ରାଜ୍ୟ ସରକାରଙ୍କୁ ସଂସ୍କାରର ପାଠ ପଢ଼ାଇଲେ ଅପରାଜିତା ଷଡ଼ଙ୍ଗୀ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟ ସରକାରଙ୍କୁ ସଂସ୍କାରର ପାଠ ପଢ଼ାଇଲେ ଅପରାଜିତା ଷଡ଼ଙ୍ଗୀ। ସରକାରଙ୍କୁ ସାଧାରଣ ଜ୍ଞାନ ପଢ଼ିବାକୁ ପରାମର୍ଶ ଦେଲେ ସାଂସଦ। ଜଣେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ କିପରି ସମ୍ମାନ ଦିଆଯାଏ, ତାହା ରାଜ୍ୟ ସରକାର ଶିକ୍ଷିବା ଆବଶ୍ୟକ ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ। ରାଜଧାନୀ ପ୍ରତିଷ୍ଠା ଦିବସ ସାମରୋହରେ ଭୁବନେଶ୍ୱର ସାଂସଦଙ୍କୁ କାହିଁକି ନିମନ୍ତ୍ରଣ କରାଗଲା ନାହିଁ ବୋଲି ସେ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପ୍ରଶ୍ନ କରିଛନ୍ତି। ମୌଖିକ ଭାବେ ଡ଼କାଗଲା ନାହିଁ କି ନିମନ୍ତ୍ରଣପତ୍ରରେ ସାଂସଦଙ୍କ ନାମ ରଖାଗଲା ନାହିଁ। ଏହା କେଉଁ ପ୍ରକାର ସାଂସ୍କାର ବୋଲି ଟ୍ୱିଟ୍‌ କରି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା। ଭୁବନେଶ୍ୱରରୁ ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ରାଜଧାନୀ ପ୍ରତିଷ୍ଠା ଦିବସକୁ ନିମନ୍ତ୍ରିତ ହେବା ତାଙ୍କ ଅଧିକାର। ତାଙ୍କୁ କାହିଁକି ଏଥିରୁ ବାଦ୍ ଦିଆଗଲା? ତା’ର ଏକ ବିଧିବଦ୍ଧ ତଦନ୍ତ କରିବାକୁ ଅପରାଜିତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଚିଠି ଲେଖିଛନ୍ତି। ସାଂସଦଙ୍କୁ ଡ଼କା ନଯିବା ପଛରେ କେଉଁ ବ୍ୟକ୍ତି ଉତ୍ତରଦାୟୀ? ତାକୁ ତଦନ୍ତ କରି ବାହାର କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କଠାରୁ ଚିଠିର ପ୍ରତ୍ୟୁତ୍ତର ମଧ୍ୟ ଆଶା କରିଛନ୍ତି। କାରଣ ତାଙ୍କୁ ଭୋଟ୍‌ ଦେଇଥିବା ଭୁବନେଶ୍ୱରବାସୀ ଏହାର କାରଣ ଜାଣିବାକୁ ଚାହୁଁଛନ୍ତି। କରୋନା ପାଇଁ ଗତ ୨ ବର୍ଷ ହେଲା ନିରାଡ଼ମ୍ବର ଭାବେ ପାଳନ ହେଉଥିଲା ରାଜଧାନୀ ପ୍ରତିଷ୍ଠା ଦିବସ। ତେବେ ଚଳିତବର୍ଷ ସମାରୋହକୁ ଧୂମ୍‌ଧାମରେ ପାଳନ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ, ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମ ମିଳିତ ଭାବେ ମୁଖ୍ୟଶାସନ ସଚିବଙ୍କ ସହ ଏନେଇ ବୈଠକ କରିଥିଲେ। ସମାରୋହ ପୂର୍ବରୁ ତିନି ତିନି ଥର ବୈଠକ ବସିଥିଲା। ରାଜଧାନୀ ପ୍ରତିଷ୍ଠା ଦିବସର ଆୟୋଜକଙ୍କ ସହ ରାଜ୍ୟ ସରକାର ସହଯୋଗର ହାତ ବଢାଇ ପ୍ରତିଷ୍ଠା ଦିବସର ସମସ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ସ୍ୱତନ୍ତ୍ର ଭାବେ ଅତିଥିଙ୍କ ତାଲିକା ଓ କାର୍ଯ୍ୟସୂଚୀ ନେଇ ନିମନ୍ତ୍ରଣପତ୍ର ଛପାଗଲା। ନିମନ୍ତ୍ରଣପତ୍ରରେ ୧୬ ଜଣଙ୍କ ନାଁ ରହିଥିଲା। ୩ ଆୟୋଜକଙ୍କ ବାଦ ବାଚସ୍ପତି ସୂର୍ଯ୍ୟ ନାୟରାୟଣ ପାତ୍ର, ରାଜ୍ୟ ସରକାରଙ୍କ ୪ ଜଣ ମନ୍ତ୍ରୀ, ୨ ଜଣ ସ୍ଥାନୀୟ ବିଧାୟକ, ବିଏମ୍‌ସି ମେୟର ଓ କମିଶନର, ଟୁଇନସିଟି ପୁଲିସ୍‌ କମିଶନର, ସୂଚନା ଓ ଲୋକ ସଂପର୍କ ବିଭାଗର ସଚିବ ଓ ନିର୍ଦ୍ଦେଶକ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ହେଲେ ରାଜଧାନୀ ଭୁବନେଶ୍ୱରରୁ ନିର୍ବାଚିତ ଲୋକସଭା ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କୁ ଡ଼କାଗଲା ନାହିଁ। ତାଙ୍କ ନାଁକୁ କୌଣସି ସ୍ଥାନରେ ରଖାଗଲା ନାହିଁ। ଏ କଥା ଖୋଦ୍‌ ଅପରାଜିତା ଟ୍ୱିଟ୍‌ କରି ନିଜ ଦୋଷ କେଉଁଠି ରହିଲା ବୋଲି ପ୍ରଶ୍ନ କରିଛନ୍ତି। କାହିଁକି ଜଣେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଅପରାଜିତାଙ୍କ ଟ୍ୱିଟ୍‌ର ଉତ୍ତର ଏଯାଏ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଗଲା ନାହିଁ। ହେଲେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ବେଶ୍‌ ଚତୁରତାର ସହ ଦେଇଛନ୍ତି ଭୁବନେଶ୍ୱର ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକପଣ୍ଡା। ସେ କହିଛନ୍ତି, “ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ନେଇ ହେବ କଥା। ମୁଁ ଆଶା କରିବି, ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଭୁବନେଶ୍ୱରର ତିନି ଜଣ ନିର୍ବାଚିତ ବିଧାୟକ, ମେୟରଙ୍କୁ ସାମିଲ କରି ଏହି କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିବା କଥା।” ହେଲେ ସାଂସଦଙ୍କ ପାଇଁ ପଦୁଟିଏ କହିଲେ ନାହିଁ ମନ୍ତ୍ରୀ ମହାଶୟ। ସାମ୍ବାଦିକ ଏ ନେଇ ବାରମ୍ୱାର ପ୍ରଶ୍ନ କରିବାରୁ ମନ୍ତ୍ରୀ କହିଲେ, “ଯାହା ନିୟମ ରହିଛି ସମସ୍ତଙ୍କୁ ସାମିଲ କରିବା କଥା। ଆଗାମୀ ଦିନରେ କାର୍ଯ୍ୟକ୍ରମ ଟିକେ ଶୃଙ୍ଖଳିତ ହେବା ଉଚିତ୍। ଏ ନେଇ କୌଣସି ରାଜନୀତିକରଣ କରାଯାଉ ନାହିଁ।” ସେପଟେ ରାଜଧାନୀ ପ୍ରତିଷ୍ଠା ଦିବସର ଆୟୋଜକ ବରିଷ୍ଠ ସମ୍ବାଦିକ ପ୍ରଦୋଷ ପଟ୍ଟନାୟକ କହିଛନ୍ତି, ଭୁବନେଶ୍ୱର ବିକାଶରେ ଅପରାଜିତାଙ୍କର ନିଶ୍ଚିତ ଭାବେ ଏକ ମୂଲ୍ୟବାନ ପଦକ୍ଷେପ ରହିଛି। ଏହାକୁ ଅସ୍ୱୀକାର କରି ହେବନାହିଁ। କିନ୍ତୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା କି ନାହିଁ ମୁଁ ଜାଣି ନାହିଁ। କାରଣ ଚଳିତବର୍ଷ ପ୍ରତିଷ୍ଠା ଦିବସ ସମାରୋହ ଅଧିକ ସରକାରୀ କାର୍ଯ୍ୟକ୍ରମ କହିଲେ ଭୁଲ୍‌ ହେବନାହିଁ। ମୁଖ୍ୟ ଶାସନ ସଚିବ, ଖୋର୍ଦ୍ଧା ଜିଲ୍ଲାପାଳ ଆଦି ଏ ନେଇ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ।“ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟ ସ୍ଥାନୀୟ ସଂସାଦଙ୍କୁ ରାଜଧାନୀ ପ୍ରତିଷ୍ଠା ଦିବସକୁ ଡ଼କା ନ ଯିବାକୁ ନେଇ କଡ଼ା ଭାଷାରେ ନିନ୍ଦା କରିଛି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, “ଅପରାଜିତା ପ୍ରଶ୍ନ ଉଠାଇ ଠିକ୍‌ କରିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଦେବାକୁ ଚାହେଁ, ଭୁବନେଶ୍ୱରରେ ଯେତିକି କାର୍ଯ୍ୟକ୍ରମ ହେଉଛି ସାଂସଦ ଓ ବିଧାୟକଙ୍କୁ ଡ଼କା ଯାଉନାହିଁ। ଅଥଚ ପୂର୍ବତନ ବିଧାୟକଙ୍କୁ ଡ଼କା ଯାଉଛି। ଏହା କଣ ତାଙ୍କ ପୈତୃକ ସମ୍ପତ୍ତି? ଏହା କେବଳ ଗଣତନ୍ତ୍ରର ହତ୍ୟା ବୋଲି କୁହାଯିବ।“ ସେହିପରି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ କହିଛନ୍ତି, “ଏହା ଅତ୍ୟନ୍ତ ନିନ୍ଦନୀୟ କଥା। ଏଭଳି ହୀନମନ୍ୟତା କେବଳ ବିଜେଡିରେ ଦେଖାଦେଇଥାଏ। ଭାବୁଛି ସାରା ଭାରତ ବର୍ଷରେ ଏପରି ହୀନମନ୍ୟତା କୋଉଁଠି ଦେଖାଯାଇନଥିବ। ଯେହେତୁ ସାଂସଦ ବିଜେପି ଦଳର ତାଙ୍କୁ ଡକାଗଲା ନାହିଁ। ରାଜନୈତିକ ହୀନମନ୍ୟତା ଏତେ ତଳକୁ ଖସି ନଯାଉ, ଯାହା ଦ୍ୱାରା ସାଧାରଣ ଲୋକ ଆପଣଙ୍କୁ ଆଙ୍ଗୁଳି ଟେକି କହିବେ।” ସେପଟେ ଅପରାଜିତାଙ୍କ ଘନ ଘନ ଟ୍ୱିଟିକୁ ନେଇ ମଧ୍ୟ ସୋଶାଲ ମିଡ଼ିଆରେ ବେଶ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଭୁବନଶ୍ୱର ସଂସଦୀୟ କ୍ଷେତ୍ରରେ ୭ଟି ଯାକ ବିଧାୟକ ବିଜେଡିରେ ହୋଇଥିବା ବେଳେ ଅପରାଜିତା ବିଜେପି ଟିକେଟରୁ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ବିଗତ ଦିନରେ ଭୁବନେଶ୍ୱରର ବିକାଶଠାରୁ ଆରମ୍ଭ କରି ପୁରୀରେ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରି ଚାଲିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଉ ଯାହାକି ସପକାରଙ୍କ ପାଇଁ ବଡ଼ କଣ୍ଟା ସାଜିଛି।

ପୂର୍ବତନ ଡିଜିପି ଅଭୟ ହେଲେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପୂର୍ବତନ ଡିଜିପି ଅଭୟଙ୍କୁ ନୂଆ ନିଯୁକ୍ତି ଦେଲେ ରାଜ୍ୟ ସରକାର। ତାଙ୍କୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ୫ ବର୍ଷ କିମ୍ବା ୬୨ ବର୍ଷ ବୟସ ହେଲା ପର୍ଯ୍ୟନ୍ତ ସେ କାର୍ଯ୍ୟ କରିବେ। ୨୦୨୧ ଡିସେମ୍ୱର ୩୧ ତାରିଖରେ ଡିଜିପି ଅଭୟ ଚାକିରିରୁ ଅବସର ନେଇଥିଲେ। ଅବସର ପରେ ତାଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କୁ ନାର୍କୋଟିକ୍ସ ଡ୍ରଗ୍ସ ସମ୍ପର୍କିତ ରାଜ୍ୟ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବେ ନିଯୁକ୍ତ ମିଳିଥିଲା। ମୁଖ୍ୟ ସଚିବ ପାହ୍ୟାର ପଦବୀରେ ସେ ଏହି ନିଯୁକ୍ତି ପାଇଥିଲେ।

ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ ସାଂସଦଙ୍କୁ ହୋଇନି ନିମନ୍ତ୍ରଣ; ପଚାରିଲେ-ମୋ’ ଭୁଲ କ’ଣ…?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଆଜି ରାଜଧାନୀର ପ୍ରତିଷ୍ଠା ଦିବସ । ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ହେଲେ ଭୁବନେଶ୍ୱରର ପ୍ରତିଷ୍ଠା ଦିବସରେ ଖୋଦ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିନି କୌଣସି ନିମନ୍ତ୍ରଣ । ଏହାକୁ ନେଇ ସାଂସଦ ଅସନ୍ତୋଷ ଝାଡ଼ିବା ସହ ତାଙ୍କ ଭୁଲ୍‌ କ’ଣ ବୋଲି ପ୍ରଶ୍ନ କରିଛନ୍ତି । ଆଜି ରାଜଧାନୀର ପ୍ରତିଷ୍ଠା ଦିବସ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଛି ସ୍ୱତନ୍ତ୍ର ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏହାର ନିମନ୍ତ୍ରଣ ପତ୍ର “ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର” ଦ୍ୱାରା ପ୍ରସ୍ତୁତ କରାଯାଇଛି । ମାତ୍ର ଉକ୍ତ ନିମନ୍ତ୍ରଣପତ୍ରରେ ସାଂସଦ  ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ନାହିଁ  । ଯାହାକୁ ନେଇ ତେଜିଛି ରାଜନୀତି।  ଖୋଦ ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ କରି ନିଜ ଅସନ୍ତୋଷ ଝାଡ଼ିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ କହିଛନ୍ତି,  ମୋତେ ଛାଡ଼ି ପ୍ରାୟ ସମସ୍ତଙ୍କୁ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ରହିଛି । ଏହି ମହାନ ଦିବସ ଅବସରରେ ମୁଁ ଉତ୍ସବରେ ଯୋଗଦେବାକୁ ଚାହୁଁଥିଲି । ମୋତେ କାହିଁକି ନିମନ୍ତ୍ରଣ କରାଗଲାନି, ମୋର ଦୋଷ କଣ । ଏହା କେବଳଯେ ନିୟମ ବର୍ହିଭୁତ ଏବଂ ଅଗଣତନ୍ତ୍ରିକ ବିଷୟ ତାହା ନୁହେଁ ବରଂ ଅତ୍ୟନ୍ତ ଦୁଃଖ , ପରିତାପ ତଥା ନିନ୍ଦନୀୟ ବିଷୟ  ବୋଲି ଆଲୋଚନା ହେଉଛି । ଅପରାଜିତାଙ୍କ ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି। ସୂଚନାଯୋଗ୍ୟ, ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଥିବାରୁ ପ୍ରଶାସନ ଓ  ବିଭିନ୍ନ ସଂସ୍ଥା ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

 

ଏପ୍ରିଲ୧୮ରୁ ଲୋକସେବା ଭବନକୁ ପ୍ରବେଶ ଅନୁମତି: ଭିତରକୁ ଯାଇପାରିବେନି କାର୍ଯ୍ୟରତ ସାମ୍ବାଦିକ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କରୋନା ମହାମାରୀ ଆଳରେ ରାଜ୍ୟ ସରକାର ୨୦୨୦ ମାର୍ଚ୍ଚ ମାସଠୁ ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନକୁ ପ୍ରବେଶ ଉପରେ ଲଗାଇଥିବା କଟକଣାକୁ ପ୍ରତ୍ୟାହାର କରିନେଇଛନ୍ତି । ଆସନ୍ତା ଏପ୍ରିଲ ୧୮ତାରିଖରୁ ଏସବୁ ସରକାରୀ ପ୍ରତିଷ୍ଠାନ ଭିତରକୁ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ମିଳିବ । କିନ୍ତୁ ଆଶ୍ଚର୍ଯ୍ୟର କଥା, ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଏସବୁ ସରକାରୀ ପ୍ରତିଷ୍ଠାନ ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ । କେବଳ ସରକାରଙ୍କ ଦ୍ୱାରା ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ଆଜି ନିର୍ଦ୍ଦେଶନାମା ଜାରି ହୋଇଛି । ରାଜ୍ୟ ଗୃହ ବିଭାଗର ଓଏସଡି ତଥା ସ୍ୱତନ୍ତ୍ର ସଚିବ ପି ସି ପ୍ରଧାନ ଆଜି ସମସ୍ତ ବିଭାଗକୁ ଚିଠି ଲେଖି ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ ଆସନ୍ତା ଏପ୍ରିଲ ୧୮ତାରିଖରୁ ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ ହେବ । ଏସବୁ ପ୍ରତିଷ୍ଠାନରେ ଥିବା ଅଭ୍ୟର୍ଥନା ପ୍ରକୋଷ୍ଠକୁ ୧୮ରୁ କାର୍ଯ୍ୟକ୍ଷମ ମଧ୍ୟ କରାଯିବ । ସାଧାରଣ ଲୋକେ ନିଜର ଆପତ୍ତି ଅଭିଯୋଗ ସହ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ପାଇଁ ସଚିବାଳୟ ଆସିପାରିବେ । ଏସବୁ ପ୍ରତିଷ୍ଠାନରେ ପ୍ରବେଶ ପାଇଁ ପାସ୍ ନିମନ୍ତେ ଅନଲାଇନ୍ ଓ ‘ଇପ୍ରବେଶ’ ଆପ୍ ମାଧ୍ୟମରେ ବି ସାଧାରଣ ଲୋକେ ଆବେଦନ କରିପାରିବେ । ଏହାସହିତ କେବଳ ଅଧିସ୍ୱୀକୃତ ସାମ୍ବାଦିକମାନେ ସଚିବାଳୟ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ । ତେବେ ଦୀର୍ଘଦିନ ଧରି କାର୍ଯ୍ୟରତ ସାମ୍ବାଦିକମାନେ ଲୋକସେବା ଭବନ ଭିତରକୁ ପ୍ରବେଶ ନିମନ୍ତେ ଦାବି କରୁଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି । ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ଭାବେ ଖବର ସଂଗ୍ରହ କରୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କ ମଧ୍ୟରେ ‘ସରକାରୀ ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକ’ ସଂଖ୍ୟା ନଗଣ୍ୟ । ସାଧାରଣ ଲୋକଙ୍କ ନିକଟରେ ସରକାର ଓ ପ୍ରଶାସନର ଟିକିନିଖି ଖବର ପହଂଚାଉଥିବା ଏହି କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଲୋକସେବା ଭବନକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯାଇନଥିବା ଜଣାପଡ଼ିଛି । ଯଦିଓ ପୂର୍ବରୁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଅନୁମୋଦିତ ସମସ୍ତ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସଚିବାଳୟର ଏହି ୩ଟି ଭବନ ଭିତରକୁ ପ୍ରବେଶ ନିମନ୍ତେ ଅନୁମତି ମିଳୁଥିଲା । କିନ୍ତୁ ଆଜି ଗୃହ ବିଭାଗର ନିର୍ଦ୍ଦେଶନାମାରେ କେବଳ ସରକାରୀ ଅଧିସ୍ୱୀକୃତି ସାମ୍ବାଦିକଙ୍କୁ ପ୍ରବେଶ ପାଇଁ ଅନୁମତି ଦେଇ ରାଜ୍ୟ ସରକାର ପୁଣିଥରେ କାର୍ଯ୍ୟରତ ସାମ୍ବାଦିକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚାହିଁଛନ୍ତି । ରାଜ୍ୟରେ ଏବେ ଉଭୟ ପ୍ରିଣ୍ଟ, ଇଲୋକ୍ଟ୍ରୋନିକ ଓ ୱେବ ମିଡିଆର ରାଜ୍ୟସ୍ତରୀୟ ମୋଟ ୧୪୦ଜଣ ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଓ ୪୭ଜଣ ମୁକ୍ତବୃତ୍ତ ସାମ୍ବାଦିକ ଅଛନ୍ତି । ଏହି ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କ ମଧ୍ୟରୁ ନିୟମିତ ଖବର ସଂଗ୍ରହ କାର୍ଯ୍ୟରେ ହାତଗଣତି ସାମ୍ବାଦିକ ରହିଛନ୍ତି । କିଛି ସାମ୍ବାଦିକଙ୍କ ମୃତ୍ୟୁ ପରେ ମଧ୍ୟ ସରକାରୀ ତାଲିକାରେ ସେମାନଙ୍କ ନାଁ ଗଡ଼ି ଚାଲିଛି । ଏହି ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତ ସାମ୍ବାଦିକ ଖବର ସଂଗ୍ରହ ପାଇଁ ସଚିବାଳୟକୁ ଆସିଥାନ୍ତି । ଦୀର୍ଘବର୍ଷ ଧରି ଏହି ଅଧିସ୍ୱୀକୃତି ସାମ୍ବାଦିକ ତାଲିକାକୁ ସରକାର ସମୀକ୍ଷା ମଧ୍ୟ କରିନାହାନ୍ତି । ତଥାପି ସରକାର ଆଜି ଏଭଳି ନିର୍ଦ୍ଦେଶନାମା ଜାରି କରି କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରବେଶ ଉପରେ ପରୋକ୍ଷରେ ଅଙ୍କୁଶ ଲଗାଇଛନ୍ତି । ସିଧାସଳଖ ଭାବେ କହିବାକୁ ଗଲେ, ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟରତ ସାମ୍ବାଦିକ (ଯେଉଁମାନେ ନିୟମିତ ଖବର ସଂଗ୍ରହ କରୁଛନ୍ତି) ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ସାମ୍ବାଦିକ ସରକାରଙ୍କ ଅଧିସ୍ୱୀକୃତି ପାଇନଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ରାଜ୍ୟରେ ସାମ୍ବାଦିକଙ୍କୁ ଅଧିସ୍ୱୀକୃତି ଦେବା ନିମନ୍ତେ କମିଟିକୁ ରାଜ୍ୟ ସରକାର ଦୀର୍ଘ ଦେଢ଼ ଦଶନ୍ଧି ଧରି ନିରସ୍ତ୍ର କରି ରଖିଥିବାବେଳେ ଏବେବି ସରକାରଙ୍କ ପାଖରେ ଅଧିସ୍ୱୀକୃତି ପାଇବାକୁ ରାଜ୍ୟସ୍ତରରେ ୪୨ଜଣ ସାମ୍ବାଦିକ, ଜିଲ୍ଲାସ୍ତରରେ ୩୦ଜଣ ଓ ମୁକ୍ତବୃତ୍ତିରେ ୧୦ଜଣ ସାମ୍ବାଦିକଙ୍କ ଆବେଦନ ପଡ଼ିରହିଥିବା ସୂଚନା ମିଳିଛି ।

ଆଜି ପ୍ରତିଷ୍ଠା ଦିବସ; ୭୪ ବର୍ଷରେ ପାଦ ଥାପିଲା ଭୁବନେଶ୍ୱର …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ।  ୭୪ ବର୍ଷରେ ପାଦ ଥାପିଲା ରାଜଧାନୀ । ଟେମ୍ପଲ ସିଟିରୁ ସ୍ମାର୍ଟ ସିଟିର ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ । ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ । ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି ବଦଳିଛି ଏହି ୭୪ ବର୍ଷ ମଧ୍ୟରେ । ଐତିହ୍ୟ ସହର ଭାବେ ପରିଚିତ ଭୁବନେଶ୍ୱର ଏବେ ଅତ୍ୟାଧୁନିକ । ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସ୍ପୋଟର୍ସର ହବ୍ ଭାବେ ବି ବେଶ ପରିଚିତ ।  ରୋଜଗାର ପାଇଁ  ବି ଅନେକ ଲୋକଙ୍କ ପ୍ରଥମ ଚଏସ ପାଲଟିଛି ଭୁବନେଶ୍ୱର। ବହୁ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇଛି ରାଜଧାନୀ। ଜର୍ମାନ ଆର୍କିଟେକ ଓଟୋ କନିଙ୍ଗ୍ସବର୍ଜରଙ୍କ ପରିକଳ୍ପିତ ଏହି ସହର ହେଉଛି ଭାରତର ପ୍ରଥମ ପରିକଳ୍ପିତ ସହର । ଜାମସେଦପୁର ଏବଂ ଚଣ୍ଡୀଗଡ଼ ସହର ମଧ୍ୟ ଏହି ଢାଞ୍ଚାରେ ନିର୍ମିତ ହୋଇଛି ।  ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଥିବାରୁ ପ୍ରଶାସନ ଓ  ବିଭିନ୍ନ ସଂସ୍ଥା ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଜାରି ହୋଇଛି ଆରେଷ୍ଟ ୱାରେଣ୍ଟ। ଜାତୀୟ ଅନୁସୂଚିତ ଜନଜାତି କମିଶନ ନିଜ ସାମ୍ବିଧାନିକ କ୍ଷମତା ପ୍ରୟୋଗ କରି ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ଗିରଫ କରି ନୂଆଦିଲ୍ଲୀ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟରେ ହାଜର କରାଇବା ପାଇଁ ରାଜ୍ୟ ଡିଜିପି ସୁନୀଲ କୁମାର ବଂଶଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦୁଝର ଜିଲ୍ଲାର ଆଦିବାସୀ ମାନେ ବିଭିନ୍ନ ସମସ୍ୟା (ବ୍ୟକ୍ତିଗତ/ସାମୂହିକ) ନେଇ କମିଶନଙ୍କ କ୍ଷେତ୍ରୀୟ ଓ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆବେଦନ କରିଥିଲେ।

ଗତ ଏକ ବର୍ଷ ଧରି କେନ୍ଦୁଝର ଜିଲ୍ଲାପାଳଙ୍କୁ କମିଶନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କ ଆବେଦନର ଶୁଣାଣିରେ ଭାଗ ନେବା ପାଇଁ ନୋଟିସ୍ ଓ ସମନ୍ ଜାରି କରାଯାଇଥିଲା। କିନ୍ତୁ ଜିଲ୍ଲାପାଳ କମିଶନଙ୍କ ନିକଟରେ ଉପସ୍ଥିତ ନହେବାରୁ ଶେଷରେ ତାଙ୍କ ନାଁରେ ଗିରଫ ପରୱାନା ଜାରି କରାଯାଇଛି। ଏପ୍ରିଲ ୧୩ ତାରିଖ ପୂର୍ବାହ୍ଣ ୧୧ଟା ମଧ୍ୟରେ ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ କମିଶନଙ୍କ ନିକଟରେ ହାଜର କରାଇବାକୁ ଡିଜିପି ସୁନୀଶ କୁମାର ବଂଶଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରା ନଗଲେ, ତା’ର କାରଣ ସଂପର୍କରେ ୧୩ ତାରିଖ ସୁଦ୍ଧା ଜଣାଇବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଜଣାଇଛନ୍ତି।

ବାଲି ଚାଲାଣକୁ ରାଜସ୍ବ ବିଭାଗ ପକ୍ଷରୁ ଚଡ଼ାଉ…!

!!! ରାୟଗଡ଼ା ରୁ ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡ଼ା)- ରାୟଗଡ଼ାରେ ନାଗାବଳୀ ନଦୀ କୂଳରେ ଦୈନିକ ବେଆଇନ ଭାବେ ବାଲି ଚାଲାଣକୁ ରାଜସ୍ବ ବିଭାଗ ପକ୍ଷରୁ ଚଡ଼ାଉ ହୋଇଛି।ପଡୋଶୀ ଆନ୍ଧ୍ର ବ୍ୟବସାୟୀ ରାୟଗଡାରେ ଡେରା ପକାଇ ବେଆଇନ ଭାବେ ରାତି ଅଧୂ ନାଗାବଳୀ ଗର୍ଭରୁ ଜେସିବି ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ କରି ଭାରିଯାନ ଯୋଗେ ଆନ୍ଧ୍ରକୁ ଚୋରା ଚାଲାଣ କରୁଛନ୍ତି।ବିନା ଅନୁମତିରେ କୋଟିକୋଟି ଟଙ୍କା ସରକାରୀ ରାଜସ୍ୱ କୁ ଫାଙ୍କି ବେଆଇନ କାରବାର ଚାଲିଥିବା ବେଳେ ପ୍ରଶାସନ ଏଥି ପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଥିଲା।ଏହି ପରିପ୍ରେକ୍ଷୀରେ ଆଜି ରାୟଗଡ଼ା ତହସିଲଦାର ତାପସ ରାଉତଙ୍କ ନେତୃତ୍ୱରେ ଏକ ଟିମ ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ବେଆଇନ ବାଲି ଉତ୍ତୋଳନ ସ୍ଥାନରେ ଚଢ଼ାଉ କରିଥିଲେ। ସେହି ସମୟରେ ଟ୍ରାକ୍ଟର ଯୋଗେ ଚାଲାଣ ହେଉଥିବା ୧୦ଟି ଟ୍ରାକ୍ଟରକୁ ତହସିଲଦାର ଜବତ କରିବା ସହ ତହସିଲ କାର୍ଯ୍ୟାଳୟ ପରିସରରେ ଅଟକ ରଖାଯାଇଛି।ପ୍ରତ୍ୟେକ ଟ୍ରାକ୍ଟରରେ ୱାଇଫର୍ମ ନଥାଇ ବାଲି ପରିବହନ କରିଥିବାରୁ ମାଲିକଙ୍କ ଠାରୁ ୧୦,୦୦୦ ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି।

କୋଦଳା ଏନଏସିରେ ବିଜେପି ପକ୍ଷରୁ ବିଶାଳ ବିଜୟ ଶୋଭାଯାତ୍ରା ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରେ ବିଜେପି ପକ୍ଷରୁ ବିଶାଳ ବିଜୟ ଶୋଭାଯାତ୍ରା । କୋଦଳା ଏନଏସିରେ ବିଜେପି ଦଳର ଅଧ୍ୟକ୍ଷ ପ୍ରାର୍ଥୀ ସୁର୍ଯ୍ୟନାରାୟଣ ନାୟକ ବିଜୟ ଲାଭ କରିଥିବା ବେଳେ ଉପାଧ୍ୟକ୍ଷା ଭାବେ ବିଜେପି ପ୍ରାର୍ଥୀନୀ ରଞ୍ଜିତା ସେଠୀ ବିଜୟ ଲାଭ କରିବା ସହ କୋଦଳା ଏନଏସିର ୧୩ ଟି ୱାର୍ଡ ମଧ୍ୟରୁ ୮ଟି ୱାର୍ଡରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଥିଲେ। କୋଦଳାବାସୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ବିଜେପି ପକ୍ଷରୁ ବିଜୟ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ଶୋଭା ଯାତ୍ରାରେ କୋଦଳା ଏନଏସି ଅଧ୍ୟକ୍ଷ ସୁର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ରଞ୍ଜିତା ସେଠୀଙ୍କ ସମେତ ରାଜ୍ୟ ବିଜେପି ଉପ ସଭାନେତ୍ରୀ ଅନିତା ଶୁଭଦର୍ଶିନୀ, ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା, ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଓ ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା, ସମ୍ପାଦକ ଆଲୋକ କୁମାର ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ ପଲାଇ, ଘୁମୁସର ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ମୀରା ଦେଓ, ସ୍ୱପ୍ନା ପ୍ରଧାନ, ବରିଷ୍ଠ ବିଜେପି ନେତା ନୀଳମଣି ବିଶୋଇ, ଅନୀଲ ପଣ୍ଡା, ସନ୍ତୋଷ କୁମାର ନାୟକ, ଶଙ୍କର ନାୟକ, ଯଜ୍ଞ ନାରାୟଣ ଦାଶ, ସନ୍ତୋଷ କୁମାର ଡାକୁଆଙ୍କ ସମେତ କୋଦଳା ଏନଏସିର ସମସ୍ତ ବିଜୟୀ ବିଜେପି କାଉନସିଲର ଓ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ।

କୋଦଳାରେ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କଲେ ଏନଏସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା)- ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରେ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରିଛନ୍ତି ନବ ନିର୍ବାଚିତ ଏନଏସି ଅଧ୍ୟକ୍ଷ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ନାୟକ ଓ ଉପାଧ୍ୟକ୍ଷା ଶ୍ରୀମତୀ ରଞ୍ଜିତା ସେଠୀ । ଏନଏସିରେ ଥିବା ନୋଡାଲ ଉଚ୍ଚ ବିଦ୍ୟାଳୟ, ସ୍ବର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିବା ସହ ଅପରିଷ୍କାର ଥିବା ସ୍ଥାନକୁ ତୁରନ୍ତ ସଫା କରିବା ପାଇଁ କହିଥିଲେ। ଛାତ୍ରଛାତ୍ରୀମାନଙ୍କ ସହ କଥା ହେବା ସହ ସେମାନେ କରିଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ ।

ସେହିପରି ଲଷ୍ମୀନାରାୟଣ ମହାବିଦ୍ୟାଳୟକୁ ଯାଇ ସେଠାରେ ପାନୀୟ ଜଳର ଅସୁବିଧା ଥିବା ଜାଣିବା ପରେ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଥିଲେ । ୪ଟି ଅଙ୍ଗନବାଡି କେନ୍ଦ୍ରର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଥିଲେ । ସେଠାରେ ବିଦ୍ୟୁତ ସଂଯୋଗ ନଥିବା ହେତୁ ସିଡିପିଓଙ୍କ ସହ ଯୋଗାଯୋଗ କରି ସେ ବିଷୟରେ ଜଣାଇଥିଲେ । ଏହା ସହ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ ।

ଓଏଭି ପ୍ରବେଶିକା ପରୀକ୍ଷାରେ ତେଜସ୍ମିନିଙ୍କ ସଫଳତା…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡ଼ା)- ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରାଜପୁର ଓଡିଶା ଆଦର୍ଶ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀରେ ନାମଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାରେ ବେଗୁନିଆପଡା ସରକାରୀ ଉପ୍ରା ବିଦ୍ୟାଳୟର ଛାତ୍ରୀ ତେଜସ୍ମିନି ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତେଜସ୍ମିନି ମିନତୀ ଦାସ ତଥା ସରୋଜ କୁମାର ମିଶ୍ରଙ୍କ ଝିଅ ଅଟନ୍ତି । ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଯୋଗ୍ୟତା ହାସଲ କରିଥିବାରୁ ଛାତ୍ରୀ ତେଜସ୍ମିନି ନିଜର ସଫଳତା ପାଇଁ ନିଜ ବାପା ସରୋଜ କୁମାର ମିଶ୍ର ମାତା ମିନତୀ ଦାସ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଆଶୀର୍ବାଦ ବୋଲି ମତ ପ୍ରକାଶ କରିଛନ୍ତି। ଭବିଷ୍ୟତରେ ଆହୁରି ଅଧିକ ସଫଳତା ହାସଲ କରିବେ ବୋଲି ତେଜସ୍ମିନି ଆଶା ରଖିଛନ୍ତି ।