ଓଡ଼ିଶାରେ କଂଗ୍ରେସ ରାସ୍ତାରେ ବିଜେପି, ଗାଁ ’ରେ ହଜିଗଲା ଅସ୍ତିତ୍ୱ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କେନ୍ଦ୍ରରେ ୟୁପିଏ ସରକାର ସମୟରେ କଂଗ୍ରେସ ରାଜ୍ୟରେ ବିଜେଡି ପ୍ରତି ଯେଉଁ ଆଭିମୁଖ୍ୟ ପୋଷଣ କରିଥିଲା ଠିକ୍ ସେଭଳି ରଣନୀତି ଏବେ ବିଜେଡି ପାଇଁ ବିଜେପି ଆପଣାଉଥିବା ଜଳଜଳ ହୋଇ ଦିଶୁଛି, ଯେଉଁଥିପାଇଁ ବିଜେପି ରାଜ୍ୟରେ କଂଗ୍ରେସ ଭଳି ଦଶା ଭୋଗିବାକୁ ଯାଉଥିବା ଜଣାପଡ଼ିଛି । ପଂଚାୟତ ନିର୍ବାଚନର ଫଳାଫଳକୁ ନେଇ ଯାହା ଆଶା କରାଯାଉଥିଲା, ପ୍ରଥମ ଦିନର ଭୋଟ ଗଣତି ଫଳାଫଳ ତାହା ପ୍ରମାଣିତ କରିଛି । ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ପଂଚାୟତ ନିର୍ବାଚନୀ ରଣନୀତି ହିଁ ଲଢ଼ିବା ପାଇଁ ନୁହେଁ ବରଂ କେବଳ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭଳି ଅନୁଭୂତ ହେଉଥିଲା। ଆଉ ଯେଉଁ କାରଣରୁ ଆଜି ପ୍ରଥମ ଦିନର ଭୋଟଗଣତି ଫଳାଫଳର ଟ୍ରେଣ୍ଡରୁ ହିଁ ବିଜେପି ଓ କଂଗ୍ରେସ ରାଜ୍ୟର ଗ୍ରାମାଂଚଳରେ ନିଜର ସତ୍ତା ହରାଇଥିବା ଏବଂ ବିଜେଡି ରାଜ୍ୟର ସମସ୍ତ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଆସନ ସହ ୮୦ ପ୍ରତିଶତରୁ ଅଧିକ ହାତେଇବାକୁ ଯାଉଥିବା ଏକରକମ ସ୍ପଷ୍ଟ ହୋଇଯାଇଛି। କେନ୍ଦ୍ରରେ ୟୁପିଏ ସରକାର ସମୟରେ କଂଗ୍ରେସ ରାଜ୍ୟରେ ବିଜେଡି ପ୍ରତି ଯେଉଁ ଆଭିମୁଖ୍ୟ ପୋଷଣ କରିଥିଲା ଠିକ୍ ସେଭଳି ରଣନୀତି ଏବେ ବିଜେଡି ପାଇଁ ବିଜେପି ଆପଣାଉଥିବା ଜଳଜଳ ହୋଇ ଦିଶୁଛି, ଯେଉଁଥିପାଇଁ ବିଜେପି ରାଜ୍ୟରେ କଂଗ୍ରେସ ଭଳି ଦଶା ଭୋଗିବାକୁ ଯାଉଥିବା ଜଣାପଡ଼ିଛି । ତେବେ ୨୦୧୭ ପଂଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନକୁ ଜୋରଦାର ଢଙ୍ଗରେ ଲଢ଼ିଥିବା ବିଜେପି ଚଳିତ ପଂଚାୟତ ନିର୍ବାଚନକୁ କାହିଁକି ସେଭଳି ନଲଢ଼ି ନିଜ ଗୋଡ଼ରେ କୁରାଢ଼ୀ ମାରିଲା ତାକୁ ନେଇ ସାଧାରଣରେ ଚର୍ଚ୍ଚା । ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ହୋଇଥିବା ଗଣତିର ପ୍ରାରମ୍ଭିକ ଫଳାଫଳ ଅନୁସାରେ ବିଜେଡି ୨୭୮ଟି, ବିଜେପି ୧୮ଟି, କଂଗ୍ରେସ ୧୬ଟି, ସ୍ୱାଧୀନ ୨ଟି ଓ ଅନ୍ୟାନ୍ୟ ୨ଟି ଆସନରେ ଆଗରେ ରହିଛନ୍ତି । ୨୩ଟି ଜିଲ୍ଲାରେ କଂଗ୍ରେସ ଓ ୧୮ଟି ଜିଲ୍ଲାରେ ବିଜେପି ସମ୍ପୂର୍ଣ୍ଣ ମୂଳପୋଛ ହୋଇଥିବାବେଳେ ସମସ୍ତ ଜିଲ୍ଲାରେ ବିଜେଡିର ପ୍ରାର୍ଥୀମାନେ ଆଗରେ ରହିଛନ୍ତି । ବିଜେଡିକୁ ଟକ୍କର ଦେବା ତ ଦୂରର କଥା ଉଭୟ ବିଜେପି ଓ କଂଗ୍ରେସ ତା’ର ପାଖ ମାଡ଼ିବାକୁ ବି ସକ୍ଷମ ହୋଇପାରିନଥିବା ଜିଲ୍ଲ୍ଲା ପରିଷଦ ସଭ୍ୟ ନିର୍ବାଚନୀ ଫଳାଫଳ ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି । ଆଉ ୨ଦିନର ଗଣତିରେ ଯେ ସେଭଳି କିଛି ଗୋଟେ ‘ଚମତ୍କାର’ ହେବ ଓ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବାଜିମାତ୍ କରିବେ ତାହା ବି ଜଣାପଡ଼ୁନି । ବରଂ ନିଜର ଗଡ଼କୁ ବି ଏହି ଦୁଇ ଦଳ ବିଜେପି ଓ କଂଗ୍ରେସ ବଂଚାଇବାକୁ ଅସମର୍ଥ ହୋଇଛନ୍ତି । ୨୦୧୭ ପଂଚାୟତ ନିର୍ବାଚନରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ମଧ୍ୟରୁ ବିଜେପି ୪୭୬ଟି, କଂଗ୍ରେସ ୬୦ଟି ଓ ବିଜେଡି ୪୮୦ଟି ସିଟ୍ ହାତେଇଥିଲା । ୩୦ଟି ଜିଲ୍ଲା ପରିଷଦ ମଧ୍ୟରୁ ବିଜେପି ୮ଟି ଜିଲ୍ଲାରେ ଓ କଂଗ୍ରେସ ୨ଟି ଜିଲ୍ଲାରେ ଅଧ୍ୟକ୍ଷ ଓ ପରିଷଦ ଗଢ଼ିଥିବାବେଳେ ଶାସକ ବିଜେଡି ମାତ୍ର ୨୦ଟି ଜିଲ୍ଲା ମଧ୍ୟରେ ନିଜକୁ ସୀମିତ ରଖିପାରିଥିଲା । ଗ୍ରାମାଂଚଳରେ ବିଜେପି ଓ କଂଗ୍ରେସର ଏଭଳି ଶୋଚନୀୟ ପରାଜୟକୁ ନେଇ ଦୁଇ ଦଳ ଯଦିଓ ବିଜେଡି ସରକାରର ଶାସନ କଳକୁ ଦାୟୀ କରୁଛନ୍ତି ତଥାପି ନିର୍ବାଚନୀ ଫଳାଫଳ ବିଜେଡି ପାଇଁ ସବୁ ଦୃଷ୍ଟିରୁ ଉତ୍ସାହଜନକ ରହିଛି । ତେବେ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ରାଜନୀତିକ ସମୀକ୍ଷକ ତଥା ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର କହିଛନ୍ତି ଯେ, “ପଂଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବାର ବିଭିନ୍ନ କାରଣ ରହିଛି । କଂଗ୍ରେସ ରାଜ୍ୟରେ ଦିନକୁ ଦିନ ତା’ର ଅସ୍ତିତ୍ୱ ହରାଉଛି ଓ ଲୋକେ ମଧ୍ୟ କଂଗ୍ରେସକୁ ଆଉ ବିଶ୍ୱାସକୁ ନେଉନାହାନ୍ତି କି କଂଗ୍ରେସ ମଧ୍ୟ ସେ ଦିଗରେ ପ୍ରୟାସ ବି କରୁନି । ବିଜେପି ଏଠି ବିଜେଡିକୁ ଟକ୍କର ଦେବା ପରିବର୍ତ୍ତେ ୨୦୧୯ ସାଧାରଣ ନିର୍ବାଚନ ପରଠୁ ଉଭୟ ‘ଲୁଛାଚପା’ରେ ସମ୍ପର୍କ ରଖି ରାଜନୀତିକ ସ୍ୱାର୍ଥ ପାଇଁ ପରସ୍ପରକୁ ସହଯୋଗର ହାତ ବଢ଼ାଉଛନ୍ତି । ଯେଉଁଥିପାଇଁ ରାଜ୍ୟ ବିଜେପିରେ ଏବେ ନେତୃତ୍ୱର ସଙ୍କଟ ଜଳଜଳ । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଓଡ଼ିଶାରେ କାହାରିକୁ ଆଗକୁ ଆଣୁନି । ଯାହାକି ବିଜେପିର କର୍ମୀ ଓ ସାଧାରଣ ଭୋଟରଙ୍କୁ ବି ଦ୍ୱନ୍ଦ୍ୱରେ ରଖିଛି । ତା’ଛଡ଼ା ନବୀନ ପଟ୍ଟନାୟକ ଏଭଳି ଜଣେ ନେତା ଯିଏ ନିର୍ବାଚନ ସରିବା ପରଦିନ ହିଁ ଆଉ ଗୋଟିଏ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରିଥାନ୍ତି । ନିର୍ବାଚନ ଜିତିଲେ ହିଁ ଶାସନରେ ରହିହେବ ସେ କଥା ନବୀନ ଭଲଭାବେ ଜାଣନ୍ତି । ଆଉ ଆବଶ୍ୟକତା ଥାଉ କି ଥାଉ, ରାଜ୍ୟବାସୀଙ୍କୁ ସରକାରୀ ଅର୍ଥରେ ଯୋଜନା କରି ଲୋଭନୀୟ ଭେଟି ଦେଇ ଦଳ ସପକ୍ଷରେ ଜନମତ ପ୍ରସ୍ତୁତ କରିଥାନ୍ତି । ପଂଚାୟତ ନିର୍ବାଚନରେ ପ୍ରଚାରକୁ ଓହ୍ଲାଇନଥିବା ନବୀନ କିନ୍ତୁ ନିର୍ବାଚନ ପୂର୍ବରୁ ସବୁ ଜିଲ୍ଲା ବୁଲି ବିଜୁ କାର୍ଡ ବାଣ୍ଟିଲେ । ଆଉ ସରକାରୀ ଅର୍ଥରେ ଦଳ ପାଇଁ ପ୍ରଚାର ବି ହୋଇଗଲା । ନବୀନଙ୍କ ଏଭଳି ନିର୍ବାଚନୀ ଜିତିବା ତୁଷ୍ଟୀକରଣ ଯୋଜନା ପାଇଁ ଓଡ଼ିଶା ଭଳି ରାଜ୍ୟ ଉପରେ ୧ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣବୋଝ ରହିଛି । ନବୀନଙ୍କ ଏହି ବଦାନ୍ୟତା ହିଁ ଆମ ରାଜ୍ୟର ପରବର୍ତ୍ତୀ ପୀଢ଼ୀ ପାଇଁ ବଡ଼ ଚିନ୍ତାର କାରଣ ହେବ । ଜାତୀୟ ରାଜନୀତିର ବାଧ୍ୟବାଧକତା ହିଁ ବିଜେପିକୁ ଏଠି ଚୁପ୍ ରଖିଛି ଆଉ ବିଜେଡି ମଧ୍ୟ ଏହି ସୁବିଧାରୁ ଅଧିକ ଫାଇଦା ନେଉଛି ।” ତେବେ ବିଜେପିର ଜଣେ ବରିଷ୍ଠ ନେତା ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ଏବେ ଯେହେତୁ ଉତ୍ତରପ୍ରଦେଶ, ପଞ୍ଜାବ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଛି ତେଣୁ ଓଡ଼ିଶାର ପଂଚାୟତ ନିର୍ବାଚନ ଉପରେ କେନ୍ଦ୍ରୀୟ ନେତୃତ୍ୱ ସେତେଟା ଫୋକସ ଦେଉନାହାନ୍ତି । ରାଜ୍ୟ ବିଜେପି ୟୁନିଟ୍ ହିଁ ଏହି ନିର୍ବାଚନକୁ ଦେଖୁଛି । ବିଜେଡି ସରକାର ବିରୁଦ୍ଧରେ ଅନେକ କିଛି ପ୍ରସଙ୍ଗ ରହିଥିଲେ ବି ତାକୁ ଦଳ ଲୋକଙ୍କ ନିକଟରେ ପ୍ରଭାବଶାଳୀ ଢଙ୍ଗରେ ପହଂଚାଇବାରେ ସକ୍ଷମ ହୋଇନି । ତା’ଛଡ଼ା ନିର୍ବାଚନ ପୂର୍ବରୁ ଦଳର ବରିଷ୍ଠ ନେତା ଜୁଏଲ ଓରାମ ଓ ବିଶେଶ୍ୱର ଟୁଡୁଙ୍କ ଭଳି ନେତା ବିବାଦୀୟ ହେଲେ, ଯାହାକୁ ବିଜେଡି ଅତିରଞ୍ଜିତ କରି ଲୋକଙ୍କ ପାଖରେ ରଖିପାରିଲା । ୨୦୧୭ ପଂଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁୁ ଦଳ ପକ୍ଷରୁ ଯେଭଳି ସହଯୋଗ ମିଳୁଥିଲା, ତାହା ଏଥର ହୋଇପାରିନି । ତେଣୁ ବିଭିନ୍ନ କାରଣ ପାଇଁ ଦଳ ନିଜକୁ ଠିକ୍ ଭାବେ ପଂଚାୟତ ନିର୍ବାଚନରେ ଲଢ଼ାଇ ପାରିନି । ଏହା ବି ଦଳ ଉପରେ ଆଗାମୀ ଦିନରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି ।

ପ୍ରତିଶୃତି ଭୁଲି ଉପଭୋକ୍ତା ଙ୍କ ଉପରେ ଜୁଲମ୍ କରୁଛି ଟାଟା ପାୱାର….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଉପଭୋକ୍ତା ଙ୍କ ଉପରେ ବକେୟା ଟଙ୍କା ଆଦାୟ ଆଳରେ ଜୁଲମ୍ କରୁଛି ଟାଟା ପାୱାର । ୨ ବର୍ଷରେ ସଂସ୍କାର ବଦଳରେ ଟାଟା ପାୱାର ବିଜୁଳି ବ୍ୟବସ୍ଥାକୁ ହୁଗୁଲା କରିଛି । ଟାଟାର ଏଭଳି କାର୍ଯ୍ୟ ବିରୁଦ୍ଧରେ ପ୍ରତିରୋଧର ସ୍ୱର ଉଠାଇଛନ୍ତି ଜନତା । ଏଥିପାଇଁ ଉପଭୋକ୍ତା ସଙ୍ଘ ଓ ସାଧାରଣ ଜନତା ଏକାଠି ହୋଇ ଅଣ୍ଟା ଭିଡ଼ିଲେଣି । ବିଦ୍ୟତ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ଘରୋଇ କରଣ କରି ଟାଟାକୁ ପାୱାରକୁ ୨୦୨୦ ମସିହାରେ ଦାଇତ୍ୱ ଦେଲେ । ବିଦ୍ୟୁତ ବିତରଣ ର କ୍ଷତି କମାଇବା ସହ ଭିତ୍ତି ଭୂମି ବିକାଶ ଜରିଆରେ ସଂସ୍କାର ଆଣିବା ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇ ଟାଟା ପାୱାର ଦାୟିତ୍ୱ ନେଇ ଥିଲା । ଦାୟିତ୍ୱ ନେବାର ୨ ବର୍ଷ ପରେବି ବିତରଣ କ୍ଷତି କମାଇ ପାରିନି । ପରନ୍ତୁ ନିଜ ଦାୟିତ୍ୱ ଭୁଲି ଟାଟା ମନ୍ ମାନି ଜାହିର କରି ଉପଭୋକ୍ତା ଙ୍କୁ ଶୋଷଣ କରିବାରେ ଲାଗିପଡିଛି । ନିଜର ଭୁଲ ପାଇଁ ଶୁଳ୍କ ଵୃଦ୍ଧି କରି ଜନସଧାରଣ ଙ୍କ ମୁଣ୍ଡର ବୋଝ ଲଦି ଦେବାକୁ ବର୍ତ୍ତମାନ ଓଇଆରସିର ଜନ ଶୁଣାଣୀ ରେ ଟାଟା ପାୱାର ନିଜର ଉଦ୍ୟମ ଚଳାଇ ଥିବା ଅଭିଯୋଗ ଉଠିଛି । ପୂର୍ବ ବର୍ଷ ପ୍ରଥମେ ୨୦ ପଇସା ଏବଂ ପରେ ୩୦ ପଇସା କରି ମୋଟ ୫୦ ପଇସା ବୃଦ୍ଧି କରି ଟାଟା ଉପଭୋକ୍ତା ଙ୍କ ମୁଣ୍ଡରେ ବୋଝ ଲଦିଦେଇଛି । ଆମ ରାଜ୍ୟରେ ବର୍ତ୍ତମାନ ସାତ ହଜାର ୟୁନିଟ ବିଦ୍ୟୁତ ସର୍ପଲେସ ଥିବା ବେଳେ କାହିଁକି ବିଦ୍ୟୁତ ଶୁକ୍ଳ ଵୃଦ୍ଧି ହେବ ବୋଲି କଥା ଉଠିଛି । ନିଯୁକ୍ତି ପ୍ରାପ୍ତ ମିଟର ରିଡ଼ର ମାନେ ସେମାନଙ୍କ କାର୍ଯ୍ୟ ସଠିକ ଭାବେ ତୁଲାଉ ଥିବାବେଳେ ଟାଟା ଦ୍ୱାରା ନିଯୁକ୍ତି ପ୍ରାପ୍ତ କମ୍ପାନୀର କର୍ମଚାରୀ ଏମାନଙ୍କୁ ଶୁଳ୍କ ବୃଦ୍ଧି କରି ବିଲ ଦେବା ନିମନ୍ତେ ପ୍ରବର୍ତ୍ତାଉଥିବା  ଏବଂ ଏହାକୁ ନମାନିଲେ ଛଟେଇ କରୁଥିବା ଅଭିଯୋଗ ଆସିଛି । ଏଭଳି ବର୍ଦ୍ଧିତ ଶୁଳ୍କର ବୃଦ୍ଧିକୁ ଉପଭୋକ୍ତା ବିରୋଧ କଲେ ସେମାନଙ୍କ ମିଟର ଠିକ ନଥିବା କହି ମିଟର ବଦଳାଇବା କୁ ତାଗିଦ କରିବା ସହ ବିଦ୍ୟୁତ ସଂଯୋଗ ବିଛିନ୍ନ କରୁଥିବା ଅଭିଯୋଗ ହେଉଛି । ଉପୋଭୋକ୍ତା ଙ୍କ ବୃହତ୍ ସ୍ୱାର୍ଥ ଦୃଷ୍ଟି ରୁ ସରକାର ଏଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣ ରେ ଦାବି ହେଉଛି ।