କାହାକୁ ଭୟ କରୁଛି ବିଜେଡି ; କାହିଁକି ଘୋଷଣା କରିପାରୁନି ପ୍ରାର୍ଥୀ ତାଲିକା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଓଡ଼ିଶାରେ ୪ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ଯେତିକି ବିଳମ୍ବ ହେଉଛି ବିଜେଡିରେ ଆଶାୟୀଙ୍କ ସଂଖ୍ୟା ସେତେ ଅଧିକ ହେବାରେ ଲାଗିଛି । ବିଧାନସଭାର ସଂଖ୍ୟା ଗଣିତ ଦୃଷ୍ଟିରୁ ବିଜେଡି ପ୍ରାର୍ଥୀ ସମସ୍ତ ୪ଟି ଆସନରେ ଜିତିବା ନିଶ୍ଚିତ ଥିବାବେଳେ ୩ଟି ଆସନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବାକୁ ଆଉ ମାତ୍ର ୩ ଦିନ ରହିଛି । ଅନ୍ୟ ଗୋଟିଏ ରାଜ୍ୟସଭା ଆସନ ପାଇଁ ଜୁନ୍ ୩ ତାରିଖ ବି ଶେଷ ଦିନ ଅଛି । ବିଜେଡି ପାଖରେ ସମସ୍ତ ଆସନ ଜିତିବା ପାଇଁ ଆବଶ୍ୟକ ସଂଖ୍ୟା ବଳ ଥାଇ ମଧ୍ୟ ଦଳ କାହା ଭୟରେ ରାଜ୍ୟସଭା ପ୍ରାର୍ଥୀ ଘୋଷଣା ତାରିଖ ଗଡ଼ାଇବାରେ ଲାଗିଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ବିଜେଡି ସୂତ୍ରରୁ ଜଣାପଡ଼ିଛି ଯେ, ସମସ୍ତ ୪ଟି ଆସନ ପାଇଁ ବିଜେଡି ମୋଟ ୧୬ଟି ସେଟ୍ ପ୍ରାର୍ଥୀ ପତ୍ର ନେଇଛି । ଏହି ୪ଜଣ ପ୍ରାର୍ଥୀଙ୍କ ସମ୍ପର୍କରେ ଦଳର ବିଧାୟକମାନେ କିଛି ଜାଣିନଥିଲେ ମଧ୍ୟ ସେମାନଙ୍କର ପ୍ରସ୍ତାବକ ଓ ସମର୍ଥକ ଭାବେ ସେହି ନାମାଙ୍କନ ସେଟରେ ଦସ୍ତଖତ କରିସାରିଲେଣି । ଏପରିକି ସମସ୍ତ ୪ଜଣ ପ୍ରାର୍ଥୀ ମେ’ ୩୧ତାରିଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ କାର୍ଯ୍ୟକ୍ରମ ବି ଚୂଡ଼ାନ୍ତ ହୋଇସାରିଛି । ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟସଭାର ୩ଟି ଆସନରେ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲକୁ ଆଉ ମାତ୍ର ୩ଦିନ ବାକି ଥିବାବେଳେ ସେଥିରୁ ରବିବାର ଛୁଟିଦିନ ଅଛି । କେବଳ ସୋମବାର ଗୋଟିଏ ଦିନ ହାତରେ ଥିବାବେଳେ ଦଳର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନିଜର ଦସ୍ତାବିଜ ପ୍ରସ୍ତୁତ ନିମନ୍ତେ ମଧ୍ୟ ସମୟ କମ୍ ରହିଛି । ଏହା ସତ୍ତ୍ୱେ ଦଳ ରାଜ୍ୟସଭା ପାଇଁ କାହାକୁ ପ୍ରାର୍ଥୀ କରିବ ସେ ନେଇ ନିଜର କାର୍ଡ ଖୋଲୁନାହିଁ ଓ ଦିନ ଗଡ଼ାଉଥିବାରୁ ସାଧାରଣରେ ପ୍ରଶ୍ନ ଉଠିଛି । ଏପରିକି ବିଜେଡି ମହଲରେ ମଧ୍ୟ ଏହି ଦିନ ଗଡ଼ାଇବା ପଛର ରହସ୍ୟକୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି । ବିଜେଡି ସୂତ୍ର ଅନୁସାରେ, ଆସନ୍ତାକାଲି ଅର୍ଥାତ ମେ’ ୨୯ତାରିଖ ସନ୍ଧ୍ୟାରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହେଉଛି । ରାଜ୍ୟସଭା ପାଇଁ ଆଶାୟୀ ଥିବା ପ୍ରାୟ ଏକ ଡଜନରୁ ଅଧିକ ନେତା ସେଠାରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଛନ୍ତି । ଏହା ପୂର୍ବରୁ ଯଦି ରାଜ୍ୟସଭା ପ୍ରାର୍ଥୀ ତାଲିକା ଘୋଷଣା ହୁଏ ତା’ର ପ୍ରଭାବ ବ୍ରଜରାଜନଗରରେ ନିର୍ବାଚନ ପ୍ରଚାର ଓ ପରିଚାଳନା ଦାୟିତ୍ୱରେ ଥିବା ରାଜ୍ୟସଭା ଆଶାୟୀ ନେତାମାନଙ୍କୁ ନିରାଶ କରିବାର ଆଶଙ୍କା ରହିଛି । ଆଉ ବ୍ରଜରାଜନଗର ଉପନିର୍ବାଚନରେ ବି ସିଧାସଳଖ ତା’ର ପ୍ରତିକୂଳ ପ୍ରଭାବ ଅନୁଭୂତ ହେବ । ତେଣୁ ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତା ଏହି ଦୃଷ୍ଟିରୁ ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ ପ୍ରଚାରର ଶେଷଦିନକୁ ଅପେକ୍ଷା କରିଛନ୍ତି ବୋଲି ସୂଚନା ମିଳିଛି । ସେହିପରି ଆସନ୍ତାକାଲି ମେ’୨୯ ତାରିଖରେ ବିଜେଡି ସରକାରର ପଂଚମ ପାଳିର ୩ବର୍ଷ ପୂର୍ତ୍ତି ହେଉଛି । ବ୍ରଜରାଜନଗରରେ ନିର୍ବାଚନ ଦାୟିତ୍ୱରେ ୮ରୁ ୧୦ଜଣ ମନ୍ତ୍ରୀ ଥିବାରୁ ଚଳିତଥର ବିଜେଡି ସରକାରର ବର୍ଷପୂର୍ତ୍ତି ପାଇଁ ବିଶେଷ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇପାରିନି । ସରକାରର ବର୍ଷ ପୂର୍ତ୍ତିକୁ ଦୃଷ୍ଟିରେ ରଖି ଦଳ ନିଜର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାରେ ବୋଲି ଜଣାପଡ଼ିଛି । ତେବେ ପ୍ରଶ୍ନ ଉଠୁଛି, ଦୁଇଟି ପର୍ଯ୍ୟାୟରେ ହେଉଥିବା ଏହି ୪ଟି ଆସନ ପାଇଁ ନିର୍ବାଚନ ନିମନ୍ତେ ବିଜେଡି ପାଖରେ ଆବଶ୍ୟକ ସଂଖ୍ୟା ଥିଲେ ମଧ୍ୟ ଦଳ କାହାକୁ ଏତେ ଭୟ କରୁଛି ? କାହିଁକି ନିଜର ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିପାରୁନି? ଦଳୀୟ ପ୍ରାର୍ଥୀ ଚୂଡ଼ାନ୍ତ କରିବା ପୂର୍ବରୁ କାହିଁକି ଦଳର ବରିଷ୍ଠ ନେତାମାନଙ୍କ ମତାମତ ଲୋଡ଼ୁନି ? ଗଣତାନ୍ତ୍ରିକ ପ୍ରକ୍ରିୟାରେ ଚାଲୁଥିବା ନେଇ ଦମ୍ଭୋକ୍ତି ବାଢ଼ୁଥିବା ବିଜେଡିରେ କାହିଁକି ଏଭଳି ଏକଛତ୍ରବାଦ ନିଷ୍ପତ୍ତି ନିଆଯାଉଛି? ଦଳ ପାଖରେ ପ୍ରାର୍ଥୀ ଜିତିବା ନେଇ ସ୍ପଷ୍ଟ ସଂଖ୍ୟା ଥିଲେ ମଧ୍ୟ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନିଜର ଦସ୍ତାବିଜ ପ୍ରସ୍ତୁତ ପାଇଁ ବି ସମୟ ନମିଳିବା ଓ ଦଳର ବରିଷ୍ଠ ନେତାମାନେ ଏହି ପ୍ରାର୍ôଥତ୍ୱ ସମ୍ପର୍କରେ କିଛି ମଧ୍ୟ ଆଭାସ ନପାଇବା ବିଜେଡିରେ ବଢ଼ୁଥିବା ଏକଛତ୍ରବାଦ ନୀତିକୁ ପଦାରେ ପକାଇଛି ବୋଲି ସାଧାରଣରେ ଚର୍ଚ୍ଚା ।

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ; ହାଇକୋର୍ଟ ବାରଆସୋସିଏସନ ବିରୋଧକୁ ନିନ୍ଦା….!

ଏଥର ସମ୍ଭାଳ ବ୍ୟୁରୋ(ସମ୍ବଲପୁର)- ଆସନ୍ତା ଜୁନ ମାସ ୩୦ ତାରିଖ ସୁଦ୍ଧା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କର। ଏନେଇ ରାଜ୍ୟ ସରକାର ହାଇକୋର୍ଟଙ୍କ ପରାମର୍ଶ ସହ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖକୁ ପଠାଅ। ଏଭଳି  ଦାବି କରିଛି ପଶ୍ଚିମ ଓଡିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ଆଜି ସମ୍ବଲପୁର ଠାରେ ଅନୁଷ୍ଠିତ କ୍ରିୟାନୁଷ୍ଠାନ କମିଟିର ବୈଠକରେ ୪ ଟି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଯଦି ୩୦ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ପାଖକୁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ରିପୋର୍ଟ ନ ପଠାନ୍ତି, ତେବେ ଆସନ୍ତା ଜୁଲାଇ ମାସ ୮ ତାରିଖ ଦିନ କେନ୍ଦ୍ରୀୟ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ସଙ୍କଳ୍ପ ଦିବସ  ପାଳନ କରାଯିବ। ସେହିଦିନ ପଶ୍ଚିମ ଓଡ଼ିଶାର ବିଭିନ୍ନ ଓକିଲ ସଂଘ ମାନେ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ରାଜସ୍ୱ ଆୟୁକ୍ତ  ଓ ତହସିଲଦାରଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। ସେହିପରି ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସ୍ତାବକୁ ହାଇକୋର୍ଟ ବାର ଆସୋସିଏସନ ଏହାକୁ ବିରୋଧ କରୁଥିବାରୁ ଏହା ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଗ୍ରହଣ କରାଯାଇଛି। ଏଥିସହିତ ସମ୍ବଲପୁରର ଏଲ.ଆର. ଆଇ କଲେଜକୁ ଆଇନ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏଥିସହିତ ବୌଦ୍ଧ ଜିଲ୍ଲାକୁ ଦକ୍ଷିଣାଞ୍ଚଳ ରାଜସ୍ଵ କମିସନରୁ ବାହାର କରି ଉତ୍ତରାଞ୍ଚଳ ରାଜସ୍ୱ କମିଶନ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି।

ଓବିସିଙ୍କୁ ଅଧିକାର ଦେବାକୁ ରାଜ୍ୟବ୍ୟାପୀ ଜନଜାଗରଣ ସୃଷ୍ଟି ସହ ଆନ୍ଦୋଳନ କରିବ ବିଜେପି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜ୍ୟରେ ଓବିସି ବର୍ଗଙ୍କୁ ସ୍ୱାମ୍ବିଧାନିକ ଅଧିକାର ଦେବା ଦିଗରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ, କେବଳ ଭୋଟ୍ ହାତେଇବା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଓବିସି ବର୍ଗର ଲୋକଙ୍କୁ ସାମ୍ବିଧାନିକ, ଶିକ୍ଷା ଓ ନିଯୁକ୍ତି ଅଧିକାରରୁ ବଂଚିତ ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିବା ସହ ରାଜ୍ୟବ୍ୟାପୀ ଜନଜାଗରଣ ସୃଷ୍ଟି କରିବ ବୋଲି କହିଛି । ଏହାସହିତ ରାଜ୍ୟସରକାରଙ୍କ ଓବିସି ବିରୋଧୀ ମନୋଭାବକୁ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ବିଜେପି ଚେତାବନୀ ଦେଇଛି । ରାଜ୍ୟ ଓବିସି କମିଶନଙ୍କୁ ବିଜେପିର ଏକ ପ୍ରତିନିଧି ଦଳ ଭେଟି ଓବିସିଙ୍କୁ ଅଧିକାର ଦେବା ପ୍ରସଙ୍ଗରେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଜେପି କହିଛି ଯେ, ଜାତିଭିତ୍ତିକ ଜନଗଣନା ପାଇଁ ଓବିସି କମିଶନ ବାରମ୍ବାର ଚିଠି ଲେଖିବା ସତ୍ତ୍ୱେ ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି । ଗତ ପଂଚାୟତ ଓ ପୌରନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ନଦେଇ ସର୍ଭେ ଓ ନ୍ୟାୟଳୟ ଆଳରେ ରାଜ୍ୟ ସରକାର ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଗଣମାଧ୍ୟମ ଆଗରେ କେନ୍ଦ୍ର ଜନଗଣନା କରୁ ବୋଲି ଦାବି କରି ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି । ବହୁ ଦାବି ପରେ ଓବିସି କମିଶନ ରାଜ୍ୟରେ ନିଯୁକ୍ତ ହୋଇଛନ୍ତି ସତ, କିନ୍ତୁ ଦାନ୍ତବିହୀନ ଓ ପଙ୍ଗୁ କରି ରଖାଯାଇଛି ଏବଂ କୌଣସି କ୍ଷମତା ଦିଆଯାଇନାହିଁ । ରାଜ୍ୟର ପଛୁଆ ବର୍ଗକୁ ଜାଣିଶୁଣି ଅବହେଳା ପ୍ରଦର୍ଶନ କରାଯାଉଛି । ୨୨ବର୍ଷ ଶାସନରେ ରହି ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ଓବିସିଙ୍କ ଡାଟା ନାହିଁ । ରାଜ୍ୟରେ ଥିବା ଓବିସି ଫାଇନାନ୍ସ ଆଣ୍ଡ ଡେଭେଲପମେଂଟ କୋଅପରେଟିଭ କର୍ପୋରେସନ ଲିମିଟେକୁ ଅଚଳ କରିଦିଆଯାଇଛି। ପଛୁଆ ବର୍ଗଙ୍କ କୌଶଳ ବିକାଶ ପାଇଁ ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ନାହିଁ । ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଅଭିଯୋଗ କରିଛନ୍ତି ଯେ, ମଧ୍ୟପ୍ରଦେଶ ସରକାର ନିଜ ପ୍ରତିବଦ୍ଧତା କାରଣରୁ ଓବିସିଙ୍କୁ ସଂରକ୍ଷଣ ଦେବାରେ ସଫଳ ହୋଇଥିବାବେଳେ ଓଡିଶା ସରକାରଙ୍କ ଇଚ୍ଛାକୃତ ଭାବେ ସଂଖ୍ୟାଧିକ ଓବିସି ବର୍ଗଙ୍କୁ ସଂରକ୍ଷଣରୁ ବଂଚିତ କରିଛନ୍ତି । ଓବିସି ବର୍ଗଙ୍କୁ ରାଜ୍ୟ ସରକାର କେବଳ ଅଣଦେଖା କରୁନାହିଁ ବରଂ ସେମାନଙ୍କୁ ସାମ୍ବିଧାନିକ ଅଧିକାର, ଉଚ୍ଚଶିକ୍ଷା, ଚାକିରିରୁ ଓ ଆତ୍ମନିଯୁକ୍ତିରୁ ବଂଚିତ କରୁଛନ୍ତି । ରାଜ୍ୟରେ ଓବିସିଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ରହିଛି । ରାଜ୍ୟ ସରକାରଙ୍କ ଓବିସି ବିରୋଧି ମନୋବୃତ୍ତି ଧରାପଡିଛି । ସାମ୍ବିଧାନିକ, ଶିକ୍ଷା, ନିଯୁକ୍ତି ଅଧିକାର ପାଇବା ପାଇଁ ଓବିସି ମୋର୍ଚ୍ଚା ସାରା ରାଜ୍ୟରେ ଜନଜାଗରଣ କରିବା ସହିତ ରାଜ୍ୟ ସରକାରଙ୍କ ଓବିସି ବିରୋଧୀ ମନୋଭାବକୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର, ଓବିସି ମୋର୍ଚ୍ଚାର ସିଦ୍ଧାର୍ଥ ଶଙ୍କର ପତି , ଦୁର୍ଗାପ୍ରସନ୍ନ ନାୟକ, ସଂଗ୍ରାମ କେଶରୀ ନାୟକ, ଦୁଷ୍ମନ୍ତ ଦାସ, ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ସାମିଲ ଥିଲେ ।

ବିରୋଧ ପରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରଖିଲା ଓପିଏସସି….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଥିବାକୁ ନେଇ ଶିକ୍ଷାବିତମାନେ ବିରୋଧ କରିବା ପରେ ଆଜି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଏହି ପରୀକ୍ଷାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଆଜି ଏକକାଳୀନ ଦୁଇଟି ନୋଟିସ୍ ଜାରି ହୋଇଛି । ଫିଜିକ୍ସରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିମନ୍ତେ ଆସନ୍ତା ଜୁନ୍ ୪ ତାରିଖରେ ହେବାକୁ ଥିବା ସାକ୍ଷାତକାର ପରୀକ୍ଷାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ବାଣିଜ୍ୟରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିମନ୍ତେ ଜୁନ୍ ୬ତାରିଖରେ ହେବାକୁ ଥିବା ଡକ୍ୟୁମେଂଟ ଯାଂଚ କାର୍ଯ୍ୟକ୍ରମକୁ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ତେବେ ଆୟୋଗଙ୍କ ପକ୍ଷରୁ ଏହି ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରଖାଯିବା ସମ୍ପର୍କରେ କିଛି ଆନୁଷ୍ଠାନିକ ସୂଚନା ଦିଆଯାଇନି । ସୂଚନାଯୋଗ୍ୟ, ବିଭିନ୍ନ ବିଷୟରେ ମୋଟ ୬୦୬ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିମନ୍ତେ ଓପିଏସସି ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରୁ କେତେକ ବିଷୟର ପରୀକ୍ଷା ଓ ଡକ୍ୟୁମେଂଟ ଯାଂଚ ଆଦି ପ୍ରକ୍ରିୟା ଶେଷ ହୋଇ ସାରିଥିବାବେଳେ ଆଜି ବାଣିଜ୍ୟ ଓ ଫିଜିକ୍ସ ବିଷୟରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତିକୁ ସ୍ଥଗିତ ରଖିବାକୁ ଆୟୋଗ ନିଷ୍ପତ୍ତି ନେଇଛନ୍ତି ।

ଲୋକପାଳ ଅଧ୍ୟକ୍ଷ ହେବେ ଓଡ଼ିଶାର ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଓଡ଼ିଶାର ଜଷ୍ଟିସ ପ୍ରଦୀପ କୁମାର ମହାନ୍ତିଙ୍କୁ ମିଳିଛି ବଡ଼ ଦାୟିତ୍ୱ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଲୋକପାଳର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଲୋକପାଳର ନ୍ୟାୟିକ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ମହାନ୍ତି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ବର୍ତ୍ତମାନ ଲୋକପାଳର ଅଧ୍ୟକ୍ଷ ଥିବା ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେବ। ଏହାପରେ ଜଷ୍ଟିସ ମହାନ୍ତି ଅଧ୍ୟକ୍ଷ ଭାବେ କାର୍ଯ୍ୟ ଆରମ୍ଭ କରିବେ। ଲୋକପାଳର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ ସେ ଏହି ପଦରେ ରହିବେ ବୋଲି ଆଜି ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି। ୧୯୫୫ ମସିହା ଜୁନ ୧୦ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ମହାନ୍ତି ପୂର୍ବରୁ କଟକରେ ଥିବା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓ ରାଞ୍ଚିରେ ଥିବା ନ୍ୟାଶନାଲ ୟୁନିଭର୍ସିଟି ଅଫ ଷ୍ଟଡି ଆଣ୍ଡ ରିସର୍ଚ୍ଚ ଇନ୍‌ ଲ’ରେ କୁଳପତି ଭାବେ କାର୍ଯ୍ୟ କରିଥିଲେ। ଏହାପରେ ୨୦୧୯ ମାର୍ଚ୍ଚ ୨୭ରେ ତାଙ୍କୁ ଲୋକପାଳର ନ୍ୟାୟିକ ସଦସ୍ୟ ଭାବେ ନିଯୁକ୍ତି ମିଳିଥିଲା। ଜଷ୍ଟିସ ମହାନ୍ତି ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। କଟକର ଗୋଟିଏ ଆଇନଜୀବୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ମହାନ୍ତିଙ୍କ ବାପା ସ୍ୱର୍ଗତ ଯୁଗଳ କିଶୋର ମହାନ୍ତି ସିକ୍କିମ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ସେହିପରି ତାଙ୍କ ଅଜା ସ୍ୱର୍ଗତ ରାଜକିଶୋର ଦାସ ମଧ୍ୟ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ରେଭେନ୍ସା କଲେଜିଏଟ ସ୍କୁଲରେ ପଢ଼ିଥିବା ଜଷ୍ଟିସ ମହାନ୍ତି ୧୯୭୪ରେ ରେଭେନ୍ସା କଲେଜରୁ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଥିଲେ। କଟକଟର ମଧୁସୂଦନ ଆଇନ କଲେଜରୁ ସେ ଆଇନ ବିଭାଗର ଶିକ୍ଷା ନେଇଥିଲେ। ଅନ୍ୟପକ୍ଷରେ ଆସନ୍ତାକାଲି ଅବସର ନେବାକୁ ଥିବା ଜଷ୍ଟିସ ଘୋଷ ୧୯୫୨ ମସିହା ମେ’ ୨୮ରେ ଜନ୍ମ ଗ୍ରହଣ କରିଥିଲେ। ୨୦୧୩ରେ ସେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ। ଏହାପରେ ୨୦୧୭ ଜୁନରୁ ୨୦୧୯ ମାର୍ଚ୍ଚ ଯାଏ ଦିଲ୍ଲୀରେ ସେ ଜାତୀୟ ମାନବାଧିକ କମିଶନ ଭାବେ ଦାୟିତ୍ୱ ତୁଲାଇ ଥିଲେ। ୨୦୧୯ ମାର୍ଚ୍ଚ ୨୩ରେ ତାଙ୍କୁ ଲୋକପାଳର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା।