ନାଲ୍‌କୋ ଓ ହାଲ୍‌ରେ ଚାକିରି ଦେବା ନାଁରେ ଠକେଇ, ୫ ଗିରଫ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବଡ଼ କମ୍ପାନୀରେ ଚାକିରି କରାଇଦେବାକୁ କହି ବଡ଼ ଧରଣର ଠକେଇ ଅଭିଯୋଗ।  କୋରାପୁଟ ସେମିଳିଗୁଡ଼ାରୁ ୫ ଜଣଙ୍କୁ ଗିରଫ କଲା ପୁଲିସ।  ଅଭିଯୋଗ ଅନୁସାରେ, ଦାମନଯୋଡ଼ି ନାଲ୍‌କୋ ଓ ସୁନାବେଡ଼ାର ହାଲ୍ ଭଳି ବଡ଼ ବଡ଼ କମ୍ପାନୀରେ ଠିକା ନିଯୁକ୍ତି ଦେବା ନାଁରେ ଏକ ରାକେଟ୍ ଚାଲିଥିଲା।  ୭୦ ଜଣ ପିଲାଙ୍କ ଠାରୁ ୪୦ ହଜାର ଟଙ୍କା ଲେଖାଏଁ ନେଇ ସେମାନଙ୍କୁ ନକଲି ନିଯୁକ୍ତିପତ୍ର ଓ ଗେଟ୍ ପାସ୍ ଆଦି ଦିଆଯାଇଥିଲା। ତେବେ କିଛି ପିଲା ନାଲ୍‌କୋ କାରଖାନାକୁ କାମ କରିବାକୁ ଯିବାରୁ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇଥିଲେ ଏବଂ ସେମାନଙ୍କ ପାସ୍ ନକଲି ବୋଲି କହିଥିଲେ। ଠକେଇରେ ଶିକାର ହୋଇଥିବା ଚାକିରି ଆଶାୟୀମାନେ ଥାନାରେ ଅଭିଯୋଗ କରିବା ପରେ ଦାମନଯୋଡ଼ି ଓ ସୁନାବେଡ଼ା ସମେତ ୩ଟି ଥାନାର ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା।  ତଦନ୍ତ ପରେ ଜାଲ୍ ସଂସ୍ଥା ଖୋଲିଥିବା ରାୟଗଡ଼ା ସହରର ୨ଜଣ ସୁଧିର ଚୌଧୁରୀ ଓ ତାଙ୍କ ପୁଅ ସନ୍ତୋଷ ଚୌଧୁରୀଙ୍କୁ ଗିରଫ କରିଛି ପୁଲିସ। ଏଥିସହ କୋରାପୁଟ ସେମିଳିଗୁଡ଼ାର ଏକ ସମ୍ଭ୍ରାନ୍ତ ହୋଟେଲରୁ ୩ ଜଣଙ୍କୁ ଗିରଫ କରାଯାଇଛି।  ସେମାନେ ହେଲେ ଭୁବନେଶ୍ୱରର ସନ୍ତୋଷ ବରାଡ଼ ଓ କମଳ ଲୋଚନ ମହାନ୍ତି ଏବଂ ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁରର ଅଭିମନ୍ୟୁ ମିଶ୍ର।  ଗିରଫ ଅଭିଯୁକ୍ତମାନଙ୍କ ଠାରୁ ବିଭିନ୍ନ କମ୍ପାନୀର ୧୭ଟି ନକଲି ଷ୍ଟାମ୍ପ, ୫୫ଟି ଗେଟ୍ ପାସ, କଲର୍ ପ୍ରିଣ୍ଟର, କମ୍ପ୍ୟୁଟର୍, ହାର୍ଡଡିସ୍କ, ୨୧ ହଜାର ନଗଦ ଟଙ୍କା ଏବଂ ଏକ କାର୍ ଜବତ ହୋଇଛି।

କୋଟିଆକୁ ନିଜର କରିବାକୁ ଆନ୍ଧ୍ରର ନୂଆ ଚାଲ୍‌…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ସୁଧୁରୁନି ଆନ୍ଧ୍ରପ୍ରଦେଶ। ପୁଣି ଦେଖାଇଲାଣି ନିଜ ଚାଲାକି। କୋଟିଆକୁ ନିଜ ଅକ୍ତିଆରକୁ ନେବାକୁ ଆନ୍ଧ୍ରପ୍ରଦେଶ କରିଛି ନୂଆ ଚାଲ୍। ପୂର୍ବରୁ ଭତ୍ତା, ଯୋଜନା ଓ ସେଠାକାର ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ନିଜ ଅଧିକାରୀଙ୍କୁ କୋଟିଆ ପଠାଉଥିବା ଆନ୍ଧ୍ର ଏଥର ନୂଆ ଷଡ଼ଯନ୍ତ୍ର ରଚିଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା କୋଟିଆର ୨୮ଟି ଗାଁକୁ ନିଜ ମାନଚିତ୍ରରେ ସ୍ଥାନ ଦେଇଛି ଆନ୍ଧ୍ରପ୍ରଦେଶ। ଆଜି  ବିଧିବଦ୍ଧ ଭାବେ ନୂଆ ୧୩ଟି ଜିଲ୍ଲା ଗଠନ କରାଯାଇଛି। ଏହାକୁ ମିଶାଇ ଆନ୍ଧ୍ରରେ ମୋଟ୍ ୨୬ ଜିଲ୍ଲା ହୋଇଛି। ଏଥିରେ ନୂତନ ଜିଲ୍ଲା ଭାବେ ମାନ୍ୟମ୍‌କୁ ସ୍ଥାନ ଦିଆଯାଇଛି। ଆଉ ଏହି ମାନ୍ୟମ୍ ଜିଲ୍ଲାରେ ସାମିଲ ହୋଇଛି କୋଟିଆର ୨୮ ଗାଁ ଓ ୧୨ଟି ପଡ଼ା ରହିଛି। କୋଟିଆକୁ ବାରମ୍ବାର ନିଜର ବୋଲି ଦାବି କରୁଛି ଆନ୍ଧ୍ର। ଏଥିରେ ବିଫଳ ହେବା ପରେ ପୁଣି ନୂଆ ଚାଲ୍‌ ଖେଳିଛନ୍ତି ଜଗନ ସରକାର। ତେଲୁଗୁରେ ମାନ୍ୟମ୍‌ର ଅର୍ଥ ପଛୁଆ ଅଞ୍ଚଳ। କୋଟିଆକୁ ପଛୁଆ ଅଞ୍ଚଳ ଦର୍ଶାଇ ଏବେ ନିଜ ମ୍ୟାପ୍‌ରେ ସ୍ଥାନ ଦେଇଛି ଆନ୍ଧ୍ର। ପୂର୍ବରୁ ବିଜୟନଗରମ୍ ଜିଲ୍ଲା ଥିବା ବେଳେ କୋଟିଆରୁ ହେଡ୍‌କ୍ୱାଟର୍ ଦୂରତା ୯୦ କିଲୋମିଟର ଥିଲା। ଏବେ ମାନ୍ୟମ୍ ହେବା ପରେ ପାର୍ବତୀପୁରମ୍ ଏହାର ହେଡକ୍ୱାଟର୍ ହେବ। ଫଳରେ କୋଟିଆରୁ ଏହାର ଦୂରତା ୬୦ କିଲୋମିଟରକୁ କମି ଆହୁରି ନିକଟତର ହୋଇଯିବ। ସରକାରୀ ଯୋଜନା ଓ ବ୍ୟବସ୍ଥାକୁ ଯେପରି ଓଡ଼ିଶା ସୀମାବର୍ତ୍ତି ଅଞ୍ଚଳକୁ ପହଞ୍ଚା ଯାଇ ପାରିବ ସେଥିପାଇଁ ଆନ୍ଧ୍ର ସରକାର ଏପରି କରିଥିବା ଚର୍ଚ୍ଚା ହେଉଛି।

ମହାପ୍ରଭୁଙ୍କ ରୋଷଶାଳାରେ ଚୁଲି ଭଙ୍ଗିଲା କିଏ ? ତଦନ୍ତ କରିବ ୫ ଜଣିଆ ଟିମ୍‌…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ରୋଷଶାଳାରେ ୮୦ରୁ ଅଧିକ ଚୁଲି ଭଙ୍ଗିଲା କିଏ? ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ବା ଜିଲ୍ଲା ପ୍ରଶାସନ କାହା ପାଖରେ କିଛି ଉତ୍ତର ନାହିଁ। ଏନେଇ ହୋ-ହଲ୍ଲା ପରେ ପ୍ରଶାସନର ଚେତା ପଶିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁରୀ ଏସ୍‌ପି କନୱାର ବିଶାଳ ସିଂହ ୫ ଜଣିଆ ଟିମ୍‌ ଗଠନ କରିଛନ୍ତି। ଏସ୍‌ପିଙ୍କ କହିବା ଅନୁସାରେ ଘଟଣାର ତଦନ୍ତ ପାଇଁ ସିସିଟିଭି ଯାଞ୍ଚ ଚାଲିଛି। ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ। ମାମଲାକୁ ଟପ୍‌ ମୋଷ୍ଟ କ୍ୟାଟଗୋରୀରେ ଆମେ ନେଉଛୁ। ଏଭଳି ଜଘନ୍ୟ ଘଟଣାରେ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ସିଂହଦ୍ୱାର ଥାନାରେ ହୋଇଥିବା ଏତଲା ଆଧାରରେ ୪୨୭ IPC, ୨୯୫ A, ସେକ୍ସନ ୩୦ (A)(B) SJTAରେ ମାମଲା ରୁଜୁ ହୋଇଛି ବୋଲି ଏସ୍‌ପି କହିଛନ୍ତି। ସେପଟେ ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖପ୍ରକାଶ କରିଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, “ଓଡ଼ିଆ ଜାତିର ଅସ୍ମିତାର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସ୍ଥିତ ପବିତ୍ର ରୋଷଘର ଚୁଲି ଗୁଡ଼ିକ ଭାଙ୍ଗି ଦିଆଯିବା ଘଟଣା ଗଣମାଧ୍ୟମରୁ ଜାଣିବାକୁ ପାଇଲି। ଏହି ଖବର ମୋତେ ଦୁଃଖିତ ଓ ବ୍ୟଥିତ କରିଛି। ମହାପ୍ରଭୁ ଓଡ଼ିଶାବାସୀ ଏବଂ ସାରା ବିଶ୍ୱର ହିନ୍ଦୁ ସମାଜର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ମହାପ୍ରସାଦର ରହିଛି ଅନନ୍ୟ ସମ୍ପର୍କ। ରୋଷଘରରେ ଅବଢ଼ା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ ଘଟଣା।” ସେ ଆହୁରି ଲେଖିଛନ୍ତି-“ମହାପ୍ରସାଦ ସହ ଓଡ଼ିଆଙ୍କ ଭାବାବେଗ ଜଡ଼ିତ ରହିଛି। ମହାପ୍ରଭୁଙ୍କ ମହାପ୍ରସାଦ ଅମୃତ ତୁଲ୍ୟ। ମହାପ୍ରଭୁଙ୍କ ରୋଷଘର ସହ ମା’ ଲକ୍ଷ୍ମୀ ଓ ମା’ ହିଙ୍ଗୁଳାଙ୍କ ପ୍ରତ୍ୟକ୍ଷ ଜଡ଼ିତ ଥିବା ଓଡ଼ିଆ ଜନମାନସର ବିଶ୍ୱାସ। ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଭବିଷ୍ୟତରେ ଯେଭଳି ଏହି ଘଟଣାର ପୁନରାବୃତ୍ତି ନ ହେବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ।”ଶ୍ରୀମନ୍ଦିର ରୋଷଘରେ ୮୦ରୁ ଅଧିକ ଚୁଲି ଭଙ୍ଗାବାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ଏଭଳି ଘଟଣା ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରୋଷଘରେ ପଶି ଚୁଲି ଭାଙ୍ଗିଥିବା ଦୁର୍ବୃତ୍ତଙ୍କୁ ଏ ଜାତି କେବେ ବି କ୍ଷମା ଦେବନି। କିନ୍ତୁ ଏହାର ମାନେ ନୁହେଁ ଯେ ଦାୟିତ୍ୱରେ ଥିବା ବ୍ୟବସ୍ଥା ଚୁପ୍‌ ହୋଇ ବସିଯିବେ, ଯାହାକି ଆଜି ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି କଳାପାହାଡ଼ ସଦୃଶ ଦୁର୍ବୃତ୍ତଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୈଜୟନ୍ତ ଲେଖିଛନ୍ତି।

୧୩ ଦଫା ସମ୍ବଳିତ ଦାବୀ ନେଇ ଗୁଣପୁର ରେ ଆଶା କର୍ମୀ ସଂଘ ର ଗର୍ଜନ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଜନନୀ ସୁରକ୍ଷା ଯୋଜନା ର ସଫଳ ରୂପାୟନ ନିମନ୍ତେ ରାଜ୍ୟ ର ବିଭିନ୍ନ ଗ୍ରାମାଞ୍ଚଳ ରେ ଆଶା କର୍ମୀ ନିଯୁକ୍ତ କରାଯାଇଛି । କିନ୍ତୁ ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ରେ କାର୍ଯ୍ୟରତ ଆଶା କର୍ମୀ ମାନେ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଥିବା ନେଇ ଆଶା କର୍ମୀ ସଂଘ ଅଭିଯୋଗ କରିଛି । ସେମାନଙ୍କ ସମସ୍ୟା ଦୂରୀକରଣ ନିମନ୍ତେ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଜି ଆଶା କର୍ମୀ ମାନେ ଏକ ବିଶାଳ ପଟୁଆର ରେ ଆସି ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ୧୩ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଏଥିରେ ସେମାନେ ଆଶା କର୍ମୀ ମାନେ ପାଇବାକୁ ଥିବା ଉପଯୁକ୍ତ ପ୍ରାପ୍ୟ ଯଥା ସମୟ ରେ ପ୍ରଦାନ କରିବା , ଉପଖଣ୍ଡ ଚିକିତ୍ସାଳୟ ରେ ଡାକ୍ତର ଓ ଷ୍ଟାଫ ମାନେ ଆଶା କର୍ମୀ ଙ୍କୁ ମାଧ୍ୟମ କରି ରୋଗୀ ଶୋଷଣ କୁ ବନ୍ଦ କରିବା , ଉପଖଣ୍ଡ ଚିକିତ୍ସାଳୟ ରଶିଶୁ ବିଭାଗ ରେ ତୁରନ୍ତ ଜଣେ ଶିଶୁ ବିଶେଷଜ୍ଞ ଙ୍କୁ ନିଯୁକ୍ତି ଦେବା , ଆଶା କର୍ମୀ ଙ୍କ ସମାନ କାର୍ଯ୍ୟ କୁ ସମାନ ଟଙ୍କା ଦେବା ଓ ଟଙ୍କା ବାଟମାରଣା ବନ୍ଦ କରିବା , ଗୁଣପୁର ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ ସମୟ ରେ କରାଯାଉଥିବା ଲାଞ୍ଚ କାରବାର କୁ ବନ୍ଦ କରିବା , ଆଶା ଗୃହ ର ବ୍ୟବସ୍ଥା କରିବା , ଚିକିତ୍ସାଳୟର ଶୌଚାଳୟ ନିୟମିତ ସଫା ରଖିବା , ଆଶା କର୍ମୀ ଙ୍କୁ ଏନ୍. ଏମ୍ ମାନେ କରିଥିବା ଦୁର୍ବ୍ୟବହାର ବନ୍ଦ କରିବା ସହ ଲାଞ୍ଚ ମାଗିବା ପ୍ରଥା ବନ୍ଦ କରିବା ଏବଂ ଗୁଡାରୀ ବ୍ଲକ ର ଲାଞ୍ଚଖିଆ ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନ ସ୍ଵାସ୍ଥ୍ୟ ଅଧିକାରିଣୀ ଙ୍କୁ ତୁରନ୍ତ ବଦଳି କରିବା ଭଳି ଦାବି ମାନ ଉଲ୍ଲେଖ କରିଛନ୍ତି । ଏହି ସମସ୍ୟା ଗୁଡିକ ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏହାର ସମାଧାନ କରାନଗଲେ ଆଗାମୀ ଦିନ ରେ ସଂଘ ବାଧ୍ୟ ହୋଇ ବଡ ଧରଣର ଆନ୍ଦୋଳନ କୁ ଆପଣେଇବ ବୋଲି ଚେତାବନୀ ଦେଇଛି ।