“ପାରଳାର ଲଲାମ : ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ” ପୁସ୍ତକର ଶୁଭ ଉନ୍ମୋଚନ…!

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) – ପାରଳା ଅସ୍ମିତାର ସର୍ବୋତ୍ତମ ସନ୍ତକ “ପାରଳାର ଲଲାମ : ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ” ପୁସ୍ତକର ଶୁଭ ଉନ୍ମୋଚନ ଓ ଆଲୋଚନା ଉତ୍ସବ କାର୍ଯ୍ୟକ୍ରମ ପାରାଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସଭାଗୃହ ଠାରେ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ “ସିଦ୍ଧାନ୍ତ ସାହିତ୍ୟ” ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। “ସିଦ୍ଧାନ୍ତ ସାହିତ୍ୟ” ଅନୁଷ୍ଠାନର ସଭାପତି ଡ: ଅନ୍ନପୂର୍ଣ୍ଣା ଦେବୀଙ୍କ ସଭାପତିତ୍ୱରେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ। ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଗବେଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ରଚିତ “ପାରଳାର ଲଲାମ : ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ (୧୭୬୭-୧୮୩୪) ଓଡ଼ିଆ ଭାଷାରେ ରଚିତ ଛଅ ଅଧ୍ୟାୟ ବିଶିଷ୍ଠ ୧୧୬ ପୃଷ୍ଠାର ଗବେଷଣାଧର୍ମୀ ପୁସ୍ତକ। ଏଥିରେ ପ୍ରଦତ୍ତ ତଥ୍ୟ ଗୁଡିକ ବିଭିନ୍ନ ଇଂରେଜ ସରକାରୀ ଦଲିଲରୁ ସଂଗୃହିତ ହୋଇଥିବା ବେଳେ ଏହି ପୁସ୍ତକର ଯୁକ୍ତି ଓ ତଥ୍ୟଭିତ୍ତିକ ଉପସ୍ଥାପନା ଭାରତୀୟ ସ୍ବାଧୀନତା ସଂଗ୍ରାମର ଇତିହାସକୁ ପୁନର୍ବାର ଆଲୋଚନା କରିବା ଦିଗରେ ନିଶ୍ଚିତ ଭାବେ ଏହା ଏକ ନୂତନ ଖୋରାକ ଯୋଗାଇବ। ଅନ୍ୟପକ୍ଷରେ , ଏହି ପୁସ୍ତକର ସନ୍ନିବେଶିତ ତଥ୍ୟ ଗୁଡିକ ଇଂରେଜ ଶାସନ ବିରୁଦ୍ଧରେ ପାରଳା ଅଞ୍ଚଳରେ ଚାଲିଥିବା ସଂଘର୍ଷର ନୂତନ ଘଟଣାବଳୀ ସବୁକୁ ଲୋକ ଲୋଚନକୁ ଆଣିବା ସହ ଓଡିଶା ଏବଂ ଭାରତ ଇତିହାସର ଏହି ଉପେକ୍ଷିତ ତଥା ଅବହେଳିତ ଭାରତ ଇତିହାସରେ ଉପଯୁକ୍ତ ଏବଂ ନ୍ୟାଯ୍ୟ ସ୍ଥାନ ପ୍ରଦାନ କରିବା ନିଶ୍ଚିତ।

ସିପାହୀ ବିଦ୍ରୋହ ପ୍ରଥମ ବିଦ୍ରୋହ ନୁହେଁ , ପାରଳା ଅଞ୍ଚଳର ପାଇକ ବିଦ୍ରୋହ ହିଁ ପ୍ରଥମ ବିଦ୍ରୋହ ବୋଲି ଯେଉଁ ଗବେଷଣାତ୍ମକ ପୁସ୍ତକ ରଚିତ ହୋଇଛି , ଏହାର ପ୍ରଚାର ପ୍ରସାର କରି ଏହି ଗବେଷଣାତ୍ମକ ପୁସ୍ତକଟି ଭାରତ ବର୍ଷର ସମସ୍ତ ଲୋକ ଲୋଚନକୁ ଆଣିବା ପାଇଁ ଏହି ରଚିତ ପୁସ୍ତକର ହିନ୍ଦୀ ଓ ଇଂରାଜୀ ଅନୁବାଦର ପୁସ୍ତକ ନିହାତି ଜରୁରୀ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସହକାରୀ ପ୍ରଫେସର ଡ: ଅଜୟ କୁମାର ତ୍ରିପାଠୀ , ଅବସରପ୍ରାପ୍ତ ପ୍ରଫେସର ଡ: ବିପିନ ନାୟକ , ଗବେଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଇଂ ତୀର୍ଥବାସୀ ପଣ୍ଡା ଏବଂ ଭାରତ ଭୂଷଣ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ୧୮୦୪ ମସିହାରେ ହୋଇଥିବା ସିପାହୀ ବିଦ୍ରୋହକୁ ସମସ୍ତେ ଓଡିଶା ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି କହି ଆସୁଛନ୍ତି। ହେଲେ , ଐତିହାସିକ ତଥା ଗବେଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ତଥ୍ୟ ଭିତ୍ତିକ ଗବେଷଣାତ୍ମକ ଏକ ସନ୍ଦର୍ଭ ପ୍ରସ୍ତୁତ କରି ପ୍ରମାଣୀତ କରିଛନ୍ତି ଯେ , ପାରାଳାଖେମୁଣ୍ଡି ତତକାଳୀନ ଗଜପତି ମହାରାଜା ଶ୍ରୀ ଜଗନ୍ନାଥ ନାରାୟଣ ଦେବଙ୍କ ନେତୃତ୍ୱରେ ୧୭୮୦ ମସିହା ଅକ୍ଟୋବର ୩ରେ ଏକ ସଂଗ୍ରାମ ଜାରୀ ରହିଥିଲା ଏବଂ ସେତେବେଳେ ବିଦେଶୀ ଇଂରେଜ ମାନଙ୍କ କବଳରୁ ଆମର ସାର୍ବଭୌମ୍ୟ ପାରଳା ଜମିଦାରକୁ ସେମାନେ ମୁକ୍ତ କରିଥିଲେ। ବିବରଣୀରୁ ଜଣାଯାଏ ଯେ , ଇଂରେଜ ମାନଙ୍କ ଲିଖିତ ବିବରଣୀ ପ୍ରକାରେ ସେତେବେଳେ ସେହି ପାଇକ ବିଦ୍ରୋହ ସ୍ବାଧୀନତା ସଂଗ୍ରାମରେ ପ୍ରାୟ ୧୮ ଜଣ ପାଇକ ଯୋଦ୍ଧାଙ୍କୁ ଫାଶୀ ଦିଆଯାଇଥିଲା ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ “ପାରଳାର ଲଲାମ: ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ (୧୭୬୭-୧୮୩୪) ସମ୍ପର୍କିତ ରଚିତ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଶୁଭ ଉନ୍ମୋଚିତ ହୋଇଥିଲା।
ସମ୍ପୃକ୍ତ ରଚିତ ପୁସ୍ତକଟି ସମଗ୍ର ଓଡିଶା ତଥା ଜାତୀୟ ସ୍ତରରେ ସ୍ତମ୍ଭକାର , ପତ୍ରକାର , ସମ୍ପାଦକ , ରାଜନୀତିକ, ବିଶିଷ୍ଠ ଲେଖକ ଓ ଅଧ୍ୟାପକଙ୍କ ସମେତ ଦୁଇ ହଜାରରୁ ଅଧିକ ଜଣଙ୍କୁ ମାଗଣାରେ ଯୋଗାଇ ଦେବାକୁ ଅନୁଷ୍ଠାନ ପକ୍ଷରୁ ସ୍ଥିର କରାହୋଇଥିବା କୁହା ଯାଇଥିଲା। ଏହି ଅବସରରେ ଶ୍ରୀ ବିଷ୍ଣୁ ଚରଣ ପଣ୍ଡା , ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ଏବଂ ଶ୍ରୀ ଶରତ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ଭର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଆବାହନ ଶିକ୍ଷାବିତ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା କରିଥିବା ବେଳେ ସ୍ୱାଗତ ସମ୍ଭାଷଣ ଦେଇଥିଲେ ଅଧ୍ୟାପିକା ଡ:କଲ୍ୟାଣୀ ମିଶ୍ର , ଅତିଥି ପରିଚୟ ପ୍ରଦାନ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ଭାଗବତ ପାଢ଼ୀ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର ପକ୍ଷରୁ ଅଧ୍ୟାପିକା ସୁଶ୍ରୀ ଡି: ପ୍ରିୟଙ୍କା ଓଡିଶୀ ନୃତ୍ୟ ଓ ସୁଶ୍ରୀ ଖାନ୍ଶିକା ଭାରତ ନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ।

ଗୋ ବ୍ୟବସାୟୀଙ୍କୁ ଚାନ୍ଦା ମାଗି ୨ ଏଏସଆଇ ନିଲମ୍ୱିତ ….!

!!! ବାରିପଦା ରୁ ପ୍ରତିନିଧି ମୋନଜ କୁମାର ନାଲା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାରିପଦା)- ମୟୁରଭଞ୍ଜରେ ଗୋରୁ ଗାଡ଼ିକୁ ଚାନ୍ଦା ଆଦାୟ ଘଟଣାରେ ଝାରପୋଖରିଆ ଥାନାରେ କାର୍ଯ୍ୟରତ ଦୁଇ ଜଣ ପୋଲିସ କର୍ମଚାରୀ ଏଏସଆଇ (ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର) ଓ ଜଣେ କନେଷ୍ଟବଲଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।  ନିଲମ୍ବିତ ହୋଇଥିବା ପୋଲିସ ଦୁଇ ଜଣ ଏଏସଆଇ ସ୍ମୃତି ରଞ୍ଜନ ସ୍ୱାଇଁ ଓ ଚନ୍ଦନ ସିଂ ହୋଇଥିବା ବେଳେ କନେଷ୍ଟବଲ ଦୀପକ ସାମଲ ମଧ୍ୟ ଏଥିରେ ସାମିଲ ଥିବା ଜଣା ଯାଇଛି। ସମ୍ପୃକ୍ତ ତିନି ପୋଲସି କର୍ମଚାରୀଙ୍କ ବିରୋଧରେ ମୟୁରଭଞ୍ଜ ଆରକ୍ଷି ଅଧିକ୍ଷକ ଋଷିକେଶ ଡି.ଖିଲାଡ଼ି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି ।  ଗୋରୁ ବ୍ୟବସାୟୀଙ୍କୁ ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀ ଚାନ୍ଦା ମାଗିବାର ଅଡ଼ିଓ ଭାଇରାଲ ହେବାପରେ ମୟୁରଭଞ୍ଜ ଜିଲ୍ଲାର ଆରକ୍ଷି ଅଧିକ୍ଷକ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ସ୍ପଷ୍ଟ ହୋଇଛି ।

ଭୋଇମୋଡା ଠାରେ ନୂତନ ସ୍ୱାସ୍ଥ୍ୟ ଓ ଅରାଗ୍ୟ କେନ୍ଦ୍ର ରେ ମେଡିକାଲ ସେବା ଆରମ୍ଭ…!

!!! ରାୟଗଡ଼ ଜିଲ୍ଲା କୋଲନରା ରୁ ପ୍ରତିନିଧି ମୋନଜ କୁମାର ନାଲା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୋଲନରା)-  ସରକାର ଙ୍କ ପକ୍ଷରୁ ଭୋଇମୋଡା ଠାରେ ନୂତନ ସ୍ୱାସ୍ଥ୍ୟ ଓ ଅରାଗ୍ୟ କେନ୍ଦ୍ର ରେ ମେଡିକାଲ ସେବା ଆରମ୍ଭ ହୋଇଯାଇଛି ।  ଏଠାରେ ଆୟୁଷ୍ମାନ ଭାରତ ଯୋଜନା ରେ ସବୁ ପ୍ରକାର ମେଡିକାଲ ସେବା ମିଳିପାରିବ ବୋଲି ଡାଃ.ରବୀନ କୁମାର ବେହେରା କହିଛନ୍ତି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଭୋଇମୋଡା ସିଏଚଓ ସନ୍ଧ୍ୟା ମୋଗଲି, ଏନମ ରାଜେଶ୍ୱରୀ ବାଉରୀ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ଚନ୍ଦ୍ର ସାହୁ, ସୁପରଭାଇଜର ଶ୍ରୀ ଦେବେନ୍ଦ୍ର କୁମାର ପୁରୁଷେଟିଙ୍କ ସମେତ ଭୋଇମୋଡା ଗ୍ରାମବାସୀ ଉପସ୍ଥିତ ଥିଲେ ।

ଜି ଆଇ ଇ ଟି ଵିଶ୍ଵ ବିଦ୍ୟାଳୟ କୃଷି ମହାବିଦ୍ୟାଳୟର ଚତୁର୍ଥ ବୋର୍ଡ଼ ଅଫ ଷ୍ଟିଡିସ ସଭା ଅନୁଷ୍ଠିତ….!

ଏଥର ସମ୍ଭାଳ (ଗୁଣୁପୁର)- ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ଅଧିନସ୍ତ କୃଷି ମହାବିଦ୍ୟାଳୟ ର ଚତୁର୍ଥ ବୋର୍ଡ଼ ଅଫ ଷ୍ଟିଡିସ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍କଳ ଵିଶ୍ଵ ବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ବିଭାଗର ଅବସର ପ୍ରାପ୍ତ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡ଼ଃ ଅନାଥ ବନ୍ଧୁ ଦାସ,ଓଡ଼ିଶା କୃଷି ଓ ବୈଷୟିକ ଵିଶ୍ଵବିଦ୍ୟାଳୟ ର କ୍ଷେତ୍ର ବିଜ୍ଞାନ ବିଭାଗର ଅବସର ପ୍ରାପ୍ତ ପ୍ରଫେସର ଡ଼ଃ ଅଶୋକ କୁମାର ମହାପାତ୍ର ଏବଂ ଏଗ୍ରିକଲଚର ବାୟୋଟେକ୍ନୋଲୋଜି ବିଭାଗ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡ଼ଃ ଜ୍ଞାନ ରଞ୍ଜନ ରାଉତ ନିମନ୍ତ୍ରୀତ ସଦସ୍ୟ ଭାବେ ଯୋଗଦେଇ ଥିଲେ। ମହାବିଦ୍ୟାଳୟ ର ଡିନ ପ୍ରଫେସର ଡ଼ଃ ସନ୍ତୋଷ କୁମାର ପଣ୍ଡା ଙ୍କ ଆଗାମୀ ଶିକ୍ଷା ବର୍ଷରେ କାର୍ଯ୍ୟକାରି ହେବାକୁ ଥିବା ନୂତନ ପାଠ୍ୟଖସଡ଼ା ପରିବର୍ତ୍ତନ କରିବା,ସ୍ନାତକୋତ୍ତର ଶ୍ରେଣୀ ଆରମ୍ଭ କରିବା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ସୃଷ୍ଟି କରିବା ନେଇ ସଦସ୍ୟ ମାନଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ପରେ ଏହି ପ୍ରସ୍ତାବ ଗୁଡିକୁ ସଭାରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ପରେ ଗୃହୀତ ହୋଇଥିଲା। ପରି ଶେଷରେ ଅଧ୍ୟାପିକ ଡ଼ଃ ରିନା ସ୍ଵାଇଁ ଧନ୍ୟବାଦ ଦେଇଥିଲେ।ଏହି ସଭାରେ ସହାୟକ ଡିନ ଅଶୋକ କୁମାର ମିଶ୍ର ତଥା ବିଭାଗର ଅଧ୍ୟାପକ,ଅଧ୍ୟାପିକା ଯୋଗ ଦେଇଥିଲେ।

ପ୍ରେସ ସ୍ୱାଧୀନତାରେ ଆହୁରି ତଳକୁ ଖସିଲା ଭାରତ ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଗଣମାଧ୍ୟମ ସମାଜର ଚତୁର୍ଥ ସ୍ତମ୍ଭ। ଗଣମାଧ୍ୟମ ସବୁବେଳେ ନିରପେକ୍ଷ ଓ ସ୍ୱାଧୀନ ଭାବେ କାମ କରିବା ଉଚିତ। ବିଶେଷ କରି ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରେସର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଭାରତରେ ପ୍ରେସ ସ୍ୱାଧୀନତା ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ସରକାରଙ୍କ ବିରୋଧରେ ଖବର ପ୍ରସାରଣ କଲେ ସାମ୍ବାଦିକମାନଙ୍କୁ ବିଭିନ୍ନ ମାମଲାରେ ଫସାଇ ଦିଆଯାଉଛି। ସରକାରଙ୍କ ଚାଟୁକାରିତା କରୁଥିବା ସାମ୍ବାଦିକମାନଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ମଧ୍ୟ ମିଳୁଛି। ଏଥିଯୋଗୁ ଭାରତର ଛବି ମଧ୍ୟ ବିଶ୍ୱ ଦରବାରରେ ମଳିନ ପଡ଼ିବାରେ ଲାଗିଛି। ଏହାର ପ୍ରତିଫଳନ ବିଶ୍ୱ ପ୍ରେସ ସ୍ୱାଧୀନତା ସୂଚକାଙ୍କରେ ଦେଖିବାକୁ ମିଳିଛି। ସୂଚକାଙ୍କରେ ଭାରତର ସ୍ଥାନ ଗତବର୍ଷ ଅପେକ୍ଷା ଏବର୍ଷ ଆହୁରି ତଳକୁ ଖସିଛି। ଗତବର୍ଷ ବିଶ୍ୱ ପ୍ରେସ ସ୍ୱାଧୀନତା ସୂଚକାଙ୍କରେ ୧୮୦ ଦେଶ ମଧ୍ୟରେ ଭାରତ ୧୪୨ତମ ସ୍ଥାନରେ ଥିଲା। ହେଲେ ଏବେ ଭାରତ ଆହୁରି ୮ଟି ସ୍ଥାନ ତଳକୁ ଖସି ୧୫୦ତମ ସ୍ଥାନରେ ପହଞ୍ଚି ଯାଇଛି। ପ୍ରେସ ସ୍ୱାଧୀନତା ଭାରତରେ ହ୍ରାସ ପାଉଥିବାରୁ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭ ସଙ୍କେତ ନୁହେଁ ବୋଲି ସେମାନେ କହିଛନ୍ତି। ଆରଏସଏଫ ୨୦୨୨ ବିଶ୍ୱ ପ୍ରେସ ସ୍ୱାଧୀନତା ରିପୋର୍ଟରେ କୁହାଯାଇଛି ଯେ ଭାରତର ପଡ଼ୋଶୀ ନେପାଳକୁ ଛାଡ଼ି ଦେଲେ ଆଉ ସବୁ ଦେଶ ଏହି ତାଲିକାରେ ତଳକୁ ଖସିଛନ୍ତି। ପାକିସ୍ତାନ ତାଲିକାର ୧୫୭ତମ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ୧୪୬, ବାଂଲାଦେଶ ୧୬୨ ଓ ମିଆଁମାର ୧୭୬ତମ ସ୍ଥାନରେ ରହିଛି।

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଗଲା ପଚା ଅଣ୍ଡା; ଆଳୁ ସାଙ୍ଗକୁ ପୋକ ବାଇଗଣ….!

ଏଥର ସମ୍ଭାଳ ବ୍ୟୁରୋ(ବଲାଙ୍ଗିର)- ଶିକ୍ଷା କ୍ଷେତ୍ରରେ ଉନ୍ନତି ସହ ପିଲାମାନଙ୍କୁ ସ୍କୁଲ ମୁହାଁ କରିବା ଲକ୍ଷ୍ୟରେ ସରକାର ଆରମ୍ଭ କରିଛନ୍ତି ମଧ୍ୟାନ୍ନ ଭୋଜନ ଯୋଜନା। ପିଲାଙ୍କୁ ଉନ୍ନତ ମାନର ଖାଦ୍ୟ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି। ହେଲେ କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ପିଲାଙ୍କ ଖାଦ୍ୟ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମଧ୍ୟାହ୍ନ ଭୋଜନ ଆଳରେ ପିଲାଙ୍କୁ ଦିଆଯାଉଛି ପଚା ଅଣ୍ଡା ଓ ପାଣିଆ ଡାଲି ଓ ପଚା ଆଳୁ ଓ ପୋକରା ବାଇଗଣ। ବଲାଙ୍ଗିର ଜିଲ୍ଲା ଗାନ୍ଧିନଗରପଡା ପ୍ରାସିଙ୍ଗ୍ ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି। ଗ୍ରୀଷ୍ମ ପ୍ରବାହ ପାଇଁ ସବୁ ସ୍କୁଲକୁ ସକାଳୁଆ କରିବା ପାଇଁ ଘୋଷଣା କରିଛନ୍ତି ସରକାର। ସକାଳୁଆ ସ୍କୁଲ ହେଲେ ବି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ରହିଛି। ଆଜି ପ୍ରାସିଙ୍ଗ୍ ପ୍ରାଥମିକ ବିଦ୍ୟାଳୟରରେ ପିଲାମାନଙ୍କୁ ମଧ୍ୟାହ୍ଣ ଭୋଜନରେ ପଚା ଅଣ୍ଡା, ପାଣିଆ ଡାଲି ଓ ପଚା ଆଳୁ ଓ ପୋକରା ବାଇଗଣ ରୋଷେଇ କରି ଖାଇବାକୁ ଦିଆଯାଇଥିଲା। ପିଲାମାନେ ଖାଇବା ବେଳେ ଅଣ୍ଡା ତରକାରୀରୁ ଗନ୍ଧ ବାହାରିବାରୁ ନ ଖାଇ ପଳାଇ ଆସିଥିଲେ।

କେତେକ ପିଲା ପଚା ଅଣ୍ଡା ଖାଇ ମଧ୍ୟ ବାନ୍ତି କରିଥିଲେ। ପରେ ପ୍ରଧ୍ୟାନ ଶିକ୍ଷୟିତ୍ରୀ ପିଲାମାନଙ୍କୁ ବିସ୍କୁଟ କିଣି ଆଣି ଖାଇବାକୁ ଦେଇଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏପରି ଖାଦ୍ୟ ରୋଷେଇ କରି ଦିଆଯାଇଥିଲା। ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି, ଖରାପ ଗୁଡ଼ିକ ବାହାର କରି ଦେଇ ଯେଉଁ ଗୁଡ଼ିକ ଭଲ ଥିଲା, ତାକୁ ରୋଷେଇ କରାଯାଇଥିଲା। ପଚା ଅଣ୍ଡା ଅଲଗା ବାହାର କରି ଦିଆଯାଇ ଭଲ ଅଣ୍ଡା ରୋଷେଇ କରାଯାଇଥିଲା। ମସଲା ଓ ଟମାଟୋ କମ୍‌ ପଡ଼ିଥିବାରୁ ପିଲାମାନେ ଖାଇନଥିଲେ। ଏନେଇ ସ୍କୁଲର କମିଟି ମେମ୍ବର ଓ ଅଭିଭାବକଙ୍କୁ ଡକାଇ ଜଣାଇଥିଲି। ମୁଁ ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଡାକି କହିବାରୁ ସେମାନେ ମୋ ସହିତ ଝଗଡ଼ା କରିଥିଲେ। ସ୍କୁଲ କମିଟିର ଜଣେ ସଦସ୍ୟ କହିଛନ୍ତି, ପଚା ଅଣ୍ଡା, ପୋକା ବାଇଗଣ, ପଚା ଆଳୁ ଓ ପାଣିଆ ଡାଲି ରନ୍ଧା ଯାଇଥିବା ମୁଁ ଆସି ଦେଖିଥିଲି। ଏପରି ଖାଦ୍ୟ କାହିଁକି ରାନ୍ଧି ପିଲାମାନଙ୍କୁ ଦିଆଯାଉଛି ବୋଲି ମୁଁ ପଚାରି ଥିଲି।

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା ; ପିସିସି ପରିବର୍ତ୍ତନ ଶୀଘ୍ର….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜ୍ୟ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳର ନେତାଙ୍କ ସହ ପ୍ରଭାରୀଙ୍କ ରୁଦ୍ଧଦ୍ୱାର ଆଲୋଚନା ପରେ ପିସିସି ସଭାପତି ଚୟନକୁ ନେଇ ଲାଗି ରହିଛି ଟଣା ଓଟରା। କିଏ ହେବ ପରବର୍ତ୍ତୀ ପିସିସି ମୁଖିଆ, ରାଜ୍ୟରେ କିଏ ଧରିବ ବୁଡ଼ି ଯାଉଥିବା କଂଗ୍ରେସର ମଙ୍ଗ, ତାକୁ ନେଇ ଲାଗି ରହିଛି ଛକାପଞ୍ଝା। ପିସିସି ସଭାପତି ଚୟନ ପ୍ରକ୍ରିୟା ଜୋର ଧରିଥିବା ବେଳେ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଯିବାକୁ ମିଳିଛି ଡାକରା। ଆସନ୍ତା ୫ ତାରିଖରେ ଓଡ଼ିଶାର କଂଗ୍ରେସ ବିଧାୟକମାନେ ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ ଥିବା ସୂଚନା ମିଳିଛି। ସେଠାରେ ହେବ ମାନସ ମନ୍ଥନ। ବରିଷ୍ଠ ନେତା ରାହୁଲ ଗାନ୍ଧି ସବୁ ବିଧାୟକଙ୍କୁ ଭେଟି ୱାନ୍‌ ଟୁ ୱାନ୍‌ ଆଲୋଚନା କରିବେ। ଏହାପରେ ପିସିସି ସଭାପତି ଚୟନ ନେଇ ବାଟ ଫିଟିପାରେ ବୋଲି ଅନୁମାନ କରାଯାଉଛି। ରାହୁଲ ଗାନ୍ଧୀ କଂଗ୍ରେସ ବିଧାୟକଙ୍କୁ ଡାକିଥିବା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓଡ଼ିଶା ଆସି କଂଗ୍ରେସ ବିଧାୟକ ତଥା ନେତାମାନଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଜଣେ ବିଧାୟକ ହିଁ  ପିସିସି ମୁଖିଆ ପଦରେ ବସନ୍ତୁ ବୋଲି କଂଗ୍ରେସ ବିଧାୟକ ଦାବି କରୁଥିବା ବେଳେ ଏନେଇ କିଛି ନିଷ୍ପତ୍ତି ନିଆଯାଇପାରିନି। କଂଗ୍ରେସର ୯ ବିଧାୟକଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ଚାଲିଛି ମତାନ୍ତର ଓ କଥା କଟାକଟି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଦଳର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଥିବା କହୁଥିବା ବେଳେ ଦଳର ପୁରୁଖା ନେତା ନରସିଂହ ମିଶ୍ର ବିରୋଧି ଦଳ ନେତା ପଦ ତ୍ୟାଗ କରିଥିବା ଶୁଣିବାକୁ ମିଳୁଛି। ଏହାବାଦ ପ୍ରାୟ ୨ ବର୍ଷ ହେବ ପିସିସି ସଭାପତି ପଦରୁ ଇସ୍ତଫା ଦେଇ ସାରିଥିବା କହୁଛନ୍ତି ନିରଞ୍ଜନ ପଟ୍ଟନାୟକ। ଯଦି ନିରଞ୍ଜନ ପୂର୍ବରୁ ଇସ୍ତଫା ଦେଇ ସାରିଛନ୍ତି, ଦଳ କାହିଁକି ତାହା ଗ୍ରହଣ କରୁନି, କାହିଁକି ତାଙ୍କ ବଦଳରେ ନୂଆ ମୁହଁଙ୍କୁ ସୁଯୋଗ ଦେଉନି ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଏହା ମଧ୍ୟରେ ଗଣମାଧ୍ୟମ ସମ୍ମୁଖରେ ଦଳର ବରିଷ୍ଠ ନେତା ସୁର ରାଉରରାୟ କହିଛନ୍ତି, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଆମ ଦଳର ମୁଖିଆ। ସେମାନେ ଯାହା କହିବେ ତାହାକୁ ମାନିବୁ। ସେ ଯଦି ଦଳ ବାହାର ଲୋକଙ୍କୁ ବି ବାଛିବେ ଆମେ ତାକୁ ମାନିବୁ।

ମୁଣ୍ଡ ଉପରେ ଥିଲା ୫ ଲକ୍ଷର ପୁରସ୍କାର; ଆତ୍ମସମର୍ପଣ କଲେ ହାର୍ଡକୋର ମାଓମାଦୀ ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର/କଳାହାଣ୍ଡି)- ହାର୍ଡକୋର ମାଓମାଦୀ ତାଲିକାରେ ନାଁ ଥିଲା। ମୁଣ୍ଡ ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର। ଯେକେହି ଏହି ମାଓମାଦିଙ୍କୁ ଧରାଇ ଦେଇଥିଲେ ମିଳିଥାନ୍ତା ଏହି ଅର୍ଥ। ହେଲେ ସେ ଆଜି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଉକ୍ତ ହାର୍ଡକୋର ମାଓବାଦୀ ଜଣକ ଲକ୍ଷ୍ମଣ ସେଣ୍ଡୁ ଓରଫ୍ ଲାଲସୁର। କଳାହାଣ୍ଡି ଏସପି ଶ୍ରବଣ ବିବେକ ଓ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତଙ୍କ ଉପସ୍ଥିତିରେ ସେ ଆତ୍ମସମର୍ପଣ କରିଛନ୍ତି। ସେ ପ୍ରାୟ ୧୫ ବର୍ଷରୁ ଅଧିକ ଦିନ ହେବ ମାଓ ସଂଗଠନ ସହ ଜଡ଼ିତ ଥିଲେ। ବଂଶଧାରା ଘୁମୁସର ନାଗାବଳୀ ମାଓ ଡିଭିଜନର ଏରିଆ କମାଣ୍ଡର ଭାବେ ଅଞ୍ଚଳରେ ଭୟ ବିସ୍ତାର କରି ରଖିଥିଲେ। ୨୦୧୬ ମନସ୍କା ଗୁଳିକାଣ୍ଡ ଓ ବାରଙ୍ଗପଦର ଗୁଳିକାଣ୍ଡରେ ତାଙ୍କର ସଂପୃକ୍ତ ଥିଲା। ସେ ୨୦୦୯ ମସିହାରେ ନିଷିଦ୍ଧ (ସିପିଆଇ) ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ। ପ୍ରାୟ ଏକ ବର୍ଷ ଧରି ଛତିଶଗଡର ଗାଙ୍ଗଲୋର ଡାଲାମରେ ରହିବା ପରେ ୨୦୧୧  ମସିହାରେ ଓଡିଶାର ନିୟମଗିରିକୁ ଆସିଥିଲେ। ସେବେଠାରୁ ସେ ଓଡ଼ିଶାରେ ବିଦ୍ରୋହୀ ଭାବରେ କାର୍ଯ୍ୟ କରୁଥିଲେ। ୨୦୧୪ରେ କର୍ଲାପାଟରେ ଏରିଆ କମିଟି ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲେ। ପରେ ତାଙ୍କୁ ମାଓ ସଂଗଠନ ଏସିଏସ୍ (ଏରିଆ କମିଟି ସଚିବ) ପଦୋନ୍ନତି ଦେଇଥିଲା। ସେ ଏସ୍ଏଲ୍ଆର ବନ୍ଧୁକ ଧରି ମାଓବାଦୀ ସଂଗଠନ କାମରେ ଲାଗି ଯାଇଥିଲେ। ହେଲେ ହଠାତ ତାଙ୍କ ମାନସିକତା ବଦଳି ଯାଇଥିଲା। ପୁଲିସର କାର୍ଯ୍ୟରେ ସେ ଅନୁପ୍ରାଣିତ ହୋଇଥିଲେ। କିଛି ଦିନ ତଳେ ଆତ୍ମସମର୍ପଣ କରି ଥିବା ଦୁଇଜଣ ମାଓ କ୍ୟାଡ଼ର ରାମଦାସ ଏବଂ କଲାମ ଦେଇ ପୁଲିସର ସହଯୋଗ କ୍ରମେ ବିବାହ କରିଥିଲେ। ଯାହାକୁ ଦେଖି ସେ ମାଓବାଦୀ ହିଂସା ଛାଡ଼ି ଏକ ସାଦାସିଧା ଜୀବନଯାପନ ନିମନ୍ତେ ଆତ୍ମସମର୍ପଣ କରିବାକୁ ସ୍ଥିର କଲେ। ଯାହାକୁ ସେ ସଫଳ କରି ଦେଖାଇଛନ୍ତି। ସୂଚନାଯୋଗ୍ୟ, ସରକାରଙ୍କ ଉତ୍ତମ ମାଓ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଯୋଗୁଁ  ଅନେକ ମାଓବାଦୀ ଏବେ ହିଂସା ପଥକୁ ଛାଡି ସାଧାରଣ ଜୀବନକୁ ଫେରିଛନ୍ତି। ଏପରିକି ଯେଉଁମାନେ ପଡୋଶୀ ଛତିଶଗଡର ମୂଳ ମାଓବାଦୀ ସଦସ୍ୟ ସେମାନେ ମଧ୍ୟ ଓଡ଼ିଶା ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ଯାହା ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରୁଛି।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା …..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କ ପରଲୋକ ପରଠୁ ଖାଲି ପଡ଼ିଥିବା ବ୍ରଜରାଜନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ମେ’ ୩୧ ତାରିଖରେ ଏଠାରେ ପଡ଼ିବ ଭୋଟ୍‌। ଆଜି ଭାରତୀୟ ନିର୍ବାଚନ କମିଶନ ଏନେଇ ଘୋଷଣା କରିଛନ୍ତି। ଏହା ସହିତ ଝାରସୁଗୁଡ଼ା ଜିଲ୍ଲାରେ ଆଜିଠାରୁ ଲାଗୁ ହୋଇଯାଇଛି ନିର୍ବାଚନ ଆଚରଣବିଧି। ନିର୍ବାଚନ କମିଶନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ରଜରାଜନଗର ଉପନିର୍ବାଚନ ପାଇଁ ମେ’ ୪ ତାରିଖରେ ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି। ମେ’ ୧୧ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ମେ’ ୧୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଚାହିଁଲେ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ଏହା ପରେ ମେ’ ୩୧ରେ ଭୋଟ୍ ଗ୍ରହଣ କରାଯିବ। ଜୁନ୍ ୩ରେ ଭୋଟ୍ ଗଣତି ହେବ। ଏହି ଉପନିର୍ବାଚନରେ ଇଭିଏମ୍ ଓ ଭିଭିପାଟ୍ ଉପଯୋଗ କରାଯିବ । ଆବଶ୍ୟକ ସଂଖ୍ୟକ ଇଭିଏମ୍ ଓ ଭିଭିପାଟ୍ ଉପଲବ୍ଧ କରାଯାଇଥିବା ନିର୍ବାଚନ କମିଶନ କହିବା ସହ ୨୦୨୨ ଜାନୁଆରୀ ପହିଲା ସୁଦ୍ଧା ନିର୍ବାଚନ ମଣ୍ଡଳୀରେ ଜାରି ହୋଇଥିବା ଭୋଟର ତାଲିକା ହିଁ ଉପନିର୍ବାଚନରେ ଉପଯୋଗ ହେବ। ଏହାସହିତ ପ୍ରାର୍ଥୀଙ୍କୁ ଅତିକମରେ ୩ ଥର ନିଜର ଅପରାଧିକ କାର୍ଯ୍ୟକଳାପ ସମ୍ପର୍କିତ ତଥ୍ୟ ବିଜ୍ଞାପନ ମାଧ୍ୟମରେ ଭୋଟରଙ୍କୁ ଅବଗତ କରାଇବାକୁ ପଡ଼ିବ। ବ୍ରଜରାଜନଗର ଉପ-ନିର୍ବାଚନ ଲଢ଼ିବା ପାଇଁ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ଆଶାୟୀ ଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ମଧ୍ୟ ବିଜେଡି ତରଫରୁ ଟିକେଟ୍ ପାଇଁ ଆଶା ରଖିଥିବା ଆଲୋଚନା ହେଉଛି। ସ୍ୱର୍ଗତ ମହାନ୍ତିଙ୍କ ପତ୍ନୀ ଏନେଇ ଗଣମାଧ୍ୟମ ଆଗରେ ଖୋଲାଖୋଲି ତାଙ୍କ ମତ ରଖିସାରିଛନ୍ତି। ସେ ଟିକେଟ୍ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ବିଜେଡି କାହାକୁ ଏଠାରୁ ଟିକେଟ୍ ଦେବ, ତାହା ଆଉ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ। ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ ତାରିଖରେ ହୃଦ୍‌ଘାତ ଯୋଗୁ ବିଧାୟକ କିଶୋର ମହାନ୍ତିଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା।

ବିଜେପି କହିଲା ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ କରିବା ପଛରେ ରହିଛି ବିଜେଡିର ସୁପରିକଳ୍ପିତ ଯୋଜନା….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ତିଳେଇବଣି ବ୍ଲକ୍ ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଆଜି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିବା ବେଳେ ଏହାକୁ ତୀବ୍ର ନିନ୍ଦା କରିଛି ବିଜେପି। ରାଜ୍ୟ ବିଜେପି ମୁଖ୍ୟପାତ୍ର ଗୋଲକ ବିହାରୀ ମହାପାତ୍ର କହିଛନ୍ତି ଯେ ବିଧାୟକଙ୍କୁ ଗିରଫ କରାଯିବା ପଛରେ ରହିଛି ବିଜେଡିର ସୁପରିକଳ୍ପିତ ଯୋଜନା। ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ଏହି ଘଟଣାରେ ପୁଲିସ୍‌ରେ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ବିଧାୟକ ଆଗ ଏଫ୍‌ଆଇଆର ଦେଲେ। ତା’ପରେ ବିଡିଓ ଏଫ୍‌ଆଇଆର ଦେଲେ। ବିଧାୟକଙ୍କ ଏଫ୍‌ଆଇଆର ପୁଲିସ୍ ପାଖାପାଖି ଅପରାହ୍ଣ ଅଢ଼େଇଟା ବେଳେ ଗ୍ରହଣ କଲା। ନିଶ୍ଚିତ ଭାବେ ତା’ର କିଛି ସମୟ ପରେ ବିଡିଓଙ୍କ ଏଫ୍‌ଆଇଆର ଗ୍ରହଣ କରିଥିବ। ତା’ ହେଲେ ପୁଲିସ୍ କେତେବେଳେ ଘଟଣାର ତଦନ୍ତ କଲା ଓ ବିଧାୟକଙ୍କ ସଂପୃକ୍ତି ଅଛି ବୋଲି କିପରି ଜାଣିଲା। ଏଥିରୁ ଜଣାପଡ଼ୁଛି ବିଧାୟକଙ୍କୁ ଗିରଫ କରିବାକୁ ପୂର୍ବରୁ ଯୋଜନା ହୋଇଥିଲା। ବିଧାୟକଙ୍କୁ ବଦନାମ କରିବା ପାଇଁ ଏହା ହେଉଛି ବିଜେଡିର ଏକ ସୁପରିକଳ୍ପିତ ଯୋଜନା। ଶ୍ରୀ ମହାପାତ୍ର ଆହୁରି କହିଛନ୍ତି, ସ୍ଥାନୀୟ ସମସ୍ୟା ନେଇ ବିଡିଓଙ୍କ ସହ ଆଲୋଚନା କରିବାକୁ ଚାହିଁଥିଲେ ବିଧାୟକ। କିନ୍ତୁ ପୂର୍ବ ଯୋଜନା ଅନୁଯାୟୀ ଆଲୋଚନା ପାଇଁ ବିଡିଓ ବିଧାୟକଙ୍କୁ ଗୋଟିଏ ପରେ ଗୋଟିଏ ଜାଗାକୁ ଡାକିଥିଲେ। କିନ୍ତୁ କୌଣସି ଠାରେ ଦେଖା କରୁ ନଥିଲେ। ଏନେଇ ବିଧାୟକ ତାଙ୍କୁ ପ୍ରଶ୍ନ କରିଥିଲେ। ବିଡିଓ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ସେ ବିଧାୟକଙ୍କ କଲର ଧରିବା ସହିତ ମାରି ଦେବାକୁ ଧମକ ଦେଇଥିଲେ। କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାନି। ଓଲଟି ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲା। ବିଡିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଯଦି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବ, ତା’ହେଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଧାୟକଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଠିକ୍ ଦର୍ଶାଇଛି ବିଜେଡି। ଦଳର ମୁଖ୍ୟପାତ୍ର ଲେନିନ ମହାନ୍ତି କହିଛନ୍ତି, ଜଣେ ବିଧାୟକ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ବାଡ଼େଇବା ନିନ୍ଦନୀୟ। ଆଇନ ଅନୁସାରେ ବିଧାୟକ ଗିରଫ ହୋଇଛନ୍ତି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।