୧୨ରେ ଜିଲ୍ଲାପାଳ ଓ ଏସପିଙ୍କ ବୈଠକ ଡାକିଲେ ନିର୍ବାଚନ କମିଶନର…..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଛୁଆ ବର୍ଗଙ୍କ ସଂରକ୍ଷଣ ବିନା ନିର୍ବାଚନ ନକରିବାକୁ ବିରୋଧୀ ଦଳ ଗୁଡ଼ିକର ଦାବି ମଧ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ ରାଜ୍ୟ ନିର୍ବାଚନ କମିଶନର ତ୍ୱରାନ୍ୱିତ କରିଛନ୍ତି। ଓମିକ୍ରନ ସଂକ୍ରମଣ ବୃଦ୍ଧି ସତ୍ତ୍ୱେ ପଞ୍ଚାୟତ ନିର୍ବାଚନ ପ୍ରଭାବିତ ହେବାର ଆଶଙ୍କା କରାଯାଉଥିଲେ ମଧ୍ୟ ରାଜ୍ୟ ନିର୍ବାଚନ କମିଶନର ଆସନ୍ତା ୧୨ତାରିଖରେ ରାଜ୍ୟ ସରକାରଙ୍କ ସହ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଚୂଡ଼ାନ୍ତ ବୈଠକ କରିବେ। ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୮ ତାରିଖରେ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ନିର୍ବାଚନ ପ୍ରସ୍ତୁତିର ତଦାରଖ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଆସନ୍ତା ୧୨ତାରିଖରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ସହ ବୈଠକ କରିବେ । ଏହି ବୈଠକରେ ମୁଖ୍ୟ ସଚିବ, ପୁଲିସ ଡିଜି, ଉନ୍ନୟନ କମିଶନର, ଗୃହ ସଚିବ ଓ ପଂଚାୟତିରାଜ ସଚିବ ଯୋଗ ଦେବେ । ସମସ୍ତ ଜିଲ୍ଲାପାଳ ଓ ଏସପି ମଧ୍ୟ ବୈଠକରେ ସାମିଲ ହେବେ । ଏହି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହେବ । ଦିନତମାମ ଏହି ବୈଠକ ଚାଲିବ ।ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେଇ ପଞ୍ଚାୟତ ନିର୍ବାଚନ କରିବା ନିମନ୍ତେ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଦାବି ଜଣାଇଥିବାବେଳେ ଶାସକ ବିଜେଡି ଏବେ ପଂଚାୟତ ନିର୍ବାଚନକୁ ସ୍ଥଗିତ ରଖିବା ମୁଡରେ ନାହିଁ । ଯେଉଁଥିପାଇଁ ଓମିକ୍ରନ ସଂକ୍ରମଣ ବୃଦ୍ଧି ଆଶଙ୍କା ସତ୍ତ୍ୱେ ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନିର୍ଦ୍ଧାରିତ ଅବଧିରେ ସାରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନର ପ୍ରସ୍ତୁତି ଜୋରଦାର କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ରାଜ୍ୟ ନିର୍ବାଚନ କମିଶନର ଆଜି ପଞ୍ଚାୟତ ନିର୍ବାଚନରେ ହେବାକୁ ଥିବା ପ୍ରାର୍ଥୀଙ୍କ ନିମନ୍ତେ ଚିହ୍ନ ଘୋଷଣା କରିଥିବାବେଳେ ଭୁଲ୍ ସତ୍ୟପାଠ ଦାଖଲ ଉପରେ କଟକଣା ଜାରି କରି ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।

ନୂଆବର୍ଷରେ ନୂଆ ନିୟମ: ଇ-ଫର୍ମାଟ୍‌ରେ ମିଳିବ DL ଓ RC…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ସରିଲା ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ଓ ଆର୍‌ସି ପାଇଁ ସ୍ମାର୍ଟକାର୍ଡ ଏବଂ ପେପର ଡକ୍ୟୁମେଣ୍ଟ ଯୁଗ। ନୂଆବର୍ଷରୁ ସଫ୍ଟ କପିରେ ମିଳିବ ଡ୍ରାଇଭିଂ ଲାଇସେନ୍ସ। ପୋର୍ଟାଲ ଓ ଆପ୍‌ରୁ ଡାଉନ୍‌ଲୋଡ୍‌ କରି ମୋବାଇଲରେ ରଖିପାରିବେ ଲୋକେ। ଆବଶ୍ୟକ ସ୍ଥଳେ ବ୍ୟବହାର ପାଇଁ ପ୍ରିଣ୍ଟ ମଧ୍ୟ କରିପାରିବେ। ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ଓ ଆର୍‌ସି ପାଇଁ ସ୍ମାର୍ଟକାର୍ଡ ପ୍ରସ୍ତୁତ କରୁଥିବା ସଂସ୍ଥା ସ୍ମାର୍ଟ ଚିପ୍‌ ଲିମିଟେଡ୍‌ ସହ ରାଜ୍ୟ ସରକାରଙ୍କ ଚୁକ୍ତି ଶେଷ ହୋଇଛି। ଏହା ପରେ ସରକାର ଇ-ଫର୍ମାଟକୁ ଆପଣାଇଛନ୍ତି। ନୂଅବର୍ଷରୁ ଲାଗୁ ହେବାକୁ ଯାଉଛି ଏହି ନୂଆ ନିୟମ। ଆସନ୍ତାକାଲିଠାରୁ ଇ-ଫର୍ମାଟ୍‌ରେ ମିଳିବ DL ଓ RC। ପୂର୍ବ ପରି ଆଉ ଜାରି ହେବନି ସ୍ମାର୍ଟକାର୍ଡ ଓ ପେପର ଡକ୍ୟୁମେଣ୍ଟ ଭିତ୍ତିକ ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ ସାର୍ଟିଫିକେଟ। ଏନେଇ ଡିସେମ୍ବର ୨୧ରୁ ବିଜ୍ଞପ୍ତି ଜାରି କରି ସାରିଛି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ। ତେବେ ପୂର୍ବରୁ ଯେଉଁ ସ୍ମାର୍ଟକାର୍ଡ ଓ କାଗଜ DL ଓ RC ଜାରି ହୋଇ ସାରିଛି ତାହା ମଧ୍ୟ ବୈଧ ରହିବ ବୋଲି ବିଜ୍ଞପ୍ତିରୁ ଜଣାପଡ଼ିଛି। ସେପଟେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଦଲାଲଙ୍କ ଉପରେ ରୋକ ଲଗାଇବା ପାଇଁ ଏହି ନୂଆ ବ୍ୟବସ୍ଥା ହୋଇଛି। ସେହିପରି ବାଣିଜ୍ୟ ଓ ପରବହନ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି, ନୂଆ ବ୍ୟବସ୍ଥା ଦ୍ୱାରା ଲୋକଙ୍କୁ ଆଉ ବାରମ୍ବାର ଆର୍‌ଟିଓ ଅଫିସ୍‌ ଦୌଡିବାକୁ ପଡ଼ିବନି। ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବନାହିଁ। DL ଓ RC ବାବଦରେ ସ୍ମାର୍ଟକାର୍ଡ ଓ ପେପର ଡକ୍ୟୁମେଣ୍ଟ ଲାଗି ପୂର୍ବରୁ ୨୫୦ରୁ ୨୮୦ ଟଙ୍କା ଦେବାକୁ ପଡୁଥିଲା। ହେଲେ ଏବେ କିନ୍ତୁ ଲୋକଙ୍କୁ କେବଳ ସଫ୍ଟୱେୟାର ଖର୍ଚ୍ଚ ବାବଦରେ ମାତ୍ର ୧୪୦ ଟଙ୍କା ଦେବାକୁ ପଡ଼ିବ। ଲୋକମାନେ ଚାହିଁଲେ ଇ-ଫର୍ମାଟ୍‌ରେ ସହଜରେ ଓ ଯେ କୌଣସି ସମୟରେ DL ଓ RC ଡାଉନ୍‌ଲୋଡ୍‌ କରିପାରିବେ। ଅପରପକ୍ଷରେ ରାଜ୍ୟ ସରକାରଙ୍କୁ ପୂର୍ବ ତୁଳନାରେ ବାର୍ଷିକ ୨ରୁ ଅଢ଼େଇ କୋଟି ଟଙ୍କାରୁ ଅଧିକ ରାଜସ୍ୱ ମିଳିବ ବୋଲି କହିଛନ୍ତି ଶ୍ରୀ ପାଢ଼ୀ।

ଫିକା ପଡ଼ିଲା ନୂଆ ବର୍ଷ ସେଲିବ୍ରେଶନ୍‌, ସୋଶାଲ ମିଡିଆରେ ଅଭିନନ୍ଦନର ସୁଅ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ନୂଆ ଆଶା, ନୂଆ ବିଶ୍ୱାସ ଓ ନୂଆ ସମ୍ଭାବନା ନେଇ ଆସିଛି ନୂଆବର୍ଷ ୨୦୨୨  । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଲୋକେ ଖୁବ୍‌ ଉତ୍ସାହିତ ଥିବା ବେଳେ  କରୋନା କଟକଣା ଯୋଗୁଁ ଏହା ଫିକା ପଡିଯାଇଛି । ହୋଟେଲ, ରେଷ୍ଟୁରାଣ୍ଟରେ ଜିରୋନାଇଟ ସେଲିବ୍ରେସନ ପାଇଁ କଟକଣା ଜାରି କରାଯାଇଥିବାରୁ ଲୋକମାନେ ଘରେ ରହି ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ।  ଏଥିସହ ସୋଶାଲ ମିଡିଆରେ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି । ନିରାଡମ୍ବରରେ ଧରାବତରଣ କରିଥିବା ୨୦୨୧ ନେଇଛି ନିରବ ମେଲାଣି । କରୋନା ଭୟରେ ଭାରାକ୍ରାନ୍ତ ବିଶ୍ୱବାସୀ ୨୦୨୨ରେ ଖୋଜୁଛନ୍ତି ଆଶ୍ୱସ୍ତିର ରାହା ।  ନୂଆବର୍ଷକୁ ପରିବାର, ସାଙ୍ଗସାଥୀଙ୍କ ସହ  ସ୍ୱାଗତ କରିବା ପାଇଁ ଲୋକମାନେ ପୂର୍ବରୁ ପ୍ରସ୍ତୁତି କରିଥିବା ବେଳେ ଅଚାନକ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଇଥିବାରୁ ବିଭିନ୍ନ ରାଜ୍ୟରେ କଡା କଟକଣା ଲଗାଯାଇଛି  ।

ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ସହ ବେଳାଭୂମିରେ ବୁଲିବାର ମଜା ନେଇ ନୂଆ ବର୍ଷକୁ ସ୍ୱାଗତ କରିବାକୁ ପୁରୀରେ ହୋଇଛି ଅସମ୍ଭବ ଗହଳି। ଏହାକୁ ଦୃଷ୍ଟିରେ ରଖି ପୁରୀରେ ସମୁଦାୟ ୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି  । ଜିରୋନାଇଟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଜୟ ଜଗନ୍ନାଥ ଏବଂ ୨୦୨୨ ଲେଖି ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି । ବାଲିରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ବେଶ୍‌ ଆକର୍ଷଣୀୟ ହୋଇଛି ।

 

ଶିକ୍ଷକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଶିକ୍ଷକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ। ଆଜି ରାଜ୍ୟ କ୍ୟାବିନେଟରେ ନିଆଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏହାଦ୍ୱାରା ଏଡେଡ୍ ବେସରକାରୀ ହାଇସ୍କୁଲ, ଉଚ୍ଚ ପ୍ରାଥମିକ ସ୍କୁଲ, ମଦ୍ରାସା ଓ ଏଡେଡ୍‌ ବେସରକାରୀ କଲେଜ ଶିକ୍ଷକ ଉପକୃତ ହେବେ। ଶିକ୍ଷକମାନଙ୍କ ସହିତ ଅଣଶିକ୍ଷକ କର୍ମଚାରୀ ମଧ୍ୟ ନୂତନ ବେତନ ପାଇବେ। ନୂତନ ବର୍ଦ୍ଧିତ ବେତନ ୧.୧. ୨୦୨୨ରୁ ଲାଗୁ ହେବ। ଏହାଦ୍ୱାରା ୨୬ ହଜାର ସ୍କୁଲ ଶିକ୍ଷକ ଓ ଅଣ-ଶିକ୍ଷକ ଏବଂ ୧୬, ୬୬୪ କଲେଜ ଶିକ୍ଷକ ଓ ଅଣ-ଶିକ୍ଷକ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାରଙ୍କୁ ୨୯୨ କୋଟି ଅତିରିକ୍ତ ବ୍ୟୟ ପଡ଼ିବ । ଅନ୍ୟପକ୍ଷରେ ଆଜି ରାଜ୍ୟ କ୍ୟାବିନେଟ୍‌ରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ରାଜ୍ୟର ୫ ମହାନଗରରେ ବସ୍ତି ବାସିନ୍ଦାଙ୍କୁ ଜାଗା ଯୋଗାଇ ଦେବେ ସରକାର। ଏହାଦ୍ୱାରା ୯୩୮ଟି ବସ୍ତିର ୧ ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ। ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଏହି ସୂଚନା ଦେବେ। ସେହିପରି ପଞ୍ଚାୟତିରାଜ ଆଇନରେ ସଂଶୋଧନକୁ କ୍ୟାବିନେଟ ମୋହର ମିଳିଛି। ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ହେବ। ପ୍ରାର୍ଥୀ ମିଥ୍ୟା ସତ୍ୟପାଠ ଦେଲେ କାର୍ଯ୍ୟାନୁଷ୍ଠାନ ନେଇ ଆଇନରେ ବ୍ୟବସ୍ଥା ରହିଛି। ତା’ସହିତ ଏଣିକି ପଞ୍ଚାୟତ ପ୍ରତିନିଧି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟ ବି କରିବେ।

ଆଜିର ରାଶିଫଳ – ୦୧/୦୧/୨୦୨୨ – ଶନିବାର

ମେଷ : ୨୦୨୨ ମସିହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ବର୍ଷାରମ୍ଭରେ ନବମରେ ରବି, ଏକାଦଶରେ ବୃହସ୍ପତି ଓ ଦଶମରେ ଶନି ଥିବାରୁ ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ବିଶେଷ ଅନୁକୂଳ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ।  କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ମାର୍ଗ ଖୋଲିଯିବ । ଭଲ ଆୟ ହେବ । କିନ୍ତୁ ଏପ୍ରିଲ ମାସ ପରେ ବ୍ୟୟ ଭାର ଅଧିକ ହେବ, ସେଥିପାଇଁ ସଜାଗ ରହିବେ । ଏହି ବର୍ଷସାରା  ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତା ଲାଗି ରହିବ ।

ବୃଷ:୨୦୨୨ମସିହା ଆପଣଙ୍କ ପାଇଁ  ମିଶ୍ରିତ ଫଳଦାୟକ ହେବ । ଏପ୍ରିଲ ମାସ ପରେ ଭାଗ୍ୟୋନ୍ନତି, କର୍ମୋନ୍ନତି, ସନ୍ତାନସୁଖ ପ୍ରାପ୍ତି,  ସ୍ୱାସ୍ଥ୍ୟ ଅନେକାଂଶରେ ଭଲ ରହିବ । ଦୀର୍ଘଦିନର ଆଶା ଏହିବର୍ଷ ପୂରଣ ହେବ । ଉଚ୍ଚପଦବୀରେ ଅଧିଷ୍ଠିତ ହେବେ । ବର୍ଷାରମ୍ଭରୁ କେତେକ କାର୍ଯ୍ୟ ଦୋଦୁଲ୍ୟମାନ ଅବସ୍ଥାରେ ରହିବ ।

ମିଥୁନ:୨୦୨୨ମସିହା ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ। ବର୍ଷାରମ୍ଭରେ ନବମରେ ବୃହସ୍ପତି ଥିବାରୁ ଭାଗ୍ୟୋନ୍ନତି, ଧନଲାଭ ଏବଂ ସନ୍ତାନ କ୍ଷେତ୍ରରେ ଉନ୍ନତି ହେବ ।  ବିଶେଷ ରୂପରେ ଆପଣଙ୍କ ଭାଗ୍ୟ ଧିରେ ଧିରେ ଉନ୍ନତି ପଥରେ ଅଗ୍ରସର ହେବ।  ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ । ଦୀର୍ଘଦିନ ଧରି ଅଧା ହୋଇପଡ଼ିଥିବା କାର୍ଯ୍ୟ  ଧିରେ ଧିରେ ପୂର୍ଣ୍ଣ ହୋଇଯିବ ।  ନଷ୍ଟ ହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୂନର୍ବାର ଫେରିପାଇ ସମ୍ମାନିତ ହେବେ  ।

କର୍କଟ :୨୦୨୨ମସିହା ଆପଣଙ୍କ ପାଇଁ ମିଶ୍ରିତ ଫଳଦାୟକ ହେବ । ବର୍ଷାରମ୍ଭରେ ଷଷ୍ଠରେ ରବି, ଏକାଦଶରେ ରାହୁ ଥିବାରୁ ଆର୍ଥିକ ଦୃଷ୍ଟି କୋଣରୁ ଉନ୍ନତି ହେବ । ସୁଖ ସୌଭାଗ୍ୟ ବୃଦ୍ଧି ହେବ । ଆୟ ପନ୍ଥା ପାଇଁ ନୂତନ ଧାରା ଅବଲମ୍ବନ କରିବେ  । ପୁରୁଣା ରୋଗର ପ୍ରକୋପ ବୃଦ୍ଧି ପାଇବା ଯୋଗୁଁ ଅନେକ ସମୟରେ ଚିନ୍ତିତ ରହିବେ । ଅଧିନସ୍ଥ କର୍ମଚାରୀଙ୍କ ପ୍ରତି ସତର୍କ ରହି ସମସ୍ତ ସମସ୍ୟାର ସମାଧାନ କରିବେ । ଭାଗ୍ୟ ଅନୁକୂଳ ହେତୁ ବ୍ୟବସାୟ କ୍ଷେତ୍ରରେ ଆଶାତିତ ଲାଭ ମିଳିବ । ନୂତନ ଉଦ୍ୟୋଗରେ ପଇସା ଖଟେଇବେ । ଜୀବନସାଥୀଙ୍କ  ସ୍ୱାସ୍ଥ୍ୟ ନେଇ ପ୍ରାୟ ସମୟ ଚିନ୍ତିତ ରହିବେ।

ସିଂହ:୨୦୨୨ମସିହା ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ବର୍ଷାରମ୍ଭରେ ପଞ୍ଚମରେ ରବି, ସପ୍ତମରେ ବୃହସ୍ପତି, ଷଷ୍ଠରେ ଶନି ଓ ଦଶମରେ ରାହୁ ଥିବାରୁ ସମସ୍ତ ପ୍ରକାର ଆଶା ଆକାଂକ୍ଷା ପୂରଣ ହୋଇ ପାରିବ  । ଏ ବର୍ଷଟିରେ ଅନେକ କ୍ଷେତ୍ରରେ ଶୁଭଫଳ ପାଇବେ, କିନ୍ତୁ କର୍ମକ୍ଷେତ୍ରରେ କଷ୍ଟ କରିବାକୁ ପଡିବ । ପୁରୁଣା ରୋଗରୁ ଉପଶମ ପାଇବେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉନ୍ନତିର ଯୋଗ ରହିଛି । ଚାକିରୀରେ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅବିବାହିତଙ୍କ ପାଇଁ ବିବାହର ସମ୍ଭାବନା ବହୁତ ଅଧିକ ରହିଛି ।

 କନ୍ୟା: ୨୦୨୨ମସିହା ବର୍ଷାରମ୍ଭରେ ଚତୁର୍ଥରେ ରବି, ଷଷ୍ଠରେ ବୃହସ୍ପତି, ପଞ୍ଚମରେ ଶନି ଓ ନବମ ବା ଭାଗ୍ୟଭାବରେ ରାହୁ ଥିବାରୁ ଭାଗ୍ୟ ବିପର୍ଯ୍ୟୟ ହେଲା ଭଳି ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଏ ବର୍ଷ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।ବ୍ୟବସାୟରେ ଲାଭବାନ ହେବେ କିନ୍ତୁ ଅର୍ଥହାନୀ ଘଟିପାରେ ସତର୍କ ରହିବେ । କାର୍ଯ୍ୟସ୍ଥଳରେ ବାଦବିବାଦ ଘଟିପାରେ, ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ସହଯୋଗୀମାନଙ୍କ ସହ ମତାନ୍ତର ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ । ପୁରୁଣା ରୋଗରୁ ମୁକ୍ତି ପାଇବେ,  ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଶତୃମାନଙ୍କଠାରୁ ସତର୍କ ରୁହନ୍ତୁ, ହଇରାଣ ହରକତ କରିପାରନ୍ତି ।

ତୁଳା: ୨୦୨୨ମସିହା ବର୍ଷାରମ୍ଭରେ ତୃତୀୟରେ ରବି, ପଞ୍ଚମରେ ବୃହସ୍ପତି, ଚତୁର୍ଥରେ ଶନି ଓ ଅଷ୍ଟମରେ ରାହୁ ଥିବାରୁ ଆପଣଙ୍କ ପାଇଁ  ମିଶ୍ରିତ ଫଳପ୍ରଦ ହେବ । କର୍ମଚାରୀମାନେ ପ୍ରମୋଶନ ପାଇ ଖୁସି ହେବେ ଓ ଧନଲାଭ କରିବାର ସୁଯୋଗ ପାଇବେ । ସମ୍ପତ୍ତି କ୍ରୟ କରିବା ପାଇଁ ଅତ୍ୟନ୍ତ ଶୁଭ ସମୟ  । ରାଜନୀତି କ୍ଷେତ୍ରରେ ସଫଳତା ସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବେ ।  ଶତୃମାନେ ତଳମୁହାଁ ହେବେ ,ମାଲିମକଦ୍ଦମାରେ ବିଜୟଲାଭ କରିବେ  । ସତର୍କତା ଅବଲମ୍ବନ କରିବା ସହ ପ୍ରତିକାର କରିଚାଲିବା ନିତ୍ୟାନ୍ତ ଆବଶ୍ୟକ  । ବେଶି ଦୂରଯାତ୍ରା କରନ୍ତୁ ନାହିଁ, ଯାତ୍ରାରେ କଷ୍ଟ ଯୋଗ ରହିଛି, ସେଥିପାଇଁ ସତର୍କ ରହିବେ ।

ବିଛା:୨୦୨୨ମସିହା ବର୍ଷାରମ୍ଭରେ ଦ୍ୱିତୀୟରେ ରବି, ଚତୁର୍ଥରେ ବୃହସ୍ପତି, ତୃତୀୟରେ ଶନି ଓ ସପ୍ତମରେ ରାହୁ ଥିବାରୁ ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ।   ରାହୁ ଜାୟା ଭାବରେ ରହୁ ଥିବାରୁ ଶତୃମାନେ ପଛରେ ଲାଗିଯିବେ  । ଅଯଥା ଧନ ଖର୍ଚ୍ଚ ହେବ । ବାଦବିବାଦ ମାଲି ମକଦ୍ଦମାର ସମ୍ମୁଖୀନ ହେବେ  । ମାନସମ୍ମାନ ହାନୀ ହେବ । ଆତ୍ମୀୟମାନେ ବିଶ୍ୱାସଘାତକତା କରିପାରନ୍ତି। କିନ୍ତୁ ମାର୍ଚ୍ଚ ମାସ ପରେ ବର୍ଷ ଶେଷ ପର୍ଯ୍ୟନ୍ତ ରାହୁ ଷଷ୍ଠରେ, ବୃହସ୍ପତି ପଞ୍ଚମରେ ଗୋଚର ହେବା ଫଳରେ ଶତୃମାନେ ମୁଣ୍ଡ ନୂଆଁଇବେ । ସମସ୍ତ ଚିନ୍ତା ଦୂର ହୋଇଯିବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ବୁଡ଼ିଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ  ଫେରାଉ ନ ଥିଲେ କଳେବଳେ କୌଶଳେ ପ୍ରାପ୍ତିହେବ ।

ଧନୁ:୨୦୨୨ମସିହା ବର୍ଷାରମ୍ଭରେ ଜନ୍ମରାଶିରେ ରବି, ତୃତୀୟରେ ବୃହସ୍ପତି, ଦ୍ୱିତୀୟରେ ଶନି ଓ ଷଷ୍ଠରେ ରାହୁ ଥିବାରୁ  ସାମାନ୍ୟ ଶୁଭଫଳ ପାଇବେ  । କିନ୍ତୁ ଏପ୍ରିଲ ମାସ ପରେ ଅନେକାଂଶରେ ସୁଧାର ଆସିବ । ନୂତନ ବ୍ୟବସାୟ ଆରମ୍ଭ, ଭାଗିଦାରୀ ବ୍ୟବସାୟରେ ସଫଳ, ବ୍ୟବସାୟରେ ଅଟକିଥିବା ଧନ ବା ଦେଇଥିବା ଧନ ମିଳିଯିବ । ନୂତନକର୍ମ ବା ପରୀକ୍ଷା, ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଥିଲେ ପ୍ରଶାସନିକ ସେବା ସଂବନ୍ଧିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି, ଇଚ୍ଛିତ ସ୍ଥାନରେ ସ୍ଥାନାନ୍ତରଣ, ବିଭାଗୀୟ ଅଧିକାରୀ କିମ୍ବା ସହକର୍ମୀଙ୍କ ସହ ମଧୁର ସମ୍ପର୍କ ସ୍ଥାପନ ହେବ। ସନ୍ତାନଭଳି ଦ୍ରବ୍ୟ ପ୍ରାପ୍ତି ହେବ ନତୁବା ତତୁଲ୍ୟ ନୂତନ ଗୃହ, ନୂତନଯାନ, ନୂତନ ବ୍ୟବସାୟ, ନୂତନ ଜାଗା ଜମି ପ୍ରାପ୍ତି ହେବ ।  ରାଜନୀତି କ୍ଷେତ୍ରରେ ବିରୋଧୀଙ୍କୁ ପରାସ୍ତ କରିବାରେ ସଫଳ ହେବେ ।

ମକର:୨୦୨୨ମସିହା ବର୍ଷାରମ୍ଭରେ ଦ୍ୱାଦଶରେ ରବି, ଦ୍ୱିତୀୟରେ ବୃହସ୍ପତି, ଜନ୍ମରାଶିରେ ଶନି ଓ ପଞ୍ଚମରେ ରାହୁ ଥିବାରୁ ଆପଣଙ୍କ ପାଇଁ ଏହି ବର୍ଷଟି ମିଶ୍ରିତ ଫଳଦାୟକ ହେବ। ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନ ସମ୍ମାନ ତଥା ପରାକ୍ରମର ବୃଦ୍ଧିହେବ । ବ୍ୟବସାୟୀ ହୋଇଥିଲେ ବ୍ୟବସାୟ କ୍ଷେତ୍ରରୁ ପ୍ରଚୁର ଲାଭବାନ ହେବେ ।  ନୂଆ ନୂଆ ବ୍ୟବସାୟିକ ସଂପର୍କ ସ୍ଥାପନ କରିବେ।  ଭାଗିଦାର ବ୍ୟବସାୟ ପାଇଁ  ଅଚାନକ ସାହାଯ୍ୟ ସହଯୋଗ ମିଳିବ । ଶିକ୍ଷାକ୍ଷେତ୍ରରେ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ରାଜନୈତିକ କ୍ଷେତ୍ରରେ ଲୋକସମର୍ଥନ, ଦଳସମର୍ଥନ ବୃଦ୍ଧିପାଇ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ ।

କୁମ୍ଭ: ୨୦୨୨ମସିହା  ବର୍ଷାରମ୍ଭରେ ଏକାଦଶରେ ରବି, ଜନ୍ମରାଶିରେ ବୃହସ୍ପତି, ଦ୍ୱାଦଶରେ ଶନି ଓ ଚତୁର୍ଥରେ ରାହୁ ଥିବାରୁ ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ ।  କିନ୍ତୁ ଏପ୍ରିଲ ମାସ ପରେ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ ଆଶା ଆକାଂକ୍ଷା ମହତ୍ୱକାଂକ୍ଷା ପୂର୍ଣ୍ଣ ହେବ। ନୂତନ ଯୋଜନା କାର୍ଯ୍ୟକାରୀ କରିବେ, କିନ୍ତୁ ଅଧିକ ପରିଶ୍ରମ କରିବାକୁ ପଡିବ । କିଛି ବାଧାବିଘ୍ନର ସାମ୍ନା ମଧ୍ୟ କରିବେ, ସମସ୍ତଙ୍କଠାରୁ ପ୍ରଶଂସା ପାଇବେ । ଶତୃମାନଙ୍କ ଉପରେ ବିଜୟ ଲାଭ କରିବେ। ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ । ଭୂମି, ଭବନ ଓ ବାହାନ କ୍ରୟ ପାଇଁ ସୁଯୋଗ ଆସିବ।

ମୀନ: ୨୦୨୨ମସିହା ବର୍ଷାରମ୍ଭରେ ଦଶମରେ ରବି, ଦ୍ୱାଦଶରେ ବୃହସ୍ପତି, ଏକାଦଶରେ ଶନି ଓ ତୃତୀୟରେ ରାହୁ ଥିବାରୁ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରରେ ବାଧାବିଘ୍ନ ଆସିପାରେ କିନ୍ତୁ ନିଜର ବୁଦ୍ଧିମତା ବଳରେ ଶୁଭଫଳ ପାଇବେ। ଚାକିରୀ କ୍ଷେତ୍ରରେ ହଠାତ୍ ପଦୋନ୍ନତି ମଧ୍ୟ ହୋଇପାରେ । ଗୃହ ବିବାଦ ଯୋଗୁଁ ମାନସିକ ଅଶାନ୍ତି ଭୋଗ କରିବେ। ନିଜ ଲୋକଙ୍କ ସହିତ ମନାନ୍ତର ମତାନ୍ତର ଦେଖା ଦେଇପାରେ।  ପୁରୁଣା ରୋଗର କଷ୍ଟରୁ ମୁକ୍ତି ପାଇବେ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେବ। ବୃଥା ଭ୍ରମଣ ଦ୍ୱାରା ପୁରାତନ ରୋଗର ପ୍ରକୋପ ବୃଦ୍ଧି ପାଇବ।