ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଦ୍ଵାରା ମଧ୍ୟାହ୍ନ ଭୋଜନ ହେରଫେର ; ଅଭିଯୋଗ ଆଣିଲେ ପାଚିକା ଓ ଶିକ୍ଷକ ଶିକ୍ଷୟତ୍ରୀ…!

!!! ରାୟଗଡା ଜିଲ୍ଲା କୋଲନରା ରୁ ପ୍ରତିନିଧି ମୋନଜ ନାଲାଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (କୋଲନରା) – ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ଶିକ୍ଷା ପ୍ରତି ଆକୃଷ୍ଟ କରିବା ତଥା ପୌଷ୍ଟିକ ଖାଦ୍ୟ ଯୋଗାଇଦେବାକୁ ସରକାର ବିଦ୍ୟାଳଗୁଡିକରେ ମଧ୍ୟାହ୍ନ ଭୋଜନ ବ୍ୟଵସ୍ଥା କରିଛନ୍ତି। ତେବେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରେ ସରକାରଙ୍କ ଏହି ଯୋଜନା ବାଟବଣା ହୋଇ ପଡ଼ିଛି। ଏହି ବ୍ଲକ୍ ଅନ୍ତର୍ଗତ ପିଣ୍ଡାପଦର୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ଖୋଦ୍ ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ଚଞ୍ଚକତା କରୁଥିବା ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ସେହି ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ରୋଷେଇ ଦାୟିତ୍ଵ ରେ ଥିବା ପାଚିକା ଓ ସହାୟିକା। ପାଚିକା କୁନି ହିକକାଙ୍କ କହିବା ଅନୁଯାୟୀ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ମତ୍ତ। ପ୍ରତିଦିନ ଉପସ୍ଥିତ ପିଲାଙ୍କ ଆବଶ୍ୟକତା ଠାରୁ କମ୍ ପରିମାଣ ର ଚାଉଳ,ତେଲ ଓ ପନିପରିବା ରୋଷେଇ ପାଇଁ ଦେଉଛନ୍ତି। ଫଳରେ ଛାତ୍ରଛାତ୍ରୀ ମାନେ ଭଲରେ ଦୁଇମୁଠା ଖାଇବାକୁ ନପାଇ ଉପାସରେ ରହୁଛନ୍ତି। ପାଚିକା ମାନେ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଏହି ବିଷୟରେ ପଚାରିବାରୁ, ଓଲଟି ସେ ସେମାନଙ୍କୁ ଚାଉଳ ଚୋର, ଭାତ ଚୋର ବୋଲି ଅପବାଦ ଦେଇ ଗାଳିଗୁଲଜ କରିଥିବା ପାଚିକା ମାନେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ଏହି ଘଟଣାକୁ ସ୍ବୀକାର କରିଛନ୍ତି। ଖୋଦ୍ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ ଅଭି କୁଲସିକା ଓ ୱାର୍ଡ ମେମ୍ବର ଶ୍ରୀଯୁକ୍ତ ଶଙ୍କର ଗାଣ୍ଟା ଙ୍କ ଉପସ୍ଥିତି ରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମତ୍ତ। ଶିକ୍ଷକଶିକ୍ଷୟତ୍ରୀ ମାନଙ୍କୁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରେଜିଷ୍ଟର ରେ ପ୍ରକୃତ ଉପସ୍ଥାନ ଠାରୁ ଅଧିକ ଉପସ୍ଥାନ ଦେଖାଇ ଉପସ୍ଥାନ ପକେଇବାକୁ ଧମକ ଦେବା ଭଳି ଘଟଣା ପଦାକୁ ଆସିଛି।

ଏପରିକି ପ୍ରଧାନଶିକ୍ଷୟତ୍ରୀଙ୍କ ସ୍ଵାମୀ ଶ୍ରୀଯୁକ୍ତ ସରୋଜ କୁମାର ଆଚାର୍ଯ୍ୟ,ଯେ’କି ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ରାୟଗଡ଼ା ର ରକ୍ତଭଣ୍ଡାରରେ କାର୍ଯ୍ୟ କରନ୍ତି, ପ୍ରତିଦିନ ବିଦ୍ୟାଳୟକୁ ଆସି ମଧ୍ୟାହ୍ନଭୋଜନ ରୋଷେଇ କାର୍ଯ୍ୟରେ ଦଖଲଅନ୍ଦାଜି କରିବା ସହ ପାଚିକାମାନଙ୍କ ସହ ଯୁକ୍ତିତର୍କ କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ଗରିବ ଆଦିବାସୀ ହରିଜନ ଛାତ୍ରଛାତ୍ରୀ ମାନଙ୍କ ପେଟରୁ କାଟି ପ୍ରଧାନ ଶିକ୍ଷୟତ୍ରୀ ହେରଫେର କରୁଥିବା ସମୟରେ ପରିଚାଳନା ସମିତି ତଥା ବ୍ଲକ ସ୍ତରୀୟ ଅଧିକାରୀ ଙ୍କ ଭୂମିକା ନେଇ ଅଭିଭାବକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଳୁ ଖୋଳୁଖୋଳୁ ମହାଦେବ ବାହାରିଲା ଭଳି ପ୍ରଧାନଶିକ୍ଷୟତ୍ରୀ ବିଦ୍ୟାଳୟ ପାଇଁ ଆସୁଥିବା ବିଭିନ୍ନ ସରକାରୀ ଅନୁଦାନ ବାଟମାରଣା କରୁଥିବା ଭଳି ବିଷୟ ପଦାକୁ ଆସିଛି। କେହି ପ୍ରତିବାଦ କଲେ ମୁଁ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଖଲୋକ, ମୋର କେହି କିଛି କରିପାରିବେନାହିଁ, ମୁଁ ତମ ସମସ୍ତଙ୍କ ନାମରେ କେସ କରିବି ବୋଲି ପ୍ରଧାନଶିକ୍ଷୟତ୍ରୀ ଧମକ ଦେଉଛନ୍ତି।ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏହି ବିଷୟରେ ଏକ ସ୍ମାରକ ପ୍ରଦାନ ପୂର୍ବକ ଦୁର୍ନୀତିଗ୍ରସ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିବୁ ବୋଲି ଶିକ୍ଷକ ଶିକ୍ଷୟତ୍ରୀ ତଥା ପାଚିକା ମାନେ କହିଛନ୍ତି।

କମ୍ପାନୀ ବନାମ ଜମି ଫେରସ୍ତ …!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ବଳରାମ ମଲ୍ଲିକଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ରାୟଗଡା) – ରାୟଗଡ଼ା ଜିଲ୍ଲାର କଂସାରିଗୁଡା ଠାରେ ଆଦିତ୍ୟ ଆଲୁମିନା ପକ୍ଷରୁ କମ୍ପାନୀ ନିର୍ମାଣ କରାଯିବ ବୋଲି ଏଠାର ବାସିନ୍ଦା ଙ୍କୁ ବିସ୍ଥାପିତ କରାଯାଇଥିଲା । ବିସ୍ଥାପିତ ହେବାର ଦୀର୍ଘ ୧୪ବର୍ଷ ବିତି ଯାଇ ଥିଲେବି ଆଜିଯାଏଁ ଏମାନଙ୍କୁ ସରକାରଙ୍କ ପକ୍ଷରୁ କୌଣସି ସୁବିଧା ଯୋଗାଇ ଦିଆଯାଇ ନଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି ।  ଏଠାକାର ବାସିନ୍ଦା ପାଣି,ରାସ୍ତା,ପିଲାଙ୍କ ପାଠପଢା ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଏହି କଂସାରିଗୁଡା ୧୪୧ ଡି. ପି ପରିବାରର ସଦସ୍ୟ ମାନେ ରାୟଗଡ଼ା ଜିଲ୍ଲାପାଳ ଙ୍କ ନିକଟକୁ ଆସି ଏକ ଦାବିପତ୍ର ଦେଇଛନ୍ତି । ଏଥିରେ ସେମାନେ ୧୪ବର୍ଷ ହେବ ଏହା କାର୍ଯ୍ୟ କ୍ଷମ ହୋଇ ପାରୁ ନଥିବାରୁ ଆଗାମୀ ଦିନରେ ଏହାକାର୍ଯ୍ୟ କ୍ଷମ ହୋଇ ପାରିବ କି ନାହିଁ ସେ ଉପରେ ସନ୍ଦେହ ପ୍ରକାଶ କରି ସେମାନଙ୍କୁ ତାଙ୍କରି ଜାଗା ଫେରାଇ ଦେଇ ପୂର୍ବ ଭଳି ରହିବାର ସୁଯୋଗ ଦେବା ନିମନ୍ତେ ଅନୁରୋଧ କରିଛନ୍ତି ।

ଓଡ଼ିଶା ସରକାରଙ୍କ ଉପରେ ଏକ କୋଟି ଟଙ୍କାର ତଣ୍ଡ;ଗ୍ରୀନ୍ ଟ୍ରିବ୍ୟୁନାଲ ଛାଟ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପରିବେଶ ନିୟମକୁ ଉଲ୍ଲଘଂନ କରି ଶାଳ ଜଙ୍ଗଲରେ ପିଜୁଳି ଗଛ ଲଗାଇବା ରାଜ୍ୟ ସରକାରଙ୍କୁ ମହଙ୍ଗା ପଡ଼ିଛି । ଯାଜପୁର ଜିଲ୍ଲାର ସୁକିନ୍ଦା ତହସିଲ ଅନ୍ତର୍ଗତ ବୋତଳଣ୍ଡା ଓ କାରାଗୋଳାରେ ପ୍ରାୟ ୩୭୭.୮୩ ଏକର ପରିମିତ ଅଂଚଳରେ ଶାଳ ଗଛକୁ କାଟି ପିଜୁଳି ଗଛ ଲଗାଇବା କାରଣରୁ ଓଡ଼ିଶା ସରକାରଙ୍କ ଉପରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି) ଏକ କୋଟି ଟଙ୍କାର ଜୋରିମାନା ରୁଜୁ କରିଛନ୍ତି । ଏହି ଜୋରିମାନା ଅର୍ଥକୁ ଦୁଇ ସପ୍ତାହ ମଧ୍ୟରେ କଟକ ଡିଏଫଓଙ୍କ ନିକଟରେ ୨ମାସ ମଧ୍ୟରେ ଦାଖଲ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ତପନ କୁମାର ବରାଳଙ୍କ ଅଭିଯୋଗର ଶୁଣାଣି କରି ଏନଜିଟିଙ୍କ ପୂର୍ବାଂଚଳ ଖଣ୍ଡପୀଠର ଜଷ୍ଟିସ ବି ଅମିତ୍ ସ୍ଥାଲେକର, ଜଷ୍ଟିସ ଶୈବାଳ ଦାସଗୁପ୍ତାଙ୍କ ଖଣ୍ଡପୀଠ ସୋମବାର ରାଜ୍ୟ ସରକାରଙ୍କୁ ଏକ କୋଟି ଟଙ୍କାର ଜୋରିମାନା ରାଶି କଟକ ଫରେଷ୍ଟ ଡିଭିଜନ ଅଧିକାରୀ(ଡିଏଫଓ)ଙ୍କ ନିକଟରେ ୨ମାସ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ଏକ କୋଟି ଟଙ୍କା ଜୋରିମାନାକୁ କିଭଳି ଖର୍ଚ୍ଚ କରାଯିବ ସେ ନେଇ ଯାଜପୁର ଜିଲ୍ଲାପାଳଙ୍କ ସହ ବିଚାରବିମର୍ଶ କରି ସେଠାରେ ଜୈବବିବିଧତା ପାର୍କ ବିକଶିତ କରିବା ସହ ହର୍ବାଲ ଗାର୍ଡେନ, ଔଷଧୀୟ ବୃକ୍ଷ ଆଦି ଲଗାଇବା ନିମନ୍ତେ କଟକ ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଅଂଚଳରେ ଜେନେଟିକ୍ ଓ ପାରିପାଶ୍ୱିର୍କ ବିବିଧତାରେ ସୁଧାର କରିବା ଏହାର ଲକ୍ଷ୍ୟ ବୋଲି ଖଣ୍ଡପୀଠ କହିଛନ୍ତି । ଉକ୍ତ ଜଙ୍ଗଲ ଜମି କେଉଁ ବର୍ଗ ଓ ତା’ର ସ୍ଥିତାବସ୍ଥା କ’ଣ ଜାଣିବା ପାଇଁ ଏନଜିଟିଙ୍କ ଖଣ୍ଡପୀଠ ପୂର୍ବରୁ୩ଜଣିଆ କମିଟି ଗଠନ କରି ରିପୋର୍ଟ ଦାଖଲ କରିବାକୁ କହିଥିଲେ । ଯେଉଁ ଜମି ଶାଳ ଜଙ୍ଗଲ ଭାବେ ଚିହ୍ନଟ ହୋଇସାରିଛି ସେଠାରେ ପିଜୁଳି ବୃକ୍ଷରୋପଣ କିଭଳି ହେଉଥିଲା ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ଶାଳ ଜଙ୍ଗଲରେ ଲାଗୁ ଥିବା ଗଛ ବର୍ଗରେ ପିଜୁଳି ଆସେନି । ଜମିର କିସମ ଶାଳ ଜଙ୍ଗଲ ବା ପତିତ ଜଙ୍ଗଲ ବୋଲି ଚିହ୍ନଟ ହୋଇସାରିଥିବାବେଳେ ସେଠାରେ ଜଙ୍ଗଲ ବ୍ୟତିରକେ ଅନ୍ୟ ଗଛ ଲଗାଇବା ଅନୁଚିତ । ଯଦି କୌଣସି ଗଛ ଲଗାଯିବ ସେଥିପାଇଁ କେନ୍ଦ୍ର ସରକାରଙ୍କଠୁ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ର ଧାରା ୨ ଅନ୍ତର୍ଗତ ଅନୁମତି ଆଣିବା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି।