୪୭ ତମ ଜିଲ୍ଲା ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ….!

ଏଥର ସମ୍ଭାଳ ବ୍ୟୁରୋ(ପାରଳାଖେମୁଣ୍ଡି)-  ପାରାଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ୪୭ ତମ ଜିଲ୍ଲା ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓଙ୍କ ସଭାପତିତ୍ୱରେ ବୈଠକ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ , ପାରଳା ବିଧାୟକ ଶ୍ରୀ କେ. ନାରାୟଣ ରାଓ , ମୋହନା ବିଧାୟକ ଶ୍ରୀ ଦାସରଥୀ ଗମାଙ୍ଗ ଏବଂ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ କୁନ୍ତଳା ମଲ୍ଲିକ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନ୍ୟ ପକ୍ଷରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟ ଗୁଡିକରେ ସ୍ୱଚ୍ଛତା ରଖି ନିର୍ଦ୍ଧିଷ୍ଟ ସମୟରେ କାର୍ଯ୍ୟ ସମ୍ପନ୍ନ କରି ଲୋକଙ୍କ ଆସ୍ଥା ଭାଜନ ହେବାପାଇଁ ପରାମର୍ଶ ଦେଇଥିଲେ। ବୈଠକ ପ୍ରାରମ୍ଭରେ ସାଂସଦ ଶ୍ରୀ ସାହୁ ସମସ୍ତ ନବନିର୍ବାଚିତ ଜନପ୍ରତିନିଧିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ବୈଠକରେ ପୂର୍ବ ବୈଠକର ବିବରଣୀର ଆଲୋଚନା ଓ ଦୃଢିକରଣ , ସ୍ଥାୟୀ କମିଟି ବୈଠକ ବିବରଣୀର ଦୃଢିକରଣ , ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରାଯିବା ସହ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ତତ୍ ସମ୍ପର୍କୀୟ ପ୍ରଶ୍ନ କରାଯାଇଥିଲା । ଏହା ସହ ବାର୍ଷିକ ଯୋଜନା ଅନୁମୋଦନ , ପଞ୍ଚମ ରାଜ୍ୟ ଅର୍ଥ କମିଶନ ଅନୁଦାନ , ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନ , ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା , ସ୍ୱାସ୍ଥ୍ୟ , କୃଷି , ଉଦ୍ୟାନ , କ୍ଷୁଦ୍ର ଜଳସେଚନ , ଉଠା ଜଳସେଚନ , ଜଳଛାୟା , ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ , ଶିକ୍ଷା , ଶ୍ରମ , ପଶୁସମ୍ପଦ , ବେସାମରିକ ଯୋଗାଣ ଓ ଖାଦ୍ୟ ପ୍ରକ୍ରିୟା କରଣ , ଗ୍ରାମ୍ୟ ଉନ୍ନୟନ , ରାସ୍ତା ଓ କୋଠାବାଡି , ବିଦ୍ୟୁତ , ସମାଜ କଲ୍ୟାଣ ଓ ମହିଳା ଶିଶୁ ବିକାଶ ଓ ସାମାଜିକ ସୁରକ୍ଷା ଆଦି ଉପରେ ଆଲୋଚନା କରାଯାଇଥିଲା। ସାଂସଦ ଶ୍ରୀସାହୁ ଗଜପତି ଜିଲ୍ଲା ଆକାଂକ୍ଷାରେ ପରିଗଣିତ ହେଉଥିବା ତଥା ପଛୁଆ ଜିଲ୍ଲା ହୋଇଥିବାରୁ ଏଠାରେ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ ପଦକ୍ଷେପ ନିଆଯିବା ସମ୍ପର୍କରେ କହିଥିଲେ। ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ବର ଚନ୍ଦ୍ର ନାୟକ ମଞ୍ଚାସୀନ ରହି ବୈଠକ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାକ ସୂଚନା ଦେବା ସହ କାର୍ଯ୍ୟସୂଚୀ ପ୍ରକାରେ ବୈଠକ କାର୍ଯ୍ୟକ୍ରମକୁ ସଂଯୋଜନା କରି ଆଗେଇ ନେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ ସମସ୍ତ ଜନ ପ୍ରତିନିଧି ମାନେ ଯୋଗଦେଇ ବିଭିନ୍ନ ବିଭାଗୀୟ ଆଲୋଚନା ଗୁଡିକରେ ଅଂଶଗ୍ରହଣ କରିଥିଲେ।

ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ …!

ଏଥର ସମ୍ଭାଳ ବ୍ୟୁରୋ(ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି। ଉକ୍ତ ଦିବସରେ ଗ୍ରାମଣୀ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କକ୍ଷ ଠାରେ ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷକତାରେ ଅନୁଷ୍ଠିତ ହୋଯାଇଅଛି। ଆଜି ଆମେ ସମସ୍ତେ ଏକତ୍ରିତ ଜେଆନ ହେନରୀ ଡୁନଣ୍ଟ ପାଇଁ ସେ କେତେଯେ ମହାନ, କଳ୍ପନା କରିହେବ ନାହିଁ। ମାନବିକତା ଜୀବନ ଉପରେ ଚିନ୍ତା କରୁଥିଲେ। ଲୋକଙ୍କ ସାହାଯ୍ୟ ଓ ସହଯୋଗ ସମଗ୍ର ବିଶ୍ୱରେ ସବୁ ପ୍ରକାର ଲୋକଙ୍କୁ ଜଡିତ ହୋଇ ରହୁ ଥିଲେ। ବିଶ୍ୱଶାନ୍ତି ପାଇଁ ରେଡକ୍ରସ କାମ କରି ଆସିଛି ବୋଲି କହିଥିଲେ। ମୁଖ୍ୟ ଅତିଥି ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଯୋଗଦେଇ ପୃଥିବୀର କୋଣ ଅଣୁକୋଣରେ ରେଡକ୍ରସ କାମ କରୁଛି ବୋଲି କୋଇଥିଲେ। ରେଡ଼କ୍ରସର ଲାଇଫ ମେମ୍ବର ଶ୍ରୀ ଭାରତ ଭୂଷଣ ମହାନ୍ତି ଆଲୋଚନାରେ ଅଂଶ ଗ୍ରହଣ କରି ପ୍ରତି ବର୍ଷ ରେଡ଼କ୍ରସ ସାରା ବିଶ୍ୱରେ , ସାରା ରାଜ୍ୟରେ , ସାରା ଜିଲ୍ଲାରେ ପାଳିତ ହେଉଛି। ଆଜି ସମୟ ଆସିଛି ଏହି ରେଡକ୍ରସ ଲୋକଙ୍କ ପାଖରେ ପଞ୍ଚାଇବା ଦରକାର। ସେହିପରି ଲାଇଫ ମେମ୍ବର ବସନ୍ତ ପଣ୍ଡା , ଦିଲ୍ଲୀପ ଶତପଥୀ , ପଞ୍ଚାନନ ପାଣିଗ୍ରାହୀ , ସିଦ୍ଧାର୍ଥ ଶଙ୍କର ପାଠୀ , ରେଡ଼କ୍ରସ ଉପରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ , ଶିକ୍ଷକ ଶିକ୍ଷୟିତ୍ରୀ , ବରିଷ୍ଠ ନାଗରିକଏବଂ ସମ୍ବାଦିକ ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ l ଏହି ଦିବସକୁ ଜରୁରୀ କାଳୀନ ଅଧିକାରୀ ପ୍ରଭାସ କୁମାର ବେହୁରା , ପ୍ରଦ୍ୟୁଷ କୁମାର ଶତପଥୀ ପରିଚାଳନା କରିଥିଲେ।

ନୃସିଂହନାଥ ମଠରେ ଭାଗବତ ପାରାୟଣ….!

ଏଥର ସମ୍ଭାଳ ବ୍ୟୁରୋ(ପାରଳାଖେମୁଣ୍ଡି)- ପାରଳାଖେମୁଣ୍ଡି ସ୍ଥିତ ସାନ ରାଧାକାନ୍ତ ମଠରେ ( ନୃସିଂହନାଥ ମଠ) ମଇ ମାସ ୧ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ମହନ୍ତ ଶ୍ରୀ ନରୋତ୍ତମ ଦାସଜୀ ମହାରାଜଙ୍କ ୫ମ ବାର୍ଷିକ ସ୍ମରଣ ବ୍ରଜ ପାପ୍ତି ମହୋତ୍ସବ ଅବସରରେ ଭାଗବତ ପାରାୟଣ କାର୍ଯ୍ୟକ୍ରମ ଚାଲୁଅଛି। ଗତ ଅପ୍ରେଲ ୩୦ ତାରିଖ ସନ୍ଧ୍ୟାରେ କଳସ ଯାତ୍ରା ଶୁଭାଦିବାସ ହୋଇଥିଲା। ମଇ ମାସ ୧ ତାରିଖ ଠାରୁ ଗଞ୍ଜାମ ଜିଲ୍ଲାର କୁମରଡା ରାଧାକୃଷ୍ଣ ମନ୍ଦିରର ମହନ୍ତ ସନ୍ଥ ଚରଣ ଦାସଜୀ ମହାରାଜ ଭାଗବତ ପାରାୟଣ କରିଥିଲେ। ଜଗନ୍ନାଥ ଧାମର ପଣ୍ଡିତ ମହନ୍ତ ଶ୍ରୀ ଛନ୍ଦା ଚରଣ ଦାସଜୀ ମହାରାଜ ପ୍ରବଚନ ଦେଇଥିଲେ। ଏହି ଭାଗବତ ପାରାୟଣରେ ଶୁକଦେବ ଆଗମନ , ୧୦ ଅବତାର ବର୍ଣ୍ଣନା , ଧ୍ରୁବଙ୍କ ଚରିତ୍ର , ପ୍ରଭଞ୍ଜନ ଉପାଖ୍ୟାନ , କପିଳ ଭଗବାନଙ୍କ ଅବତାର , ପୁରଞ୍ଜନ ଉପାଖ୍ୟାନ , ଅଜାମିଳ ଉପାଖ୍ୟାନ , ଭକ୍ତ ପ୍ରହ୍ଲାଦଙ୍କ ଚରିତ୍ର , ଗଜଧାରଣ ବାମନ ଅବତାର ଲୀଳା , ସମୁଦ୍ର ମନ୍ଥନ ଲୀଳା , ଦଶମ ସ୍କନ୍ଧ , ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା , ନନ୍ଦୋତ୍ସବ , ଗିରି ଗୋବର୍ଦ୍ଧନ ପୂଜା , ରୁକୁଣୀ ବିବାହ , ମଥୁରା ଗମନ , ଦ୍ବାରିକା ଲୀଳା , ହଂସା ଉପାଖ୍ୟାନ , ଦ୍ବାଦାଶ ସ୍କନ୍ଧ ସଂଚିତ ବିବରଣୀ ଆଦି ସ୍ଥାନ ପାଇଛି। ଏହି ମହୋତ୍ସବରେ ଶ୍ରୀଧାମ ବୃନ୍ଦାବନ ଧାମରୁ ଶ୍ରୀ ମହନ୍ତ ସତ୍ୟ ହରିଣ ଦାସ ମହାରାଜ , ମହନ୍ତ ଶ୍ରୀ କୃଷ୍ଣ ଚୈତନ୍ୟ ଦାସ ଜୀ ମହାରାଜ , ପୁରୀ ଧାମରୁ ମହନ୍ତ ସନାତନ ଦାସ ଜୀ ମହାରାଜ , ପାରଳାଖେମୁଣ୍ଡି ଦେବୀ ମଠ ମହନ୍ତ ଶ୍ରୀ ସୀତାରାମ ଦାସ ଜୀ ମହାରାଜ ପ୍ରମୁଖ ଆସି ଯୋଗ ଦେଇଛନ୍ତି। ଏହି ମହୋତ୍ସବରେ ପାରଳାର ସଂକୀର୍ତ୍ତନ ମଣ୍ଡଳୀ ଦ୍ବାରା ଭଜନ , ସଂକୀର୍ତ୍ତନ ଗୁରୁ ରମେଶ ଚନ୍ଦ୍ର ପଟ୍ଟନାୟକ , ବୀର କିଶୋର ପଟ୍ଟନାୟକ , ରବିନାରାୟଣ ଚୌଧୁରୀ , ଜସମିନ ଗମାଙ୍ଗ ପ୍ରମୁଖଙ୍କ ଦ୍ବାରା ସଂଗୀତ ପରିବେଷଣ କରିଥଲେ। ପ୍ରତ୍ୟେକ ଦିନ କାର୍ଯ୍ୟକ୍ରମ ଶେଷରେ ଭକ୍ତବୃନ୍ଦଙ୍କୁ ମିଷ୍ଟାନ୍ନ ବଣ୍ଟନ , ଫଳ ବଣ୍ଟନ , ପ୍ରସାଦ ବଣ୍ଟନ କରାଯାଉଛି। ସମସ୍ତ କାର୍ଯ୍ୟକ୍ରମକୁ ମଠର ମହନ୍ତ ଶ୍ରୀ ମଦନ ଗୋପାଳ ଦାସଜୀ ଏବଂ ବାବା ମଧୁସୁଦନ ଦାସ ପ୍ରମୁଖ ପରିଚାଳନା କରିଥଲେ। ଏହି ପାରାୟଣରେ ପାରଳାଖେମୁଣ୍ଡି ସମେତ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଉଛି।

ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ …!

ଏଥର ସମ୍ଭାଳ ବ୍ୟୁରୋ(ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାଜଗୁରୁ ସାହିରେ ଆଗାମୀ ତା.୧୧-୫-୨୦୨୨ ରିଖରେ ହେବାକୁ ଥିବା ଏକ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ। ଉକ୍ତ ବାଲ୍ୟବିବାହ ସମ୍ପର୍କରେ ବିଶ୍ବସ୍ଥ ସୂତ୍ରରୁ ଗୋଷାଣୀ ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ ଗୌରୀ ନାୟକ ଜାଣିବାକୁ ପାଇଥିଲେ। ଶ୍ରୀମତୀ ନାୟକ ଖବର ପାଇ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସରେ ଥିବା ଅନ୍ୟ ସଦସ୍ୟ ମାନଙ୍କୁ ଅବଗତ କରିଥିଲେ। ଏହାପରେ ବାଲ୍ୟବିବାହକୁ ରୋକିବା ନିମନ୍ତେ ଏକ ଟିମ୍ ଗଠନ କରାଯାଇଥିଲା। ଉକ୍ତ ଟିମ୍ ରେ ଆଇ ସି ଡ଼ି ଏସ୍ (ICDS) ସିଡ଼ିପିଓ ଗୌରୀ ନାୟକ, ମହିଳା ସୁପରଭାଇଜର ଶ୍ରୀମତୀ ଅମିତା ପାତ୍ର , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ପରାମର୍ଶଦାତା ଶ୍ରୀଯୁକ୍ତ ଡ଼ି. ମଲ୍ଲିକ , ”ସଖୀ” ୱାନ୍ ଷ୍ଟପ୍ ସେଣ୍ଟର କେନ୍ଦ୍ରର ପରାମର୍ଶଦାତ୍ରୀ ଶ୍ରୀମତି ସୁନିତା ବେହେରା , ଏକ୍ସନ ଏଡ୍ ର ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ବିକାଶ କୁମାର ମେହେର , UNFPA ର ଜିଲ୍ଲା ପ୍ରତିନିଧି ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ , ଚାଇଲ୍ଡଲାଇନର ସଦସ୍ୟ ତପସ୍ବିନୀ ନାୟକ ଏବଂ ପୋଲିସ ଅଧିକାରିଣୀ ଗିରିଜା ପାଣିଗ୍ରାହୀ ପ୍ରଭୃତି ଉକ୍ତ ସ୍ଥାନକୁ ଯାଇ ହେବାକୁ ଥିବା ବାଲ୍ୟବିବାହକୁ ସ୍ଥଗିତ କରିଥିଲେ। ଏହାପରେ ବିବାହ ହେବାକୁ ଥିବା ଝିଅର ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିଲା ଏବଂ ଅଭିଭାବକଙ୍କୁ ବାଲ୍ୟବିବାହର କୁ-ପ୍ରଭାବ ଉପରେ ବିଷଦ ଭାବରେ ବୁଝାଯାଇଥିଲା। ସାହି ବାସିନ୍ଦାଙ୍କ ଉପସ୍ଥିତିରେ ଝିଅର ଅଭିଭାବକ ଝିଅଟିକୁ ୧୮ ବର୍ଷ ପୂରଣ ନହେବା ଯାଏ ବିବାହ ଦେବେ ନାହିଁ ଏବଂ ଯଦି ଏଥିରେ ତ୍ରୁଟି କରିବେ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଲିଖିତ ଆକାରରେ ଜଣାଇଛନ୍ତି। ଝିଅଟିକୁ ୧୮ ବର୍ଷ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବାଲ୍ୟବିବାହ ନିରୋଧ ଟାସ୍କଫୋର୍ସ ଦ୍ବାରା ନିୟମିତ ପରାମର୍ଶ ଦେବା ସହ ଆବଶ୍ୟକ ଥଇଥାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।