ଓଡ଼ିଶାରେ ବେଆଇନ ଖଣି କାରବାର: ସୁପ୍ରିମକୋର୍ଟ ଖପ୍ପା, ୬ ମାସ ସୁଦ୍ଧା ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଓଡ଼ିଶାରେ କେତେକ ଖଣି କମ୍ପାନୀ କୋର୍ଟଙ୍କ ‘ସ୍ଥିତାବସ୍ଥା’ ନିର୍ଦ୍ଦେଶ ଆଳରେ ବେଆଇନ ଖଣି ଖନନ କରୁଥିବା ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଏଭଳି ମାମଲାଗୁଡ଼ିକର ନିଷ୍ପତ୍ତି ଓ ସମାଧାନ ପାଇଁ ଓଡ଼ିଶା ହାଇକୋର୍ଟଙ୍କୁ ୬ ମାସ ସମୟ ଦେଇଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଅବକାଶକାଳୀନ ଖଣ୍ଡପୀଠ ଆଜି ବାଲେଶ୍ୱର ଆଲଏଜ୍ ଲିଃ ପକ୍ଷରୁ ଦାଏର ଆବେଦନ ଉପରେ ଶୁଣାଣି କରି କହିଛନ୍ତି ଯେ, କର୍ତ୍ତୃପକ୍ଷଙ୍କଠୁ ଜଙ୍ଗଲ ଅନୁମତି ନଥାଇ ଏସବୁ ଖଣି କମ୍ପାନୀଗୁଡ଼ିକ ବେଆଇନ ଭାବେ ଖନନ କରୁଛନ୍ତି । ବିବାଦ ଉପରେ ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ଥିବା ଆଳ ଦେଖାଇ ସେମାନେ ଏଭଳି ବେଆଇନ ଖନନ କରୁଛନ୍ତି । ତେବେ ଜଙ୍ଗଲ ଅନୁମତି ବିନା କିଭଳି ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ବଳରେ ଖଣି ଖନନ କରାଯାଉଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ‘ସ୍ଥିତାବସ୍ଥା’ ନିର୍ଦ୍ଦେଶ ଅବଧିକୁ ବୃଦ୍ଧି କରିବାକୁ ବାଲେଶ୍ୱର ଆଏଲଜ୍ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିବାରୁ ତା’ର ପ୍ରତିବାଦରେ କମ୍ପାନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଜଙ୍ଗଲ ଅନୁମତି ବିନା ଖଣି ଖନନ ଓ ଉତ୍ତୋଳଜନ କରାଯିବା ବେଆଇନ । ଜଙ୍ଗଲ ମଞ୍ଜୁରୀ (ଫରେଷ୍ଟ କ୍ଲିଅରାନ୍ସ) ନଥାଇ ଖଣି ଖନନ କିମ୍ବା ଉତ୍ତୋଳନ ପାଇଁ ଅନୁମତି ଦିଆଯାଇପାରିବ ନାହିଁ । ଏହାସହିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ,ହାଇକୋର୍ଟ ଏଭଳି ‘ସ୍ଥିତାବସ୍ଥା’ ବଜାୟ ରଖିବାକୁ ରାୟ ଦେଉଥିବାରୁ ଖଣି କାର୍ଯ୍ୟ ଜାରି ରଖିବାକୁ ଅନୁମତି ମିଳିଯାଉଛି । ଏହା ନିଃସନ୍ଦେହ ଯେ, ଆବେଦନକାରୀ କମ୍ପାନୀ ବାଲେଶ୍ୱର ଆଏଲଜ୍ ଲିଃ ପାଖରେ ବର୍ତ୍ତମାନ ସମୟରେ ଜଙ୍ଗଲ ମଞ୍ଜୁରୀ ନାହିଁ । ଆଉ ଜଙ୍ଗଲ ମଞ୍ଜୁରୀ ଆବେଦନ ବିଚାରଧୀନ ଥିବାକୁ ଖଣି ଖନନ ପାଇଁ ଜଙ୍ଗଲ ଅନୁମତି ମିଳିଯାଇଛି ବୋଲି କଦାପି ବିଚାର କରାଯାଇ ପାରିବ ନାହିଁ । ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶକୁ ଆଳ ଦେଖାଇ ଆବେଦନକାରୀଙ୍କୁ ବିନା ଜଙ୍ଗଲ ମଞ୍ଜୁରୀରେ ଖଣି ଖନନ ଓ ଉତ୍ତୋଳନ ପାଇଁ ଅନୁମତି ଦିଆଯାଇ ପାରିବ ନାହିଁ । ସ୍ଥିତାବସ୍ଥା ଅବଧିକୁ ବୃଦ୍ଧି ନକରି ହାଇକୋର୍ଟ ଉଚିତ୍ ପଦକ୍ଷେପ ନେଇଛନ୍ତି । ତେବେ ହାଇକୋର୍ଟ ଯେଉଁ ସବୁ ଖଣି ମାମଲାରେ ସ୍ଥିତାବସ୍ଥା ଜାରି ରହିଛି ସେଗୁଡ଼ିକର ଆଜିଠୁ ୬ମାସ ମଧ୍ୟରେ ଶୁଣାଣି କରି ତା’ର ନିଷ୍ପତ୍ତି ଓ ସମାଧାନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି । ଏହାସହିତ ଏସଏଲପିକୁ ଖାରଜ କରିଦେଇଛନ୍ତି ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଏହି ରାୟ ଅବଗତ କରାଇବାକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ନବୀନଙ୍କ ନୂଆ ଟିମ୍‌;ଜାଣନ୍ତୁ, କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ଏଥିରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ରହିଛନ୍ତି। ପୂର୍ବ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା କିଛି ସଦସ୍ୟ ଏଥର ମଧ୍ୟ ମନ୍ତ୍ରୀ ହୋଇଛନ୍ତି ଓ ପୂର୍ବ ଦାୟିତ୍ୱ ମଧ୍ୟ ପାଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ନିରଞ୍ଜନ ପୂଜାରୀ, ନବ କିଶୋର ଦାସ, ପ୍ରଫୁଲ୍ଲ ମଲ୍ଲିକ, ତୁଷାରକାନ୍ତି ବେହେରା, ଅଶୋକ ଚନ୍ଦ୍ର ପଣ୍ଡା ଓ ସମୀର ରଞ୍ଜନ ଦାଶ। ସେମାନଙ୍କ ମଧ୍ୟରୁ କେହି କେହି ପୁରୁଣା ବିଭାଗ ସହିତ ନୂଆ ଦାୟିତ୍ୱ ମଧ୍ୟ ପାଇଛନ୍ତି। ଯେପରିକି  ନିରଞ୍ଜନ ପୂଜାରୀ ପୁଣି ଅର୍ଥ ବିଭାଗ ପାଇଥିବା ବେଳେ ତା’ସହିତ ସଂସଦୀୟ ବ୍ୟାପାର ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ନୂଆ ବିଭାଗ ମିଳିଛି। ପୂର୍ବରୁ ଥିବା ବିଭାଗ ତାଙ୍କ ହାତରୁ ଚାଲି ଯାଇଛି। ଏବେ ନଜର ପକାନ୍ତୁ କାହାକୁ କେଉଁ ଦାୟିତ୍ୱ ମିଳିଛି।

କ୍ୟାବିନେଟ୍ ପାହ୍ୟା

  • ଜଗନ୍ନାଥ ସାରକା- ଆଇନ, ଆଦିବାସୀ କଲ୍ୟାଣ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ
  • ନିରଞ୍ଜନ ପୂଜାରୀ- ଅର୍ଥ ଓ ସଂସଦୀୟ ବ୍ୟାପାର
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ
  • ପ୍ରମିଳା ମଲ୍ଲିକ- ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ
  • ଉଷା ଦେବୀ- ଗୃହ ଓ ନଗର ଉନ୍ନୟନ
  • ପ୍ରଫୁଲ୍ଲ ମଲ୍ଲିକ- ଇସ୍ପାତ ଓ ଖଣି, ପୂର୍ତ୍ତ
  • ପ୍ରତାପ ଦେବ- ଶକ୍ତି, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
  • ଅତନୁ ସବ୍ୟସାଚୀ ନାୟକ- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ
  • ପ୍ରଦୀପ ଅମାତ- ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ
  • ନବକିଶୋର ଦାସ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
  • ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ
  • ଟୁକୁନି ସାହୁ- ଜଳ ସଂପଦ, ବାଣିଜ୍ୟ ଓ ପରିବହନ
  • ରାଜେନ୍ଦ୍ର ଢୋଲକିଆ- ଯୋଜନା ଓ ସଂଯୋଜନା