ବିଜେଡିକୁ ମିଳିଲା ଉତ୍ତରାଧିକାରୀ ; ନବୀନଙ୍କ ସ୍ଥାନ ନେବେ ଓଡ଼ିଆ ଝିଅ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବ, ତାକୁ ନେଇ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସସପେନ୍ସ ଉପରୁ ଶେଷରେ ପରଦା ହଟିଛି । ନବୀନଙ୍କ ଉତ୍ତରାଧିକାରୀ ଭାବେ ଜଣେ ଓଡ଼ିଆ ଝିଅ ହିଁ ବିଜେଡିର ନେତୃତ୍ୱ ନେବେ ବୋଲି ଦଳ ପକ୍ଷରୁ ସ୍ପଷ୍ଟ ସଙ୍କେତ ଦିଆଯାଇଛି । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିଜର ପ୍ରସ୍ତାବିତ ବ୍ଲୁ-ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବା ପାଇଁ ସଜବାଜ ହେଉଥିବାବେଳେ ସୁଚିନ୍ତିତ ଢଙ୍ଗରେ ଉତ୍ତରାଧିକାରୀଙ୍କ ନାଁ ’କୁ ଦଳର ଏକ ବୈଠକରେ ଉଠାଇ ସିଧାସଳଖ ଭାବେ ଦଳ ଭିତରେ ଓ ବାହାରୁ କିଭଳି ପ୍ରତିକ୍ରିୟା ମିଳୁଛି, ତାକୁ ପରଖିବାକୁ ରଣନୀତି କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୨୨ତାରିଖରେ ବିଜେଡି ନିଜର ମୁଖପାତ୍ର ଓ ପ୍ୟାନେଲିଷ୍ଟମାନଙ୍କର ଏକ ବୈଠକ ଡାକି ପଂଚାୟତ ଓ ପୌର ନିର୍ବାଚନରେ ଦଳର ସଫଳତାର ଉତ୍ସବ ମନାଇଥିଲା । ବୈଠକରେ ପ୍ରାୟ ୪୦ରୁ ୫୦ଜଣ ଦଳୀୟ କର୍ମୀ ଓ ନେତା ଯୋଗ ଦେଇଥିବାବେଳେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ସାମିଲ ହୋଇଥିଲେ । ଦଳର ଭବିଷ୍ୟତ ରଣନୀତି ପ୍ରସଙ୍ଗରେ ସେ ଏହି ବୈଠକରେ ଉପସ୍ଥିତ ମୁଖପାତ୍ର ଓ ପ୍ୟାନେଲିଷ୍ଟମାନଙ୍କର ମତାମତ ଲୋଡ଼ିବା ସହ ବିଜେଡିର ଉତ୍ତରାଧିକାରୀ କିଏ ହେବେ ସେ ନେଇ ସ୍ପଷ୍ଟ ଭାବେ ସୂଚନା ଦେଇଥିଲେ । ନବୀନ ପଟ୍ଟନାୟକ ଅବା ବିଜୁ ପଟ୍ଟନାୟକଙ୍କ ପରିବାରର କୌଣସି ସଦସ୍ୟ ନୁହଁନ୍ତି ବରଂ  ଓଡ଼ିଆ ଝିଅ ସୁଜାତା ରାଉତ(କାର୍ତ୍ତିକେୟନ) ହିଁ ବିଜେଡି ଓ ନବୀନଙ୍କ ଉତ୍ତରାଧିକାରୀ ହେବେ ବୋଲି ଦଳର ସଂଗଠନ ସମ୍ପାଦକ ଶ୍ରୀ ଦାସ ଖୋଲାଖୋଲି ଘୋଷଣା କରିଥିଲେ । ଦଳର ଉତ୍ତରାଧିକାରୀଙ୍କ ନାମକୁ ଏଭଳି ଏକ ବୈଠକରେ ସଂଗଠନ ସମ୍ପାଦକ ଶ୍ରୀ ଦାସ ଘୋଷଣା କରିବାକୁ ନେଇ ଦଳର ‘ତୁଣ୍ଡ’ମାନେ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଜେଡିର ପରାମର୍ଶଦାତା ଏହି ବୈଠକରେ ସାମିଲ ହୋଇ ଉକ୍ତ ଘୋଷଣା ଉପରେ ପରୋକ୍ଷରେ ମୋହର ଲଗାଇଥିବା ସୂଚନା ମିଳିଛି । ୨୦୨୪ ସାଧାରଣ ନିର୍ବାଚନ ସମୟରେ ହିଁ ନବୀନ ନିଜର ଉତ୍ତରାଧିକାରୀଙ୍କ ନାଁ ଆନୁଷ୍ଠାନିକ ଘୋଷଣା କରିବାର ସମ୍ଭାବନା ରହିଛି । ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ସହ ଜଡ଼ିତ ଥିବା ରାଜ୍ୟର ପ୍ରାୟ ୭୦ଲକ୍ଷ ମହିଳାଙ୍କୁ ବିଜେଡି ନିଜର ଭୋଟବ୍ୟାଙ୍କ ଭାବେ ଉପଯୋଗ କରୁଥିବାବେଳେ ଜଣେ ମହିଳାଙ୍କୁ ନେତୃତ୍ୱ ଦେଇ ଏହି ଭୋଟବ୍ୟାଙ୍କକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି । ୨୦୨୪ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏହି ମହିଳାଙ୍କୁ ଉତ୍ତରାଧିକାରୀ ଭାବେ ଉପସ୍ଥାପନ କରି ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକ ସ୍ଥିତିକୁ ଆକଳନ ନିମନ୍ତେ ପ୍ରୟାସ କରୁଥିବା ଜଣାପଡ଼ିଛି । ତା’ଛଡ଼ା ଏବେ ରାଜ୍ୟରେ ଉଭୟ ବିଜେପି ଓ କଂଗ୍ରେସ ନିଜର ସଂଗଠନ ଓ ନିର୍ବାଚନୀ ଫଳାଫଳକୁ ନେଇ ବ୍ୟାକଫୁଟରେ ଥିବାରୁ ବିଜେଡି ଏହି ସମୟକୁ ହିଁ ଉପଯୁକ୍ତ ବୋଲି ବିବେଚନା କରିଛି । ପଂଚାୟତ ଓ ପୌର ନିର୍ବାଚନରେ ନିଜର ତ୍ରୁଟିପୂର୍ଣ୍ଣ ରଣନୀତି ଯୋଗୁ ଏବେ ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟରେ ସରକାର କିମ୍ବା ବିଜେଡି ବିରୁଦ୍ଧରେ ଜନମତ ସୃଷ୍ଟି କରିବା ସ୍ଥିତିରେ ନାହାନ୍ତି । ତା’ଛଡ଼ା ବିଜେଡିର ‘ମ୍ୟାନେଜ’ ରଣନୀତି ମଧ୍ୟ ଓଡ଼ିଶାରେ ବେଶ୍ ସଫଳ ହେଉଛି । ଯେଉଁଥିପାଇଁ ବିଜେଡିରେ ତୀବ୍ର ଅସନ୍ତୋଷ ଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକର ସ୍ଥିତିକୁ ଆକଳନ ଓ ବିକଳ୍ପ ନ ଥିବାରୁ ଅସନ୍ତୁଷ୍ଟ ବିଜେଡି ନେତାମାନେ ଦଳର ନିଷ୍ପତ୍ତିକୁ ମୁଣ୍ଡ ପାତି ସହିବାକୁ ବାଧ୍ୟ ହେଉଛନ୍ତି । ଏସବୁକୁ ଆଖିରେ ରଖି ବିଜେଡି ନିଜର ଏହି ‘ଉତ୍ତରାଧିକାରୀ’ଙ୍କ ନାଁକୁ ସୁଚିନ୍ତିତ ଢଙ୍ଗରେ ବଜାରକୁ ଛାଡ଼ି ଦଳର ନେତା, କର୍ମୀ ଓ ସାଧାରଣ ଲୋକଙ୍କ ପ୍ରତିକ୍ରିୟାକୁ ପରଖିବାକୁ ଲକ୍ଷ୍ୟ ରଖିଛି । ଅବଶ୍ୟ ବିଜେଡିର ଏହି ‘ଗୁଗଲି’କୁ ନେଇ ଏବେ ଉଭୟ ବିଜେଡି ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ସବୁଠୁ ସଫଳ ତଥା ଏକ କୋଟି ସଦସ୍ୟଙ୍କ ଦଳ ବିଜେଡି ଓ ରାଜ୍ୟବାସୀଙ୍କ ଦ୍ବାରା ଏହି ମହିଳା ପ୍ରଶାସନିକ ଅଧିକାରୀଙ୍କ ନେତୃତ୍ବ କେତେ ଗ୍ରହଣୀୟ ହୋଇପାରୁଛନ୍ତି ତାହା ସମୟ କହିବ ?

୨୦୨୪ ନିର୍ବାଚନ ପାଇଁ ବିଜେଡିର ବ୍ଲୁ-ପ୍ରିଣ୍ଟ, ଆସିବେ ନବୀନଙ୍କ ଉତ୍ତରାଧିକାରୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଂଚାୟତ ଓ ପୌର ନିର୍ବାଚନରେ ଏକତରଫା ସଫଳତା ପାଇଥିବା ବିଜେଡି ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ କସରତ ଆରମ୍ଭ କରିଛି। ବିଶେଷକରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଚୟନ ଓ ନୂଆ ନେତୃତ୍ୱଙ୍କୁ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟାକୁ ଦଳ ଏବେ ଚୂଡ଼ାନ୍ତ ରୂପ ଦେବାକୁ ସଜବାଜ ହେଉଛି। ନବୀନଙ୍କୁ ଦଳର ସୁପ୍ରିମୋ ପଦରେ ରଖାଇ ତାଙ୍କର ଉତ୍ତରାଧିକାରୀଙ୍କ ହାତରେ ରାଜ୍ୟ ଶାସନର ଡୋରି ଦେବାକୁ  ପ୍ରସ୍ତୁତ ରଣନୀତିକୁ କାର୍ଯ୍ୟକାରୀ ନିମନ୍ତେ ଏବେଠୁ ଉଭୟ ସଂଗଠନ ଓ ମନ୍ତ୍ରିମଣ୍ଡଳ ସ୍ତରରେ ବ୍ୟାପକ ପରିବର୍ତ୍ତନ କରିବାକୁ ବିଜେଡି ନେତୃତ୍ୱ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ,  ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ପୂର୍ବରୁ ସଂଗଠନକୁ ନୂଆ ରୂପ ଦେବାକୁ ବିଜେଡି ନେତୃତ୍ୱ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ ବିଶେଷକରି ଦଳର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ପରିବର୍ତ୍ତନ କରିବା ସମେତ ମହିଳା, ଯୁବ ଓ ଛାତ୍ର ସଂଗଠନ କର୍ମକର୍ତ୍ତା ସ୍ତରରେ ମଧ୍ୟ ଅଦଳବଦଳ ହେବ ବୋଲି ଜଣାପଡ଼ିଛି। ଏହାସହିତ କିଛି ନେତାଙ୍କୁ ମଧ୍ୟ ସରକାରର ବିଭିନ୍ନ ପଦପଦବୀରେ ଥଇଥାନ କରାଯିବ ଓ କେତେକଙ୍କୁ ବାଦ୍ ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହି କ୍ରମରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ସଂଗଠନ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନବୀନ ନିବାସରେ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ରହି ପୌର ଓ ପଂଚାୟତ ନିର୍ବାଚନ ଫଳାଫଳର ସମୀକ୍ଷା ସହ କେଉଁଠି ତ୍ରୁଟି ରହିଛି ଓ କ’ଣ ସୁଧାରର ଆବଶ୍ୟକତା ରହିଛି ସେ ସମ୍ପର୍କରେ ମତାମତ ଦେବେ । ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକମାନଙ୍କ ସହ ନବୀନ ଓ ତାଙ୍କ ପରାମର୍ଶଦାତା ନିଜେ ବୈଠକ କରିବେ । ଇତିମଧ୍ୟରେ ବିଜେଡିର ସମସ୍ତ ନବନିର୍ବାଚିତ ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତି ଏବଂ ପୌର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ଭୁବନେଶ୍ୱର ଡକାଇ ସେମାନଙ୍କ ସହ ନବୀନଙ୍କ ପରାମର୍ଶଦାତା ନିଜେ ସିଧାସଳଖ ଆଲୋଚନା କରିଛନ୍ତି । ଏପରିକି ଏସବୁ ବୈଠକରେ ସମ୍ପୃକ୍ତ ଅଞ୍ଚଳର ବିଧାୟକ ଓ ମନ୍ତ୍ରୀମାନଙ୍କୁ ବି ସାମିଲ କରାଯାଇ ନ ଥିଲା ।୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତା ନୂଆ ଢଙ୍ଗରେ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟାକୁ ଶେଷ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏହି ଦାୟିତ୍ୱ ହସ୍ତାନ୍ତରକୁ ନେଇ କାଳେ ଦଳରେ ବିରୋଧାଭାସ ହେବ ସେଥିପାଇଁ ସାଂଗଠନିକ ସ୍ତରରେ ବି ବଡ଼ଧରଣର ଅଦଳବଦଳ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହାପରେ ହିଁ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରି ବିଜେଡି ନିଜର ନୂଆ ମୁଖିଆଙ୍କୁ ସ୍ୱାଗତ ନିମନ୍ତେ ଆବଶ୍ୟକ ବ୍ଲୁ ପ୍ରିଣ୍ଟକୁ କାର୍ଯ୍ୟକାରୀ ନିମନ୍ତେ ମାର୍ଗ ପ୍ରଶସ୍ତ କରିବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ଓଡ଼ିଶାରେ ଉଭୟ ବିଜେପି ଓ କଂଗ୍ରେସ ଏବେ ନିଜର ତ୍ରୁଟିପୂର୍ଣ୍ଣ ସାଂଗଠନିକ ରଣନୀତି ପାଇଁ ନିର୍ବାଚନରେ ବିଜେଡିକୁ ଟକ୍କର ଦେବା ଭଳି ସ୍ଥିତିରେ ନାହାନ୍ତି । ଉଭୟ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି ତୁଳନାରେ ଏହି ଦୁଇ ଦଳର ସ୍ଥିତି ଅତ୍ୟନ୍ତ ଦୟନୀୟ ରହିଥିଲେ ମଧ୍ୟ ତାକୁ ସୁଧାରିବା ଦିଗରେ ଏପର୍ଯ୍ୟନ୍ତ ଉଭୟ ବିଜେପି ଓ କଂଗ୍ରେସ ନେତୃତ୍ୱ ଆଗ୍ରହ ଦେଖାଇ ନାହାନ୍ତି । ବିଜେଡି ଶାସନ ପ୍ରତି ତୃଣମୂଳସ୍ତରରେ ଜନଆକ୍ରୋଶ ଥିଲେ ମଧ୍ୟ ସାଧାରଣ ଲୋକଙ୍କ ନିକଟତର ହେବାରେ ଉଭୟ ବିଜେପି ଓ କଂଗ୍ରେସ ଫେଲ୍ ମାରିଛନ୍ତି । ଆଉ ଦୁଇ ପ୍ରମୁଖ ବିରୋଧୀ ଦଳର ଏଭଳି ଦୁଃସ୍ଥିତିକୁ ସୁଯୋଗ ଭାବେ ନେଇ ବିଜେଡି ନିଜର ଉତ୍ତରାଧିକାରୀ ଚୟନ ଓ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟାକୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ କରିବାକୁ ଯାଉଥିବା ଜଣାପଡ଼ିଛି । ନବୀନ ପଟ୍ଟନାୟକଙ୍କ ପଂଚମ ପାଳି ସରକାରରେ ଅନେକ ମନ୍ତ୍ରୀମାନଙ୍କ ବିରୁଦ୍ଧରେ ମାଳମାଳ ଅଭିଯୋଗ ଆସିବା ସତ୍ତ୍ୱେ ଗତ ୩ବର୍ଷ ମଧ୍ୟରେ ମନ୍ତ୍ରିମଣ୍ଡଳରେ ସାମାନ୍ୟତମ ଅଦଳବଦଳ ନବୀନ କରିନାହାନ୍ତି । ଖାସ୍ ଏଇଥିପାଇଁ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ପୂର୍ବରୁ ସଂଗଠନକୁ ନୂଆ ରୂପ ଦେବାକୁ ବିଜେଡି ନେତୃତ୍ୱ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ଗୁଣପୁର ପୌର ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ …!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଗୁଣପୁର)- ନବ ନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ ଙ୍କ ସଭାପତିତ୍ଵରେ ଗୁଣପୁର ପୌର ପରିଷଦର ପ୍ରଥମ ବୈଠକ ପୌର ପାଳିକା ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି । ପୌର ନିର୍ବାହୀ ଅଧିକାରୀ ଉମା ପ୍ରସାଦ ଦାଶ ଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ରେ ୨୦୨୧-୨୦୨୨ ଆର୍ଥିକ ବର୍ଷ ର ଆୟ ବ୍ୟୟ ସମୀକ୍ଷା କରାଯାଇ ନୂତନ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ଚଳିତ ଆର୍ଥିକ ବର୍ଷ ପାଇଁ ୩୧ କୋଟି ଟଙ୍କାର ବଜେଡ ଉପସ୍ଥାପନ ପରେ ପାରିତ କରାଯାଇଥିଲା । ବିଶେଷ କରି ସହରରେ ପରିମଳ ବ୍ୟବସ୍ଥାରେ ସୁଧାର ଅଣାଯିବା,ବିଶୁଦ୍ଧ ପାନୀୟ ଜଳ,ମାଷ୍ଟର ଡ୍ରେନେଜ ବ୍ୟବସ୍ଥା,ଶେଫାଳି ପାହାଡକୁ ରାସ୍ତା,ଆବର୍ଜନା ପରିବହନ ନିମନ୍ତେ ନୂତନ ଗାଡି ଓ ମଶା ନିବାରଣ ନିମନ୍ତେ ମଶା ମରା ଯନ୍ତ୍ର ର କ୍ରୟ ,ଅଡିଟରିୟମ ନିର୍ମାଣ,ବିଜୁ କଲ୍ୟାଣ ମଣ୍ଡପର ମରାମତି,ପୌର ପରିଷଦ ନିମନ୍ତେ ନୂତନ ସଭା ଗୃହ ନିର୍ମାଣ ପାଇଁ ଆଲୋଚନା କରାଯାଇଥିଲା । ଏହି ସଭା କାର୍ଯ୍ୟକୁ ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ ପରିଚାଳନା କରିଥିବା ବେଳେ ଏଥିରେ ସମସ୍ତ ୱାର୍ଡ ର କାଉନ୍ସିଲର ଯୋଗ ଦେଇଥିଲେ ।

ତେଲ ଉପରୁ ଟିକସ ହ୍ରାସ ପାଇଁ କେଜ୍ରିୱାଲଙ୍କ ଘର ବାହାରେ ବିଜେପିର ହାଲ୍ଲାବୋଲ ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦେଶର ରାଜଧାନୀ ଦିଲ୍ଲୀରେ ତୈଳଦର ବୃଦ୍ଧି ପାଇଁ କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌)କୁ ଦାୟୀ କରିଛି କେନ୍ଦ୍ରରେ ସରକାର ଗଠନ କରିଥିବା ବିଜେପି। ଦିଲ୍ଲୀ ସରକାର ତେଲ ଉପରୁ ଟିକସ୍‌ ହ୍ରାସ କରନ୍ତୁ ବୋଲି ଦାବି କରି ଆଜି ବିଜେପିର ଶତାଧିକକର୍ମୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରେ ଦିଲ୍ଲୀ ସରକାର ଅତ୍ୟଧିକ ଭ୍ୟାଟ ଲଗାଇଥିବାରୁ ତୈଳଦର ବୃଦ୍ଧି ପାଇଥିବା ବିଜେପି ନେତା ଓ କର୍ମୀମାନେ କହିଛନ୍ତି। ଦୁଇ ଦିନ ତଳେ ବର୍ଦ୍ଧିତ ତୈଳଦରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲିବା ସହ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକୁ ଭ୍ୟାଟ ହ୍ରାସ କରିବାକୁ କହିଥିଲେ। ରାଜ୍ୟଗୁଡ଼ିକ ଯୋଗୁ ତୈଳଦର ବୃଦ୍ଧି ହେଉଥିବା ସେ ପରୋକ୍ଷରେ ମଧ୍ୟ ଇଙ୍ଗିତ କରିଥିଲେ। ମୋଦି ତୈଳ ଦର ଅଧିକ ରହିଥିବା କିଛି ରାଜ୍ୟଙ୍କ ନାଁ ନେଇଥିଲେ। ଏଥିରେ ଦିଲ୍ଲୀର ନାଁ ନଥିଲେ ମଧ୍ୟ ଆଜି ବିଜେପିର କର୍ମୀମାନେ କେଜ୍ରିୱାଲଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ବ୍ୟାରିକେଡ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯାଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ପୁଲିସ୍‌ ଓ ବିଜେପି କର୍ମୀଙ୍କ ମଧ୍ୟ କିଛି ସମୟ ପାଇଁ ଖଣ୍ଡଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଥିଲା। ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା କହିଛନ୍ତି, “ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭ୍ୟାଟ ହ୍ରାସ କରିପାରୁଛନ୍ତି, ତା’ହେଲେ ଦିଲ୍ଲୀ ସରକାର କାହିଁକି କରିପାରିବେ ନାହିଁ? ଦିଲ୍ଲୀର ଲୋକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ କାହିଁକି କେଜ୍ରିୱାଲ କୌଣସି ପ୍ରକାରର ପଦକ୍ଷେପ ନେଉନାହାନ୍ତି?”ଏଥିସହ ଶ୍ରୀ ଗୁପ୍ତା ଆନ୍ଦୋଳନ ବେଳର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ଶତାଧିକ ବିଜେପି କର୍ମୀ ବ୍ୟାରିକେଡ ଭାଙ୍ଗି ଆଗକୁ ଯିବାକୁ ଚେଷ୍ଟା କରୁଥିବା ଦୃଶ୍ୟ ରହିଛି।

ଚାରିଧାମ ଯାତ୍ରାରେ ଅନାବଶ୍ୟକ କରୋନା ସାର୍ଟିଫିକେଟ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଚାରିଧାମ ଯାତ୍ରାରେ ଆବଶ୍ୟକ ନାହିଁ କରୋନା ନେଗେଟିଭ ସାଟିର୍ଫିକେଟ କିମ୍ବା ଟିକା ନେଇଥିବା ପ୍ରମାଣ ପତ୍ର। ଉତ୍ତରାଖଣ୍ଡ ସରକାର ଚଳିତ ବର୍ଷ ଏହି କଟକଣାକୁ ହଟାଇ ଦେଇଛି। ଏନେଇ ବିଭାଗୀୟ ଜଣେ ଉଚ୍ଚ ଅଧିକାରୀ କହିବା ପରେ ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ତେବେ ଚାରିଧାମ ଯାତ୍ରାରେ ଯିବାକୁ ହେଲେ ଯାତ୍ରୀଙ୍କୁ ପର୍ଯ୍ୟଟନ ବିଭାଗ ପୋଟାଲରେ ନିଜର ନାମ ପଞ୍ଜିକରଣ କରିବାକୁ ପଡ଼ିବ। ଏହା ବାଧ୍ୟତାମୂଳକ କରାଯାଇଛି। ତେବେ ଦେଶରେ କରୋନା ଏବେବି ଶାନ୍ତ ପଡ଼ି ନ ଥିବାରୁ ବିଭାଗୀୟ ଅଧିକାରୀମାନେ ଏହା ଉପରେ କଡା ନଜର ରଖିବାକୁ ସ୍ଥାନୀୟ ସରକାର ନିର୍ଦ୍ଦଶ ଜାରି କରିଛନ୍ତି। ସୂଚନାଥାଉକି ଚାରିଧାମ ଯାତ୍ରା ଆସନ୍ତା ମେ’ ୩ ତାରିଖରୁ ଆରମ୍ଭ ହେଉଛି। ଦେଶର ବିଭିନ୍ନ ଭାଗରୁ ହଜାର ହଜାର ଯାତ୍ରୀ ଏହି ଯାତ୍ରାରେ ସାମିଲ ହେଉଛନ୍ତି। ଏହି ଯାତ୍ରା ଗଙ୍ଗୋତ୍ରୀ ଓ ଜମୁନେତ୍ରୀ ମନ୍ଦିରରୁ ପ୍ରଥମେ ଆରମ୍ଭ ହେବ। କେଦାରନାଥ ମନ୍ଦିର ଆସନ୍ତା ମାସ ୬ ତାରିଖରୁ ଓ ବଦ୍ରିନାଥ ମନ୍ଦିର ୯ ତାରିଖରୁ ଯାତ୍ରୀଙ୍କ ନିମନ୍ତେ ଖୋଲିବ ବୋଲି ଜଣାପଡ଼ିଛି। କଟକଣା ହଟି ଥିବାରୁ ହିମାଳୟର ଏହି ସୁନ୍ଦର ମନ୍ଦିର ସହରକୁ ଅଧିକ ସଂଖ୍ୟାରେ ଯାତ୍ରୀ ଆଗମନ କରିବାର ସମ୍ଭାବନା ରହିଛି। ଚାରିଧାମ ଯାତ୍ରା ପଥରେ ଥିବା ହୋଟେଲ ଓ ଧର୍ମଶାଳାଗୁଡ଼ିକ ଆଗୁଆ ଏଥିନିମନ୍ତେ ଯାତ୍ରୀଙ୍କ ଦ୍ୱାରା ବୁକ୍ ହୋଇଯାଇଥିବା ଜଣାପଡ଼ିଛି।

ମାସ ଆରମ୍ଭରୁ ମହଙ୍ଗା ମାଡ; ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦର….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ମାସ ଆରମ୍ଭରୁ ମହଙ୍ଗା ମାଡ। ପୁଣି ବଢ଼ିଲା ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଦର୍‌। ପ୍ରତି ସିଲିଣ୍ଡର ପିଛା ୧୦୪ ଟଙ୍କା ଯାଏଁ ବଢ଼ିଲା ଦାମ୍‌। ତେବେ ଏହି ଦର ବୃଦ୍ଧି ଘରୋଇ ଗ୍ୟାସ୍‌ ସିଲିଣ୍ଡର ଉପରେ ନୁହେଁ କମର୍ସିଆଲ ଏଲପିଜି ସିଲିଣ୍ଡର ଉପରେ ଘଟିଛି। ଘରୋଇ ସିଲିଣ୍ଡର ଦାମ୍‌ ଉପରେ କୌଣସି ବର୍ଦ୍ଧିତ ଦର ଲାଗୁ ହୋଇନାହିଁ। କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡର ଉପରେ ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ନୂଆଦିଲ୍ଲୀରେ ୧୯ କେଜି ଗ୍ୟାସ୍‌ ସିଲିଣ୍ଡର ପିଛା ୨,୩୩୫ଟଙ୍କାରେ ପହଞ୍ଚିଛି। ସେହିପରି କୋଲକାତାରେ ୧୯ କେଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ୨,୪୫୫ ଟଙ୍କାରେ ପହଞ୍ଚିଛି। ସେପଟେ ମୁମ୍ବାଇରେ ମଧ୍ୟ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ ବୃଦ୍ଧି ପାଇଛି। ଏଠାରେ ୧୯ କେଜି ସିଲିଣ୍ଡର ପିଛା ୨,୩୦୭ଟଙ୍କା ଦେବାକୁ ପଡିବ। ସେହିପରି ଚେନ୍ନାଇରେ କମର୍ସିଆଲ ସିଲିଣ୍ଡର ଦାମ ୨,୫୦୮ଟଙ୍କାରେ ପହଞ୍ଚିଛି। ଉଲ୍ଲେଖ ଯୋଗ୍ୟ ଯେ, ଗତ ମାସରେ ଅର୍ଥାତ୍ ଏପ୍ରିଲ ୧ରେ, କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୬୮ ଟଙ୍କା ଯାଏଁ ବୃଦ୍ଧି ପାଇଥିଲା। ତେବେ ଆଶ୍ୱସ୍ତିକର କଥା ଯେ, ମେ’ ୧ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇନାହିଁ।

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ କହିଲେ ୨୨ ବର୍ଷରେ କେନ୍ଦ୍ରକୁ ଗୋଟିଏ ବି ପ୍ରସ୍ତାବ ଦେଇନି ଓଡ଼ିଶା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଛତିଶଗଡ଼ ନିଜର ସ୍ୱାର୍ଥ ପାଇଁ ମହାନଦୀରେ ଅନେକ ପ୍ରକଳ୍ପ କରିଛି । କିନ୍ତୁ ଗତ ୨୨ବର୍ଷ ମଧ୍ୟରେ ଓଡ଼ିଶା ସରକାର କେନ୍ଦ୍ରକୁ ଗୋଟିଏ ପ୍ରସ୍ତାବ ଦେଇନାହାନ୍ତି । ଏପରିକି ରାଜ୍ୟ ସରକାର ଗୋଟିଏ ବି ଚିଠି କେନ୍ଦ୍ର ସରକାର କିମ୍ବା କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କୁ ଲେଖିନାହାନ୍ତି ବୋଲି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଟୁଡ଼ୁ କହିଛନ୍ତି ଯେ, ଛତିଶଗଡ଼ ତା’ର ଲୋକଙ୍କ ସ୍ୱାର୍ଥ ପାଇଁ ମହାନଦୀରେ ବ୍ୟାରେଜ ନିର୍ମାଣ କରୁଛି । କିନ୍ତୁ ଓଡ଼ିଶା ସରକାର ମହାନଦୀରେ ଗୋଟିଏ ବି ପ୍ରକଳ୍ପ ନିର୍ମାଣ ନିମନ୍ତେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ପାଖରେ ଗୋଟିଏ ବି ପ୍ରସ୍ତାବ ଦାଖଲ କରିନାହାନ୍ତି । ଯଦି ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରିପାରୁଛନ୍ତି, ତା’ହେଲେ ଓଡ଼ିଶା ସରକାର ତଳମୁଣ୍ଡରେ ଅନୁରୂପ ପ୍ରକଳ୍ପ ନିର୍ମାଣ କରିବାରେ ଅସୁବିଧା କେଉଁଠି । ଓଡ଼ିଶା ସରକାର ତ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ଦେଇନାହାନ୍ତି। ରାଜ୍ୟରେ ଜଳ ଅଭାବ ଓ ଜଳ ବୁଡ଼ି ସମସ୍ୟାର ମୁକାବିଲା ପାଇଁ କେନ୍ଦ୍ର ସରକାର ଏବେ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ କରୁଛନ୍ତି। ସେ ଏହି ଅବସରରେ ମହାନଦୀରେ ପ୍ରକଳ୍ପ ନିମନ୍ତେ ଆବଶ୍ୟକ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସେ ଓଡ଼ିଶା ସରକାରଙ୍କୁ ଆହ୍ୱାନ କରିଛନ୍ତି । କେନ୍ଦ୍ରରେ ବିଜେପି ସରକାର ସମୟରେ ଅନେକ ବିକାଶମୂଳକ କାର୍ଯ୍ୟ ସମ୍ପାଦନ ହୋଇପାରିବ ବୋଲି ଶ୍ରୀ ଟୁଡ଼ୁ କହିଛନ୍ତି। ସୂଚନାଯୋଗ୍ୟ, ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରୁଥିବାରୁ ଯୋଗୁ ଏବେ ମହାନଦୀ ଶୁଖିବାକୁ ବସିଛି ।

ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇଦେଲେ କେନ୍ଦ୍ର ଆଇନ ମନ୍ତ୍ରୀ,ମାଗିଲେ ପ୍ରସ୍ତାବ ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଓଡ଼ିଶା ହାଇକୋର୍ଟର ସ୍ୱତନ୍ତ୍ର ସ୍ଥାୟୀ ବେଂଚ ସ୍ଥାପନ ପାଇଁ ଦୀର୍ଘବର୍ଷ ଧରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାବାସୀଙ୍କ ଦାବି ନବୀନ ପଟ୍ଟନାୟକ ସରକାରଙ୍କ ରାଜନୀତିକ ପଶାପାଲିରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଗତ ଦୁଇ ଦଶନ୍ଧି ଧରି ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବାରମ୍ବାର ଦୋଷ ଲଦି ଖସିଯାଉଥିବା ନବୀନ ପଟ୍ଟନାୟକ ସରକାରଙ୍କ ଅସଲ ମୁଖା ଏବେ ପୁଣିଥରେ ଖୋଲିଯାଇଛି । କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜ୍ଜୁ ଏପ୍ରିଲ ୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସ୍ଥାୟୀ ବେଂଚ ସ୍ଥାପନ ନିମନ୍ତେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମତି ସହ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇଲେ କେନ୍ଦ୍ର ସରକାର ଏନେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ସେପ୍ଟେମ୍ବର ୧୦ତାରିଖରେ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶାର ଦାବି ଉପସ୍ଥାପନ କରିଥିଲେ । ଆଉ ଏହି ଚିଠି ଆଧାରରେ ତତକାଳୀନ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ୨୦୧୯ ଜାନୁୟାରୀ ୧୨ ଓ ବର୍ତ୍ତମାନର ଆଇନମନ୍ତ୍ରୀ କିରେନ ରିଜୁ ଏପ୍ରିଲ ୭ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଯଶବନ୍ତ ସିଂ କମିଶନଙ୍କ ସୁପାରିସ୍ ଓ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ପ୍ରସ୍ତାବ ପଠାଇବା ନିମନ୍ତେ ଅନୁରୋଧ କରିଛନ୍ତି। ସୂଚନା ଅନୁସାରେ, କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜୁ ଏପ୍ରିଲ ୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଂଚ ସ୍ଥାପନ ପ୍ରସଙ୍ଗରେ ଯଶବନ୍ତ ସିଂ କମିଶନ ସୁପାରିଶ ଆଧାରରେ ପ୍ରସ୍ତାବ ପଠାଇବାକୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୧୮ ସେପ୍ଟେମ୍ବର ୧୦ତାରିଖରେ ଏହି ସ୍ଥାୟୀ ବେଂଚ ସ୍ଥାପନକୁ ନେଇ ଯେଉଁ ପ୍ରସ୍ତାବ ଦେଇଥିଲେ ତାହା ଅସମ୍ପୂର୍ଣ୍ଣ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ବିଚାରବିମର୍ଶ କରି ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବା ଉଚିତ୍ ବୋଲି ଶ୍ରୀ ରିଜୁ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଏପରିକି ସ୍ଥାୟୀ ବେଂଚ ଯେଉଁଠି ସ୍ଥାପନ ହେବ ସେହି ଜମି, କୋଠା, ବିଚାରପତି ଓ କର୍ମଚାରୀମାନଙ୍କ ପାଇଁ ଆବାସିକ ସୁବିଧା, ଦୈନନ୍ଦିନ ପ୍ରଶାସନିକ ଖର୍ଚ୍ଚ ଆଦି ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମ୍ମତି ଆଣି ପ୍ରସ୍ତାବ ପଠାଇବାକୁ ସେ ଅନୁରୋଧ କରିଛନ୍ତି । ଯାହାଫଳରେ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ନେଇପାରିବେ ବୋଲି ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ନିମନ୍ତେ ଦୀର୍ଘବର୍ଷ ଧରି ଦାବି ହେଉଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଆଗ୍ରହ ଦେଖାଉ ନାହାନ୍ତି କାହିଁକି? ନିଜର ରାଜନୀତିକ ସ୍ୱାର୍ଥ ପାଇଁ ରାଜ୍ୟର ବିଭିନ୍ନ ଭାଗର ଲୋକଙ୍କୁ ବଂଚିତ କରିବା ପଛରେ କ’ଣ ରହସ୍ୟ ରହିଛି? ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗରେ ନିଜେ ଗଢ଼ିଥିବା ସିଆର ପାଲ୍ କମିଶନ ୨୦୧୪ ମାର୍ଚ୍ଚ ୩୧ତାରିଖରୁ ତାଙ୍କର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲେ ମଧ୍ୟ ତାକୁ ସାର୍ବଜନୀନ କରିବା ପାଇଁ କାହିଁକି ନବୀନ ପଟ୍ଟନାୟକ ସରକାର ସାହାସ କରିପାରୁନି? ଆଉ ଏସବୁ ଭିତରେ ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗରେ ବିଭିନ୍ନ ସମୟରେ ହେଉଥିବା ଆନ୍ଦୋଳନକୁ ପ୍ରଶମିତ କରିବା ନିମନ୍ତେ ନବୀନ ପଟ୍ଟନାୟକ ସରକାର ଲୋକଙ୍କୁ ଭୂଆଁ ବୁଲାଇବାକୁ ଅପଚେଷ୍ଟା କରି ସଫଳ ହେବାରେ ଲାଗିଛି। ବିଶେଷକରି ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗକୁ ନେଇ ଉଭୟ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ସହ ୨୦୧୮ ମାର୍ଚ୍ଚ ୮ତାରିଖରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । କମିଟିରେ ଗୃହ, ଅର୍ଥ, ରାଜସ୍ୱ ଓ ଆଇନ ବିଭାଗର ସଚିବମାନେ ସଦସ୍ୟ ଥିବାବେଳେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଏହି କମିଟିର ଆବାହକ ଥିଲେ। ଏହି କମିଟି ହିଁ ହାଇକୋର୍ଟଙ୍କ ସହ ବିଚାରବିମର୍ଶ କରି ସ୍ଥାୟୀ ବେଂଚ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ଓ ସମ୍ମତି ଯୋଗାଡ଼ କରିବାକୁ କ୍ଷମତାସମ୍ପନ୍ନ ଥିଲା। ୨୦୧୯ ଅଗଷ୍ଟ ୩୦ରେ ଏହି କମିଟିର ପୁର୍ନଗଠନ ବି ହୋଇଥିଲା । କିନ୍ତୁ ଏହି କମିଟିର ସ୍ଥିତି ଏବେ କ’ଣ, କାହିଁକି ହାଇକୋର୍ଟଙ୍କଠୁ ସମ୍ମତି ଆଣିବାରେ ରାଜ୍ୟ ସରକାର ସକ୍ଷମ ହେଉନାହାନ୍ତି ତାହା କେହି ଜାଣନ୍ତି ନାହିଁ? ଏପଟେ, ରାଜ୍ୟର ସାଂସଦମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ବାରମ୍ବାର ସମାନ ଉତ୍ତର ପାଉଛନ୍ତି। ଓଡ଼ିଶା ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇ ନଥିବାରୁ ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗରେ କେନ୍ଦ୍ର ସରକାର କିଛି ପଦକ୍ଷେପ ନେଇପାରୁନଥିବା ଜଣାଇଛନ୍ତି । ୨୦୧୯ ଅଗଷ୍ଟ ୮ରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ୨୦୨୦ ମାର୍ଚ୍ଚ ୩ରେ ସାଂସଦ ବସନ୍ତ ପଣ୍ଡା ଓ ମାର୍ଚ୍ଚ ୪ରେ ସପ୍ତଗିରି ଉଲାକା, ୨୦୨୧ ଫେବୃୟାରୀ ୧୦ରେ ସାଂସଦ ସଙ୍ଗୀତା ସିଂହଦେଓ, ୨୦୨୧ ଡିସେମ୍ବର ୧୭ରେ ସାଂସଦ ବସନ୍ତ ପଣ୍ଡା ଓ ସପ୍ତଗିରି ଉଲାକା ଏହି ପ୍ରସଙ୍ଗକୁ ସଂସଦରେ ଉଠାଇଥିଲେ ମଧ୍ୟ ଏହାର ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ପଡ଼ିନି। ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗକୁ ରାଜ୍ୟ ସରକାର ଭୁଲି ଶୀତଳଭଣ୍ଡାରରେ ପକାଇ ଦେଇଥିବାବେଳେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜୁ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଚିଠି ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବାକୁ ଅନୁରୋଧ କରିବା ଓଡ଼ିଶା ସରକାରଙ୍କ ଅପାରଗତା ଓ ଆନ୍ତରିକତାକୁ ପଦାରେ ପକାଇଛି ।

ମେ’ ୨ରୁ ସକାଳ ୬ଟା ରୁ ୯ଟା ସ୍କୁଲ୍‌ ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜ୍ୟରେ ସକାଳୁ ସ୍କୁଲ୍ ସମୟରେ ପରିବର୍ତ୍ତନ ହେଲା। ମେ’ ୨ ତାରିଖରୁ ପିଲାମାନେ ସକାଳ ୬ଟାରୁ ସ୍କୁଲ୍‌କୁ ଯିବେ। ଆଉ ସକାଳ ୯ଟା ପର୍ଯ୍ୟନ୍ତ ପାଠପଢ଼ା ହେବ। ପୂର୍ବରୁ ସରକାର ଏନେଇ ଘୋଷଣା କରିଥିବା ବେଳେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ବୋର୍ଡ ଏବଂ କାଉନସିଲ ପକ୍ଷରୁ ଚାଲିଥିବା ପରୀକ୍ଷା ସୂଚୀକୁ ଅପରିବର୍ତ୍ତିତ ରଖାଯାଇଛି। ଏହି ବିଜ୍ଞପ୍ତିରେ ଆହୁରି କୁହାଯାଇଛି, ଓସେପା ପକ୍ଷରୁ ପ୍ରସ୍ତୁତ ଲର୍ଣ୍ଣିଂ ରିକଭରି ପ୍ଲାନ୍ (ଏଲ୍‌ଆର୍‌ପି)କୁ ଗ୍ରୀଷ୍ମ ଛୁଟି ମଧ୍ୟରେ କରାଯିବ। ଏହା ସରକାରୀ ଓ ସରକାରୀ ଏଡେଡ୍ ସ୍କୁଲ୍ ଗୁଡ଼ିକ ପାଇଁ ଉଦ୍ଦିଷ୍ଟ। ଯେଉଁ ଛାତ୍ରଛାତ୍ରୀମାନେ ତୃତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉନ୍ନୀତ ହୋଇଛନ୍ତି, ସେମାନେ ଏହି ପ୍ଲାନ୍ ଭିତରେ ଯିବେ। ସେହିଭଳି ନୂଆ ଆଡ୍‌ମିଶନ ନେଇଥିବା ଛାତ୍ରଛାତ୍ରୀ ବି ଏଥିରୁ ଉପକୃତ ହେବେ। ଯେଉଁ ଛାତ୍ରଛାତ୍ରୀମାନେ ଏକାଦଶ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀକୁ ଉନ୍ନୀତ ହୋଇଥିବେ, ସେମାନେ ବି ଏଏଆର୍‌ପି ବ୍ୟବସ୍ଥାରେ ଉପକୃତ ହୋଇପାରିବେ। କରୋନା ଯୋଗୁ ୨ ବର୍ଷ ଧରି ସ୍କୁଲ୍ ଗୁଡ଼ିକ ବନ୍ଦ ରହିଥିବାରୁ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା। ଏଥିରୁ ପିଲାମାନେ ଯେଉଁ କ୍ଷତି ସହିତଛନ୍ତି ତାକୁ ପୂରଣ କରିବାକୁ ଓସେପା ପକ୍ଷରୁ ଏଲ୍‌ଆର୍‌ପି ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨୬ ତାରିଖରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ସ୍କୁଲ୍‌କୁ ଏପ୍ରିଲ୍ ୩୦ ଅର୍ଥାତ୍ ଆଜି ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲା। ଆସନ୍ତାକାଲି ରବିବାର ଅଛି। ତେଣୁ ସ୍କୁଲ୍ ଗୁଡ଼ିକ ଛୁଟି ରହିବ। ୨ ତାରିଖରୁ ସକାଳ ୬ଟାରୁ ସ୍କୁଲ୍ ହେବ ବୋଲି ଆଜି ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିବାରୁ ଆଶା କରାଯାଉଛି ସ୍କୁଲ୍ ଗୁଡ଼ିକ ସେହିଦିନ ଠାରୁ ଖୋଲିବ। କିନ୍ତୁ ଏବେ ବି ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ୩ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ବା ଏହାଠୁ ଅଧିକ ରହିଛି। ସେହିପରି ୯ଟିର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି। ଏହାକୁ ଦୃଷ୍ଟିରେ ରଖିଲେ ସ୍କୁଲ୍‌ ଗୁଡ଼ିକ ମେ’ ୨ରୁ ଖୋଲିବ ନା ସରକାର ପୁଣି ଛୁଟି ଘୋଷଣା କରିବେ, ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଇଛି। ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଯେ ସ୍ଥିତିକୁ ନେଇ ନିଷ୍ପତ୍ତି ନିଆଯିବ। ଆଜିର ବିଜ୍ଞପ୍ତିରେ ଏ ବିଷୟରେ କିଛି ସ୍ପଷ୍ଟ କରାଯାଇ ନାହିଁ।

ଶ୍ରମିକ ଦିବସ ପୂର୍ବରୁ ବଢ଼ିଲା ସବୁ ବର୍ଗର ଶ୍ରମିକଙ୍କ ମଜୁରୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଆସନ୍ତାକାଲି ମଇ ପହିଲା ଶ୍ରମିକ ଦିବସ ପୂର୍ବରୁ ରାଜ୍ୟ ସରକାର ଆଜି ସବୁ ବର୍ଗର ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଛନ୍ତି । ସବୁ ବର୍ଗର ଶ୍ରମିକମାନଙ୍କୁ ଦୈନିକ ୧୧ଟଙ୍କାର ସ୍ୱତନ୍ତ୍ର ଭତ୍ତା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଓ ପିଛିଲା ଭାବେ ଏହା ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେବ । ଫଳରେ ଅଣକୁଶଳୀ ଶ୍ରମିକମାନେ ସର୍ବନିମ୍ନ ମଜୁରୀ ୩୨୬ଟଙ୍କା ଓ ଉଚ୍ଚକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୪୭୬ଟଙ୍କାକୁ ବୃଦ୍ଧି ପାଇଛି । ରାଜ୍ୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡର ସୁପାରିଶ୍ ଆଧାରରେ ଖାଉଟି ଦର ଇଣ୍ଡେକ୍ସକୁ ଦୃଷ୍ଟିରେ ରଖି ସବୁ ବର୍ଗର ଶ୍ରମିକମାନଙ୍କ ପାଇଁ ବର୍ଷକୁ ୨ଥର ସ୍ୱତନ୍ତ୍ର ଭତ୍ତା ବୃଦ୍ଧିର ପ୍ରାବଧାନ ରହିଛି । ଏହି ସୁପାରିଶ ଅନ୍ତର୍ଗତ ରାଜ୍ୟ ଶ୍ରମ କମିଶନର ଏନ୍. ଥିରୁମାଳା ନାଏକଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରମିକମାନଙ୍କ ସ୍ୱତନ୍ତ୍ର ଭତ୍ତା (ପରିବର୍ତ୍ତିତ ମହଙ୍ଗା ଭତ୍ତା -ଭିଡିଏ)ରେ ଦୈନିକ ୧୧ଟଙ୍କା ବୃଦ୍ଧି କରାଯାଇଛି । ଏହା ୮୯ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସବୁ ବର୍ଗର ଶ୍ରମିକଙ୍କ ନିମନ୍ତେ ଲାଗୁ ହେବ । ବିଜ୍ଞପ୍ତି ଅନୁସାରେ ଅଣକୁଶଳୀ ଶ୍ରମିକମାନେ ସର୍ବନିମ୍ନ ମଜୁରୀ ୩୧୫ଟଙ୍କା ପରିବର୍ତ୍ତେ ୩୨୬ଟଙ୍କା ପାଇବେ । ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୫ଟଙ୍କାରୁ ୩୬୬ଟଙ୍କାକୁ, କୁଶଳୀ ଶ୍ରମିକଙ୍କ ମଜୁରୀ ୪୦୫ଟଙ୍କାରୁ ୪୧୬ଟଙ୍କାକୁ ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ ୪୬୫ଟଙ୍କାରୁ ୪୭୬ଟଙ୍କାକୁ ବୃଦ୍ଧି ପାଇଛି । ୨୦୨୨ ଏପ୍ରିଲ ୧ରୁ ଏହି ବର୍ଦ୍ଧିତ ମଜୁରୀ ଲାଗୁ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏହି ସଂଶୋଧିତ ମଜୁରୀ ବୃଦ୍ଧି ରାଜ୍ୟର କୃଷି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ । ଅଗରବତୀ, ଅଟୋମୋବାଇଲ ସେବା, ଗ୍ୟାରେଜ,  ଆୟୁର୍ବେଦିକ ଓ ୟୁନାନି, ବିସ୍କୁଟ ଓ କେକ୍ ତିଆରି କାରଖାନା, କେମିକାଲ ଇଣ୍ଡଷ୍ଟ୍ରି, ସିନେମା ଓ ଫିଲ୍ମ ଇଣ୍ଡଷ୍ଟ୍ରି, କତା ଶିଳ୍ପ,  କାଜୁ, ଶାଳ ମଞ୍ଜି ସଂଗ୍ରହକାରୀ, ହ୍ୟାଣ୍ଡଲୁମ, ଚମଡ଼ା, ଲଣ୍ଡ୍ରି ସମେତ ବିଭିନ୍ନ ମ୍ୟାନୁଫ୍ୟାକଚରିଂ ୟୁନିଟ ସମେତ ମୋଟ ୮୯ଟି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ନିମନ୍ତେ ଏହି ବର୍ଦ୍ଧିତ ମଜୁରୀ ଲାଗୁ ହେବ ।