ବଂଶଧାରା ବାଲି ପଠାରୁ ବାଲି ଚୋରା ଚାଲାଣ କେବେ ବନ୍ଦ ହେବ…?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)-  ଗୁଣୁପୁର କତ୍ଵାଲଗୁଡ଼ା ଗ୍ରାମ ନିକଟରେ ବଂଶଧାରା ନଦୀ ରୁ ଚୋରା ବାଲି ଚାଲାଣ ଖବର ପାଇ ଅତର୍କିତ ଭାବେ ଗୁଣୁପୁର ରାଜସ୍ୱ ବିଭାଗ ଏବଂ ପୋଲିସ ମିଳିତ ଭାବେ ଚଢ଼ାଉ କରି ୬ ଟି ଟ୍ରାକ୍ଟର କୁ ଜବତ କରିଛି । ସେଥି ମଧ୍ୟରୁ ୨ ଟି ଟ୍ରାକ୍ଟର ରେ ବାଲି ଲୋଡିଂ ଥିବା ବେଳେ ଅନ୍ୟ ଚାରୋଟି ଖାଲି ଟ୍ରାକ୍ଟର ଥିବା ଜଣାପଡିଛି । ସମ୍ପୃକ୍ତ ସମସ୍ତ ଗାଡି ମାଲିକ ଙ୍କ ଠାରୁ ୫୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇ ଥିବା ଗୁଣୁପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ଜଣାଇଛନ୍ତି । ଏହି ଚଢ଼ାଉ ରେ ଗୁଣୁପୁର ଆଦର୍ଶ ପୋଲିସ ଥାନାର ଅଧିକାରୀ ରବୀନ୍ଦ୍ର ଗୌଡ଼, ଏସ॰ଆଇ ଅଶୋକ ପାଢୀ , ରାଜସ୍ୱ ନିରୀକ୍ଷକ ପି ମାଣିକଣ୍ଠ। ଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ଥିଲେ ।

ଗୁଣୁପୁର ବଂଶଧାରା ନଦୀ ପଟ୍ଟା ରୁ ବାଲି ଉଠାଣ ପାଇଁ  ଉପଜିଲ୍ଲାପାଳ ଶ୍ରୀ ସୋନାଲ ଜେନା ଙ୍କ ଅଧ୍ୟକ୍ଷତା ରେ ହୋଇ ଥିବା ଟେଣ୍ଡର କୁ ଜଣେ ଜୈନିକ ବ୍ୟକ୍ତି ହାତେଇ ଥିବା ବେଳେ ସେ ପ୍ରଦୂଷଣ ଅନୁମତି ପାଇବାରେ ବିଳମ୍ୱ ଯୋଗୁଁ ସ୍ଥାନୀୟ ସରକାରୀ ଉନ୍ନତି କାମ ନିମନ୍ତେ ବାଲି ଉଠାଉଥିବା କହି ବାଲି ମାଫିଆ ମାନେ ରାଜସ୍ୱ ବିଭାଗକୁ ଭୁଆଁ ବୁଲାଉ ଥିବା କୁହାଯାଉଛି । ଅନ୍ୟ ପଟେ ବଂଶଧାରା ନଦୀ ରୁ ପ୍ରତିଦିନ ସ୍ଥାନୀୟ ପ୍ରଶାସକ ଙ୍କ ଜାଣତ ରେ ରାତି ତମାମ ଚୋରା ବାଲି ଚାଲାଣ ହେଉ ଥିବା ଏବଂ କୋଭିଡର କର୍ଫ୍ୟୁ ସମୟରେ ମଧ୍ୟ ଏମାନଙ୍କ ପ୍ରତି କୌଣସି ନିୟମ ଲାଗୁ କରାଯାଉନି ବୋଲି ଅଭିଯୋଗ ଉଠୁଛି । ସ୍ଥାନୀୟ ପ୍ରଶାସକ ଙ୍କ ଦୂରଦୃଷ୍ଟି ଅଭାବରୁ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ରାଜସ୍ୱ ହରାଉଥିବା ଥିବା ଜଣାପଡୁଛି । ସ୍ଥାନୀୟ ପ୍ରଶାସକ ଙ୍କ ଏଭଳି ମନୋଭାବ କୁ ବୁଦ୍ଧିଜୀବୀ ମହଲ ରେ ନିନ୍ଦା କରାଯାଇଛି।

ନିମ୍ନ ପ୍ରଥମିକ ବିଦ୍ୟାର୍ଥୀ ଙ୍କ ସଂଖ୍ୟା ଓ ଭାଷା ଜ୍ଞାନ ର ବିକାଶ ନିମନ୍ତେ ସ୍ଵତନ୍ତ୍ର ପୁସ୍ତକ ପ୍ରସ୍ତୁତ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କୁ ଗୁଣାତ୍ମକ କରିବା ପାଇଁ ଷ୍ଟେଟ କାଉନ୍ସିଲ ଅଫ୍ ଏଜୁକେସନାଲ ରିସର୍ଚ ଏଣ୍ଡ ଟ୍ରେନିଂ ପକ୍ଷ୍ୟରୁ ନିପୁଣ ଭାରତ ଯୋଜନା ରେ ପ୍ରଥମ ଶ୍ରେଣୀ ରୁ ତୃତୀୟ ଶ୍ରେଣୀ ପିଲାଙ୍କୁ ସଂଖ୍ୟା ଓ ଭାଷା ଜ୍ଞାନ୍ ରେ ଦକ୍ଷ କରାଇବା ନିମନ୍ତେ ପିଲାଙ୍କ ପାଇଁ ବିଶେଷ ଧ୍ୟାନ ଦିଆଯାଇ ସ୍ଵତନ୍ତ୍ର ପାଠ୍ଯ ପୁସ୍ତକ କରାଯାଇ ଅଛି । ଏହି କ୍ରମରେ ଏସ୍. ସି. ଆଇ. ଆର. ଟି ପକ୍ଷରୁ ମାର୍ଗ ଦର୍ଶିକା ସହ ତିନି ମାସ ପାଇଁ ପାଠ୍ଯ ଖସଡା ପ୍ରସ୍ତୁତ କରାଯାଇଛି. ଦୁଇ ବର୍ଷ ର ବ୍ୟବଧାନ ପରେ ଆସନ୍ତା କାଲି ଠାରୁ ସମସ୍ତ୍ ଶିକ୍ଷା ଅନୁଷ୍ଠାନ ଖୋଲୁ ଥିବାରୁ ପିଲାଙ୍କ
ସଂଖ୍ୟା ଓ ଭାଷା ଜ୍ଞାନ୍ କୁ ବିକଶିତ କରିବା ପାଇଁ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଶେଷ ଧ୍ୟାନ ଦିଆ ଯାଇଚି । ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଅଭିନବ କାର୍ଯ୍ୟକ୍ରମ ‘ମିସନ୍ ୧,୨,୩’ ଦ୍ଵାରା ଏହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯିବ । ଶିକ୍ଷକ ମାନେ ମାର୍ଗ ଦର୍ଶିକା ଅନୁଯାୟୀ ପିଲାଙ୍କୁ ପାଠ ପଢ଼ାଇବେ । ତୃଣମୂଳ ସ୍ତରରୁ ପିଲାଙ୍କୁ ଭାଷା ଓ ଗଣିତ ରେ ଦକ୍ଷ କରାଇବା ପାଇଁ ଗୁରୁତ୍ଵ ଦେବେ । ଏଥି ନିମନ୍ତେ ପ୍ରସ୍ତୁତ ସ୍ଵତନ୍ତ୍ର ପୁସ୍ତକ ମାଧ୍ୟମରେ ପିଲାଙ୍କୁ ପାଠ ପଢ଼ାଇବେ. ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏସ୍. ସି. ଆଇ. ଆର. ଟି ଓସେପା କୁ ଚିଠି ଲେଖିଛି. ମିସନ୍ ର କାର୍ଯ୍ୟ କରିବା ଲାଗି ରାଜ୍ଯ ସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯିବା ସହିତ ଜିଲ୍ଲା ସ୍ତରରେ କମିଟି ଗଠନ କରାଯାଇଛି ।  ରାଜ୍ଯ ଷ୍ଟିୟରିଂ କମିଟି ର ଅଧ୍ୟକ୍ଷ ଭାବେ ଗଣ ଶିକ୍ଷା ବିଭାଗ ର ପ୍ରମୁଖ ଶାସନ୍ ସଚିବଙ୍କୁ ଦାୟିତ୍ଵ ଦିଆଯାଇ ଥିବା ବେଳେ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ମାନଙ୍କୁ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଦିଆଯାଇଛି ।

ପଛୁଆବର୍ଗଙ୍କୁ ସଂରକ୍ଷଣ; ପଞ୍ଚାୟତ ସ୍ତରରେ ଦସ୍ତଖତ ଅଭିଯାନ ଚଳାଇବ ବିଜେପି …..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପଛୁଆ ବର୍ଗଙ୍କୁ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଦେବା ଦାବିକୁ ବିଜେପି ଜୋରଦାର କରିବା ସହ ପଂଚାୟତସ୍ତରରେ ଦସ୍ତଖତ ଅଭିଯାନ ଚଳାଇବ ବୋଲି ଘୋଷଣା କରିଛି। ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାର କ୍ରମାଗତ ହୀନ ଷଡ଼ଯନ୍ତ୍ର ରଚି ରାଜ୍ୟର ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରୁଛନ୍ତି। ଶାସକ ବିଜେଡି ବିଭିନ୍ନ ସମୟରେ ଆଳ ଦେଖାଇ ନିଜ ସାମ୍ବିଧାନିକ ଦାୟିତ୍ୱରୁ ଓହରି ଯିବା ସହିତ ପଛୁଆ ବର୍ଗଙ୍କୁ କେବଳ ମିଥ୍ୟା ପ୍ରତାରଣା ଦେଇ ଆସୁଛନ୍ତି। ବିଗତ କିଛି ଦିନର କାର୍ଯ୍ୟକଳାପରୁ ରାଜ୍ୟ ସରକାରଙ୍କ ପଛୁଆ ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାର ପ୍ରଦାନ କରିବାର ଆନ୍ତରିକତାର ଅଭାବ ଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି। ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିବା ସହ କୋର୍ଟଙ୍କ ଆଳ ଦେଖାଇ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବଂଚିତ କରାଇବାକୁ ଷଡ଼ଯନ୍ତ୍ର କରିବା ଅତ୍ୟନ୍ତ ଦୁର୍ଭଗ୍ୟଜନକ ଏବଂ ପଛୁଆ ବର୍ଗ ବିରୋଧୀ। ସମାନ ପରିସ୍ଥିତିରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କେନ୍ଦ୍ର ସରକାର ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଓଡ଼ିଶା ସରକାର ଉଦାସୀନ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନ। ୫୪ ପ୍ରତିଶତରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଓଡିଶା ରାଜ୍ୟର ପଛୁଆ ବର୍ଗଙ୍କୁ ଆହୁରି ପଛକୁ ଠେଲି ଦେଉଛନ୍ତି। ତେଣୁ ରାଜ୍ୟର ୫୪ ପ୍ରତିଶତ ପଛୁଆ ବର୍ଗଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ବିଜେପି ତା’ର ଆନ୍ଦୋଳନକୁ ଜୋରଦାର କରିବ। ବିଜେଡି ସରକାରଙ୍କର ଓବିସି ବିରୋଧୀ ମନୋଭାବ ବିରୁଦ୍ଧରେ ରାଜଧାନୀରୁ ପଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାପାଳ ଏବଂ ବ୍ଲକ ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ । ଏହାସହିତ ରାଜ୍ୟତମାମ ପଂଚାୟତ ସ୍ତରରେ ଦସ୍ତଖତ ସଂଗ୍ରହ ଅଭିଯାନ କରାଯାଇ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସୋନାଲି ସାହୁ ଓ ଜ୍ଞାନରଂଜନ ସ୍ୱାଇଁ ଉପସ୍ଥିତ ଥିଲେ।

ପ୍ରାଥମିକ ସ୍କୁଲ୍ ଖୋଲିବା ନିଷ୍ପତ୍ତି ସ୍ଥଗିତ; ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ସରକାରଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲି ଠାରୁ ଖୋଲିଥା’ନ୍ତା ପ୍ରାଥମିକ ସ୍କୁଲ୍‌। ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ଯାଇଥା’ନ୍ତେ ସ୍କୁଲ୍‌। କିନ୍ତୁ ଆଜି ଏହି ନିଷ୍ପତ୍ତିକୁ ସାମୂହିକ ଭାବେ ସ୍ଥଗିତ ରଖାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ପୂର୍ବ ନିର୍ଦ୍ଦେଶ ମୁତାବକ ପାଖାପାଖି ୨୩ ହଜାର ବିଦ୍ୟାଳୟକୁ ଆସନ୍ତାକାଲି ଠାରୁ ଖୋଲିବାକୁ ପ୍ରସ୍ତୁତି କରାଯାଉଥିଲା। ବାକି ୩୦୯୩ ବିଦ୍ୟାଳୟ ଜାନୁଆରୀ ୧୦ ତାରିଖରୁ ଖୋଲିଥା’ନ୍ତା। ବର୍ତ୍ତମାନ ର କୋଭିଡ ସଂକ୍ରମଣ ବୃଦ୍ଧି ସ୍ଥିତିକୁ ଦୃଷ୍ଟିରେ ରଖି ସାମୂହିକ ଭାବେ ଏହି ନିଷ୍ପତ୍ତିକୁ ସ୍ଥଗିତ କରାଯାଇଛି। ଏଭଳି ସମୟରେ ପିଲାମାନଙ୍କ ବୃହତ୍ତର ସ୍ୱାସ୍ଥ୍ୟଗତ ହିତକୁ ନଜର ରେ ରଖି ଏଭଳି ନିଷ୍ପତ୍ତି ବନିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଗତ ଦୁଇ ତିନି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ସଂକ୍ରମଣ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଓ ନୋଡାଲ ଅଫିସର ମାନଙ୍କ ରିପୋର୍ଟକୁ ଭିତ୍ତି କରି ସାମୂହିକ ଭାବେ ପ୍ରାଥମିକ ସ୍କୁଲ୍ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଇତିମଧ୍ୟରେ ନୋଡାଲ ଅଫିସର ମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ପରଖି ଥିଲେ। ପିଲାମାନଙ୍କ ଅଭିଭାବକମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ମତାମତ ଆଣିଥିଲେ। ସ୍କୁଲ୍ ଖୋଲିବା ନେଇ କେହି କେହି ଅଭିଭାବକ ଅସନ୍ତୁଷ୍ଟ ଥିବାରୁ ଏଭଳି ନିସ୍ପତି ଗ୍ରହଣ କରାଯାଇଥିବା କୁହାଯାଇଛି । କିନ୍ତୁ ପୂର୍ବ ଭଳି  ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଯେମିତି ପାଠପଢ଼ା ଚାଲିଥିଲା ସେମିତି ଚାଲିବ।  ଜାନୁଆରୀ ୫ରୁ ୮ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା ମଧ୍ୟ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।

ଆଜିର ରାଶିଫଳ – ୨ ଜାନୁଆରୀ, ରବିବାର

ମେଷ: ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇବେ। ପରିବାରରେ ଥିବା ବିଭିନ୍ନ ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରି ସଫଳ ହେବେ।

ବୃଷ: ମାନସିକ ଅସ୍ଥିରତା ଦେଖାଦେବ। କଡ଼ା କଥା କହି ସ୍ଥିତିକୁ ଆହୁରି ବିଗାଡ଼ି ଦେବେ। ଆଜି ଯେତେ ଚେଷ୍ଟା କଲେ ମଧ୍ୟ କାମଗୁଡ଼ିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ।

ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ମିଳିବ ସାମ୍ବାଦିକତା କ୍ଷେତ୍ରରେ ଥିବା ଲୋକେ ସୁନାମ ଅର୍ଜନ କରିବେ।

କର୍କଟ: ମାନସମ୍ମାନ ବଢ଼ିବ। ପ୍ରତିଯୋଗିତାରେ ବିଜୟୀ ହେବେ। ପରିବାରରେ ସୁଖଶାନ୍ତି ଫେରାଇ ଆଣିବାରେ ସଫଳ ହେବେ। ବନ୍ଧୁ ଦର୍ଶନର ଯୋଗ ରହିଛି।

ସିଂହ: ସମସ୍ତ କାର୍ଯ୍ୟ ଭଲରେ ଭଲରେ ସମ୍ପନ୍ନ ହେବ। ସମସ୍ୟା ରହିଥିଲେ ମଧ୍ୟ ନୂଆ ସୁଯୋଗ ମିଳିବ। ଅଫିସରେ ଆପଣଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆସିପାରେ।

କନ୍ୟା: ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି। ଦୂରଯାତ୍ରା ଯୋଗ ରହିଛି।

ତୁଳା: ଆଶା ପୂରଣ ହେବ। ବହୁଦିନରୁ ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ।

ବିଛା: ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଆୟ ବଢ଼ିବ। ମହିଳାମାନେ ପ୍ରଶଂସା ପାଇବେ।

ଧନୁ: ବ୍ୟବସାୟ କାର୍ଯ୍ୟରେ ଦୂର ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ମନସ୍ତାପ କରିବାକୁ ପଡ଼ିପାରେ।

ମକର: ଉପୁଜିଥିବା ପ୍ରତିବନ୍ଧକକୁ ବନ୍ଧୁଙ୍କ ସହଯୋଗରେ ସମାଧାନ କରିବେ। କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବିରକ୍ତ ହୋଇଯିବେ। ପୁରାତନ ରୋଗରୁ ଉପଶମ ମିଳିବ।

କୁମ୍ଭ: ସମ୍ପର୍କୀୟଙ୍କ ସହ ବିବାଦ ଦେଖା ଦେଇପାରେ। ଫେରନ୍ତା ବାଟରେ ହଠାତ୍ ମୂଲ୍ୟବାନ ଦ୍ରବ୍ୟ ଲାଭ କରିପାରନ୍ତି।

ମୀନ: ଦିନଟି ଭଲ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।

ରାମ ମନ୍ଦିର କାର୍ଡ ଖେଳି ବିରୋଧୀଙ୍କୁ ଟାର୍ଗେଟ କଲେ ଅମିତ ଶାହ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଆଗକୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଭଗବାନ ରାମ ଓ ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ରାମ ମନ୍ଦିର କାର୍ଡକୁ ବ୍ୟବହାର କରି ଲୋକଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରିଛନ୍ତି। ଏଥିସହ ସେ ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ବର୍ଷର ଶେଷ ଦିନରେ ଅଯୋଧ୍ୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶାହ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, ମାୟାବତୀଙ୍କ ବିଏସ୍‌ପି ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ କାହିଁକି ଭଗବାନ ରାମ ଦୀର୍ଘବର୍ଷ ଧରି ଟେଣ୍ଟରେ ରହିବେ ବୋଲି ସେ ଲୋକଙ୍କୁ ପ୍ରଶ୍ନ କରିଛନ୍ତି। ବିଜେପିର ଜନ ବିଶ୍ୱାସ ଯାତ୍ରାରେ ଯୋଗଦେଇ ଶ୍ରୀ ଶାହ ଅଭିଯୋଗ କରିଛନ୍ତି ଯେ ସମାଜବାଦୀ ପାର୍ଟି, ବହୁଜନ ସାମଜ ପାର୍ଟି ଓ କଂଗ୍ରେସ କ୍ଷମତାରେ ଥିବା ବେଳେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ବନ୍ଦ କରିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥିଲେ। ଅଯୋଧ୍ୟାରେ କର ସେବକଙ୍କୁ ଗୁଳି କରିବା ଘଟଣା ଆପଣଙ୍କର ମନେଅଛି? ସେମାନଙ୍କୁ ଗୁଳି କରି ମୃତଦେହକୁ ସରୁଜ ନଦୀକୁ ଫିଙ୍ଗି ଦିଆଯାଇଥିଲା। କାହିଁକି ସେମାନଙ୍କୁ ଗୁଳି କରାଗଲା, ସେକଥା ଲୋକମାନେ ଅଖିଲେଶ ଯାଦବଙ୍କୁ ପଚାରିବା ଦରକାର। କାରଣ ୧୯୯୦ରେ ସାମାଜବାଦୀ ପାର୍ଟି କ୍ଷମତାରେ ଥିବା ବେଳେ ଏପରି ଘଟଣା ଘଟିଥିଲା। ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ଶାସନ ସମୟରେ ଆସ୍ଥାର ପ୍ରତୀକକୁ କେବେ ହେଲେ ସମ୍ମାନ ମିଳୁ ନଥିଲା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିଟି ଆସ୍ଥାକୁ ଉଚିତ ସମ୍ମାନ ଦେବାକୁ କାମ କରୁଛନ୍ତି। ଅଖିଲେଶ ଯାଦବ ଯେତେବେଳେ ଏଠାକୁ ଆସିବେ ଓ ଅଯୋଧ୍ୟାରେ ଭୋଟ ମାଗିବେ ସେତେବେଳେ ଆପଣମାନେ କର ସେବକଙ୍କ ଅପରାଧ କ’ଣ ଥିଲା ବୋଲି ତାଙ୍କୁ ପଚାରିବେ। କାହିଁକି ତାଙ୍କ ସରକାର ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ? ଧାରା ୩୭୦ ଉଚ୍ଛେଦ କରିବାରେ ଆପଣଙ୍କର ଅସୁବିଧା କ’ଣ? ଅଖିଲେଶ ବାବୁ ଆପଣଙ୍କ ଦ୍ୱିତୀୟ ପିଢ଼ି ଆସିଲେ ମଧ୍ୟ ଧାରା ୩୭୦ କିମ୍ବା ଟ୍ରିପଲ ତଲାକ ବ୍ୟବସ୍ଥା କେବେ ହେଲେ ଆଉ ଫେରିବ ନାହିଁ। ସମାଜବାଦୀ ପାର୍ଟି, ବିଏସ୍‌ପି, କଂଗ୍ରେସ ଓ ଟିଏମସି ମୁଖ୍ୟ ମମତା ବାନାର୍ଜୀ ମିଳିତ ଭାବେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରିଥିଲେ। କିନ୍ତୁ ୨୦୧୯ ଅଗଷ୍ଟ ୫ରେ ମୋଦି ସଂସଦରେ ଏହି ଧାରାକୁ ଉପାଡ଼ି ଫିଙ୍ଗି ଦେଇଥିଲେ ବୋଲି ସେ କହିଛନ୍ତି। ଅଯୋଧ୍ୟାରେ ଚାଲିଥିବା ରାମ ମନ୍ଦିର ନିର୍ମାଣ କାମର ସବୁ ଶ୍ରେୟ ଶ୍ରୀ ଶାହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଇଛନ୍ତି। ଏଥିସହ କଂଗ୍ରେସ, ବିଏସ୍‌ପି ଓ ସମାଜବାଦୀ ପାର୍ଟି କ୍ଷମତାରେ ଥିବା ବେଳେ ରାମ ମନ୍ଦିର ନିର୍ମାଣ କାମକୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥିବା କହିଛନ୍ତି। ସେ କହିଛନ୍ତି, “ଯେତେବେଳେ କଂଗ୍ରେସ, ବିଏସ୍‌ପି ଓ ସପା କ୍ଷମତାରେ ରହୁଛନ୍ତି ସେତେବେଳେ ସେମାନେ ମନ୍ଦିର ନିର୍ମାଣକୁ ବିରୋଧ କରୁଛନ୍ତି। ଯେଉଁମାନେ ମନ୍ଦିର ନିର୍ମାଣକୁ ବିରୋଧ କରୁଛନ୍ତି, ସେମାନ କେବେ ହେଲେ ଏଥିରେ ସଫଳ ହୋଇପାରିବେ ନାହିଁ। କିଛି ମାସ ମଧ୍ୟରେ ଭବ୍ୟ ମନ୍ଦିର ଏଠାରେ ନିର୍ମାଣ ହେବ। ଭଗବାନ ରାମ ଯେଉଁଠି ଜନ୍ମ ହୋଇଥିଲେ ସେଠାରେ ମନ୍ଦିର ତିଆରି ହେଉଛି। କ’ଣ ପାଇଁ ରାମ ଲାଲା ସବୁବେଳେ ଟେଣ୍ଟ ଭିତରେ ରହିବେ? ଏ ସମ୍ପର୍କରେ ଅଯୋଧ୍ୟାବାସୀ, ଦେଶର ନାଗରିକ ଓ ୟୁପିବାସୀ ଥିରେ ଚିନ୍ତା କରିବା ଦରକାର।”

‘ମୁଁ ହେବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ’ ; ନିଜ ଜିଦ୍‌ରେ ଅଟଳ ସିଦ୍ଧୁ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ‘ମୁଁ ହେବି ମୁଖ୍ୟମନ୍ତ୍ରୀ। ମୋ ନାଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା ହେଉ। ନଚେତ ମୁଁ ପ୍ରଚାର କରିବି ନାହିଁ।’ ଏମିତି କିଛି କହି ନିଜ ଜିଦ୍‌ରେ ଅଡି ବସିଛନ୍ତି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ। ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି କାଉନ୍‌ଡାଉନ୍‌। ଚଣ୍ଡିଗଡ ଠାରୁ ହରିୟାଣ ସବୁଠି ନିର୍ବାଚନକୁ ନେଇ ଚାଲିଛି ଜୋରସୋର ପ୍ରଚାର। ସବୁ ଦଳର ନେତାମାନେ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଏହାରି ଭିତରେ ପୁଣି ପଞ୍ଜାବ କଂଗ୍ରେସ ଭିତରେ ଦେଖାଦେଇଛି କେଁ। କଂଗ୍ରେସ ସାମୂହିକ ନେତୃତ୍ୱରେ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି। ଏହି ଘୋଷଣା ସହିତ ପଞ୍ଜାବ କଂଗ୍ରେସରେ ବିବାଦ ଆହୁରି ଜୋର ଧରିଛି। ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବା ପାଇଁ ଜିଦ୍‌ ଧରି ବସିଛନ୍ତି। ଏଥିପାଇଁ ସିଦ୍ଧୁ ଦଳକୁ ଏକ ଅଲ୍ଟିମେଟମ୍ ଦେଇଛନ୍ତି। ସିଦ୍ଧୁଙ୍କ ଏହି ଅଲ୍ଟିମେଟମ୍‌ ପଞ୍ଜାବ କଂଗ୍ରେସରେ ନିର୍ବାଚନ ପୂର୍ବରୁ ଅଶାନ୍ତ ସୃଷ୍ଟି କରିଛି। କଂଗ୍ରେସର ବହୁ ନେତା ମନ୍ତ୍ରୀ ତାଙ୍କୁ ମନାଇବା ପାଇଁ ଲାଗିପଡିଛନ୍ତି। କ୍ୟାବିନେଟ ମନ୍ତ୍ରୀ ଅମରିନ୍ଦର ସିଂହ ରାଜା ୱାରିଙ୍ଗ ଏବଂ ସିଦ୍ଧୁଙ୍କ ନିଟକବର୍ତ୍ତୀ କୁହାଯାଉଥିବା ଫତେହଗଡ ସାହେବ ସାଂସଦ ଡଃ. ଅମର ସିଂଙ୍କ ତାଙ୍କ ଘରେ ଡେରା ପକାଇଛନ୍ତି। ଏଦହେଁ ଅସନ୍ତୋଷ ସିଦ୍ଧୁଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଉଭୟଙ୍କୁ କୌଣସି ସଫଳତା ମିଳିନଥିବା ରିପୋର୍ଟରୁ ଜଣାପଡିଛି। ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ କହିବାନୁସାରେ “ଆମେ ଚାହୁଁ ଯେ ଏଆଇସିସି ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ତାଙ୍କ(ସିଦ୍ଧୁ) ସହ ବସି ତାଙ୍କୁ ବୁଝାଇ ଦିଅନ୍ତୁ ଯେ ତାଙ୍କୁ ସିଏମ ପ୍ରାର୍ଥୀ ଘୋଷିତ କରାଯାଇପାରିବ ନାହିଁ। ଯଦି ସିଦ୍ଧୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଏ ତେବେ କଂଗ୍ରେସ ସେହି ସମସ୍ତ ଏସ୍‌ସି ଭୋଟ ହରାଇ, ଯାହା ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ମିଳିବ ବୋଲି ଅଶା କରାଯାଉଛି। ପଞ୍ଜାବ କଂଗ୍ରେସର ସୂତ୍ର ଅନୁସାରେ, ସିଦ୍ଧୁ କଂଗ୍ରେସ ହାଇକମାଣ୍ଡଙ୍କୁ ଏହା ସ୍ପଷ୍ଟ କରିଛନ୍ତି ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦଳ ମୁଖ୍ୟମନ୍ତ୍ରୀ କିଏ ହେବ? ତାହା ଯଦି ସ୍ପଷ୍ଟ ନକରନ୍ତି ତେବେ ସେ ପ୍ରଚାର କରିବେ ନାହିଁ। ଏଥି ସହ ସିଦ୍ଧୁ ଗଣମାଧ୍ୟମକୁ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ଦଳ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ଉଚିତ।

ଅଖିଳେଶ କହିଲେ କ୍ଷମତାକୁ ଫେରିଲେ ୩୦୦ ୟୁନିଟି ପର୍ଯ୍ୟନ୍ତ ମାଗଣା ବିଜୁଳି …!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦୁଲୁକୁଛି ଉତ୍ତରପ୍ରଦେଶ। ଜମୁଛି ନିର୍ବାଚନୀ ପ୍ରଚାର। ନେତାମନ୍ତ୍ରୀଙ୍କ ମାରାଥନ ରାଲି, ବୈଠକ ସାଙ୍ଗକୁ ପ୍ରତିଶ୍ରୁତିର ବର୍ଷା। ଏହିପରିପ୍ରେକ୍ଷୀରେ ୩୦୦ ୟୁନିଟି ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାକୁ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସମାଜବାଦି ପାର୍ଟ(ଏସପି) ମୁଖ୍ୟ ଅଖିଳେଶ ଯାଦବ। ଏସପି କ୍ଷମତାକୁ ଫେରିଲେ ଏହି ସୁବିଧା ପ୍ରଦାନ କରାଯିବ ବୋଲି ଲକ୍ଷ୍ନୌରେ ଏକ ସଭାରେ ଯୋଗ ଦେଇ କହିଛନ୍ତି ଅଖିଳେଶ। ସେ କହିଛନ୍ତି ଯେ, ଘରୋଇ ଉପଭୋକ୍ତାମାନଙ୍କୁ  ୩୦୦ ୟୁନିଟି ପର୍ଯ୍ୟନ୍ତ ବିଜୁଳି ମାଗଣା ଦିଆଯିବ। ସେହିପରି ଚାଷୀମାନଙ୍କୁ ଜଳସେଚନ ପାଇଁ ସମ୍ପୂର୍ଣ୍ଣ ମାଗଣା ବିଜୁଳି ପ୍ରଦାନ କରାଯିବ ।  ଦିଲ୍ଲୀରେ ଆମ ଆଦମି ପାର୍ଟିକୁ ଅନୁସରଣ କରି ଅଖିଳେଶ ଏହି ସ୍କିମ ଘୋଷଣା କରିଥିବା କୁହାଯାଉଛି। ଦିଲ୍ଲୀରେ କେଜ୍ରିୱାଲ ସରକାର  ୩୦୦ ୟୁନିଟି ପର୍ଯ୍ୟନ୍ତ ମାଗଣା ବିଜୁଳି ମାଗଣା ଦେଉଛନ୍ତି। ଦିଲ୍ଲୀର ଆମ ଆଦମି ପାର୍ଟି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୋଆ ଏବଂ ପଞ୍ଜାବରେ ସମାନ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନା ଅନୁଯାୟୀ ଆସନ୍ତା ବର୍ଷ ଉତ୍ତରପ୍ରଦେଶ ସମେତ ୫ ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ହେବ। ତା ପୂର୍ବରୁ ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନୀ ରଣନୀତିକୁ ଜୋରଦାର କରାଯାଇଛି।

ନୂଆ ବର୍ଷରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ ମୋଦି….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ନବ ବର୍ଷରେ ଚାଷୀଙ୍କୁ ଟଙ୍କା ପଠାଇଲେ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ କିଷାନ ଯୋଜନାରେ ଦଶମ କିସ୍ତି ଭାବେ ୧୦.୦୯ କୋଟିରୁ ଅଧିକ ଚାଷୀଙ୍କୁ ୨୦,୯୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। ଭିଡିଓ କନଫରେନ୍ସି ଜରିଆରେ ଏକ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ଏହି ଟଙ୍କା ଦେଇଛନ୍ତି ମୋଦି। ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଯୋଗ୍ୟ ଚାଷୀମାନଙ୍କୁ ୩ଟି ଇନ୍‌ଷ୍ଟଲମେଣ୍ଟରେ ୨୦୦୦ କରି ବାର୍ଷିକ ୬୦୦୦ ଟଙ୍କା ପ୍ରଦାନ କରାଯାଇଥାଏ। ଏହି ଟଙ୍କା ଚାଷୀଙ୍କ ଆକାଣ୍ଟକୁ ସିଧାସଳଖ ଟ୍ରାନ୍ସଫର କରାଯାଇଥାଏ। ଏଥିସହ ଭର୍ଚୁଆଲ୍ ଇଭେଣ୍ଟ କାର୍ଯ୍ୟକ୍ରମରେ ମୋଦି ୩୫୧ ଚାଷୀ ଉତ୍ପାଦକ ସଙ୍ଗଠକୁ (FPO)କୁ  ୧୪ କୋଟିରୁ ଅଧିକ ଇକୁଇଟି ପ୍ରଦାନ କରିଛନ୍ତି। ଏଥିରେ ୧.୨୪ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଦେଶର ୯ ଜଣ ମୁଖ୍ୟମନ୍ତ୍ରୀ, ବିଭିନ୍ନ ରାଜ୍ୟର ମନ୍ତ୍ରୀ ଏବଂ ବିଭିନ୍ନ କୃଷି ଅନୁଷ୍ଠାନର ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ନୂଆ ବର୍ଷର ପ୍ରଥିମ ଦିନରେ ପ୍ରାୟ ୧୦.୦୯ କୋଟି ହିତାଧିକାରୀଙ୍କୁ ପ୍ରାୟ ୨୦.୯୦୦ କୋଟି ଟଙ୍କା ହସ୍ତାନ୍ତର କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ପିଏଏମ କିଷାନ ଯୋଜନା ସହାୟ ହେବ। ଏହି ଯୋଜନାରେ ଏ ଯାଏଁ ୧.୮ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଲାଣି ।

୧୬୨ ଦିନରେ କର୍ମଚାରୀଙ୍କ ଆନ୍ଦୋଳନ, ସାମିଲ ହେଲେ ବାପା-ମାଆ….!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବ୍ରହ୍ମପୁର)- ‘ଟାଟା ପାୱାର ଡାଉନ୍‌ ଡାଉନ୍‌। ସ୍ଥାୟୀ କାମର ଅସ୍ଥାୟୀ ନିଯୁକ୍ତି ବନ୍ଦ କର।’ ଏଭଳି କିଛି ନାରା ବାଜି ଦେଇ ଦୀର୍ଘ ଦେଢ଼ ମାସରୁ ଅଧିକ ଦିନ ହେବ ଧାରଣାରେ ବସିଛନ୍ତି ବିଦ୍ୟୁତ କର୍ମଚାରୀ।  ଓଡ଼ିଶା ବିଜୁଳି କର୍ମଚାରୀ ସଂଘର ଏହି ଆନ୍ଦୋଳନରେ ଏବେ କର୍ମଚାରୀଙ୍କ ବାପା ମାଆ ସାମିଲ ହୋଇଛନ୍ତି।  ଟାଟା ପାଓ୍ୱାର ସାଉଥ୍ ଓଡ଼ିଶା ଡିଷ୍ଟ୍ରବ୍ୟୁସନ ଲିମିଟେଡ୍‌ ବ୍ରହ୍ମପୁର ଅଫିସ ଆଗରେ ବିଜୁଳି କର୍ମଚାରୀମାନେ ୧୬୨ ଦିନ ହେଲା ଧାରଣାରେ ବସିଛନ୍ତି। ଆନ୍ଦୋଳନକାରୀଙ୍କ କହିବା କଥା, ୨୦୧୮ର ଚୁକ୍ତି ଅନୁସାରେ ୨ଶହ ଆଉଟ ସୋର୍ସ କର୍ମଚାରୀଙ୍କୁ ସ୍ଥାୟୀ କରିବାର ପ୍ରତିଶ୍ରୁତି ଦିଆଯାଇଥିଲା କିନ୍ତୁ ଏହି ଚୁକ୍ତିକୁ କାର୍ଯ୍ୟକାରୀ ନ କରି ରାଜ୍ୟ ସରକାର ସାଉଥ୍‌କୋକୁ ଟାଟା କମ୍ପାନୀ ହାତରେ ଟେକି ଦେଇଥିଲେ।  ଏବେ ପୁରୁଣା ଚୁକ୍ତିକୁ ଟାଟା କାର୍ଯ୍ୟକାରୀ ନ କରି ନୂଆ କଣ୍ଟ୍ରାକ୍ଟ ଅଧୀନରେ କାମ କରିବାକୁ ସେହି କର୍ମଚାରୀଙ୍କୁ ବାଧ୍ୟ କରୁଛନ୍ତି। ଏହାକୁ ନେଇ କର୍ମଚାରୀମାନେ ଧରାଣାରେ ବସିଛନ୍ତି। ଦୀର୍ଘ ଦେଢ଼ ମାସରୁ ଅଧିକ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି ବିଜୁଳି କର୍ମଚାରୀ। ଏମାନଙ୍କୁ ଦରମା ମିଳିନଥିବାରୁ ପରିବାରବର୍ଗ ହନ୍ତସନ୍ତ ହେଉଛନ୍ତି।  ତେଣୁ ଶେଷରେ ଏବେ ବାଧ୍ୟ ହୋଇ କର୍ମଚାରୀଙ୍କ ବାପା ମାଆ ପରିବାରବର୍ଗ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଯଦି ଆଗକୁ ଦାବି ପୂରଣ ନହୁଏ ତେବେ ଆମେ ଅନଶନରେ ବସିବୁ ବୋଲି ଆନ୍ଦୋଳନରତ କର୍ମଚାରୀଙ୍କ ପରିବାର ବର୍ଗ ଚେତାବନର ଦେଇଛନ୍ତି।