ଓଡ଼ିଶା ସାଂସଦଙ୍କୁ ଗୁରୁମନ୍ତ୍ର ଦେଲେ ମୋଦି…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ସାଂସଦଙ୍କୁ ମୋଦିଙ୍କ ଗୁରୁମନ୍ତ୍ର । ସଙ୍ଗଠନ କିଭଳି ସୁଦୃଢ଼ ହେବ ତାକୁ ନେଇ ଦେଲେ ଟିପ୍ସ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଛନ୍ତି ଓଡ଼ିଶାର ବିଜେପି ସାଂସଦ। ଏହି ଅବସରରେ ସଂଗଠନ କେମିତି ସୁଦୃଢ ହେବ ସେନେଇ ଗୁରୁମନ୍ତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀ। ସାଂସଦମାନଙ୍କ ଭୂମିକା କିଭଳି ହେବା କଥା, ଲୋକଙ୍କ ସହ କିଭଳି ସମ୍ପର୍କ ରଖିବେ। ଏହାସହ କେନ୍ଦ୍ର ସରକାରଙ୍କ ‘ସବ୍‌କା ସାଥ ସବ୍‌କା ବିକାଶ’ ବାର୍ତ୍ତା କେମିତି ଲୋକଙ୍କ ପାଖରେ ପହଞ୍ଚାଇବେ ସେନେଇ ସାଂସଦ ମାନଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀ। ସାମାଜିକ ନ୍ୟାୟ କେମିତି ସମସ୍ତଙ୍କ ପାଖରେ ପହଞ୍ଚିବ, ସାଂସଦମାନେ କେମିତି ଲୋକପ୍ରିୟତା ପାଇବେ ସେନେଇ ଟିପ୍ସ ମଧ୍ୟ ଦେଇଥିଲେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସାରା ଓଡ଼ିଶାର କଥା ଆଲୋଚନା ହୋଇଥିଲା। ସେପଟେ ମୋଦିଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ଯେଉଁ ପ୍ରଶ୍ନ ପଚାରିଥିଲେ ତାହାର ଉତ୍ତର ଦେଇଥିଲୁ ବୋଲି କହିଛନ୍ତି ସାଂସଦ ବସନ୍ତ ପଣ୍ଡା।ତେବେ ଏହି ସାକ୍ଷତା ସୌଜନ୍ୟମୂଳକ ଥିଲା। ବ୍ୟକ୍ତିଗତ ଓଡ଼ିଶା ବାବଦରେ ସେମିତି କିଛି ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି। ଏହି ଅବସରରେ କେବଳ ଓଡ଼ିଶା ନୁହେଁ ଦିଲ୍ଲୀ, ହରିୟାଣା, ଉତ୍ତରାଖଣ୍ଡର ସାଂସଦ ଓ ମନ୍ତ୍ରୀ ମାନେ ଉପସ୍ଥିତ ଥିଲେ। କେନ୍ଦ୍ରର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା, ତୃଣମୂଳ ସ୍ଥରରେ ସଂଗଠନକୁ ସୁଦୃଢ କରିବା, ଲୋକଙ୍କ ସହ ମିଶି ବିଶ୍ୱାସଭାଜନ ହେବା ପାଇଁ ବିଜେପି ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ।  ଆଜି ଏହି ୪ ରାଜ୍ୟର ବିଜେପି ସାଂସଦ ଓ ମନ୍ତ୍ରୀଙ୍କୁ ନିଜ ବାସଭବନକୁ ବ୍ରେକ୍‌ଫାଷ୍ଟ ପାଇଁ ନିମନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ବିଜେପି କହିଲା ଓଡ଼ିଶା ସରକାର ‘ଆୟୁଷ୍ମାନ ଭାରତ’ ଯୋଜନା ତୁରନ୍ତ ଲାଗୁ କରନ୍ତୁ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଦୀର୍ଘଦିନ ଧରି ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରୁଥିବା ବିଜେପି ଆଜି ପୁଣିଥରେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି । ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଥିବାବେଳେ ସାଧାରଣ ଲୋକଙ୍କୁ ସରକାର ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ବିଫଳ ହୋଇଛନ୍ତି । ଓଡ଼ିଶାର ଗରିବ ଲୋକଙ୍କୁ କେନ୍ଦ୍ରର ମୋଦି ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାରୁ ଜାଣିଶୁଣି ବଂଚିତ କରାଯାଉଛି । ତେଣୁ ଏହାକୁ ତୁରନ୍ତ ରାଜ୍ୟବ୍ୟାପୀ ଲାଗୁ କରିବାକୁ ବିଜେପି ଦାବି କରିଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ସ୍ୱାସ୍ଥ୍ୟ କ୍ଷେତ୍ର ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । କେନ୍ଦ୍ର ସରକାର ଦେଶବାସୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ମିଶନ ମୋଡରେ ଆରମ୍ଭ କରିଥିବା “ୱାନ ନେସନ, ୱାନ ହେଲଥ୍‌’ କାର୍ଯ୍ୟକ୍ରମ ଅନ୍ତର୍ଗତ ୨୦୧୮ ମସିହାରେ ଦେଶବ୍ୟାପୀ ‘ଆୟୁଷ୍ମାନ ଯୋଜନା’ ଆରମ୍ଭ କରିଥିଲେ । ଏହି ଯୋଜନାରେ ସାଧାରଣ ଲୋକଟି ଦେଶର ଯେକୌଣସି ସ୍ଥାନରେ ମାଗଣା ଚିକିତ୍ସା ସୁବିଧା ପାଇପାରିବ । ଆୟୁଷ୍ମାନ ଯୋଜନାରେ ୧୩.୪୪କୋଟି ପରିବାର ତଥା ୬୫କୋଟି ହିତାଧିକାରୀ ଉପକୃତ ହୋଇଛନ୍ତି । ଓଡ଼ିଶାର ୬୦ଲକ୍ଷ ପରିବାରକୁ ଆୟୁଷ୍ମାନ ଯୋଜନାରୁ ବଂଚିତ କରାଯାଇଛି । ରାଜ୍ୟର ୧୮ଟି ଜିଲ୍ଲା ମୁଖ୍ୟାଳୟରେ ଆଇସିୟୁ ନାହିଁ । ୧୧୨ଟି ପ୍ରାଥମିକ ଚିକିତ୍ସାଳୟରେ ବିଦ୍ୟୁତ ସଂଯୋଗ ନାହିଁ । ୪୦ ପ୍ରତିଶତରୁ ଅଧିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି । ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ବାରମ୍ବାର କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ ସାଂସଦ ମଧ୍ୟ ଓଡ଼ିଶାରେ ଏହି ଯୋଜନା ଲାଗୁ ପାଇଁ ଦାବି କରିଥିଲେ । କିନ୍ତୁ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କଲେନି । ନ୍ୟାସନାଲ ଡିଜିଟାଲ ହେଲଥ ମିଶନ ଓଡ଼ିଶାରେ ବିଫଳ ହୋଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ଆଳରେ କିଛି କୋଠାଘର କେବଳ ଛିଡ଼ା ହୋଇଛି ବୋଲି ସେ କହିଛନ୍ତି । ନ୍ୟାସନାଲ ଡିଜିଟାଲ ହେଲ୍‌ଥ ମିଶନ ଗତ ୨୦୨୦ ଅଗଷ୍ଟ ୧୫ତାରିଖରେ ମୋଦୀ ଶୁଭାରମ୍ଭ କରିଥିଲେ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅନ୍ତର୍ଗତ ୧୬,୦୮୫ ଡାକ୍ତରଖାନାକୁ ତାଲିକାଭୁକ୍ତ କରାଯାଇଛି ଏବଂ ୧୦କୋଟିରୁ ଅଧିକ ଲୋକଙ୍କୁ ଇ-କାର୍ଡ ପ୍ରଦାନ କରାଯାଇଛି । ଏବେ ୧୭,୧୫୦ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟ କରୁଛି । ପଶ୍ଚିମବଙ୍ଗ, ତେଲେଙ୍ଗାନା, ଓଡ଼ିଶା, ଦିଲ୍ଲୀ ୪ଟି ରାଜ୍ୟ ଆୟୁଷ୍ମାନ ଯୋଜନାକୁ ସ୍ଥାନୀୟ ସରକାର ନିଜ ନିଜ ରାଜ୍ୟରେ କାର୍ଯ୍ୟକାରୀ କରିନାହାନ୍ତିିି ବୋଲି ଶ୍ରୀ ମହାନ୍ତି କହିଛନ୍ତିି । ବିଜେପି ତରଫରୁ ଦେଶବ୍ୟାପୀ ଆଜିଠୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ୧୫ଦିନ ଧରି “ସାମାଜିକ ନ୍ୟାୟ ଓ ସେବା’ ପକ୍ଷ ଆରମ୍ଭ ହୋଇଛି । ଏହି ଅବସରରେ ବିଜେପି କର୍ମକର୍ତ୍ତାମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ପ୍ରସଙ୍ଗରେ ଲୋକଙ୍କ ସହିତ ସିଧାସଳଖ ଆଲୋଚନା କରିବେ ବୋଲି କହିବା ସହ ରାଜ୍ୟ ସରକାର ତୁରନ୍ତ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ନିମନ୍ତେ ଦାବି କରିଛନ୍ତି । ଶ୍ରୀ ମହାନ୍ତି ଆଜି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ପରିଦର୍ଶନ କରି ଉପଭୋକ୍ତା ଏବଂ ରୋଗୀଙ୍କ ସହ ଆଲୋଚନା କରିବା ସହ ଜନ ଔଷଧି କେନ୍ଦ୍ରରୁ ଔଷଧ କିଣିବା ପାଇଁ ସଚେତନ କରାଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଶାରଦା ଶତପଥୀ, ଗୋଲକ ମହାପାତ୍ର, ଦିଲୀପ ମଲ୍ଲିକ ଠାକୁର ରଣଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ସହକାରୀ ଯନ୍ତ୍ରୀଙ୍କ ଘରୁ ବାହାରିଲା ନଗଦ ୨ କୋଟି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଗତ ମାସରେ ମାଲକାନଗିରି ଜିଲ୍ଲା ଆର୍‌ଡବ୍ଲ୍ୟୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ଏସ୍‌ଇ) ଆଶିଷ କୁମାର ଦାଶଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ତାଙ୍କ ଠାରୁ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ କରାଯାଇଥିଲା। ତାଙ୍କ ଘରୁ କେବଳ ୧ କୋଟି ୩୯ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଥିଲା। ଆଉ ରେଡ୍‌ ବେଳେ ଏତେ ପରିମାଣରେ ନଗଦ ଟଙ୍କା ଜବତ କରାଯିବା ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ବୋଲି କୁହାଯାଇଥିଲା। ହେଲେ ଆଜି ଜଣେ ଯନ୍ତ୍ରୀଙ୍କ ଘରୁ ଏହାଠୁ ବି ଅଧିକ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ତାଙ୍କ ନାଁ କାର୍ତ୍ତିକେଶ୍ୱର ରାଉଳ। ସେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ଭିଜିଲାନ୍ସ ପକ୍ଷରୁ ଆଜି ତାଙ୍କର ଭୁବନେଶ୍ୱରର ଟାଟା ଆରିଅନ ସ୍ଥିତ ଫ୍ଲାଟ୍‌ରେ ଚଢ଼ାଉ କରାଯାଇଛି। ଆଉ ଏହି ଚଢ଼ାଉ ବେଳେ ଘରୁ ଭିଜିଲାନ୍ସ ପ୍ରାୟ ୨ କୋଟି ନଗଦ ଟଙ୍କା ଜବତ କରାଯାଇଛି। ରେଡ୍‌ ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଘରୁ ବଣ୍ଡଲ ବଣ୍ଡଲ ୫୦୦ ଟଙ୍କିଆ ନୋଟ୍ ଜବତ କରିଥିଲେ। ଟଙ୍କା ଗଣିବା ପାଇଁ କାଉଣ୍ଟିଂ ମେସିନ୍ ବ୍ୟବହାର କରିଥିଲେ ଭିଜିଲାନ୍ସ କର୍ମଚାରୀ। ଏହା ସହିତ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଠାରୁ ୨୦ଟି ସୁନା ବିସ୍କୁଟ୍ ଜବତ କରାଯାଇଛି। ସେଗୁଡ଼ିକର ଓଜନ ମିଶି ୫୮୦ ଗ୍ରାମ। ଶ୍ରୀ ରାଉଳଙ୍କର ଭଞ୍ଜନଗର ସ୍ଥିତ ସରକାରୀ ବାସଭବନ ସମେତ ସେଠାରେ ଥିବା ଅଫିସ୍‌ ଓ ଭୁବନେଶ୍ୱର ସ୍ଥିତ ଫ୍ଲାଟ ସମେତ ମୋଟ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୫ ଜଣ ଡିଏସ୍‌ପି, ୧୧ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।

ତୈଳ ଦର ବୃଦ୍ଧି ନେଇ ରାଜଭବନ ଆଗରେ ପ୍ରତିବାଦ କଲା କଂଗ୍ରେସ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)-  ତୈଳ ଓ ରନ୍ଧନ ଗ୍ୟାସ ଦରର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ରାଜଭବନ ସମ୍ମୁଖରେ ପ୍ରତିବାଦ ଓ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ ଦର ବାରମ୍ବାର ବୃଦ୍ଧି ପାଇଁ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ କଡ଼ା ଭାଷାରେ ସମାଲୋଚନା କରିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ ଯେ, ତେଲ ଓ ଗ୍ୟାସ ଦର ବାରମ୍ବାର ବଢ଼ିବାରୁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି । କେନ୍ଦ୍ର ଓ ରାଜ୍ୟ ସରକାର ତୈଳ ଉପରୁ ଏକ୍ସସାଇଜ୍ ଡ୍ୟୁଟି ଓ ଭ୍ୟାଟ୍ ହ୍ରାସ ନକରିବାରୁ ତେଲ ଦର କ୍ରମାଗତ ରାଜ୍ୟରେ ବଢ଼ିଚାଲିଛି । ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ତେଲ ଦର ନକମିବା ପର୍ଯ୍ୟନ୍ତ କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ସେହିପରି ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ସମେତ ରାମଚନ୍ଦ୍ର ଖୁଂଟିଆ, ବିଧାୟକ ସୁରେଶ କୁମାର ରାଉତରାୟ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ଚିନ୍ମୟ ସୁନ୍ଦର ଦାସ, ବିସ୍ମୟ ମହାପାତ୍ର, ସୁଦର୍ଶନ ଦାସ, ବିଶ୍ୱଜିତ ଦାଶ, ମନୋରନ ଦାଶ, ରଜନୀ ମହାନ୍ତିି, ହଳଧର ସେଠୀ, ପଦ୍ମାକର ଗୁରୁ, ମଧୁସ୍ମିତା ଆଚାର୍ଯ୍ୟ, ଅଶୋକ ଦାସ, ସତ୍ୟବ୍ରତ ନାୟକ, ଅମିତା ବିଶ୍ୱାଳ, ବିଶ୍ୱଭୂଷଣ ମହାପାତ୍ର, ଅଜୟ ସାମଲ, ଇତିଶ୍ରୀ ମଲ୍ଲିକ ପ୍ରମୁଖ କଂଗ୍ରେସ ଶାସନ ସମୟରେ ଆର୍ନ୍ତଜାତିକ ବଜାରରେ ଅଶୋଧିତ ତୈଳଦର ବ୍ୟାରେଲ ପ୍ରତି ୧୨୧ ରୁ ୧୩୮ ଡଲାର ଥିବାବେଳେ ଜନସାଧାରଣ ପେଟ୍ରୋଲ ୬୪ ଟଙ୍କାରୁ ୭୮ ଟଙ୍କାରେ ଓ ରନ୍ଧନ ଗ୍ୟାସ ୪୧୪ ଟଙ୍କାରେ ପାଉଥିଲେ । ମାତ୍ର ଏବେ ଅଶୋଧିତ ତୈଳ ଦର ୧୦୦ ରୁ ୧୦୪ ଡଲାର ମଧ୍ୟରେ ରହିଥିଲେ ବି ଜନସାଧାରଣ ପେଟ୍ରୋଲ ଲିଟର ପ୍ରତି ୧୦୧ ଟଙ୍କାରୁ ୧୧୮ ଟଙ୍କାରେ ଓ ରନ୍ଧନ ଗ୍ୟାସ ୯୭୦ ଟଙ୍କାରୁ ୧୦୧୨ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅପରିଣାମଦର୍ଶିତା ଯୋଗୁଁ ଦେଶବାସୀ ଏପରି ମହଙ୍ଗା ମାଡ଼ର ଶୀକାର ହୋଇଛନ୍ତିି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁଧିଷ୍ଠିର ଜେନା, ଦେବାଶିଷ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ନିଶିକାନ୍ତ ମିଶ୍ର, ଅମିୟ ପଟ୍ଟନାୟକ, ଜ୍ଞାନଦେବ ବେଉରା, ଅଶୋକ ସାମଲ, ସ୍ୱାଧୀନବାଳା ଦାସ, ରଜତ ଚୌଧୁରୀ, ମୋହନ ଜେନା, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ବିଶ୍ୱଭୂଷଣ ଦାସ, ସୁଶାନ୍ତ ତ୍ରିପାଠୀ, ଜ୍ୟୋତିଷ ସାହୁ, ଶ୍ରେୟାସ୍ମିତା ପଣ୍ଡା, କୁସୁମ ପ୍ରଧାନ, ମନୋରଞ୍ଜନ ରାଉତରାୟ, ସଂଜୟ ରାୟ, ମିତ୍ରଭାନୁ ମହାପାତ୍ର, ସଂକୁନା କହଁର, ଜୟକୃଷ୍ଣ ମଲ୍ଲିଆ, ବଟକୃଷ୍ଣ ରାଉତରାୟ, ରାଜକିଶୋର ବାରିକ, ଜିନେଶ ଦାସ ପ୍ରମୁଙ୍କ ସମେତ ଯୁବ , ଛାତ୍ର ଓ ମହିଳା କଂଗ୍ରେସ, ସେବାଦଳ , ବିଭିନ୍ନ ପ୍ରକୋଷ୍ଠ ଓ ବିଭାଗର କର୍ମକର୍ତ୍ତାମାନେ ସାମିଲ ଥିଲେ ।

ଦୂର ହେଲା ଜଳକଷ୍ଟ,ପୂରଣ ହେଲା ଦୀର୍ଘ ଦିନର ଦାବୀ;ସମସ୍ତ ଅଧିକାରୀ ଙ୍କୁ ସାଧୁବାଦ ଜଣାଇଛନ୍ତି ଗ୍ରାମବାସୀ …!

ଏଥର ସମ୍ଭାଳ ବ୍ୟୁରୋ(ରାଉରକେଲା)- ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଚାନ୍ଦିପୋଷ ପଞ୍ଚାୟତ ର ଆଦିବାସୀ ବହୁଳ ରୁମକୁବେର୍ଣ୍ଣା ଗ୍ରାମ ରେ ଲାଗିରହିଥିବା ବହୁ ଦିନର ଜଳ କଷ୍ଟ ଏବେ ଦୂର ହୋଇଛି ।  ବ୍ଲକ କାର୍ଯ୍ୟଳୟ ଠାରୁ ୭୦ କି ମି ଦୂରରେ ଅବସ୍ଥିତ ଏହି ଆଦିବାସୀ ଗ୍ରାମ ରେ ରହିଥିବା ୪୩ ଗୋଟି ଆଦିବାସୀ ପରିବାର ପ୍ରତି ଗ୍ରୀଷ୍ମ ଋତୁରେ ଜଳ କଷ୍ଟ ଭଗୁଥିଲେ । ପାନୀୟ ଜଳ ନିମନ୍ତେ ଉପଯୋଗୀ ଗୋଟିଏ ମାତ୍ର୍ ନଳକୂପ ରହିଅଛି ।  ଏହା ଏହି ରୁତୁ ରେ ଏଠାର ସମସ୍ତ ପରିବାର କୁ ଜଳ ଯୋଗାଇ ପାରୁନଥିବା ଅଭିଯୋଗ ନେଇ ସମସ୍ତ ସମ୍ପୃକ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ଜଣା କରିଥିଲେ ବି ଗ୍ରାମବାସୀ ଙ୍କ ଜଳ କଷ୍ଟ ଦୂର ହୋଇ ପାରୁନଥିଲା ।ଓ.ଟି.ଏଲ୍.ପି ପ୍ଲସ୍ ସହଯୋଗ ରେ ଆଇଟିଡିଏ ପାନପୋଷ ତରଫରୁ ୩ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟ ଅଟକଳ ରେ ଏଠାରେ ବର୍ତ୍ତମାନ ଏକ୍ ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି ।  ଏହି ପ୍ରକଳ୍ପ ଚାଲୁ ହେବା ପରେ ଏହି ଅଞ୍ଚଳରୁ ଜଳ କଷ୍ଟ ଦୂର ହୋଇ ଅଞ୍ଚଳବାସୀ ସୁବିଧାରେ ପାଣି ପାଇ ପାରୁଛନ୍ତି ।  ଏଥି ପାଇଁ ଅଞ୍ଚଳ ବାସୀ ଙ୍କ ପକ୍ଷରୁ ଆଇଟିଡିଏ ର ପ୍ରକଳ୍ପ ପ୍ରଶାସକ ଦୌଲତ ଚନ୍ଦ୍ରାକର, ଜଳଛାୟା ଉନ୍ନୟନ ଅଧିକାରୀ ଶ୍ରୀ ସୁମନ୍ତ ଧୁରୁଆ ଓ ଦକ୍ଷତା ବୃଦ୍ଧି ଅଧିକାରୀ ଶ୍ରୀ ଶଶାଙ୍କର ପଣ୍ଡା ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସାଧୁବାଦ ଜଣାଇଛନ୍ତି ।

ନାଲ୍‌କୋ ଓ ହାଲ୍‌ରେ ଚାକିରି ଦେବା ନାଁରେ ଠକେଇ, ୫ ଗିରଫ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବଡ଼ କମ୍ପାନୀରେ ଚାକିରି କରାଇଦେବାକୁ କହି ବଡ଼ ଧରଣର ଠକେଇ ଅଭିଯୋଗ।  କୋରାପୁଟ ସେମିଳିଗୁଡ଼ାରୁ ୫ ଜଣଙ୍କୁ ଗିରଫ କଲା ପୁଲିସ।  ଅଭିଯୋଗ ଅନୁସାରେ, ଦାମନଯୋଡ଼ି ନାଲ୍‌କୋ ଓ ସୁନାବେଡ଼ାର ହାଲ୍ ଭଳି ବଡ଼ ବଡ଼ କମ୍ପାନୀରେ ଠିକା ନିଯୁକ୍ତି ଦେବା ନାଁରେ ଏକ ରାକେଟ୍ ଚାଲିଥିଲା।  ୭୦ ଜଣ ପିଲାଙ୍କ ଠାରୁ ୪୦ ହଜାର ଟଙ୍କା ଲେଖାଏଁ ନେଇ ସେମାନଙ୍କୁ ନକଲି ନିଯୁକ୍ତିପତ୍ର ଓ ଗେଟ୍ ପାସ୍ ଆଦି ଦିଆଯାଇଥିଲା। ତେବେ କିଛି ପିଲା ନାଲ୍‌କୋ କାରଖାନାକୁ କାମ କରିବାକୁ ଯିବାରୁ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇଥିଲେ ଏବଂ ସେମାନଙ୍କ ପାସ୍ ନକଲି ବୋଲି କହିଥିଲେ। ଠକେଇରେ ଶିକାର ହୋଇଥିବା ଚାକିରି ଆଶାୟୀମାନେ ଥାନାରେ ଅଭିଯୋଗ କରିବା ପରେ ଦାମନଯୋଡ଼ି ଓ ସୁନାବେଡ଼ା ସମେତ ୩ଟି ଥାନାର ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା।  ତଦନ୍ତ ପରେ ଜାଲ୍ ସଂସ୍ଥା ଖୋଲିଥିବା ରାୟଗଡ଼ା ସହରର ୨ଜଣ ସୁଧିର ଚୌଧୁରୀ ଓ ତାଙ୍କ ପୁଅ ସନ୍ତୋଷ ଚୌଧୁରୀଙ୍କୁ ଗିରଫ କରିଛି ପୁଲିସ। ଏଥିସହ କୋରାପୁଟ ସେମିଳିଗୁଡ଼ାର ଏକ ସମ୍ଭ୍ରାନ୍ତ ହୋଟେଲରୁ ୩ ଜଣଙ୍କୁ ଗିରଫ କରାଯାଇଛି।  ସେମାନେ ହେଲେ ଭୁବନେଶ୍ୱରର ସନ୍ତୋଷ ବରାଡ଼ ଓ କମଳ ଲୋଚନ ମହାନ୍ତି ଏବଂ ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁରର ଅଭିମନ୍ୟୁ ମିଶ୍ର।  ଗିରଫ ଅଭିଯୁକ୍ତମାନଙ୍କ ଠାରୁ ବିଭିନ୍ନ କମ୍ପାନୀର ୧୭ଟି ନକଲି ଷ୍ଟାମ୍ପ, ୫୫ଟି ଗେଟ୍ ପାସ, କଲର୍ ପ୍ରିଣ୍ଟର, କମ୍ପ୍ୟୁଟର୍, ହାର୍ଡଡିସ୍କ, ୨୧ ହଜାର ନଗଦ ଟଙ୍କା ଏବଂ ଏକ କାର୍ ଜବତ ହୋଇଛି।

କୋଟିଆକୁ ନିଜର କରିବାକୁ ଆନ୍ଧ୍ରର ନୂଆ ଚାଲ୍‌…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ସୁଧୁରୁନି ଆନ୍ଧ୍ରପ୍ରଦେଶ। ପୁଣି ଦେଖାଇଲାଣି ନିଜ ଚାଲାକି। କୋଟିଆକୁ ନିଜ ଅକ୍ତିଆରକୁ ନେବାକୁ ଆନ୍ଧ୍ରପ୍ରଦେଶ କରିଛି ନୂଆ ଚାଲ୍। ପୂର୍ବରୁ ଭତ୍ତା, ଯୋଜନା ଓ ସେଠାକାର ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ନିଜ ଅଧିକାରୀଙ୍କୁ କୋଟିଆ ପଠାଉଥିବା ଆନ୍ଧ୍ର ଏଥର ନୂଆ ଷଡ଼ଯନ୍ତ୍ର ରଚିଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା କୋଟିଆର ୨୮ଟି ଗାଁକୁ ନିଜ ମାନଚିତ୍ରରେ ସ୍ଥାନ ଦେଇଛି ଆନ୍ଧ୍ରପ୍ରଦେଶ। ଆଜି  ବିଧିବଦ୍ଧ ଭାବେ ନୂଆ ୧୩ଟି ଜିଲ୍ଲା ଗଠନ କରାଯାଇଛି। ଏହାକୁ ମିଶାଇ ଆନ୍ଧ୍ରରେ ମୋଟ୍ ୨୬ ଜିଲ୍ଲା ହୋଇଛି। ଏଥିରେ ନୂତନ ଜିଲ୍ଲା ଭାବେ ମାନ୍ୟମ୍‌କୁ ସ୍ଥାନ ଦିଆଯାଇଛି। ଆଉ ଏହି ମାନ୍ୟମ୍ ଜିଲ୍ଲାରେ ସାମିଲ ହୋଇଛି କୋଟିଆର ୨୮ ଗାଁ ଓ ୧୨ଟି ପଡ଼ା ରହିଛି। କୋଟିଆକୁ ବାରମ୍ବାର ନିଜର ବୋଲି ଦାବି କରୁଛି ଆନ୍ଧ୍ର। ଏଥିରେ ବିଫଳ ହେବା ପରେ ପୁଣି ନୂଆ ଚାଲ୍‌ ଖେଳିଛନ୍ତି ଜଗନ ସରକାର। ତେଲୁଗୁରେ ମାନ୍ୟମ୍‌ର ଅର୍ଥ ପଛୁଆ ଅଞ୍ଚଳ। କୋଟିଆକୁ ପଛୁଆ ଅଞ୍ଚଳ ଦର୍ଶାଇ ଏବେ ନିଜ ମ୍ୟାପ୍‌ରେ ସ୍ଥାନ ଦେଇଛି ଆନ୍ଧ୍ର। ପୂର୍ବରୁ ବିଜୟନଗରମ୍ ଜିଲ୍ଲା ଥିବା ବେଳେ କୋଟିଆରୁ ହେଡ୍‌କ୍ୱାଟର୍ ଦୂରତା ୯୦ କିଲୋମିଟର ଥିଲା। ଏବେ ମାନ୍ୟମ୍ ହେବା ପରେ ପାର୍ବତୀପୁରମ୍ ଏହାର ହେଡକ୍ୱାଟର୍ ହେବ। ଫଳରେ କୋଟିଆରୁ ଏହାର ଦୂରତା ୬୦ କିଲୋମିଟରକୁ କମି ଆହୁରି ନିକଟତର ହୋଇଯିବ। ସରକାରୀ ଯୋଜନା ଓ ବ୍ୟବସ୍ଥାକୁ ଯେପରି ଓଡ଼ିଶା ସୀମାବର୍ତ୍ତି ଅଞ୍ଚଳକୁ ପହଞ୍ଚା ଯାଇ ପାରିବ ସେଥିପାଇଁ ଆନ୍ଧ୍ର ସରକାର ଏପରି କରିଥିବା ଚର୍ଚ୍ଚା ହେଉଛି।

ମହାପ୍ରଭୁଙ୍କ ରୋଷଶାଳାରେ ଚୁଲି ଭଙ୍ଗିଲା କିଏ ? ତଦନ୍ତ କରିବ ୫ ଜଣିଆ ଟିମ୍‌…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ରୋଷଶାଳାରେ ୮୦ରୁ ଅଧିକ ଚୁଲି ଭଙ୍ଗିଲା କିଏ? ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ବା ଜିଲ୍ଲା ପ୍ରଶାସନ କାହା ପାଖରେ କିଛି ଉତ୍ତର ନାହିଁ। ଏନେଇ ହୋ-ହଲ୍ଲା ପରେ ପ୍ରଶାସନର ଚେତା ପଶିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁରୀ ଏସ୍‌ପି କନୱାର ବିଶାଳ ସିଂହ ୫ ଜଣିଆ ଟିମ୍‌ ଗଠନ କରିଛନ୍ତି। ଏସ୍‌ପିଙ୍କ କହିବା ଅନୁସାରେ ଘଟଣାର ତଦନ୍ତ ପାଇଁ ସିସିଟିଭି ଯାଞ୍ଚ ଚାଲିଛି। ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ। ମାମଲାକୁ ଟପ୍‌ ମୋଷ୍ଟ କ୍ୟାଟଗୋରୀରେ ଆମେ ନେଉଛୁ। ଏଭଳି ଜଘନ୍ୟ ଘଟଣାରେ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ସିଂହଦ୍ୱାର ଥାନାରେ ହୋଇଥିବା ଏତଲା ଆଧାରରେ ୪୨୭ IPC, ୨୯୫ A, ସେକ୍ସନ ୩୦ (A)(B) SJTAରେ ମାମଲା ରୁଜୁ ହୋଇଛି ବୋଲି ଏସ୍‌ପି କହିଛନ୍ତି। ସେପଟେ ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖପ୍ରକାଶ କରିଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, “ଓଡ଼ିଆ ଜାତିର ଅସ୍ମିତାର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସ୍ଥିତ ପବିତ୍ର ରୋଷଘର ଚୁଲି ଗୁଡ଼ିକ ଭାଙ୍ଗି ଦିଆଯିବା ଘଟଣା ଗଣମାଧ୍ୟମରୁ ଜାଣିବାକୁ ପାଇଲି। ଏହି ଖବର ମୋତେ ଦୁଃଖିତ ଓ ବ୍ୟଥିତ କରିଛି। ମହାପ୍ରଭୁ ଓଡ଼ିଶାବାସୀ ଏବଂ ସାରା ବିଶ୍ୱର ହିନ୍ଦୁ ସମାଜର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ମହାପ୍ରସାଦର ରହିଛି ଅନନ୍ୟ ସମ୍ପର୍କ। ରୋଷଘରରେ ଅବଢ଼ା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ ଘଟଣା।” ସେ ଆହୁରି ଲେଖିଛନ୍ତି-“ମହାପ୍ରସାଦ ସହ ଓଡ଼ିଆଙ୍କ ଭାବାବେଗ ଜଡ଼ିତ ରହିଛି। ମହାପ୍ରଭୁଙ୍କ ମହାପ୍ରସାଦ ଅମୃତ ତୁଲ୍ୟ। ମହାପ୍ରଭୁଙ୍କ ରୋଷଘର ସହ ମା’ ଲକ୍ଷ୍ମୀ ଓ ମା’ ହିଙ୍ଗୁଳାଙ୍କ ପ୍ରତ୍ୟକ୍ଷ ଜଡ଼ିତ ଥିବା ଓଡ଼ିଆ ଜନମାନସର ବିଶ୍ୱାସ। ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଭବିଷ୍ୟତରେ ଯେଭଳି ଏହି ଘଟଣାର ପୁନରାବୃତ୍ତି ନ ହେବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ।”ଶ୍ରୀମନ୍ଦିର ରୋଷଘରେ ୮୦ରୁ ଅଧିକ ଚୁଲି ଭଙ୍ଗାବାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ଏଭଳି ଘଟଣା ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରୋଷଘରେ ପଶି ଚୁଲି ଭାଙ୍ଗିଥିବା ଦୁର୍ବୃତ୍ତଙ୍କୁ ଏ ଜାତି କେବେ ବି କ୍ଷମା ଦେବନି। କିନ୍ତୁ ଏହାର ମାନେ ନୁହେଁ ଯେ ଦାୟିତ୍ୱରେ ଥିବା ବ୍ୟବସ୍ଥା ଚୁପ୍‌ ହୋଇ ବସିଯିବେ, ଯାହାକି ଆଜି ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି କଳାପାହାଡ଼ ସଦୃଶ ଦୁର୍ବୃତ୍ତଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୈଜୟନ୍ତ ଲେଖିଛନ୍ତି।

୧୩ ଦଫା ସମ୍ବଳିତ ଦାବୀ ନେଇ ଗୁଣପୁର ରେ ଆଶା କର୍ମୀ ସଂଘ ର ଗର୍ଜନ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଜନନୀ ସୁରକ୍ଷା ଯୋଜନା ର ସଫଳ ରୂପାୟନ ନିମନ୍ତେ ରାଜ୍ୟ ର ବିଭିନ୍ନ ଗ୍ରାମାଞ୍ଚଳ ରେ ଆଶା କର୍ମୀ ନିଯୁକ୍ତ କରାଯାଇଛି । କିନ୍ତୁ ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ରେ କାର୍ଯ୍ୟରତ ଆଶା କର୍ମୀ ମାନେ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଥିବା ନେଇ ଆଶା କର୍ମୀ ସଂଘ ଅଭିଯୋଗ କରିଛି । ସେମାନଙ୍କ ସମସ୍ୟା ଦୂରୀକରଣ ନିମନ୍ତେ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଜି ଆଶା କର୍ମୀ ମାନେ ଏକ ବିଶାଳ ପଟୁଆର ରେ ଆସି ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ୧୩ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଏଥିରେ ସେମାନେ ଆଶା କର୍ମୀ ମାନେ ପାଇବାକୁ ଥିବା ଉପଯୁକ୍ତ ପ୍ରାପ୍ୟ ଯଥା ସମୟ ରେ ପ୍ରଦାନ କରିବା , ଉପଖଣ୍ଡ ଚିକିତ୍ସାଳୟ ରେ ଡାକ୍ତର ଓ ଷ୍ଟାଫ ମାନେ ଆଶା କର୍ମୀ ଙ୍କୁ ମାଧ୍ୟମ କରି ରୋଗୀ ଶୋଷଣ କୁ ବନ୍ଦ କରିବା , ଉପଖଣ୍ଡ ଚିକିତ୍ସାଳୟ ରଶିଶୁ ବିଭାଗ ରେ ତୁରନ୍ତ ଜଣେ ଶିଶୁ ବିଶେଷଜ୍ଞ ଙ୍କୁ ନିଯୁକ୍ତି ଦେବା , ଆଶା କର୍ମୀ ଙ୍କ ସମାନ କାର୍ଯ୍ୟ କୁ ସମାନ ଟଙ୍କା ଦେବା ଓ ଟଙ୍କା ବାଟମାରଣା ବନ୍ଦ କରିବା , ଗୁଣପୁର ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ ସମୟ ରେ କରାଯାଉଥିବା ଲାଞ୍ଚ କାରବାର କୁ ବନ୍ଦ କରିବା , ଆଶା ଗୃହ ର ବ୍ୟବସ୍ଥା କରିବା , ଚିକିତ୍ସାଳୟର ଶୌଚାଳୟ ନିୟମିତ ସଫା ରଖିବା , ଆଶା କର୍ମୀ ଙ୍କୁ ଏନ୍. ଏମ୍ ମାନେ କରିଥିବା ଦୁର୍ବ୍ୟବହାର ବନ୍ଦ କରିବା ସହ ଲାଞ୍ଚ ମାଗିବା ପ୍ରଥା ବନ୍ଦ କରିବା ଏବଂ ଗୁଡାରୀ ବ୍ଲକ ର ଲାଞ୍ଚଖିଆ ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନ ସ୍ଵାସ୍ଥ୍ୟ ଅଧିକାରିଣୀ ଙ୍କୁ ତୁରନ୍ତ ବଦଳି କରିବା ଭଳି ଦାବି ମାନ ଉଲ୍ଲେଖ କରିଛନ୍ତି । ଏହି ସମସ୍ୟା ଗୁଡିକ ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏହାର ସମାଧାନ କରାନଗଲେ ଆଗାମୀ ଦିନ ରେ ସଂଘ ବାଧ୍ୟ ହୋଇ ବଡ ଧରଣର ଆନ୍ଦୋଳନ କୁ ଆପଣେଇବ ବୋଲି ଚେତାବନୀ ଦେଇଛି ।

ଅଣଓଡ଼ିଆ ଏଜେନ୍ସି କୁ କାମ ଯୋଗାଇ ଶ୍ରମିକ ମାରଣ ନୀତି ଅପଣାଇଛି ଟାଟା ପାୱାର…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଟାଟା ପାୱାର କମ୍ପାନୀ ଓଡ଼ିଶାରେ ଅଣ ଓଡ଼ିଆ ଏଜେନ୍ସି କୁ କାମ ଯୋଗାଇ ଶ୍ରମିକ ମାରଣ ନୀତି ଅପଣାଇଥିବା ଅଭିଯୋଗ ଉଠିଛି । ଖୁବ କମ ପାରିଶ୍ରମିକ ଦେଇ ଯୁବକ ମାନଙ୍କୁ ୪୪୦ ଭୋଲଟ୍ ଭଳି ବିପଦ ସଂକୁଳ କାର୍ଯ୍ୟରେ ଖଟାଉଥିବା କୁହାଯାଉଛି ।କାର୍ଯ୍ୟରତ ଶ୍ରମିକଙ୍କୁ ସୁରକ୍ଷା ଉପକରଣ ଯୋଗାଇ ଦେବା ନିମନ୍ତେ ପ୍ରତିଶୃତି ଦେଇ ପ୍ରତିଶୃତି ଭୁଲିଯାଇଛି କମ୍ପାନୀ ।ଯାହାଫଳରେ ଦୁର୍ଘଟଣା ର ଶିକାର ହୋଇଛନ୍ତି ଲାଇ ଲାଇ ପଞ୍ଚାୟତ ତିଲି ଗ୍ରାମର ନିରୀହ ଆଦିବାସୀ ଯୁବକ ସୁରେଶ ଶବର । ୨୦୨୧ ମସିହା ଜୁଲାଇ ମାସରେ ରାୟଗଡା ଓ ଜୟପୁର ସର୍କଲରେ ତ୍ରିଫେଜ ରିଡିଙ୍ଗ କାର୍ଯ୍ୟ ସମ୍ପାଦନା କରିବା ନିମନ୍ତେ ଟାଟା କମ୍ପାନୀ ରାଜସ୍ଥାନ ର ଭନମାରିଆ ଏଜେନ୍ସିକୁ କାର୍ଯ୍ୟଭାର ଦେଇଥିଲା । ଏହି କାର୍ଯ୍ୟ ସମ୍ପାଦନ କରିବା ସମୟରେ ଜଙ୍ଗଲ ଭିତରେ ଗଜପତି ଜିଲ୍ଲା ଗାରାବନ୍ଧ ବ୍ଲକ ଲାଇଲାଇ ପଞ୍ଚାୟତ ତିଲି ଗ୍ରାମ ର ନିୟୋଜିତ ୨୫ ବର୍ଷୀୟ ଆଦିବାସୀ ଯୁବକ ସୁରେଶ ଶବର ସାପ କାମୁଡ଼ାରେ ଆହତ ହୋଇ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏଥିପାଇଁ ପରିବାର ଲୋକ ଟାଟା କମ୍ପାନୀର ଅସୁରକ୍ଷିତ ବ୍ୟବସ୍ଥା କୁ ଦାୟୀ କରିଛନ୍ତି । ପରେ ସୁରେଶ ଙ୍କ ପରିବାର ଟାଟା ସହ ଚୁକ୍ତିବଦ୍ଧ ରହି ଏହି ଅଂଚଳର ଦାୟିତ୍ୱ ନେଇଥିବା ଭନମାରିଆ କମ୍ପାନୀ ର ଜେନେରାଲ ମ୍ୟାନେଜର ଅଙ୍କିତ ସିଂହାଲ ଙ୍କ ସହ ସର୍କଲ ସର୍କଲ ଇନଚାର୍ଜ ହରିହର ଶତପଥୀ ଓ ସୁପର ଭାଇଜର ୱାଇ ମନମାଧା ଙ୍କ ମାଧ୍ୟମରେ ଯୋଗାଯୋଗ କରିବାରୁ ଭାନମରିଆ କମ୍ପାନୀ ପକ୍ଷରୁ ୨୫୦୦୦ ଟଙ୍କା ଶବ ସତ୍କାର ନିମନ୍ତେ ପାଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ସୁବିଧା ପାଇନାହାନ୍ତି । ପରିବାରର ଭରଣପୋଷଣ ନିମନ୍ତେ କମ୍ପାନୀ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇଦେବା ସହ ପରିବାରର ଜଣେ ବ୍ୟକ୍ତିଙ୍କୁ ଚାକିରୀ ଯୋଗାଇ ଦେବାକୁ ଦାବୀ ହେଉଛି । ଅନ୍ୟ ପକ୍ଷରେ ସୁରେଶ ଶବର ଙ୍କ ଗ୍ରାମବାସୀ ବିଶ୍ୱ ହିନ୍ଦୁ ପରିଷଦ ର କର୍ମକର୍ତ୍ତା ବୃନ୍ଦ ହୋଇ ଥିବାରୁ ପରିଷଦ ପକ୍ଷରୁ ଦାବୀ ପୁରଣ ନିମନ୍ତେ ଆନ୍ଦୋଳତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।