ମା’ ତାରାତାରିଣୀଙ୍କ ପୀଠର ହେଲା ନବ କଳେବର, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପୋଲସରା)- ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠକୁ ମିଳିଲା ନୂଆ ରୂପ। କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନବର୍ନିମିତ ଏହି ମନ୍ଦିରକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳେ ସ୍ୱତନ୍ତ୍ର ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ମା’ଙ୍କ ପୀଠରେ ପହଞ୍ଚି ମାଆଙ୍କ ଦର୍ଶନ କରିଥିଲେ। ପରେ ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଇ ଲୋକାର୍ପିତ କରିଥିଲେ। ଏହା ସହ ମନ୍ଦିର ପରିସରରେ ଯକ୍ଷ ମଣ୍ଡପ, ସ୍ନାନ ମଣ୍ଡପ, ଦୀପ ଘର, ଭିୟୁ ପଏଣ୍ଟ ଓ ପ୍ରାଶାସନିକ ଭବନ ଭଳି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଥିଲେ। ପରେ ମନ୍ଦିର ପାଖରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ। ସମ୍ବୋଧନ ସଭାରେ ମୁଖ୍ୟମନ୍ତ୍ରୀ ଗଞ୍ଜାମବାସୀଙ୍କର ମଙ୍ଗଳ କାମନା କରି ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

ମନ୍ଦିର ନିର୍ମାଣରେ ନିୟୋଜିତ ଶିଳ୍ପୀ ଓ କାରିଗରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଭବ୍ୟ ମନ୍ଦିର ନିର୍ମାଣ କରିଥିବାରୁ ମନ୍ଦିର ନିର୍ମାଣରେ ବିଶେଷ ଭୂମିକା ନିଭାଇଥିବା ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ନାତି ସ୍ମିତେଶ ମହାପାତ୍ର ଓ ସ୍ଥପତି ନାରାୟଣ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମ୍ବୋଧନ ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମା’ ତାରାତାରିଣୀ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ। ମୁଁ ମା’ଙ୍କୁ ଦର୍ଶନ କରି ଖୁସି ଅନୁଭବ କରୁଛି। ମା’ ତାରା ତାରିଣୀଙ୍କ ମନ୍ଦିର ନୂଆ ରୂପରେଖ ଓଡ଼ିଶା କଳା ଓ ସଂସ୍କୃତିର ଗାରିମାକୁ ଆହୁରି ବୃଦ୍ଧି କରିବ। ମା’ଙ୍କ ଦର୍ଶନ କରିବାକୁ ଆସୁଥିବା ଭକ୍ତପାଇଁ ସମସ୍ତ ସୁବିଧା ସୁଯୋଗ କରାଯାଇଛି। ମା’ଙ୍କ ନବର୍ନିମିତ ମନ୍ଦିରରେ ପ୍ରସାଦ ସେବନ ଗୃହ, ଦୀପ ପ୍ରଜ୍ୱଳନ ସ୍ଥାନ, ବ୍ୟାଖ୍ୟାନ କେନ୍ଦ୍ର, ମୁଣ୍ଡନ କେନ୍ଦ୍ର, ବିଶ୍ରାମସ୍ଥଳ, ସେଣ୍ଟ୍ରାଲ ପ୍ଲାଜା ଓ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା ଆଦି ନୂତନ ସୁବିଧା ସହିତ ସ୍ୱଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯାଇଛି। ପାହାଚ ଶ୍ରେଣୀ, ରୋପ୍ ୱେ ଓ ନୂତନ ସଡ଼କ ସହିତ ଦ୍ୱାରା ପୀଠକୁ ଯିବା ପାଇଁ ୩ ପ୍ରକାରର ବ୍ୟବସ୍ଥା କରାଯାଇଛି।

ଇତିହାସକୁ ସୁରକ୍ଷିତ ନ ରଖିଲେ ପର ପିଢ଼ି କ୍ଷମା ଦେବ ନାହିଁ….!

ଏଥର ସମ୍ଭାଳ ବ୍ୟୁରୋ(ପୁରୀ)- ପୁରୀ ଏମ୍ଆର ମଠ ପରିସରରେ ଖନନବେଳେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଭଙ୍ଗା ସିଂହ ମୂର୍ତ୍ତିକୁ ନେଇ ତେଜୁଛି ରାଜନୀତି। ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଏନେଇ ସମ୍ବିତ ପାତ୍ର କହିଛନ୍ତି, ସତ କେବେ ଲୁଚି ରହେ ନାହିଁ, ଆଜି ନ ହେଲେ କାଲି ପ୍ରକାଶିତ ହେବ ।  ଯଦି ଇତିହାସକୁ ସୁରକ୍ଷିତ ରଖି ନ ପାରିବା, ପର ପିଢ଼ି ଆମକୁ କ୍ଷମା ଦେବ ନାହିଁ । ଭଙ୍ଗ ସିଂହ ସ୍ୱରୂପରେ ଯେଉଁ ଇତିହାସ ଆମ ଆଗକୁ ଆସିଛି ତାହା ଆମ ଜାତିର ପ୍ରତୀକ, ଇତିହାସ ଓ ଓଡ଼ିଶାର ସ୍ୱାଭିମାନ । ଏଥିସହ ଏ॰ଏସ॰ଆଇ ସତ୍ୟପାଠ ରିପୋର୍ଟ ଦର୍ଶାଇ ପୁଣି ଥରେ ସରକାରଙ୍କୁ ସମାଲୋଚନା କରିଛନ୍ତି ସମ୍ବିତ ପାତ୍ର। ଏନେଇ ସେ କହିଛନ୍ତି ବିନା ଅନୁମତିରେ ଶ୍ରୀମନ୍ଦିର  ପରିକ୍ରମା ପ୍ରକଳ୍ପ କରିଡର କାମ ହେଉଥିବାରୁ ଏ॰ଏସ॰ଆଇ ରାଜ୍ୟ ସରକାରଙ୍କୁ ତାଗିଦ କରି ସାରିଛି । ଏଏସଆଇର ସବୁ ନିର୍ଦ୍ଦେଶ, ଉପଦେଶକୁ ବେଖାତିର କରିଛନ୍ତି ରାଜ୍ୟ ସରକାର। ଏପରିକି ବିନା ଅନୁମତିରେ ରାଜ୍ୟ ସରକାର କାମ କରୁଥିବା ନେଇ  ଏଏସ୍‌ଆଇ ହାଇକୋର୍ଟରେ ସତ୍ୟପାଠ ମଧ୍ୟ ଦାଖଲ କରିଛି। କେବଳ ସେତିକି ନୁହେଁ, ପୁରୀ ଏମ୍‌ପି ପିନାକୀ ମିଶ୍ରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ସମ୍ବିତ ପାତ୍ର । ଏନେଇ ସେ କହିଛନ୍ତି, ପିନାକୀ ବାବୁ ଯାହା କହୁଛନ୍ତି ତାହା ସମ୍ବିଧାନ ସମ୍ମତ ନୁହେଁ, ସେ ମିସଲିଡ୍ କରୁଛନ୍ତି। ସେ ୪ଟି ଟଏଲେଟ୍ ନିର୍ମାଣ କଥା ସଂସଦରେ କାହିଁକି କହିଲେ ବୋଲି ପଚାରିଛନ୍ତି ସମ୍ବିତ । ତେବେ ଏନେଇ ସାଂସଦ ପିନାକୀ ମିଶ୍ର କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ । ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ପ୍ରକଳ୍ପ ପାଇଁ ଚାଲିଥିବା ଖନନବେଳେ ଅନେକ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଥିବା ଅଭିଯୋଗ ହୋଇ ଆସୁଥିଲା। ଏମିତିକି ନିଜେ ଏଏସ୍ଆଇ ମଧ୍ୟ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କିଛି କୀର୍ତ୍ତିରାଜି ନଷ୍ଟ ହୋଇଥାଇପାରେ ବୋଲି ଆଶଙ୍କା କରିଥିଲା। ଏହାପରେ ଗତ ସୋମବାର ପୁରୀ ଏମ୍ଆର ମଠ ପରିସରରେ ଖନନବେଳେ ପରିତ୍ୟକ୍ତ ଅବସ୍ଥାରେ ଏକ ଭଙ୍ଗା ସିଂହ ମୂର୍ତ୍ତି ଉଦ୍ଧାର ହୋଇଥିଲା। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ଆଞ୍ଚଳିକ ଅଧୀକ୍ଷକ ଅରୁଣ ମଲ୍ଲିକ ମୂର୍ତ୍ତି ଗଙ୍ଗ ରାଜତ୍ୱ ସମୟର ହୋଇଥାଇପାରେ ବୋଲି କହିଛନ୍ତି । ଗତକାଲି ଏମଆର ମଠ ପରିସରରୁ ଏକ ପୁରାତନ କାନ୍ଥର ମଧ୍ୟ ସନ୍ଧାନ ମିଳିଛି। ଫଳରେ ସରକାରଙ୍କୁ ଘେରିବାକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରୁଥିବା ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂଗଠନକୁ ଦୃଢ଼ ତଥ୍ୟ ମିଳିଥିବା ଆଲୋଚନା ହେଉଛି ।