟଦର୍ଶନୀ ,ବର୍ଷା ଦାସ, ଡାକ୍ତର ଏସ .ଏ ସ ପାଢ଼ୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉଛାହିତ କରିଥିଲେ। ଜାତୀୟ ସେବା ଯୋଜନାର ଆବାହକ ଡ଼ଃ ପ୍ରେମାନଶୁ ଶେଖର ରଥ ,କାର୍ଯ୍ୟକ୍ରମ ଅଧିକାରୀ ତାପସ ଛୁଆଲସିଂ, କୃଷ୍ଣ ପ୍ରସାଦ ଦାସ,ପ୍ରମୁଖ ଶିବରକୁ ପରିଚାଳନା କରିଥିଲେ ।ଗୁଣୁପୁର ରକ୍ତ ଭଣ୍ଡାରର ଡାକ୍ତର ଲକ୍ଷଣ କୁମାର ପାତ୍ର, ଟେକ୍ନିସୀୟାନ ରାକେଶ କୁମାର ପଣ୍ଡା ,ମନୀଷା ନାଗ,ଗୌରୀ ଶଙ୍କର ବ୍ରହ୍ମା, ରାଧାକାନ୍ତ ମହାନ୍ତି,ସୌଦାମିନୀ ଗୌଡ଼ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

ବିଜେଡିକୁ ପାନେ ଦେବେ ବିଜେଡି ନେତା ; ରାଷ୍ଟ୍ରପତି ନିର୍ବାଚନ ପରେ ଆରମ୍ଭ ହେବ ଅସଲ ଖେଳ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ନବୀନ ସରକାରଙ୍କୁ ଗାଦିରୁ ହଠାଇବା ପାଇଁ ରଣନୀତି ଆରମ୍ଭ ହୋଇଥିବା ଚର୍ଚ୍ଚା। ଆସନ୍ତା ଅଗଷ୍ଟ ୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହା ଓଡ଼ିଶା ଆସୁଛନ୍ତି। ଏହା ପୂର୍ବରୁ ରାଜ୍ୟର କିଛି ବରିଷ୍ଠ ନେତା ଦିଲ୍ଲୀରେ ତାଙ୍କୁ ସାକ୍ଷାତ କରିଛନ୍ତି। ବିଜେଡିର କିଛି ଅସନ୍ତୁଷ୍ଟ ଏବଂ ଅନ୍ୟ ଦଳର କିଛି ନେତା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ଏମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ କରିଥିବା ଆଲୋଚନା ହେଉଛି। ଦିଲ୍ଲୀପ ରାୟ, ବିଜୟ ମହାପାତ୍ର, ଶ୍ରୀକାନ୍ତ ଜେନା, ବ୍ରଜକିଶୋର ତ୍ରିପାଠୀଙ୍କ ଭଳି କିଛି ବରିଷ୍ଠ ନେତା ଏଇ ଗୋଷ୍ଠୀରେ ସାମିଲ ଥିବା ଲୋକେ କହୁଛନ୍ତି। ଗତ ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ କିଛି ମନ୍ତ୍ରୀଙ୍କୁ ବାଦ ଦିଆଯାଇଛି। ଏହା ସହିତ ଆସନ୍ତା ନିର୍ବାଚନ ସମୟରେ ବିଜୁ ଜନତା ଦଳ ପ୍ରାୟ ୬୦ରୁ ୭୦ ଜଣ ବିଧାୟକଙ୍କ ଟିକେଟ କାଟିବ ବୋଲି ଖବର ଶୁଣିବାକୁ ମିଳୁଛି। କିଛି ବରିଷ୍ଠଙ୍କ ପୁଅ ମାନଙ୍କୁ ଥଇଥାନ କରାଯିବା ନେଇ ଚର୍ଚ୍ଚା ହେଉଛି। ମାତ୍ର ବଲାଙ୍ଗୀର ଅନଙ୍ଗ ଉଦୟ ସିଂହ ଦେଓଙ୍କ ପରିବାର ସମେତ ବରଗଡର ପ୍ରସନ୍ନ ଆଚାର୍ଯ୍ୟଙ୍କ ପରିବାରରୁ କାହାକୁ ଟିକେଟ ମିଳିବ ନାହିଁ। ଉପକୂଳରେ ଦେବୀ ମିଶ୍ର ଅରବିନ୍ଦ ଢାଲି, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ ଏବଂ ପଶ୍ଚିମରୁ ପଦ୍ମନାବ ବେହେରା ଓ ନିରଞ୍ଜନ ପୂଜାରୀଙ୍କ ପତ୍ତା ସାଫ୍‌ ହୋଇଯିବ ବୋଲି ବିଜେଡି ମହଲରେ କୁହାକୁହି ହେଉଛନ୍ତି। ବିଜୁ ଜନତା ଦଳ ମଧ୍ୟରେ ଥିବା ଏକ ପ୍ରଭାବଶାଳୀ ଗୋଷ୍ଠୀର ଅତ୍ୟାଚାରରେ ଆଉ କିଛି ନେତା ଏବେ ତ୍ରାହି ତ୍ରାହି ଡାକୁଥିବାର ଚର୍ଚ୍ଚା ହେଉଛି। ଏ ସମସ୍ତ ଅସନ୍ତୁଷ୍ଟ ନେତା ମୌକା ଦେଖି ଚୌକା ମାରିବେ ବୋଲି ରାଜ୍ୟ ରାଜନୀତିରେ ଚହଳ ପଡ଼ିଛି। ରାଷ୍ଟ୍ରପତି ନିର୍ବାଚନ ପରେ କିଛି ଘଟିପାରେ ବୋଲି କୁହାଯାଉଛି।

ଦ୍ରୌପଦୀଙ୍କ ବିଜୟ ପାଇଁ ରାଜ୍ୟର ସବୁ ମନ୍ଦିରରେ ଦୀପ ଜାଳିବ ବିଜେପି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ଆସନ୍ତାକାଲି ରାଜ୍ୟର ସମସ୍ତ ଦେବାଳୟରେ ରାଜ୍ୟ ବିଜେପି ପକ୍ଷରୁ ପୂଜାର୍ଚ୍ଚନା କରାଯିବ । ରାଜ୍ୟ ବିଜେପିର ସମସ୍ତ ବରିଷ୍ଠ ନେତୃବୃନ୍ଦ, ବିଧାୟକ,ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ପଦାଧିକାରୀ ଓ କର୍ମକର୍ତ୍ତମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ମାଟିର ଗର୍ବ, ଗୌରବ, ଓଡ଼ିଆ ଓ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଛି । ଆଗାମୀ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ । ଶ୍ରୀମତୀ ମୁର୍ମୁଙ୍କ ବିଜୟ ପାଇଁ ଆସନ୍ତାକାଲି ୧୭ ତାରିଖରେ ବିଜେପି ଓଡ଼ିଶାର ସମସ୍ତ ମନ୍ଦିର, ଦେବସ୍ଥାନ, ପୂଜାସ୍ଥଳୀରେ ପୂଜାର୍ଚ୍ଚନା କରି ବିଜୟ କାମନା କରିବ । ରାଜ୍ୟ ବିଜେପିର ସମସ୍ତ ବରିଷ୍ଠ ନେତୃବୃନ୍ଦ, ବିଧାୟକ, ସାଂସଦ ଓ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ ପୂର୍ଜାର୍ଚ୍ଚନା କରି ଶ୍ରୀମତୀ ମୁର୍ମୁଙ୍କ ବିଜୟ ପାଇଁ ଭଗବାନକୁ ପ୍ରାର୍ଥନା କରିବେ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ଲିଙ୍ଗରାଜ ମହାପ୍ରଭୁ, ମା’ ସମଲେଶ୍ୱରୀ, ତାରାତାରେଣୀ, ଭଦ୍ରକାଳୀ ପ୍ରମୁଖ ମନ୍ଦିରରେ ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ ପୂଜାର୍ଚ୍ଚନା ସାରିବା ପାଇଁ କର୍ମକର୍ତ୍ତାଙ୍କୁ ସୂଚନା ଦିଆଯାଇଛି । ଶ୍ରୀମତୀ ମୁର୍ମୁଙ୍କ ବିଜୟ ପାଇଁ ସାରା ଓଡ଼ିଶାର ଜନସାଧାରଣ ଭଗବାନଙ୍କୁ ପ୍ରାର୍ଥନା କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

୩ ବର୍ଷ ପରେ ବିଜେଡିର ମନେପଡ଼ିଲା ‘କେନ୍ଦ୍ରୀୟ ଅବହେଳା’ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ୨୦୧୯ ସାଧାରଣ ନିର୍ବାଚନ ପରଠୁ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରକୁ ଉପରେ ପଡ଼ି ପ୍ରେମ ନିବେଦନ କରି ଆସୁଥିବା କ୍ଷମତାସୀନ ବିଜେଡି ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠୁ ‘ଷ୍ଟେଜ୍ ମ୍ୟାନେଜ’ ପାଇଁ ରଣନୀତି ପ୍ରସ୍ତୁତ କରିଛି । ଦୀର୍ଘ ୩ବର୍ଷ ଧରି ‘କେନ୍ଦ୍ରୀୟ ଅବହେଳା’ ଓ ଅନ୍ୟାନ୍ୟ ସାଧାରଣ ଜନତାଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଭାବେ ‘ଶୀତଳଭଣ୍ଡାର’କୁ ପକାଇ କେନ୍ଦ୍ରର ବିଜେପି ନେତୃତ୍ୱଙ୍କ ପାଖରେ ଆତ୍ମସମର୍ପଣ କରିଥିବା ବିଜେଡି ପୁଣିଥରେ ନିଜର ପୁରୁଣା ପ୍ରସଙ୍ଗଗୁଡ଼ିକୁ ଉଠାଇ ରାଜନୀତିକ ଫାଇଦା ହାସଲ ପାଇଁ ଲକ୍ଷ୍ୟ ରଖିଛି । ଆସନ୍ତା ୧୮ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଉଥିବାରୁ ଆଜି ଭର୍ଚୁଆଲ ମୋଡରେ ଅନୁଷ୍ଠିତ ବିଜେଡି ସଂସଦୀୟ ଦଳ ବୈଠକରେ ସାଂସଦମାନଙ୍କୁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରି ଏଭଳି କିଛି ଦିଗକୁ ଇସାରା କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପରଠୁ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ମୋଦି ସରକାରକୁ ସବୁ ପ୍ରସଙ୍ଗରେ ଅଯାଚିତ ସମର୍ଥନ ଦେଉଥିବା, ଏପରିକି ରାଜ୍ୟସଭା ସିଟ୍ ଦେଇଥିବା ବିଜେଡି ଏବେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠୁ ନିଜର ‘ଷ୍ଟେଜ୍ ମ୍ୟାନେଜ୍ ’ ଆରମ୍ଭ କରିଛି । ଉଭୟ କଂଗ୍ରେସ ଓ ବିଜେପିଠୁ ସମଦୂରତ୍ୱ ନୀତି ଅବଲମ୍ବନ କରୁଥିବାର ଦ୍ୱାହି ଦେଇ ବିଜେଡି ନିଜର ସୁବିଧାବାଦୀ ରାଜନୀତିକ କାର୍ଡ ଖେଳି କେନ୍ଦ୍ରର ବିଜେପି ସରକାରକୁ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମର୍ଥନ ଦେଇ ଆସୁଥିବାବେଳେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ‘କେନ୍ଦ୍ରୀୟ ଅବହେଳା’ ସମେତ ‘ମହିଳାଙ୍କୁ ବିଧାନସଭା ଓ ସଂସଦରେ ୩୩% ସ୍ଥାନ ସଂରକ୍ଷଣ’, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା,ଧାନର ଏମଏସପି ନିର୍ଦ୍ଧାରଣରେ ସ୍ୱାମୀନାଥନ୍ କମିଟିର ସୁପାରିଶକୁ କାର୍ଯ୍ୟକାରୀ, ରାଜ୍ୟରେ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ, ସମ୍ବିଧାନର ଅଷ୍ଟମ ସୂଚୀରେ ‘ହୋ’ ଭାଷାକୁ ସାମିଲ ଭଳି ପୁରୁଣା ପ୍ରସଙ୍ଗ ମାଧ୍ୟମରେ ପୁଣିଥରେ ବିଜେପି ସହ ରାଜନୀତିକ ବୟାନବାଜିର ଖେଳ ଆରମ୍ଭ କରିବାକୁ ଯାଉଛି । କେନ୍ଦ୍ରର ଏନଡିଏ ସରକାରକୁ ସବୁ ପ୍ରସଙ୍ଗରେ ସମର୍ଥନ ଦେଇ ବିଜେଡି ପରୋକ୍ଷରେ ରାଜ୍ୟରେ ବିଜେପି ସଂଗଠନକୁ ଦୁର୍ବଳ କରାଇବା ମାର୍ଗକୁ ପ୍ରଶସ୍ତ କରିସାରିଛି । ମାତ୍ର ଆଗାମୀ ସାଧାରଣ ନିର୍ବାଚନରେ ନିଜର ୨୨ବର୍ଷ ଶାସନର ସଫଳତାକୁ ବଖାଣି ଭୋଟରଙ୍କ ଆସ୍ଥା ଜିଣିବା କଷ୍ଟକର ଜାଣି ବିଜେଡି ଏବେଠୁ କେନ୍ଦ୍ର ସରକାରର ବିଫଳତାକୁ ‘ପ୍ରସଙ୍ଗ’ କରିବାକୁ ନିଜ ରଣନୀତିରେ ପରିବର୍ତ୍ତନ କରିଛି । ଅବଶ୍ୟ କେନ୍ଦ୍ରର ବିଜେପି ସରକାର ବିରୁଦ୍ଧରେ ବିଜେଡିର ‘କେନ୍ଦ୍ରୀୟ ଅବହେଳା’ ସ୍ଲୋଗାନ କେବଳ ଧର୍ମକୁ ଆଖିଠାର ସଦୃଶ । କାରଣ ପୂର୍ବରୁ ତୈଳ ଦର ସାମାନ୍ୟ ବୃଦ୍ଧି ହେଲେ ରାଜରାସ୍ତାରେ କ୍ରମାଗତ ଆନ୍ଦୋଳନ କରୁଥିବା ବିଜେଡି ଗତ ୩ବର୍ଷ ଧରି ତୈଳ ଦରର ଆକାଶଛୁଆଁ ବୃଦ୍ଧି ସତ୍ତ୍ୱେ କେନ୍ଦ୍ର ସରକାର ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇନି କି ଏହାକୁ ଶାଣିତ କରିନି । ଧାନର ଏମଏସପି ପ୍ରସଙ୍ଗରେ ୨୦୧୯ ଜାନୁୟାରୀରେ ଦିଲ୍ଲୀରେ ଆନ୍ଦୋଳନ କରିଥିବା ବିଜେଡି ତା’ପରଠୁ ସେଥିରେ ଡୋରି ବାନ୍ଧି ଦେଇଥିଲା । ନା ରାଜରାସ୍ତାରେ ଓହ୍ଲାଇଲା,ନା ସେ ଆନ୍ଦୋଳନକୁ ଶାଣିତ କଲା । ସମାନ ସ୍ଥିତି ‘ମହିଳା ସଂରକ୍ଷଣ’ରେ । ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟସ୍ତରରେ ବିଭିନ୍ନ ଦଳକୁ ଭେଟି ସଂରକ୍ଷଣ ସପକ୍ଷରେ ଯୁକ୍ତି ବାଢ଼ିଲା, ଆଉ ତା’ପରେ ଚିତପଟାଙ୍ଗ ମାରି ବିଜେଡି ନିରବ ରହିଗଲା । କେଷ୍ଟାଲ ହାଇୱେ ନିର୍ମାଣ, ସ୍ୱଚ୍ଛ ଶକ୍ତି ସେସ୍ , କୋଇଲା ରୟାଲିଟି ଦେୟ, ଟେଲି ସାନ୍ଧ୍ରତା, ପ୍ରତି ପଂଚାୟତରେ ବ୍ୟାଙ୍କିଙ୍ଗ୍ ସୁବିଧା, ରେଳବାଇ କ୍ଷେତ୍ରରେ ଅବହେଳାକୁ ବିଜେଡି ଗତ ୨୨ବର୍ଷ ଧରି ନିଜର ରାଜନୀତିକ ଜପାମାଳି କରିଛି । ନିଜ ଦଳର ଅସନ୍ତୁଷ୍ଟ ନେତାମାନଙ୍କୁ ତୁଷ୍ଟୀକରଣ ପାଇଁ ନିର୍ବାଚନ ପୂର୍ବରୁ ବିଧାନ ପରିଷଦ ଲଡ଼ୁ ଦେଇଥିବା ବିଜେଡି ଏହାକୁ ସଫଳ କରାଇବା ପାଇଁ ଏପର୍ଯ୍ୟନ୍ତ ଏ ଦିଗରେ ସାମାନ୍ୟତମ ପଦକ୍ଷେପ ନେଇନି । ଆଜିର ଭର୍ଚୁଆଲ ବୈଠକରେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ସାଂସଦମାନଙ୍କୁ ଦେଇଥିବା ଗୁରୁମନ୍ତ୍ରରେ ଉପରୋକ୍ତ ପ୍ରସଙ୍ଗ ଗୁଡ଼ିକ ସମେତ ଏସବୁ ବ୍ୟତୀତ ବଳକା ଉଷୁନା ଚାଉଳ ଉଠାଣ ଓ ଫନି ପ୍ରଭାବିତଙ୍କ ଅତିରିକ୍ତ ୧.୮୪ଲକ୍ଷ ପିଏମଆବାସ ଘର ଆବଂଟନ, ଆୱାସ ପ୍ଲସରେ ୫.୦୯ଲକ୍ଷ ତଥ୍ୟ ସାମିଲ କରିବା, ଡିଏମଏଫ୍ ପାଣ୍ଠିକୁ ଆୟକର ଶୁଳ୍କ ଛାଡ଼ ଭଳି ପ୍ରସଙ୍ଗକୁ ମଧ୍ୟ ସଂସଦରେ ଜୋରଦାର ଢଙ୍ଗରେ ଉଠାଇବାକୁ କହିଛନ୍ତି । ଅବଶ୍ୟ ମେ’ ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭେଟଘାଟ ସମ୍ପର୍କରେ ସାଂସଦଙ୍କୁ ସୂଚନା ଦେଇଥିବା ନବୀନ କିନ୍ତୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଥିବା ନେଇ ନିଜର ସାଂସଦମାନଙ୍କୁ କିଛି ଜଣାଇନାହାନ୍ତି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଝିଅ ହୋଇଥିବାରୁ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବାକୁ ସେ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି । ତେବେ କେନ୍ଦ୍ରର ବିଜେପି ସରକାର ସହ ମଧୁଚନ୍ଦ୍ରିକାରେ ଲିପ୍ତ ବିଜେଡି ନେତୃତ୍ୱ ଏବେ ଯେଉଁ କେନ୍ଦ୍ରୀୟ ଅବହେଳାର ସ୍ଲୋଗାନକୁ ପୁଣିଥରେ ଆଗକୁ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ତାକୁ ସାଧାରଣ ଲୋକେ ଆଉ ବିଶ୍ୱାସକୁ ନେବେ କି ବୋଲି ସାଧାରଣରେ ଚର୍ଚ୍ଚ ଆରମ୍ଭ ହେଲାଣି । କାରଣ ୨୦୧୪ ସାଧାରଣ ନିର୍ବାଚନ ପରେ ବିଜେଡି ଅନୁରୂପ କେନ୍ଦ୍ରୀୟ ଅବହେଳା ଉଠାଇ ୨୦୧୯ରେ ପୁଣିଥରେ କ୍ଷମତାସୀନ ହେବାପରେ ସେହି ସବୁ ପ୍ରସଙ୍ଗକୁ ଭୁଲି ଯାଇଥିଲା । ଏବେ ପୁଣି ସେସବୁ ପ୍ରସଙ୍ଗକୁ ଧରି ନିଜର ରାଜନୀତିକ ଗୋଟିଚଳାଇବାକୁ ରଣନୀତି ପ୍ରସ୍ତୁତ କରୁଛି । ଅବଶ୍ୟ ଏଠାରେ ବିଜେପିର ଆତ୍ମରକ୍ଷା ନୀତି ମଧ୍ୟ ବିଜେଡିକୁ ପରୋକ୍ଷରେ ଏସବୁ ରାଜନୀତିକ ଡ୍ରାମାକୁ ପ୍ରୋତ୍ସାହିତ କରୁଛି ବୋଲି ଚର୍ଚ୍ଚା ।

ବିଜେପି କହିଲା ବୀମା ଜାଲିଆତି, ଏଚଡିଏଫସି କମ୍ପାନୀରୁ ୧୦୦କୋଟି ଟଙ୍କା ଚାନ୍ଦା ନେଇଛି ବିଜେଡି …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପ୍ରଧାନମନ୍ତ୍ରୀ ଫସଲବୀମା ଟଙ୍କା ଯୋଗାଇବାରେ ଏଚଡିଏଫସି ବୀମା କମ୍ପାନୀ ଓଡ଼ିଶାରେ ବ୍ୟାପକ ଜାଲିଆତି କରିଛି । ଦଳୀୟ ଚାନ୍ଦା ଆକାରରେ ଏହି ବୀମା କମ୍ପାନୀରୁ ୧୦୦କୋଟି ବିଜେଡି ନେଇଛି ବୋଲି ବିଜେପି ସଙ୍ଗୀନ ଅଭିଯୋଗ ଆଣିଛି । ବାରମ୍ବାର ଦାବି ସତ୍ତ୍ୱେ ସରକାରଙ୍କ ସହ ସଲାସୁତରା କରି ଏହି ବୀମା କମ୍ପାନୀ ଚାଷୀଙ୍କୁ ସେମାନଙ୍କ ବୀମା ପ୍ରାପ୍ୟ ଦେଉନଥିବାରୁ ତା’ର ପ୍ରତିବାଦରେ ଆସନ୍ତା ୧୬ତାରିଖରେ ବରଗଡ଼ ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୨ଘଂଟିଆ ଧାରଣା ଦିଆଯିବ ବୋଲି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ଯେ, ଦୀର୍ଘଦିନ ଧରି କୃଷକମାନଙ୍କ ଆନ୍ଦୋଳନ ଓ ବରଗଡ଼ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ସତ୍ତ୍ୱେ୍ୱ ଏଚଡିଏଫସି ଏଗ୍ରୋ ବୀମା କମ୍ପାନୀ ୨୦୨୧-୨୨ବର୍ଷର ପ୍ରଧାନମନ୍ତ୍ରୀ ଫସଲବୀମା ଟଙ୍କା ଚାଷୀଙ୍କୁ ଯୋଗାଇ ଦେବାରେ ଟାଳଟୂଳ ନୀତି ଅବଲମ୍ବନ କରୁଛି । ଏହି ପ୍ରସଙ୍ଗରେ ଚାଷୀଙ୍କୁ ପ୍ରାପ୍ୟ ଦେବା ଦିଗରେ ସରକାର ପଦକ୍ଷେପ ନନେଇ ନିରବ ରହି ପରୋକ୍ଷରେ କମ୍ପାନୀକୁ ଫାଇଦା ଦେବାକୁ ଉଦ୍ୟମ କରୁଥିବାରୁ ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଗତ ତ୍ରିସ୍ତରୀୟ ପଂଚାୟତ ଓ ପୌର ନିର୍ବାଚନ ପାଇଁ ବିଜୁ ଜନତା ଦଳ ସଂପୃକ୍ତ କମ୍ପାନୀଠାରୁ ୧ଶହ କୋଟି ଟଙ୍କା ଦଳୀୟ ପାଣ୍ଠି ସଂଗ୍ରହ କରିଥିବାରୁ ରାଜ୍ୟ ସରକାର ଚାଷୀଙ୍କୁ ସମର୍ଥନ ନକରି ବୀମା କମ୍ପାନୀ ସପକ୍ଷରେ କେନ୍ଦ୍ରକୁ ଚିଠି ଲେଖିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ।ଯେଉଁ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ପଞ୍ଜିକୃତ କରିଛନ୍ତି ସେମାନେ ସମସ୍ତେ ପ୍ରଧାନମନ୍ତ୍ରୀ ଫସଲବୀମା ଟଙ୍କା ନପାଇବା ପର୍ଯ୍ୟନ୍ତ ଚାଷୀଙ୍କ ହକ୍ ପାଇଁ ବ୍ୟାପକ ବିଜେପି କୃଷକ ମୋର୍ଚ୍ଚା ଆନ୍ଦୋଳନ କରିବ । ଗତକାଲି ବରଗଡ଼ କୃଷି ବିଭାଗର ଉପନିର୍ଦ୍ଦେଶକ କାର୍ଯ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ ପରେ ଆସନ୍ତା ୧୬ ତାରିଖରେ ବରଗଡ ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୨ଘଂଟିଆ ଧାରଣା ଦିଆଯିବ । ଆସନ୍ତା ୧୮ ତାରିଖରେ ବିଭିନ୍ନ କୃଷକ ସଙ୍ଗଠନ ଦ୍ୱାରା ପଦ୍ମପୁର ସବଡିଭିଜନ ବନ୍ଦ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି । ଏହାସହିତ ଏଚଡିଏଫସି ବୀମା କମ୍ପାନୀକୁ ରାଜ୍ୟ ସରକାର ତୁରନ୍ତ କଳା ତାଲିକାଭୁକ୍ତ କରନ୍ତୁ ଓ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଫସଲବୀମା ପାଇଁ ଏହି କମ୍ପାନୀ ସହ ଓଡ଼ିଶା ସରକାର ଚୁକ୍ତିପତ୍ର ସ୍ୱାକ୍ଷର କରନ୍ତୁ ନାହିଁ । ଏହାସହିତ ପଦ୍ମପୁର ସବଡିଭିଜନକୁ ମରୁଡ଼ି ଘୋଷଣା କରି ରାଜ୍ୟ ସରକାର ଚାଷୀମାନଙ୍କୁ ଏକ ସ୍ୱତନ୍ତ୍ର ପ୍ୟାକେଜ ଦେବାକୁ ବିଜେପି ଦାବି କରିଛି ।

ନଦୀରେ ବାଜି ଲାଗିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ନଦୀରେ ବାଜି ଲାଗିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ଭରା ନଈରେ ଚାଲିଛି ଭବିଷ୍ୟତ ଖୋଜା। ପାଠପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ଜୀବନମରଣର ସହ ସଂଘର୍ଷ କରିବାକୁ ପଡ଼ୁଛି। ରେଢ଼ାଖୋଲର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀ ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ହରିହର ଯୋର୍ ନଦୀ ପାର ହେଉଛନ୍ତି। ନଦୀ ଆରପଟ ଗାଁ ସ୍କୁଲକୁ ପାଠ ପଢ଼ାଇବା ପାଇଁ ଯାଉଛନ୍ତି।  ଏହି କମଳମତି ପିଲାମାନଙ୍କ ମଧ୍ୟରୁ କିଏ ବାପାର କାନ୍ଧରେ ତ କିଏ ମା’ର ହାତ ଧରି ବନ୍ୟା ପାଣିର ପ୍ରଖର ସ୍ରୋତରେ ନଦୀ ପାର ହେଉଛି। ଆଉକିଏ ଭଗବାନଙ୍କ ଭରସାରେ ବହି ବସ୍ତାନି ଧରି ଅଣ୍ଟାଏ ଉଛୁଳା ପାଣିରେ ନିଜର କୋମଳମତି ଶିଶୁଙ୍କୁ ନଈ ପାର କରୁଛନ୍ତି। ଏ ଦୃଶ୍ୟ ରେଢ଼ାଖୋଲ ବ୍ଲକ ବଡ଼ମାଳ ପଞ୍ଚାୟତ ଦେବାହାଳି ଗାଁର। ଗାଁରେ ନାହିଁ ଅଙ୍ଗନବାଡ଼ି କେନ୍ଦ୍ର କି ପ୍ରାଥମିକ ବିଦ୍ୟାଳୟ। ଗାଁ ଠାରୁ୧ କି.ମି. ଦୂର ହରିହର ଯୋର୍ ପାର ହେଲେ ଆରପଟରେ ରହିଛି ଭାଲିଆକଟା ପଞ୍ଚାୟତ ବୁଢିଖମାର ଗାଁ। ଏଠାରେ ରହିଛି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ପ୍ରତି ଦିନ ଏହି ନାଳ ଦେଇ ପ୍ରାୟ ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଓ ଅଙ୍ଗନବାଡ଼ି ଶିଶୁ ଯିବାଆସିବା କରନ୍ତି। ବର୍ଷା ମାସ ଆସିଲେ ସମସ୍ୟା ବଢିଯାଏ। ପିଲାମାନଙ୍କ ପାଠପଢ଼ା ନଦୀ ପାଣି ବଢ଼ିବା ଓ କମିବା ଉପରେ ନିର୍ଭର କରେ। ଗତକାଲି ଅର୍ଥାତ୍ ଶନିବାର ପାଠପଢିବାକୁ ନଦୀ ପାର ହେବାକୁ ଆସିଥିଲେ ସମସ୍ତେ। ହେଲେ ଉଛୁଳା ନଦୀ ଦେଖିବା ପରେ ଭୟରେ ଅନେକ ପିଲା ଯାଇପାରିଲେ ନାହିଁ। କିଛି ପିଲା ଜୀବନକୁ ବାଜି ଲଗାଇ ଆର ପାରିକୁ ଯାଇଥିଲେ। ସେମାନଙ୍କ କହିବା କଥା ନଦୀରେ ଅଳ୍ପ ପାଣି ଥିଲେ ପାର ହୋଇ ଆରପଟକୁ ପାଠପଢ଼ିବାକୁ ଯାଆନ୍ତି। କିନ୍ତୁ ଛାତିଏରୁ ଅଧିକ ପାଣି ଥିଲେ କୂଳରୁ ହିଁ ସମସ୍ତେ ଘରକୁ ଫେରିଆସନ୍ତି। ନଈ ବଢ଼ି ଯୋଗୁ ୫ ଦିନ ହେଲାଣି ଦେବାହାଳି ଗାଁର ଛାତ୍ରଛାତ୍ରୀମାନେ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। ଅଭିଭାବକଙ୍କ କହିବା କଥା ଏହି ନଦୀ ଉପରେ ବ୍ରିଜ୍ କରିବାକୁ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଅଫିସରମାନଙ୍କୁ ଅନେକ ଥର ଭେଟି ନିବେଦନ କରିଛନ୍ତି। ହେଲେ କେହି ଏହା ପ୍ରତି ଦୃଷ୍ଟି ଦେଉନାହାନ୍ତି। ତେଣୁ ପିଲାମାନଙ୍କ ଭବିଷ୍ୟତ ଗଢ଼ିବାକୁ ଏଭଳି ଜୀବନମରଣ ସହ ସଂଘର୍ଷ କରିବାକୁ ପଡ଼ୁଛି। ଛାତ୍ରଛାତ୍ରୀମାନେ କହିଛନ୍ତି, ସରକାର ସେମାନଙ୍କ କଥା ନ ବୁଝିବା କଥା। ଯଦି ବୁଝୁନାହାନ୍ତି, ତେବେ ଦୁର୍ଭାଗ୍ୟ। ଏନେଇ ଫୋନ୍‌ରେ ଯୋଗାଯୋଗ କରିବା ପରେ ବିଡ଼ିଓ ପରୀକ୍ଷିତ ସାହୁଙ୍କ ଅଜବ ଉତ୍ତର ଶୁଣିବାକୁ ମିଳିଛି। ସେ କହିଛନ୍ତି, ଏଭଳି ଅଭିଯୋଗ ଆସିନି। ତଥାପି ସମସ୍ୟା ସମାଧାନ କରାଯିବା ଉପରେ ପଦକ୍ଷେପ ନିଆଯିବ।

ସ୍ମାର୍ଟ ସ୍କୁଲ ସାମ୍ନାରେ କୁଢ଼ କୁଢ଼ ଆବର୍ଜନା ; ଗନ୍ଧରେ ଫାଟୁଛି ନାକ ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସ୍ମାର୍ଟ ସ୍କୁଲ୍‌ ସାମ୍ନାରେ ଡମ୍ପିଂୟାର୍ଡ। ଗଦା ହୋଇଛି କୁଢ଼ କୁଢ଼ ଆବର୍ଜନା। କନ୍ଧମାଳ ଜିଲ୍ଲା ରାଇକିଆ ବିଜୟ ହାଇସ୍କୁଲ ଆଗରେ ଦେଖିବାକୁ ମିଳିଛି ଏଭଳି ଚିତ୍ର, ଯାହା ସରକାରଙ୍କ ସ୍କୁଲ ରୂପାନ୍ତରିକରଣ ମିଶନକୁ ଲୋକ ଦେଖାଣିଆ ବୋଲି ପୁଣି ପ୍ରମାଣିତ କରିଛି। ସ୍କୁଲଟି ଖୁବ୍ ପୁରୁଣା। ଏଠାରେ ଷଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ପ୍ରାୟ ୪୦୦ ପିଲା ପଢ଼ୁଛନ୍ତି। ସ୍ମାର୍ଟ ସ୍କୁଲ ଯୋଜନାରେ ଏହି ସ୍କୁଲକୁ ସ୍ୱଚ୍ଛ ଓ ସୁନ୍ଦର କରିବା ନିମନ୍ତେ ଖର୍ଚ୍ଚ ହୋଇଛି ୪୫ ଲକ୍ଷ ଟଙ୍କା। ସ୍କୁଲ ଭିତର ପରିବେଶ ଚକଚକ କରୁଛି। ସ୍ୱତନ୍ତ୍ର ଚଲାପଥ ସାଙ୍ଗକୁ ଉଦ୍ୟାନ, ବସିବା ନିମନ୍ତେ ଚେୟାର, ଷ୍ଟେନଲେସ୍ ଷ୍ଟିଲ୍ ଗେଟ୍ ଓ ଶ୍ରେଣୀଗୃହ ଗୁଡ଼ିକର ଉନ୍ନତିକରଣ କରାଯାଇଛି। କିନ୍ତୁ ସ୍କୁଲର ଭିତର ପରିବେଶ ଚିକ୍କଣ ହୋଇଥିବା ବେଳେ ବାହାରଟି ବେଶ୍ ଅପରିଷ୍କାର। ସ୍କୁଲ ସମ୍ମୁଖରେ ଅର୍ଥାତ୍ ମୁଖ୍ୟ ଫାଟକ ପାଖରେ ଗଦା ହୋଇଛି କୁଢ଼ କୁଢ଼ ଆବର୍ଜନା। ଆବର୍ଜନା ଗଦା ହେଉଥିବାରୁ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ସବୁଦିନ ସେଠାରେ ବିଭିନ୍ନ ପ୍ରକାରର ଓଦା ଓ ଶୁଖିଲା ଆବର୍ଜନା ପଡ଼ୁଥିବାରୁ ଜାଗାଟି ସନ୍ତସନ୍ତିଆ ହୋଇ ରହୁଛି ଓ ଦୁର୍ଗନ୍ଧ ବାହାରୁଛି। ତା’ସହିତ ମଶା ଓ ମାଛି ହେଉଛନ୍ତି। ଏହି ମଶା,ମାଛି ସ୍କୁଲ୍ ପିଲାଙ୍କ ପାଇଁ ବିପଦ ହୋଇପାରନ୍ତି।ଅଭିଯୋଗ ଅନୁଯାୟୀ, ସ୍କୁଲ୍‌ ସାମ୍ନାରେ ସ୍ଥାନୀୟ ଦୋକାନୀମାନେ ଏହି ସବୁ ଆବର୍ଜନା ପକାନ୍ତି। ସ୍କୁଲ କର୍ତ୍ତୃପକ୍ଷ ଯେତେ ମନା କଲେ ବି ସେମାନେ ମାନୁ ନାହାନ୍ତି। ପ୍ରଧାନଶିକ୍ଷକ ନୀଳମଣି ମଣ୍ଡଳ କହିଛନ୍ତି, ସ୍ଥାନୀୟ ବଜାରର ଦୋକାନୀଙ୍କୁ ସ୍କୁଲ ଆଗରେ ଆବର୍ଜନା ନ ପକାଇବାକୁ ପୁଣି ନିବେଦନ କରାଯିବ। ସ୍କୁଲ ଆଗରେ ଏତେ ଅଳିଆ ଆବର୍ଜନା ଗଦା ହୋଇ ରହୁଥିବା ବେଳେ ସ୍କୁଲ୍ ପରିଚାଳନା କମିଟି ଓ ସ୍ଥାନୀୟ ପ୍ରଶାସନ କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ ଉଠିଛି।

୨୦ରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ  ଜୁଲାଇ ୨୦ ତାରିଖରୁ ଯୁକ୍ତ ୨ରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ଜୁଲାଇ ୨୦ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ସିବିଏସ୍‌ଇ/ଆଇସିଏସ୍‌ଇ ରେଜଲ୍ଟ ବାହାରି ନାହିଁ। ଆମେ ଆଶା କରୁଛୁ ଜୁଲାଇ ୨୦ ତାରିଖ ପୂର୍ବରୁ ରେଜଲ୍ଟ ବାହାରିଯିବ। ଯଦି ପିଲାମାନେ ଚାହିଁବେ ସେମାନେ ଆବେଦନ କରିପାରିବେ। ଯଦି ସିବିଏସ୍‌ଇ/ଆଇସିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହୁଏ, ନାମଲେଖା ପାଇଁ ଆବେଦନ ଅବଧି ବଢ଼ିପାରେ। ସୂଚନାଯୋଗ୍ୟ, ଜୁଲାଇ ୬ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଥିଲା। ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫, ୧୭, ୮୪୭ ଜଣ ପାସ୍‌ କରିଥିଲେ। ଚଳିତ ବର୍ଷ ୨, ୫୬, ୮୭୭ ଜଣ ପୁଅ ପାସ୍‌ କରିଥିବା ବେଳେ ୨, ୬୦, ୯୭୦ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ।

 ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍‌ …!

ଏଥର ସମ୍ଭାଳ ବ୍ୟୁରୋ(ସମ୍ବଲପୁର)- ଆସନ୍ତାକାଲି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍‌। ସକାଳ ୧୧ ଟା ବେଳେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ। ଏନେଇ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି ମହାନଦୀ ଅବବାହିକା ମୁଖ୍ୟ ଯନ୍ତ୍ରୀ।ଜଳଭଣ୍ଡାରର ଗେଟ୍‌ ଖୋଲିବା ପରେ ମହାନଦୀ ଓ ତା’ର ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏନେଇ ଆଜି ସମ୍ବଲପୁର ସମେତ ତଳ ମୁଣ୍ଡର ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଡ୍ୟାମ୍‌ ମୁଖ୍ୟଯନ୍ତ୍ରୀଙ୍କ କହିବା ମୁତାବକ, ଉପରମୁଣ୍ଡରେ ୧୫.୭୧ ମିଲିମିଟର ବର୍ଷା ହୋଇଛି। ଏ ବର୍ଷ ପ୍ରଥମ କରି ଇନଫ୍ଲୋ ୨ ଲକ୍ଷ କ୍ୟୁସେକ୍‌ ଅତିକ୍ରମ କରିଛି । ଶୁକ୍ରବାର ସୁଦ୍ଧା ଜଳଭଣ୍ଡାରକୁ ୨ ଲକ୍ଷ ୧୩ ହଜାର୭୭୯ କ୍ୟୁସେକ୍‌ ଜଳ ପ୍ରବେଶ କରିଛି। ସେପଟେ, ଜଳସ୍ତର ୬୦୪.୯୫ ଫୁଟ୍‌ରେ ପହଞ୍ଚିଥିବା ବେଳେ ଏହା ଦୁଇଦିନ ମଧ୍ୟରେ ୬୧୦ ଫୁଟ୍‌ ଯାଏ ପହଞ୍ଚିବ ବୋଲି ଆକଳନ କରାଯାଇଛି। ତେଣୁ ସୋମବାର ପ୍ରଥମ ପର୍ଯ୍ୟାୟରେ ୫ଟି ଗୋଟ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି।