ପଂଚାୟତ ନିର୍ବାଚନ; ବିଜେଡି ନେତାଙ୍କୁ ନବୀନ ଦେଲେ ଗୁରୁମନ୍ତ୍ର
ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇସାରିଥିବାବେଳେ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର ନେତାମାନଙ୍କୁ ନିର୍ବାଚନୀ ବୈତରଣୀ ପାର ହେବାର ଗୁରୁମନ୍ତ୍ର ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦଳର ମନ୍ତ୍ରୀ, ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନଙ୍କୁ ସମ୍ବୋଧନ କରି ପଂଚାୟତ ନିର୍ବାଚନ ପ୍ରଚାରରେ ରାଜ୍ୟ ସରକାରଙ୍କ ସଫଳତାର କାହାଣୀ ଲୋକଙ୍କୁ ଅବଗତ କରିବାକୁ କହିଛନ୍ତି । ବିଶେଷକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଗ୍ରାମାଂଚଳ ଗୃହ ନିର୍ମାଣ ଯୋଜନା, ଚାଷୀଙ୍କ ପାଇଁ କାଳିଆ ଓ ଅନ୍ୟାନ୍ୟ ସବସିଡି ଯୋଜନା ଆଦି ସମ୍ପର୍କରେ ରାଜ୍ୟ ସରକାର ଯେଭଳି ଐତିହାସିକ ନିଷ୍ପତ୍ତି ନେଇଛନ୍ତି ଓ ତାହା ସାଧାରଣ ଲୋକଙ୍କ ପାଇଁ କେତେ ଫଳପ୍ରଦ ହୋଇଛି, ସେସବୁ ନିର୍ବାଚନ ପ୍ରଚାରବେଳେ ଜଣାଇବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟର ସାଢ଼େ ୯୬ଲକ୍ଷ ପରିବାରକୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ, ଭୂମିହୀନ ପରିବାରକୁ ୧୦ହଜାର ଟଙ୍କାର କାଳିଆ ସହାୟତା, ଗ୍ରାମାଂଚଳର ବାସହୀନଙ୍କୁ ପକ୍କାଘର ସହ ମରାମତି ପାଇଁ ୩ରୁ ୫ହଜାର ଟଙ୍କା, ଆଦିବାସୀଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ ଯୋଜନା ଓ ମିଶନ ଶକ୍ତିର ମହିଳା ସଦସ୍ୟମାନଙ୍କୁ ୧୦ହଜାର କୋଟି ଟଙ୍କାର ସୁଧମୁକ୍ତ ଋଣ ଆଦିର ସଫଳ କାହାଣୀ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ ନବୀନ କହିଛନ୍ତି । ବିରୋଧୀ ଦଳ ପାଖରେ ବିଜେଡି ବିରୋଧରେ ଲଢ଼େଇ କରିବାକୁ କୌଣସି ପ୍ରସଙ୍ଗ ନାହିଁ। ତେଣୁ ବିରୋଧୀ ଦଳଗୁଡ଼ିକର ମିଛ ଅପପ୍ରଚାରକୁ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳ କାର୍ଯ୍ୟକ୍ରମ ମାଧ୍ୟମରେ ଜବାବ ଦେବାକୁ ସେ ଦଳୀୟ ନେତାମାନଙ୍କୁ କହିଛନ୍ତି। ଏହାସହିତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାରବେଳେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେବାକୁ ମଧ୍ୟ ନେତାମାନଙ୍କୁ ନବୀନ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଏବେ କୋଭିଡ୍ ମହାମାରୀର ତୃତୀୟ ଲହର ଚାଲିଛି। କୋଭିଡ୍ ବିରୋଧୀ ଲଢ଼େଇରେ ଓଡ଼ିଶା ଏବେ ସମଗ୍ର ଭାରତ ବର୍ଷରେ ଏକ ନମ୍ବର ହୋଇଛି। ଲୋକଙ୍କ ଜୀବନ ବଞ୍ଚାଇବାରେ ରାଜ୍ୟ ସକ୍ଷମ ହୋଇଛି। ଆପଣଙ୍କ ଜୀବନ ବି ମୂଲ୍ୟବାନ, ତେଣୁ ନିର୍ବାଚନ ପ୍ରଚାର ବେଳେ କୋଭିଡ୍ ନିୟମ ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ। ଆଜିର ଏହି କାର୍ଯ୍ୟକ୍ରମରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ୧୦୦ରୁ ଅଧିକ ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନେ ସାମିଲ ହୋଇଥିବା ଜଣାପଡ଼ିଛି।

