ବାଲିବଣ ବନାଶ୍ରମ ଠାରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ …!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବୁରୁଝୁରି ନିକଟସ୍ଥ ବାଲିବଣ ବନାଶ୍ରମ ଠାରେ ଶ୍ରୀ ଶ୍ରୀ ବଳକେଶ୍ୱର ମହାଦେବ, ଶନିଶ୍ଚର ମନ୍ଦିର ପ୍ରତିଷ୍ଠା ଓ ହରିହରାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୧୧ ଦିନ ବ୍ୟାପି ଚାଲୁଥିବା ଏହି ବିଶ୍ୱ ଶାନ୍ତି ମହାଯଜ୍ଞରେ ପଣ୍ଡିତ ଶ୍ରୀ ଜଗନ୍ନାଥ ଶତପଥିଙ୍କ ତତ୍ୱାବଧାନ ବହୁ ବିଜ୍ଞ ପଣ୍ଡିତ ନେତୃତ୍ୱରେ କଳସ ଯାତ୍ରା , ସୂର୍ଯ୍ୟପୂଜା, ଗୋ ପୂଜା, ବନଜାଗ, ରତ୍ନମୁଦ, ଅଙ୍କୁରାରୋପଣ, ଶାଲାପୁଜା, ଦେବତା ପ୍ରବେଶ, ସ୍ଥାପନ ସହ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ବୁରୁଝୁରି, ସୁମଣ୍ଡଳ, ବଡଖଇରଖମା, ଚନ୍ଦନପୁର, ସୌରା ଛଚିନା ଗ୍ରାମ ପଞ୍ଚାୟତବାସୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ବାଲିବଣ ବନାଶ୍ରମ ପରିସର ଉତ୍ସବ ମୁଖର ପାଲଟିଛି । ପ୍ରତିଦିନ ସଂଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଉଥିବାର ଦେଖିବାକୁ ମିଳିଛି ।

ଜୁନରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଆସନ୍ତା ଜୁନ୍ ପ୍ରଥମ ସପ୍ତାହରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି। ତେବେ ଏନେଇ ଚୂଡ଼ାନ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇନି, ଦଳର ନେତାମାନଙ୍କ ସହ ଅନୌପଚାରିକ ଆଲୋଚନାବେଳେ ସେ ଓଡ଼ିଶା ଆସିବା ପାଇଁ ସମ୍ମତି ଦେଇଥିବା ପ୍ରଦେଶ କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। ରାଜସ୍ଥାନରେ କଂଗ୍ରେସର ଚିନ୍ତନ ଶିବିରରୁ ଫେରିବା ପରେ ଗଣମାଧ୍ୟମକୁ ପ୍ରତ୍ରିକ୍ରିୟା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧି ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି । ଏଠାରେ ସେ ସମାବେଶ କରି ଦଳୀୟ କର୍ମୀଙ୍କ ଭିତରେ ନୂଆ ଜୋସ୍ ସୃଷ୍ଟି କରିବେ । କଂଗ୍ରେସର ଚିନ୍ତନ ଶିବିର ପାଇଁ ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣାରେ ବିଳମ୍ବ ହୋଇଛି । ଖୁବଶୀଘ୍ର ଏହି ନାଁ ମଧ୍ୟ ଘୋଷଣା ହେବ । ଓଡ଼ିଶାରେ କଂଗ୍ରେସର ଉଦୟ ନିଶ୍ଚିତ ହେବ ବୋଲି ନିରଞ୍ଜନ ଆଶାବ୍ୟକ୍ତ କରିଛନ୍ତି।ଅନ୍ୟପକ୍ଷରେ ଏହି ଚିନ୍ତନ ଶିବିରରେ ସାମିଲ ହୋଇଥିବା ଅନ୍ୟ ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ କହିବା ଅନୁସାରେ, ପ୍ରିୟଙ୍କା ଗାନ୍ଧି ଓଡ଼ିଶା ଆସିବାକୁ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି । ଓଡ଼ିଶାର ନେତାମାନେ ଏହି ଚିନ୍ତନ ଶିବିରରେ ଅନୌପଚାରିକ କଥାବାର୍ତ୍ତାବେଳେ ପ୍ରିୟଙ୍କାଙ୍କୁ ଓଡ଼ିଶା ଗସ୍ତରେ ଆସିବା ପାଇଁ ଅନୁରୋଧ କରିଥିଲେ । ସେ ସେ ଜୁନ ମାସରେ ଯଦି ତାଙ୍କର ସମୟ ଥିବ ତା’ହେଲେ ଯିବେ ବୋଲି କହିଛନ୍ତି । କିନ୍ତୁ ଏହା ଅର୍ଥ ନୁହେଁ ଯେ ପ୍ରିୟଙ୍କା ଗାନ୍ଧି ଓଡ଼ିଶା ନିଶ୍ଚିତ ଆସିବେ। ଅବଶ୍ୟ ନୂଆ ପିସିସି ସଭାପତି ଚୟନ ପ୍ରକ୍ରିୟା ଚଳିତମାସ ଶେଷ ସୁଦ୍ଧା ଶେଷ ହେବ ଓ ଦଳକୁ ଅଧିକ ସକ୍ରିୟ ଓ କ୍ରିୟାଶୀଳ କରିବା ନିମନ୍ତେ ପ୍ରିୟଙ୍କା ନିଜେ ଓଡ଼ିଶା ଆସିବା ଦରକାର ବୋଲି ତାଙ୍କୁ ଅନୁରୋଧ କରାଯାଇଛି । ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିବାରୁ ନୂଆ ପିସିସି ମୁଖିଆ ତୁରନ୍ତ ଘୋଷଣା କରିବା ପାଇଁ ଏଆଇସିସି ନେତୃବୃନ୍ଦଙ୍କୁ ଅନୁରୋଧ କରାଯାଇଛି । ପିସିସି ପ୍ରଭାରୀ ଏ ଚେଲାକୁମାର ଚଳିତମାସରେ ପୁଣିଥରେ ଓଡ଼ିଶା ଗସ୍ତରେ ଆସିବେ । ଏହାପରେ ସମ୍ଭବତଃ ଚଳିତମାସ ଶେଷ ସପ୍ତାହ ସୁଦ୍ଧା ଏହି ନୂଆ ନାଁ ଘୋଷଣା ହେବ । ଦଳରେ ଗୋଷ୍ଠୀକନ୍ଦଳ ତୀବ୍ର ରୂପ ନେଉଥିବାରୁ ନୂଆ କମିଟି ଗଠନ ଜରୁରୀ ହୋଇ ପଡ଼ିଛି ବୋଲି ସେ କହିଛନ୍ତି।

ରାଜ୍ୟର ୧୭୦ଟି ଆଦିବାସୀ ସଂପ୍ରଦାୟ ଜନଜାତି ମାନ୍ୟତାରୁ ବଞ୍ଚିତ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଜନଜାତି ମାନ୍ୟତା ପ୍ରସଙ୍ଗରେ ରାଜ୍ୟ ସରକାର ସହଯୋଗ କରୁ ନାହାନ୍ତି। ଏଥିଯୋଗୁ ରାଜ୍ୟର ୧୭୦ଟି ଆଦିବାସୀ ସଂପ୍ରଦାୟ ଜନଜାତି ମାନ୍ୟତା ପାଇନାହାନ୍ତି। ଆଜି ଏପରି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀ। ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗ ଉଠାଇବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତ, ଜନଜାତି ମାନ୍ୟତା ପ୍ରସଙ୍ଗରେ କେନ୍ଦ୍ର ସରକାର ତଥ୍ୟ ମାଗୁଥିଲେ ମଧ୍ୟ ରାଜ୍ୟ ସରକାର ଦେଉନାହାନ୍ତି। ଚୁକ୍ତିଆ ଭୁଞ୍ଜିଆ, ପାଉଡି ଭୂୟାଁ ଭଳି ଆଦିମ ଅଧିବାସୀ ଜନଜାତି ମାନ୍ୟତାରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟ ସରକାର ଏନେଇ କେନ୍ଦ୍ରକୁ ସହଯୋଗ କରନ୍ତୁ। ଗତ ୯ରୁ୧୨ ତାରିଖ ପର୍ଯ୍ୟନ୍ତ କୋରାପୁଟ ଅଞ୍ଚଳର ବିଜେପି କାର୍ଯ୍ୟକର୍ତ୍ତା ମାନେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଭେଟିଥିଲେ।ଓଡ଼ିଶାର ୧୭୦ଟି ଆଦିବାସୀ ସମ୍ପ୍ରଦାୟ ଜନଜାତି ମାନ୍ୟତା ପାଇନାହାନ୍ତି କି ସରକାରୀ ଭାବେ ତାଲିକା ଭୁକ୍ତ ହୋଇନାହାନ୍ତି। କେନ୍ଦ୍ର ସରକାର ତଥ୍ୟ ମାଗୁଥିବା ବେଳେ ରାଜ୍ୟ ସରକାର ତଥ୍ୟ ଦେଉନାହାନ୍ତି କି ସହଯୋଗ କରୁନାହାନ୍ତି। ଯେଉଁଥି ପାଇଁ ୧୭୦ ପ୍ରକାର ଜନଜାତି ତାଲିକା ଭୁକ୍ତ ହେବାରୁ ବଞ୍ଚିତ ଅଛନ୍ତି ‍ବୋଲି ସେ ଅଭିଯୋଗ କରିଛନ୍ତି। କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଅଞ୍ଚଳରେ ଧୁରୁଆ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ସେମାନେ ବିଗତ ଦିନରେ ଜନଜାତି ପ୍ରମାଣ ପତ୍ର ସହ ଆଦିବାସୀଙ୍କ ପାଇଁ ଥିବା ସରକାରୀ ସୁବିଧା ପାଉଥିଲେ। କିନ୍ତୁ ୨୦୧୩ ଠାରୁ କୋରାପୁଟ ଜିଲ୍ଲାରେ ରହୁଥିବା ଧୁରୁଆ ମାନଙ୍କୁ ଆଦିବାସୀ ପ୍ରମାଣ ପତ୍ର ମିଳୁନି। ରାଜସ୍ୱ ନିରୀକ୍ଷକଙ୍କ କିଛି ବନାନଗତ ତ୍ରୁଟି ଯୋଗୁ ସେମାନେ ନିଜ ଅଧିକାରରୁ ବଞ୍ଚିତ। ଏପରି କି ଭାରତ ସ୍ଵାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ଚୁକ୍ତିଆ ଭୁଞ୍ଜିଆ, ପାଉଡି ଭୂୟାଁ ଭଳି ଆଦିମ ଜନଜାତି ମଧ୍ୟ ତାଲିକା ଭୁକ୍ତ ହୋଇନାହାନ୍ତି। ତେବେ ଜାତୀୟ ଆଦିବାସୀ କମିଶନ ସଦସ୍ୟ ଅନନ୍ତ ନାଏକଙ୍କ ହସ୍ତକ୍ଷେପ ପରେ କ୍ଲିଅରାନ୍ସ ମିଳିଛି। ତେଣୁ ଆଗାମୀ ମୌସୁମୀ ଅଧିବେଶନ ବେଳେ ସମସ୍ତଙ୍କୁ ମାନ୍ୟତା ମିଳିବ ବୋଲି ଆଶା। ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କୁ ସମସ୍ତ ତଥ୍ୟ ଯୋଗାଇ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଏହାବାଦ ଅଭିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୋରନା ପରେ ଟ୍ରେନ ଷ୍ଟପେଜ ବନ୍ଦ ଅଛି। ତେଣୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ସେହି ଅଞ୍ଚଳ ଗୁଡ଼ିକରେ ଷ୍ଟପେଜ ଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରିଛନ୍ତି ବିଜେପି ପ୍ରତିନିଧି ଦଳ। ସେହିପରି ସକାଳ ସମୟରେ କୋରାପୁଟ କିମ୍ବା ଜୟପୁରରୁ ଭୁବନେଶ୍ୱରକୁ ଗୋଟିଏ ଟ୍ରେନ ଚଳାଇବାକୁ ଦାବି କରିଛି ବିଜେପି।

ରାଜ୍ୟସଭା ଟିକେଟ୍ ପ୍ରତିଶ୍ରୁତି: ତାଲିକା ଲମ୍ବା, ସରପ୍ରାଇଜ୍ କରିବେ ନବୀନ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଦୁଇଟି ପର୍ଯ୍ୟାୟରେ ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ନିମନ୍ତେ ତାରିଖ ଘୋଷଣା ସହ ଶାସକ ବିଜେଡିରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ବିଜେଡିରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାବେଳେ ୨୦୧୯ ସାଧାରଣ ନିର୍ବାଚନବେଳେ ଟିକେଟରୁ ବଂଚିତ ହୋଇଥିବା କିଛି ନେତାଙ୍କୁ ରାଜ୍ୟସଭାରେ ଥଇଥାନ କରିବା ପାଇଁ ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତା ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବେ, ନା ପୂର୍ବଭଳି ପୁଣି ଅଣଦେଖା କରିବେ ତାକୁ ନେଇ ସଂଶୟ ଲାଗି ରହିଛି । ଅବଶ୍ୟ ଯେଉଁ ନେତାମାନଙ୍କୁ ରାଜ୍ୟସଭା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ସେମାନଙ୍କମ ମଧ୍ୟରୁ ଏବେ ଅଧିକାଂଶ ବିଜେଡିରୁ ହଜିଗଲେଣି । ଆଉ କିଛି ଥିଲେ ମଧ୍ୟ ସଂଗଠନ ସହ ଜଡ଼ିତ ନାହାନ୍ତି । ତେଣୁ ସେମାନଙ୍କର ଦାବିଦାରୀ ଯେ କେବଳ ନିଷ୍ଫଳ, ତାହା ଏବେଠୁ ଜଳଜଳ ହୋଇ ଦିଶିଲାଣି । ଅନ୍ୟପକ୍ଷରେ ରାଜ୍ୟସଭା ପାଇଁ ପ୍ରାର୍ଥୀ ଚୟନବେଳେ ଜାତୀୟ ରାଜନୀତିକୁ ସନ୍ଦେଶ ଦେବା ଭଳି ନିଷ୍ପତ୍ତି ବିଜେଡି ନେତୃତ୍ୱ ନେବେ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ନେତୃତ୍ୱ ଯେଉଁ କିଛି ବରିଷ୍ଠ ନେତାଙ୍କୁ ରାଜ୍ୟସଭା ଟିକେଟର ପ୍ରତିଶ୍ରୁତି ଦେଇଥିଲା ସେମାନଙ୍କ ମଧ୍ୟରେ ପ୍ରସନ୍ନ ପାଟ୍ଟଶାଣୀ, ରମେଶ ଚ୍ୟାଉପଟ୍ଟନାୟକ, ଯୋଗେନ୍ଦ୍ର ବେହେରା ଓ ବଳଭଦ୍ର ମାଝୀ ରହିଛନ୍ତି । ଏହି ୪ ନେତା ଏବେବି ବିଜେଡିରେ ଥିଲେ ମଧ୍ୟ ସଂଗଠନଠୁ ଢେର ଦୂରରେ ଅଛନ୍ତି । ଦଳ ଓ ସଂଗଠନ ପାଇଁ ଏମାନଙ୍କର ଭୂମିକା ଏବେ ନଗଣ୍ୟ ଥିବାବେଳେ ଏମାନଙ୍କର ଦାବିଦାରୀକୁ ବିଜେଡି ସେତେଟା ଗୁରୁତ୍ୱ ଦେବାର ସମ୍ଭାବନା କ୍ଷୀଣ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ଯେଉଁମାନଙ୍କୁ ଦଳ ଦୀର୍ଘବର୍ଷ ଧରି ସଂଗଠନ ଓ ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ କରାଇ ସଫଳତା ହାସଲ କରିଛି ସେମାନଙ୍କୁ ଅଗ୍ରାଧିକାର ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ବିଜେଡି ସୂତ୍ର ଅନୁସାରେ, ଜାତୀୟ ରାଜନୀତିରେ ସକ୍ରିୟ ହେବା ପାଇଁ ନବୀନ ପଟ୍ଟନାୟକଙ୍କ ଆଗ୍ରହ ନଥିଲେ ମଧ୍ୟ ନିଜର ନିଷ୍ପତ୍ତି ମାଧ୍ୟମରେ ଜାତୀୟ ରାଜନୀତିରେ ଚର୍ଚ୍ଚାରେ ରହିବାକୁ ସେ ସର୍ବଦା ପସନ୍ଦ କରିଥାନ୍ତି । ମହିଳାଙ୍କୁ ବିଧାନସଭା ଓ ସଂସଦରେ ୩୩% ସଂରକ୍ଷଣ ପ୍ରସଙ୍ଗ ଉଠାଇ ନବୀନ ଜାତୀୟ ରାଜନୀତିରେ ଚର୍ଚ୍ଚାରେ ଥିବାବେଳେ ଦଳ ଏଥର ୪ଟି ରାଜ୍ୟସଭା ଆସନରୁ ୨ଟିରେ ମହିଳାଙ୍କୁ ପ୍ରାର୍ଥୀ କରାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏଭଳି ମାଧ୍ୟମରେ ବିଜେଡି ନିଜକୁ ‘ମହିଳାଙ୍କୁ ସଂସଦରେ ଅଧିକାର’ ଦେବାରେ ବିଜେଡିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇବାକୁ ଚାହିଁବ । ରାଜ୍ୟସଭାରେ ଓଡ଼ିଶାର ମୋଟ ୧୦ଟି ଆସନ ମଧ୍ୟରୁ ୪ଟିରେ ନିର୍ବାଚନ ହେବାକୁ ଯାଉଥିବାବେଳେ ବାକି ୬ଟିରୁ କେବଳ ଗୋଟିଏ ବିଜେପି ପାଖରେ ଅଛି । ଅନ୍ୟ ୫ଟି ଆସନରେ ମାତ୍ର ଜଣେ ମହିଳା ଥିବାବେଳେ ବିଜେଡି  ଆଉ ୨ଜଣ ମହିଳାଙ୍କୁ ରାଜ୍ୟସଭାକୁ ପଠାଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ଦଳ ୩୦ ପ୍ରତିଶତରୁ ଅଧିକ ମହିଳାଙ୍କୁ ପ୍ରତିନିଧିତ୍ୱର ସୁଯୋଗ ଦେଇଛି ବୋଲି ଜାତୀୟସ୍ତରରେ ସନ୍ଦେଶ ଦେବ । ଯାହାକୁ ଦଳ ମଧ୍ୟ ଆଗାମୀ ୨୦୨୪ ନିର୍ବାଚନରେ ନିଜର ଟ୍ରମ୍ପକାର୍ଡ ଭାବେ ଉପଯୋଗ କରି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବ ବୋଲି ଏବେଠୁ ରଣନୀତି ପ୍ରସ୍ତୁତ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ରାଜ୍ୟସଭାର ନିର୍ବାଚନୀ ଗଣିତ ଯାହା ସମସ୍ତ ୪ଟି ଆସନ ବିଜେଡି ଦଖଲକୁ ଯିବ । ତେଣୁ ରାଜ୍ୟସଭା ପାଇଁ ୨ଟି ଆସନ ମହିଳାଙ୍କୁ ଦେଇ ବାକି ୨ଟି ଆସନରେ ପୁରୁଷଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ବିଜେଡି ପାଇଁ ଏବେ କୌଣସି ସମୀକରଣର ବାଧ୍ୟବାଧକତା ନଥିବାରୁ ବିଜେଡି ନେତୃତ୍ୱ ଯାହାକୁ ଚାହିଁବ ତାଙ୍କ ମୁଣ୍ଡରେ ସୁନା କଳସୀ ଢ଼ାଳିବ । ଏଥିରେ ଦଳ ଭିତରେ ଅସନ୍ତୋଷ ପ୍ରକଟ ହେବାର ସମ୍ଭାବନା କ୍ଷୀଣ । ଯଦି ବିଜେଡି ସୂତ୍ର ବିଶ୍ୱାସ କରାଯାଏ, ତେବେ ବିଜେଡି ସୁପ୍ରିମୋ ଓ ପରାମର୍ଶଦାତା ଏପର୍ଯ୍ୟନ୍ତ ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ କୌଣସି ବିଚାରବିମର୍ଶ କରିନାହାନ୍ତି । ଯେହେତୁ ନିର୍ବାଚନ ବିଜେଡି ପ୍ରାର୍ଥୀଙ୍କୁ ସୁହାଇବା ଭଳି ହେଉଛି ତେଣୁ ନିର୍ବାଚନୀ ମାନଦଣ୍ଡ ହେଉଛି ବିଜେଡି ଯାହାଙ୍କୁ ବି ପ୍ରାର୍ଥୀ କରିବ ସିଏ ଜିତିବେ । ତେଣୁ ଏଭଳି ଭଲ ସ୍ଥିତିରେ ବିଜେଡି ଥିବାରୁ ରାଜ୍ୟସଭା ପ୍ରାର୍ଥୀ ଚୟନକୁ ନେଇ ଏତେ ବ୍ୟସ୍ତ ହେଉନି । ଏବେ ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ନିମନ୍ତେ ଯେଉଁମାନଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି ସେସବୁ କେବଳ ଗଣମାଧ୍ୟମକୁ ସୁହାଇବା ଭଳି ପ୍ରସ୍ତୁତ ହୋଇଥିବା ମନମୁଖୀ ତାଲିକା ଆଧାରରେ ହୋଇଛି ବୋଲି ଏହି ସୂତ୍ର ସ୍ପଷ୍ଟ କରିଛି ।

ଯାହାର ଟେଣ୍ଡର ସିଏ ହିଁ ଠିକାଦାର ; ଶ୍ରୀମନ୍ଦିର ପ୍ରକଳ୍ପ କାମରେ ଅନିୟମିତତା ସନ୍ଦେହ …..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଥମୁ ନ ଥିବା ବେଳେ ଦେଖାଦେଇଛି ଆଉ ଏକ ବିବାଦ। ଏହି ପ୍ରସଙ୍ଗକୁ ନେଇ ପ୍ରଥମରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ଭୁବନେଶ୍ୱର ସାଂସଦ ଏଥର ଆଉ ଏକ ନୂଆ ଅଭିଯୋଗ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ଭି.ଭି ଯାଦବ କିପରି ଏକା ଥରେ ତିନିତିନିଟି ଗୁରୁ ଦାୟିତ୍ୱ ତୁଲାଉଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା। ଭି.ଭି ଯାଦବଙ୍କୁ କିପରି ଏକାଧାରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମେତ ପୂର୍ତ୍ତ ବିଭାଗ ସଚିବ, ଓବିସିସିର ଚେୟାରମ୍ୟାନ ଦାୟିତ୍ୱ ଦିଆଯାଇଛି, ଏହା ସଂଯୋଗ ନା ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ଟେଣ୍ଡର ଯିଏ ଆହ୍ୱାନ କରୁଛି, ସିଏ ହିଁ ପାଉଛି। ଅର୍ଥାତ ଭିଭି ଯାଦବ ପୂର୍ତ୍ତ ସଚିବ ହିସାବରେ ଶ୍ରୀମନ୍ଦିର ପ୍ରକଳ୍ପ କାମର ଠିକାଦାର ନିଯୁକ୍ତି ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ମୁଖ୍ୟ ଥିବା ଓବିସିସି ଠିକା ପାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହିସାବରେ ଏହି କାମକୁ ମଞ୍ଜୁର କରୁଛନ୍ତି। ତେଣୁ ଏହି କାମରେ କେତେ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି ବୋଲି ଟ୍ୱିଟ କରିଛନ୍ତି ଅପରାଜିତା। ଅପରାଜିତା ଆଜି କରିଥିବା ଟ୍ୱିଟକୁ ନେଇ ସରଗରମ ହେଲାଣି ରାଜନୀତି। ବର୍ତ୍ତମାନର ଶ୍ରୀମନ୍ଦିର ପ୍ରଶାସକ କିଭଳି ଭାବେ ଏକା ସାଙ୍ଗରେ ତିନି ତିନିଟି ଦାୟିତ୍ୱରେ ରହିବେ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପୂର୍ତ୍ତ ବିଭାଗର ସଚିବ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ (ଓବିସିସି)ର ଅଧ୍ୟକ୍ଷ ଥିବା ଭି . ଭି ଯାଦବଙ୍କୁ ପୁଣି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦିଆଯାଇଛି।ବଡ଼କଥା ଯେ, ଯେଉଁ ସଂସ୍ଥା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରୁଛି, ଜଣେ ଅଧିକାରୀ ତାହାର ମୁଖ୍ୟ ରହିବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିବା କନଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟକୁ ବୁଝାଉଛି। ଏହା ଏକ ସାମାନ୍ୟ ସଂଯୋଗ ନା କୌଣସି ବିଶେଷ ଉଦ୍ଦେଶ୍ୟ ସାଧନ ପାଇଁ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ ହୋଇଥିବା ବ୍ୟବସ୍ଥା ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି (SJTA) ନାଁରେ ସେହି ଅଧିକାରୀ ଟେଣ୍ଡର ଘୋଷଣା କରୁଛନ୍ତି, ସେହି ସମାନ ବ୍ୟକ୍ତି ଓବିସିସି ନାଁରେ ଟେଣ୍ଡର ପାଉଛନ୍ତି। ପଇସା ଦେଉଥିବା ବ୍ୟକ୍ତି ହିଁ ଭିନ୍ନ ଅନୁଷ୍ଠାନ ନାଁରେ ପଇସା ଗ୍ରହଣ କରୁଛନ୍ତିI ଏହାଦ୍ୱାରା ଅର୍ଥ କାରବାର ପ୍ରକ୍ରିୟାରେ ରହିଥିବା ସର୍ବନିମ୍ନ ଶୃଙ୍ଖଳା ଉଲଂଘନ କରାଯାଇଛି କି? ଏହି ପ୍ରକ୍ରିୟା କେତେ ସ୍ୱଚ୍ଛ ଏବଂ ଏଥିରେ ପାରଦର୍ଶିତା କେଉଁଠି ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ଏଥିକି ନୁହେଁ, ଏହା ପୂର୍ବରୁ ଥିବା ଶ୍ରୀମନ୍ଦିର ପରିଚାଳନା ସମିତି (SJTA)ର ମୁଖ୍ୟ ପ୍ରଶାସକ କିଷନ କୁମାର ମଧ୍ୟ ପୂର୍ତ୍ତ ବିଭାଗ ଦାୟିତ୍ୱରେ ଥିଲେ। ଏହା ସାମାନ୍ୟ ସଂଯୋଗ ନା ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଆର୍ଥିକ ଚେକ୍ ଆଣ୍ଡ ବାଲାନ୍ସ ପ୍ରକ୍ରିୟା ସ୍ୱଚ୍ଛତା ସହ ଚାଲିବା ପାଇଁ ଥିବା ସାଧରଣ ନିୟମକୁ ଏହା ବିରୋଧଭାସ କରୁଛି ବୋଲି ଅପରାଜିତା କହିଛନ୍ତି। ଅପରାଜିତାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖ୍ୟ ମୁଖପାତ୍ର ପ୍ରତାପ ଦେବ। ଏନେଇ ସେ କହିଛନ୍ତି, ଭୁବନେଶ୍ୱର ସାଂସଦ ସବୁ କଥାରେ ଏମିତି ପ୍ରଶ୍ନ ଉଠାନ୍ତି। ତାଙ୍କ ପ୍ରଶ୍ନର କୌଣସି ଯଥାର୍ଥତା ନାହିଁ। ଏଣୁ ଉତ୍ତର ଦେଇହେବ ନାହିଁ।

ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ନିୟମ ମାନିବାକୁ ଧର୍ମେନ୍ଦ୍ରଙ୍କ ପରାମର୍ଶ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିଭିନ୍ନ ଖବର ଆସୁଥିବା ବେଳେ ନିୟମକାନୁନର ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେବା ଉଚିତ୍ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ ସଂସ୍କୃତି ସମ୍ପନ୍ନ ରାଜ୍ୟ ଓଡ଼ିଶାରେ ମଠ, ମନ୍ଦିରର ଐତିହ୍ୟ ଓ ପରମ୍ପରା ଦୃଷ୍ଟିକୋଣରୁ ବିଶେଷ ମହତ୍ୱ ରହିଛି। ଏ ସବୁର ସୁରକ୍ଷା ପାଇଁ ଭାରତ ସରକାରଙ୍କ ବ୍ୟବସ୍ଥିତ ନିୟମ ରହିଛି। ରାଜ୍ୟ ସରକାରମାନେ ଏହାକୁ ପାଳନ କରିବା ଉଚିତ୍। ଶ୍ରୀମନ୍ଦିରର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟୀକରଣ ନେଇ କାହାର ଆପତ୍ତି ନାହିଁ। ମାତ୍ର ବିଗତ କିଛି ଦିନ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆସୁଥିବା ଖବର ଚିନ୍ତାଜନକ।ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ଅଂଚଳରୁ ଯେଉଁଭଳି ହଜାର ହଜାର ବର୍ଷ ତଳର ପୁରାତନ ମୂର୍ତ୍ତି ଓ ଅନ୍ୟାନ୍ୟ କୀର୍ତ୍ତିରାଜି ମିଳୁଛି ସେ ସବୁକୁ ଅଣଦେଖା କରି ପରିକ୍ରମା ଯୋଜନାରେ ଆଧୁନିକୀକରଣ କହିବା ଉଚିତ୍ ନୁହେଁ। ଜଣେ ଜଗନ୍ନାଥ ଭକ୍ତ ଓ ଓଡ଼ିଆ ସଂସ୍କୃତିର ଅନୁଗାମୀ ଭାବେ ପ୍ରବନ୍ଧକମାନଙ୍କଠାରୁ ନିୟମକାନୁନ ପରିଧିରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟୀକରଣ ହେବା ମୋର ଅପେକ୍ଷା ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

 

୩ ହଜାର ଲାଞ୍ଚ ପାଇଁ ଓପିଟିସିଏଲର ଡିଜିଏମଙ୍କୁ ୫ ବର୍ଷ ଜେଲ୍….!

!!! ବାରିପଦା ରୁ ପ୍ରତିନିଧି ଅମିତ ନାୟକ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ବାରିପଦା)- ମାତ୍ର ୩ ହଜାର ଟଙ୍କାର ଲାଞ୍ଚ ନେଇ ୫ ବର୍ଷର ଜେଲଦଣ୍ଡ ପାଇଛନ୍ତି ଓପିଟିସିଏଲ୍‌ ଡିଜିଏମ। ଏଥିସହ ତାଙ୍କୁ ୪୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ବାରିପଦାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏପରି ଐତିହାସିକ ରାୟ ଦେଇଛନ୍ତି। କୌଣସି ଭିଜିଲାନ୍ସ ମାମଲାରେ ୫ ବର୍ଷ ଜେଲଦଣ୍ଡ ମିଳିବା ରାଜ୍ୟରେ ସମ୍ଭବତଃ ପ୍ରଥମ ଘଟଣା ବୋଲି ସରକାରୀ ଓକିଲ ସୌରାଜ୍ୟ କୁମାର ରାୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାରିପଦାର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ଓପିଟିସିଏଲ୍ ଡିଜିଏମ ଯଶୋବନ୍ତ ନାରାୟଣ ଚୌଧୁରୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି। ଯଶୋବନ୍ତ ବାରିପଦା ଓପିଟିସିଏଲର ଡିଜିଏମ୍ ଭାବେ କାମ କରୁଥିବା ବେଳେ ଅଫିସରେ ଗାଡ଼ି ଭଡ଼ାରେ ଲାଗୁଥିଲା। ୨୦୧୭ ମସିହା ଅକ୍ଟୋବର ୨୪ ତାରିଖରେ ସେ ଭଡ଼ା ଗାଡ଼ିର ବିଲ୍‌ କରାଇ ଦେବା ପାଇଁ ଜଣେ ମାଲିକଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଭଡ଼ାରେ ଗାଡ଼ି ଲଗାଇଥିବା କାର୍ତ୍ତିକେଶ୍ୱର ଦତ୍ତ ଆପତ୍ତି ଉଠାଇଥିଲେ। ଓପିଟିଏସ୍‌ଲରେ ଭଡ଼ାରେ ଲାଗିଥିବା ଗାଡ଼ିର ମାଲିକାନା ପ୍ରକୃତରେ କାର୍ତ୍ତିକେଶ୍ୱରଙ୍କ ଭଉଣୀଙ୍କ ନାଁରେ ରହିଥିଲା। ଭଉଣୀ କର୍କଟ ରୋଗରେ ଆକ୍ରାନ୍ତ ଥିବାରୁ ସେ ଭାଇ କାର୍ତ୍ତିକେଶ୍ୱରଙ୍କୁ ଗାଡ଼ି କଥା ବୁଝିବାକୁ ଅନୁମତି ଦେଇଥିଲେ। ଏଥିପାଇଁ କାର୍ତ୍ତିକେଶ୍ୱର ଓପିଟିସିଏଲ୍‌ରେ ଗାଡ଼ି ଭଡ଼ାରେ ଲଗାଇଥିଲେ। ସେ ଭଡ଼ାଗାଡ଼ି ବାବଦରେ ୪୮ ହଜାର ଟଙ୍କାର ବିଲ୍‌ ମଞ୍ଜୁର କରିବାକୁ କହିବାରୁ ଡିଜିଏମ ଯଶୋବନ୍ତ ତାଙ୍କୁ ୫ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ। କାର୍ତ୍ତିକେଶ୍ୱର ଲାଞ୍ଚ ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ଭିଜିଲାନ୍ସ ଯାଞ୍ଚ କରିବା ପରେ ପୂର୍ବରୁ ମଧ୍ୟ ସେ ବିଭିନ୍ନ ଲୋକଙ୍କ ଠାରୁ ଅନେକ ଟଙ୍କା ଲାଞ୍ଚ ନେଇଥିବା ଜଣାପଡ଼ିଥିଲା। ତେବେ ତାଙ୍କୁ ରଙ୍ଗେହାତ ଧରିବା ପାଇଁ ଭିଜିଲାନ୍ସ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ମୁତାବକ କାର୍ତ୍ତିକେଶ୍ୱର ବିଲ୍‌ ପାଇଁ ଯଶୋବନ୍ତ ଚୌଧୁରୀଙ୍କୁ ୩ ହଜାର ଟଙ୍କା ଲାଞ୍ଚ ଦେବାକୁ ରାଜି ହୋଇଥିଲେ। କିନ୍ତୁ ଲାଞ୍ଚ କାରବାର ବେଳେ ଭିଜିଲାନ୍ସ ତାଙ୍କୁ ତିନି ହଜାର ଟଙ୍କା ସହ ଗିରଫ କରିଥିଲା ବୋଲି ସରକାରୀ ଓକିଲ ଶ୍ରୀ ରାୟ ସୂଚନା ଦେଇଛନ୍ତି। ଯଶୋବନ୍ତ ଗିରଫ ହେବା ପରେ ମାମଲାର ବିଚାର ଚାଲିଥିଲା। ହେଲେ ସେ ଜାମିନ ପାଇବା ପରେ ଭୁବନେଶ୍ୱର ୟୁନିଟ ୧ ଓପିଟିସିଏଲ୍‌ରେ ଡିଜିଏମ ଭାବେ କାମ କରୁଥିଲେ। ଆଜି ୨୦୧୭ ଲାଞ୍ଚ କାରବାର ମାମଲା ଶୁଣାଣି ଥିବାରୁ ସେ ବାରିପଦା ଭିଜିଲାନ୍ସ ନିକଟରେ ହାଜର ହୋଇଥିଲେ। ଭିଜିଲାନ୍ସ କୋର୍ଟ ମାମଲାର ଶୁଣାଣି କରି ଦଫା ୭ ଅନୁଯାୟୀ ତାଙ୍କୁ ୩ ବର୍ଷ ଜେଲ ଓ ୧୫ ହଜାର ଟଙ୍କା ଜୋରିମାନା ଦେବାକୁ କହିଛନ୍ତି। ସେହିପରି ଦଫା ୧୩/୨ରେ ଯଶୋବନ୍ତଙ୍କୁ ୫ ବର୍ଷ ଜେଲ ଓ ୨୫ ହଜାର ଟଙ୍କାର ଜୋରିମାନା ଲାଗୁ କରିଛନ୍ତି। ଏହି ଦୁଇଟି ଯାକ ଜେଲଦଣ୍ଡ ଦୋଷୀ ଯଶବନ୍ତଙ୍କୁ ଏକସଙ୍ଗେ କାଟିବାକୁ ପଡ଼ିବ। ଏହାର ଅର୍ଥ ସେ ସର୍ବାଧିକ ୫ ବର୍ଷ ଜେଲରେ ରହିବେ। ଯଦି ସେ ଜୋରିମାନା ଅର୍ଥ ପୈଠ ନ କରିପାରିବେ, ତା’ହେଲେ ତାଙ୍କୁ ଆଉ ଗୋଟିଏ ଅତିରିକ୍ତ ବର୍ଷ ଜେଲରେ ରହିବାକୁ ପଡ଼ିବ। ଆଜି କୋର୍ଟ ରାୟ ଶୁଣାଇବା ପରେ ତାଙ୍କୁ ବାରିପଦା କାରାଗାରକୁ ପଠାଇ ଦିଆଯାଇଛି।

 

ପତ୍ନୀ ଗିରଫ ହେବା ପରେ ବଦଳିଲେ ମାହାଙ୍ଗା ଥାନା ଆଇଆଇସି ….!

ଏଥର ସମ୍ଭାଳ ବ୍ୟୁରୋ(କଟକ)- ଲାଞ୍ଚ ନେଇ ପତ୍ନୀ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ମାହାଙ୍ଗା ଥାନାର ବିବାଦୀୟ ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କ ଅଡ଼ୁଆ ବଢ଼ିଛି। ଭିଜିଲାନ୍ସ ଜେରାର ଗୋଟିଏ ଦିନ ପରେ ତାଙ୍କୁ ତତ୍କାଳ ଭାବେ ମାହାଙ୍ଗା ଥାନାରୁ ବଦଳି କରାଯାଇଛି। ସେ ଏବେ କଟକ ଗ୍ରାମାଞ୍ଚଳ ଏସ୍‌ପି କାର୍ଯ୍ୟାଳୟରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କାମ କରିବେ। ଏଥିସହ ମାହାଙ୍ଗା ଥାନାରେ ସ୍ଥାୟୀ ଆଇଆଇସି ନିଯୁକ୍ତି ନହେବା ଯାଏ ଭଦ୍ରେଶ୍ୱର ଏସ୍‌ଆଇ ତପନ କୁମାର ନାୟକ ଏହି ପଦରେ କାମ କରିବେ। ତାଙ୍କୁ ଅସ୍ଥାୟୀ ଭାବେ ମାହାଙ୍ଗା ଥାନାର ଦାୟିତ୍ୱ ମିଳିଛି। ଗତକାଲି ନିହାରଙ୍କୁ ଭିଜିଲାନ୍ସ ଅଫିସରେ ପଚରାଉଚରା ହୋଇଥିଲା। ତଦନ୍ତରେ ସହଯୋଗ କରୁ ନଥିବାରୁ ନୋଟିସ୍ କରିଥିଲା ତଦନ୍ତକାରୀ ସଂସ୍ଥା। ପୂର୍ବରୁ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ବିବାଦୀୟ ହୋଇଥିଲେ ଆଇଆଇସି ନିହାର ରଞ୍ଜନ। ଏହି ମାମଲାରେ କୋର୍ଟ ମଧ୍ୟ ତାଙ୍କୁ ତାଗିଦ୍ କରିଥିଲେ। ସୂଚନାଯୋଗ୍ୟ, ନିହାର ରଞ୍ଜନଙ୍କ ପତ୍ନୀ ନିନା ବେଉରା ରାୟଗଡ଼ା ଅବକାରୀ ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ରାତିରେ ଭିଜିଲାନ୍ସ ତାଙ୍କ ଗାଡ଼ିରୁ ୬ ଲକ୍ଷ ଟଙ୍କା ଜବତ କରିଥିଲା। ଏତେ ଟଙ୍କା ଅବକାରୀ ଅଧୀକ୍ଷକ କେଉଁଠି ଆଣିଲେ ବୋଲି ଭିଜିଲାନ୍ସ ଅଧିକାରୀ ତାଙ୍କୁ ପଚରାଉଚରା କରିଥିଲେ। ହେଲେ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। ପତ୍ନୀ ଗିରଫ ହେବାରୁ ଆଇଆଇସି ଚଢ଼ଉ ଭୟରେ ଘରେ ତାଲା ପକାଇ ଫେରାର ହୋଇଯାଇଥିବା ଭିଜିଲାନ୍ସ କହିଥିଲା। ଏହାର ଦିନକ ପରେ ଡକରା ପାଇ ନିହାର ରଞ୍ଜନ ଭୁବନେଶ୍ୱରସ୍ଥିତ ଭିଜିଲାନ୍ସ ଅଫିସରେ ହାଜର ହୋଇଥିଲେ।

ରାୟଗଡା ଅବକାରୀ ଅଧୀକ୍ଷକ ଙ୍କୁ ବାନ୍ଧିଲା ଭିଜିଲାନ୍ସ ; ଗାଡ଼ିରୁ ବାହାରିଲା ୬ ଲକ୍ଷ…!

!!! ରାୟଗଡ଼ ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୂଡ଼ୋ(ରାୟଗଡା)- ଗାଡ଼ିରେ ଏତେ ଟଙ୍କା ଧରି ଆସିବା ପଡ଼ିଲା ମହଙ୍ଗା। ଭିଜିଲାନ୍ସ ହାତରେ ଧରା ପଡ଼ିଲେ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରା। ଗତକାଲି ତାଙ୍କ ଗାଡ଼ିରୁ ୬ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏତେ ଟଙ୍କା କେଉଁଠୁ ଆଣିଲେ ତାର ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ରାୟଗଡ଼ା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କୁ  ଗିରଫ କରିଛି ଭିଜିଲାନ୍ସ। ରାୟଗଡ଼ା ଅବକାରୀ ଅଧୀକ୍ଷକ ଟଙ୍କା ନେଇ ଗାଡ଼ିରେ ଆସୁଥିବା ଭିଜିଲାନ୍ସ କୌଣସି ସୂତ୍ରରୁ ଖବର ପାଇଥିଲା। ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ଟିମ୍‌ ତାଙ୍କ ଗାଡ଼ିକୁ ଅଟକାଇଥିଲା। ଗାଡ଼ି ଯାଞ୍ଚ କରିବାରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏତେ ଟଙ୍କା ଅବକାରୀ ଅଧୀକ୍ଷକ କେଉଁଠି ଆଣିଲେ ବୋଲି ଭିଜିଲାନ୍ସ ଅଧିକାରୀ ତାଙ୍କୁ ପଚରାଉଚରା କରିଥିଲା। ହେଲେ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିଲା। ରାୟଗଡ଼ା ଅବକାରୀ ଅଧୀକ୍ଷକ ବାସଭବନ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ନିନାଙ୍କ ସ୍ୱାମୀ ନିହାର ରଂଜନ ମହାନ୍ତି ମାହାଙ୍ଗା ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରନ୍ତି। ଭିଜିଲାନ୍ସ ମାହାଙ୍ଗା ସ୍ଥିତ ବାସଭବନ ରେଡ୍ ବେଳେ ବାଧା ଦେଖାଦେଇଥିଲା। ଆଇଆଇସି ରେଡ୍ ସୂଚନା ପାଇ ଘରେ ତାଲା ମାରି ପଳାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାପରେ ଆଇଆଇସିଙ୍କୁ ଭୁବନେଶ୍ୱରସ୍ଥିତ ଭିଜିଲାନ୍ସ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ କ୍ରମେ ଆଇଆଇସି ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ରେଡ୍ ଖବର ପାଇ ଘରେ ତାଲା ମାରିବା କଥାକୁ ମାହାଙ୍ଗା ଥାନା ଆଇଆଇସି ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋତେ କାଲି କେହି ଯୋଗାଯୋଗ କରି ନଥିଲେ। ଭିଜିଲାନ୍ସ ଚାହିଁଥିଲେ ମୋତେ ଯୋଗାଯୋଗ କରିପାରିଥାନ୍ତା। ଆଜି ସକାଳେ ଅତିରିକ୍ତ ଏସ୍‌ପି ମୋତେ ଯୋଗାଯୋଗ କରିଥିଲେ। ପତ୍ନୀଙ୍କ ସହ ମୋବାଇଲରେ ଯୋଗାଯୋଗ ନ ହେବାରୁ ଖୋଜୁଥିଲି। ପତ୍ନୀ ଭିଜିଲାନ୍ସ ଟ୍ରାପ୍ ହେବା କଥା ଜାଣି ନଥିଲି ।

ପୌର ପରିଷଦ ର ପରିମଳ ବ୍ୟବସ୍ଥା ଠପ୍ …!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର ) – ପୌରାଞ୍ଚଳ ମଧ୍ୟରେ ଲାଗି ରହିଥିବା ପରିମଳ ବ୍ଯବସ୍ଥା ରେ ସୁଧାର ଆଣିବା ଦିଗରେ ପୌର ନିର୍ବାହୀ ଅଧିକାରୀ ଆଗଭର ହେଉନଥିବା ରୁ ସହରରେ ପରିମଳ ବ୍ୟବସ୍ଥା ଠପ୍ ହୋଇ ପଡ଼ିଛି । ଗୁଣପୁର ପୌର ପରିଷଦ ର ବିଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନା ପରିମଳ ବ୍ୟବସ୍ଥା ଠପ୍ ହୋଇଥିବାର ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।  ପୌର ପରିଷଦ ପରିସର ରୁ ପ୍ରତ୍ୟେକ ଦିନ କୁଢ କୁଢ ଆବର୍ଜନା ବାହାରି ଡ଼ମ୍ପିଙ୍ଗଆଡ୍ କୁ ପହଁଚି ବାରେ ଅନିୟମିତତା ହେଉଥିବା କାରଣରୁ ଆବର୍ଜନା ଜେଣେ ତେଣେ ପଡିଥିବା ଦେଖିବାକୁ ମିଳିଛି ।  ନୂତନ ପୌର ପରିଷଦ ଗଠନ ପରେ ପୌର ପରିଷଦ ରେ ବିନୟ ଲାଭ କରିଥିବା ଅଧକ୍ଷ ଓ ଉପାଧ୍ୟକ୍ଷ କାର୍ଯ୍ୟଭାର ତୁଲାଇ କାର୍ଯ୍ୟ ଗୁଡିକୁ କ୍ଷିପ୍ର ଭାବରେ କରିବାର ଆଗ୍ରହୀ ଥିବା ବେଳେ ନିର୍ବାହୀ ଅଧିକାରୀ ସରକାରୀ ପେଞ୍ଚ କାଢ଼ି ସବୁ କାର୍ଯ୍ୟ ରେ ବ୍ରେକ୍ ମାରୁଥିବା ଅଭିଯୋଗ ହେଉଛି ।

ଆବଶ୍ୟକ ହେଉଥିବା ଜେସିବି ମରାମତି, ଟ୍ରାକଟର ମରାମତି, ଅଳିଆ ଆବର୍ଜନା ବୋହିବା ନିମନ୍ତେ ଗାଡି କିଣିବା କିମ୍ବା ଆବଶ୍ୟକ ପରିମାଣ ରେ ଶ୍ରମିକ ନିଯୁକ୍ତି କରି ଅଳିଆ ଆବର୍ଜନା ବାହାର୍ କରିବା ଇତ୍ୟାଦି ରେ ବିଭିନ୍ନ ସରକାରୀ ଦିଶା ନିର୍ଦ୍ଦେଶ ଓ ଅର୍ଡର ଇତ୍ୟାଦି ର ଆଳ ଦେଖାଇ କାର୍ଯ୍ୟା ଗୁଡିକୁ ମନ୍ଥର କରିବାରେ ନିର୍ବାହୀ ଅଧିକାରୀ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଶୁଣିବାକୁ ମିଳୁଛି । ପୌର ପରିଷଦ ର ଏଭଳି ଟଣା ଓଟରା ରେ ସ୍ଥାନୀୟ ଜନ ସାଧାରଣ ହନ୍ତସନ୍ତ ହେଉଥିବା ବେଳେ ପୌର ପରିଷଦ ର ନୂତନ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଆଉ କିଛି ଦିନ କାର୍ଯ୍ୟାଳୟ ଓ କାର୍ଯ୍ୟାଳୟର ବ୍ୟବସ୍ଥା କୁ ନିଜ ଅକ୍ତିଆରରେ ଆଣିବାକୁ ସମୟ ଲାଗିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।