କୋଦଳା ଲଷ୍ମୀନାରାୟଣ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ର ଶୁଭାରମ୍ଭ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା କୋଦଳା ରେ ଥିବା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ଆଜି ଠାରୁ ଆରମ୍ଭ ହୋଇଯାଇଛି ଆତ୍ମ ସୁରକ୍ଷା ତାଲିମ । ଏହି କାର୍ଯ୍ୟକ୍ରମ ଦୀର୍ଘ ୮ ଦିନ ଧରି ଚାଲୁ ରହିବ ।ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ହେଲା କେମିତି ଛାତ୍ରୀ ମନେ ନିଜକୁ ସୁରକ୍ଷା ରଖିପାରିବେ । ଏହି କାର୍ଯ୍ୟକ୍ରମ ରେ କଲେଜ ର ଅଧ୍ୟକ୍ଷ ଡ଼ଃ ସିମାଞ୍ଚଳ ମୁନି ଅଧ୍ୟକ୍ଷତା କରିଥିବାବେଳେ,ଅତିଥି ଭାବରେ ଡ଼ଃ କ୍ଷୀରୋଦ ଚନ୍ଦ୍ର ମହାପାତ୍ର,ମୌସୁମୀ ମିଶ୍ର,କାଳନ୍ଦୀ ଚରଣ ଦାଶ,ଅନିଲ କୁମାର ସାହୁ ଯୋଗ ଦେଇଥିଲେ ତାଲିମ ଶିବିରର ଉପଦେଷ୍ଟା ଅଧ୍ୟାପିକା ସାସାଲିପି ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ସୁଧଷ୍ଠା ପ୍ରଧାନ ସହଯୋଗ କରିଥିଲେ । ମାଷ୍ଟର ଟ୍ରେନର ଭାବରେ ଭାରତୀ ଗୌଡ଼ ଓ ପୂଜାରାଣୀ ଦାଶ ଯୋଗ ଦେଇ ଆତ୍ମ ସୁରକ୍ଷା ତାଲିମ ବିଷୟର ଉଦେଶ୍ୟ ପ୍ରକାଶ କରିବା ସହ ତାଲିମ ପ୍ରଦାନର ଶୁଭଆରମ୍ଭ କରିଥିଲେ । ଉଦ୍ଧାଟନି କାର୍ଯ୍ୟକ୍ରମରେ +୨ପ୍ରଥମ ବର୍ଷର ଛାତ୍ରୀ ବୃନ୍ଦ ଉପସ୍ଥିତ ରହି ତାଲିମ ଶିବିରରେ ଅଂଶଗ୍ରହଣ କରିଥିଲେ ।

ଉଲ୍ଲେଖନୀୟ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ରୋଟାରୀ କ୍ଳବ ଇଷ୍ଟ ସଭାପତି କାମରାଜୁ ମହାରଣା ସମ୍ମାନିତ ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା)- ପଶ୍ଚିମ ବଙ୍ଗର ଦିଘା ଠାରେ ରୋଟାରୀ ଜିଲ୍ଲା ୩୨୬୨ ର ପରିବାର ସମାବେଶ ‘ପରିବର୍ତ୍ତନ ‘ ର ଦୁଇ ଦିନିଆ ସମ୍ମିଳନୀରେ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟର ସଭାପତି କାମରାଜୁ ମହାରଣା ଉଲ୍ଲେଖନୀୟ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ସମ୍ମାନିତ ହୋଇଛନ୍ତି ।ରୋଟାରୀ ଆନ୍ତର୍ଜାତୀୟ ସଭାପତି ଶେଖର ମେହେଟା ଙ୍କ ପ୍ରତିନିଧି ରୂପେ ପୂର୍ବତନ ଗଭର୍ଣ୍ଣର ପିନାକି ପ୍ରସାଦ ଘୋଷ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମାନିତ କରିଥିଲେ ।ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି ଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ପରିଚାଳିତ ଏଇ ଦୁଇ ଦିନିଆ ସମ୍ମିଳନୀରେ ରୋଟାରୀ ଜିଲ୍ଲା-୩୨୬୨ ଅନ୍ତର୍ଗତ ସମସ୍ତ ରୋଟାରୀ କ୍ଳବର କର୍ମକର୍ତ୍ତା ଓ ସଭ୍ୟ ବୃନ୍ଦ ଯୋଗଦେଇଥିଲ ।ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ମଧ୍ୟ ବିଭିନ୍ନ ସେବା ମୂଳକ କାର୍ଯ୍ୟ ପାଇଁ ସ୍ବତନ୍ତ୍ର ଭାବରେ ମାନପତ୍ର ସହ ସମ୍ମାନିତ ହୋଇ ଛି ।ଏଇ କ୍ଳବର ପୂର୍ବତନ ସଭାପତି ତଥା ଆସିଷ୍ଟାଣ୍ଟ ଗଭର୍ଣ୍ଣର ରେପେ ପ୍ରଦୀପ କୁମାର ପଣ୍ଡା ଓ ମାଗଣାରେ କୃତ୍ରିମ ହସ୍ତ ପ୍ରଦାନ ସେବା ପାଇଁ ପୂର୍ବତନ ସଭାପତି ସୁଧାଂଶୁ ଶେଖର ଖଡ୍ଗରାୟ ମଧ୍ୟ ସ୍ବତନ୍ତ୍ର ରୂପେ ସମ୍ମାନିତ ହୋଇଥିବା ଯୋଗୁଁ କ୍ଳବର ସଦସ୍ୟ ମାନଙ୍କ ମଧ୍ୟରେ ଉତ୍ସାହ ଓ ଉଲ୍ଲାସ ଖେଳିଯାଇଛି ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଶିବବ୍ରତ ଦାଶ, ଭବାନି ପ୍ରସାଦ ଚୌଧୁରୀ ଯୋଗଦେଇ ଉଦ୍ବୋଧନ ଦେଇଥିଲେ ।

ସୁମଣ୍ଡଳ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସମେତ ଅନ୍ୟାନ୍ୟ ସ୍ଥାନରେ ଉତ୍କଳ ଦିବସ ପାଳିତ…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଜି ପବିତ୍ର ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ମଧୁବାବୁଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରି ପ୍ରାରମ୍ଭିକ ସଙ୍ଗୀତ ଗାନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଶିଶୁମନ୍ଦିରର କୁନି କୁନି ଭାଇ ଓ ଭଉଣୀ ମାନେ ସମେତ ଗୁରୁଜୀ, ଗୁରୁମା ମାନେ ପବିତ୍ର ଉତ୍କଳ ଦିବସ ପାଳନ ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହିତ ବେଗୁନିଆପଡା ବ୍ଲକ ଅଞ୍ଚଳର ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ମାନଙ୍କରେ ମଧ୍ଯ ଉତ୍କଳ ଦିବସ ପାଳନ ହୋଇଯାଇଛି ।

ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ଆରମ୍ଭ ହେଲା ୧୩ ଦିନିଆ ଦଣ୍ଡନାଚ ।

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ଆଜିଠାରୁ ଆରମ୍ଭ ହେଲା ଗଞ୍ଜାମ ପ୍ରସିଦ୍ଧ ୧୩ ଦିନିଆ ଦଣ୍ଡନାଚ । ଗତ ଦୁଇ ବର୍ଷ କୋଭିଡ୍ କଟକଣା ଭିତରେ ନିରାଡମ୍ବର ଭାବେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥିଲା । ଏ ବର୍ଷ କୋଭିଡ୍ କଟକଣା ନିୟମ କୋହଳ ଥିବାରୁ ବହୁ ଆଡମ୍ବର ସହକାରେ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି । ବେଗୁନିଆପଡା ଅଞ୍ଚଳର ବେଲପଡା , ଷଣ୍ଢମୂଳ, ତାଳସର, ନୂଆଁଗଡ଼ ଆଦି ବିଭିନ୍ନ ସ୍ଥାନରେ ଦଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଛି । ମା ଙ୍କ ନୀତିକାନ୍ତି ଅନୁଯାୟୀ ମା ଙ୍କ ପୀଠରେ ପୂଜାର୍ଚ୍ଚନା, ହୋମଯଜ୍ଞ ସହ ଆଜ୍ଞାମାଳ ଆଣି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଗ୍ରାମରେ ୧୩ ଦିନ ନଗର ପରିକ୍ରମା ପରେ ମା ଙ୍କ ପୀଠରେ ଶେଷ ଦିନ ମେରୁ ଯାତ୍ରା ଅନୁଷ୍ଠିତ ହୋଇ ଯାତ୍ରା ସମାପନ ହେବ । 

ଗୁଣପୁର ରେଳ ଷ୍ଟେସନ ଠାରେ ଟିକଟ ନପାଇ ଜନ ଅସନ୍ତୋଷ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଗୁଣପୁର ଠାରୁ ବିଶାଖାପାଟଣା, ପୁରୀ ଏବଂ ରାଉରକେଲା ନିମନ୍ତେ ରେଳ ବିଭାଗ ପକ୍ଷରୁ ଗାଡି ଚଳାଚଳର ବ୍ୟବସ୍ଥା ରହିଥିବା ବେଳେ ଏଠାରେ କିନ୍ତୁ ରାଜ୍ୟରାଣୀ ଟ୍ରେନ୍ ରେ ଯାତ୍ରୀ ଯିବା ନିମନ୍ତେ ଟିକେଟ ମେଳୁନଥିବାରୁ ଜନ ଅସନ୍ତୋଷ ଲାଗିରହିଛି । ଯାହାକି ଆଜି ଏହା ଜନ ଆନ୍ଦୋଳନର ରୂପ ନେଇଥିବା ଦେଖିବାକୁ ମିଳିଥିଲା। ରାଜଧାନୀ ସମେତ ଦକ୍ଷିଣାଞ୍ଚଳର ମୁଖ୍ୟ ବାଣିଜ୍ୟ ଓ ସ୍ୱାସ୍ଥ୍ୟ ସେବାର ପେଣ୍ଠସ୍ଥଳ ବ୍ରହ୍ମପୁର କୁ ଯିବା ନିମନ୍ତେ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ଜନ ସାଧାରଣ ଗୁଣପୁର ରେଳ ଷ୍ଟେସନ ଉପରେ ନିର୍ଭର କରିଥାଆନ୍ତି । ଅତ୍ୟାବଶ୍ୟକ ଜରୁରୀ କାର୍ଯ୍ୟ ଏବଂ ଚିକିତ୍ସା ନିମନ୍ତେ ଲୋକେ ଯିବାଜୁ ବାହାରୁଥିବା ବେଳେ ଗୁଣପୁର ଠାରେ ଟିକେଟ ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯିବାକୁଥିବା ଯାତ୍ରୀ ରେଳ ବିଭାଗୀୟ ଟି.ଟି ଙ୍କ ଦ୍ଵାରା ଶୋଷିତ ହେଉଥିବା ଅଭିଯୋଗ ହେଉଛି । ବେଳେବେଳେ ଟିଟି ଯାତ୍ରୀଙ୍କୁ ସିଟ ଟିଏ ଦେବା ନିମନ୍ତେ ସାଧାରଣ ଭଡା ଠାରୁ ଦଶ ଗୁଣା ଭଡା ଦାବୀ କରୁଥିବା ଅଭିଯୋଗ ନେଇ ଆଜି ଯାତ୍ରୀ ମାନେ ଗୁଣପୁର ଠାରେ ଟିକେଟ ଦେବା ବ୍ୟବସ୍ଥା କରିବା ଦାବୀରେ ରାଜ୍ୟରାଣୀ ଗାଡିକୁ ଅଟକାଇ ରଖିଥିଲେ । ବହୁ ବାକ୍ୟ ବିତଣ୍ଡା ଓ ତର୍କ ବିତର୍କ ପରେ ଅନ୍ୟ ଯାତ୍ରୀ ଅସୁବିଧାରେ ନପଡ଼ନ୍ତୁ ବୋଲି କିଛି ସମୟ ପରେ ଗାଡି ଛାଡିବାକୁ ଦେଇଥିଲେ । ଏଠାରେ ଦେଖା ଦେଉଥିବା ଏଭଳି ସମସ୍ୟା ସହ ଫାଟକ ନିକଟରେ ଜମୁଥିବା ଟ୍ରାଫିକ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଷ୍ଟେସନ ମାଷ୍ଟର ବିଭାଗୀୟ ଅଧିକାରୀଙ୍କୁ କାହିଁକି ଅଵଗତ କରାଉନାହାନ୍ତି ବୋଲି ପ୍ରଶ୍ନ ଉଠିଛି । କିଛି ନାମିଦାମୀ ବ୍ୟକ୍ତି ନିଜକୁ ରେଳ ବୋର୍ଡର ସଦସ୍ୟ ଏବଂ ରେଳ ଉନ୍ନୟନ କମିଟିର ସଦସ୍ୟ କହି ସେମାନଙ୍କ ସ୍ୱାର୍ଥ ପାଇଁ କାମ କରୁଥିବା କୁହାଯାଇଛି । ତେବେ ଏହି ସମସ୍ୟା ଉପରେ ସାଂସଦ ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସାଧାରଣରେ ଦାବୀ ହେଉଛି । ଏହା ନହେଲେ ଆଗାମୀ ଦିନରେ ଏଭଳି ସମସ୍ୟାକୁ ନେଇ ଏକ ବଡ ଧରଣର ଜନ ଆନ୍ଦୋଳନ ମୁଣ୍ଡ ଟେକିବା ସମ୍ଭାବନାକୁ ଦୁରେଇ ଦିଆଯାଇନପାରେ ।

ଟାଟା ପାୱାର କର୍ମଚାରୀ ଙ୍କ ଗୁଣ୍ଡାରାଜ ; ଚେତାବନୀ ଦେଲେ ଗ୍ରାମବାସୀ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ବର) – କେନ୍ଦ୍ର ରେ କେନ୍ଦ୍ର ସରକାର ଓ ରାଜ୍ଯ ରେ ରାଜ୍ଯ ସରକାର ମା କୁ ସମ୍ମାନ ମାନେ ଦେଶ କୁ ସମ୍ମାନ ବୋଲି ନାରା ବାଜି ଦେଇ ମହିଳା ଙ୍କ ନିମନ୍ତେ ବିଭିନ୍ନ ଯୋଜନା ମାନ କରି ସଫଳ ରୂପାୟନ ନିମନ୍ତେ ଚେଷ୍ଟା କରୁଛନ୍ତି । କିନ୍ତୁ ଏହାର୍ ଓଲାଟା ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଗୋସେଇଁ ଗୁଲୁମୁଣ୍ଡା ପଞ୍ଚାୟତ ବାଙ୍ଗୀ ଗ୍ରାମରେ । ରାଜ୍ଯ ସରକାର ବିଦ୍ୟୁତ୍ ବିଭାଗ କୁ ଟେକି ଦେଇଥିବା ଏକ ଅଣ ଓଡିଆ ଟାଟା ପାୱାର କମ୍ପାନୀ ର କାର୍ଯ୍ୟରତ କର୍ମଚାରୀ ଏହି ଗ୍ରାମ କୁ ଯାଇ ଗୁଣ୍ଡାରାଜ ଭଳି ବ୍ୟବହାର କରିଥିବା ଅଭିଯୋଗ ଉଠିଛି ।

ଘଟଣା ରୁ ଜଣା ପଡିଛି ସ୍ଥାନୀୟ ଜଣେ ଉପଭୋକ୍ତା ଙ୍କ ବିଦ୍ୟୁତ୍ ଲାଇନ୍ ବିଚ୍ଛେଦ କରିବା ନିମନ୍ତେ କାର୍ଯ୍ୟରତ ବିଦ୍ୟୁତ୍ କର୍ମଚାରୀ ପ୍ରୟାସ କରିଥିବା ବେଳେ ଏହାକୁ ସ୍ଥାନୀୟ ମହିଳା ମାନେ ବିରୋଧ କରି କେଉଁ କାରଣ ରୁ ଲାଇନ୍ କଟାଯିବ ବୋଲି ପଚାରି ବୁଝିଥିଲେ । ପରନ୍ତୁ ଏମାନଙ୍କ କଥାର ଉତ୍ତର ନଦେଇ ବିଦ୍ୟୁତ୍ ବିଚ୍ଛେଦ କରିବା ପାଇଁ ଯିବା ସମୟରେ ଏହି ଗ୍ରାମରେ ବାସ କରୁଥିବା ପଞ୍ଚାୟତ ସମିତି ସଦସ୍ୟା ଓ ୱାର୍ଡ଼ ସଦସ୍ୟା ଘଟଣା ସ୍ଥଳରେ ପହଞ୍ଚି କାରଣ ନକହିବା ଯାଏଁ ବିଦ୍ୟୁତ୍ କରିପାରିବେ ନାହିଁ ବୋଲି କହିବାରୁ ଏଠାକୁ ଆସିଥିବା କର୍ମଚାରୀ ଏମାନଙ୍କୁ ଅସଦ୍ ବ୍ଯବହାର କରିଥିବା ଅଭିଯୋଗ କରିଛନ୍ତି । ତୃଣମୂଳ ସ୍ତରରେ କାର୍ଯ୍ୟରତ ଏହି କର୍ମଚାରୀ ମାନଙ୍କୁ ସେମାନଙ୍କ ଉପରିସ୍ଥ ଅଧିକାରୀ ମାନେ ଏଭଳି ବ୍ୟବହାର ପ୍ରଦର୍ଶନ କରିବା ନିମନ୍ତେ କହିଛନ୍ତି କି ବୋଲି ପ୍ରଶ୍ନ କରିବା ସହ, ଯଦି କହିବା ସତ୍ତ୍ୱେ ଜନ ପ୍ରତିନିଧି ମାନଙ୍କୁ ଏଭଳି ବ୍ଯବହାର କରାଯାଏ ତେବେ ସାଧାରଣ ଉପଭୋକ୍ତା ଙ୍କୁ ଏମାନେ କିଭଳି ବ୍ୟବହାର କରୁନଥିବେ ବୋଲି ସମିତି ସଦସ୍ୟା ଶ୍ରୀମତୀ ସୁଷମା ଗୁରୁ ପ୍ରଶ୍ନ ଉଠାଇଛନ୍ତି । ଆଗାମୀ ଦିନରେ ଟାଟା ପାୱାର କର୍ମଚାରୀ ଏଭଳି ବ୍ୟବହାର ପ୍ରଦର୍ଶନ କରିବା ରୁ ବିରତ ନହୁଅନ୍ତି ତେବେ ଏମାନଙ୍କୁ ଉଚିତ୍ ଜାବାବ ଦିଆଯିବ ବୋଲି ଜନ ସାଧାରଣ ଚେତାବନୀ ଦେଇଛନ୍ତି । ଜନ ଅସନ୍ତୋଷ ତେଜିବା ପୂର୍ବରୁ ଏଥି ପ୍ରତି ସମ୍ପୃକ୍ତ କମ୍ପାନୀ ର ସର୍ବୋଚ୍ଚ କର୍ମକର୍ତ୍ତା ଓ ଅଧିକାରୀ ମାନେ ଦୃଷ୍ଟି ଦେବାକୁ ହେବ ନହେଲେ ନେଳି ଗୁଡ଼ କହୁଣୀ କି ହୋଇଯିବ, ସେବେ ଆମେ କହିବୁ ବାବୁ ଏଥର ସମ୍ଭାଳ…!

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସବୁ ବିଜେପି ସାଂସଦ ଓ ୩ କେନ୍ଦ୍ରମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଓଡ଼ିଶାର ସମସ୍ତ ବିଜେପି ସାଂସଦ ଓ ୩ ଜଣ କେନ୍ଦ୍ରମନ୍ତ୍ରୀ ଆଜି ସଂସଦ ଅଧିବେଶନର ଶେଷ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି। ଏହି ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜଳଖିଆ ଖୁଆଇବା ସହ ଲୋକଙ୍କ ନିକଟତର ହେବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଆଜି ଓଡ଼ିଶା ସମେତ ଦିଲ୍ଲୀ, ହରିଆଣା ଓ ଉତ୍ତରାଖଣ୍ଡ ରାଜ୍ୟର ସବୁ ବିଜେପି ସାଂସଦଙ୍କୁ ନିଜ ବାସଭବନକୁ ଡକାଇ ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରିବା ଓ ଲୋକଙ୍କ ନିକଟତର ହୋଇପାରିବେ ସେଥିପ୍ରତି ପରାମର୍ଶ ଦେଇଛନ୍ତି। ଏହି ସାକ୍ଷାତ ସମୟରେ ଓଡ଼ିଶାର ସମସ୍ତ ବିଜେପି ସାଂସଦଙ୍କ ସମେତ ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡ଼ୁ ମଧ୍ୟ ଉପସ୍ଥିତ ଥିଲେ। ଏସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଳାହାଣ୍ଡିର ବିଜେପି ସାଂସଦ ବସନ୍ତ ପଣ୍ଡା କହିଛନ୍ତି ଯେ, ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା। ସମସ୍ତ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ସାହଜନକ ଟିପ୍ସ ଦେଇଛନ୍ତି । ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଓ ଲୋକଙ୍କ ପାଖରେ ସୁଶାସନ ପହଂଚାଇବା ପାଇଁ ପରାମର୍ଶ ଦେଇଛନ୍ତି । ବିଶେଷକରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନାର ସୁଫଳ ଲୋକମାନେ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ସଂସଦ ଅଧିବେଶନ ସମୟରେ ବିଭିନ୍ନ ରାଜ୍ୟର ସାଂସଦମାନଙ୍କୁ ଡାକି ସେମାନଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ଗୁଜୁରାଟ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟର ବିଜେପି ସାଂସଦମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଡାକି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି ।

ଦାୟିତ୍ବ ନେଲେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ; ଗୌଡ଼ ଦମ୍ପତି ଙ୍କ ଦଖଲ କୁ ଗଲା ପୌର ପରିଷଦ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ବର) – ଗୁଣପୁର ପୌର ପରିଷଦର ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଯାଇଛି । ଏହି ପରିପ୍ରେକ୍ଷୀ ରେ ଗୁଣପୁର ଠାରେ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପୂର୍ବତନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼ ଓରଫ ସାନ ଗୌଡ଼ ମୋଟ ୧୯ ଟି ୱାର୍ଡ଼ ରେ ନିଜର ସ୍ଵାଧୀନ ପ୍ରାର୍ଥୀ ଦେଇ ଥିବା ବେଳେ ସେଥି ମଧ୍ୟରୁ ୧୧ ଟି ୱାର୍ଡ ରେ ତାଙ୍କ ସମର୍ଥିକ ପ୍ରାର୍ଥୀ ମାନେ ବିଜୟ ହୋଇଥିଲେ । ସ୍ୱଧୀନ ପ୍ରାର୍ଥୀ ଭାବେ ୱାର୍ଡ ନମ୍ବର ୬ରୁ ଜିତି ଆସିଥିବା ଶିବ ପ୍ରସାଦ ଗୌଡ଼ ଉପାଧ୍ୟକ୍ଷ ନାମାଙ୍କନ ପତ୍ର ଦାଖଲ ର ନିର୍ଦ୍ଧାରିତ ସମୟରେ ନିଜର ସମର୍ଥୀତ ୧୧ ଜଣ ସମର୍ଥକ ଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ପୌର ପରିଷଦର ଅନ୍ୟ ୱାର୍ଡ ରୁ ଜିତି ଆସିଥିବା ବିଜେଡି କାଉନ୍ସିଲର ମାନଙ୍କ ମଧ୍ୟରୁ କେହିବି ନାମାଙ୍କନ ପତ୍ର ଦାଖଲ କରିବା ନିମନ୍ତେ ସାମ୍ନା ଆସିନଥିବା ହେତୁ ଶ୍ରୀ ସାନ ଗୌଡ଼ ଙ୍କୁ ନିର୍ଦ୍ବନ୍ଧରେ ନିର୍ବାଚିତ ଘୋଷଣା କରାଯାଇଥିଲା । ସାରା ରାଜ୍ୟରେ ନବୀନ ହାୱା ଓ ଶଙ୍ଖ ଧ୍ୱନି ଶୁଭା ଯାଉଥିବା ବେଳେ ଗୁଣପୁରରେ ବିଜେଡି ନିର୍ବାଚନ ରଣାଙ୍ଗନରୁ ଛତ୍ରଭଙ୍ଗ ଦେଇଛି । ଏହା ସ୍ଥାନୀୟ ଓ ଜିଲ୍ଲା ନେତା ମାନଙ୍କ ପାରିଆ ପଣିଆ ପ୍ରତି ଆଙ୍ଗୁଳି ନିର୍ଦ୍ଧେଶ କରିଛି । ଅପର ପକ୍ଷରେ ସ୍ଵାଧୀନ ପ୍ରାର୍ଥୀନୀ ଭାବେ ରାଜନୀତି ମଇଦାନ ରେ ପୌରାଧ୍ୟକ୍ଷ ଭାବେ ବିଜୟ ଲାଭ କରିଥିବା ଶ୍ରୀମତୀ ମମତା ଗୌଡ଼ ଆନୁଷ୍ଠାନିକ ଭାବେ ନିଜ ଦାୟିତ୍ଵ ଭାର ଗ୍ରହଣ କରିଥିଲେ ।

ଉଭୟ ଦୁଇଗୋଟି ପଦବୀରେ ସ୍ତ୍ରୀ ଅଧ୍ୟକ୍ଷା ଭାବେ ଏବଂ ଉପାଧକ୍ଷ ଭାବେ ସ୍ୱାମୀ କାର୍ଯ୍ୟ ତୁଲାଇବେ । ବର୍ତ୍ତମାନ ଗୁଣପୁର ପୌର ପରିଷଦ ଗୌଡ଼ ଦମ୍ପତ୍ତି ଙ୍କ ହାତରେ । ପ୍ରକାଶ ଥାଉକି ଗୁଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଭାବେ ଶ୍ରୀ ଗୌଡ଼ କାର୍ଯ୍ୟଭାର ତୁଲାଇ ନିଜର ଦକ୍ଷତା ପ୍ରତିପାଦନ କରିସାରିଛନ୍ତି । ତେଣୁ ଆଗାମୀ ଦିନରେ ଗୁଣପୁର ପୌର ପରିଷଦ ର ଚିତ୍ର ରେଖା ବଦଳି ବୋଲି ଗୁଣପୁର ବାସୀ ଆଶା ବାନ୍ଧିଛନ୍ତି । ଶ୍ରୀ ଗୌଡ଼ ଏହି ବିଜୟ ଯାତ୍ରା ମୋର ନୁହଁ ଏହାର ଗୁଣପୁର ବାସୀଙ୍କ ବୋଲି କହିବା ସହ ଆଗାମୀ ଦିନରେ ଆମେ ସଭିଏଁ ମିଶି ଗୁଣପୁର ସହର କୁ ଏକ ସୁନ୍ଦର୍ ଓ ସୁସ୍ଥ ସହର ଭାବେ ଗଢ଼ି ତୋଳିବା ପାଇଁ ସହର ବାସୀ ଙ୍କ ସହଯୋଗ କାମନା କରିଛନ୍ତି।

ପଟ୍ଟ ବଦଳିଲା ; ପ୍ରଗତିପଥେ ସମିତି – ଜନତା ଙ୍କ ସ୍ଵର

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- 5T ସଚିବ ବ୍ୟବସ୍ଥା ଓ ସିଟିଜେନ ଚାର୍ଟ ଭଳି ରାଜ୍ୟ ସରକାରଙ୍କ ଅନେକ ନିୟମ ଗୁଣପୁର ପଞ୍ଚାୟତ ସମିତି କାର୍ଯ୍ୟଳୟ ରେ ମାତ୍ର କେବଳ ପ୍ରହସନ ପାଲଟିଛି ।  ଗୁଣପୁର ପଞ୍ଚାୟତ ସମିତି କାର୍ଯ୍ୟଳୟ ରେ ସରକାର ଙ୍କ ନିର୍ଧାରିତ ଏବଂ ଆବଶ୍ୟକ ରହିଥିବା ୮ ଟି ଯନ୍ତ୍ରୀ ରହିବା ଜାଗାରେ ଅଛନ୍ତି ମାତ୍ର କେବଳ ୪ ଜଣ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କଟକଣା ଲାଗୁ ହେବା ପରଠାରୁ ବର୍ତ୍ତମାନ ପୌରପରିଷଦ ନିର୍ବାଚନ ସରିଗଲା କିନ୍ତୁ କୌଣସି ଉନ୍ନତି ମୂଳକ କାର୍ଯ୍ୟର ପ୍ରଗତି ହୋଇ ପାରୁନାହିଁ । ପୂର୍ବରୁ ଅଟକି ଥିବା ଅନେକ କାର୍ଯ୍ୟ ଯନ୍ତ୍ରୀ ମାନଙ୍କ କ୍ଷେତ୍ର ପରିଦର୍ଶନ ରେ ଅବହେଳା ,ବିଲ , ଭ।ଉଚର ଇତ୍ୟାଦି ପ୍ରସ୍ତୁତି ରେ ବିଳମ୍ବ ହେଉଥିବା ଯୋଗୁଁ ବ୍ଲକ ରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ଅଧପନ୍ତରିଆ ଭାବେ ଅଟକି ଥିବା ବେଳେ ଅନେକ ଅନୁମୋଦିତ ନୂତନ କାର୍ଯ୍ୟ ମଧ୍ୟ ଫାଇଲ ରେ ବନ୍ଧା ହୋଇ ପଡିରହିଥିବା ଅଭିଯୋଗ ହେଉଛି । ଫଳରେ ଜନସାଧାରଣ ବହୁ ହଇରାଣର ସମ୍ମୁଖୀନ ହେଉଥିବା ବେଳେ ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ ଙ୍କ ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବିଭିନ୍ନ କାର୍ଯ୍ୟ ରେ ଜିଲ୍ଲାର ମୁଖ୍ୟ ଅଧିକାରୀ ମାନେ ଗୁଣପୁର କୁ ଆସୁଥିଲେ ମଧ୍ୟ ଏଠାର ବାସ୍ତବିକ ସ୍ଥିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ କାହିଁକି ଜଣାଇ ସମସ୍ୟା ର ସମାଧାନ କରି ନାହାନ୍ତି ଏହା ସମସ୍ତଙ୍କୁ ବିସ୍ମିତ କରୁଛି । ପୂର୍ବରୁ ସ୍ଥାନୀୟ ବିଜେଡି ନେତା ଙ୍କ କବଜାରେ ଥିବା ପଞ୍ଚାୟତ ସମିତି କାର୍ଯ୍ୟଳୟ ଏବଂ ଏମାନଙ୍କ ଇଙ୍ଗିତରେ କାଠ ପିତୁଳା ଭାବେ ନାଚୁଥିବା ବ୍ଲକ ଉନ୍ନୟନ ଅଧିକାରିଣୀ ଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ସମସ୍ତ ସମିତି ର ଜନତା ଭୋଟ ମାଧ୍ୟମରେ ଏହାର ପରିବର୍ତ୍ତନ କରାଇଛନ୍ତି ବୋଲି ମତ ପ୍ରକାଶ ପାଇଛି । ପଞ୍ଚାୟତ ସମିତି କୁ ସୁନ୍ଦର ଓ ସୁଦୃଢ ଭାବେ ଗଢି ତୋଳିବା ନିମନ୍ତେ ଅଞ୍ଚଳ ବାସୀ ଙ୍କ ରହିଥିବା ଆଶା ଆକାଂକ୍ଷା କୁ ନବ ନିର୍ବାଚିତ ଅଧ୍ୟକ୍ଷା,ଉପାଧ୍ୟକ୍ଷ,ସଦସ୍ୟା ଏବଂ ସଦସ୍ୟ ମାନେ ପୂରଣ କରିପାରିବେ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ଗୁଣପୁର ରାଜନୈତିକ ଦୃଶ୍ୟ ପଟ ବଦଳି ଥିବାରୁ ଠକ ଅଧିକାରୀ ମାନେ ବିଦା ହୋଇ ଆବଶ୍ୟକ ଯନ୍ତ୍ରୀ ଓ ଅଧିକାରୀ ତୁରନ୍ତ ପୁରଣ ହେବ ବୋଲି ଜନ ସାଧାରଣ ଙ୍କ ମନରେ ଆଶା ସଞ୍ଚାର ହୋଇଛି । ଏହି ସମୟ କେବେ ଆସିବ ଦେଖିବାକୁ ରହିଲା ।

ବାପି ସର୍ଖେଲ ଗୋଷ୍ଠୀ ହାତେଇଲେ ଉପାଧ୍ୟକ୍ଷ ପଦବୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଆଜି ରାଜ୍ୟରେ ପୌର ପରିଷଦ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ପାରାଦୀପରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଏହି ପଦ ହାତେଇଛନ୍ତି। ତାଙ୍କ ନାଁ ଛବିଲତା ରାଉତ। ସେ ବାପି ସର୍ଖେଲଙ୍କ ଗୋଷ୍ଠୀର। ଅନ୍ୟପକ୍ଷରେ ଏଠାରେ ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିରେ କ୍ରସ୍ ଭୋଟିଂ ହୋଇଛି। ପାରାଦୀପ ପୌର ପରିଷଦର ଉପାଧ୍ୟକ୍ଷ ପଦ ପାଇଁ ତିନି ଜଣ ପ୍ରାର୍ଥୀ ହୋଇଥିଲେ। ସେମାନେ ହେଲେ ବିଜେଡିର ପ୍ରଭାତି ନାୟକ, ବିଜେପିର ରୁନୁବାଳା ପରିଡ଼ା ଓ ସ୍ୱାଧୀନ କାଉନସିଲର ଛବିଲତା ରାଉତ। ପାରାଦୀପର ୧୯ଟି ୱାର୍ଡ ମଧ୍ୟରୁ ବାପି ସର୍ଖେଲଙ୍କ ‘ଆମ ପାରାଦୀପ ଆମ ପ୍ରଗତି’ ବ୍ୟାନରରେ ସର୍ବାଧିକ ୮ ଜଣ ସ୍ୱାଧୀନ ପ୍ରାର୍ଥୀ କାଉନସିଲର ହୋଇଛନ୍ତି। ସେହିପରି ବିଜେଡିର ୭ ଜଣ ପ୍ରାର୍ଥୀ କାଉନସିଲର ହୋଇଥିବା ବେଳେ ବିଜେପିର ୩ ଓ କଂଗ୍ରେସର ଜଣେ ପ୍ରାର୍ଥୀ କାଉନସିଲର ହୋଇଛନ୍ତି। ବାପି ସର୍ଖେଲ ପୂର୍ବରୁ ଦାବି କରି ଆସୁଥିଲେ ଯେ ତାଙ୍କ ପାଖରେ ୮ ଯୁକ୍ତ ୧ କାଉନ୍‌ସିଲର ଅଛନ୍ତି। ସ୍ୱାଭାବିକ ଭାବେ ସେ ଏକମାତ୍ର କଂଗ୍ରେସ କାଉନ୍‌ସିଲରଙ୍କ ବିଷୟରେ କହୁଥିଲେ। ଆଉ ସେ ବି ଆଜି ଛବିଲତାଙ୍କ ସମର୍ଥନରେ ଭୋଟ୍ ଦେଇଥିବେ। କିନ୍ତୁ ଏହା ବାଦ୍‌ ଛବିଲତାଙ୍କୁ ଆଉ ଗୋଟିଏ ଭୋଟ୍ ମିଳିଥିବା ଜଣାପଡ଼ିଛି। ଆଉ ଏହି ଭୋଟ୍ ବିଜେଡିରୁ ଯାଇଥିବା ଜଣାପଡ଼ୁଛି। କାରଣ ବିଜେଡିର ୭ ଜଣ କାଉନସିଲର ଥିବା ବେଳେ ତାଙ୍କର ଉପାଧ୍ୟକ୍ଷ ପ୍ରାର୍ଥୀ ପ୍ରଭାତି ନାୟକଙ୍କ ସପକ୍ଷରେ ୬ଟି ଭୋଟ୍ ପଡ଼ିଛି। ଅନ୍ୟପକ୍ଷରେ ଛବିଲତା ୧୦ ଖଣ୍ଡ ଭୋଟ୍ ପାଇଛନ୍ତି। ତେବେ ବିଜେଡିର କେଉଁ କାଉନସିଲର ଛବିଲତାଙ୍କୁ ଭୋଟ୍ ଦେଲେ, ତାହା ଜଣାପଡ଼ି ନାହିଁ। କାରଣ ବିଜେଡି ନିର୍ବାଚନ ସମୟରେ ଏଜେଣ୍ଟ ନିଯୁକ୍ତ କରି ନଥିଲା। ଉପାଧ୍ୟକ୍ଷ ପଦ ପାଇଁ ଭୋଟ୍ ହେବା ପୂର୍ବରୁ ବିଜେଡି ଏଜେଣ୍ଟ ନିଯୁକ୍ତ କରି ନଥିବା ଜଣାପଡ଼ିଥିଲା। ଆଉ ଏ ନେଇ ପ୍ରତିକ୍ରିୟା ରଖି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ କହିଥିଲେ ଯେ ଆମର ଏଜେଣ୍ଟ ଦେବାର ଆବଶ୍ୟକତା ନାହିଁ। ବିଜେଡି ଏକ ଶୃଙ୍ଖଳିତ ଦଳ। ଆମର ଏଜେଣ୍ଟ ଦେବା କ’ଣ ଦରକାର? ଆମର କ୍ରସ୍ ଭୋଟିଂ ହେବାର ଚାନ୍ସ ନାହିଁ। ଏହା ସହିତ ସେ କହିଥିଲେ ଯେ ସେମାନଙ୍କର ସଂଖ୍ୟା ଅଧିକ ଅଛି। ସେମାନଙ୍କର ପସିବିଲିଟି ଅଧିକ। ଉପାଧ୍ୟକ୍ଷ ପଦ ନେଇ ସେମାନେ ଖୁସି ହେଲେ ହୁଅନ୍ତୁ।