ବିଜେଡିକୁ ଜିତାଇବାକୁ କାମ କରୁଛନ୍ତି ସରକାରୀ ଅଫିସର: ବର୍ଷିଲେ ଉଭୟ ବିଜେପି ଓ କଂଗ୍ରେସ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) : ଜିଲ୍ଲାପାଳଙ୍କ ସମେତ ନିର୍ବାଚନ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀମାନେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଥିବାବେଳେ ଶାସକ ବିଜେଡିର ଏଜେଂଟ୍ ଭାବେ ସରକାରୀ ଅଫିସରମାନେ କାର୍ଯ୍ୟ କରୁଥିବା କଂଗ୍ରେସ ଅଭିଯୋଗ କରିଛି। ବିଜେଡିକୁ ଜିତାଇବା ପାଇଁ ସରକାରୀ ଅଫିସରମାନେ କାର୍ଯ୍ୟ କରିବା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଘଂନ ବୋଲି ବିରୋଧୀ ଦଳ କହିବା ସହ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଫେରାଦ ହେବା ସହ ସରକାରୀ କଳର ଅପବ୍ୟବହାର ଉପରେ ତୁରନ୍ତ ନିୟନ୍ତ୍ରଣ ପାଇଁ ଅନୁରୋଧ କରିଛନ୍ତି । ବିଜେପି ଅଭିଯୋଗ କରିଛି ଯେ, ସରକାରୀ କଳକୁ ଅପବ୍ୟବହାର କରି ନିର୍ବାଚନ ବୈତରଣୀ ପାର ହେବାକୁ ଶାସକ ବିଜେଡି ପ୍ରୟାସ ଜାରି ରଖିଛି । ଭୋଟ କେନ୍ଦ୍ରରେ ସରକାରୀ କଳ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ବ୍ୟବହାର କରାଯାଇ ଶାସକ ବିଜେଡି ସପକ୍ଷରେ ବ୍ୟାପକ ମାତ୍ରାରେ ଭୋଟଦାନକୁ ପ୍ରଭାବିତ କରାଯାଉଛି । କିନ୍ତୁ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରି ଶାସକ ବିଜେଡି ସପକ୍ଷରେ ଭୋଟ କରାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଅସାମ୍ବିଧାନିକ ଏବଂ ଦଣ୍ଡନୀୟ ଅପରାଧ । ଏହି ସରକାରୀ ଅଧିକାରୀମାନେ କେଉଁଠି ପ୍ରତ୍ୟକ୍ଷ ତ ଆଉ କେଉଁଠି ପରୋକ୍ଷ ଭାବେ ଶାସକ ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ପଂଚାୟତ ନିର୍ବାଚନ ପାଇଁ ରାଜ୍ୟବ୍ୟାପୀ ନିର୍ବାଚନ ଆଚରଣ ବିଧି ଜାରି ହୋଇଛି । ଏହି ସମୟରେ ନିର୍ବାଚନ କିମ୍ବା ଭୋଟରମାନଙ୍କୁ ପ୍ରଭାବିତ କଲା ଭଳି କୌଣସି କାର୍ଯ୍ୟକ୍ରମ ଉପରେ ନିଷେଧାଦେଶ ବଳବତ୍ତର ରହିଛି । ମାତ୍ର ଖୋର୍ଦ୍ଧା ଜିଲ୍ଲାପାଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସଭାର ଆୟାଜନ କରି ବିଦ୍ୟାଳୟ ପଟ୍ଟା ବଂଟନ କରି ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରିଛନ୍ତି । ତେଣୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ଦାବି କରିଛି । ସେହିପରି, ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଧନ୍ଦରା ପଂଚାୟତର ଖାଡ଼ିଗୁଡ଼ା ବୁଥରେ ନିର୍ବାଚନ ଅଧିକାରୀ ରିତେନ ପଟ୍ଟନାୟକ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ବିଜେଡିର ଏଜେଂଟ ଭଳି କାମ କରିଛନ୍ତି । ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି । ବିଜେପିର ଏହି ପ୍ରତିନିଧି ଦଳରେ ବିଜେପି ନେତ୍ରୀ ସୋନାଲୀ ସାହୁ, ସୁଜିତ୍ ଦାସ, ରବିଶଙ୍କର ପଟ୍ଟନାୟକ, ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ । ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସରକାରୀ ଅଫିସରମାନେ ଶାସକ ଦଳର ଏଜେଂଟ୍ ଭାବରେ କାମ କରି ଭୋଟରେ ଜାଲିଆତି କରିଛନ୍ତି ବୋଲି ଅଭିଯୋଗ କରିବା ସହ ସିଂଲା ଥାନା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ବସ୍ତା ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ସରକାରୀ ବାବୁମାନଙ୍କ ସହଯୋଗରେ ମତଦାନ ସମୟରେ ବ୍ୟାପକ ଜାଲିଆତି, ବୁଥ ଦଖଲ, ଧମକ ଚମକ ଇତ୍ୟାଦି ଘଟଣାକୁ ନେଇ ସେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି । ସ୍ୱାଧୀନ ଓ ନିରପେକ୍ଷ ମତଦାନକୁ ସାବ୍ୟସ୍ତ କରିବା ଯେଉଁ ସରକାରୀ ଅଫିସରମାନଙ୍କୁ ଦାୟିତ୍ୱ ମିଳିଛି, ସେହିମାନେ ହିଁ ଶାସକ ଦଳ ସହିତ ମିଶି ମତଦାନ ପ୍ରକ୍ରିୟାକୁ ବିଭ୍ରାନ୍ତ ଓ ପ୍ରଭାବିତ କରିଛନ୍ତି । ସିଂଲା ଥାନା ଅଧିକାରୀଙ୍କ ଯୋଗୁ ବସ୍ତା ବ୍ଲକର କାଦରୟାନ, କାରୁଆ ଇତ୍ୟାଦି ବିଭିନ୍ନ ବୁଥରେ ତାଙ୍କ ସହଯୋଗ ଓ ପ୍ରରୋଚନାରେ ବୁଥ ଦଖଲ, ରିଗିଂ, ଫଲ୍‌ସ ଭୋଟିଂ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ବାସୁଦେବପୁର ମହିଳା ସରପଞ୍ଚ ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦ୍ୱୀ ପଠାଇଲେ ଅଶ୍ଲୀଳ ମେସେଜ୍‌ ।

ଏଥର ସମ୍ଭାଳ ବ୍ୟୁରୋ (ବାସୁଦେବପୁର) : ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ରାଜନୀତି ଉଷ୍ମ ରହିଛି। ଏହାରି ଭିତରେ ଜଣେ ମହିଳା ସରପଞ୍ଚ ପ୍ରାର୍ଥୀଙ୍କ ପାଖକୁ ତାଙ୍କର ଜଣେ ପ୍ରତିଦ୍ୱନ୍ଦ୍ୱୀ ହ୍ୱାଟ୍ସଆପ୍‌ରେ ପଠାଇଛନ୍ତି ଅଶ୍ଲୀଳ ମେସେଜ। ଏହି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ। ବାସୁଦେବପୁର ବ୍ଲକ୍‌ ସୁଦର୍ଶନପୁର ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ରେବତୀ ସେଠୀ। ସେହିଭଳି ଅନ୍ୟ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ସୂର୍ଯ୍ୟକାନ୍ତ ମଲ୍ଲିକ। ଆଜି ସୂର୍ଯ୍ୟକାନ୍ତ ହ୍ୱାଟ୍ସଆପ୍‌ରେ ରେବତୀଙ୍କ ପାଖକୁ ପଠାଇଥିଲେ ଅଶ୍ଳୀଳ ଭିଡ଼ିଓ ମେସେଜ। ଏହାଛଡ଼ା ଟେକ୍ସଟ୍‌ ମେସେଜ ମଧ୍ୟ ପଠାଇଥିଲେ। ଏସବୁ ମେସେଜ ସୂର୍ଯ୍ୟକାନ୍ତଙ୍କ ନମ୍ୱରରୁ ଆସିଥିବା ରେବତୀ କହିଛନ୍ତି। ସୂର୍ଯ୍ୟକାନ୍ତ ଲେଖିଥିଲେ, ‘ଭାଉଜ କେମିତି ଅଛନ୍ତି? ଦିନ ୨ଟାରେ ଭେଟିବାକୁ ଚାହୁଁଛି। ଦିନ ୨ଟାରେ ଫୋନ୍‌ କର। ଲଭ ୟୁ ହମେସା…।’ ତେବେ ଏହି ଟେକ୍ସଟ୍ ମେସେଜ ସହିତ ସୂର୍ଯ୍ୟକାନ୍ତ ଏକ ଅଶ୍ଲୀଳ ଭିଡିଓ ମେସେଜ ମଧ୍ୟ ପଠାଇଥିଲେ। ରେବତୀ ଏନେଇ ବାସୁଦେବପୁର ଥାନା ଓ ବ୍ଲକ୍‌ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଉଭୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଅଶ୍ଳୀଳ ମେସେଜ ପଠାଇଥିବା ଘଟଣାକୁ ଅସ୍ୱୀକାର କରିଛନ୍ତି ସୂର୍ଯ୍ୟକାନ୍ତ। ଅଭିଯୋଗକାରୀ ରେବତୀଙ୍କ ସହ ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି ବୋଲି ସେ କହିଛନ୍ତି। ଅଭିଯୋଗକୁ ନେଇ ବାସୁଦେବପୁର ବିଡିଓ ଓ ଥାନା ଅଧିକାରୀ କହିଛନ୍ତି, ଅଭିଯୋଗ ପାଇଛୁ। ଘଟଣାର ତଦନ୍ତ କରାଯିବ।

ଆପ୍‌ ନେତ୍ରୀ ଙ୍କୁ ଉଠାଇ ନେଲା ସିବିଆଇ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) : ଲାଞ୍ଚ କାରବାର ମାମଲାରେ ସିବିଆଇ ଆମ ଆଦମୀ ପାର୍ଟି(ଆପ୍)ର ଦିଲ୍ଲୀ ମ୍ୟୁନ୍ସିପାଲ କାଉନସିଲରଙ୍କ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି। ଗିରଫ କାଉନସିଲର ହେଲେ ଗୀତା ରାୱତ।  ଆପ ଟିକେଟରୁ ଗୀତା ପୂର୍ବ ଦିଲ୍ଲୀର ମ୍ୟୁନ୍ସିପାଲ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ।  ବିଲାଲ ନାମକ ଅନ୍ୟ ଜଣେ ଅଭିଯୁମକ୍ତଙ୍କ ସହ  ଗୀତାଙ୍କଳୁ ଆଜି କୋର୍ଟରେ ହାଜର କରିବ ସିବିଆଇ । ଘର ଛାତକୁ ନେଇ ଜଣେ ମାଲିକଙ୍କ ଠାରୁ  ଆପ କାଉନସିଲର ଗୀତା ୨୦,୦୦୦ ଟାଙ୍କା ଦାବି କରିଥିବା ଅଭିଯୋଗରେ ସିବିଆଇ ମାମଲା ରୁଜୁ କରିଛି। ଆବେଦନକାରୀ ନିଜ ଘର ବିଲଡିଂର ଛାତକୁ ବୃଦ୍ଧି ପାଇଁ ଅନୁରୋଧ କରିଥିଲେ। ଫଳରେ ତାଙ୍କୁ  ଲାଞ୍ଚ ମାଗିଥିଲେ ଗୀତା। ଫଳରେ ଘର ମାଲିକ ସିବିଆଇକୁ ଜଣାଇଥିଲେ । ଏହା ପରେ କାଉନସିଲର ଗୀତାଙ୍କୁ ଧରିବା ପାଇଁ ସିବିଆଇ ଜାଲ ବିଛାଇ ଥିଲା । ଚୁକ୍ତି ଅନୁଯାୟୀ ଘର ମାଲିକ ବିଲାଲ ନାମକ ଜଣେ ଭେଣ୍ଡରଙ୍କୁ ୨୦,୦୦୦ ଟଙ୍କା ଦେଇଥିଲେ। ଗୀତା ରାୱତଙ୍କ ଅଫିସ ନିକଟରେ ବିଲାଲ ଜଣେ ଭେଣ୍ଡର ଭାବେ କାର୍ଯ୍ୟ କରନ୍ତି। ସିବିଆଇ ଉଭୟ ଭେଣ୍ଡର ଏବଂ କାଉନସିଲର ଗୀତାଙ୍କୁ ଗିରଫ କରିଛି। ଏଥିସହ ସିବିଆଇ ଅଧିକ ତଦନ୍ତ ପାଇଁ ଖୋଳତାଡ଼ ଆରମ୍ଭ କରିଛି। ଗୀତା ଓ ଭେଣ୍ଡରଙ୍କ ଘରେ  ଘରେ ସର୍ଚ୍ଚ ଅପରେଶନ ଜାରି ରହିଛି।

ଆଜିର ରାଶିଫଳ : ୧୯ ଫେବ୍ରୁଆରୀ, ଶନିବାର …!

ମେଷ: ଛାତ୍ରଛାତ୍ରୀମାନେ ଚାକିରି କ୍ଷେତ୍ରରେ ସଫଳତା ପାଇବେ। ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହୋଇପାରେ।

ବୃଷ: ସହଯୋଗ ପାଇଁ ବନ୍ଧୁ ପ୍ରତିଶ୍ରୁତି ଦେବେ। ଆୟଠୁ ବ୍ୟୟ ଅଧିକ ହେବ। ମନ ଭଲ ରହିବ।

ମିଥୁନ: ଜୀବନସାଥିଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ। ଛାତ୍ରଛାତ୍ରୀ ପାଠପଢ଼ାରେ ଉନ୍ନତ୍ତି କରିବେ।

କର୍କଟ: କର୍ମକ୍ଷେତ୍ରରେ ଆଗକୁ ଯିବାକୁ ଯୋଜନା କରିବେ। ପାରିବାରିକ ବିବାଦର ସମାଧାନ ହେବ। ଛାତ୍ରଛାତ୍ରୀମାନେ ଭବିଷ୍ୟତ ପାଇଁ ଚିନ୍ତା କରିବେ।

ସିଂହ: ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ସନ୍ତାନମାନଙ୍କ କାର୍ଯ୍ୟ ସନ୍ତୋଷଜନକ ରହିବ।

କନ୍ୟା: କର୍ମକ୍ଷେତ୍ରରେ ଉନ୍ନତ୍ତି କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଦୂରସ୍ଥାନକୁ ଯାତ୍ରା କଲା ବେଳେ ସାବଧାନ ରୁହନ୍ତୁ।

ତୁଳା: କ୍ରୋଧ ଉପରେ ନିୟନ୍ତ୍ରଣ ରଖିଲେ କାର୍ଯ୍ୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଅର୍ଥହାନୀ ହୋଇପାରେ।

ବିଛା: ବ୍ୟବସାୟରେ ବକେୟା ଅର୍ଥ ମିଳିବ। ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁ ସାହାଯ୍ୟ କରିବେ।

ଧନୁ: ଖୁସିଖବର ମିଳିପାରେ। ସୁସ୍ୱାଦୁ ଭୋଜନ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ବାପା-ମାଙ୍କୁ ପ୍ରଣାମ କରନ୍ତୁ।

ମକର: ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ। ଭାବିଚିନ୍ତି ଜମିବାଡି କ୍ରୟ କରନ୍ତୁ। ପରିବାରରେ ଭାତୃ କଳହ ଦେଖା ଦେଇପାରେ।

କୁମ୍ଭ: ମନ ଅଶାନ୍ତ ରହିବ। ରାଜନୀତିରେ ଥିବା ବ୍ୟକ୍ତିଙ୍କ ମାନସମ୍ମାନ ହାନି ହୋଇପାରେ।

ମୀନ: ବାକି ପଡ଼ିଥିବା ଅର୍ଥ ଆଦାୟ ହେବ। ଅପରାହ୍ଣରେ ଖୁସି ଖବର ମିଳିପାରେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ତୁଳସୀ ଅର୍ପଣ କରନ୍ତୁ।