ସମ୍ବିଧାନ ପ୍ରଣେତା ଡ଼.ବି.ଆର ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଉକୁମ୍ବା ପଞ୍ଚାୟତ ଠାରେ ସମ୍ବିଧାନ ପ୍ରଣେତା ଡ଼.ବି .ଆର ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଓଡିଶା ସେବାସ୍ତମ୍ବ ଓ ଆଦିବାସୀ ଦଳିତ ବିକାଶ ପରିଷଦ ମିଳିତ ଭାବେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ଶ୍ରୀ ରବି ଶଙ୍କର ଗମାଙ୍ଗ ଓ ସେବା ସ୍ତମ୍ଭ ଓଡିଶା ରାଜ୍ୟ ସମ୍ପାଦକ ଶ୍ରୀ ବୋମାଲି କାନ୍ତାରାଓ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ତଥା ସାମାଜସେବୀ ଶ୍ରୀ ପ୍ରଦୀପ କୁମାର ଦାଶ, ସମ୍ମାନ୍ନିତ ଅତିଥି ଭାବେ ପେନେକାମ ସମିତି ସଭ୍ୟ ମାଣ୍ଡାଙ୍ଗି ଶମ୍ବାୟା , ଉକୁମ୍ବା ୱାର୍ଡ଼ ମେମ୍ବର ଶ୍ରୀ ଏସ୍. ବାବୁ ରାଓ ଓ ଗୁଣପୁର ଉପଖଣ୍ଡ ଲୋକ ସମ୍ପର୍କ ବିଭାଗ କର୍ମୀ ଶ୍ରୀ ଅନନ୍ତ ପାତ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟ କ୍ରମରେ ସମାଜସେବୀ ଶ୍ରୀ ପ୍ରଣବ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସର ରେ ଆୟୋଜିତ ଏକ ସାଧାରଣ ସଭାରେ ନିମନ୍ତ୍ରିତ ଅତିଥିମାନେ ଡ଼ଃ. ଆମ୍ବେଦକର ଙ୍କ ସ୍ମୃତି ଚାରଣ କରିବା ସହ ଆଗାମୀ ଦିନରେ ନିଜକୁ ଜଣେ ଆମ୍ବେଦକର ଭାବେ ଗଢିତୋଳି ଜାତିର ସମ୍ମାନ ରଖିବା ନିମନ୍ତେ ଆହ୍ଵାନ ଦେଇଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭ ରେ ଅତିଥୀଙ୍କ ଦ୍ୱାରା ଡ଼ଃ.ଆମ୍ବେଦକରଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଦ୍ଵୀପ ପ୍ରଜ୍ଵଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରଯାଇଥିଲା ।

ସମସ୍ତ ଦେଶପ୍ରେମୀ,ଜନନାୟକ ଓ ସ୍ୱଧୀନ ସଂଗ୍ରାମୀଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରାଯିବା ଭଳି ଅନୁଷ୍ଠାନ ମାନଙ୍କରେ ଡ଼ଃ.ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ କୁହାଯାଇଥିବା ବେଳେ ଏହା ପାଳନ କରିବା ନିମନ୍ତେ ପଦକ୍ଷେପ ନେବାତ ଦୂରର କଥା ଉତ୍ସବ ପାଳନ ସ୍ଥାନକୁ ସରକାରୀ ବଡ ବାବୁ ବାବୁଆଣୀ ମାନେ ନିମନ୍ତ୍ରଣ ପରେ ନିମନ୍ତ୍ରିତ ଅତିଥିଭାବେ ଯୋଗ ଦେବାକୁ ମଧ୍ୟ ଆସୁ ନାହାନ୍ତି ବୋଲି ଉପସ୍ଥିତ ସଭା ସଦଗଣ କ୍ଷୋଭ ପ୍ରକାଶ କରିଥିଲେ । ଆୟୋଜିତ ସଭାରେ ଡ଼ଃ.ଆମ୍ବେଦକରଙ୍କ ଜୀବନୀ ଓ ତାଙ୍କ ଦ୍ୱାରା ପ୍ରଣୀତ ସମ୍ବିଧାନ ନେଇ ଭାଷଣ ଦେଇଥିବା କୁନିଝିଅ ଜୟଶ୍ରୀ କୌଶଲ୍ୟାଙ୍କ ବକ୍ତବ୍ୟରେ ମୁଗ୍ଧ ହୋଇ ନିମନ୍ତ୍ରିତ ଅତିଥୀଙ୍କ ପକ୍ଷରୁ ୫୦୦ ଓ ଗ୍ରାମବସୀଙ୍କ ପକ୍ଷରୁ ୨୦୦ ଟଙ୍କା ଭାରତୀୟ ମୁଦ୍ରା ଉପହାର ଦିଆଯାଇଥିଲା ।

ବିଜେଡି କବଜାରେ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’; ଚାଲିଛି ସଂଗଠନ କାର୍ଯ୍ୟ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପଂଚାୟତ ଓ ପୌର ନିର୍ବାଚନ ସମୟରେ ପ୍ରାର୍ଥୀ ଚୟନଠୁ ଆରମ୍ଭ କରି ବିଜୟୀ ଦଳୀୟ ପ୍ରତିନିଧିମାନଙ୍କୁ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’କୁ ଡକାଯାଇ ଦଳ ପକ୍ଷରୁ ଗୁରୁମନ୍ତ୍ର ଦିଆଯାଉଥିଲା। ରାଜ୍ୟର ସାଧାରଣ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଯୋଡ଼ି ହୋଇ ସେମାନଙ୍କର ଆପତ୍ତି-ଅଭିଯୋଗ ଶୁଣିବା ନିମନ୍ତେ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’ ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କଠୁ ନ୍ୟାୟ ଓ ହକ୍ ପାଇବା ଆଶାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ସ୍ଥାନକୁ ଛୁଟି ଆସିଥା’ନ୍ତି । କିନ୍ତୁ ଏହି କାର୍ଯ୍ୟାଳୟ ଏବେ ବିଜୁ ଜନତା ଦଳର କବଜାରେ । କରୋନା ଆଳରେ ଗତ ୨ବର୍ଷରୁ ଅଧିକ ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ପ୍ରକୋଷ୍ଠକୁ ବନ୍ଦ କରାଯାଇ ଥିବାବେଳେ ଏହା ଏବେ ବିଜେଡିର ଦଳୀୟ କାର୍ଯ୍ୟାଳୟ ପାଲଟିଛି । ଯଦିଓ ବିଜେଡିକୁ ରାଜଧାନୀର ୬ ନମ୍ବର ଅଂଚଳରେ ଗୋଟିଏ ସରକାରୀ କ୍ୱାର୍ଟର୍ସ ଓ ଅଢ଼େଇ ଏକର ଜମି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି । ସୂଚନା ଅନୁସାରେ, ଗତ ଦୁଇବର୍ଷରୁ ଅଧିକ ସମୟ ଧରି ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’ ନିୟମିତ ଖୋଲା ରହୁଥିଲେ ମଧ୍ୟ ସର୍ବସାଧାରଣଙ୍କୁ ଏଠାରେ ପ୍ରବେଶ ପାଇଁ ଅନୁମତି ନାହିଁ । କରୋନା ମହାମାରୀ ସଂକ୍ରମଣ ଆଶଙ୍କା ଓ କଟକଣା ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ୨୦୨୦ ମାର୍ଚ୍ଚ ମାସରୁ ଆନୁଷ୍ଠାନିକ ଭାବେ ବନ୍ଦ କରି ଦିଆଯାଇଛି । ସେବେଠୁ ସାଧାରଣ ଲୋକେ ଅଫଲାଇନରେ ନିଜର ଅଭିଯୋଗକୁ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ କାର୍ଯ୍ୟାଳୟ ନିକଟରେ ପହଂଚାଇବା ସମ୍ଭବପର ହେଉନି । ଆଉ ଏହି ସୁଯୋଗରେ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’କୁ ବିଜେଡି ନିଜର ସାଂଗଠନିକ କାର୍ଯ୍ୟ ନିମନ୍ତେ ଉପଯୋଗ କରିଛି । ପଂଚାୟତ ଓ ପୌର ନିର୍ବାଚନ ସମୟରେ ପ୍ରାର୍ଥୀ ଚୟନଠୁ ଆରମ୍ଭ କରି ବିଜୟୀ ଦଳୀୟ ପ୍ରତିନିଧିମାନଙ୍କୁ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’କୁ ଡକାଯାଇ ଦଳ ପକ୍ଷରୁ ଗୁରୁମନ୍ତ୍ର ଦିଆଯାଉଥିଲା । ଏବେବି ରାଜ୍ୟର ବିଭିନ୍ନ ଭାଗରୁ ଆସୁଥିବା ଦଳୀୟ ନେତାମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ’ରେ ଦଳର ନେତା (ନବୀନ ପଟ୍ଟନାୟକ ନୁହଁନ୍ତି)ଙ୍କୁ ଭେଟିବାକୁ ନିର୍ଦ୍ଦେଶ ଦିଆଯାଉଛି । ପରିସ୍ଥିତି ଏପରି ହୋଇଛି ଯେ, ଏହି ଅଭିଯୋଗ ପ୍ରକୋଷ୍ଠ ପରିସରରେ ଥିବା ଲନରେ ବିଜେଡିର କିଛି ନେତା ନିୟମିତ ଭାବେ ବସୁଥିବା ଦେଖିବାକୁ ମିଳୁଛି । ତେବେ ପ୍ରଶ୍ନ ଉଠୁଛି, ସବୁ ଆଇନକାନୁନକୁ ଜଳାଞ୍ଜଳି ଦେଇ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’ ଭଳି ଏକ ସମ୍ବେଦନଶୀଳ ସ୍ଥାନକୁ ବିଜେଡି କାହିଁକି ନିଜର ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ଉପଯୋଗ କରୁଛି । ମୁଖ୍ୟମନ୍ତ୍ରୀଙ୍କ ପଦର ଗାରିମାକୁ ବଜାୟ ନରଖି କାହିଁକି ସବୁକ୍ଷେତ୍ରରେ ଦଳୀୟ ସଂଗଠନ ନାଁରେ ଏହି ପଦବୀର ଅମର୍ଯ୍ୟାଦା କରିବାକୁ ପଛାଉ ନାହିଁ? ଅନ୍ୟ ସବୁ ରାଜନୀତିକ ଦଳକୁ ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ସରକାରୀ କ୍ୱାର୍ଟର୍ସ ଅବା ସ୍ଥାନ ଦିଆଯାଇଥିବାବେଳେ ବିଜେଡିକୁ ୨ଟି ସରକାରୀ କ୍ୱାର୍ଟର୍ସ ଦିଆଯାଇଛି । ତା’ବାଦ୍ ବିଜେଡି ଚଂଚକତା କରି ନିଜ କ୍ଷମତାର ଅପବ୍ୟବହାର କରି ଦଳର ମୁଖ୍ୟାଳୟ ଥିବା କ୍ୱାର୍ଟର୍ସକୁ ଲାଗି ରହିଥିବା ସରକାରୀ କୋଠାକୁ ଭାଙ୍ଗି ମୂଲ୍ୟବାନ ପ୍ରାୟ ଅଢ଼େଇ ଏକର ଜମିକୁ ମଧ୍ୟ ହାତେଇ ନେଇଛି । କେବଳ ସେତିକି ନୁହେଁ, ରାଜଭବନ ସମ୍ମୁଖରେ ଥିବା ଏକ ସରକାରୀ କ୍ୱାର୍ଟର୍ସକୁ ବିଜେଡି ବିଧାୟକ ତଥା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଆବଣ୍ଟିତ ହୋଇଛି । ଏହି ସରକାରୀ କ୍ୱାର୍ଟର୍ସରେ ବହୁ କୋଟି ଟଙ୍କା ବ୍ୟୟ କରାଯାଇଛି । ଏସବୁ ସ୍ଥାନଗୁଡ଼ିକରେ ବିଜେଡି ନିଜର ସାଂଗଠନିକ କାର୍ଯ୍ୟକ୍ରମ କରିବାରେ କୌଣସି ସମସ୍ୟା ନାହିଁ । ଅତି ଜରୁରୀ ଥିଲେ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜସ୍ୱ ବାସଭବନ ନବୀନ ନିବାସରେ ବି ସାଂଗଠନିକ କାର୍ଯ୍ୟକ୍ରମ ହୋଇପାରିବ । ମାତ୍ର ବିଜେଡି ଏସବୁ ପ୍ରତି ଗୁରୁତ୍ୱ ନଦେଇ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’କୁ ଏବେ ନିୟମିତ ଭାବେ ଦଳୀୟ କାର୍ଯ୍ୟାଳୟ ଭଳି ଉପଯୋଗ କରିବାରେ ଲାଗିଛି । ଦଳର ନେତା, ମନ୍ତ୍ରୀ ଓ କର୍ମୀମାନଙ୍କୁ ଏହି ସ୍ଥାନକୁ ଡକାଯାଇ ସଂଗଠନ ସମ୍ପର୍କରେ ନିୟମିତ ଚର୍ଚ୍ଚା କରାଯାଉଥିବା ଜଣାପଡ଼ିଛି । ରାଜନୀତିକ ବିଶ୍ଲେଷକଙ୍କ କହିବା ଅନୁସାରେ, ଶାସକ ଦଳ ଓ ସରକାର ମଧ୍ୟରେ ଗୋଟିଏ ଲକ୍ଷ୍ମଣରେଖା ରହିବା ଉଚିତ୍ । ଯାହାକୁ କେହି ଅତିକ୍ରମ କରିବା ଅନୁଚିତ୍ । ସରକାରଙ୍କ ପ୍ରତି ଦଳମତ ନିର୍ବିଶେଷରେ ସମସ୍ତଙ୍କ ଆସ୍ଥା ରହିବା ସ୍ୱାଭାବିକ । ଯଦି ସରକାର ନିଜେ ଲକ୍ଷ୍ମଣରେଖା ଉଲ୍ଲଘଂନ କରିବେ ଓ ଏଥିପାଇଁ ଅନୁମତି ଦେବେ ତଥା ସବୁକିଛି ଦଳୀୟ ସଂଗଠନ ହିସାବରେ ଚାଲୁ ବୋଲି ଚାହିଁବେ ତା’ହେଲେ ଗଣତନ୍ତ୍ର ଏଠାରେ ମୂଲ୍ୟହୀନ ହୋଇପଡ଼ିବା ସ୍ୱାଭାବିକ । ଶାସକ ବିଜେଡିକୁ ଯଦି ନିଜର ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ସ୍ଥାନର ଅଭାବ ପଡ଼ୁଛି ତା’ହେଲେ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’ ଦଳ ନିଜ ନାଁରେ ଆବଣ୍ଟିତ କରାଇ ନେଉ । ଅନ୍ୟ କୌଣସି ସରକାରୀ କୋଠାରେ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’ କାର୍ଯ୍ୟ କରୁ । ଯାହାଫଳରେ ସାଧାରଣ ଲୋକଙ୍କ ପାଇଁ ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’ର ବିଶ୍ୱସନୀୟତା ବଜାୟ ରହିପାରିବ ବୋଲି ମତ ପ୍ରକାଶ ପାଇଛି ।

କେନ୍ଦ୍ରୀୟ ଯୋଜନାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବ ବିଜେପି ଯୁବମୋର୍ଚ୍ଚା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟରେ କେନ୍ଦ୍ରୀୟ ଯୋଜନାର ସୁଫଳ ପାଉଥିବା ହିତାଧିକାରୀ ଓ ଯୋଜନାର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ପାଇଁ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ନିଷ୍ପତ୍ତି ନେଇଛି । ଆଜି ଯୁବମୋର୍ଚ୍ଚାର ପଦାଧିକାରୀ ବୈଠକ ପରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହଛନ୍ତି ଯେ, ଦେଶ ତଥା ଓଡ଼ିଶାର ଉନ୍ନତି ପାଇଁ ମୋଦି ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ମାତ୍ର ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ଏହି ଯୋଜନାଗୁଡ଼ିକ ରାଜ୍ୟରେ କାର୍ଯ୍ୟକାରୀ କରାଉନାହାନ୍ତିଁ । ରାଜ୍ୟ ସରକାରଙ୍କ ମନ୍ଦ ଆଭିମୁଖ୍ୟ କାରଣରୁ ରାଜ୍ୟବାସୀ କେନ୍ଦ୍ରୀୟ ଯୋଜନାର ସୁଫଳ ପାଇବାରୁ ବଂଚିତ ହୋଇଛନ୍ତି । ତେବେ କେନ୍ଦ୍ରୀୟ ଯୋଜନାର ସୁଫଳ ପାଉଥିବା ହିତାଧରକାରୀ ଏବଂ ଯୋଜନାର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଯୁବମୋର୍ଚ୍ଚା କର୍ମକର୍ତ୍ତାମାନେ ଆସନ୍ତା ୧୮ ଏବଂ ୨୦ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯିବେ ବୋଲି ସେ କହିଛନ୍ତି । ଆସନ୍ତା ୧୮ତାରିଖରେ ଯୁବ ମୋର୍ଚ୍ଚା ତରଫରୁ ସହରାଂଚଳ ଓ ଗ୍ରାମାଂଚଳରେ ସ୍ୱଚ୍ଛ ବାତ୍ତା ସଂପର୍କରେ ସଚେତନତା ସୃଷ୍ଟି କରାଯାଇ କାର୍ଯ୍ୟରତ ସଫେଇ କର୍ମଚାରୀମାନଙ୍କୁ ସ୍ୱଚ୍ଛ ସୈନିକ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ଶୌଚାଳୟ ପାଇଥିବା ହିତାଧିକାରୀମାନଙ୍କୁ ସହ ଆଲୋଚନା କରିବା ସହିତ ସ୍ୱଚ୍ଛ ଭାରତ ସଂପର୍କରେ ସଚେତନତା ସୃଷ୍ଟି କରାଯିବ। ଏହାସହିତ ‘ୱାଲର୍ଡ ହେରିଟେଜ ଡେ’ ଉପଲକ୍ଷେ ଯୁବମୋର୍ଚ୍ଚା କର୍ମକର୍ତ୍ତାମାନେ ନିଜ ନିଜ ଅଂଚଳରେ ଥିବା ଐତିହ୍ୟସ୍ଥଳକୁ ଯାଇ ସେଠାରେ ଥିବା ମନ୍ଦିର, ନଦୀ, ପୁଷ୍କରଣୀ ବା ଐତିହାସିକ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରିବେ । ଆସନ୍ତା ୨୦ ତାରିଖରେ ଯୁବମୋର୍ଚ୍ଚା କର୍ମକର୍ତାମାନେ ଦେଶ ପାଇଁ ବଳିଦାନ ଦେଇଥିବା ସୈନିକମାନଙ୍କୁ ସମ୍ମାନିତ କରିବେ ବୋଲି ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଆଜିର ଏହି ବୈଠକରେ ବିଜେପି ବରିଷ୍ଠ ନେତା ଶାରଦା ଶତପଥୀ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡ଼ଜେନା, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ପ୍ରଭାରୀ ଶଶାଙ୍କ ରାଜ, ଓମ୍‌ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଚଇତି ପର୍ବରେ ମାଆ ତାରିଣୀଙ୍କ ଆଶୀର୍ବାଦ ନେଲେ ଲକ୍ଷାଧିକ ଶ୍ରଦ୍ଧାଳୁ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)-  ଚଇତି ପର୍ବ ଦିନ ଘଟଗାଁବାସିନୀ ମାଆ ତାରିଣୀ ଆବିର୍ଭାବ ହୋଇଥିଲେ। ତେଣୁ ୯ ତାରିଖରୁ ବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ମାଆଙ୍କ ଜନ୍ମ ଦିନ ଧୁମ୍‌ଧାମରେ ପାଳନ କରାଯାଉଛି। ଆଜିର ଦିନଟିରେ ମାଆଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଆଜି ଦିନରେ ମାଆଙ୍କୁ ଦର୍ଶନ କରିବା ଲାଗି ଦୂର ଦୂରାନ୍ତରୁ ଭକ୍ତମାନେ ଘଟଗାଁକୁ ଧାଇଁ ଆସିଥାଆନ୍ତି। ଆଜି ଲକ୍ଷାଧିକ ଭକ୍ତ ମାଆଙ୍କୁ ଦର୍ଶନ କରିଛନ୍ତି। ମହାମାରୀ କରୋନା ପାଇଁ ଦୁଇ ବର୍ଷ ଧରି ମାଆଙ୍କ ଚଇତି ପର୍ବ ହୋଇପାରୁନଥିଲା। କେବଳ ନୀତିକାନ୍ତି ହେଉଥିଲା। ମହାମାରୀ କରୋନାର କୋପ କମିବା ପରେ ଚଳିତ ବର୍ଷ ମାଆଙ୍କ ପର୍ବକୁ ଧୂମ୍‌ଧାମ୍‌ରେ ପାଳନ କରାଯାଇଛି। ରାତି ଦୁଇଟାରୁ ନୀତିକାନ୍ତି ଆରମ୍ଭ ହୋଇଥିଲା। ପ୍ରଥମେ ମାଆଙ୍କ ସ୍ନାନ ଓ ମହାସ୍ନାନ କରାଯାଇଥିଲା। ତା’ପରେ ମାଆଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇଥିଲା। ଭୋର ୪ଟା ସବୁ ପୂଜା ସରିବା ପରେ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲିଥିଲା। ତା’ପରେ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଯାଇ ମାଆଙ୍କୁ ଦର୍ଶନ କରୁଛନ୍ତି। ମାଆଙ୍କ ପୂଜା କାର୍ଯ୍ୟରେ ୨୭ ଜଣ ପୂଜକ ନିୟୋଜନ ଅଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦୂରଦୂରନ୍ତରୁ ଆସୁଥିବା ଭକ୍ତଙ୍କ ଅନ୍ନ ପ୍ରସାଦର ବ୍ୟବସ୍ଥା ହୋଇଥିବା ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ଘଟଗାଁ ବାସିନୀ ମାଆ ତାରିଣୀଙ୍କ ଘଟଗାଁ ପୀଠରେ ୧୯୩୭ ମସିହା ଆଜିର ଦିନରେ ପରିଚାଳନା କମିଟି ଗଠନ ହୋଇଥିଲା। ପବିତ୍ର ବିଷୁବ ପଣା ସଂକ୍ରାନ୍ତି ଅବସରରେ ଦୀର୍ଘ ୮୬ ବର୍ଷ ଧରି ଏହି ପର୍ବ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇଆସୁଛି। ବାର୍ଷିକ ଉତ୍ସବରେ ମାଆଙ୍କ ସୁନା ବେଶ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ବହୁ ସଂଖ୍ୟାରେ ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ତଦନ୍ତ ନ ହେଲେ ସପ୍ତାହେ ପରେ ମନେ ପକେଇବି; ଜବାବ ଚାହୁଁଛନ୍ତି ରାଜଧାନୀ ଜନ ସାଧାରଣ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ଅବିଚାରକୁ ଭୁଲି ପାରୁ ନାହାନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଗତକାଲି ରାଜଧାନୀ ପ୍ରତିଷ୍ଠା ଦିବସରେ ଆୟୋଜିତ କାର୍ଯ୍ୟକ୍ରମକୁ ଖୋଦ ସାଂସଦଙ୍କୁ ଡକାଯାଇ ନ ଥିଲା। ଏହାକୁ ନେଇ ସାଂସଦ ରାଜ୍ୟ ସରକାରଙ୍କ ଉପରେ ଅଭିମାନ କରି ଗତକାଲି ଟ୍ୱିଟ କରି ମୋର ଭୁଲ୍‌ କ’ଣ ବୋଲି ପଚାରିଥିଲେ। ଏହାପରେ ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ଆଜି ପୁଣିଥରେ ଟ୍ୱିଟ କରି ରାଜଧାନୀବାସୀ ସରକାରଙ୍କ ଜବାବକୁ ଅପେକ୍ଷା କରିଛନ୍ତି, ଯଦି ତଦନ୍ତ ନ ହୁଏ ତେବେ ସପ୍ତାହେ ପରେ ପୁଣି ଥରେ ମନେ ପକେଇବି ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ରାଜ୍ୟ ସରକାରଙ୍କ ଆଗ ଧାଡ଼ିର ମନ୍ତ୍ରୀ, ଅଫିସର ଅନୁଧ୍ୟାନ ହେବ ବୋଲି କହି ଘଟଣାକୁ ଚାପି ଦେବାକୁ ଉଦ୍ୟମ ଚଳାଇଥିବା ବେଳେ ନିଜ ପ୍ରତି ହୋଇଥିବା ଅପମାନକୁ କିନ୍ତୁ ସହଜେ ଭୁଲିବା ମୁଡରେ ନାହାନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ଗତକାଲି ରାଜଧାନୀର ପ୍ରତିଷ୍ଠା ଦିବସ ଅବସରରେ ଟ୍ୱିଟ କରି ନିଜ ମନର ବ୍ୟଥା ଜଣାଇଥିବା ସାଂସଦ ଅପରାଜିତା ମହାନ୍ତି ଆଜି ପୁଣି ଥରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଟ୍ୱିଟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଗତକାଲି ଲେଖିଥିବା ଚିଠିକୁ ଦର୍ଶାଇ ତୁରନ୍ତ ଏହି ଘଟଣାର ତଦନ୍ତ କରାଯିବ ବୋଲି ଆଶା ରଖିଥିବା ଉଲ୍ଲେଖ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ସାଂସଦ  ଉଲ୍ଲେଖ କରିଥିଲେ, ଭୁବନେଶ୍ୱରରୁ ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ରାଜଧାନୀ ପ୍ରତିଷ୍ଠା ଦିବସକୁ ନିମନ୍ତ୍ରିତ ହେବା ତାଙ୍କର ଅଧିକାର। ତାଙ୍କୁ କାହିଁକି ଏଥିରୁ ବାଦ୍ ଦିଆଗଲା? ତା’ର ଏକ ବିଧିବଦ୍ଧ ତଦନ୍ତ ଆବଶ୍ୟକ। ସାଂସଦଙ୍କୁ ଡକା ନଯିବା ପଛରେ କେଉଁ ବ୍ୟକ୍ତି ଉତ୍ତରଦାୟୀ? ତାକୁ ତଦନ୍ତ କରି ବାହାର କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କଠାରୁ ଚିଠିର ପ୍ରତ୍ୟୁତ୍ତର ମଧ୍ୟ ଆଶା କରିଛନ୍ତି। କାରଣ ତାଙ୍କୁ ଭୋଟ୍‌ ଦେଇଥିବା ଭୁବନେଶ୍ୱରବାସୀ ଏହାର କାରଣ ଜାଣିବାକୁ ଚାହୁଁଛନ୍ତି ବୋଲି ନିଜ ଚିଠିରେ ଉଲ୍ଲେଖ କରିଥିଲେ ଅପରାଜିତା । ସେପଟେ ଅପରାଜିତାଙ୍କୁ ନିମନ୍ତ୍ରଣ କରା ନ ଯିବା ଘଟଣାରେ ଆଜି ପ୍ରତିକ୍ରିୟା ରଖିଛନ୍ତି ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ। କ’ଣ ହେଇଛି, କାହିଁକି ହେଇଛି ସେ ନେଇ ଅନୁଧ୍ୟାନ ହେବ ବୋଲି କହିଛନ୍ତି। ଅନେକ ସମୟରେ ବରପୁତ୍ରଙ୍କ ପୁଣ୍ୟତିଥିରେ ନିମନ୍ତ୍ରଣ କଲେ ବି ଅତିଥି ଆସୁନାହାନ୍ତି। ତେଣୁ କ’ଣ ହେଇଛି ବୁଝିବା, ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ରଘୁନନ୍ଦନ ଦାସ। ସୂଚନାଯୋଗ୍ୟ, ଗତକାଲି ରାଜଧାନୀ ପ୍ରତିଷ୍ଠା ଦିବସକୁ ରାଜ୍ୟ ସରକାରଙ୍କ ତରଫରୁ ବେଶ୍‌ ଜାକଜମକରେ ପାଳନ କରାଯାଇଥିବା ବେଳେ ଭୁବନେଶ୍ୱର ସାଂସଦଙ୍କୁ କିନ୍ତୁ ମିଳି ନ ଥିଲା ନିମନ୍ତ୍ରଣ। ଯାହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିବା ସହ ଟ୍ୱିଟ୍ କରି ଅସନ୍ତୋଷ ଝାଡ଼ିଥିଲେ ଅପରାଜିତା। ଟ୍ୱିଟ୍‌ କରି ସେ କହିଥିଲେ, ମୋତେ ଛାଡ଼ି ପ୍ରାୟ ସମସ୍ତଙ୍କୁ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ରହିଥିଲା। ଏହି ମହାନ ଦିବସ ଅବସରରେ ମୁଁ ଉତ୍ସବରେ ଯୋଗ ଦେବାକୁ ଚାହୁଁଥିଲି। ହେଲେ ମୋତେ କାହିଁକି ନିମନ୍ତ୍ରଣ କରାଗଲାନି? ମୋର ଦୋଷ କ’ଣ ବୋଲି ପ୍ରଶ୍ନ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।

‘ଯେତେ ଶୀଘ୍ର ପିସିସି ସଭାପତି ପରିବର୍ତ୍ତନ ହେବ ସେତେ ଭଲ’…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ‘ପିସିସି ସଭାପତି ପରବର୍ତ୍ତନ ହେବା ନୂଆ କଥା ନୁହେଁ। ପ୍ରତି ଦୁଇ ତିନି ବର୍ଷରେ ସଭାପତି ପରିବର୍ତ୍ତନ ହୁଅନ୍ତି । ପରିବର୍ତ୍ତନର ଆବଶ୍ୟକତା ରହିଛି। ତାହା ଯେତେ ଶୀଘ୍ର ହେବ ସେତେ ଭଲ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଧରାଶାୟୀ ହେବା ପରେ ପିସିସି ସଭାପତି ପରିବର୍ତ୍ତନକୁ ନେଇ ଜୋର ଚର୍ଚ୍ଚା ଚାଲିଥିବା ବେଳେ ଖୋଦ୍ ଶ୍ରୀ ପଟ୍ଟନାୟକ ଏହି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,  ଖରାପ ଲୋକ ଖରାପ ମେସେଜ ଦେବେ । ପିସିସି ସଭାପତି ପରିବର୍ତ୍ତନ ନୂଆ ନୁହେଁ । ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ୨୦୧୯ରୁ  ସଭାପତି ପଦରୁ ଇସ୍ତଫା ଦେଇଛି। ଏଆଇସିସି ଯେବେ ଚାହିଁବ ନିଷ୍ପତ୍ତି ନେବ ।  କିଏ ପରବର୍ତ୍ତୀ ପିସିସି ସଭାପତି ହେବେ, ସେ ନିଷ୍ପତ୍ତି ଏଆଇସିସିର । ଦଳରେ ବହୁତ ଯୋଗ୍ୟ ଲୋକ ଅଛନ୍ତି। ସଭାପତି ପଦ ପାଇଁ  ଯିଏ ଦଳକୁ ସମ୍ଭାଳି ପାରିବ ଓ ଦଳକୁ ଆଗକୁ ନେଇ ପାରିବ ସେମିତି ଲୋକଙ୍କୁ ବାଛିବା କଥା।ତେବେ ଯିଏ ବି ପିସିସି ସଭାପତି ପଦ ପାଇବେ ତାଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି ନିରଞ୍ଜନ।

ଖରାଛୁଟିରେ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ହେବ ଶିକ୍ଷଣୀୟ କାର୍ଯ୍ୟକ୍ରମ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କୋଭିଡ୍ ମହାମାରୀ ଯୋଗୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଯେଉଁ ବ୍ୟାଘାତ ସୃଷ୍ଟି ହୋଇଛି ତା’ର ଭରଣା କରିବା ପାଇଁ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଖରାଛୁଟି ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ସ୍କୁଲଗୁଡ଼ିକରେ ଆୟୋଜନ କରିବାକୁ ‘ମୋ ସ୍କୁଲ ଅଭିଯାନ’ର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ବିକାଶ ପାଇଁ ସ୍କୁଲ ଓ ବ୍ଲକସ୍ତରରେ ‘ମୋ ସ୍କୁଲ’ ଦ୍ୱାରା ମନୋନୀତ ସ୍ୱତନ୍ତ୍ର ସେଚ୍ଛାସେବୀମାନେ କାର୍ଯ୍ୟ କରିବେ । ଭିତ୍ତିଭୂମି ବିକାଶ ସହ ପିଲାମାନଙ୍କ ବୌଦ୍ଧିକ ବିକାଶ ପାଇଁ ଏହି ସ୍ୱେଚ୍ଛାସେବୀମାନେ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେବେ ।‘ମୋ ସ୍କୁଲ’ ପୁରାତନ ଛାତ୍ରଛାତ୍ରୀ ତଥା ମନୋନୀତ ସ୍ୱେଚ୍ଛାସେବୀମାନଙ୍କ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରିବ। ଏଥିପାଇଁ ସ୍କୁଲ ଓ ବ୍ଲକସ୍ତରରେ ସ୍ୱେଚ୍ଛାସେବୀମାନଙ୍କୁ ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ମୋ’ ସ୍କୁଲ ଅଭିଯାନର ବରିଷ୍ଠ ଅଧିକାରୀମାନେ ୨୦ଟି ଜିଲ୍ଲା ଗସ୍ତ ୬୯ଟି ବ୍ଲକରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ‘ମୋ ସ୍କୁଲ’ ଦ୍ୱାରା ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତ ଭାବେ କାର୍ଯ୍ୟ କରିବାକୁ ବ୍ଲକସ୍ତରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନିବେଦନ କରିଛନ୍ତି । ‘ମୋ ସ୍କୁଲ’ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ରାଜ୍ୟର ୨୭ଟି ଜିଲ୍ଲାକୁ ମୋଟ ୧୨୮.୩୨କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ମାସକ ମଧ୍ୟରେ ୧୮ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ ଅଭିଯାନ’ ସହ ଯୋଡ଼ି ହୋଇଛନ୍ତି । ସେମାନେ ନିଜ ନିଜ ସ୍କୁଲର ବିକାଶ ପାଇଁ ୬କୋଟି ୪୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବିଭିନ୍ନ ସିଏସଆର ପାଣ୍ଠିରୁ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକର ବିକାଶ ପାଇଁ ‘ମୋ ସ୍କୁଲ ଅଭିଯାନ’କୁ ୩୬.୨୪କୋଟି ଟଙ୍କାର ଅନୁଦାନ ଆସିଛି । ମୋ ସ୍କୁଲର ‘୧୦୦ ସ୍କୁଲ କାର୍ଯ୍ୟକ୍ରମ’ ମାଦ୍‌ୟମରେ ରାଜ୍ୟର ୧୦୦ଟି ହାଇସ୍କୁଲକୁ ଭିତ୍ତିଭୂମି ଓ ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷ ବିଦ୍ୟାଳୟ ଭାବେ ବିକଶିତ କରିବାକୁ ତ୍ୱରିତ୍ ପଦକ୍ଷେପ ନିଆଯାଉଛି । ଏହି ପରିଷଦ ବୈଠକରେ ସମସ୍ତ ସଦସ୍ୟ ଯୋଗ ଦେଇଥିବା ଜଣାପଡ଼ିଛି ।