କଂଗ୍ରେସ ଛାଡ଼ିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଜେପିରେ ମିଶିଲେ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଜୋରଦାର ଝଟକା ଲାଗିଛି। ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରପିଏନ୍‌ ସିଂହ ଆଜି କଂଗ୍ରେସକୁ ବାଏବାଏ କହିଛନ୍ତି। ଏହାପରେ ସେ ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଜେପିର ଉତ୍ତର ପ୍ରଦେଶ ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ବିଜେପିରେ ମିଶିବା ପୂର୍ବରୁ ଶ୍ରୀ ସିଂହ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ତାଙ୍କର ଇସ୍ତଫାପତ୍ର ପଠାଇ ଥିଲେ। ଏହି ଇସ୍ତଫାପତ୍ରର ଗୋଟିଏ କପି ସେ ଟ୍ୱିଟର୍‌ରେ ପୋଷ୍ଟ କରିଛନ୍ତି। ଏଥିସହ ସେ ଲେଖିଛନ୍ତି ଯେ “ଆମେ ଆମର ମହାନ ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ଉତ୍ସବ ମନାଉଛେ। ଏହି ଅବସରରେ ମୁଁ ମୋର ରାଜନୀତିକ କ୍ୟାରିୟରର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ଜୟ ହିନ୍ଦ।” କଂଗ୍ରେସ ତାଙ୍କୁ ଦେଶବାସୀଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ଶ୍ରୀ ସିଂହ ଧନ୍ୟବାଦ ଜଣାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ସିଂହଙ୍କୁ ବିଜେପି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିବ। ସେ ବିଜେପି ଛାଡ଼ି ସମାଜବାଦୀ ପାର୍ଟିରେ ମିଶିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଛିଡ଼ା ହେବେ। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିକଟରେ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଥିଲା। ଏଥିରେ ଆରପିଏନ ସିଂହଙ୍କ ନାଁ ମଧ୍ୟ ଥିଲା। ହେଲେ ଆଜି ସେ ବିଜେପିରେ ମିଶି କଂଗ୍ରେସକୁ ଝଟକା ଦେଇଛନ୍ତି। ଶ୍ରୀ ସିଂହଙ୍କ ଏପରି ନିଷ୍ପତ୍ତିକୁ କଂଗ୍ରେସ ନେତା କାର୍ତ୍ତି ପି ଚିଦାମ୍ବରମ ତୀବ୍ର ସମାଲୋଚନା କରିଛନ୍ତି।

ନିର୍ବାଚନ ବେଳେ ‘ମାଗଣା’ ପ୍ରତିଶ୍ରୁତି ବିରୋଧରେ ସୁପ୍ରିମକୋର୍ଟ ଙ୍କ କେନ୍ଦ୍ର ଓ ଇସିଙ୍କୁ ନୋଟିସ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ନିର୍ବାଚନ ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାୟ ସବୁ ରାଜନୀତିକ ଦଳ ମାଗଣା ଯୋଜନା ବିଷୟରେ ପ୍ରତିଶ୍ରୁତି ଦେଉଛନ୍ତି। ତେବେ ରାଜନୀତିକ ଦଳଗୁଡ଼ିକର ଏପରି ମଗଣା ପ୍ରତିଶ୍ରୁତି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏଥି ସହ ଏହି ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନୋଟିସ ମଧ୍ୟ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା କହିଛନ୍ତି, “ଏହି ମାଗଣା ପ୍ରତିଶ୍ରୁତିକୁ କେମିତି ଆଇନଗତ ଉପାୟରେ ରୋକା ଯାଇପାରିବ, ସେକଥା ମୁଁ ଜାଣିବାକୁ ଚାହୁଁଛି। ୫ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ବେଳେ ଏହାକୁ ରୋକା ଯାଇ ପାରିବ କି? ଆସନ୍ତା ନିର୍ବାଚନ ବେଳକୁ ଏହା ପ୍ରସ୍ତୁତ ହେବା ଦରକାର। ମଗଣା ପ୍ରତିଶ୍ରୁତି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ମଗଣା ପ୍ରତିଶ୍ରୁତିର ବଜେଟ ନିୟମିତ ବଜେଟକୁ ମଧ୍ୟ ପାର କରି ଯାଇଛି।” ସର୍ବୋଚ୍ଚ ଅଦାଲକ ପୂର୍ବରୁ ନିର୍ବାଚନ କମିଶନଙ୍କୁ ଏହା ଉପରେ ରୋକ ଲଗାଇବା ପାଇଁ ଗାଇଡଲାଇନ ଜାରି କରିବାକୁ କହିଥିଲେ। ହେଲେ କମିଶନ ରାଜନୀତିକ ଦଳଗୁଡ଼ିକ ସହ ଗୋଟିଏ ମାତ୍ର ବୈଠକ କରିଛନ୍ତି। ନିର୍ବାଚନ ପୂର୍ବରୁ ଲୋକଙ୍କ ଟଙ୍କାରେ ମଗଣାରେ ବିଭିନ୍ନ ପ୍ରକାରର ଜିନିଷ ବାଣ୍ଟୁଥିବା କିମ୍ବା ନିର୍ବାଚନ ପରେ ମଗଣା ଜିନିଷ ମିଳିବ ବୋଲି କହୁଥିବା ରାଜନୀତିକ ଦଳଗୁଡ଼ିକର ପଞ୍ଜୀକରଣ ଖାରଜ କରିବାକୁ ଦାବି କରି ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଏହାର ଶୁଣାଣି ବେଳେ ଆଜି ସୁପ୍ରିମକୋର୍ଟ ଏପରି କହିଛନ୍ତି। ଆଜି ସୁପ୍ରିମକୋର୍ଟ କେନ୍ଦ୍ର ଓ ଇସିଙ୍କୁ ନୋଟିସ କରି ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୪ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବ। ଆବେଦନକାରୀ ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ ମାଗଣା ପ୍ରତିଶ୍ରୁତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏଥିସହ କେନ୍ଦ୍ର ସରକାର ଏହା ଉପରେ ରୋକ ଲଗାଇବାକୁ ଗାଇଡଲାଇନ ପ୍ରସ୍ତୁତ କରନ୍ତୁ ବୋଲି କହିଛନ୍ତି। ସେ ତାଙ୍କ ଆବେଦନରେ କହିଛନ୍ତି ଯେ “ବର୍ତ୍ତମାନ ରାଜନୀତିକ ଦଳଗୁଡ଼ିକ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ନିର୍ବାଚନ ବେଳେ ମଗଣା ଯୋଜନା ସମ୍ପର୍କରେ ଘୋଷଣା କରୁଛନ୍ତି। ଏବେ ଏହା ଟ୍ରେଣ୍ଡରେ ପରିଣତ ହେଲାଣି। ଏପରି ମଗଣା ପ୍ରତିଶ୍ରୁତି ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ବିପଦ। ସେହିପରି ଏହା ସମ୍ବିଧାନର ଆତ୍ମାକୁ ମଧ୍ୟ ଆଘାତ ପହଞ୍ଚାଉଛି। କ୍ଷମତାକୁ ଆସିବାକୁ ବା ରହିବାକୁ ଖୋଲାଖୋଲି ଭାବେ ରାଜନୀତିକ ଦଳଗୁଡ଼ିକ ଭୋଟରଙ୍କ ପାଇଁ ଲାଞ୍ଚ ଘୋଷଣା କରୁଛନ୍ତି। ତେଣୁ ଗଣତାନ୍ତ୍ରିକ ନୀତିର ସୁରକ୍ଷା ପାଇଁ ଏପରି ମଗଣା ପ୍ରତିଶ୍ରୁତି ଉପରେ ରୋକ ଲାଗିବା ଦରକାର। ନିର୍ବାଚନ କମିଶନ ମଧ୍ୟ ତାଙ୍କ ଗାଇଡଲାଇନରେ ଏହା ବିରୋଧରେ ବ୍ୟବସ୍ଥା କରନ୍ତୁ।”

ବିଜେପି ଫେରାଦ;ରକ୍ତମୁଖା ସାଜିଛି ବିଜେଡି;ଦେଉଛି ହତ୍ୟା ଧମକ ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଂଚାୟତ ନିର୍ବାଚନରୁ ବିଜେପି ପ୍ରାର୍ଥୀଙ୍କୁ ଓହରି ଯିବା ପାଇଁ ଶାସକ ବିଜେଡିର ଗୁଣ୍ଡାମାନେ ହତ୍ୟା ଧମକ ଦେବା ସହ ବିଜେଡି ରକ୍ତମୁଖା ସାଜି ପ୍ରତିହିଂସାମୂଳକ ଆକ୍ରମଣ ଆରମ୍ଭ କରିଦେଇଛିି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ପ୍ରତିନିଧି ଦଳ ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରି ଆନୁଷ୍ଠାନିକ ଅଭିଯୋଗ କରି ତୁରନ୍ତ ପ୍ରାର୍ଥୀଙ୍କୁ ସୁରକ୍ଷା ଯୋଗାଇବାକୁ ଅନୁରୋଧ କରିଛନ୍ତି। ଏହାସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦେବା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରି ଏହି ଅଭିଯୋଗ କରିଛି। ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ, ପଂଚାୟତ ନିର୍ବାଚନ ଆରମ୍ଭ ହେବା ଆଗରୁ ଶାସକ ବିଜେଡି ରକ୍ତମୁଖା ସାଜିବିରାଧୀଙ୍କ ପ୍ରତିହିଂସାତ୍ମକ ଆକ୍ରମଣ ଆରମ୍ଭ କରିଦେଇଛନ୍ତିି । ଗଣତାନ୍ତ୍ରିକ ପଦ୍ଧତିରେ ବିଜେପି ପ୍ରାର୍ଥୀମାନେ ଲୋକମାନଙ୍କୁ ପାଖକୁ ଯାଇ ନିର୍ବାଚନ ଲଢୁଥିବାବେଳେ ଶାସକ ବିଜେଡି ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ରାଜ୍ୟରେ ଏକ ଅଗଣତାନ୍ତ୍ରିକ ବାତାବରଣ ସୃଷ୍ଟି କରୁଛି। ବିଜେପି ପ୍ରାର୍ଥୀଙ୍କୁ ରକ୍ତମୁଖା ସାଜିଥିବା ଶାସକ ବିଜେଡିର ଗୁଣ୍ଡାମାନେ ଧମକ, ଭୟଭୀତ ଓ ମରଣାନ୍ତକ ଆକ୍ରମଣ କରି ନିର୍ବାଚନରୁ ଓହରି ଯିବା ପାଇଁବାଧ୍ୟ କରୁଛନ୍ତି । ପଂଚାୟତ ନିର୍ବାଚନ ପ୍ରକ୍ରିୟାର ଆରମ୍ଭରୁ ଗଞ୍ଜାମ ଜିଲ୍ଲାର ଚିକିଟିଠାରେ ବିଜେଡିର ଗୁଣ୍ଡାମାନେ ବିଜେପି କର୍ମକର୍ତ୍ତାଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲା । ସେହିପରି ସମାନ ଢଙ୍ଗରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଜୋନ ନଂ-୧ର ବିଜେପି ପ୍ରାର୍ଥିନୀ ସବ୍ୟସିନୀ ପ୍ରଧାନ ଓ ମଣ୍ଡଳ ସଭାପତି ପ୍ରଦୀପ ପ୍ରଧାନଙ୍କ ପାକେଲଖୋଲସ୍ଥିତ ତାଙ୍କ ଘରେ ପଶି ଶାସକ ବିଜେଡିର ବିକ୍ରମ ପ୍ରଧାନଙ୍କ ସମେତ ଅନେକ ବିଜେଡିଗୁଣ୍ଡାମାନେ ନାମାଙ୍କନ ପ୍ରତ୍ୟାହାର କରିବାକୁ କହିଥିଲେ। ନାମାଙ୍କନ ପ୍ରତ୍ୟାହାର ନକଲେ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଧ୍ୱଂସ କରିବାକୁ ଧମକ ମଧ୍ୟ ଦେଇଛନ୍ତି ।ଏହାକୁ ନେଇ ବିଜେପି ତରଫରୁ ମଣ୍ଡଳ ସଭାପତି ପ୍ରଦୀପ ପ୍ରଧାନ ଝାରସୁଗୁଡ଼ା ଜିଲ୍ଲା ଲଇକେରା ପୋଲିସ ଷ୍ଟେସନରେ ଗତ ୨୩ ତାରିଖ ଦିନ ଏକ ଏଫଆଇଆର ଦାଖଲ କରିଛନ୍ତିି। ମାତ୍ର ଏବେସୁଦ୍ଧା ପୁଲିସ ପ୍ରଶାସନ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ଏବଂ ଅଭିଯୁକ୍ତମାନେ ନିର୍ଭୟରେ ବାହାରେ ବୁଲୁଛନ୍ତିି । ଫଳରେ ଜନସାଧାରଣଙ୍କ ମନ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅବାଧ, ଭୟମୁକ୍ତ ଓ ନିରପେକ୍ଷ ହେବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଏହି ପ୍ରତିନିଧି ଦଳରେ ମହେଶ ମହାନ୍ତିି, ପଂଚାନନ ନାୟକ, ଜୟନ୍ତ ଜେନା ଓ ରଶ୍ମୀରଂଜନ କାନୁନଗୋ ପ୍ରମୁଖସାମିଲ ଥିଲେ ।

ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଲଟିଛି ରିଟାର୍ଡ ଅଫିସରଙ୍କ ‘କ୍ଲବ ହାଉସ୍‌’ ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କରୋନାର ଆଳ ଦେଖାଇ ତାଟି କବାଟ ପକାଇ ନବୀନ ନିବାସ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇବର୍ଷ ଧରି ଲୁଚିକି ରହିଛନ୍ତି। ଏକ ନମ୍ବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହୁଛନ୍ତି କିନ୍ତୁ ତାଙ୍କ ଜିଲ୍ଲା ଦାଦନ ଖଟିବାରେ ଏକ ନମ୍ବରରେ ରହିଛି । ଯେଉଁ ଅଫିସରମାନେ ଅତୀତରେ ସରକାରଙ୍କ ଅଧସ୍ତନ ହୋଇ କାମ କରୁଥିଲେ ଏବେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା। ଆଉ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ଏହି ରିଟାର୍ଡ ଅଫିସରମାନଙ୍କ ‘କ୍ଲବ ହାଉସ୍ ’ ପାଲଟିଛି। ଏଭଳି ଢଙ୍ଗରେ କଡ଼ା ଭାଷାରେ କଂଗ୍ରେସ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ, ଅଧସ୍ତନ କର୍ମଚାରୀ ପରବର୍ତ୍ତୀ ସମୟରେ ଉପରିସ୍ଥ ହୋଇ ଉପଦେଶ ଦେଲେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ବାସ୍ତବ ସ୍ଥିତି ଅପପ୍ରଚାର ଭଳି ଲାଗିବ। କରୋନାର ଆଳ ଦେଖାଇ ତାଟି କବାଟ ପକାଇ ମୁଖ୍ୟମନ୍ତ୍ରୀ ନବୀନ ନିବାସ ଭିତରେ ଦୁଇବର୍ଷ ଧରି ଲୁଚିକି ରହିଛନ୍ତି । ନିର୍ବାଚନୀ କାର୍ଯ୍ୟ ଓ କଳିଙ୍ଗ ଷ୍ଟାଡିୟମ ଗଲେ କରୋନା ହେଉନାହିଁ । ନିଜ ସରକାରର ମନ୍ତ୍ରୀ ଓ ନିଜ ଦଳ ବିଧାୟକଙ୍କ ଭିତରେ ବିଧାନସଭାରେ ତାଙ୍କୁ କରୋନା ହେବାର ଭୟ ହେଉଛି । ମୁଖ୍ୟମନ୍ତ୍ରୀଙ୍କର ଏହି ଦୋହରା ମାନସିକତା ପାଇଁ ସେ ହୁଏତ ପ୍ରଚାର ଓ ଅପପ୍ରଚାରର ସଂପର୍କରେ ଭିନ୍ନତାକୁ ବାରି ପାରୁନାହାନ୍ତି । କିମ୍ବା ସେ ଓଡ଼ିଶାର ବାସ୍ତବ ସ୍ଥିତିକୁ ଆକଳନ କରିପାରୁ ନାହାନ୍ତି । ଯାହା ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ । ସେ ଅଭିଯୋଗ କରିଛନ୍ତି ଯେ, ସରକାରୀ ଚାକିରିରୁ ଅବସର ପରେ ଆଇଏଏସ୍ ଆର. ବାଲକ୍ରିଷ୍ଣନ ଓ ଅସିତ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା । ସେହିପରି ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀଙ୍କର ଓଏସଡି । ଆହୁରି ଅନେକ ଅବସରପ୍ରାପ୍ତ ଅଫିସର କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଆଶ୍ରୟ ଦିଆଯାଇଛି । ଯାହାଙ୍କର ପ୍ରଶାସନିକ ଉତ୍ତରଦାୟିତ୍ୱ ନାହିଁ । କହିବାକୁ ଗଲେ ରାଜ୍ୟର ସର୍ବାଧିକ ସମ୍ବେଦନଶୀଳ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ‘ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ’ ଏବେ କେତେକ ଅବସରପ୍ରାପ୍ତ ଓ ପ୍ରଶାସନିକ ସ୍ତରରେ ଅନଫିଟ୍ ଅଫିସରଙ୍କର କ୍ଳବ ହାଉସ ଓ କଫି ସେଂଟରରେ ପରିଣତ ହୋଇଛି । ଏହି ଅବସରପ୍ରାପ୍ତ ବିବାଦୀୟ ଅଫିସରମାନଙ୍କ ମଉଜ ମଜଲିସ୍ ପାଇଁ ସରକାରୀ ତହବିଲ୍‌ରୁ ବ୍ୟାପକ ଅର୍ଥ ବ୍ୟୟ କରାଯାଉଛି ଓ ଏମାନଙ୍କ ମାଧ୍ୟମରେ ବିଭିନ୍ନ କ୍ରଟାଂକ୍ଟର, କମ୍ପାନୀ ମାନଙ୍କ ଠାରୁ ଅର୍ଥ ଆଦାୟ କରାଯାଉଛି । ସେ ଉଦାହରଣ ଦେଇ କହିଛନ୍ତି ଯେ, ପ୍ରଶାସନିକ ଉତ୍ତରଦାୟିତ୍ୱ ନଥିବା ଅସିତ ତ୍ରୀପାଠୀ କିଛିଦିନ ତଳେ ଢ଼େଙ୍କାନାଳର ନାଲକୋ ଗେଷ୍ଟହାଉସରେ ବିଭିନ୍ନ ଶିଳ୍ପପତିଙ୍କୁ ଭେଟିବା ଏହାର ଜ୍ୱଳନ୍ତ ପ୍ରମାଣ । ଯଦି ସରକାରଙ୍କର ଶିଳ୍ପ ନୀତି କିଛି କାର୍ଯ୍ୟକ୍ରମ ନେବାର ଥିଲା ତାହାହେଲେ ଶିଳ୍ପ ସଚିବ ମାଧ୍ୟମରେ କରାଇପାରିଥାନ୍ତେ । ଗୋଟିଏ ପଟେ ରାଜ୍ୟର ଯୁବକମାନଙ୍କୁ ନିଯୁକ୍ତି ଦେବାରେ ବିଫଳ ରାଜ୍ୟ ସରକାର ଅବସରପ୍ରାପ୍ତ ମାନଙ୍କୁ ପୁନଃ ନିଯୁକ୍ତି ଦେଇ ପ୍ରଶାସନିକ ବ୍ୟବସ୍ଥାକୁ ମୂଳପୋଛ କରିଦେବାର ବିଧିବଦ୍ଧ ଷଡ଼ଯନ୍ତ୍ର ଚାଲିଛି କି? ନଳିନୀ ପ୍ରଧାନ ନାମକ ଜଣେ ଇଂଜିନିୟର ପୂର୍ତବିଭାଗର ସଚିବ ଥିଲେ । ତାଙ୍କର କାର୍ଯ୍ୟକାଳ ଭିତରେ ଗୁରୁପ୍ରିୟା ସେତୁ, ଭୁବନେଶ୍ୱର ବ୍ରଜି ଭୁଷୁଡ଼ିବା, ଏଷ୍ଟିମେଟେଡ କଷ୍ଟରୁ ଠିକାଦାରଙ୍କୁ ଅଧିକ ଅର୍ଥ ଭଳି ଘଟଣା ଘଟିଥିଲା । କୁହାଯାଉଥିଲା କି ସେହି ପତ୍ତସଚିବ ବିଜୁ ଜନତା ଦଳ ପାଇଁ ପାଣ୍ଠି ଯୋଗାଡ଼ ଦାୟୀତ୍ୱରେ ଥିଲେ । ଯେଉଁଥିପାଇଁ ଅବସରପରେ ସମ୍ବଲପୁରରୁ ଲୋକସଭା ଟିକେଟ ଦିଆଯାଇଥିଲା । ଯଦି ସତ୍‌ସାହସ ଅଛି ଏହା ପ୍ରଚାର ନା ଅପପ୍ରଚାର ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମନୋରଞ୍ଜନ ଦାଶ, ଶାନ୍ତନୁ ସାହୁ, ସନ୍ତୋଷ କୁମ୍ଭାର ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

‘ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ବିଜେଡି ଧମକାଉଛି’…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପ୍ରାର୍ଥୀଙ୍କୁ ଧମକାଇ ବିଜେଡି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛି ବିଜେପି। ଯାଜପୁର, ବରଗଡ଼, ଝାରସୁଗୁଡା, ମାଲକାନଗିରି ସମେତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଏହିପରି କରାଯାଉଥିବା ବିଜେପି ଅଭିଯୋଗ କରିଛି। ରାଜ୍ୟ ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ ଅଭିଯୋଗ ଆଣିଛନ୍ତି, ମାଲକାନଗିରି କାଲିମେଳାର ଜୋନ୍-୨ର ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନା କାବାସୀଙ୍କୁ ଦୁଇ ଦିନ ହେବ ଅପହରଣ କରି ନିଆଯାଇଛି। ଏହି ଜୋନରେ ବିଜେପି ୧୯୯୭ ମସିହାରୁ ୫ଥର ଜିତି ଆସିଛି। ଆଉ ସେହି ଜୋନରୁ ଜଣେ ଶିକ୍ଷିତା ମହିଳାଙ୍କୁ ଘରୁ ଉଠାଇ ନିଆଯାଇଛି। ତାଙ୍କର ଏଯାଏ କୌଣସି ଖୋଜ ଖବର ନଥିବା ସେ କହିଛନ୍ତି। ଏହାଛଡ଼ା ଯାଜପୁରରେ ପୁଲିସ ଏବଂ ପ୍ରଶାସନ ଚାପ ପକାଇ ପ୍ରାର୍ଥୀ ମାନଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଛନ୍ତି। ବରଗଡ଼ର ଭଟଲିରେ ମନ୍ତ୍ରୀ ସୁଶାନ୍ତ ସିଂ ନିଜେ ଚାପ ପକାଇ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛି ବିଜେପି। ତେଣୁ ଏସମସ୍ତ ଅଭିଯୋଗ ନେଇ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛି। କଂଗ୍ରେସ ବି ପ୍ରାର୍ଥୀଙ୍କୁ ଧମକାଇବା ନେଇ ବିଜେଡି ଉପରେ ବର୍ଷିଛି। ବିଜୁ ଜନତା ଦଳର କର୍ମୀଙ୍କୁ ଶୃଙ୍ଖଳିତ ହେବା ଲାଗି ମୁଖ୍ୟମନ୍ତ୍ରୀ କୁହନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି। ସୁର ରାଉତରାୟ କହିଛନ୍ତି, ନବୀନ ବାବୁ ତାଙ୍କୁ କର୍ମୀଙ୍କୁ ଚେତାବନୀ ଦିଅନ୍ତୁ। ବିଜେଡି କର୍ମୀ ଗୁଣ୍ଡାଗର୍ଦି କରୁଛନ୍ତି। ବିଜେପି ଓ କଂଗ୍ରେସର ଯେଉଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି, ସେମାନଙ୍କୁ ବିଜେଡି କର୍ମୀ ପ୍ରାଥିପତ୍ର ପ୍ରତ୍ୟାହାର କରିବାକୁ ଧମକାଉଛନ୍ତି। ସେପଟେ ବିଜେପି ଓ କଂଗ୍ରେସ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ପ୍ରଥମେ ଦୁଇ ଦଳ ନିଜେ ଶୃଙ୍ଖଳିତ ହୋଇ ନିର୍ବାଚନ ରଣାଙ୍ଗନରେ ଓହ୍ଲାନ୍ତୁ ବୋଲି କହିଛନ୍ତି ବିଜେଡି ନେତା ଲେଲିନ୍ ମହାନ୍ତି। ଲେନିନ୍ କହିଛନ୍ତି, ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି, ତାହା ଅତି ହୀନମାନ୍ୟତା। ବିରୋଧୀ ସେମାନଙ୍କର ସାଙ୍ଗଠନିକ ଦକ୍ଷତା, ଭଲ ପ୍ରାର୍ଥୀ ଓ ଆଭିମୁଖ୍ୟ ଦେଖି ନିର୍ବାଚନ ରଣାଙ୍ଗନକୁ ଯାଆନ୍ତୁ।

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସାରା ଦେଶ ଆଜି ପାଳନ କରୁଛି ୭୩ତମ ସାଧାରଣତନ୍ତ୍ର ଦିବସ।  ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଆୟୋଜିତ ହୋଇଯାଇଛି।  ଏହି ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।  ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

BBSR

କୋଭିଡ କଟକଣା  ଯୋଗୁ ଚଳିତ ବର୍ଷର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ ଅନୁଷ୍ଠିତ ହୋଇଥିଲା। ପରେଡର ନେତୃତ୍ୱ ନେଇଥିଲେ ଯୁବ ଆଇପିଏସ୍ ଅଧିକାରୀ ରୋହିତ ବର୍ମା।  ତେବେ କଟକଣା ଯୋଗୁଁ ୧୦ କଣ୍ଟିଜେଣ୍ଟ ପରେଡରେ ଅଂଶଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ପରେଡ୍‌ରେ ବିଏସ୍ଏଫ୍ ସାମିଲ ହୋଇଥିଲେ। ପରେଡ୍‌ ଦେଖିବାକୁ ଗାନ୍ଧି ମାର୍ଗକୁ ସାଧାରଣ ଲୋକଙ୍କୁ ବାରଣ କରାଯାଇଥିଲା। ରାଜ୍ୟସ୍ତରୀୟ ପରେଡ୍ ଲାଗି ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।  ଗାନ୍ଧି ମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଥିଲା।

ଓଡ଼ିଆ ଆଇଏଏସଙ୍କୁ ମରଣୋତ୍ତର ‘ପଦ୍ମଶ୍ରୀ’…..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଗୁଜୁରାଟ କ୍ୟାଡ଼ରର ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ରଙ୍କୁ ମରଣୋତ୍ତର ଭାବେ ଦେଶର ଅନ୍ୟତମ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ ପୁରସ୍କାର ମିଳିବ। ପ୍ରଶାସନିକ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିବଂଗତ ଶ୍ରୀ ମହାପାତ୍ରଙ୍କୁ ଏହି ସମ୍ମାନ ମିଳିବ। ୨୦୨୧ ଜୁନ୍ ମାସରେ ଶ୍ରୀ ମହାପାତ୍ର କୋଭିଡ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ। ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ‘ପଦ୍ମ’ ପୁରସ୍କାର ତାଲିକାରେ ଆଇଏଏସ୍ ଶ୍ରୀ ମହାପାତ୍ରଙ୍କୁ ମରଣୋତ୍ତର ‘ପଦ୍ମଶ୍ରୀ’, ପ୍ରତିଭା ରାୟଙ୍କୁ ‘ପଦ୍ମଭୂଷଣ’ ଓ ଓଡ଼ିଶାର ଅନ୍ୟ ୫ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ମଧ୍ୟ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା ହୋଇଛି । ଓଡ଼ିଆ ଆଇଏଏସ୍ ଶ୍ରୀ ମହାପାତ୍ର ଗୁଜୁରାଟ କ୍ୟାଡ଼ରର ଆଇଏଏସ୍ ଭାବେ କାର୍ଯ୍ୟ କରି ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଥିଲେ । ସେ କେନ୍ଦ୍ରରେ ସଚିବ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କର କୋଭିଡରେ ମୃତ୍ୟୁ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ‘ମନ କି ବାତ’ କାର୍ଯ୍ୟକ୍ରମରେ ତାଙ୍କୁ କର୍ମଯୋଗୀ ଭାବେ ଅଭିହିତ କରିଥିଲେ । ୧୯୬୨ ଏପ୍ରିଲ ୨୨ରେ ଭୁବନେଶ୍ୱରରେ ଜନ୍ମିତ ଶ୍ରୀ ମହାପାତ୍ର ଚଳିତବର୍ଷ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ । ଶ୍ରୀ ମହାପାତ୍ର ପ୍ରଥମ ଓଡ଼ିଆ ପ୍ରଶାସନିକ ଅଧିକାରୀ ଯିଏ ମରଣୋତ୍ତର ଭାବେ ପଦ୍ମ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ, ବାବା ବଳିଆଙ୍କୁ ପଦ୍ମଶ୍ରୀ ସମ୍ମାନ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଆଜି ଘୋଷଣା ହୋଇଛି ୨୦୨୧ ବର୍ଷ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର। ଏଥିରେ ଓଡ଼ିଶାରୁ ୭ ଜଣ ଅଛନ୍ତି। ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟଙ୍କୁ ମିଳିବ ପଦ୍ମଭୂଷଣ ସମ୍ମାନ। ପାରା ଆଥଲେଟ୍‌ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନ। ସମାଜସେବା ପାଇଁ ଶିଶୁ ଅନନ୍ତ ମଠର ମହନ୍ତ ମହାରାଜ ଶ୍ରୀମଦ୍‌ ବାବା ବଳିଆଙ୍କୁ ପଦ୍ମଶ୍ରୀ ସମ୍ମାନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାଶଙ୍କୁ ପଦ୍ମଶ୍ରୀ, କଳା କ୍ଷେତ୍ରରେ ଅବଦାନ ପାଇଁ ଶ୍ୟାମାମଣୀ ଦେବୀଙ୍କୁ ପଦ୍ମଶ୍ରୀ, ସାହିତ୍ୟ ଓ ଶିକ୍ଷା ପାଇଁ ନରସିଂହ ପ୍ରସାଦ ଗୁରୁଙ୍କୁ ପଦ୍ମଶ୍ରୀ, ସିଭିଲ ସର୍ଭିସ ପାଇଁ ଗୁରୁପ୍ରସାଦ ମହାପାତ୍ରଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରଯିବ। ଭାରତର ପ୍ରଥମ ସିଡିଏସ୍‌ ବିପିନ ରାଓ୍ୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ, ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ରାଧେ ଶ୍ୟାମ ଖେମକାଙ୍କୁ ସାହିତ୍ୟ ପାଇଁ ମରଣୋତ୍ତର ପଦ୍ମ ବିଭୂଷଣ, କଳା କ୍ଷେତ୍ରରେ ଅବଦାନ ପାଇଁ ପ୍ରଭା ଆଟ୍ରେଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ୧୭ ଜଣଙ୍କୁ ପଦ୍ମଭୂଷଣ ଓ ୧୦୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ। ଗୁଲାମ ନବୀ ଆଜାଦ, ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ପଦ୍ମଭୂଷଣ,ପାରା ଆଥଲେଟ୍‌ ଦେବେନ୍ଦ୍ର ଝାଝାରିଆ, ସୁନ୍ଦର ପିଚାଇଙ୍କୁ ପଦ୍ମଭୂଷଣ, ସାଇରସ୍‌ ପୁନାଓ୍ୱାଲାଙ୍କୁ ପଦ୍ମଭୂଷଣ ସମ୍ମାନ, ଆଥଲେଟ୍‌ ସୁମିତ ଅଣ୍ଟିଲ, ନୀରଜ ଚୋପ୍ରା, ବନ୍ଦନା କାଟରିଆଙ୍କୁ ପଦ୍ମଶ୍ରୀ, କଳା କ୍ଷେତ୍ର ପାଇଁ ଚନ୍ଦ୍ର ପ୍ରକାଶ ଦ୍ୱିବେଦୀଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ।

ପ୍ରଶାସନିକ ସେବା ନିୟମ ସଂଶୋଧନ ପ୍ରସ୍ତାବକୁ ରାଜ୍ୟର ବିରୋଧ…..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଭାରତ ପ୍ରଶାସନିକ ସେବା ନିୟମ ସଂଶୋଧନ ଉପରେ ଆପତ୍ତି ଉଠାଇଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ବିଭିନ୍ନ ରାଜ୍ୟ। ଏହାକୁ ବିରୋଧ କରିବା ପରେ ଓଡ଼ିଶା ସରକାର ମଧ୍ୟ ଏହି ପ୍ରସ୍ତାବରେ ସହମତି ହୋଇନାହାନ୍ତି। ପୂର୍ବ ପ୍ରଚଳିତ ନିୟମ ଲାଗୁ କରିବା ଓ ଖାଲି ଥିବା ପ୍ରଶାସନିକ ସେବା ପଦ ପୂରଣ କରିବା ଉପରେ ଦାବି କରିଛନ୍ତି ରାଜ୍ୟ ସରକାର। ଯଦି ସେଣ୍ଟ୍ରାଲ ଡେପୁଟେସନରେ ଅଫିସରମାନଙ୍କୁ ନିଆଯିବ ତାହାଲେ ଉନ୍ନୟନମୂଳକ ଯୋଜନା ବାଧାପ୍ରାପ୍ତ ହେବା ସହ ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନକୁ କୌଣସି କେନ୍ଦ୍ରୀୟ କର୍ମଚାରୀଙ୍କୁ ନେବା ପୂର୍ବରୁ ସେମାନଙ୍କ ସହମତି ଆବଶ୍ୟକ ବୋଲି ମତପ୍ରକାଶ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ପୂର୍ବରୁ ଏହି ପ୍ରସ୍ତାବକୁ ନେଇ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ପଶ୍ଚିମବଂଗ, ତେଲେଙ୍ଗାନା, ଛତିଶଗଡ଼ ଓ ରାଜସ୍ଥାନ ସରକାର ଆପତ୍ତି ଉଠାଇଥିଲେ। ଏହି ପ୍ରସ୍ତାବକୁ ରାଜ୍ୟ କଂଗ୍ରେସ ମଧ୍ୟ ବିରୋଧ କରିଛି। ତେବେ ପ୍ରସ୍ତାବକୁ ସମର୍ଥନ କରିଛି ରାଜ୍ୟ ବିଜେପି। ପ୍ରସ୍ତାବ ଅନୁସାରେ ଏଣିକି ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ନେବା ଲାଗି ଆଉ ରାଜ୍ୟମାନଙ୍କ ଅନୁମତି ଆବଶ୍ୟକ ହେବ ନାହିଁ ବର୍ତ୍ତମାନର ନିୟମ ଅନୁସାରେ କେଉଁ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯିବେ, ରାଜ୍ୟମାନେ ତାର ଏକ ତାଲିକା ପ୍ରଦାନ କରନ୍ତି ଜାନୁଆରୀ ୨୫ ସୁଦ୍ଧା ପକ୍ଷ ରଖିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି। ଏ ନେଇ ବିଜେଡି ନେତା ଅମର ଶତପଥୀ କହିଛନ୍ତି, ଆମର ଗୋଟିଏ ଫେଡେରାଲ୍ ଷ୍ଟ୍ରକଚର୍ ଅଛି। କେନ୍ଦ୍ର ସରକାର ଯଦି ଏକତରଫା ଭାବେ ଏହା କରିବ, ତାହେଲେ ତାହାର ପ୍ରଭାବ ନିଶ୍ଚିତ ପଡ଼ିବ। ଏହାଦ୍ୱାରା ପ୍ରଶାସନିକ ବ୍ୟବସ୍ଥା ଏବଂ ରାଜ୍ୟ ଓ କେନ୍ଦ୍ରର ସମ୍ପର୍କରେ ପ୍ରଭାବ ପକାଇବ ବୋଲି ଅମର ଶତପଥୀ କହିଛନ୍ତି। ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଯେଉଁ ଅଫିସର୍ ଭାବେ ଦକ୍ଷତା ପୂର୍ଣ୍ଣ ଭାବେ ରାଜ୍ୟରେ କାମ କରୁଛନ୍ତି ଏବଂ ଯେଉଁ ସ୍ଥାନରେ ବିଜେପି ସରକାର ନାହିଁ, ସେହି ସ୍ଥାନରୁ ସେମାନେ ଭଲ ଅଫିସରଙ୍କୁ କେନ୍ଦ୍ରକୁ ନେଇଯିବେ। ଏହା ବଦଳରେ କେନ୍ଦ୍ର ଦୁର୍ନୀତିଖୋର ଅଫିସରଙ୍କୁ ରାଜ୍ୟକୁ ପଠାଇ ଦେବେ। ଯାହା ଫଳରେ ରାଜ୍ୟର ଉନ୍ନତି ହୋଇପାରିବ ନାହିଁ। ସେପଟେ ବିଜେପି ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଅଫିସରମାନଙ୍କୁ କାମ କରିବାର ସ୍ୱାଧୀନତା ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେମାନଙ୍କୁ ରାଜନୀତିକ ଚାପରୁ ଊର୍ଦ୍ଧ୍ୱରେ ରଖିବା ପାଇଁ କେନ୍ଦ୍ର ସରକାର ଏହି ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ସ୍ୱାଗତଯୋଗ୍ୟ। ଏହା କାର୍ଯ୍ୟକାରୀ ହେଲେ ଆଗାମୀ ଦିନରେ ଭଲ ଗଭର୍ନାନ୍ସ ଦେଖିବାକୁ ମିଳିବ। ତେଣୁ ଏହି ନିଷ୍ପତ୍ତିକୁ ଯେଉଁମାନେ ବିରୋଧ କରୁଛନ୍ତି, ସେମାନେ ଏହାର ପୁନର୍ବିଚାର କରିବା ଦରକାର ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଆଜିର ରାଶିଫଳ -୨୬ ଜାନୁଆରୀ, ବୁଧବାର

ମେଷ: ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ପୁରାତନ ରୋଗର ଉପସମ ହୋଇ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ।

ବୃଷ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ: ଶତ୍ରୁମାନେ ପରାଜିତ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

କର୍କଟ: ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। ପ୍ରତିଯୋଗୀତାରେ କୃତକାର୍ଯ୍ୟ ହେବେ। ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳପ୍ରଚଳ ହେବା ଉଚିତ୍।

ସିଂହ: ମାନସିକ ସ୍ଥିରତା ଦେଖାଦେବ।  ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ।  ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ।

କନ୍ୟା: ବକେୟା ଅର୍ଥ ଆଦାୟ ହେବ। କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ସହଜରେ ସମ୍ପୂର୍ଣ୍ଣ ହେବ।

ତୁଳା: ବ୍ୟବସାୟରେ ଅଶା ମୁତାବକ ଲାଭ ମିଳିବ। କିଛି ଦାମୀ ଜିନିଷ କ୍ରୟ କରିପାରନ୍ତି। ପରିବାରରେ ଶାନ୍ତିର ବାତାବରଣ ରହିବ।

ବିଛା: ଆପଣା ଲୋକଙ୍କ ସାହାଯ୍ୟ ପାଇ କେତେକ ସମସ୍ୟାର ମୁକ୍ତି ପାଇବେ। ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ।

ଧନୁ: ଆୟର ନୂତନ ମାର୍ଗ ଖୋଜିବେ। ଅର୍ଥ ପ୍ରାପ୍ତି ହେବ। ଉତ୍ତମ ଭୋଜନ ପାଇବେ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ମକର: ପତିପତ୍ନୀଙ୍କ ମଧ୍ୟରେ ଥିବା ମତଭେଦ ଓ ତିକ୍ତତା ଦୂର ହେବ। ପଢ଼ାପଢ଼ିରେ ମନ ଦେବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

କୁମ୍ଭ: ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ବକେୟା ଅର୍ଥ ପ୍ରାପ୍ତି ହେବ। କିଛି ପୁରୁଣା ସମସ୍ୟାର ସମାଧାନ ହେବ।

ମୀନ: ପାରିବାରିକ ସମସ୍ୟାର ସମାଧାନ ହେବ। ପନିପରିବା ବ୍ୟବସାୟୀମାନେ ଭଲ ଲାଭ ପାଇବେ।