ମରଣଯନ୍ତା ପାଲଟିଛି ଭୋଇମଡା…!

!!! ରାୟଗଡା ଜିଲ୍ଲା କୋଲନରା ରୁ ପ୍ରତିନିଧି  ମୋନଜ କୁମାର ନାଲା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଲନରା)- ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପ୍ରତ୍ୟେକ ଗ୍ରାମାଞ୍ଚଳର ଉନ୍ନତି ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରି ଖାଲି ବିକାଶର କଥା କହି ଡିମଡିମା ପିଟୁଥିବା ବେଳେ ସରକାରଙ୍କ ଲୋକାଭିମୁଖୀ ଯୋଜନା ସବୁ ଉପାନ୍ତ ଅଞ୍ଚଳରେ ନ ପହଞ୍ଚି ଖାଲି କାଗଜ କଲମରେ ସୀମିତ ହୋଇ ରହିଯାଉଥିବା ଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭୋଇମଡା ଠାରୁ ପାଣିଛତ୍ର ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ। ମୁଖ୍ୟତଃ ଗ୍ରାମାଞ୍ଚଳରେ ଥିବା ପାନୀୟ ଜଳ ଓ ରାସ୍ତାଘାଟ ସମସ୍ୟା ଉପରେ ସରକାର ଅଧିକ ଦୃଷ୍ଟି ଦେଉଥିବା ବେଳେ ଏମିତି ବି ଅଞ୍ଚଳ ରହିଛି ଯେଉଁଠି ବର୍ଷ ବର୍ଷ ଧରି ରାସ୍ତାର ଉନ୍ନତି ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟବରାଦ କରୁଥିଲେ ମଧ୍ୟ ଆବଶ୍ୟକ ସ୍ଥାନରେ ତାହା ଉପଯୋଗ କରୁ ନ ଥିବା ଭଳି ଚିତ୍ର ଦେଖିବାକୁ ମିଳିଛି। ଫଳରେ ଶୋଚନୀୟ ରାସ୍ତା ହେତୁ ସ୍ଥାନୀୟ ଅଞ୍ଚଳବାସୀ ନା ନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ସେମିତି ଏକ ଚିତ୍ର ଦେଖିବାକୁ ମିଳିଛି ଭୋଇମଡା ଠାରୁ ପାଣିଛତ୍ର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ଆରଡି ରାସ୍ତାରେ। ଏହି ରାସ୍ତା ଉପରେ ଅଞ୍ଚଳର ପ୍ରାୟ ୮ ହଜାର ଜନସାଧାରଣ ନିର୍ଭରଶୀଳ ରହିଥିବା ବେଳେ ରାସ୍ତାର ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇ ପଡ଼ିଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିରେ ପଡୁନାହିଁ। ଯାହା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏମିତିକି ବେଳେ ବେଳେ ଉକ୍ତ ରାସ୍ତା ଦେଇ ବହୁ ସରକାରୀ କର୍ମଚାରୀ ଓ ଖୋଦ ସ୍ଥାନୀୟ ବିଧାୟକ ତଥା ଆଦିବାସୀ ଉନ୍ନୟନ ମନ୍ତ୍ରୀ ମହୋଦୟ ମଧ୍ୟ ଉକ୍ତ ରାସ୍ତା ଦେଇ ବହୁବାର ଯା ଆସ କରିଥିଲେ ମଧ୍ୟ ଖାଲଖମା ରାସ୍ତାର ମରାମତି ଦିଗରେ କେହି ହେଲେ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଦୀର୍ଘ ବର୍ଷ ହେଲା ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଥିଲେ ମଧ୍ୟ ନିର୍ମାଣ ଦିଗରେ ପଦକ୍ଷେପ ନିଆ ଯାଉନି। ଉକ୍ତ ରାସ୍ତାର ପ୍ରାୟ ବହୁ ସ୍ଥାନରେ ପିଚୁ ସହ ଚିପ୍ସ ବାହାରି ମେଟାଲ ଦେଖା ଗଲାଣି ଏବଂ ମଝି ମଝିରେ ଖାଲଖମା ଯୋଗୁଁ ପ୍ରାୟ ବହୁ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟି ମୂଲ୍ୟବାନ ଧନ ଜୀବନ ମଧ୍ୟ ନଷ୍ଟ ହେଉଥିବା ବି ନଜୀରରେ ରହିଛି। ଏହି ରାସ୍ତାର ମରାମତି ପାଇଁ ବହୁ ସମୟରେ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଥିଲେ ମଧ୍ୟ କେହିବି ତାଙ୍କ କଥାକୁ କର୍ଣ୍ଣପାତ କରି ନ ଥିବା ଅଭିଯୋଗ ହୋଇଛି। ମୋଟାମୋଟି କହିବାକୁ ଗଲେ ଏହି ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଦୀର୍ଘ ବର୍ଷ ଧରି ଏହି ରାସ୍ତା ମରାମତି ନ ହେବା କାରଣରୁ ଲୋକେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଅଞ୍ଚଳବାସୀଙ୍କ ସୁବିଧା ଦୃଷ୍ଟିରୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ଉକ୍ତ ଶୋଚନୀୟ ରାସ୍ତାର ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

ସୀମା ସଶସ୍ତ୍ର ବଳ ରେ ରାୟଗଡା ରୁ ପ୍ରଥମ ମହିଳା ଯବାନ….!

!!! ରାୟଗଡା ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- ରାୟଗଡ଼ା ଜିଲ୍ଲା ର ପ୍ରଥମ ମହିଳା ସଶସ୍ତ୍ର ଯବାନ ଭାବେ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡ଼ା ଗ୍ରାମର ଝିଅ କୁମାରୀ ରଶ୍ମିତା କୁମ୍ଭାର ଆଜି ସେନା ରେ ଯୋଗ ଦେବା ପରେ ପ୍ରଥମ ଥର ପାଇଁ ରାୟଗଡ଼ା ମାଟିରେ ପାଦ ଦେଇଥିଲେ। ତାଙ୍କୁ ଗେଟିପଡ଼ା ଗ୍ରାମ ଓ ରାୟଗଡ଼ା ବାସି ବଡ ଆଡ଼ମ୍ବରରେ ରାୟଗଡ଼ା ଷ୍ଟେସନ ରୁ ବେଣ୍ଡ୍ ବାଜା ସହ ଫୁଲ ତୋଡା ଦେଇ ସ୍ଵାଗତ କରିଥିଲେ।ସୂଚନା ଅନୁଯାୟୀ ସେ ୨୦୧୯ ମସିହାରେ ଭରଟ ସଶସ୍ତ୍ର ସୀମା ବଳ ବାହିନୀରେ ଯୋଗ ଦେଇଥିଲେ। ରାୟଗଡ଼ା ମାଟିର ଝିଅ ଯିଏ ଦେଶ ସୁରକ୍ଷା ପାଇଁ ପିଲା ବେଳୁ ଲକ୍ଷ୍ୟ ରଖି ଆଜି ସଫଳତା ପାଇଥିଲେ ତାଙ୍କ ପାଇଁ ରାୟଗଡ଼ା ଆଜି ଗର୍ବିତ ବୋଲି ରାୟଗଡ଼ା ବ୍ଲକ C ଜୋନ ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସନ୍ଧ୍ୟା ପୁଲାକା କହିଛନ୍ତି।ରଶ୍ମି କହିଛନ୍ତି ଯେ ତାଙ୍କର ଏହି ସଫଳତା ପଛରେ ଦୃଢ଼ ନିଷ୍ଠା ଓ ପରିବାରର ସହଯୋଗ ମୁଖ୍ୟ କାରଣ ବୋଲି।ଏବଂ ସେ ମହିଳା ଯୁବ ପିଢ଼ି କୁ ଏଭଳି ଲକ୍ଷ୍ୟ ରଖି ସେନା ରେ ଯୋଗ ଦେଇ ଦେଶ ସେବା କରିବା ପାଇଁ ଆହ୍ବାନ ଦେଇଛନ୍ତି। ତାଙ୍କୁ ଏଭଳି ସମ୍ମାନ ରାୟଗଡ଼ା ବାସି ଦେଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି।

ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ;୩୩୦୦ଲିଟର ପୋଚ୍ଚ ଓ ୪୯୬ଲିଟର ଦେଶୀ ମଦ ଜବତ, ୧୦ଜଣ ଅଭିଯୁକ୍ତ ଗିରଫ …!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ବଳରାମ ମଲ୍ଲିକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- ଅବକାରୀ କମିଶନର ଆଶିଷ ସିଂହ ଓ ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଧେଶରେ ନୂତନ ଭାବେ ଗତ ତା.୩/0୬/୨୨ରିଖରେ ଯୋଗଦେଇଥିବା ଅବକାରୀ ଅଧିକ୍ଷକ ରାୟଗଡ଼ ଅଭିରାମ ବେହେରାଙ୍କ ତତ୍ୱାବଧାନରେ ରାୟଗଡ଼ ସଦର ମହକୁମାର ଅଫିସର ଇଂଚାର୍ଜ ଏବଂ ଜିଲ୍ଲା ମୋବାଇଲ ଟିମର ମିଳିତ ଭାବେ ସଦର ଇଲାକାରେ ଚଢ଼ାଉ କରି ୨୬୪ଲିଟର ଦେଶୀ ମଦ ଜବତ କରିବାସହ ୧୧୦୦ଲିଟର ପୋଚ୍ଚ ନଷ୍ଟ କରିଥିଲେ ଏବଂ ଏଥିରେ ସମ୍ପୃକ୍ତ ୪ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି l ସେହିପରି ଗତ ୫/୦୬/୨୨ରିଖ ଦିନ ଚାନ୍ଦିଲି ଥାନା,କଲ୍ୟାଣ ସିଂ ପୁର ଥାନl,ଗୁଣପୁର ଥାନା, ବିଷମ କଟକ ଥାନା, ଅଂଚଳରେ ବ୍ୟାପକ ଚଢ଼ାଉ କରି ୨୩୨ଲିଟର ଦେଶୀ ମଦ ଜବତ କରିବା ସହ ୨୨୦୦ଲିଟର ପୋଚ୍ଚ ନଷ୍ଟ କରୁଥିଲେ ଏବଂ ଏଥିରେ ସଂପୃକ୍ତ ୫ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧିକ୍ଷକ ସୂତ୍ରରୁ ପ୍ରକାଶ l ସେହିପରି ରାୟଗଡ ସଦର ଇଲାକାରେ ମହୁଲ ବ୍ୟସାୟାରେ ଜଡିତ ବ୍ୟକ୍ତିଙ୍କ ଠାରୁ ୧୨କ୍ୱିଣ୍ଟାଲ ମହୁଲ ସହ ଜଣକୁ ଗିରଫ କରାଯାଇଥିବା ଅବକାରୀ ଅଧୀକ୍ଷକ ଅଭିରାମ ବେହେରା ଜଣାଇଛନ୍ତି l ନୂତନ ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ନିଜ କାର୍ଯ୍ୟରେ ଯୋଗଦାନ କରିବାର ଦୁଇ ଦିନ ମଧ୍ୟରେ ଏତେ ବଡଧରଣର ଚଢ଼ାଉ କରି ଚୋରା ମଦ କାରବାର ଉପରେ ଦୃଢ଼ ପଦ୍ଧକ୍ଷେପ ନେଇଛନ୍ତି l ଉକ୍ତ ଧରପଗଡ଼ରେ ଅବକାରୀ ନିରୀକ୍ଷକ,ଭାରପ୍ରାପ୍ତ ଅଧିକାରୀ ଓ ଅନ୍ୟାନ୍ୟ ଅବକାରୀ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ ।

ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମୋହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ବଳରାମ ମଲ୍ଲିକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା)- ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦରମୋହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା,ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା,ଅତିରିକ୍ତ ଆରକ୍ଷୀ ଅଧିକାରୀ ରାମଚନ୍ଦ୍ର ସାହୁ,ଉପଜିଲ୍ଲାପାଳ ରାୟଗଡ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ଏଲେଏନ ପୃଷ୍ଟି, ଜିଲା ଗ୍ରାମୀୟ ଜଳଯୋଗାଣ ନିର୍ବାହୀଯନ୍ତ୍ରୀ ଚିତ୍ତରଞ୍ଜନ ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ,ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ଦୟାନିଧି ବାଘ, ଉଦୟାନ କୃଷି ଉପନିର୍ଦେଶକ, ଜିଲ୍ଲା ଯୋଗାଣ ଅଧିକାରୀ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ଅତିରିକ୍ତ ତହସିଲଦାର ସୁନୀଲ କୁମାର ଖରା, ପୌର ନିର୍ବାହୀ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ,ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଆଜି ମୋଟ ୪୧ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା ସେଥି ମଧ୍ୟରୁ୩୨ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୭ଗୋଟି ଗ୍ରାମ ବାସୀ ମାନଙ୍କର ସାମୁହିକ ଓ ୨ଗୋଟି ଅଭିଯୋଗ ରେଡ଼କ୍ରସ ସହାୟତା ପାଇଁ ଥିଲା । ଏହି ଶିବିରରେ ଜଣକୁ ୫ହଜାର ଓ ଅନ୍ୟ ଜଣକୁ ୨ହଜାର ଟଙ୍କା ରେଡ଼କ୍ରସରୁ ସହାୟତା ପ୍ରଦାନ କରିଥିଲେ l ଜିଲ୍ଲାପାଳ ଶ୍ରୀ ମିଶ୍ର ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଲ୍ୟାମ୍ପ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ; ସନ୍ଦେହ ଘେରରେ ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟ କଳାପ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାୟଗଡା ଜିଲ୍ଲା ଗୁଣପୁର ଲ୍ୟାମ୍ପ୍ସ ର ୧୫ ଗୋଟି ନିର୍ଦ୍ଦେଶକ ପଦବୀ ପାଈଁ ଗତ ୨୯/୦୫/୨୦୨୨ ରିଖ ଦିନ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଗତ ଶୁକ୍ରବାର ଦିନ ଏଥି ଲାଗି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ର ଦିନ ରହିଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ କୌଣସି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହୋଇନଥିବା ଲ୍ୟାମ୍ପ୍ସ ପକ୍ଷରୁ ସୂଚନା ମିଳିଛି । ସମୁଦାୟ ୫୧ ଗୋଟି ପ୍ରାର୍ଥୀ ପତ୍ର ମଧ୍ୟରୁ ୭ ଗୋଟି ପ୍ରାର୍ଥୀ ପତ୍ର ନାକଚ ହୋଇଥିବା ଫଳରେ ୪୪ ଗୋଟି ପ୍ରାର୍ଥୀ ଙ୍କ ନାମାଙ୍କନ କାୟମ ରହିଛି ବୋଲି ବିଜ୍ଞାପନ ଫଳକ ରେ ୦୩/୦୬/୨୦୨୨ ତାରିଖ ଦିନ ନିର୍ବାଚନୀ ପ୍ରତୀକ ସହ ତାଲିକା ପ୍ରକାଶ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟ ରେ ୦୪/୦୬/୨୦୨୨ ତାରିଖ ଦିନ ଚଂଚକତା କରି ପୁଣି ଆଉ ଥରେ ସେହି ତାରିଖ ଦର୍ଶାଇ ଅନ୍ୟ ଗୋଟିଏ ସଂଶୋଧିତ ୪୩ ଜଣ ପ୍ରାର୍ଥୀ ଙ୍କ ନାମ ରହିଥିବା ତାଲିକା ପ୍ରକାଶ କରାଯାଇଥିଲା । ନିର୍ବାଚନ ଅଧିକାରୀ , ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ ଠାରୁ ପ୍ରତୀକ ପ୍ରଦାନ ତାଲିକା ପର୍ଯ୍ୟନ୍ତ ତାଲିକା ବିଜ୍ଞାପନ ଫଳକରେ ପ୍ରତ୍ୟେକ ଥର ଲଗାଯାଇ ପୁଣି ସଂଶୋଧିତ ତାଲିକା ଲଗା ଯାଉଥିଲା । ପ୍ରାର୍ଥୀ ଗୌରୀ ଗମାଙ୍ଗ ଙ୍କ ସମେତ , ପୂର୍ବତନ ସଭାପତି ଅଶ୍ୱିନ ଗମାଙ୍ଗ , ପୂର୍ବତନ ନିର୍ଦ୍ଦେଶକ ଦେବେନ୍ଦ୍ର ଚୌଧୁରୀ , ପୂର୍ବତନ ନିର୍ଦ୍ଦେଶକ ବାଲା କ୍ରୀଷ୍ଣା ରାଓ ଏକ ସଙ୍ଗ ରେ ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ କରିଥିଲେ । ଜଣେ ବ୍ୟକ୍ତି ଗୋଟିଏ ରୁ ଉର୍ଦ୍ଧ ନିର୍ବାଚନ ମଣ୍ଡଳୀ ରେ ନିଜ ନାମାଙ୍କନ ଦାଖଲ କରିପାରିବେ ନାହିଁ କହି ଗୌରୀ ଗମାଙ୍ଗ ଙ୍କ ସହ ଅନ୍ୟ ମାନଙ୍କ ନାମାଙ୍କନ ପତ୍ର ଗୁଡିକୁ ନିର୍ବାଚନ ଅଧିକାରୀ ସମୀର ସ୍ୱାଇଁ ଉପରକ୍ତ ପ୍ରାର୍ଥୀ ଙ୍କୁ ବିନା ସୂଚାଇ ନିଜ ଇଚ୍ଛା ମୁତାବକ ରାଜନୈତିକ ପ୍ରରୋଚନାରେ ପଡ଼ି ଗୋଟିଏ କୁ କାୟମ ରଖି ଅନ୍ୟ ଟିକୁ ରଦ୍ଧ କରିଦେଇଥିବା ଅଭିଯୋଗ ହେଉଛି । ନାମାଙ୍କନ ପତ୍ର ଦାଖଲ ବେଳେ ଚଂଚକତା କରି ପ୍ରାର୍ଥୀ ମାନଙ୍କ ପ୍ରାର୍ଥୀ ପତ୍ର କୁ ଓଲଟ ପାଲଟ କରି ସେମାନେ ଚାହୁଁ ଥିବା ନିର୍ବାଚନ ମଣ୍ଡଳୀ ବଦଳ ରେ ଅନ୍ୟତ୍ର ସେମାନଙ୍କ ନାମାଙ୍କନ କୁ କାୟମ କରିଥିବା ଅଭିଯୋଗ ଉଠିଛି । ନିର୍ବାଚନ ଟି ସ୍ୱଚ୍ଛ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନେଇ ନିର୍ବାଚନ ଅଧିକାରୀ ଙ୍କୁ ନିୟୋଜିତ କରାଯାଇଥିବା ବେଳେ ସେ ନିଜେ ଏଥିରେ ଚଂଚକତା କରୁଥିବା ନେଇ ଡ଼ି ଆର ସି ଏସ ଙ୍କୁ ଗୌରୀ ଗମାଙ୍ଗ ଅଭିଯୋଗ କରିବା ପରେ ମଧ୍ୟ ଏଥି ପ୍ରତି କୌଣସି ପଦକ୍ଷେପ ନିଆଯାଇ ନାହିଁ । ସମ୍ପୃକ୍ତ ନିର୍ବାଚନ ଅଧିକାରୀ ଲ୍ୟାମ୍ପରେ ଡ଼ାଇରେକ୍ଟର ପଦବୀ ନିମନ୍ତେ ପ୍ରତିଦ୍ବନ୍ଧିତା  କରୁଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ହେଉଥିବା ଅଭିଯୋଗ ଉଠିଛି । ଦୀର୍ଘ ସମୟ ଧରି ଉକ୍ତ ରାଜନୈତିକ  ପ୍ରତିଦ୍ୱନ୍ଦୀ ଏବଂ ତାଙ୍କ ସମର୍ଥକ ଙ୍କ ସହ ବସି ଲ୍ୟାମ୍ପ୍ ର ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ଓ ସମସ୍ତ  ନାମାଙ୍କନ ପତ୍ର ତାଙ୍କ ହାତ ରେ ଦେଇ ୩୦/୦୫/୨୦୨୨ ତାରିଖ ଦିନ ଉକ୍ତ ନାମାଙ୍କନ ପତ୍ର ଗୁଡିକୁ ଛେଡ ଛାଡ଼ କରାଯାଇଥିବା ଅଭିଯୋଗ ହେଉଛି । ଉକ୍ତ ୩୦/୦୫/୨୦୨୨ ଦିନ ଠାରୁ ନିର୍ବାଚନ ଅଧିକାରୀ ଲ୍ୟାମ୍ପ୍ କାର୍ଯ୍ୟାଳୟ କୁ ନ ଆସି କୌଣସି ଏକ କାମର ବାହାନା କରି ଲୁଚି ରହିବା ଏବଂ କେବଳ ଦୁଇ ଦିନ ସହ ନିର୍ବାଚନ ଅଧିକାରୀ ଙ୍କୁ ପଠାଇ କୌଣସି କାଗଜ ପତ୍ର ନଦେଇ ଚଂଚକତା କରୁଥିବା ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟଶୈଳୀ କୁ ଅଙ୍ଗୁଳି ନିର୍ଦେଶ କରୁଛି । ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ଓ ନାମାଙ୍କନ ପତ୍ର ଲ୍ୟାମ୍ପ୍ କାର୍ଯ୍ୟାଳୟ ଠାରେ ରଖିବା ଏବଂ ସମସ୍ତ ନିର୍ବାଚନୀ କାର୍ଯ୍ୟ ଲ୍ୟାମ୍ପ୍ ପରିସର ମଧ୍ୟରେ କରାଯିବା ନେଇ ବିଜ୍ଞପ୍ତି ଥିବା ବେଳେ ନିର୍ବାଚନ ଅଧିକାରୀ ଏହାକୁ ନିଜ ଅଧିନ ରେ ରଖିଥିବା ଓ ନିଜେ ସମସ୍ତ ନୋଟିସ ଗୁଡିକୁ ଅନ୍ୟତ୍ର ପ୍ରସ୍ତୁତ କରି ଲ୍ୟାମ୍ପ୍ ର ପରିଚାଳନା ନିର୍ଦେଶକ ଙ୍କୁ ଡକାଇ ତାଙ୍କ ଦ୍ଵାରା ନୋଟିସ ବୋର୍ଡ଼ ରେ ଲଗାଇବା ଭଳି କାର୍ଯ୍ୟ କୁ ସାଧାରଣ ରେ ନିନ୍ଦା କରାଯାଇଛି । ଜଣେ ପ୍ରାର୍ଥୀ ଦୁଇଟି ନିର୍ବାଚନ ମଣ୍ଡଳୀ ରେ ନାମାଙ୍କନ ଦାଖଲ କରିପାରିବେ ନାହିଁ ବୋଲି ନିର୍ବାଚନ ଅଧିକାରୀ ପ୍ରାର୍ଥୀ ମାନଙ୍କୁ ସୂଚାଇ ନଥିଲେ ଏବଂ ଏଥି ନିମନ୍ତେ କୌଣସି ବିଜ୍ଞପ୍ତି ମଧ୍ୟ ନୋଟିସ ବୋର୍ଡ଼ ରେ ଟଙ୍ଗାଇ ନଥିଲେ । ଏହି ବିଷୟ ନେଇ ନିର୍ବାଚନ ଅଧିକାରୀ ଙ୍କୁ ପଚାରି ବୁଝିବାରୁ ଏଭଳି ସୁଚାଇବା କିମ୍ବା ବିଜ୍ଞପ୍ତି ପ୍ରକାଶ କରି ଟଙ୍ଗାଇବା ନେଇ ଜରୁରୀ ନୁହଁ ବୋଲି ନିଜ ପ୍ରତିକ୍ରିୟା ରେ କହିଥିଲେ । ଜଣେ ପ୍ରାର୍ଥୀ ଦୁଇ ଗୋଟି ସ୍ଥାନ ରେ ନାମାଙ୍କନ ଦାଖଲ କରିପାରିବେନି ବୋଲି ପ୍ରାର୍ଥୀ ଙ୍କୁ ନ ସୂଚାଇ ସେମାନେ  ଏକ ସଙ୍ଗେ ଦାଖଲ କରିଥିବା ନାମାଙ୍କନ ମଧ୍ୟରୁ ଯେଉଁଟି ନିର୍ବାଚନ ଅଧିକାରୀ ଙ୍କ ଉପଦେଷ୍ଟା ତଥା ନିଜ ପାଖ ଲୋକ ଙ୍କ ନିମନ୍ତେ ଉପଯୁକ୍ତ ସେହି ନାମାଙ୍କନ କୁ ଉଦ୍ଦେଶ୍ୟ ମୂଳକ ଭାବେ ରଦ୍ଧ କରି ଅନ୍ୟ ଟି କାୟମ ରଖିଥିବା ପ୍ରାର୍ଥୀ ଅଭିଯୋଗ କରିଛନ୍ତି । ପ୍ରାର୍ଥୀ ଙ୍କ ଦ୍ଵାରା ନିର୍ବାଚନ ଅଧିକାରୀ ଙ୍କ ନିକଟ ରେ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ନଥିପତ୍ର ର ସାର୍ଟିଫାଇଡ଼ କପି କୋର୍ଟ ଫି ଷ୍ଟାମ୍ପ ସହ ଜରୁରୀ କାଳୀନ ଆବେଦନ କରି ବାରମ୍ବାର କାର୍ଯ୍ୟାଳୟ କୁ ମାଗିବାକୁ ଯାଉଥିଲେ ମଧ୍ୟ ଏହାକୁ ଦିଆଯାଉନଥିବା ଏବଂ ଏହାକୁ ଜାଣିସୁଣି ବିଳମ୍ବ କରିବା ନେଇ ଉଦ୍ଦେଶ୍ୟ ମୂଳକ ଭାବେ ଡାକଯୋଗେ ପଠାଯିବ ବୋଲି ନିର୍ବାଚନ ଅଧିକାରୀ କହୁଥିବା ଅଭିଯୋଗ ହେଉଛି । କିଛି ପ୍ରାର୍ଥୀ ନିଜ ଇଚ୍ଛା ମୁତାବକ ଆବେଦନ କରିଥିବା ପ୍ରତୀକ ମାଗିଥିଲେ ମଧ୍ୟ ତାକୁ ଦିଆନଯାଇ ନିର୍ବାଚନ ଅଧିକାରୀ ଙ୍କ ମନ ଇଚ୍ଛା ମନଭାବ କୁ ସାଧାରଣ ରେ ନିନ୍ଦା କରାଯାଇଛି । ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ହସ୍ତକ୍ଷେପ ଜରୁରୀ ବୋଲି ଆବେଦନକାରୀ ପ୍ରାର୍ଥୀ ମାନେ ଦାବି କରିଛନ୍ତି ।