ସାମ୍ବାଦିକ ଙ୍କ ପ୍ରତି ଜିଲ୍ଲାପାଳ କରିଥିବା ବ୍ୟବହାରକୁ ବୈଠକ ଗୃହରେ ରେ ବିରୋଧ କଲେନି ଲୋକ ପ୍ରତିନିଧି …!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ବଳରାମ ମଲ୍ଲିକଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ରାୟଗଡା)- ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ପରିସରରେ ଥିବା ସଦଭାବନା ଗୃହରେ ଆଜି ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟ ମାନଙ୍କ ପ୍ରଥମ ବୈଠକ,ପ୍ରମାଣ ସ୍ବୀକାର , ସଦସ୍ୟ ମାନଙ୍କ ପରିଚୟ ପ୍ରଦାନ ଓ ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକର ଆଲୋଚନା ନିମନ୍ତେ ଆୟୋଜିତ ଏହି ବୈଠକରେ ରାଜ୍ୟସଭା ସାଂସଦ ଶ୍ରୀ ଏନ ଭାସ୍କର ରାଓ ଓ ଲୋକସଭା ସାଂସଦ ଶ୍ରୀ ସପ୍ତ ଗିରି ଉଲୁକାଙ୍କ ସମେତ ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଉପସ୍ଥିତ ଥିଲେ । ପରିଚୟ ପ୍ରଦାନ କରିବାପରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ସାମ୍ବାଦିକ ମାନଙ୍କୁ ସଭା ଗୃହ ଛାଡି ପଳାଇ ଯିବାକୁ କହିବା ସହ ତୁମ ବିବେକ ଯଦି କହୁଛି ତେବେ ବସିପାର ବୋଲି କହିବା କଟୁ କଥାରେ ନିର୍ବାଚିତ ପ୍ରତିନିଧି ମାନେ ପ୍ରତିବାଦ ନକରିବାରୁ ସାମ୍ୱାଦିକ ମାନେ ତତକ୍ଷଣାତ୍ ଉକ୍ତ ଗୃହ ତ୍ୟାଗ କରି ଗୃହ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସାମ୍ବାଦିକ ମାନେ ଧାରଣାରେ ବସି ଜିଲ୍ଲାପାଳ ବିରୋଧୀ ସ୍ଲୋଗାନ ମାନ ଦେବାରେ ରାଜ୍ୟସଭା ସାଂସଦ ଓ ଲୋକସଭା ସାଂସଦ ସାମ୍ବାଦିକ ମାନଙ୍କୁ ବୁଝlଇବା ପରେ ସାମ୍ବାଦିକ ମାନେ ବିକ୍ଷୋଭ ପ୍ରଦର୍ଶନରୁ ଓହରି ଯାଇଥିଲେ। ଜିଲ୍ଲାପାଳ ସାମ୍ବାଦିକ ମାନଙ୍କୁ କରିଥିବା ଦୁର୍ବ୍ୟବହାର ପାଇଁ ଜିଲ୍ଲାପାଳ ନିଜେ କ୍ଷମା ପ୍ରାର୍ଥନା କରିବା ପାଇଁ ମତ ପ୍ରକାଶ ପାଇଛି ।

ଏହି ଘଟଣା କୁ ନିନ୍ଦା କରି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶ୍ରୀ ବାଦଲ କୁମାର ତା ମତ ପ୍ରକାଶ କରି କହିଛନ୍ତି ଜିଲ୍ଲା ପରିଷଦ ମିଟିଂ ରେ ଜିଲ୍ଲାପାଳ ଙ୍କ ନେତୃତ୍ତ୍ଵ ରେ ହେଉଥିବା ଦୁର୍ନୀତି ପଦାରେ ପଡ଼ିଯିବା ଭୟରେ ଏଭଳି ହାସ୍ୟାସ୍ପଦ, ଲଜ୍ୟାଜନକ ଓ ଘୃଣ୍ୟ ନିଷ୍ପତ୍ତି ନେଇଛନ୍ତି ଖୋଦ୍ ଜିଲ୍ଲାପାଳ । ଥରେ ନୂଆକରି ଆସିଥିବା ଏଇ ଜିଲ୍ଲାପାଳ ଆମ କିଛି ସାମ୍ବାଦିକଙ୍କୁ କହିଥିଲେ ଯେ ତାଙ୍କୁ କାହାର ସାର୍ଟିଫିକେଟ ଲୋଡା ନାହିଁ । ଆମେ ଭାବିଲୁ ଯେ ଯେହେତୁ ସେ ଆଉ କାହାର ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇ ଆସିଛନ୍ତି ତାଙ୍କୁ କାହାର ପ୍ରମାଣପତ୍ର ଦରକାର ନାହିଁ । ଅଥଚ ଆଜି ରାୟଗଡାର କର୍ମରତ ସାମ୍ବାଦିକମାନେ ତାଙ୍କ ଦୁଆରର ଦୁଇପାଖରେ ସାର୍ଟିଫିକେଟ ଲଟକାଇଦେଲେ । ଗଣତାନ୍ତ୍ରିକ ହକ୍ ପାଇଁ ଆମର ଏଇ ଶାନ୍ତିପୂର୍ଣ୍ଣ ସଂଘର୍ଷ ପ୍ରମାଣିତ କଲା ଯେ ସମୟ ଆସିଲେ ଆମେ ସ୍ୱାଭିମାନ ଓ ଦୃଢତାର ସହ ସତ୍ୟର ସାମ୍ନା କରିବୁ ଓ କେବେହେଁ ଗୋଡାଣିଆ ହେବୁନାହିଁ । ଘଟଣାକୁ ଜିଲ୍ଲାର ସମସ୍ତ ସାମ୍ବାଦିକ ସଂଘ ଦୃଢ ନିନ୍ଦା କରିଛି । ରାୟଗଡା ରେ ଘଟି ଯାଇଥିବା ଏଭଳି ଏକ ଘଟଣା କୁ ଜିଲ୍ଲାବାସୀ ଏବଂ ରାଜନୈତିକ ବ୍ୟକ୍ତି ବିଶେଷ ମାନେ ନିନ୍ଦା ପ୍ରକଟ କରିଛନ୍ତି । ଆଗାମୀ ଦିନରେ ଏହାକୁ ନେଇ କଣ ପ୍ରତିକ୍ରିୟା ପ୍ରକାଶ ପାଇବା ଦେଖିବାକୁ ରହିଲା ।

ଶରତ ହେଲେ ପିସିସି ମୁଖିଆ ; କଂଗ୍ରେସ ସଂଗଠନ ସୁଧୁରିବ ନା ଆହୁରି ବିଗିଡ଼ିବ ତାକୁ ନେଇ ଚର୍ଚ୍ଚା …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବଲାଙ୍ଗିରର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭାବେ ନିଯୁକ୍ତି ମିଳିବା ପରେ ରାଜ୍ୟ କଂଗ୍ରେସର ଭାଗ୍ୟ ଓ ଭବିଷ୍ୟତ ଆଗାମୀ ଦିନରେ ସୁଧୁରିବ ନା ଅଧିକ ବିଗିଡ଼ିବ ତାକୁ ନେଇ ଆଶଙ୍କା ଦେଖାଦେଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ସଂଗଠନକୁ ସୁଦୃଢ଼ ଓ ସଜାଡ଼ିବା ଲକ୍ଷ୍ୟରେ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଥିବା ରାଜନୀତିକ ମହଲରେ ଆକଳନ କରାଯାଉଥିଲେ ମଧ୍ୟ ଦୀର୍ଘବର୍ଷ ଧରି ପ୍ରଦେଶ କଂଗ୍ରେସରେ ଜାରି ରହିଥିବା ‘ଗୋଡ଼ଟଣା ନୀତି’ ଓ ‘ତୀବ୍ର ଗୋଷ୍ଠୀକନ୍ଦଳ’କୁ ଏଡ଼ାଇ ଦଳ ପାଇଁ ସଫଳତା ଆଣିବା ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ ହୋଇଛି । ଏପଟେ ଦଳର ଦୁଇ ଜଣ ପ୍ରଭାବଶାଳୀ ବିଧାୟକଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଶରତଙ୍କୁ ପିସିସି ମୁଖିଆ ଭାବେ ଦାୟିତ୍ୱ ମିଳିବା ସେହି ଦୁଇ ନେତାଙ୍କୁ ଶକ୍ତ ଧକ୍କା ଲାଗିଛି। ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ପରେ ବଲାଙ୍ଗିରର ଦୁଇଥରର ପୂର୍ବତନ ସାଂସଦ ତଥା ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇପାରେ ବୋଲି ସୂଚନା ମିଳିଥିଲା । ତେବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଖୋଲାଖୋଲି ଶରତ ପଟ୍ଟନାୟକଙ୍କ ପିସିସି ସଭାପତି ନିଯୁକ୍ତିକୁ ବିରୋଧ କରିବା ଓ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ରାଜ୍ୟର ପରବର୍ତ୍ତୀ ପିସିସି ସଭାପତି ପଦରେ ଜଣେ ବିଧାୟକଙ୍କୁ ଦାୟିତ୍ୱ ଦେବାକୁ ଦାବି କରି ଆସୁଥିବାରୁ ଶରତଙ୍କ ନିଯୁକ୍ତିକୁ ନେଇ ଆଶଙ୍କା ଲାଗି ରହିଥିଲା । ଏପରିକି ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତାମାନେ ସାକ୍ଷାତ କରିବାବେଳେ ସେ ନରସିଂହ ମିଶ୍ରଙ୍କୁ ଅଧିକ ଗୁରୁତ୍ୱ ଦେଇଥିବାରୁ ପିସିସି ସଭାପତି ନିଯୁକ୍ତିରେ ତାଙ୍କ କଥାକୁ ରହିପାରେ ବୋଲି କଂଗ୍ରେସରେ ଚର୍ଚ୍ଚା ହେଉଥିଲା । ମାତ୍ର ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶରତଙ୍କୁ ପିସିସି ମୁଖିଆ ଭାବେ ଅବସ୍ଥାପିତ କରାଯାଇଛି । ଏହାସହିତ ୨୦୧୯ ସାଧାରଣ ନିର୍ବାଚନ ପରେ ପିସିସି ସଭାପତି ପଦରୁ ଇସ୍ତଫା ଚାହୁଁଥିବା ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ପିସିସିରୁ ଦାୟିତ୍ୱ ମୁକ୍ତ କରାଯାଇଛି । ବ୍ରଜରାଜନଗରରେ ପ୍ରଚାର କାର୍ଯ୍ୟରେ ଥିବା ଶରତ ପଟ୍ଟନାୟକ ନିଜର ନୂଆ ନିଯୁକ୍ତି ପାଇଁ ଉଭୟ ସୋନିଆ ଓ ରାହୁଲ ଗାନ୍ଧିଙ୍କୁ କୃତଜ୍ଞତା ଜଣାଇଥିବାବେଳେ ସେ ସମସ୍ତଙ୍କୁ ନେଇ ଚାଲିବେ ଓ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। କଂଗ୍ରେସର ଜଣେ ବରିଷ୍ଠ ନେତା ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ଓଡ଼ିଶା ପିସିସି ପ୍ରଭାରୀ ଏ ଚେଲାକୁମାର ରାଜ୍ୟର ବିଭିନ୍ନ ଦଳର ନେତାମାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସମୟରେ ରାଜ୍ୟରେ କଂଗ୍ରେସର କାହିଁକି ଅଧପତନ ହେଉଛି ତାହା ସେମାନଙ୍କଠୁ ଜାଣିବାକୁ ଚାହିଁଥିଲେ । ଆଉ ସେମାନଙ୍କ ମତାମତ ଆଧାରରେ ବିଜେଡି ସହ ଲିଙ୍କରେ ରହିଥିବା ବିଧାୟକମାନଙ୍କ ଅସଲ ଚେହେରାକୁ ଜାଣିବାକୁ ସୁଯୋଗ ପାଇଥିଲେ । ଆଉ ସେହି କାରଣ ପାଇଁ ଶରତ ପଟ୍ଟନାୟକଙ୍କ ସପକ୍ଷରେ ଶ୍ରୀ ଚେଲାକୁମାର ନିଜର ପ୍ରସ୍ତାବ ଦେଇଥିଲେ । ଏପରିକି ବଲାଙ୍ଗିର ଜିଲ୍ଲାର ଦୁଇ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଅଧିରାଜ ପାଣିଗ୍ରାହୀ ମଧ୍ୟ ଖୋଲାଖୋଲି ଭାବେ ଶରତଙ୍କୁ ପିସିସି ସଭାପତି ପଦରେ ନିଯୁକ୍ତି ସପକ୍ଷରେ ଦୀର୍ଘଦିନ ଧରି ମତ ଦେଇ ଆସୁଥିଲେ। ତେବେ ପ୍ରଶ୍ନ ଉଠୁଛି, ଶରତଙ୍କୁ ପିସିସି ସଭାପତି ପଦରେ ନିଯୁକ୍ତି ନଦେବାକୁ ଚାପ ପକାଇ ଆସୁଥିବା ବିଧାୟକମାନଙ୍କ ସ୍ଥିତି ଓ ଆଭିମୁଖ୍ୟ ଏବେ କ’ଣ ରହିବ? ଯେଉଁ କଂଗ୍ରେସ ନେତାମାନେ ପିସିସି ସଭାପତି ପଦରେ ଜଣେ ବିଧାୟକଙ୍କୁ ବସାଇବାକୁ କହୁଥିଲେ ସେମାନେ କ’ଣ ଶରତଙ୍କୁ ସହଯୋଗର ହାତ ବଢ଼ାଇବେ କି? ନା’ ସେଭଳି ବିରୋଧାଭାସ ଲାଗି ରହିବ । ଅବଶ୍ୟ ଏହା ସତ୍ୟ ଯେ, ଶରତଙ୍କୁ ପିସିସି ସଭାପତି ପଦରେ ନିଯୁକ୍ତି ଦେଇ କଂଗ୍ରେସ ହାଇକମାଣ୍ଡ ପରୋକ୍ଷରେ ଏହି ତଥାକଥିତ ବିଧାୟକମାନଙ୍କ ମାମଲାତି ଉପରେ ଶକ୍ତ ପ୍ରହାର ଦେଇଛନ୍ତି । ବିଜେଡି ସହ ଭିତରି ବୁଝାମଣାରେ ଥିବା ବିଧାୟକମାନଙ୍କ ଅସଲ ଚେହେରା ବି ଉଜାଗର ହୋଇସାରିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ କଂଗ୍ରେସ ହାଇକମାଣ୍ଡ ଚାହୁଁଥିବାରୁ ଦଳୀୟ ବ୍ୟାପାରରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଦିଲ୍ଲୀ ଗସ୍ତରେ ଯାଇଥିବା ନେତାମାନଙ୍କୁ ରୋକଠୋକ୍ ଭାବେ ରାହୁଲ ଗାନ୍ଧି ଜଣାଇ ଦେଇଥିଲେ । ତେଣୁ ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ପିସିସି ସଭାପତି ଭାବେ କାର୍ଯ୍ୟ କରିଥିବା ଶରତଙ୍କୁ ନିଜର ଦ୍ୱିତୀୟ ପାଳିରେ ଏହି ବିଧାୟକମାନଙ୍କ ସହଯୋଗ ନମିଳିପାରେ । ମାତ୍ର ନିଜର ଏକ ସନ୍ତୁଳିତ ଟିମ୍ ଗଠନ ସହ ବିଭିନ୍ନ ଦାୟିତ୍ୱ ବଣ୍ଟନ ମାଧ୍ୟମରେ ଶରତ ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସ ସଂଗଠନକୁ ଜୀବନ୍ୟାସ ଦେବାରେ ସକ୍ଷମ ହେବେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା।

କ୍ଷୋଭ କରି ବିଜୟ କହିଲେ ‘ବିଜେପିରେ ଅଛି କି ନାହିଁ ଜାଣିନି’…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଦୀର୍ଘଦିନ ଧରି ଦଳୀୟ ସାଂଗଠନିକ କାର୍ଯ୍ୟରେ ଅନୁପସ୍ଥିତ ରହୁଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଏବେବି ବିଜେପିରେ ଅଛନ୍ତି କି ନାହିଁ ତାହା ସେ ଜାଣନ୍ତି ନାହାନ୍ତି ବୋଲି କ୍ଷୋଭର ସହ କହିଛନ୍ତି । ଏହାସହିତ ବିଜେପି ତାଙ୍କୁ ଦଳରେ ଅଲୋଡ଼ା କରି ଦେଇଥିବା ନେଇ ମଧ୍ୟ ସେ ସଙ୍କେତ ଦେଇଛନ୍ତି । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତ ୩ ବର୍ଷ ହେଲା ଦଳର ସମସ୍ତ କାର୍ଯ୍ୟକ୍ରମରୁ ତାଙ୍କୁ ଦୂରେଇ ରଖାଯାଇଛି । ସେ ଏବେବି ବିଜେପିରେ ଅଛନ୍ତି କି ନାହିଁ ତାହା ସେ ନିଜେ ମଧ୍ୟ ଜାଣନ୍ତି ନାହିଁ । ବିଜେପି ନେତାମାନଙ୍କୁ ପଚାରିଲେ ଏହାର ପ୍ରକୃତ ଉତ୍ତର ସେମାନେ ଦେଇପାରିବେ । ଗତଥର ନିର୍ବାଚନ ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କୁ ରଖାଯାଇ ନଥିଲା । ଏଥର ବି ବ୍ରଜରାଜନଗର ଉପନିର୍ବାଚନରେ ତାଙ୍କୁ ଷ୍ଟାର ପ୍ରଚାରକ ରଖାଯାଇନି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଗତ କିଛିଦିନ ଧରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଗଣମାଧ୍ୟମକୁ ବୟାନ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାକୁ ସମାଲୋଚନା କରୁଥିବା ଶ୍ରୀ ମହାପାତ୍ର ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଧରି ରାଜନୀତିକୁ ନାପସନ୍ଦ କରିଛନ୍ତି । ସେ ବିଜେପି ନେତା ସମ୍ବିତ ପାତ୍ରଙ୍କ ନାଁ ନଧରି ପରୋକ୍ଷରେ ତାଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଆମ ଓଡ଼ିଆଙ୍କ ଆରାଧ୍ୟ ଦେବତା । ତାଙ୍କୁ ନେଇ ରାଜନୀତି କରାନଯାଉ । ଶ୍ରୀଜଗନ୍ନାଥଙ୍କୁ କାଖେଇ ଧରି ଖେଳଣା ଭଳି ବ୍ୟବହାର କରାନଯାଉ । ଜଗନ୍ନାଥଙ୍କ ଫଟୋକୁ ଧରି ରାଜନୀତି କରାଯାଉଛି । ତେଣୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ରାଜନୀତିକ ବିବାଦ କରାଯିବା ଉଚିତ୍ ନୁହେଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ସୂଚନାଯୋଗ୍ୟ, ୨୦୧୯ ମସିହାରେ ପାଟକୁରା ବିଧାନସଭା ନିର୍ବାଚନରେ ପରାଜିତ ହେବା ପରଠୁ ଶ୍ରୀ ମହାପାତ୍ରଙ୍କୁ ଦଳୀୟ ସାଂଗଠନିକ କାର୍ଯ୍ୟରେ ପ୍ରାୟତଃ ଦେଖିବାକୁ ମିଳୁନି । ଗତ ପ୍ରାୟ ଦୁଇ ବର୍ଷ ହେବ ଶ୍ରୀ ମହାପାତ୍ରଙ୍କୁ ସାଂଗଠନିକ କାର୍ଯ୍ୟରୁ ବିଜେପି ସମ୍ପୂର୍ଣ୍ଣ ଭାବେ ଦୂରେଇ ରଖିଥିବା ଜଣାପଡ଼ିଛି । ତେବେ ଏହା ପଛରେ କ’ଣ କାରଣ ରହିଛି ସେ ନେଇ କେହି ମୁହଁ ଖୋଲୁନାହାନ୍ତି ।

ଶେଷଦିନରେ ବି ନିରଞ୍ଜନ ଖେଳି ଦେଇଗଲେ ଖେଳ କହିଲେ ସୁଧୁରିବନି କଂଗ୍ରେସ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ତୀବ୍ର ଗୋଷ୍ଠୀକନ୍ଦଳ ଓ ଗୋଡ଼ଟଣା ନୀତି ଯୋଗୁ ଓଡ଼ିଶାରେ କଂଗ୍ରେସ କ୍ରମାଗତ ଭାବେ ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି । ଅଥଚ ଦଳକୁ ସଂଗଠିତ କରି ସୁଦୃଢ଼ କରିବା ଦିଗରେ ନେତାମାନେ ଆନ୍ତରିକତା ଦେଖାଇନାହାନ୍ତି । ଗତ ୪ବର୍ଷରୁ ଅଧିକ ସମୟ ଧରି ପିସିସି ସଭାପତି ଥିବା ନିରଞ୍ଜନ ପଟ୍ଟନାୟକ  ନିଜର ଶେଷ କାର୍ଯ୍ୟ ଦିବସରେ ଏଭଳି ଏକ ରାଜନୀତିକ ଗୋଟି ଚାଳନା କରିଯାଇଛନ୍ତି ଯାହାର ପ୍ରଭାବ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଆରମ୍ଭରୁ ସିଧାସଳଖ ଅଙ୍କୁଶ ଲଗାଇବା ପାଇଁ ଉଦ୍ଦିଷ୍ଟ ତଥା ଦଳ ଭିତରେ ଗୋଷ୍ଠୀକନ୍ଦଳକୁ ଅଧିକ ଉଗ୍ର ରୂପ ଦେବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁସାରେ, ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନାଁ ଘୋଷଣା ସହ ୪ବର୍ଷରୁ ଅଧିକ ସମୟ ଧରି ପିସିସି ସଭାପତି ଥିବା ନିରଞ୍ଜନ ପଟ୍ଟନାୟକଙ୍କ କାର୍ଯ୍ୟକାଳ  ଶେଷ ହୋଇଛି । ତେବେ ଶେଷଦିନରେ ନିରଞ୍ଜନ ଏଭଳି ଏକ ୭ଜଣିଆ କମିଟି ଗଠନ କରିଛନ୍ତି ଯାହା ତାଙ୍କର କଂଗ୍ରେସକୁ ସୁଧାରିବା ପାଇଁ ନୁହେଁ ବରଂ ଅଧିକ ବିଗାଡ଼ିବା ପାଇଁ ଉଦ୍ଦିଷ୍ଟ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି । ରାଜସ୍ଥାନର ଉଦୟପୁରରେ କଂଗ୍ରେସର ‘ନବସଂକଳ୍ପ ଶିବିର’ରେ ନିଆଯାଇଥିବା ନିଷତ୍ତି ଅନୁସାରେ ରାଜ୍ୟସ୍ତରରେ ଗୋଟିଏ ଲେଖାଏଁ ରାଜନୀତିକ ବ୍ୟାପାର କମିଟି ଗଠନ କରାଯିବ। ସମସ୍ତ ନେତାମାନଙ୍କ ସହ ବିଚାରବିମର୍ଶ କରି ପିସିସି ସଭାପତି ଏନେଇ ଏଆଇସିସିକୁ ସୁପାରିଶ କରିବେ । ମାତ୍ର ନିରଞ୍ଜନ ଶେଷଦିନରେ ତରବରିଆ ଭାବେ ଦଳର ରାଜ୍ୟସ୍ତରୀୟ ୭ଜଣିଆ ରାଜନୀତିକ ବ୍ୟାପାର କମିଟି ଗଠନ କରିଛନ୍ତି । ଏଥିରେ ସେ ନିଜେ ସଦସ୍ୟ ଥିବାବେଳେ ନରସିଂହ ମିଶ୍ର, ଚିରଞ୍ଜିବୀ ବିଶ୍ୱାଳ(ଓବିସି), ସପ୍ତଗିରି ଉଲାକା(ଅନୁସୂଚିତ ଜନଜାତି), ଗଣେଶ୍ୱର ବେହେରା(ଅନୁସୂଚିତ ଜାତି), ବନ୍ଦିତା ପରିଡ଼ା(ମହିଳା ଓବିସି) ଓ ଅନାମ ନାୟକ (ଅନୁସୂଚିତ ଜନଜାତି-କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି) ସଦସ୍ୟ ଅଛନ୍ତି । ଏଆଇସିସି ପରାମର୍ଶ ଅନୁସାରେ ଏହି କମିଟି ଗଠନ ହୋଇଛି ସତ, କିନ୍ତୁ ନୈତିକତା ଦୃଷ୍ଟିରୁ ନୂଆ ପିସିସି ସଭାପତି ଏହି କମିଟି ଗଠନ କରିପାରିଥାନ୍ତେ। ଚିନ୍ତନ ଶିବିରରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଏହି ରାଜ୍ୟସ୍ତରୀୟ ରାଜନୀତିକ ବ୍ୟାପାର କମିଟି ପ୍ରତ୍ୟେକ ମାସରେ ବୈଠକ କରିବ । ଏହି କମିଟି ରାଜ୍ୟରେ ଦଳୀୟ ସଂଗଠନର ସମସ୍ତ ନିଷ୍ପତ୍ତି ନେବ । ତେଣୁ ନିରଞ୍ଜନ ନିଜର ଦଳରେ ରାଜନୀତିକ ଗୁରୁତ୍ୱ ରଖିବା ନିମନ୍ତେ ଏଭଳି କମିଟି ଗଠନ କରି ଏଆଇସିସିକୁ ଅନୁମୋଦନ ନିମନ୍ତେ ପଠାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଏଆଇସିସି ନିର୍ଦ୍ଦେଶରେ ଆସନ୍ତା ଜୁନ୍ ୧ ଓ ୨ତାରିଖରେ ଭୁବନେଶ୍ୱରରେ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହେବ । ଏଥିରେ ଦଳର ସମସ୍ତ ସାଂସଦ, ବିଧାୟକ, ସାଂସଦ ଓ ବିଧାୟକ ପ୍ରାର୍ଥୀ, ଜିଲ୍ଲା କମିଟି ସଭାପତି, ପିସିସି କର୍ମକର୍ତ୍ତା ଓ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ । ପିସିସି ପ୍ରଭାରୀ ଓ ସହପ୍ରଭାରୀ ମଧ୍ୟ କର୍ମଶାଳାରେ ଉପସ୍ଥିତ ରହି ଉଦୟପୁର ଚିନ୍ତନଶିବିରରେ ନିଆଯାଇଥିବା ନିଷ୍ପତ୍ତିକୁ କିଭଳି କାର୍ଯ୍ୟକାରୀ କରାଯିବ ତା’ର ରୂପରେଖ ପ୍ରସ୍ତୁତ କରିବେ। ସେହିପରି ଅନୁରୂପ କର୍ମଶାଳା ମଧ୍ୟ ଜୁନ୍ ୧୧ରୁ ୧୪ତାରିଖ ମଧ୍ୟରେ ଜିଲ୍ଲାସ୍ତରରେ ହେବ । ଯେଉଁଠି ଜିଲ୍ଲା କମିଟି ଓ ବ୍ଲକ କମିଟି ସଦସ୍ୟମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ତେବେ ପ୍ରଶ୍ନ ଉଠୁଛି, ଏହି ରାଜନୀତିକ ବ୍ୟାପାର କମିଟି ଗଠନ ନିମନ୍ତେ ନିରଞ୍ଜନ କାହା ସହ ବିଚାରବିମର୍ଶ କରିଥିଲେ । ନିଜେ ନୂଆ ସଭାପତି ଶରତ ପଟ୍ଟନାୟକଙ୍କୁ ସହଯୋଗ କରିବା ପରିବର୍ତ୍ତେ କାହିଁକି ତରବରିଆ ଭାବେ ମନଇଚ୍ଛା ରାଜନୀତିକ ବ୍ୟାପାର କମିଟି ଗଠନ କରିଦେଲେ? କାହିଁକି ନୂଆ ସଭାପତିଙ୍କୁ ବିଶ୍ୱାସକୁ ନେଲେନି? ଏହି କମିଟି ଗଠନ ଦ୍ୱାରା ନିରଞ୍ଜନ ପ୍ରଦେଶ କଂଗ୍ରେସରେ ଗୋଷ୍ଠୀକନ୍ଦଳକୁ ଅଧିକ ତୀବ୍ର ରୂପ ଦେବାକୁ ଉଦ୍ୟମ କରିନାହାନ୍ତି କି? ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ହାଇକମାଣ୍ଡ ରଣନୀତି ପ୍ରସ୍ତୁତ କରି ସଂଗଠନକୁ ସଜାଡ଼ିବାକୁ ଚେଷ୍ଟା କରୁଥିବାବେଳେ ନିରଞ୍ଜନଙ୍କ ଭଳି ବରିଷ୍ଠ ନେତାମାନେ ହିଁ ନିଜର କାର୍ଯ୍ୟ ଓ ଆଚରଣ ମାଧ୍ୟମରେ ଓଡ଼ିଶାରେ କଂଗ୍ରେସକୁ ନିମ୍ନମୁଖୀ କରିବାର ମାର୍ଗ ପ୍ରଶସ୍ତ କରୁଛନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା।

ରାଜ୍ୟସଭାରେ ରହୁନି ମହିଳା ପ୍ରତିନିଧିତ୍ୱ: ୨୦ବର୍ଷ ପରେ ଇତିହାସ ରିପିଟ୍ କରିବ ବିଜେଡି….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଓଡ଼ିଶାରେ ୩ଟି ରାଜ୍ୟସଭା ଆସନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ସଂଖ୍ୟା ଗଣିତ ଦୃଷ୍ଟିରୁ ଏହି ସମସ୍ତ ୩ଟି ଆସନ ଶାସକ ବିଜେଡି ଖାତାକୁ ଯିବା ଏକରକମ ନିଶ୍ଚିତ ହୋଇଥିବାବେଳେ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜାତୀୟସ୍ତରରେ ‘ମହିଳାଙ୍କୁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ’ ପ୍ରସଙ୍ଗ ଉଠାଇ ହଟଚମଟ ସୃଷ୍ଟି କରିଥିବା ବିଜେଡି ଏବେ ରାଜ୍ୟସଭାରେ ଅଧିକ ସଂଖ୍ୟକ ମହିଳା ପ୍ରତିନିଧିତ୍ୱ ଦେଇ ୨୦୨୪ ସାଧାରଣ ନିର୍ବାଚନରେ ଏହାକୁ ନିଜର ଟ୍ରମ୍ପ କାର୍ଡ ଭାବେ ଉପଯୋଗ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଓ ୨୦ବର୍ଷ ପୁରୁଣା ଇତିହାସକୁ ବିଜେଡି ଦୋହରାଇପାରେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ୩ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ୩୧ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିଲାବେଳେ ଆଉ ଗୋଟିଏ ରାଜ୍ୟସଭା ଆସନ ପାଇଁ ମଧ୍ୟ ଅନୁରୂପ ଭାବେ ଜୁନ୍ ୩ରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ମାତ୍ର ବିଜେଡି ଏପର୍ଯ୍ୟନ୍ତ କାହାରି ପ୍ରାର୍ଥିତ୍ୱ ଉପରେ ମୋହର ମାରିନି । କିମ୍ବା କୌଣସି ନେତାଙ୍କୁ ଏନେଇ ସବୁଜ ସଙ୍କେତ ମଧ୍ୟ ଦେଇନି । ଯଦିଓ ବିଜେଡି ଯାହାକୁ ବି ପ୍ରାର୍ଥୀ କରିବ ତାଙ୍କର ଜିତିବା ନିଶ୍ଚିତ ଥିବାରୁ ଦଳରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ତୃତୀୟ ମହଲା ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟସଭାର ୪ଟି ଆସନ ମଧ୍ୟରୁ ଦଳ ୨ରୁ ୩ଟି ଆସନରେ ମହିଳାଙ୍କୁ ପ୍ରାର୍ଥି କରିବାର ସମ୍ଭାବନା ରହିଛି । ଏନେଇ ଦଳର ବରିଷ୍ଠ ଉପସଭାନେତ୍ରୀ ଉଷା ଦେବୀଙ୍କ ମାଧ୍ୟମରେ ବିଜେଡି ପକ୍ଷରୁ ସଙ୍କେତ ମଧ୍ୟ ଦିଆଯାଇଛି । ଚିକିଟି ବିଧାୟିକା ଉଷା ଦେବୀ  ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପଂଚାୟତ ନିର୍ବାଚନରେ ମହିଳାଙ୍କୁ ଦଳ ଅଧିକ ଗୁରୁତ୍ୱ ଦେଇଥିଲା । ତେଣୁ ରାଜ୍ୟସଭାରେ ମଧ୍ୟ ଅନୁରୂପ ଗୁରୁତ୍ୱ ଦେବ । ମୁଖ୍ୟମନ୍ତ୍ରୀ ଯଦି ପ୍ରଥମ ପର୍ଯ୍ୟାୟର ସମସ୍ତ ୩ ଆସନରେ ୩ ମହିଳାଙ୍କୁ ପ୍ରାର୍ଥୀ କରିବେ ତା’ହେଲେ ଭଲ ହୁଅନ୍ତା । ଚିକିଟି ବିଧାୟିକା ଉଷା ଦେବୀଙ୍କର ଏଭଳି ମନ୍ତବ୍ୟକୁ ବିଜେଡି ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି । ନବୀନ ନିବାସର ନିକଟତମ ନେତ୍ରୀ ଭାବେ ଜଣାଶୁଣା ଉଷା ଦେବୀ ଗଣମାଧ୍ୟମରେ କ୍ୱଚିତ୍ ବୟାନ ଦେଇଥାନ୍ତି । ବିଜେଡିର ଯାହା ଟ୍ରେଣ୍ଡ, ଏଠି ବିନା ଅନୁମତିରେ ଗଣମାଧ୍ୟମରେ ବୟାନ ଦେବା ସମ୍ଭବପର ନୁହେଁ । ତା’ଛଡ଼ା ରାଜ୍ୟସଭା ପ୍ରାର୍ଥୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଉଷା ଦେବୀ ନିଜ ମନରୁ ୩ଜଣ ମହିଳାଙ୍କୁ ୩ଟି ସିଟ୍ ଦେବା କଥା କହି ଦଳ ନିମନ୍ତେ ସମସ୍ୟା ବଢ଼ାଇବେ ନାହିଁ । ତେଣୁ ନିଶ୍ଚିତ ଭାବେ ଉପରୁ ନିର୍ଦ୍ଦେଶ ଥିବାରୁ ଉଷା ଦେବୀ ଏଭଳି ମନ୍ତବ୍ୟ ଦେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।ବିଜେଡି ଗତ କିଛିବର୍ଷ ଧରି ମହିଳା ସଶକ୍ତିକରଣ ଓ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଜୋରସୋରରେ ଉଠାଉଥିଲେ ମଧ୍ୟ ରାଜ୍ୟସଭାରେ ଦଳର ମାତ୍ର ଜଣେ ମହିଳା ସାଂସଦ ଅଛନ୍ତି । ବିଜେଡି ଦୀର୍ଘ ୨୨ବର୍ଷ ଧରି କ୍ଷମତାରେ ଥିଲେ ମଧ୍ୟ ରାଜ୍ୟସଭାକୁ ଆବଶ୍ୟକ ସଂଖ୍ୟକ ମହିଳାଙ୍କୁ ପଠାଇବା ଦିଗରେ ବିଶେଷ ଆଗ୍ରହ ଦେଖାଇନାହିଁ । କେବଳ ୨୦୦୨ ମସିହାରେ ଏକସଙ୍ଗେ ପ୍ରମିଳା ବହିଦାର ଓ ସୁଶ୍ରୀ ଦେବୀଙ୍କୁ ଦଳ ରାଜ୍ୟସଭାକୁ ପଠାଇଥିଲା । ବିଜେପିରୁ ସୁରେନ୍ଦ୍ର କୁମାର ଲାଠ୍ ଓ ସ୍ୱାଧୀନ ଭାବେ ଦିଲ୍ଲୀପ ରାୟ ବିଜୟୀ ହୋଇଥିଲେ । ୨୦୦୨ ମାର୍ଚ୍ଚରେ ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା ଓ ସେତେବେଳେ ବିଜେଡି-ବିଜେପି ମେଂଟ ସରକାର କ୍ଷମତାରେ ଥିଲା । ଏହାପରଠୁ ବିଜେଡି କେବେ ଏକସଙ୍ଗେ ଦୁଇଜଣ ମହିଳାଙ୍କୁ ରାଜ୍ୟସଭା ପଠାଇ ନାହିଁ । ଏପରିକି ଅନେକ ସମୟରେ ମହିଳାଙ୍କ ପ୍ରତିନିଧିତ୍ୱ ମଧ୍ୟ ରାଜ୍ୟସଭାରେ ଶୂନ ରହିଛି । ଅବଶ୍ୟ ୧୯୯୬ ମାର୍ଚ୍ଚରେ ଏକକାଳୀନ ଓଡ଼ିଶାର ୫ଟି ଆସନରେ ନିର୍ବାଚନ ହୋଇଥିବାବେଳେ କଂଗ୍ରେସ ଟିକେଟରେ ଫ୍ରିଡା ଟପ୍ନୋ ଓ ଜୟନ୍ତୀ ପଟ୍ଟନାୟକଙ୍କ ସମେତ ମୋଟ ୪ଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଅବଶ୍ୟ ୧୯୯୮ରେ ଜୟନ୍ତୀ ରାଜ୍ୟସଭା ଛାଡ଼ି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ବିଜେଡି ସୂତ୍ର ଅନୁସାରେ, ସଂସଦରେ ମହିଳାଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେଇ ଦଳ ନିଜର ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରୁଥିବାରୁ ରାଜ୍ୟସଭା ପ୍ରାର୍ଥିତ୍ୱକୁ ନେଇ ବିଜେଡି ସୁପ୍ରିମୋ ‘ଅପ୍ରତ୍ୟାଶିତ ନିଷ୍ପତ୍ତି ନେବାର ଯଥେଷ୍ଟ ସମ୍ଭାବନା ରହିଛି । ଆଇଏଏସ୍ ଅଫିସର ସୁଜାତା କାର୍ତ୍ତିକେୟନ, ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗଚୀ ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ଭଳି ଉଚ୍ଚଶିକ୍ଷିତା ମହିଳାଙ୍କୁ ଦଳ ରାଜ୍ୟସଭାକୁ ପଠାଇବାକୁ ବିଚାରବିମର୍ଶ କରୁଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ରାଜ୍ୟସଭାକୁ ଏବେ ମୋଟ ୨୭ଜଣ ମହିଳା ପ୍ରତିନିଧିତ୍ୱ କରୁଥିବାବେଳେ ସେଥିରେ ବିଜେପିର ୧୦, କଂଗ୍ରେସର ୫, ତୃଣମୂଳ କଂଗ୍ରେସର ୩ ଓ ଏନସିପିର ୨ଜଣ ସାଂସଦ ଅଛନ୍ତି । କିନ୍ତୁ ବିଜେଡିର ମାତ୍ର ଜଣେ ମହିଳା ସାଂସଦ ରାଜ୍ୟସଭାରେ ଅଛନ୍ତି।

ଓଡ଼ିଶା କଂଗ୍ରେସର ମୁଖିଆ ହେଲେ ଶରତ ପଟ୍ଟନାୟକ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବଲାଙ୍ଗିରର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭାବେ ନିଯୁକ୍ତି ମିଳିଛି ।  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଦଳ ଗ୍ରହଣ କରି ତତ୍କାଳ ପ୍ରଭାବରୁ ଶରତ ପଟ୍ଟନାୟକଙ୍କୁ ପିସିସି ମଙ୍ଗୁଆଳ ଦାୟିତ୍ୱ ତୁଲାଇବାକୁ କହିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଏହି ନିଷ୍ପତ୍ତି ସମ୍ପର୍କରେ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତ କିଛି ଦୁଇମାସ ଧରି ପିସିସି ସଭାପତି ପଦକୁ ନେଇ ଛକାପଞ୍ଝା ଲାଗି ରହିଥିଲା । ଶରତ ପଟ୍ଟନାୟକ ନିଜେ ପିସିସି ସଭାପତି ଦୌଡ଼ରେ ନଥିବା କଥା ଗଣମାଧ୍ୟମକୁ ବୟାନ ଦେଇଥିଲେ ମଧ୍ୟ ତାଙ୍କୁ ଦଳ ପିସିସି ସଭାପତି କରିପାରେ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି କଂଗ୍ରେସର ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ମଧ୍ୟ ତାଙ୍କର ପିସିସି ସଭାପତିିତ୍ୱକୁ ତୀବ୍ର ବିରୋଧ କରୁଥିଲେ । ଜଣେ ବିଧାୟକଙ୍କୁ ପିସିସି ସଭାପତି ଦାୟିତ୍ୱ ଦେବାକୁ ଚାପ ପଡ଼ିଥିଲା। ମାତ୍ର ଓଡ଼ିଶା ପିସିସି ପ୍ରଭାରୀ ଏ. ଚେଲାକୁମାରଙ୍କ ସୁପାରିଶ ଓ ଦଳର ଅନ୍ୟ ପ୍ରମୁଖ ନେତାମାନଙ୍କ ସହ ବିଚାରବିମର୍ଶ କରି ଶ୍ରୀ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସୂଚନାଯୋଗ୍ୟ, ବଲାଙ୍ଗିରର ଦୁଇଥର ସାଂସଦ ଶରତ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ସେ ୧୯୯୧ ଓ ୧୯୯୬ରେ ବଲାଙ୍ଗିରର ସାଂସଦ ଭାବେ କାର୍ଯ୍ୟ କରିଥିଲେ । ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ ପିସିସି ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ସେ ଏଆଇସିସି ସମ୍ପାଦକ ଦାୟିତ୍ୱରେ ମଧ୍ୟ ଥିଲେ । ଏଆଇସିସି ସାଧାରଣ ସମ୍ପାଦକ ଜାରି କରିଥିବା ପ୍ରେସ ରିଲିଜରେ କହିଛନ୍ତି, “ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି) ସଭାପତି ଭାବେ ଶରତ ପଟ୍ଟନାୟକଙ୍କୁ ତତ୍କାଳ ଭାବେ ନିଯୁକ୍ତି ଦିଆଯାଉଛି। କଂଗ୍ରେସ ସଭାପତି ଏହି ନିଯୁକ୍ତି ଦେଇଛନ୍ତି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ତାଙ୍କ କାମ ପାଇଁ ଦଳ ଶୁଭେଚ୍ଛା ଓ ସାଧୁବାଦ ଜଣାଉଛି।” ଶରତ ପଟ୍ଟନାୟକ ପିସିସି ସଭାପତି ନିଯୁକ୍ତ ହେବା ପରେ ସମସ୍ତଙ୍କୁ ନେଇ କାମ କରିବେ ବୋଲି କହିଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ସାଙ୍ଗରେ ନେଇ ଆଗାମୀ ଦିନରେ ନିର୍ବାଚନ ଲଢ଼ିବୁ। ସଂଗଠନକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାମ କରିବାକୁ ହେବ। ବ୍ରଜରାଜନଗର ଉପନିର୍ବାଚନ ପରେ ୨୦୨୪ ପାଇଁ ପ୍ରସ୍ତୁତି ହେବ। ନୂଆ ନିଯୁକ୍ତି ପାଇଁ ସୋନିଆ ଓ ରାହୁଲ ଗାନ୍ଧିଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଅନ୍ୟପକ୍ଷରେ ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟ ଶୁଭେଚ୍ଛା ଜଣାଇଛନ୍ତି। ଶରତଙ୍କ ନେତୃତ୍ୱରେ କଂଗ୍ରେସ ସଫଳତା ପାଇବା ନେଇ ସେ ଆଶାବାଦୀ ରହିଛନ୍ତି। ସେ କହିଛନ୍ତି, ପିସିସି ସଭାପତି ଭାବେ ଦାୟିତ୍ୱ ତୁଲାଇବା ମୋ ପାଇଁ ବଡ଼ ସମ୍ମାନ। ସୋନିଆ ଗାନ୍ଧି ସଭାପତି ଭାବେ କାମ କରିବାକୁ ସୁଯୋଗ ଦେଇଥିବାରୁ କୃତଜ୍ଞ। ପିସିସି ସଭାପତି ଭାବେ କାମ କରିବା ବେଳେ ରାହୁଲ ଗାନ୍ଧି ପୂରା ସହଯୋଗ କରିଛନ୍ତି ବୋଲି ନିରଞ୍ଜନ ଟ୍ୱିଟ କରି କହିଛନ୍ତି।

ମହାନଦୀର ସୁରକ୍ଷା ପାଇଁ ସତ୍ୟାଗ୍ରହ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମୃତପ୍ରାୟ ମହାନଦୀର ଜୀବନ ବଞ୍ଚାଇବା ପାଇଁ ଆରମ୍ଭ ହୋଇଛି ସତ୍ୟାଗ୍ରହ। ପାରାଦୀପ ଚୌମୁହାଣୀ ଓ ଛତିଶଗଡ଼ର କଲମାରେ ଏକାସାଙ୍ଗରେ କରାଯାଇଛି ଆନ୍ଦୋଳନ। ଓଡ଼ିଶା ନଦୀ ସୁରକ୍ଷା ସମିତି ପକ୍ଷରୁ ମହାନଦୀ ବଞ୍ଚାଅ ଆନ୍ଦୋଳନ କରାଯାଉଛି। ମହାନଦୀ ହେଉଛି ଓଡ଼ିଶାର ଜୀବନଧାରା। ମହାନଦୀ ବଞ୍ଚିଲେ ଆମେ ବଞ୍ଚିବା। ନ ହେଲେ ଆଗକୁ ଯେଉଁ ଜଳକଷ୍ଟ ହେବ, ତାହା ଅସମ୍ଭାଳ ହୋଇଯିବ। ତେଣୁ ଏବେଠୁ ସାବଧାନ ହେବାକୁ ପଡ଼ିବ। କଲମାରେ ଛତିଶଗଡ଼ ପଟେ ମହାନଦୀ ପୂରି ଥିବା ବେଳେ ତା’ ତଳକୁ ଓଡ଼ିଶା ପଟେ ମହାନଦୀ ପୂରା ଶୁଖିଲା ପଡ଼ିଛି। ଯଦି ଏପରି ଜାରି ରହେ, ଆମର ଜୀବନ ସତ୍ତା ମଧ୍ୟ ବିପଦରେ ପଡ଼ିବ। ତେଣୁ ଏବେଠୁ ସଚେତନ ହୋଇ ମହାନଦୀକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରିବାକୁ ପଡ଼ିବ ବୋଲି ସଂଗଠନର ସଦସ୍ୟ ଶ୍ରୀବଲ୍ଲଭ କର କହିଛନ୍ତି। ସେ କହିଛନ୍ତି, “ଆଜି ଆମେ ଚୌମୁହାଣୀ ଠାରେ ଆନ୍ଦୋଳନ କରୁଛୁ। ଏହି ସ୍ଥାନଟିକୁ ମହାନଦୀ ଓ ବଙ୍ଗୋପସାଗରର ସଙ୍ଗମସ୍ଥଳ ବୋଲି କୁହାଯାଏ। ମହାନଦୀର ଜୀବନ ବଞ୍ଚାଇବାକୁ ଏପରି ସତ୍ୟାଗ୍ରହ କରାଯାଉଛି। ଛତିଶଗଡ଼ର କଲମା ପାଖରେ ମହାନଦୀ ମୃତ ପ୍ରାୟ ହୋଇ ଗଲାଣି। ଏଥିପାଇଁ ଆମେ ଆଜି ଚୌମୁହାଣୀ ଠାରେ ସତ୍ୟାଗ୍ରହ କରୁଛୁ। ଜଳ ବଞ୍ଚିଲେ ଜୀବନ ବଞ୍ଚିବ। ନଦୀ ଥିଲେ ଜୀବ, ଜନ୍ତୁ ଓ ମଣିଷ ଆଗକୁ ଯାଇ ପାରିବେ। ଆମେ ଓଡ଼ିଶାର ଲୋକମାନଙ୍କୁ କହିବାକୁ ଚାହୁଁଛୁ ଯେ ମୃତପ୍ରାୟ ମହାନଦୀ ଯଦି ବଞ୍ଚିବ ନାହିଁ, ତା’ହେଲେ ଆଗକୁ ଜଳକଷ୍ଟ ଅସମ୍ଭାଳ ହେବ। ଜୀବର ସତ୍ତା ରହିବ ନାହିଁ। ତେଣୁ ଆମେ ସମସ୍ତେ ସଚେତନ ହେବା ଓ ମହାନଦୀ ବଞ୍ଚାଇବାକୁ କାମ କରିବା।” ଆଜିର ସତ୍ୟାଗ୍ରହରେ ସଂଗଠନର ସଦସ୍ୟଙ୍କ ବ୍ୟତୀତ ସ୍ଥାନୀୟ ଲୋକମାନେ ମଧ୍ୟ ଯୋଗ ଦେଇଥିଲେ। ସେମାନେ ସତ୍ୟାଗ୍ରହ କରିବା ସମୟରେ ମହାନଦୀର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ନାରା ମଧ୍ୟ ଦେଇଥିଲେ।

ଭିଜିଲାନ୍ସ ଜାଲରେ ପିଆଇଏର ପ୍ରୋଜେକ୍ଟ ଆସୋସିଏଟ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର/କନ୍ଧମାଳ)- ପ୍ରତିଦିନ ଭିଜିଲାନ୍ସ ଜାଲ୍‌ରେ ଧରାପଡ଼ୁଛନ୍ତି ସରକାରୀ ବାବୁ। ସେମାନଙ୍କ ଠାରୁ ମିଳୁଛି କୋଟିକୋଟି ଟଙ୍କାର ବେଆଇନ ସମ୍ପତ୍ତି। ଏହିକ୍ରମରେ ଆଜି ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ପିଆଇଏର ଜଣେ ପ୍ରୋଜେକ୍ଟ ଆସୋସିଏଟ। ଏହି ବାବୁ ଜଣଙ୍କ ପୋଖରୀ ଖୋଳା ବିଲ୍‌ କରାଇ ଦେବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିବାରେ ସକ୍ଷମ ହୋଇଛି। ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଲାଞ୍ଚୁଆ ବାବୁ ଜଣଙ୍କ ହେଲେ ନଗେନ୍ଦ୍ରନାଥ ସ୍ୱାଇଁ। ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ନଗେନ୍ଦ୍ରନାଥ ସ୍ୱାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅନ୍ତର୍ଗତ ତୁମୁଡ଼ିବନ୍ଧରେ ପିଆଇଏର ପ୍ରୋଜେକ୍ଟ ଆସୋସିଏଟ ଭାବେ କାମ କରନ୍ତି। ତାଙ୍କୁ ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କୁଟାମଗୁଡା ନିକଟରୁ ଭିଜିଲାନ୍ସ ଧରିଛି। ଶ୍ରୀ ସ୍ୱାଇଁ ଦୁପି ଓ ଇଡିପଦର ଗାଁରେ ଚାଷ ପାଇଁ ୪ ଜଣ ଲୋକ ଖୋଳିଥିବା ପୋଖରୀର ବିଲ୍‌ କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ। ଏଥିପାଇଁ ୫୦ ହଜାର ଟଙ୍କାର ଡିଲ୍‌ ହୋଇଥିଲା। ତେବେ ଜଣେ ବ୍ୟକ୍ତିଙ୍କ ଠାରୁ ଶ୍ରୀ ସ୍ୱାଇଁ ଡିଲ୍‌ ମୁତାବକ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ତାଙ୍କ ଠାରୁ ଲାଞ୍ଚ ପାଇଁ ମିଳିଥିବା ୫୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଘଟଣା ପରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ନଗେନ୍ଦ୍ରନାଥ ସ୍ୱାଇଁଙ୍କ ନାଁରେ ମାମଲା କରାଯାଇଛି। ଏବେ ତାଙ୍କର ବିଭିନ୍ନ ଠିକଣାରେ ରେଡ୍‌ କରାଯାଇଛି। ରେଡ୍‌ ଶେଷ ହେବା ପରେ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି।

ବ୍ଳକ ସ୍ତରୀୟ କୃଷକ ସଂପର୍କ ମେଳା ପାଳିତ…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ବଳରାମ ମଲ୍ଲିକଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ରାୟଗଡା) – ରାୟଗଡା କୃଷ୍ଣ ଚନ୍ଦ୍ର ନଗର ଭବନ ଠାରେ ବ୍ଳକ ସ୍ତରୀୟ କୃଷକ ସଂପର୍କ ମେଳା ଓ ଆର୍ଥିକ ଅନଦାନ ୨୦୧୮-୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୃଷିକ ମାନେ କିପରି ନିଜେ ଏକ ଭଲ ଲାଭବାନ ଚାଷୀ ହୋଇପାରିବେ ।ଯେପରିକି କୁକୁଡ଼ା ପାଳନ ,ଗୋ ପାଳନ, ମାଛ ଚାଷ ,ଛେଳି ପାଳନ ଧାନ, କୋପା,ହଳଦୀ ,ଫୁଲ , ବିଭିନ୍ନ ପ୍ରକାରର ଚାଷର ମାଟି ପରୀକ୍ଷା କରି ଚାଷ କରିବାକୁ କୃଷକ ମାନଙ୍କୁ ବିସ୍ତୃତରେ ଆଲୋଚନା କରିବା ସହ ସରକାରୀ ଯୋଜନା ଗୁଡ଼ିକର ଚାଷୀ ମାନଙ୍କର କିପରି ଭାବରେ ଲାଭବାନ ହୋଇପାରିବେ ତାହା ଆଜି ଏହି କୃଷକ ମେଳା ରେ କୁହାଯାଇଛି। ମେଳାରେ ରାୟଗଡାର ବିଭିନ୍ନ ବ୍ଳକରୁ ଆସି ଥିବା ଚାଷୀ ଭାଇ ଓ ଭଉଣୀମାନେ ଆସି କାର୍ଯ୍ୟକ୍ରମ ଯୋଗ ଦେଇଥିଲେ।ଏହି କୃଷକ ମେଳା ର ମୁଖ୍ୟ ଅଥିତି ଭାବେ ରାୟଗଡା ବିଧାୟକ ଶ୍ରୀ ମକ୍ରନ୍ଦ ମୁଦୁଲି, ରାୟଗଡ଼ା ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରାମଚନ୍ଦ୍ର ଦାସ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ରମ୍ଭା ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀରେ ସୁଧୀର ପଟ୍ଟନାୟକଙ୍କ ସ୍ମୃତି ସମାରୋହ ପାଳିତ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଗଞ୍ଜାମ ଜିଲ୍ଲା ରମ୍ଭା ଗାୟତ୍ରୀ ଶକ୍ତିପୀଠ ଠାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ଏକ ଦିବସୀୟ କାର୍ଯ୍ୟକ୍ରମ ଗତ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମ ଅଧିବେଶନ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ସମାହୀତ ହେବା ବେଳେ ଏହି ସମାରୋହକୁ ସୁବାଷ ଚନ୍ଦ୍ର ପଣ୍ଡା, ପୁର୍ଣ୍ଣଚନ୍ଦ୍ର ରଥ, ପ୍ରସନ୍ନ ମିଶ୍ର, ରଙ୍କନାଥ ସେଠୀ ଅତିଥେୟତା ପ୍ରଦାନ କରିଥିବା ବେଳେ କବି ପ୍ରଶାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ । କବିତା ଗୁଡିକର ସଂଯୋଜନା କରିଥିଲେ କବି ପ୍ରମୋଦ କୁମାର ପଣ୍ଡା । ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର କେନ୍ଦ୍ରୀୟ ସଭାପତି ପ୍ରଶାନ୍ତ ମିଶ୍ର ଅଧ୍ୟକ୍ଷତା କଲା ବେଳେ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ସଂଯୋଜନାରେ ଆରମ୍ଭ ହୋଇଥିଲା ଦ୍ୱିତୀୟ ଅଧିବେଶନ । ଏହି ସମ୍ମିଳନୀର ପ୍ରମୁଖ ନିର୍ବାହୀ ସଦସ୍ୟ ତଥା ରମ୍ଭା ନଗରୀର ବହୁମୁଖି ପ୍ରତିଭାର ଅଧିକାରୀ ଦିବଂଗତ ସୁଧୀର ପଟ୍ଟନାୟକଙ୍କ ସ୍ମୃତି ସମାରୋହ ପର୍ବ ଆରମ୍ଭ ହୋଇଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀର ଗଞ୍ଜମ ଜିଲ୍ଲା ସଦସ୍ୟ ଡଃ ସିଦ୍ଧାର୍ଥ ଶଙ୍କର ପାଢି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମିଳନୀ କାର୍ଯ୍ୟକାରୀ ସଭାପତି ପ୍ରଫେସର ଡଃ ବିଦ୍ୟୁତପ୍ରଭା ସାହୁ ମୁଖ୍ୟ ବକ୍ତା ଭାବେ ଭୂମିକା ନିର୍ବାହ କରିଥିଲେ । ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ସବୁଦ୍ଧି, କବି ଗୌର ସଡଙ୍ଗୀ, ବିଶିଷ୍ଠ ସାମ୍ୟବାଦୀ ବୁଦ୍ଧିଜୀବୀ ଭାଲଚନ୍ଦ୍ର ଷଡଙ୍ଗୀ ନିମନ୍ତ୍ରିତ ଅତିଥି ଭାବେ ମଞ୍ଚାସୀନ ଥିବା ବେଳେ ଅଧ୍ୟାପକ ଡଃ ହୃଷିକେଶ ପଣ୍ଡା ସମ୍ମାନିତ ବକ୍ତା ଭାବେ ଆପଣାର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଦିବ୍ୟଗଂତ ସୁଧୀର ପଟ୍ଟନାୟକଙ୍କ ପତ୍ନୀ ଶ୍ରୀମତୀ ସାରଦା ପଟ୍ଟନାୟକଙ୍କୁ ଅନ୍ୟତମ ମୁଖ୍ୟ ଅତିଥି ଭାବେ ମଞ୍ଚକୁ ନିମନ୍ତ୍ରଣ କରାଯାଇ ଉଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ରମ୍ଭା ଅଞ୍ଚଳର ଖ୍ୟାତନାମା ବୁଦ୍ଧିଜ ୀବୀ ତଥା ବରିଷ୍ଠ ସମାଜସେବୀ ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା ଏବଂ ଧର୍ମ ଓ ସଂସ୍କୃତିର ଗଣଜାଗରଣରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଶିକ୍ଷାବିତ ଗୋକୁଳ ଚନ୍ଦ୍ର ନାହାକଙ୍କ ସହିତ ଦକ୍ଷିଣ ଓଡ଼ିଶାର ମୁନିଗୁଡା ଠାରେ ଶିକ୍ଷା, ସଂସ୍କୃତି ଓ ସାମଜିକ ସଚେତନ ନିମନ୍ତେ କାର୍ଯ୍ୟକ୍ରମ ସମ୍ପାଦନା କରୁଥିବା ଡାକ୍ତର ଗୌରାଙ୍ଗ ଚରଣ ରାଉତଙ୍କୁ ପ୍ରଥମ ସୁଧୀର ପଟ୍ଟନାୟକ ସ୍ମୃତି ସମାରୋହରେ ସମ୍ମାନିତ କରାଯାଇଥିଲା । ଏହି ଅବସରରରେ ସୁଧୀର ପଟ୍ଟନାୟକଙ୍କ ଲିଖିତ ଦୁଇଟି ପୁସ୍ତକ ସୁଧୀରଙ୍କ କାବ୍ୟବିଭା ଓ କବିତାଞ୍ଜଳିକୁ ମଞ୍ଚାସୀନ ଅତିଥିମାନେ ଲୋକାର୍ପଣ କରିଥିଲେ । ପ୍ରାରମ୍ଭରେ ଶ୍ରୀ ଚରଣ ଜେନା ବେଦପାଠ କରିଥିବା ବେଳେ ଉତ୍କଳ ସଂଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ଶ୍ରୀମତୀ ବିଷ୍ଣୁପ୍ରିୟା ବାରିକ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଡଃ ବିଜୟାନନ୍ଦ ମହାପାତ୍ର ସୁଧୀର ପଟ୍ଟନାୟକଙ୍କ ଉପରେ ଏକ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ । କୁନ୍ଦଳା ବେହେରା, ପ୍ରହଲ୍ଲାଦ ବେହେରା, ନିଳକଣ୍ଠ ଦାଶ, ଭୀକାରୀ ବେହେରା, ବନ୍ଦନା ମହାପାତ୍ର, ଅଶୋକ ତ୍ରିପାଠୀ, ପ୍ରସାଦ ରାଓ ପୃଷ୍ଟି, ପ୍ରଜ୍ଞା ପ୍ରସାଦ ତଥାଗତ, ସରୋଜବାଳା ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ପୁର୍ଣ୍ଣ ବେହେରା, ପ୍ରଭାତ ମିଶ୍ର, ମହେଶ୍ୱର ବରାଡଙ୍କ ସମେତ ସୁଧୀର ପଟ୍ଟନାୟକଙ୍କ ସମସ୍ତ ପରିବାର ବର୍ଗ ଏଥିରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସ୍ମୃତି ସମାରୋହର ପ୍ରମୁଖ କାର୍ଯ୍ୟ ନିର୍ବାହୀ ପରିଚାଳନା ସଦସ୍ୟ ଶ୍ରୀ ପଞ୍ଚାନନ ଘଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।