ରେଳ ବିଭାଗ ଓ ନାକରିକ ମଞ୍ଚର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ…!

!!! ରାୟଗଡା ଜିଲ୍ଲା କୋଲନରା ରୁ ପ୍ରତିନିଧି ମୋନଜ କୁମାର ନାଲା ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(କୋଲନରା) – ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି ରେଳ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣି ଦାବି ନେଇ ଆସନ୍ତାକାଲି ହେବାକୁ ଥିବା ରେଳରୋକକୁ ସର୍ବସମ୍ମତ କ୍ରମେ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଆଜି ରେଳ ବିଭାଗର ବରିଷ୍ଠ ଅଧିକାରୀ ଓ ନାଗରିକ ମଞ୍ଚର ନେତୃବୃନ୍ଦଙ୍କ ସହ ଅନ୍ୟ ସଭ୍ୟମାନଙ୍କୁ ନେଇ ସ୍ଥାନୀୟ ଇମ୍ଫା ଗେଷ୍ଟ ହାଉସ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉଭୟ ପକ୍ଷଙ୍କ ମଧ୍ୟରେ ସମସ୍ତ ବିଷୟରେ ବିସୃତ ଭାବେ ଆଲୋଚନା ହୋଇଥିଲା। ଆସନ୍ତା ୨ ମାସ ମଧ୍ୟରେ ସମସ୍ତ ଏକ୍ସପ୍ରେସ ଟ୍ରେନ ଥେରୁବାଲି ଷ୍ଟେସନରେ ରହଣି ନିମନ୍ତେ ପୂର୍ବତଟ ରେଳ ବିଭାଗ ଅଧିକାରୀ ମାନେ ରାଜି ହେବା ସହ ଏକ ଲିଖିତ ପ୍ରତିଶ୍ରୁତି ଦେଲା ପରେ ରେଳରୋକକୁ ସାମୟିକ ଭାବେ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇ ଥିଲା। ଯଦି ଦାବି ପୂରଣ ଦିଗରେ ରେଳ ବିଭାଗ ଟାଳଟୁଳ ନୀତି ଆପଣାନ୍ତି ତାହେଲେ ଆସନ୍ତା ଅଗଷ୍ଟ ୧୬ ତାରିଖରୁ ଏକ ବଡ଼ ଧରଣର ରେଳରୋକ କରାଯିବ ବୋଲି ନାଗରିକ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ରେଳ ବିଭାଗ ପକ୍ଷରୁ ମିଳିଥିବା ଲିଖିତ ପ୍ରତିଶ୍ରୁତି ଅନୁଯାୟୀ, ଆସନ୍ତା ଜୁଲାଇ ୧୮ ତାରିଖ ସୁଦ୍ଧା ଜୁନାଗଡ଼-ଭୁବନେଶ୍ୱର ଟ୍ରେନ ରହଣି କରିବା ସହ ୪୫ ଦିନ ମଧ୍ୟରେ କୋରବା-ବିଶାଖାପାଟଣା ଓ ବିଶାଖାପାଟଣା-ଏଚ ନିଜାମୁଦ୍ଦିନ ସମତା ଏକ୍ସପ୍ରେସ ରହଣି ଏବଂ ୨ ମାସ ମଧ୍ୟରେ ଧାନବାଦ-ଆଲେପି, ବିଳାସପୁର-ତିରୁପତି ଓ ହାୱାଡା-ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସ ଟ୍ରେନ ରହଣି କରିବା ନେଇ ଜଣାପଡିଛି। ଉକ୍ତ ବୈଠକରେ ରେଳ ବିଭାଗର ସମ୍ବଲପୁର ଡିଭିଜନରୁ ଡିସିଏମ ସୁଖରାମ ହର, କମର୍ସିଆଲ ଇନ୍ସପେକ୍ଟର ଶୁଭ୍ରାଂଶୁ ଶେଖର ପରିଡା, ଆରପିଏଫ ଏଏସଆଇ ମୁକେଶ କୁମାର, ରାୟଗଡା ରେଳବାଇ ପୁଲିସ ଡେପୁଟି ସୁପରିଟେଣ୍ଡେଣ୍ଟ ଦେବେନ୍ଦ୍ର ନାଥ ଫିଗୁଆ, ମୁନିଗୁଡା ଆରପିସି ପୋଷ୍ଟର ପି ଶ୍ରୀନିବାସ ରାଓ, ରାୟଗଡା ଉପଜିଲ୍ଲାପାଳ ଭୀମସେନ ଶବର, ଚାନ୍ଦିଲି ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକାଙ୍କ ସମେତ ନାଗରିକ ମଞ୍ଚର ସଭାପତି ପରମେଶ୍ବର ନୀଳଗିରି, କାର୍ଯ୍ୟକାରୀ ସଭାପତି ଅଶୋକ ହିକକା, ଉପସଭାପତି ଜଗଦୀଶ ମହାପାତ୍ର, କୋଲନରା ବ୍ଲକ ଉପାଧ୍ୟକ୍ଷ ହଳଧର ହିମିରିକା, ନକୁଳ ସେନାପତି, ସଂଜୟ ପାଣିଗ୍ରାହୀ, ଲକି ହନ୍ତାଳ, ନିରଞ୍ଜନ ପାତ୍ର, ପ୍ରଫୁଲ ମିଶ୍ର ଓ ପ୍ରଫୁଲ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଯୋଗ ସଚେତନତାର ବାର୍ତ୍ତା ଦେଲା ବାଲୁକା କଳା….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର) –ଆଜି ଆନ୍ତର୍ଜାତିକ ଯୋଗ ଦିବସ। ବିଶ୍ୱବ୍ୟାପୀ ଜୁନ୍ ୨୧ରେ ମହାସମାରୋହରେ ପାଳିତ ହୋଇଥାଏ ଏହି ଦିବସ।  ଏହି  ଅବସରରେ ପୁରୀ ଲାଇଟହାଉସ ବେଳାଭୂମିରେ ବାଲୁକା କଳା କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁ।  ବାଲୁକା କଳା ମାଧ୍ୟମରେ ଯୋଗ ଦିବସର ଶୁଭେଚ୍ଛା ଜଣାଇବା ସହ ସଚେତନତାର ବାର୍ତ୍ତା ଦେଇଛନ୍ତି। ବାଲୁକା କଳାରେ ସକାଳର ସୂର୍ଯ୍ୟ କିରଣରେ ବସି ଯୋଗମୁଦ୍ରାର ଚିତ୍ରଣ କରିଛନ୍ତି ମାନସ। ୧୭ ଫୁଟ୍ ଓସାରର ଏହି ବାଲୁକା କଳା ନିର୍ମାଣ ପାଇଁ ୧୫ ଟନ୍ ବାଲିର ବ୍ୟବହାର ହୋଇଛି। ଏହି ବାଲୁକାକଳା ପାଇଁ ମାନସଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା। ସ୍ୱର୍ଣ୍ଣାଭ ବେଳାଭୂମିରେ ବାଲୁକାକଳା କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗମୁଦ୍ରାକୁ ବାଲୁକା କଳା ମାଧ୍ୟମରେ ପ୍ରଦର୍ଶିତ କରି ସଚେତନତାର ବାର୍ତ୍ତା ଦେଇଛନ୍ତି। ସେହିପରି  ପ୍ରମୁଖ ଐତିହ୍ୟସ୍ଥଳ କୋଣାର୍କରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଖିଚିଂରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ  କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଯୋଗ ଦେଇଛନ୍ତି।

୧୭ଟି ଫସଲର ହୋଇପାରିବ ବୀମା, ଜୁଲାଇ ୩୧ପର୍ଯ୍ୟନ୍ତ ଖରିଫ ବୀମା ପଞ୍ଜିକରଣ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର) – ଖରିଫ ଋତୁରେ ୮ଟି ଫସଲ ଓ ରବି ଋତୁରେ ୯ଟି ଫସଲକୁ ଚାଷୀମାନେ ବୀମା ଭୁକ୍ତ କରିପାରିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ଏହି ବୀମା ସୁବିଧା ଅଧିକ ସଂଖ୍ୟକ ଚାଷୀ ଯେଭଳି ନେବା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି । ଚଳିତ ଖରିଫ ଋତୁରେ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ଫସଲ ବୀମା ପଞ୍ଜିକରଣର ଶେଷଦିନ ଥିବାରୁ ଚାଷୀମାନଙ୍କୁ ଏହାର ଫାଇଦା ନେବାକୁ କୁହାଯାଇଛି। ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଫସଲ ବୀମା ସମନ୍ୱୟ କମିଟି ବୈଠକରେ ବୀମା ସର୍ତ୍ତ ଅନୁସାରେ କ୍ଷତିପୂରଣ ପାଇଁ ଯୋଗ୍ୟ ବିବେଚିତ ହେଉଥିବା ସମସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ବୀମା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀମାନଙ୍କ ପ୍ରାପ୍ୟ ପ୍ରଦାନରେ ବିଳମ୍ବ ଗ୍ରହଣୀୟ ନୁହେଁ । ଚାଷୀମାନଙ୍କ ବ୍ୟାଙ୍କ ଆକାଉଂଟକୁ ବୀମା ରାଶି ପଠାଇବାରେ କୌଣସି ଅବହେଳା ହେଲେ ସରକାର ଏହାକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି ସତର୍କ କରାଇ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଓଡ଼ିଶାର ଫସଲ ବୀମା ପାଇଁ ନିୟୋଜିତ ଥିବା ୩ଟି ବୀମା କମ୍ପାନୀ ଏଚଡିଏଫସି ଆରଗୋ, ରିଲାଏନ୍ସ ଜିଆଇସି, ଏଗ୍ରିକଲଚର ଇନ୍ୟୁରାନ୍ସ କମ୍ପାନୀର ପଦାଧିକାରୀମାନେ ଉପସ୍ଥିତ ଥିଲେ । ଚଳିତ ଖରିଫ ଋତୁରେ ଧାନ, ଚିନାବାଦାମ, ମକା, ହରଡ. ମାଣ୍ଡିଆ, ତୁଳା, ଅଦା ଓ ହଳଦୀ ଭଳି ୮ଟି ଫସଲ ଏବଂ ରବି ଋତୁରେ ଧାନ, ବିରି,ମୁଗ, ସୋରିଷ, ଚିନାବାଦାମ, ଆଳୁ, ପିଆଜ, ସୂର୍ଯ୍ୟମୁଖୀ ଓ ଆଖୁ ଭଳି ୯ଟି ଫସଲକୁ ବୀମାଭୁକ୍ତ କରାଯାଇପାରିବ । ବୀମା କ୍ଷତିପୂରଣବେଳେ ବୀମା କମ୍ପାନୀଗୁଡ଼ିକ ଧାନ ଫସଲ ନିମନ୍ତେ ପଂଚାୟତକୁ ୟୁନିଟ୍ ଭାବେ ଓ ଅଣଧାନ ଫସଲ ପାଇଁ ବ୍ଲକକୁ ୟୁନିଟ୍ ଭାବେ ବିଚାର କରିଥାନ୍ତି । ଚଳିତ ଖରିଫ ଋତୁରେ ଜୁଲାଇ ୩୧ତାରିଖ ସୁଦ୍ଧା ବୀମାଭୁକ୍ତ ବା ପଞ୍ଜିକରଣ କରାଇନେବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି । ଅବଶ୍ୟ ଚାଷ ପାଇଁ ଋଣ ନେଉଥିବା ଚାଷୀମାନଙ୍କର ବୀମା ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ହେଉଛି । ତେବେ ଯେଉଁ ଚାଷୀ ଋଣ ନେଉନାହାନ୍ତି ସେମାନେ ଚାହିଁଲେ ନିକଟସ୍ଥ ଜନସେବା କେନ୍ଦ୍ର ମାଧ୍ୟମରେ ମଧ୍ୟ ନିଜ ଫସଲର ବୀମା କରାଇ ପାରିବେ । ସୂଚନାଯୋଗ୍ୟ, ୨୦୨୧ ଖରିଫ ଋତୁରେ ୧୨.୩୦ଲକ୍ଷ ଚାଷୀଙ୍କର ୧୦.୫୦ଲକ୍ଷ ହେକ୍ଟର ଚାଷଜମି ବୀମାଭୁକ୍ତ ହୋଇଥିଲା । ସେହିପରି ଋବି ଋତୁରେ ୩୪ହଜାର ଚାଷୀ ବୀମାଭୁକ୍ତ ହୋଇଥିଲେ । ଏହି ବୈଠକରେ ଉନ୍ନୟନ କମିଶନର, ଅର୍ଥ ସଚିବ, କୃଷି ସଚିବ, କୃଷି ନିର୍ଦ୍ଦେଶକଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଓ ବୀମା କମ୍ପାନୀର ପଦାଧିକାରୀ ଉପସ୍ଥିତ ଥିଲେ ।

ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ ଭିଜିଲାନ୍ସ, ହାଇକୋର୍ଟଙ୍କ ନିର୍ଦ୍ଦେଶ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର) – ଏଣିକି ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ ଭିଜିଲାନ୍ସ। ବିଭାଗର ସମ୍ବେଦନଶୀଳ ଏବଂ ଗୋପନୀୟ ପ୍ରସଙ୍ଗକୁ ବାଦ ଦେଇ ଅନ୍ୟ ସମସ୍ତ ବିଷୟ ଆର.ଟି.ଆଇ ପରିସରଭୁକ୍ତ ହେବ। ଏ ସମ୍ପର୍କିତ ୩ ଟି ପୃଥକ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବନାହିଁ ବୋଲି ଗତ ୨୦୧୬ ମସିହା ଅଗଷ୍ଟ ୧୧ ତାରିଖରେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ତେବେ ଏହା ସୂଚନା ଅଧିକାର ଆଇନର ଧାରା ୨୪ ଏବଂ ସମ୍ବିଧାନର ଧାରା ୧୯ ଏବଂ ୨୧ର ଉଲ୍ଲଙ୍ଘନ କରୁଥିବା ଦର୍ଶାଇ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ଆବେଦନକାରୀ। ଆବେଦନକାରୀଙ୍କ ଯୁକ୍ତିକୁ କୋର୍ଟ ଗ୍ରହଣ କରିଛନ୍ତି। ଏଥିସହ ମାନବିକ ଅଧିକାର ଉଲ୍ଲଙ୍ଘନ ଏବଂ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେ ତଥ୍ୟ ମନା କରାଯାଇପାରିବ ନାହିଁ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। କେବଳ ବିଭାଗର ସମ୍ବେଦନଶୀଳ ଏବଂ ଗୋପନୀୟ ତଥ୍ୟକୁ ବାଦ ଦେଇ ଅନ୍ୟ ସମସ୍ତ ତଥ୍ୟକୁ ଆରଟିଆଇରେ ଦେବା ନିମନ୍ତେ ସାନି ବିଜ୍ଞପ୍ତି ଜାରି କରିବାକୁ କୋର୍ଟ କହିଛନ୍ତି। ଆସନ୍ତା ୪ ସପ୍ତାହ ମଧ୍ୟରେ ଏ ବାବଦରେ ଏକ ବିସ୍ତୃତ ଏବଂ ସ୍ପଷ୍ଟ ବିଜ୍ଞପ୍ତି ଜାରି କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆବେଦନକାରୀଙ୍କ ଓକିଲ ସିଦ୍ଧାର୍ଥ ପ୍ରସାଦ ଦାସ କହିଛନ୍ତି।