ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଲେ ; ରାଜ୍ୟ ସରକାର ଭୁଲକୁ ସ୍ୱୀକାର କରନ୍ତୁ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଏଏସଆଇର ସତ୍ୟପାଠ ପରେ ଟ୍ୱିଟ କରି ତଥା ସାମ୍ବାଦିକ ସମ୍ମିଳନୀ କରି ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାର କଳା ପାହାଡ଼ ମାନସିକତା ଛାଡ଼ି ଭୁଲକୁ ସ୍ୱୀକାର କରନ୍ତୁ ବୋଲି ସେ କହିଛନ୍ତି। ଏଥିସହ ସରକାର ନିଜର ଅହଂକାର ପରିତ୍ୟାଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଯଦି ଆମର ବିଶ୍ୱ ସ୍ତରୀୟ ଐତିହ୍ୟ ନଷ୍ଟ ହୁଏ,  ତେବେ ଭବିଷ୍ୟତ କ୍ଷମା ଦେବ ନାହିଁ ବୋଲି ସମ୍ବିତ ପାତ୍ର ଟ୍ୱିଟ୍ କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଚାଲିଥିବା ନିର୍ମାଣ କାମ ପାଇଁ ବୈଧ ଅନୁମତି ନ ଥିଲା। ପ୍ରକଳ୍ପ କାମ କିମ୍ବା ସୌନ୍ଦର୍ଯ୍ୟକରଣକୁ ବିରୋଧ କରାଯାଉ ନାହିଁ। କିନ୍ତୁ ଏଥିପାଇଁ ଆଇନର ପରିଧି ଭିତରେ କାମ ହେବା ଆବଶ୍ୟକ। ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ DPR ଦାଖଲ କରାଯାଇଛି। ଏଥିସହ ଏଏସଆଇ ରିପୋର୍ଟରେ ଖନନ ସ୍ଥାନରେ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଥିବା ଆଶଙ୍କା କରାଯାଇଛି। ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଦୁଃଖର ଦିନ। ନିର୍ମାଣ ସମୟରେ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଥିବା ହାଇକୋର୍ଟ ଉପଲବ୍ଧି କରିଥିବା ସମ୍ବିତ ପାତ୍ର କହିଛନ୍ତି। ପ୍ରେସ୍ କନଫରେନ୍ସରେ ୩ଟି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ସମ୍ବିତ ପାତ୍ର। ସେ କହିଛନ୍ତି, ହାଇକୋର୍ଟରେ ଦାଖଲ ରିପୋର୍ଟ ଦେଖିଲେ ଧୈର୍ଯ୍ୟଚ୍ୟୁତ୍‌ ଘଟୁଛି । ଯେଉଁ କାର୍ଯ୍ୟ ଚାଲିଥିଲା ଆଇନ ଅନୁସାରେ ଅନୁମତି ନ ଥିଲା। ବିନା ଅନୁମତିରେ ରାଜ୍ୟ ସରକାର ନିର୍ମାଣ କାମ କରୁଥିଲେ। ଏହା ବେଆଇନ ନୁହେଁ କି ? କିଏ ଉତ୍ତର ଦେବ ବୋଲି ପ୍ରଶ୍ନ କଲେ । ଦାଖଲ ରିପୋର୍ଟରେ ବାରମ୍ବାର ଡିପିଆର ବଦଳାଯାଉଥିବା ଉଲ୍ଲେଖ ଅଛି। ଯଦି ନିର୍ମାଣରେ ସନ୍ଦେହ ନ ଥିଲା କାହିଁକି ଡିପିଆର ବଦଳାଉଥିଲେ। ୧୦୦ ମିଟର ନିଷିଦ୍ଧାଞ୍ଚଳରେ କୌଣସି ନିର୍ମାଣ ହୋଇପାରିବ ନାହିଁ।୨୦୦ ମିଟର ରେଗୁଲେଟେଡ୍ ଏରିଆରେ ଅନୁମତି ନେଇ ନିର୍ମାଣ କରିହେବ। ମାତ୍ର ରିସେପସନ୍ ନିଷିଦ୍ଧାଞ୍ଚଳରୁ ରେଗୁଲେଟେଡ୍ ଏରିଆକୁ ସ୍ଥାନାନ୍ତର କରାଯାଇଥିବା ଉଲ୍ଲେଖ ଅଛି। ଏଥିରୁ ସ୍ପଷ୍ଟ ହୋଇଛି ରିସେପ୍ସନ୍ କାଉଣ୍ଟର ନିଷିଦ୍ଧାଞ୍ଚଳରେ କରୁଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ପୁରାତନ କୀର୍ତ୍ତିରାଜିକୁ ସଂରକ୍ଷଣ କରିବା ବଦଳରେ ଧ୍ୱଂସ କରାଯାଇଛି। କୀର୍ତ୍ତିରାଜି ଧ୍ୱଂସ କରିବା ବଡ଼ ପାପ। ଏଥିପାଇଁ ପ୍ରତି ଓଡ଼ିଆଙ୍କ ହୃଦୟ କାନ୍ଦୁଛି। ଓଡ଼ିଶା ସରକାରଙ୍କ ଏ କଳାପାହାଡ଼  ନୀତି କଣ ପାଇଁ ଆପଣେଇଲେ। ଏଥିପାଇଁ  କିଏ ଦାୟୀ ରହିବ ବୋଲି ସିଧାସଳଖ ପଚାରିଛନ୍ତି ସମ୍ବିତ ପାତ୍ର। ଶ୍ରୀମନ୍ଦିର ପ୍ରକଳ୍ପ ନେଇ ସାଂସଦ ପିନାକୀ ମିଶ୍ର ଲୋକସଭାରେ ଦେଇଥିବା ମନ୍ତବ୍ୟକୁ ନାପସନ୍ଦ କରିବା ସହ ତାଙ୍କ ଉପରେ ମଧ୍ୟ ଗର୍ଜିଛନ୍ତି ସମ୍ବିତ ପାତ୍ର। ପ୍ରେସ୍ କନଫରେନ୍ସରେ ପିନାକୀ ମିଶ୍ରଙ୍କୁ କଡ଼ା ସମାଲୋଚନା କରି ସମ୍ବିତ ପାତ୍ର କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ସ୍ଥଳରେ କେବଳ ୪ଟି ଟଏଲେଟ ନିର୍ମାଣ ହେଉଥିବା କଥା ସେ କହିଥିଲେ। ସେ ସଂସଦରେ ମିଛ କହିଥିବାରୁ କ୍ଷମା ପ୍ରାର୍ଥନା କରନ୍ତୁ। ସମ୍ବିତ ପାତ୍ରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, କଳାପାହାଡିଆ ମନୋବୃତ୍ତି ରାଜ୍ୟ ସରକାରଙ୍କର ନାହିଁ । ଏହା ଏକ ଅବାନ୍ତର ଅଭିଯୋଗ । ଶ୍ରୀ ଜଗନ୍ନାଥ କ୍ଷେତ୍ର ଏବଂ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ପାରିପାର୍ଶ୍ୱିକ ଉନ୍ନୟନ କିଭଳି ହୋଇପାରିବ ସେଥିପାଇଁ ସରକାର ଚେଷ୍ଟା କରୁଛନ୍ତି । ଏଭଳି ସ୍ଥାନଗୁଡ଼ିକ ମହତ୍ତ୍ୱ ବୃଦ୍ଧି ସହିତ ଲୋକଙ୍କ ଜୀବନ ଜୀବିକା କିଭଳି ସମୃଦ୍ଧ ହୋଇପାରିବ ସେଥିପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ଦେବୀପ୍ରସାଦ ମିଶ୍ର । ସେହିପରି ଶ୍ରୀମନ୍ଦିର ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ଏଏସଆଇ ର ସତ୍ୟପାଠକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଏକ ନିର୍ବାଚିତ ସରକାରଙ୍କ ବେଆଇନ କାର୍ଯ୍ୟରୁ ରକ୍ଷା ପାଇବାକୁ ମହାପ୍ରଭୁ ଚେଷ୍ଟିତ ଅଛନ୍ତି। ଐତିହାସିକ କୀର୍ତ୍ତିରାଜିର ଅପୂରଣୀୟ କ୍ଷତି ଏଏସଆଇ ରିପୋର୍ଟରେ ରହିଛି। କୀର୍ତ୍ତିରାଜି ଉପରେ ଏହାର ପ୍ରଭାବ ପଡ଼ିବ ନ ନାହିଁ ଅନୁଧ୍ୟାନ ହୋଇନି ବୋଲି ଦର୍ଶାଯାଇଛି। ବଡ଼ ବଡ଼ ଗାତ ଖୋଳି ଚାଲିଥିବା ନିର୍ମାଣ କାର୍ଯ୍ୟ ନିମନ୍ତେ କୌଣସି ଅନୁମତି ପ୍ରଦାନ କରାଯାଇ ନାହିଁ। ଏହି ନିର୍ମାଣ କାର୍ଯ୍ୟ ନିମନ୍ତେ ସାଧାରଣ ଲୋକଙ୍କ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଛି। ଏହି ଅର୍ଥରେ ନିର୍ମାଣ ୧୦୦ ମିଟର ନିଷିଦ୍ଧାଞ୍ଚଳ ବାହାରେ କରାଯାଇ ପାରିଥାନ୍ତା। ଯଦି କାଲି ନିର୍ମାଣ ବେଆଇନ ଘୋଷଣା ହୁଏ, ଦାୟୀ କିଏ ରହିବ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ।

ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଙ୍କ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ; ୪୩,୪୮୯ଜଣ ମାଟ୍ରିକ ପରୀକ୍ଷାର୍ଥୀ ଗଲେ କୁଆଡ଼େ, ୧୦ ସୁଦ୍ଧା ସ୍କୁଲୱାରି ହିସାବ ଦିଅ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଚଳିତବର୍ଷ ମାଟ୍ରିକ ପରୀକ୍ଷା(ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ)ରୁ ୪୩୪୮୯ଜଣ ପିଲା ଅନୁପସ୍ଥିତ ଥିବା ନେଇ କିଛିଦିନର ତୁତୁମେମେ ପରେ ଆଜି ରାଜ୍ୟ ସରକାରଙ୍କ ଚେତା ପଶିଛି । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ଏନେଇ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ୪୩,୪୮୯ଜଣ ଛାତ୍ରଛାତ୍ରୀ କାହିଁକି ପରୀକ୍ଷା ଦେଉନାହାନ୍ତି ଓ କେଉଁ ସ୍କୁଲରୁ କେତେ ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ୧୦ଦିନ ମଧ୍ୟରେ ସେ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ସଚିବ ଶ୍ରୀ ସେଠୀ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ବାର୍ଷିକ ମାଟ୍ରିକ ପରୀକ୍ଷା(ଦ୍ୱତୀୟ ସମେଟିଭ୍ ଆସେସମେଣ୍ଟ) ରେ ୪୩୪୮୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉନଥିବା ଜଣାପଡ଼ିଛି । ଚଳିତବର୍ଷ ଏତେ ପରିମାଣର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିବା ନିଶ୍ଚିତ ଭାବେ ଉଦବେଗର ବିଷୟ । ମୟୂରଭଞ୍ଜ, ଗଞ୍ଜାମ ଓ ବଲାଙ୍ଗିର ଭଳି ଜିଲ୍ଲାରେ ଏହି ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସର୍ବାଧିକ । ଯାହା ଜଣାପଡ଼ୁଛି ଏହି ଛାତ୍ରଛାତ୍ରୀମାନେ ନିଶ୍ଚିତ ଭାବେ ପ୍ରଥମ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା ଦେଇଛନ୍ତି ଓ ଫର୍ମ ପୂରଣ ମଧ୍ୟ କରିଛନ୍ତି । ତେବେ ଫର୍ମ ପୂରଣ ସତ୍ତ୍ୱେ ଏହି ପିଲାମାନେ କାହିଁକି ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା ଦେଲେନି ତାହା ବୁଝାପଡ଼ୁନି । ଏହି ପିଲାମାନେ କାହିଁକି ପରୀକ୍ଷା ଦେଲେନି ତା’ର କାରଣ ଖୋଜାଯିବା ଦରକାର । ସ୍କୁଲୱାରି ତଥ୍ୟ ବିଶ୍ଲେଷଣ କଲେ ହିଁ ଏହି କାରଣ ଜଣାପଡ଼ିବ । ତେଣୁ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ସ୍କୁଲୱାରି ପରୀକ୍ଷାର୍ଥୀଙ୍କ ସଂଖ୍ୟା ଓ କାରଣ ଆସନ୍ତା ୧୦ଦିନ ମଧ୍ୟରେ ନିର୍ଦ୍ଧାରିତ ଫର୍ମାଟରେ ପଠାଇବାକୁ ଶ୍ରୀ ସେଠୀ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ଚଳିତବର୍ଷ ମୋଟ ୫ଲକ୍ଷ ୮୫ହଜାର ୭୩୦ଜଣ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ଏଥିରେ ୪୪୪୩ଜଣ ମଧ୍ୟମା ଓ ୯୩୭୮ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ଅଛନ୍ତି । ମାଟ୍ରିକ ପରୀକ୍ଷା ପାଇଁ ମୋଟ ୩୫୪୦ଟି କେନ୍ଦ୍ର ଓ ୩୧୫ଟି ନୋଡାଲ କେନ୍ଦ୍ର କରାଯାଇଛି । ତେବେ ମାଟ୍ରିକ ପରୀକ୍ଷାରେ ୪୩ହଜାରରୁ ଅଧିକ ପିଲା ଅନୁପସ୍ଥିତ ଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମାଧ୍ୟମିକ ଶିକ୍ଷା ବୋର୍ଡ ନିଜ ମୁଣ୍ଡରୁ ଦୋଷ ଖସାଇ ଯେଉଁ ପିଲାମାନେ ଫର୍ମ ପୂରଣ କରିଛନ୍ତି ସେମାନଙ୍କ ପରୀକ୍ଷା ପାଇଁ ବୋର୍ଡ ବ୍ୟବସ୍ଥା କରିଛି ବୋଲି କହିଥିଲା । ପରୀକ୍ଷା କାହିଁକି ପିଲାମାନେ ଦେଉନାହାନ୍ତି ତାହା ସ୍କୁଲ ଓ ଗଣଶିକ୍ଷା ବିଭାଗ କହିପାରିବ ବୋଲି ପରୋକ୍ଷରେ ଇସାରା ଦେଇଥିଲା ।

ଅପରାଜିତାଙ୍କ ଟାର୍ଗେଟ ; ନିର୍ମାଣ ବେଆଇନ ଘୋଷଣା ହେଲେ କିଏ ହେବ ଦାୟୀ…?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ଏଏସଆଇର ସତ୍ୟପାଠ  ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଯଦି ଆସନ୍ତାକାଲି ନିର୍ମାଣ ବେଆଇନ ଘୋଷଣା ହୁଏ, ତେବେ ଏଥିପାଇଁ କିଏ ଦାୟୀ କିଏ ରହିବ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଏଏସଆଇ ରିପୋର୍ଟରେ ଐତିହାସିକ କୀର୍ତ୍ତିରାଜିର ଅପୂରଣୀୟ କ୍ଷତି ହୋଇଥିବା ଦର୍ଶାଯାଇଛି । ଖନନ ଯୋଗୁଁ କୀର୍ତ୍ତିରାଜି ଉପରେ ପ୍ରଭାବ ପଡିବ କି ନାହିଁ ସେ ନେଇ ଅନୁଧ୍ୟାନ ହୋଇନାହିଁ । ଭୂତଳସ୍ତରୀୟ ଅନୁଧ୍ୟାନ ହୋଇନି ବୋଲି ମଧ୍ୟ ଉଲ୍ଲେଖ ରହିଛି । ଏଥିସହ ଖନନ ପାଇଁ ଆବଶ୍ୟକ ଅନୁମତି ନିଆଯାଇ ନ ଥିବା ଏଏସଆଇ ରିପୋର୍ଟରେ ଦର୍ଶାଯାଇଛି  । ଏଭଳି ପରିସ୍ଥିତିରେ ମହାପ୍ରଭୁ ଜଗନ୍ନାଥ ନିଜେ ନିଜକୁ ଓ ଶ୍ରୀମନ୍ଦିରକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି  । ଏକ ନିର୍ବାଚିତ ସରକାରଙ୍କ ବେଆଇନ କାର୍ଯ୍ୟରୁ ରକ୍ଷା ପାଇବାକୁ ଚେଷ୍ଟିତ ବୋଲି ଅପରାଜିତା ଟ୍ୱିଟ୍ କରିଛନ୍ତି । ଏଥିସହ ସେ ଟ୍ୱିଟ କରିଛନ୍ତି, ଏକ ନିର୍ବାଚିତ ସରକାରଙ୍କ ବେଆଇନ କାର୍ଯ୍ୟରୁ ରକ୍ଷା ପାଇବାକୁ ମହାପ୍ରଭୁ ଚେଷ୍ଟିତ ଅଛନ୍ତି। ଐତିହାସିକ କୀର୍ତ୍ତିରାଜିର ଅପୂରଣୀୟ କ୍ଷତି ଏଏସଆଇ ରିପୋର୍ଟରେ ରହିଛି । କୀର୍ତ୍ତିରାଜି ଉପରେ ଏହାର ପ୍ରଭାବ ପଡ଼ିବ ନ ନାହିଁ ଅନୁଧ୍ୟାନ ହୋଇନି ବୋଲି ଦର୍ଶାଯାଇଛି । ବଡ଼ ବଡ଼ ଗାତ ଖୋଳି ଚାଲିଥିବା ନିର୍ମାଣ କାର୍ଯ୍ୟ ନିମନ୍ତେ କୌଣସି ଅନୁମତି ପ୍ରଦାନ କରାଯାଇ ନାହିଁ । ଏହି ନିର୍ମାଣ କାର୍ଯ୍ୟ ନିମନ୍ତେ ସାଧାରଣ ଲୋକଙ୍କ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଛି । ଏହି ଅର୍ଥରେ ନିର୍ମାଣ ୧୦୦ ମିଟର ନିଷିଦ୍ଧାଞ୍ଚଳ ବାହାରେ କରାଯାଇ ପାରିଥାନ୍ତା । ଯଦି କାଲି ନିର୍ମାଣ ବେଆଇନ ଘୋଷଣା ହୁଏ, ଦାୟୀ କିଏ ରହିବ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ।ଏନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ  ଏଏସ୍ଆଇ କି ଏନଏମଏର ଅନୁମତି ନିଆଯାଇ ନ ଥିବା ଗତକାଲି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ଏଏସଆଇ । ସୂଚନାଯୋଗ୍ୟ, ଗତକାଲି ହାଇକୋର୍ଟରେ ଶ୍ରୀମନ୍ଦିରଠୁ ୧୦୦ ମିଟର ପରିଧୀ ମଧ୍ୟରେ ହେଉଥିବା ଖନନ ନେଇ ଶୁଣାଣି ଚାଲିଥିବା ବେଳେ ଏଏସଆଇର ସତ୍ୟପାଠ ଓ ଯୁକ୍ତିରେ ତାଳମେଳ ନରହିବାରୁ ବିରକ୍ତି ପ୍ରକାଶ କରିଥିଲେ କୋର୍ଟ । ଏହି ପରିକ୍ରମା ପ୍ରକଳ୍ପ ପାଇଁ ଯଦି ଏଏସଆଇ ଡିଜି ସବୁଜ ସଙ୍କେତ ଦେଇଛନ୍ତି ଓ ଏନଏମଏ ଅନାପତ୍ତି ପ୍ରମାଣପତ୍ର ଦେଇଛନ୍ତି ତା’ହେଲେ ସମସ୍ୟା କେଉଁଠି ବୋଲି କୋର୍ଟ ପ୍ରଶ୍ନ କରିବାକୁ ପଛାଇ ନାହାନ୍ତି । ଆଶ୍ଚର୍ଯ୍ୟଜନକ ଭାବେ ମିଳିତ ଅନୁଧ୍ୟାନ କରିବା ପରେ ଏଏସଆଇ ହାଇକୋର୍ଟରେ ଯେଉଁ ସତ୍ୟପାଠ ଦାଖଲ କରିଛି ସେଥିରେ ନିଷେଧାଂଚଳ ଭିତରେ ଶୌଚାଳୟ, ଡ୍ରେନ ଓ ଇଲେକ୍ଟ୍ରିକ କାର୍ଯ୍ୟ ନିମନ୍ତେ କୌଣସି ଅନୁମତିର ଆବଶ୍ୟକ ନଥିବା କହିବାକୁ ପଛାଇ ନାହିଁ । ତେବେ ପ୍ରଶ୍ନ ଉଠୁଛି, ଯଦି ନିଷେଧାଂଚଳ ପରିସରରେ ନିର୍ମାଣକୁ ନେଇ ଏଏସଆଇର କୌଣସି ଆପତ୍ତି ନାହିଁ ତା’ହେଲେ ଏତେ ହୋ-ହାଲ୍ଲା ଓ ଶ୍ରଦ୍ଧାଳୁଙ୍କ ମନରେ ସନ୍ଦେହ କିଏ ସୃଷ୍ଟି କରାଉଛି। ଗତକାଲି ହୋଇଥିବା ଶୁଣାଣି ବେଳେ ଏଏସଆଇ ଦ୍ୱାରା ବଳିଷ୍ଠ ଯୁକ୍ତି ଉପସ୍ଥାପନ କରାନଯାଇ କେବଳ ‘ଅନୁମତି ନନେଇ ରାଜ୍ୟ ସରକାର ନିର୍ମାଣ କରୁଛନ୍ତି’ ବୋଲି କହିବା ଯୁକ୍ତିକୁ କୋର୍ଟ ଗ୍ରହଣ କରିନଥିଲେ । କୋର୍ଟ ତାଙ୍କ ରାୟରେ ଜୁନ୍ ୨୦ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କୁ ଏଏସଆଇର ସତ୍ୟପାଠ ଉପରେ ନିଜର ମତାମତ ସତ୍ୟପାଠ ଆକାରରେ ରଖିବା ପାଇଁ ନିର୍ଦ୍ଦେଶ ଦେବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ଯୋଗୁ ଦ୍ୱାଦଶ ଶତାବ୍ଦୀର ମନ୍ଦିର ଉପରେ କ’ଣ ପ୍ରଭାବ ପଡ଼ିବ ତା’ର ବିସ୍ତୃତ ଆକଳନ କରି ରିପୋର୍ଟ ଦାଖଲ କରିବା ନିମନ୍ତେ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି।ଶ୍ରୀମନ୍ଦିର ଚାରିପଟେ ବିଶାଳ ଖନନ ଓ ନିର୍ମାଣ କାର୍ଯ୍ୟକୁ ନେଇ ଆଜି ପର୍ଯ୍ୟନ୍ତ ଯେଉଁ ରାଜନୀତିକ ହୋ-ହାଲ୍ଲା ଚାଲିଥିଲା ସେଥିରେ ରାଜ୍ୟ ସରକାରଙ୍କୁ ସୁହାଇବା ଭଳି କାମ ଏଏସଆଇ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ରାସନକାର୍ଡଧାରୀଙ୍କୁ ନଗଦ ହଜାରେ ଟଙ୍କା;ଖର୍ଚ୍ଚର ହିସାବ ଦେଉନାହାନ୍ତି ଜଣେ ବି ଜିଲ୍ଲାପାଳ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଦ୍ୱିତୀୟ ପର୍ଯ୍ୟାୟ କରୋନା ମହାମାରୀବେଳେ ସମସ୍ତ ରାସନକାର୍ଡଧାରୀଙ୍କୁ ନଗଦ ଏକ ହଜାର ଟଙ୍କାର ଜୀବିକା ସହାୟତା ପ୍ରଦାନ ନିମନ୍ତେ ଜିଲ୍ଲାଗୁଡ଼ିକ ଦିଆଯାଇଥିବା ୯୬୦କୋଟି ଟଙ୍କାର ହିସାବ ମିଳୁନି । ରାଜ୍ୟ ଯୋଗାଣ ନିଗମ ଏନେଇ ବାରମ୍ବାର ଚିଠି ଲେଖି ହିସାବ ମାଗୁଥିଲେ ମଧ୍ୟ ଜଣେବି ଜିଲ୍ଲାପାଳ ଏହି ଖର୍ଚ୍ଚର ହିସାବ ଦେଉନଥିବାରୁ ଏହି ଟଙ୍କା ବାସ୍ତବରେ ଗରିବ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି ନା ବାଟମାରଣା ହୋଇଛି, ତାହା ଏବେ ସନ୍ଦେହଘେରରେ । ମିଳିଥିବା ସୂଚନା ଅନୁସାରେ ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶୁଭମ୍ ସାକସେନା ଆଜି ସମସ୍ତ ଜିଲ୍ଲାକୁ ଚିଠି ଲେଖି ରାଜ୍ୟ ସରକାରଙ୍କ ଦ୍ୱାରା ସମସ୍ତ ରାସନକାର୍ଡଧାରୀଙ୍କୁ ବଂଟନ ପାଇଁ ଦିଆଯାଇଥିବା ନଗଦ ୧୦୦୦ଟଙ୍କାର ସହାୟତାର ହିସାବ ମାଗିଛନ୍ତି । ପୂର୍ବରୁ ଫେବୃୟାରୀ ୨୮ ଓ ମାର୍ଚ୍ଚ ୨୯ତାରିଖରେ ନିର୍ଦ୍ଧାରିତ ଫର୍ମାଟରେ ଏହି କୋଭିଡ୍ ସହାୟତାର ହିସାବ ମାଗିଥିଲେ ମଧ୍ୟ କୌଣସି ଗୋଟିଏ ବି ଜିଲ୍ଲା ଏହି ତଥ୍ୟ ଦେଇନଥିବା ଶ୍ରୀ ସାକସେନା କହିଛନ୍ତି । ଆଜି ତୃତୀୟଥର ଚିଠି ଲେଖି ତୁରନ୍ତ ଏହି ଅର୍ଥ ଖର୍ଚ୍ଚର ବିନିଯୋଗ ପ୍ରମାଣପତ୍ର ଦାଖଲ ସହ ବଳକା ଅର୍ଥକୁ ଫେରସ୍ତ ଓ କାହିଁକି ଏହି ଅର୍ଥ ଖର୍ଚ୍ଚ ହୋଇପାରିଲାନି ତା’ର କାରଣ ନିର୍ଦ୍ଧାରିତ ଫର୍ମାଟରେ ଜଣାଇବାକୁ କହିଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ୍ ସହାୟତା ଘୋଷଣା ପରେ ନିଗମ ପକ୍ଷରୁ ୨୦୨୧ ଡିସେମ୍ବର ୨୦ରେ ୬୧୦କୋଟି ଓ ଡିସେମ୍ବର ୨୧ରେ ୩୫୦କୋଟି ଟଙ୍କା ସମସ୍ତ ଜିଲ୍ଲାକୁ ପ୍ରଦାନ କରାଯାଇଥିଲା । ଏହି ମୋଟ ୯୬୦କୋଟି ଟଙ୍କାକୁ ରାଜ୍ୟର ୯୬ଲକ୍ଷ ରାସନକାର୍ଡଧାରୀ(ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ) ପରିବାରକୁ ହଜାରେ ଟଙ୍କା ଲେଖାଏଁ ନଗଦ ଆକାରରେ ବଣ୍ଟନ କରିବାକୁ କୁହାଯାଇଥିଲା । କିନ୍ତୁ ଏହି ଅର୍ଥକୁ କେଉଁ ଜିଲ୍ଲା କେତେ ବାଣ୍ଟିଛନ୍ତି ତା’ର ଟେର କେହି ପାଉନାହାନ୍ତି । ବିଶେଷକରି ଡିସେମ୍ବରରେ ଏହି ଅର୍ଥ ପ୍ରଦାନ ପରେ ଜାନୁୟାରୀ ମଧ୍ୟଭାଗରେ ପଂଚାୟତ ନିର୍ବାଚନ ଓ ପରେ ପରେ ପୌର ନିର୍ବାଚନ ଘୋଷଣା ହେବାରୁ ଏହି ଅର୍ଥ ନଗଦ ଆକାରରେ ପ୍ରକୃତ ହିତାଧିକାରୀଙ୍କୁ ଦିଆଯାଇଛି କି ତାହା ବାଟମାରଣା ହୋଇଛି ତାକୁ ନେଇ ଆଶଙ୍କା ଲାଗି ରହିଛି । କାରଣ ରାଜ୍ୟ ଯୋଗାଣ ନିଗମର ବାରମ୍ବାର ଚିଠି ପରେ ବି ଜିଲ୍ଲାପାଳମାନେ ଏଥିପ୍ରତି ଦୃଷ୍ଟି ଦେଉନଥିବା ଓ ୟୁସି ଦାଖଲ କରୁନଥିବାରୁ ୯୬୦କୋଟି ଟଙ୍କାର କୋଭିଡ୍ ସହାୟତା ବଣ୍ଟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ରାଜ୍ୟ ଯୋଗାଣ ନିଗମ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଏହି କୋଭିଡ୍ ସହାୟତା ଖର୍ଚ୍ଚର ହିସାବ ଦେବାକୁ କହିଛି । ଯେଉଁଥିରେ ମୋଟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ସଂଖ୍ୟା, ନଗଦ ସହାୟତା ପାଇଥିବା ହିତାଧିକାରୀଙ୍କ ସଂଖ୍ୟା, କେତେ ଅର୍ଥ ଦିଆଯାଇଛି ଓ କେତେ ବଳକା ଅଛି, ବଳକା ରହିବାର କାରଣ କ’ଣ ଆଦି ତଥ୍ୟ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।