ପଦ୍ମପୁର କ ଜୋନ୍ ରେ ବିଜେଡି ର ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜୟୀ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାୟଗଡା ଜିଲ୍ଲା ପଦ୍ମପୁର କ ଜୋନ ଜିଲ୍ଲା ପରିଷଦ ଆସନ ର ଫଳାଫଳ ଘୋଷଣା ହୋଇସାରିଛି । ଏଥିରେ ବିଜେଡି ର ଡର୍ଗୀନ୍ ଶବର ନିଜ ନିକଟ ତମ ପ୍ରତିଦ୍ବନ୍ଦୀ କଂଗ୍ରେସ ର ସବିତା ଗମାଙ୍ଗ ଙ୍କ ଠାରୁ ୧୪୮୬ ଗୋଟି ଅଧିକ ଭୋଟ ପାଇ ବିଜୟ ହୋଇଛନ୍ତି । ବିଜେଡି କୁ ୫୬୧୮ , କଂଗ୍ରେସ ୪୧୩୨ , ବିଜେପି ୩୦୭୯ ଭୋଟ ମିଳିଥିବା ବେଳେ ୬୬୪ ଭୋଟ ନାକଚ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ପଦ୍ମପୁର ଠାରେ ଖୁସିର ଲହରୀ ଖେଳିଯାଇଛି ।

ଶାସକ ଦଳକୁ ଜିତାଇବାର ଗଳାବାଟ ବାହାର କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର – ବିଜେପି

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଶାସକ ବିଜେଡିକୁ ଜିତାଇବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଗଳାବାଟ ବାହାର କରିଛନ୍ତି। ମନ୍ଦ ଉଦ୍ଦେଶ୍ୟ ରଖି ଜାରି କରାଯାଇଥିବା ନିର୍ବାଚନ କମିଶନଙ୍କ ସର୍କୁଲାର-୨୧୫୬କୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ବିଜେପି ଦାବି କରିଛି। ଏହାସହିତ ଏହି ପ୍ରତିନିଧି ଦଳ ମଧ୍ୟ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇବା ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଭୋଟ ଗଣତି ପକ୍ରିୟା ପାଇଁ ନିର୍ବାଚନ କମିଶନ ଦୃଢ଼ ଓ ସ୍ୱଚ୍ଛ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛି । ଶ୍ରୀ ମହାନ୍ତି କହିଛନ୍ତି ଯେ, ପଂଚାୟତ ନିର୍ବାଚନରେ ଭୋଟିଂ ସମାପ୍ତ ହେବା ପରେ ପ୍ରିଜାଇଡିଂ ଅଫିସର ଦେଇଥିବା ସାର୍ଟିଫିକେଟ ଫର୍ମ-୧୧ରେ ଉଲ୍ଲେଖ ହୋଇଥିବା ସମୁଦାୟ ଭୋଟ ସଂଖ୍ୟା ଏବଂ ଭୋଟ ବାକ୍ସରୁ ବାହାରୁଥିବା ଭୋଟ ସଂଖ୍ୟାରେ ତାଳମେଳ ନ ରହିଲେ ଏହାକୁ କ’ଣ ଭୋଟ ଟାମ୍ପରିଂ କୁହାଯିବ ନାହିଁ ? ସେହିପରି ଯଦି, ଭୋଟ ବାକ୍ସରେ ବାହାରିଥିବା ବାଲାଟ୍ ପେପର ହିଁ ସିଦ୍ଧ, ତା’ହେଲେ ମତଦାନ ସମାପ୍ତ ହେବା ପରେ ପ୍ରିଜାଇଡିଂ ଅଫିସର ଦ୍ୱାରା ପ୍ରଦାନ କରାଯାଇଥିବା ସାର୍ଟିଫିକେଟ (ଫର୍ମ-୧୧) କେବଳ ଏକ ପ୍ରହସନ ଥିଲା କି ? ଏହାକୁ ନେଇ ଆଜି ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ସ୍ପଷ୍ଟୀକରଣ ମାଗିଥିଲେ । ଏଥି ସହ ମନ୍ଦ ଉଦ୍ଦେଶ୍ୟ ରଖି ନିର୍ବାଚନ କମିଶନ ଲୁଚାଛପାରେ ଜାରି କରିଥିବା ଚିଠି ନମ୍ବର ୨୧୫୬କୁ ତୁରନ୍ତ ପ୍ରତ୍ୟାହାର କରିବା ସହ ଆସନ୍ତା କାଲିଠୁ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହେବାକୁ ଥିବା ପଂଚାୟତ ଭୋଟ ଗଣତି ପକ୍ରିୟା ପାଇଁ ନିର୍ବାଚନ କମିଶନ ଦୃଢ଼ ଓ ସ୍ୱଚ୍ଛ ପଦକ୍ଷେପ ନେବା ଦାବି କରିଥିଲା । ଆଲୋଚନା ବେଳେ ନିର୍ବାଚନ କମିଶନ ନିଜ ତୃଟିକୁୁ ସ୍ୱୀକାର କରିବା ସହିତ ଯଥାଶୀଘ୍ର ସମସ୍ତ ବିଡିଓ ଏବଂ ଜିଲ୍ଲାପାଳଙ୍କ ସମେତ ସମସ୍ତ ନିର୍ବାଚନ ଅଧିକାରୀଙ୍କୁ ନୂତନ ସଂଶୋଧିତ ସର୍କୁଲାର ପଠାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ମନ୍ଦ ଉଦ୍ଦେଶ୍ୟ ରଖି ଜାରି କରାଯାଇଥିବା ନିର୍ବାଚନ କମିଶନଙ୍କ ସର୍କୁଲାର ସଂଖ୍ୟା- ୨୧୫୬କୁ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟୀ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖିବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଘୋଷଣା କରିବା ପରେ ନିର୍ବାଚନ କମିଶନ ନିଜ ତୃଟି ସୁଧାରି ନୂତନ ସଂଶୋଧିତ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଏହାଫଳରେ ମତଦାନ ସମାପ୍ତ ହେବା ପରେ ପ୍ରିଜାଇଡିଂ ଅଫିସର ଦ୍ୱାରା ପ୍ରଦାନ କରାଯାଇଥିବା ସାର୍ଟିଫିକେଟ (ଫର୍ମ-୧୧) ଅନୁଯାୟୀ ଭୋଟ ଗଣତି କରାଯିବ । ରାଜ୍ୟ ସଭାପତିଙ୍କ ସମେତ ଏହି ପ୍ରତିନିଧି ଦଳରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭୃଗୁ ବକ୍ସିପାତ୍ର, ସୁଦୀପ୍ତ ରାୟ, ରମାରଂଜନ ବଳିୟାର ସିଂହ, ଯତୀନ ମହାନ୍ତିି ଓ ଧୀରେନ ସେନାପତି, ସୁରଥ ବିଶ୍ୱାଳ, ଶଙ୍କର୍ଷଣ ପରିଡା ଓ ଜୟନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ବଦଳିବନି ନାଁ, ଘୁଞ୍ଚିବନି ରିଲିଜ ତାରିଖ ; ରୋକ୍‌ଠୋକ୍‌ କହିଲେ ସୁପ୍ରିମକୋର୍ଟ…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଗଙ୍ଗୁବାଇକୁ ମିଳିଲା ସୁପ୍ରିମ ଆଶ୍ୱସ୍ତି। ଶାନ୍ତିର ନିଶ୍ୱାସ ନେଲେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି ଓ ଅଭିନେତ୍ରୀ ଆଲିଆ ଭଟ୍ଟ। ଲାଗି ରହିଥିବା ବିବାଦ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ସର୍ବୋଚ୍ଚ ଅଦାଲତ। ଆସନ୍ତାକାଲି ରିଲିଜ ହେବାକୁ ଥିବା ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ଉପରେ ରୋକ ଲଗାଇବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ‘ବଦଳିବନି ନାଁ, ଘୁଞ୍ଚିବନି ରିଲିଜ’ ଏଭଳି କିଛି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି ସୁପ୍ରିମକୋର୍ଟ। ଗଙ୍ଗୁବାଇଙ୍କ ପରିବାର ଲୋକେ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ଉପରେ ପ୍ରଶ୍ନ ଉଠାଇଥିଲେ। ଫିଲ୍ମର ନାଁକୁ ନେଇ ସେମାନେ ଆପତ୍ତି ଉଠାଇଥିଲେ। ଏହି ନାଁକୁ ବଦଳାଇବା ପାଇଁ ପରିବାର ଲୋକେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ତେବେ ଶେଷ ମୁହୂର୍ତ୍ତରେ ଫିଲ୍ମର ଟାଇଟଲ ବଦଳାଇବା ସମ୍ଭବ ନୁହେଁ ବୋଲି କୋର୍ଟରେ ପକ୍ଷ ରଖିଥିଲେ ନିର୍ମାତା। ଫିଲ୍ମରେ ଗଙ୍ଗୁବାଈଙ୍କୁ ଛବି ଏବଂ ତାଙ୍କ ଚରିତ୍ରକୁ ନେଇ କୌଣସି ବି ପ୍ରକାରରେ ଅପମାନିତ କରାଯାଇନଥିବା ଦାବି କରିଥିଲେ। ଅଭିଯୋଗକାରୀ ଫିଲ୍ମ ନ ଦେଖି ଏଭଳି ଦାବି ଉଠାଇବା ଭୁଲ୍‌ ବୋଲି ଭଂସାଲି ପ୍ରଡକ୍ସନର ଓକିଲ କହିଥିଲେ। ଏହାପରେ ସୁପ୍ରିମ କୋର୍ଟ ବଚାରପତି  ଜେକେ ମହେଶ୍ୱରୀ ଏହି ଗଙ୍ଗୁବାଇଙ୍କ ପୋଷ୍ୟ ପୁତ୍ର ଆଣିଥିବା ଅଭିଯୋଗକୁ ଖାରଜ କରିବା ସହ ଫିଲ୍ମ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି। ଦେଶ ବିଦେଶର ହଜାର ହଜାର ଥିଏଟରରେ ଏକା ସହ ଏହି ଫିଲ୍ମ ରିଲିଜ ହେବ। ତେବେ ଫିଲ୍ମର ରିଲିଜ ଅଟକି ଗଲେ ପ୍ରଡ୍ୟୁସର, ଡାଇରେକ୍ଟର, ଲେଖକ, ଡିଷ୍ଟ୍ରିବ୍ୟୁଟର, ଥିଏଟର, ଦର୍ଶକ ସମେତ ଅନେକଙ୍କ ଉପରେ ପ୍ରଭାବ ପଡିବ। ସୂଚନାଯୋଗ୍ୟ ଯେ, ଗଙ୍ଗୁବାଇ କାଠିଆୱାଡି ଟ୍ରେଲର ରିଲିଜ ହେବା ପରଠାରୁ ଉଭୟ ସଞ୍ଜୟ ଏବଂ ଆଲିଙ୍କ ପାଇଁ  ସମସ୍ୟା ବଢିଥିଲା। ମୁଭିରେ ଗଙ୍ଗୁବାଈଙ୍କ ଚରିତ୍ରକୁ ନକାରାତ୍ମକ ଭାବେ ଚିତ୍ରିତ କରାଯାଇଥିବା ଅଭିଯୋଗ ହୋଇଥିଲା। ଗଙ୍ଗୁବାଈଙ୍କୁ ଜଣେ ସାମାଜିକ କର୍ମୀ ବଦଳରେ ଜଣେ ଦେହଜୀବୀ ଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଗଙ୍ଗୁବାଈଙ୍କ ପୋଷ୍ୟପୁତ୍ର ବାବୁ ରାଓଜୀ ଶାହା ଓ ତାଙ୍କ ନାତୁଣୀ ଭାରତୀ ଶାହା ସିନେମାର କାହାଣୀକୁ ଜୋରଦାର ବିରୋଧ କରିଛନ୍ତି। ସେ ପ୍ରଥମେ ବମ୍ବେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଆଲିଆ ଓ ଏହାର ପ୍ରଯୋଜକ ତଥା ନିର୍ଦ୍ଦେଶକ ଭଂସାଲି ନାଁରେ ମାମଲା ଦାଏର କରିଥିଲେ।

ରାଗିଣୀଙ୍କ ସିନ୍ଥିରେ ସିନ୍ଦୂର ଦେଲେ ନିର୍ଦ୍ଦେଶକ ବିକ୍ରମ ଶଙ୍କର….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ହାତକୁ ଦି’ ହାତ ହେଲେ ଓଲିଉଡ୍‌ର ଚୁଲ୍‌ବଲି ଷ୍ଟାଇଲିଷ୍ଟ୍‌ ନାୟିକା ରାଗିଣୀ ସୁତ୍ରଧର। ସେ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି। ଗୋଆର ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକ୍ରମ ଶଙ୍କରଙ୍କୁ ସେ ବିବାହ କରିଛନ୍ତି। ଉଭୟ ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତି ବିବାହ ସମ୍ପନ୍ନ ହୋଇଛି। ବିବାହ ପୂର୍ବରୁ ହୋଇଥିଲା ରଙ୍ଗାରଙ୍ଗ ସଂଗୀତ କାର୍ଯ୍ୟକ୍ରମ। ଏଥିରେ ବହୁ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ ଯୋଗଦେଇ ଧୁମ୍‌ ମଚାଇଥିଲେ। ରାଗିଣୀ ଧଳା ରଙ୍ଗର ଲେହେଙ୍ଗାରେ ଗର୍ଜିୟସ୍‌ ଲାଗୁଥିଲେ। ଆଉ ବିକ୍ରମ ନୀଳ ରଙ୍ଗର ସେରୱାନୀ ପରିଧାନ ହ୍ୟାଣ୍ଡସମ୍‌ ଲାଗୁଥିଲେ। ସଙ୍ଗୀତ ସେରେମନୀ ଯୋଗଦେବା ପରେ ରାଗିଣୀ ନିଜ ଇନ୍‌ଷ୍ଟାରେ ଦୁଇଟି ଫଟୋ ସେୟାର କରିଥିଲେ। ଆଉ ସେହି ଫଟୋରେ ଲେଖିଥିଲେ, ଜୀବନର ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଥିବାରୁ ସମସ୍ତଙ୍କ ସ୍ନେହ ଓ ଆଶୀର୍ବାଦ ଲୋଡୁଛି। ରାଗିଣୀଙ୍କ ଏହି କେଇପଦ କଥା ତାଙ୍କ ପ୍ରଶଂସକଙ୍କ ଦିଲ୍‌ କିଣି ନେଇଛି। ପ୍ରଶଂସକମାନେ ତାଙ୍କୁ ମନଭରି ପ୍ରଶଂସା କରିଛନ୍ତି।

ରାଗିଣୀଙ୍କ ଫିଲ୍ମ କ୍ୟାରିୟର ୨୦୧୨ ମସିହାରେ ଆରମ୍ଭ ହୋଇଥିଲା। ସେ ପ୍ରଥମେ ବଙ୍ଗଳା ଫିଲ୍ମ ‘ଏକ ତୁକୁ ଛୋୟା ଲାଗେ’ ଫିଲ୍ମରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ତା’ପରେ ଓଲିଉଡ୍‌ ମୁହାଁ ହୋଇଥିଲେ। ସେ ‘ମୁଁ ଏକା ତୁମର, ଗଡଫାଦର, ହରିଓମ୍‌ ହରି, ତୁମେ ଥିଲେ ସାଥୀରେ, ଦେଖା ହେଲା ପ୍ରେମ ହେଲା ପରି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କ ଅଭିନୟରେ ପାଗଳ ହୋଇଥିଲେ ଓଲିଉଡ୍‌ ପ୍ରଶଂସକ। ଏହାବ୍ୟତୀତ ରାଗିଣୀ- ମିତାଲି ଗେଷ୍ଟ ହାଉସ୍‌, ୧୦୦ ରୁପଏ ନୋଟ୍‌, ସ୍ୱର୍ଣ୍ଣ ମୁଦ୍ରା ପରି ବହୁ ଫିଲ୍ମରେ ଅଭିନୟ କରିଛନ୍ତି। ସେ ତେଲୁଗୁ ଓ କନ୍ନଡ଼ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି।