ଉଦଘାଟିତ ହେଲା ଇକୋ ଟୁରିଜମ ଗେଷ୍ଟ ହାଉସ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବରଗଡ ଜିଲ୍ଲା ରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ନିକଟ ଗନ୍ଧମାର୍ଦ୍ଦନ ପର୍ବତ ରେ ଯାତ୍ରୀ ଓ ପର୍ଯଟକ ମାନଙ୍କର ସୁବିଧା ନିମନ୍ତେ ଗତ ୨୦୦୮/୨୦୦୯ ମସିହା ରୁ ଇକୋ ଟୁରିଜମ ଗେଷ୍ଟ ହାଉସ ର ନିର୍ମାଣ ହୋଇ ଏହାର କାର୍ଯ୍ୟ ଶେଷ ହୋଇଯାଇଛି । ନିର୍ମାଣ କାର୍ଯ୍ୟ ସରିବା ପରଠାରୁ ଅଦ୍ୟାବଧି ଏହି ଗେଷ୍ଟ ହାଉସ ର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ନିର୍ମାଣର ମୂଳ ଖର୍ଚ୍ଚ ଠାରୁ ଢେର ଅଧିକ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । କିନ୍ତୁ ଦୀର୍ଘ ୧୪ ବର୍ଷ ହେବ ଏହା କୁ କାର୍ଯ୍ୟକ୍ଷମ କରାଯାଇନଥିବା ଅଭିଯୋଗ ହୋଇ ଆସୁଥିଲା । ପରନ୍ତୁ କାର୍ଯ୍ୟାନୁଷ୍ଠାନ ସୁନ ଥିଲା । ଇତି ମଧ୍ୟରେ ଯେଉଁ ସମୟରେ ଏହି ଗେଷ୍ଟ ହାଉସ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ସେହି ସମୟରେ ଏହି ଅଂଚଳରେ ମାଓବାଦୀ ମାନେ କାୟା ବିସ୍ତାର ଆରମ୍ଭ କରିଦେଇ ଥିଲେ ।

ଗେଷ୍ଟ ହାଉସ ନିର୍ମାଣ ହେବା ପରେ ଆମେ ବାରମ୍ବାର ଏହି ଗେଷ୍ଟ ହାଉସ କୁ ତୁରନ୍ତ ଚାଲୁ କରିବା ପାଇଁ ଅନେକ ଖବର ଲେଖି ଆସିଛୁ । ନିର୍ମାଣ କାର୍ୟ୍ଯ ସରିବ ପରଠାରୁ ଅଦ୍ୟାବଧି ଏହି ଗେଷ୍ଟ ହାଉସ ର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ନିର୍ମାଣର ମୂଳ ଖର୍ଚ୍ଚ ଠାରୁ ଢେର ଅଧିକ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ଗତ ବର୍ଷ ରାଜ୍ୟ ସରକାର ଙ୍କର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ତଥା ସ୍ଥାନୀୟ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ନୃସିଂହନାଥ ମନ୍ଦିର ପରିଦର୍ଶନ ରେ ଆସିଥିବା ସମୟରେ ଏହି ଗେଷ୍ଟ ହାଉସ ମଧ୍ୟ ପରିଦର୍ଶନ କରିଥିଲେ । ଏହାପରେ ଜଙ୍ଗଲ ବିଭାଗ ଦ୍ଵାରା ତତ୍ପରତା ପ୍ରକାଶ ପାଇ ଦୀର୍ଘ ଦିନରୁ ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ରହିଥିବା ଏହି ଭବନର ମରାମତି କାମ ଆରମ୍ଭ କରାଯାଇ ପର୍ଯଟକ ମାନଙ୍କ ଅନ୍ୟାନ୍ୟ ଆବଶ୍ୟକତା ପ୍ରତି ଧ୍ୟାନ ଦେଇ ବ୍ୟବସ୍ଥା ମାନ କରାଯାଇଛି ।

ଗତ କିଛି ଦିନ ତଳେ ସବୁ ଜାର୍ଯ୍ୟ ଶେଷ ହେବା ପରେ ଆଜି ସମ୍ବଲପୁର ବନ ସଂରକ୍ଷକ ଚିତ୍ତ ରଞ୍ଜନ ମିଶ୍ର ଓ ବରଗଡ଼ ଡିଏଫଓ ସନ୍ଦୀପ ପ୍ରାତ୍ତି ଙ୍କର ଦ୍ୱାରା ଏହି କୋଠା ଟିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଖୁସିର କଥା ଯେ ନିର୍ମାଣ କାର୍ୟ୍ଯସରିବାର ଦୀର୍ଘ ବାର ବର୍ଷ ପରେ ଏହି ଗେଷ୍ଟ ହାଉସ ର ଉଦ୍ଘାଟନ ହେଲା ହେଲେ ଏଠାରେ ଏକ ବିରାଟ ପ୍ରଶ କୋଠାଟିକୁ ଏତେ ବିଳମ୍ବରେ କାହିଁକି ଉଦ୍ଘାଟନ କରାଗଲା ଏହାର ଖବର ଖୋଲ ତାଡ଼ କାଳେ କରିବେ ବୋଲି ଉଦ୍ଘାଟନୀ ଉତ୍ସବ ରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଏଡାଇ ଦିଆ ଯାଇଛି ବୋଲି ଚର୍ଚ୍ଚା ଜୋର ଧରିଛି ।ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏହି ଗେଷ୍ଟ ହାଉସ ର ପରିଚାଳନା ବିଭାଗ ଦ୍ଵାରା କରାଯିବ ନା କୋଣସି ଜଙ୍ଗଲ ସମିତି କୁ ପ୍ରଦାନ କରାଯିବ । ନା ଜଙ୍ଗଲ ସମିତି ନାମରେ ବ୍ୟକ୍ତିଗତ ଭାବରେ ପରିଚାଳନା କରିବା ପାଇଁ ନିର୍ଦିଷ୍ଟ କୋଣସି ବ୍ୟକ୍ତି ବିଶେଷ ଙ୍କୁ ପ୍ରଦାନ କରାଯିବ ?

ପ୍ରଧାନମନ୍ତ୍ରୀଙ୍କୁ ପୁଣି ଅଣଦେଖା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପୁଣି ପ୍ରଧାନମନ୍ତ୍ରୀଙ୍କୁ ଅଣଦେଖା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଆଜି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଏକ ସରକାରୀ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଲେ କେସିଆର।  ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସ୍ (ଆଇଏସବି)ର ୨୦ବର୍ଷ ପୂର୍ତ୍ତି ଅବସରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହାଇଦ୍ରାବାଦରେ ପହଞ୍ଚିଥିଲେ। କିନ୍ତୁ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବା ପାଇଁ ପହଞ୍ଚି ନଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଏହା ପୂର୍ବରୁ ମଧ୍ୟ ସେ ଏଭଳି କରି ସମାଲୋଚନାର ଶିକାର ‌ହୋଇଥିଲେ। ଗତ ଫେବୃଆରୀରେ ପ୍ରଧାନମନ୍ତ୍ରୀ ଷ୍ଟାଚ୍ୟୁ ଅଫ ଇକ୍ୱାଲିଟିର ଲୋକାର୍ପଣ ଲାଗି ତେଲେଙ୍ଗାନା ଗସ୍ତ କରିଥିବା ବେଳେ ସ୍ୱାଗତ ପାଇଁ କେ.ସି.ଆର ଆସିନଥିଲେ। ଏଥିଲାଗି ଅସୁସ୍ଥତାର ବାହାନା କରିଥିଲେ। ଗୁରୁବାର ପ୍ରଧାନମନ୍ତ୍ରୀ ଇଣ୍ଡିଆନ ସ୍କୁଲ ଅଫ ବିଜନେସ୍( ଆଇଏସବି)ର ୨୦ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ହାଇଦ୍ରାବାଦରେ ପହଞ୍ଚିଥିବା ବେଳେ କେ.ସି.ଆର ବେଙ୍ଗାଲୁରୁ ଚାଲିଯାଥିଲେ। ସେଠାରେ ସେ  ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡାଙ୍କୁ ଭେଟିଛନ୍ତି। ବେଙ୍ଗାଲୁରୁ ଗସ୍ତରେ କେସିଆର  ଦେବଗୌଡାଙ୍କ ବାସଭବନରେ ବୈଠକ କରିଥିଲେ। ଦେବଗୌଡାଙ୍କ ସହ ସାକ୍ଷାତ ଆଲୋଚନା ପରେ କେ.ସି.ଆର ଗଣମାଧ୍ୟମକୁ ଭେଟିଥିଲେ। ଏହି ସାକ୍ଷାତ ଆଲୋଚନାରେ ଆମ ଦେଶରେ ଅନେକ ସରକାର ଗଲେଣି ଅନେକ ଲୋକେ ପ୍ରଧାନମନ୍ତ୍ରୀ ବି ହୋଇସାରିଲେଣି, ହେଲେ ଦେଶର ଅବସ୍ଥାରେ ସେପରି କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ହୋଇ ନଥିବା କହିଛନ୍ତି। ଆମଠୁ କମ ଜିଡିପିର ଦେଶ ଚୀନ୍‌ର ଅର୍ଥବ୍ୟବସ୍ଥା ୧୮ ଟ୍ରିଲିୟନ ଡଲାରରେ ପହଞ୍ଚିସାରିଲାଣି, ହେଲେ ଆମକୁ ଏଠାରେ ଏବେବି ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥା ଲାଗି ସ୍ୱପ୍ନ ଦେଖାଯାଉଛି ବୋଲି କେ.ସି.ଆର କହିଛନ୍ତି। ଆମ ଦେଶରେ ଅନେକ ପ୍ରତିଶ୍ରୁତି ଦିଆଯାଏ ହେଲେ ବାସ୍ତବତା ହେଉଛି ଉଦ୍ୟୋଗ ବନ୍ଦ ହେଉଛି ଓ ମୁଦ୍ରାସ୍ପିତି ବଢୁଛି ବୋଲି ସେ କହିଛନ୍ତି।

ଯୌନ ବ୍ୟବସାୟ ବୈଧ, ଦେହଜୀବୀଙ୍କୁ ହଇରାଣ କରିପାରିବନି ପୁଲିସ – ସୁପ୍ରିମକୋର୍ଟ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦେହଜୀବୀଙ୍କ ସ୍ୱାଧୀନତା ଓ ସମ୍ମାନକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବିଶେଷ କରି ସେମାନଙ୍କ ବଞ୍ଚିବାର ଅଧିକାର ଉପରେ ପୁଲିସ ଯେମିତି ଅଜଥା ହସ୍ତକ୍ଷେପ ନକରେ ସେନେଇ ଚେତବାନୀ ଦିଆଯାଇଛି । ସହମତି ଭିତ୍ତିରେ ସମ୍ପର୍କ ଥିଲେ ପୁଲିସ ଅଜଥା ହସ୍ତକ୍ଷେପ କରିପାରିବ ନାହିଁ। ସେମାନଙ୍କ ବିରୋଧରେ ପୁଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ। ବେଶ୍ୟା ଏକ ବୃତ୍ତି ଏବଂ ଆଇନ ଅନୁଯାୟୀ ଦେହଜୀବୀମାନେ ସମ୍ମାନ ସହ ସମାନୁପାତିକ ଅଧିକାର ପାଇବା ପାଇଁ ହକଦାର। ଜଷ୍ଟିଷ ଏଲ.ଏନ. ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଏମିତି କିଛି ଟିପ୍ପଣୀ ରଖିବା ସହ ୬ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଦେହବଜୀବୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ଆଇନ ଅନୁଯାୟୀ ଯୌନ କର୍ମୀ ତଥା ଦେହଜୀବୀମାନେ ସମାନ ଅଧିକାର ପାଇବା ପାଇଁ ହକଦାର। ବୟସ ଦୃଷ୍ଟିରୁ ସମସ୍ତ ମାମଲାରେ  ଅପରାଧିକ ଆଇନ ସମାନ ଦୃଷ୍ଟିରେ ଲାଗୁ ହେବା ଉଚିତ। ଯେତେବେଳେ ସହମତି ଭିତ୍ତିରେ ଯୌନକର୍ମମାନେ ସ୍ୱାଧୀନ ଭାବେ ବଞ୍ଚିବାକୁ ଚାହାନ୍ତି ପୁଲିସ ସେଠାରେ ଅଜଥା ହସ୍ତକ୍ଷେପ କରିବାପାରିବ ନାହିଁ।  ସେ କ୍ଷେତ୍ରରେ ପୁଲିସ ଅପରାଧିକ ଦୃଷ୍ଟିରେ ଦେଖିପାରିବ ନାହିଁ। ସେମାନଙ୍କର ମଧ୍ୟ ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ରହିଛି। ସାମ୍ବିଧାନିକ ଧାରା ୨୧ ଅନୁଯାୟୀ ଦେଶରେ ସମସ୍ତଙ୍କର ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି। ସେହିପରି ଦେହଜୀବୀଙ୍କୁ ପୁଲିସ ଗିରଫ କରିପାରିବ ନାହିଁ କିମ୍ବା ସେମାନଙ୍କୁ ଜରିମାନା କିମ୍ବା ଲାଞ୍ଚିତ କରିପାରିବନି। ସ୍ୱେଚ୍ଛାକୃତ  ଯୌନ ବ୍ୟବସାୟ ବେଆ‌ଇନ ନୁହଁ। ସେମାନଙ୍କ କ୍ଷେତ୍ରରେ ପୁଲିସ ଅଜଥା ରେଡ୍‌ କରି ପାରିବ ନାହିଁ। କିନ୍ତୁ ଦେଶରେ ବେଶ୍ୟାଳୟ ଗୁଡ଼ିକ ବେଆଇନ। ସେହିପରି ଜଣେ ଦେହଜୀବୀ ମା’ଠାରୁ ତାର ପିଲାକୁ ଅଲଗା ରଖାଯାଇ ପାରିବ ନାହିଁ। ଯେହେତୁ ସେ ଦେହ ବ୍ୟବସାୟରେ ଲିପ୍ତ ଅଛି। ଏକଥା କୋର୍ଟ ଶୁଣାଇଛନ୍ତି। ଦେହଜୀବୀ ଏବଂ ସେମାନଙ୍କ ପିଲାଙ୍କୁ ସୁରକ୍ଷା ଯୋଗାଇ ଦେବା ଉଚିତ ବୋଲି କୋର୍ଟ କହିଛନ୍ତି।  ଯଦି ଜଣେ ନାବାଳକ କିମ୍ବା ନାବାଳିକା ବେଶ୍ୟାଳୟରୁ ଉଦ୍ଧାର ହୁଏ କିମ୍ବା ଜଣେ ଦେହଜୀବୀଙ୍କଠାରୁ ଉଦ୍ଧାର ହୁଏ ତେବେ ସେ କ୍ଷେତ୍ରରେ ଏହାକୁ ଶିଶୁ ଚାଲାଣ ମାମଲାରେ ବିବେଚନା କରାଯାଇପାରିବ ନାହିଁ। ଯଦି ଦେହଜୀବୀମାନେ ନିର୍ଯାତନାର ଅଭିଯୋଗ ଆଣନ୍ତି ପୁଲିସ ଭେଦଭାବ କରିପାରିବନି। ଯେଉଁ ଦେହଜୀବୀମାନେ ଯୌନ ନିର୍ଯାତନା ଅଭିଯୋଗ ଆଣିବେ ସେମାନଙ୍କୁ ସମସ୍ତ ସାହାୟତା ଯୋଗାବା ଦେବା ଉଚିତ। ସେଥିରେ ଉଭୟ ଡାକ୍ତରୀ ଓ ଆଇନ ସେବା ଅନ୍ତର୍ଭୃକ୍ତ। ବେଳେ ବେଳେ ପୁଲିସ ଯୌନ କର୍ମୀଙ୍କ ପ୍ରତି ନିଷ୍ଠୁର ବ୍ୟବହାର କରେ। ସେହିପରି କାର୍ଯ୍ୟରୁ ପୁଲିସ ନିବୃତ୍ତ ରହିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେହିପରି ଗିରଫ ଓ ରେଡ୍‌ ବେଳେ ଯୌନ କର୍ମୀଙ୍କ ପରିଚୟ ଗଣମାଧ୍ୟମ ପ୍ରଘଟ କରିବା ଅନୁଚିତ। ସେହିପରି ଦେହଜୀବୀଙ୍କ କ୍ଷେତ୍ରରେ ବ୍ୟବହୃତ କଣ୍ଡମକୁ ଏକ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଯେଉଁ ଦେହଜୀବୀ ମାନଙ୍କୁ ପୁଲିସ ଉଦ୍ଧାର କରି କୋର୍ଟରେ ହାଜର କରୁଛି ସେମାନଙ୍କୁ ସୁଧାର ଗୃହରେ ରହିବାକୁ ବ୍ୟବସ୍ଥା କରିବା ଉଚିତ। ପ୍ରାୟ ୨ରୁ ୩ବର୍ଷ ସେମାନଙ୍କୁ ସୁଧାର ଗୃହରେ ରହିବା ବ୍ୟବସ୍ଥା କରିବା ଉଚିତ।  ଯଦି ମାଜିଷ୍ଟ୍ରେଟ ଦେଖିବେ ଉଭୟଙ୍କ ସହମତି ଅଛି ତେବେ ସେମାନଙ୍କୁ ମୁକ୍ତ କରାଯାଇ ପାରିବ। ତାହା ମାଜିଷ୍ଟ୍ରେଟ ହିଁ ନିଷ୍ପତ୍ତି ନେଇ ପାରିବେ।  ତଥାପି ସେମାନଙ୍କୁ ସୁଧାର ଗୃହରେ ରହିବାକୁ  ବାଧ୍ୟ କରାଯାଇ ପାରିବ ନାହିଁ। ଏହି ପ୍ରସ୍ତାବ ଉପରେ କେନ୍ଦ୍ରର ଜବାବ ମାଗିଛନ୍ତି କୋର୍ଟ। ଏନେଇ ଆସନ୍ତା ଜୁଲାଇ ୨୭ରେ ଶୁଶାଣି ହେବ।

ପରିବାରବାଦ କଥା ଉଠାଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ମୋଦି….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କେବଳ ଗୋଟିଏ ପରିବାର ଶାସନ କ୍ଷମତାରେ ରହିବା ଲାଗି ତେଲେଙ୍ଗାନା ପାଇଁ ସଂଘର୍ଷ ଘଟି ନଥିଲା। ଏଠାରେ ସୁଚିନ୍ତିତ ରଣନୀତି କରାଯାଇ କେବଳ ଗୋଟିଏ ପରିବାର ହିଁ ଶାସନର ପ୍ରକରଣକୁ  ଅକ୍ତିଆର କରିଛି । ଆଜି ହାଇଦ୍ରାବାଦରେ ରାଲିରେ ଯୋଗ ଦେଇ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହଇନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କୁ ନିଶାନା କରି ପ୍ରଧାନମନ୍ତ୍ରୀ ଜୋରଦାର ବର୍ଷିଥିଲେ। କେବଳ ପରିବାରବାଦ ରାଜନୀତି ପାଇଁ ଦେଶର ଯୁବକ ମାନେ ରାଜନୀତିରେ ସୁଯୋଗ ପାଉନାହାନ୍ତି। ପରିବାରବାଦ ଦଳମାନେ କେବଳ ନିଜର ଉନ୍ନତି କଥା ଭାବନ୍ତି । ଏହି ଦଳମାନେ ଗରିବ ଲୋକଙ୍କୁ ଖାତିର କରନ୍ତି ନାହିଁ। ସେମାନଙ୍କର ରାଜନୀତି ନିଜ ସ୍ୱାର୍ଥ ପ୍ରତି ନିହିତ ଥାଏ । କେବଳ ନିଜ ପରିବାର ସଦସ୍ୟ କେମିତି କ୍ଷମତାରେ ରହିବେ ସେଥିପ୍ରତି ସେମାନେ ବେଶ ତତ୍ପର। ଲୋକଙ୍କର ଉନ୍ନତି ପ୍ରତି ସେମାନଙ୍କର ଆଦୌ ଇଚ୍ଛା ନଥାଏ। ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି ଯେ, ପରିବାରବାଦ ବିଶିଷ୍ଟ ରାଜନୀତି କେବଳ ଏକ ରାଜନୈତିକ ସମସ୍ୟା ନୁହଁ ବରଂ ଗଣତନ୍ତ୍ର ପାଇଁ ଏକ ବଡ଼ ସମସ୍ୟା। କେବଳ ଗୋଟିଏ ପରିବାର ପ୍ରତି ସମର୍ପିତ ରାଜନୈତିକ ଦଳ କେମିତି ଦୁର୍ନୀତିର ମୁଖା ସାଜିଥିଲା ତାହା ଏ ଦେଶ ଦେଖିଛି । ଠିକ୍‌ ସେହିପରି କେସିଆର ସରକାର ଦୁର୍ନୀତିଗ୍ରସ୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟରେ ବିଜେପି କର୍ମୀମାନେ ରାଜନୀତି ଆକ୍ରୋଶର ଶିକାର ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ପରିବାର ରାଜନୈତିକ ଦଳମାନେ କେବଳ ନିଜ ବ୍ୟାଙ୍କ ଆକାଣ୍ଟ ଭରିବା କଥା ଭାବନ୍ତି । ତେଲେଙ୍ଗାନାରେ ବିଜେପି ସ୍ୱଚ୍ଛତା ଆଣି ପାରିବ ବୋଲି ମୋଦି କହିଥିଲେ। ତେଲେଙ୍ଗାନା ବୈଷୟିକ ଜ୍ଞାନ କୌଶଳର ହବ୍‌ ହୋଇ ପାରିବ। ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଜଣେ ଅନ୍ଧ ବିଶ୍ୱାସୀ। ଅନ୍ଧ ବିଶ୍ୱାସୀ ଲୋକମାନେ ରାଜ୍ୟର ବିକାଶ କରିପାରନ୍ତିନି ବୋଲି ମୋଦି କହିଥିଲେ।

 

ରାଜ୍ୟପାଳଙ୍କୁ କୁଳାଧିପତି ପଦବୀରୁ ହଟାଇ ନିଜେ ରହିବେ ମମତା …..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ରାଜନୈତିକ କନ୍ଦଳ ଚରମ ସୀମାରେ ପହଞ୍ଚିଛି। ଫଳସୂରୁପ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଏକ ବଡ଼ ଚେକ୍ ଦେବାକୁ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହିକ୍ରମରେ ରାଜ୍ୟରେ ଥିବା ସମସ୍ତ ରାଜ୍ୟ ପରିଚାଳିକତ ବିଶ୍ୱବିଦ୍ୟାଳୟରେ କୁଳାଧିପତି ପଦବୀରୁ ରାଜ୍ୟପାଳ ହଟିବା ନେଇ ଘୋଷଣା କରିଛନ୍ତି ରାଜ୍ୟସରକାର। ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ  ଅର୍ଥାତ ମମତା ବାନାର୍ଜୀ କୁଳାଧିପତି ପଦବୀରେ ରହିବେ। ଏ ସମ୍ପର୍କରେ ବିଧାନସଭାରେ ସଂଶୋଧିତ ଆଇନ ଆଗତ ହେବ। ଗୁରୁବାର ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ପାରିତ ହୋଇଛି। ବିଧାନସଭାରେ ଏନେଇ ନୂଆ ସଂଶୋଧିତ ଆଇନ ଆସିବ। ଯେଉଁଥିରେ ରାଜ୍ୟସରକାରଙ୍କ ପାରିଚାଳିତ ବିଶ୍ୱବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ କୂଳାଧିପତି ରହିବେ। ଗତକାଲି ରାଜ୍ୟ କ୍ୟାବିନେଟରେ ପାରିତ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ବେଙ୍ଗଲ ଶିକ୍ଷାମନ୍ତ୍ରୀ ବ୍ରତୟା ବାଶୁ ଏହି ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ଏକାଧିକ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକହରଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି। ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ଆକ୍ରୋଶ ଚରମସୀମାରେ ପହଞ୍ଚି ଥିବା ଚର୍ଚ୍ଚା ହୋଇଛି । ଏହାପରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହୋଇଛି। ପୂର୍ବରୁ ରାଜଭବନର ବିନା ସମ୍ମତିରେ ରାଜ୍ୟସକାର କେତେକ ରାଜ୍ୟ ପରିଚାଳିତ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଥିବା ରାଜ୍ୟପାଳ ଅଭିଯୋଗ ଆଣିଥିଲେ।

ଓବିସି ସେଲ୍ ଜୋନ୍ ଓ ଜିଲ୍ଲା ପ୍ରଭାରୀଙ୍କ ନାଁ ଘୋଷଣା କଲା ବିଜେପି….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର) – ରାଜ୍ୟରେ ଓବିସିଙ୍କ ସ୍ୱାର୍ଥ ରକ୍ଷା ପାଇଁ ଅଭିଯାନକୁ ଜୋରଦାର କରି ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ନିମନ୍ତେ ବିଜେପି ରାଜ୍ୟ ଓବିସି ସେଲ୍ ପକ୍ଷରୁ ଆବଶ୍ୟକ ରଣନୀତି ପ୍ରସ୍ତୁତ ହୋଇଛି । ଦଳ ପକ୍ଷରୁ ୫ଟି ଜୋନ୍ ଓ ବିଭିନ୍ନ ଜିଲ୍ଲା ନିମନ୍ତେ ଓବିସି ପ୍ରଭାରୀଙ୍କ ନାଁ ଘୋଷଣା ହୋଇଛି। ବିଜେପି ପକ୍ଷରୁ ଜାରି ସୂଚନା ଅନୁସାରେ, ପୂର୍ବ ଓଡ଼ିଶା ପାଇଁ ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁକାନ୍ତ ବିଶ୍ୱାଳ, ଉତ୍ତର ଓଡ଼ିଶା ପାଇଁ ରାଜ୍ୟ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ଦକ୍ଷିଣ ଓଡ଼ିଶା ପାଇଁ ରାଜ୍ୟ ଉପସଭାପତି ରାମଚନ୍ଦ୍ର ବେହେରା, ସେଂଟ୍ରାଲ ଓଡ଼ିଶା ପାଇଁ ରାଜ୍ୟ ସଂପାଦକ ଦୁର୍ଗାପ୍ରସନ୍ନ ନାୟକ ଓ ପଶ୍ଚିମ ଓଡି଼ଶା ପାଇଁ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମୁକ୍ତା ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଜିଲ୍ଲା ପ୍ରଭାରୀ ଭାବେ କଟକ ସହର – ମହେଶ୍ୱର ଦାସ, କଟକ ସଦର – ନୃସିଂହ ସାହୁ, କେନ୍ଦ୍ରାପଡ଼ା – ଜଗନ୍ନାଥ ସ୍ୱାଇଁ, ଜଗତସିଂହପୁର – ଅମ୍ବିକା ସାମଲ, ପୁରୀ – ପ୍ରଶାନ୍ତ ନାୟକ , ନୟାଗଡ଼ – ସଂଗ୍ରାମ କେଶରୀ ନାୟକ, ଖୋର୍ଦ୍ଧା – ସୁକୁମାର ସାହୁ, ଭୁବନେଶ୍ୱର – ସୁବାଷ ଜେନା, ଯାଜପୁର – ଦୁର୍ଗା ପ୍ରସନ୍ନ ନାୟକ, ବାଲେଶ୍ୱର – ଉମାକାନ୍ତ ଦାସ, ଭଦ୍ରକ – ଜଗଦୀଶ ପ୍ରଧାନ, ବାରିପଦା – ସିଦ୍ଧାର୍ଥ ଶଙ୍କର ପତି, ରାଇରଙ୍ଗପୁର – ଚର୍ଚ୍ଚିଲ ମହାକୁଡ଼, କେନ୍ଦୁଝର – ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, କଳାହାଣ୍ଡି – ରାମଚନ୍ଦ୍ର ବେହେରା, କୋରାପୁଟ – ବୀରଭଦ୍ର ଆଚାରି, ମାଲକାନଗିରି – ବଳରାମ ସୁବୁଦ୍ଧି; ରାୟଗଡ଼ା – ମୃତ୍ୟୁଞ୍ଜୟ ମହାରଣା, ନବରଙ୍ଗବପୁର – ବିଜୟ ସାମଲ, ଗାମ – ଗୋପାଳ କୃଷ୍ଣ ଗୌଡ଼, ଗଜପତି – ବନିନ୍ଦ୍ର ସାହୁ, ଘୁମୁସର – ପ୍ରଶାନ୍ତ କୁମାର ନାୟକ, ବୌଦ୍ଧ -ରୁଦ୍ର କିଶୋର ମାହଲା, ସୋନପୁର – ଦୀଲିପ କର୍ସେଲ, କନ୍ଧମାଳ – ସୁବାଷ ପ୍ରଧାନ, ଢେଙ୍କାନାଳ – ସାବିତ୍ରୀ ବିଶ୍ୱାଳ, ଅନୁଗୁଳ – ଚନ୍ଦ୍ରଗୁପ୍ତ ପ୍ରସାଦ, ଦେବଗଡ – ସନାତନ କର୍ମୀ, ସମ୍ବଲପୁର – ଉମାଶଙ୍କର ପଟେଲ, ବରଗଡ଼- ସଂଯୁକ୍ତା ପ୍ରଧାନ, ବଲାଙ୍ଗିର – ଦେବାଶିଷ ପ୍ରିୟଦର୍ଶନୀ ସାହୁ, ଝାରସୁଗୁଡା – ରାଧେଶ୍ୟାମ ବାରିକ, ସୁନ୍ଦରଗଡ଼ – ପ୍ରଭାତ କୁମାର ସାହୁ, ସୁନ୍ଦରଗଡ଼ (ପାନପୋଷ) – ଧନେଶ୍ୱର ମହନ୍ତ, ସୁନ୍ଦରଗଡ (ବଣାଇ) – ସଞ୍ଜିତ ସାହୁ ଏବଂ ନୂଆପଡ଼ା – ଶଶାଙ୍କ ଶେଖର ମାହାଲାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛିି।

ମୋ ସରକାରରେ ସାମିଲ ହେଲା ଆଉ ୩ ବିଭାଗର ୧୭ଟି ସେବା ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର) – ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟବାସୀଙ୍କୁ ‘ମୋ ସରକାର’ ଭଳି ଏକ ନୂଆ ମଡେଲ ଦେଇ ଗଣମାଧ୍ୟମରେ ଜୋରସୋର ପ୍ରଚାର କରାଇଥିବା ରାଜ୍ୟ ସରକାର ଏବେ ନିଜ ପିଠି ନିଜେ ଥାପୁଡ଼ାଇବାରେ ବ୍ୟସ୍ତ । ଆଜି ଅର୍ଥ , ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗର ୧୭ଟି ସେବା ଏହି ‘ମୋ ସରକାର’ରେ ସାମିଲ ହେବା ସହ ମୋଟ ୩୧ଟି ବିଭାଗର ୨୫୦ଟି ସେବା ଉପଲବ୍ଧ ହୋଇଛି। ତେବେ ଏହି ନୂଆ ପ୍ରଶାସନିକ ମଡେଲ – ‘ମୋ ସରକାର’ ଆରମ୍ଭବେଳେ ଏଥିରେ ଥାନା, ମେଡିକାଲ, ତହସିଲକୁ ସାମିଲ କରାଯାଇ ସାଧାରଣ ଲୋକଙ୍କୁ ଗୁଣାତ୍ମକ ମାନର ସେବା ଓ ଉତ୍ତମ ବ୍ୟବହାର ପ୍ରଦାନର ଯେଉଁ ଲକ୍ଷ୍ୟ ଥିଲା ତାହା ଏବେ କେବଳ କାଗଜକଲମରେ ସୀମିତ ରହିଛି । ବାସ୍ତବକ୍ଷେତ୍ରରେ ଏହାର ତିକ୍ତ ଅନୁଭୂତି କେବଳ ସାଧାରଣ ଲୋକଙ୍କୁ ହିଁ ଭୋଗିବାକୁ ପଡ଼ୁଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ମୋ ସରକାର’ର ସମୀକ୍ଷା କରି କହିଛନ୍ତି ଯେ, ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ଏବେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ଏକ ନୂଆ ମଡେଲ ଦେବାରେ ସଫଳ ହୋଇଛି ବୋଲି କହିଛନ୍ତି । ସରକାର ଓ ସରକାରୀ ଅନୁଷ୍ଠାନ ଗୁଡିକ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ମୋ ସରକାର ବ୍ୟାପକ ପରିବର୍ତ୍ତନ ଆଣିଛି । ଜନସାଧାରଣ ଓ ସରକାରୀ ଅନୁଷ୍ଠାନ ମଧ୍ୟରେ ଆସ୍ଥା ସୃଷ୍ଟି କରିବାରେ ମଧ୍ୟ ଏହା ସଫଳ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଶାସନରେ ଏହି ରୂପାନ୍ତର ପାଇଁ, ସବୁଠାରୁ ଶେଷ ଧାଡ଼ିରେ ଥିବା ଲୋକ ପାଖରେ ସରକାର ପହଂଚି ପାରୁଥିବେ ଏବଂ ଆବଶ୍ୟକତା ଥିବା ସବୁ ଲୋକଙ୍କୁ ସେବା ଯୋଗାଇ ପାରୁଥିବେ, ସେଥିପାଇଁ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ସଂପୂର୍ଣ୍ଣ ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ଥିଲା। ଏ ଦିଗରେ ନିୟମିତ ଉଦ୍ୟମ ଆଜି ସଫଳ ହୋଇଛି । ଖୁସିର କଥା, ସରକାରୀ ଅଧିକାରୀ ଓ କର୍ମଚାରୀମାନେ ନାଗରିକ ମାନଙ୍କୁ ସେବା ପ୍ରଦାନ କରିବା ସମୟରେ ବର୍ତ୍ତମାନ ଅଧିକ ଦାୟିତ୍ୱସଂପନ୍ନ ଓ ସହୃଦୟତାର ସହ ବ୍ୟବହାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ଗୃହ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଙ୍ଗଲ ପରିବେଶ , ଶିଳ୍ପ, ଏମଏସଏମଇ ଏବଂ ଜଳସଂପଦ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ମୁଖ୍ୟ ସଚିବଙ୍କଠୁ ଆରମ୍ଭ କରି ଫାଇଭ-ଟି ସଚିବଙ୍କ ପର୍ଯ୍ୟନ୍ତ ସମସ୍ତେ ‘ମୋ ସରକାର’ କାର୍ଯ୍ୟକ୍ରମ ସଫଳ ହୋଇଛି ବୋଲି କହିଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଥାନା, ମେଡିକାଲ, ତହସିଲ ଓ ବ୍ଲକରେ ଏହା କେତେ ସଫଳ ହୋଇଛି ଓ ସାଧାରଣ ଲୋକଙ୍କୁ ଏସବୁ ସ୍ଥାନରେ ବାସ୍ତବରେ କିଭଳି ସେବା ମିଳୁଛି ସେ ନେଇ ସରକାର ସବୁ ଜାଣି ଚୁପ୍ ରହୁଥିବା ଜଣାପଡ଼ିଛି । ପଂଚାୟତଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସରକାରୀ ଅଫିସରେ ଦୁର୍ନୀତି ଉବୁଟୁବୁ ହେଉଥିଲେ ମଧ୍ୟ ଏହା ଉପରେ ଅଙ୍କୁଶ ଲଗାଇବାରେ ‘ମୋ ସରକାର’ ସଫଳ ହୋଇପାରିନଥିବା ଜଣାପଡ଼ିଛି।

କମିଲା ବସ୍ ଭଡ଼ା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର) – କମିଲା ବସ୍‌ ଭଡ଼ା। ତେଲ ଦର କମିବାରୁ ହ୍ରାସ ପାଇଛି ବସ୍ ଭଡ଼ା।  ବିଭିନ୍ନ ବସ୍ ସେବା ପାଇଁ ଭଡ଼ା ହ୍ରାସ କରାଯାଇଛି। ଅର୍ଡିନାରୀ ବସ୍ ଭଡ଼ା ପୂର୍ବରୁ କିଲୋମିଟର ପିଛା ୯୨ ପଇସା ଥିଲା। ଏବେ ଏହା ହ୍ରାସ ପାଇ ୮୯ ପଇସା ହୋଇଛି। ଏକ୍ସପ୍ରେସ ବସ୍‌ର ଭଡ଼ା କିଲୋମିଟର ପିଛା ୯୬ ପଇସା ଥିବା ବେଳେ ଏବେ ଏହା ୯୩ ପଇସାକୁ ଖସିଛି। ଡିଲକ୍ସ ବସ୍‌ ଭଡ଼ା ବି କମିଛି। ପୂର୍ବରୁ ଡିଲକ୍ସ ବସ୍ ଭଡ଼ା କିଲୋମିଟର ପ୍ରତି ୧ଟଙ୍କା ୩୫ ପଇସା ଥିବା ବେଳେ ଏବେ ଏହା ୧ ଟଙ୍କା ୨୯ ପଇସା ହୋଇଛି। ଏସି ଡିଲକ୍ସର ଭଡ଼ା କିମି ପିଛା ୧ଟଙ୍କା ୬୩ ପଇସାରୁ କମି ୧ ଟଙ୍କା ୫୭ ପଇସା ହୋଇଛି। ସୁପର ପ୍ରିମିୟମ ବସ୍‌ର ଭଡ଼ା କିମି ପିଛା ୨ ଟଙ୍କା ୫୩ ପଇସା ଥିବା ବେଳେ ଏହା ୨ ଟଙ୍କା ୪୪ପଇସାକୁ ଖସିଛି।

ଭିଜିଲାନ୍ସ ଜାଲରେ ବିଇଓ ଅଫିସର କନିଷ୍ଠ କିରାଣି ….!

!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ମାଗୁଣୀ ନାୟକ ଙ୍କ  ରିପୋର୍ଟ  !!!

ଏଥର ସମ୍ଭାଳ (କାମାକ୍ଷାନଗର) – ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ କନିଷ୍ଠ କିରାଣି। ତାଙ୍କ ନାଁ ଜୀବନାନନ୍ଦ ଶତପଥୀ। ସେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସ୍‌ରେ କାର୍ଯ୍ୟ କରନ୍ତି। କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ସ୍ଥିତ ସିଦ୍ଧାଶ୍ରମ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ନାୟକଙ୍କ ଠାରୁ ବିଦ୍ୟାଳୟର ଏରିଅର ବିଲ୍ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜୀବନାନନ୍ଦ। ସେ ତାଙ୍କ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଗତ ମାସ ୬ ତାରିଖରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଜଣେ ଶିକ୍ଷୟିତ୍ରୀଙ୍କର ମେଡିକାଲ ବିଲ୍‌ କରେଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ବିଇଓ ଅଫିସ୍‌ ଗୁଡ଼ିକରେ ଏଭଳି ଘଟଣା ଘଟୁଥିବା ବେଳେ ଶିକ୍ଷା ବିଭାଗ ଏହାକୁ ଗୁରୁତ୍ୱ ଦେଇ ଠୋସ୍ ବ୍ୟବସ୍ଥା କରିବା ଉଚିତ୍ ବୋଲି ଦାବି ହେଉଛି।

ଭିତ୍ତିହୀନ ବିବାଦ ଯୋଗୁଁ ବନ୍ଦ ହୋଇଗଲା କୋଦଳା ଏନଏସି ବୈଠକ ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ  ରିପୋର୍ଟ  !!!

ଏଥର ସମ୍ଭାଳ (ବେଗୁନିଅପଡା) –  ଜଣେ କାଉନସିଲରଙ୍କ ଭିତ୍ତିହୀନ ବିତଣ୍ଡା ଯୁକ୍ତି ଯୋଗୁଁ କୋଦଳା ଏନଏସି ବୈଠକ ଅଧାରୁ ବନ୍ଦ ହୋଇଯାଇଛି । ସୂଚନା ଅନୁସାରେ, ୭ ଦିନ ପୂର୍ବରୁ ନୋଟିସ କରାଯାଇ ବୁଧବାର ବୈଠକ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ତେବେ କୋଦଳା ଏନଏସିର ୧୧ ନମ୍ବର ଓ୍ବାର୍ଡର ସ୍ବାଧୀନ କାଉନସିଲର ତଥା ଏବେ ବିଜେଡିରେ ଯୋଗଦାନ କରିଥିବା ଭଗବାନ ପାଢ଼ୀ ବୈଠକକୁ ଆସି ମିଟିଂ ହୋଇ ପାରିବ ନାହିଁ ବୋଲି ଦାୟିତ୍ବରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀଣୀଙ୍କୁ କହିଥିଲେ। ଏନେଇ ସେ ଏକ ବହି ଜରିଆରେ ଯୁକ୍ତି ବାଢିଥିଲେ। ତେବେ ସଂପୃକ୍ତ ବହି ପୁରୁଣା ଏବଂ ୨୦୧୮ ମସିହାରେ ଗାଇଡ୍ ଲାଇନ୍ ବଦଳି ଯାଇଛି ବୋଲି ଯୁକ୍ତି କରିଥିଲେ ଦାୟିତ୍ବରେ ଥିବା ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଅଧିକାରୀଣୀ ସସ୍ମିତା ଶତପଥି ।

ଯାହା କିଛି କହିବାର ଅଛି ଲିଖିତ ଅଭିଯୋଗ କରନ୍ତୁ ଏବଂ ଶାନ୍ତି ଶୃଙ୍ଖଳାର ସହ ବୈଠକ ଚାଲିବାକୁ ଦିଅନ୍ତୁ ବୋଲି କହିବା ପରେ ମଧ୍ୟ କାଉନସିଲର ଭଗବାନ ପାଢ଼ୀ ନଛୋଡବନ୍ଧା ହୋଇଥିଲେ। ଏକା ଜିଦ୍ କରି ଥିଲେ ମିଟିଂ ବନ୍ଦ କରାଯାଉ । ଫଳରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କୋଦଳା ନଗରପାଳ ସୂର୍ଯ୍ୟନାରାୟଣ ନାୟକ ବାରମ୍ବାର ଅନୁରୋଧ କରିଥିଲେ ସହଯୋଗ କରିବା ପାଇଁ, କିନ୍ତୁ ହୀନ ରାଜନୀତି କରି ବିଶୃଙ୍ଖଳା ସୃଷ୍ଟି କରିବା ଯୋଗୁଁ ତରବରିଆ ଭାବେ ମିଟିଂକୁ ଶେଷ କରି ଦିଆଗଲା । ଫଳରେ କୋଦଳା ଏନଏସିର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇ ପାରି ନଥିଲା । ଏନ୍ଏସି ମାନୁଆଲକୁ ଅନୁସରଣ ନକରି ଶାସକ ଦଳର ଜଣେ କାଉନସିଲର ମିଟିଂ କରାଇ ନଦେବା ଘଟଣାକୁ ନେଇ ନଗରପାଳ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି । ଆଗାମୀ ଦିନରେ ଏନେଇ ଏକ ସ୍ଥାୟୀ ପ୍ରତିକାର ପାଇଁ ସେ ନିବେଦନ କରିଛନ୍ତି ।