ପଂଚାୟତ ନିର୍ବାଚନ: ବିଜେପି ଦେଲା ୨୨ଟି ପ୍ରତିଶ୍ରୁତି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଂଚାୟତ ନିର୍ବାଚନ ପାଇଁ ବିଜେପି ତା’ର ଇସ୍ତାହାର ଜାରି କରି ରାଜ୍ୟବାସୀଙ୍କୁ ୨୨ଟି ପ୍ରତିଶ୍ରୁତି ଦେଇଛି। ପଂଚାୟତରେ ପଲ୍ଲୀସଭା ଓ ଗ୍ରାମସଭା, ଧାନ କିଣାରେ ଟୋକେନ୍ ବ୍ୟବସ୍ଥାର ଉଚ୍ଛେଦ କରି ଚାଷୀଙ୍କଠୁ ସରଳ ପ୍ରକ୍ରିୟାରେ ଧାନ କିଣା, ମଣ୍ଡି ବ୍ୟବସ୍ଥାକୁ ସୁଦୃଢ଼ କରିବା, ମହିଳା ସଶକ୍ତିକରଣ ଆଦିର ମୋଟ ୨୨ଟି ପ୍ରତିଶ୍ରୁତି ରାଜ୍ୟବାସୀଙ୍କୁ ଦେଇଛି। ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଠାଉଥିବା ଅର୍ଥକୁ ପଂଚାୟତସ୍ତରରେ ଜେଇଙ୍କୁ ଠିକାଦାର କରି ବିଜେଡି ନେତାମାନେ ବ୍ୟାପକ ଲୁଟ୍ କରୁଥିବାରୁ ବିଜେପି ଏହି ଟଙ୍କାର ଜଗୁଆଳି ସାଜିବ ବୋଲି କହିଛି।ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଏହି ଇସ୍ତାହାରକୁ ଜାରି କରି କହିଛନ୍ତି ଯେ, ପ୍ରତ୍ୟେକ ଓଡ଼ିଆଙ୍କର ସୁରକ୍ଷା ଓ ବିକାଶ ହେଉଛି ବିଜେପି ରାଜନୀତିର ମୂଳମନ୍ତ୍ର । “ମୋ ସରକାର” ବା”ମୋ ପରିବାର” କଥା କହି ପରିବାର ସଦସ୍ୟମାନଙ୍କ ସହିତ ବିଶ୍ୱାସଘାତ କରିବା ବ୍ୟବସ୍ଥା ବିରୁଦ୍ଧରେ ବିଜେପି ଅଛି । ବିଜେପି ଜିତିଲେ ପଂଚାୟତ ଓ ବ୍ଲକ୍‌ରୁ ପିସି ରାଜ୍ ବନ୍ଦ କରିବ । ପ୍ରଧାନମନ୍ତ୍ରୀ ଆବାସ ପାଇଁ କାହାକୁ ଲାଂଚ ଦେବାକୁ ପଡ଼ିବ ନାହିଁ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଓ ପାଇଖାନା ଯୋଗାଇ ଦିଆଯିବ । ଆଇନ୍ ଅନୁଯାୟୀ ପଂଚାୟତରେ ସରପଂଚଙ୍କୁ ସବୁ କ୍ଷମତା ଦିଆଯିବା ସହିତ ପ୍ରତି ଗ୍ରାମରେ ଗ୍ରାମସଭା – ପଲ୍ଲୀସଭା ଜରିଆରେ ପଂଚାୟତର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ପଂଚାୟତକୁ ସିଧାସଳଖ ଯାଉଥିବା ଅର୍ଥ ୱାର୍ଡ ମେମ୍ବରମାନଙ୍କ ସହିତ ଆଲୋଚନାକ୍ରମେ ସରପଂଚ ଖର୍ଚ୍ଚ କରିବେ । ପଂଚାୟତସ୍ତରରେ ସରପଂଚଙ୍କ ମାର୍ଫତରେ ଧାନ ମଣ୍ଡି ଖୋଲିବା ପାଇଁ ଏଫସିଆଇ ଜରିଆରେ ବ୍ୟବସ୍ଥା କରାଯିବ । କୃଷକମାନେ ତାଙ୍କର ବଳକା ଧାନକୁ ସହଜରେ ଯେପରି କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ସର୍ବନିମ୍ନ ଧାର୍ଯ୍ୟ ମୂଲ୍ୟରେ ବିକ୍ରି କରି ପାରିବେ ତାର ବ୍ୟବସ୍ଥା କରିବା ସହିତ ଧାନ ମଣ୍ଡିରେ ପ୍ରଚଳିତ ଭୁବନେଶ୍ୱରରୁ ଟୋକନ୍ ମିଳିବା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ । ମଣ୍ଡିରୁ ଧାନ କିଣିବା ବ୍ୟବସ୍ଥା ଯେପରି ମିଲରମାନଙ୍କର ମନମୁଖୀ ନିଷ୍ପତି ଦ୍ୱାରା ପରିଚାଳିତ ହେଉଛି ତାହାର ଅନ୍ତ ଘଟାଇ ଧାନ ବିିକ୍ରୟ କ୍ଷେତ୍ରରେ ଚାଲିଥିବା “ଦଲାଲ୍ ରାଜ’ର ପରିସମାପ୍ତି କରାଯିବ । କୋଅପରେଟିଭ୍ ସୋସାଇଟି ଦ୍ୱାରା ଚାଷୀମାନେ ଯେପରି ୨ ପ୍ରତିଶତ ସୁଧ ହାରରେ ଋଣ ପାଇବେ ତାର ବ୍ୟବସ୍ଥା କରାଯାଇ ଚାଷୀଙ୍କୁ ଉଚିତ ଦରରେ ସାର ଓ ବିହନ ଯୋଗାଇ ଦିଆଯିବ । ଯେଉଁ ଯୋଗ୍ୟ ହିତାଧିକାରୀମାନଙ୍କୁ ରାସନ କାର୍ଡ ମିଳିନାହିଁ ସେମାନଙ୍କ ପାଇଁ ରାସନ୍ କାର୍ଡ ବ୍ୟବସ୍ଥା କରିବା ସହିତ କେନ୍ଦ୍ରର ମୋଦି ସରକାର ଯୋଗାଇ ଦେଉଥିବା ଚାଉଳ ଓ ଗହମ ଯୋଗାଇ ଦିଆଯିବ । ପଂଚାୟତରେ ତିଆରି କରାଯାଇଥିବା ନାଳ ନର୍ଦ୍ଦମା ବର୍ଷ ବର୍ଷ ଧରି ସଫା ହେଉନଥିବାରୁ ତାହା ବିଭିନ୍ନ ରୋଗର କାରଣ ପାଲଟିଛି, ସେଥିପାଇଁ ନାଳ ନର୍ଦ୍ଦମା ସଫା କରି ପଂଚାୟତକୁ ସ୍ୱଚ୍ଛ ରଖାଯିବ । ଷ୍ଟ୍ରିଟ୍ ଲାଇଟ୍‌, ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱ ଦିଆଯିବ । ଅଙ୍ଗନୱାର୍ଡି, ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ମିଳୁଥିବା ପୁଷ୍ଟିକର ଖାଦ୍ୟ ଓ ଉଚ୍ଚମାନର ପୋଷାକ ଯୋଗାଇ ଦିଆଯିବ । ସେହିପରି ପ୍ରତି ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ପ୍ରତି ଘରକୁ ବିଜୁଳି ଓ ରନ୍ଧନ ଗ୍ୟାସ ସଂଯୋଗ ସୁନିଶ୍ଚିତ କରାଯିବ । ହଜାର ହଜାର ସ୍ୱଂୟ ସହାୟିକା ଗୋଷ୍ଠୀ ରାଜ୍ୟରେ ପଞ୍ଜିକୃତ ହୋଇଥିଲେ ମଧ୍ୟ ମାତ୍ର ୫ ପ୍ରତିଶତରୁ କମ୍ ସ୍ୱଂୟ ସହାୟିକା ଗୋଷ୍ଠୀ ବିଭିନ୍ନ କାର୍ଯ୍ୟରେ ତାଲିମ୍ ନେଇ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଉତ୍ପାଦନ କରୁଛନ୍ତିି । ମହିଳାମାନଙ୍କୁ ନେଇ ଯେପରି ସ୍ୱଂୟ ସହାୟିକା ଗୋଷ୍ଠୀ ଗଢାଯାଇଛି ସେଭଳି ବେକାର ଯୁବକମାନଙ୍କୁ ନେଇ ପୁରୁଷ ସ୍ୱଂୟ ସହାୟକ ଗୋଷ୍ଠୀ ଗଢିବା ବ୍ୟବସ୍ଥା କରିବା ସହିତ ମହିଳାମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ବମଦ ଦୋକାନ ଖୋଲା ଯିବା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ‘ଲୋକଙ୍କୁ ଅଧିକାର, ଗାଁ ଗାଁରେ ବିଜେପି ସରକାର’ର ନୂଆ ସ୍ଲୋଗାନ ବିଜେପି ଦେବ ବୋଲି ସେ କହିଛନ୍ତିା ଶ୍ରୀ ମହାନ୍ତି ବିଜେପିର ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ଜିତାଇବା ପାଇଁ ସେ ଆହ୍ୱାନ କରିଛନ୍ତି । ଏହି ଅବସରରେ ଦଳର ବରିଷ୍ଠ ବିଧାୟକ ଓ ନେତାମାନେ ଉପସ୍ଥିତ ଥିଲେ।

‘ଆମ ଗାଁରେ ସ୍କୁଲ ନ ହେଲେ ଦେବୁନି ଭୋଟ’…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- “ଆମ ଗାଁ ସ୍କୁଲକୁ ୨ ବର୍ଷ ହେଲାଣି ବନ୍ଦ କରିଦେଲେଣି। ଅନ୍ୟ ଏକ ସ୍କୁଲ ସହ ଏହାର ମିଶ୍ରଣ କରିଦେଲେ। ଫଳରେ ସ୍କୁଲ ଖୋଲିଲେ ଆମ ପିଲା ନାହିଁ ନ ଥିବା ହଇରାଣ ହେବେ । ତେଣୁ ଆମ ଗାଁରେ ସ୍କୁଲ ନ ହେଲେ ଏଥର ଭୋଟ ଦେବୁନି। ” ଏପରି କହି ଭୋଟ ବର୍ଜନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁରର ବିଜିପୁର ଗ୍ରାମବାସୀ ।ସୂଚନା ଅନୁଯାୟୀ, ବିଜିପୁର ଗାଁରେ ଥିବା ସ୍କୁଲରେ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନ ଥିବା କହି ୨ ବର୍ଷ ପୂର୍ବେ ଏହାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ବନ୍ଦ  କରି ଦିଆଗଲା।  ମିଶ୍ରଣ ପର୍ବ ନାଁରେ ଏହାକୁ ନେଇ ଅନ୍ୟ ଏକ ସ୍କୁଲ ସହ ମିଶାଇ ଦେଲେ। ତେଣୁ ଏଥିଯୋଗୁ  ଗାଁର ପିଲାଙ୍କ ପାଠ ପଢ଼ାରେ ସମସ୍ୟା ଉପୁଜିଛି । ସ୍କୁଲ ଖୋଲିଲେ ଦୂରକୁ ଯିବା ସମ୍ଭବପର ନୁହେଁ ବୋଲି କହିଛନ୍ତି ଗ୍ରାମବାସୀ । ବାରମ୍ବାର ଏସମ୍ପର୍କରେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଜନପ୍ରତିନିଧିଙ୍କୁ ଜଣାଇଲେବି କେହି ସମସ୍ୟା ଶୁଣୁ ନାହାନ୍ତି କି କୌଣସି ପଦକ୍ଷେପ ନିଆଯାଉନି । ତେଣୁ  ବାଧ୍ୟ ହୋଇ ଏପରି  ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗ୍ରାମବାସୀ ।ସୂଚନାଯୋଗ୍ୟ, ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ । ଫେବୃଆରୀ ୧୬ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ । ଆଗକୁ ନିର୍ବାଚନ ଥିବାରୁ ଏବେଠୁ ଜମିଲାଣି ମାହୋଲ । କେଉଁଠି  ଲଢ଼େଇ ଜୋରଦାର ହେଉଥିବା ବେଳେ କେଉଁଠି ଖାଲି ପଡ଼ିଛି ମଇଦାନ । ବର୍ଷ ବର୍ଷ ଧରି ପୂରଣ ହୋଇ ନ ଥିବା ଦାବି ପ୍ରତିବାଦରେ ଭୋଟ ବର୍ଜନ କରିଛନ୍ତି ଭୋଟର। ବିଜିପୁର ଗ୍ରାମବାସୀ  ମଧ୍ୟ ସ୍କୁଲ ଦାବିରେ ଭୋଟ ବର୍ଜନ କରିଥିବା ବେଳେ ଭବିଷ୍ୟତରେ କିପରି ହେବ ଏହି ଅଞ୍ଚଳ ବିକାଶ ତାହାକୁ ନେଇ ଅନିଶ୍ଚିତନା ଦେଖିବାକୁ ମିଳିଛି।

ସତର୍କ କରାଇଲେ ମୁଖ୍ୟ ସଚିବ; ପଞ୍ଚାୟତ ନିର୍ବାଚନରେ ନିରପେକ୍ଷ ରୁହ, ନଚେତ୍ ଚାକିରି ଯିବ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତିକ ଦଳ ଓ ପ୍ରାର୍ଥିମାନେ ନିଜର ପ୍ରଚାର କାର୍ଯ୍ୟ ଜୋରଦାର କରୁଥିବା ବେଳେ ସରକାରୀ ଓ ସ୍ୱାୟତ୍ତ ସଂସ୍ଥାର କର୍ମଚାରୀମାନଙ୍କୁ ନିର୍ବାଚନରେ ନିରପେକ୍ଷ ରହିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି । ନଚେତ୍ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ର ଧାରା ୨୮ର ପ୍ରାବଧାନ ଅନୁସାରେ ଚାକିରି ହରାଇବାକୁ ପଡ଼ିବ ବୋଲି ସତର୍କ କରାଇଛନ୍ତି। ମୁଖ୍ୟ ସଚିବ ସୁରେଶ ମହାପାତ୍ର ରାଜ୍ୟ ପୁଲିସ ଡିଜି, ସମସ୍ତ ବିଭାଗର ସଚିବ, ଆରଡିସି ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ରାଜ୍ୟରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ବିଭିନ୍ନ ଉଦ୍ୟୋଗ, ନିଗମ, ସ୍ୱାୟତ୍ତ ସଂସ୍ଥା, ସମବାୟ ସଂସ୍ଥାର କର୍ମଚାରୀମାନେ ଯେଭଳି ପଞ୍ଚାୟତ ନିର୍ବାଚନରେ ନିରପେକ୍ଷ ରହିବେ ସେଥିପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ କହିଛନ୍ତି । ଏହାସହିିତ ଏଭଳି ଅଭିଯୋଗ ଆସିଲେ ପୁଲିସ ତୁରନ୍ତ ଆଇପିସିର ୧୫୩ଏ, ୧୫୩ବି, ୧୭୧ବି, ୧୭୧ସି, ୧୭୧ଜି,୧୭୧ଏଚ ଓ ୫୦୫ ଧାରା ଅନ୍ତର୍ଗତ ମାମଲା ରୁଜୁ କରି ତୁରନ୍ତ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ କହିଛନ୍ତି। ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଆଚରଣ ବିଧି ସମସ୍ତ ସରକାରୀ, ବିଭିନ୍ନ ଉଦ୍ୟୋଗ ଓ ନିଗମ, ସମବାୟ ସଂସ୍ଥା, ସ୍ୱାୟତ୍ତ ସଂସ୍ଥା ଓ ପଂଚାୟତିରାଜ ସଂସ୍ଥାର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ର ଧାରା ୨୮ ର ପ୍ରାବଧାନ ଅନୁସାରେ କୌଣସି ସରକାରୀ କର୍ମଚାରୀ ଅବା ସ୍ୱାୟତ୍ତ ସଂସ୍ଥାରେ କାର୍ଯ୍ୟରତ ବ୍ୟକ୍ତି ନିର୍ବାଚନକୁ ପ୍ରଭାବିତ କରିବା ଭଳି କାର୍ଯ୍ୟ କରିପାରିବେ ନାହିଁ । ଯଦି ସେ କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ଏଭଳି କରନ୍ତି ଅବା ଭୋଟକୁ ପ୍ରଭାବିତ କରନ୍ତି ତା’ହେଲେ ତାଙ୍କୁ ନିଜର ଚାକିରି ହରାଇବାକୁ ପଡ଼ିବ । ଏହାସହିତ ଶ୍ରୀ ମହାପାତ୍ର ସମସ୍ତ ସରକାରୀ ଗାଡ଼ି, ପ୍ରଶାସନିକ କଳ ଓ କର୍ମଚାରୀ ଯେଭଳି କୌଣସି ପ୍ରାର୍ôଥ ଅବା ଦଳକୁ ସୁହାଇବା ପାଇଁ କାର୍ଯ୍ୟରେ ଉପଯୋଗ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି । ନିର୍ବାଚନ ସରିବା ପର୍ଯ୍ୟନ୍ତ ସରକାରଙ୍କ ସଫଳତା କହୁଥିବା କୌଣସି ବିଜ୍ଞାପନ ଯେଭଳି ସରକାରୀ ପାଣ୍ଠିରୁ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି । ପଂଚାୟତ ନିର୍ବାଚନରେ ସମ୍ପୂର୍ଣ୍ଣ ନିରପେକ୍ଷ ହେଶଇ କାର୍ଯ୍ୟ କରିବାକୁ ସେ ସବୁ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସିଏଜିଙ୍କ ଆପତ୍ତି: ନବୀନ ନିବାସକୁ ରାସ୍ତା ପାଇଁ ୩.୨୨ କୋଟି, ଏଜି ଛକ ରାସ୍ତାରେ ୧୮କୋଟି ବରବାଦ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜଧାନୀ ଭୁବନେଶ୍ୱର ସହରରେ ଗମନାଗମନକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ‘କ୍ୟାପିଟାଲ ରୋଡ୍ ଡେଭଲପମେଣ୍ଟ ପ୍ରୋଗ୍ରାମ(ସିଆରଡିପି)’ ଏକ ପ୍ରହସନ ପାଲଟିଛି । ଏହି ରାସ୍ତା ଉନ୍ନୀତିକରଣ ନାଁରେ ରାଜ୍ୟ ପୂର୍ତ୍ତ ବିଭାଗ କୋଟି କୋଟି ଟଙ୍କା ହରିଲୁଟ୍ କରିଛି । ୨୦୧୫-୨୦୨୦ ମସିହା ମଧ୍ୟରେ ଏହି ସିଆରଡିପି ମାଧ୍ୟମରେ ୩୮ଟି କାର୍ଯ୍ୟ ପାଇଁ ୧୬୭କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ସବୁ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସକୁ ରାସ୍ତା ସଂଯୋଗ ନାଁରେ ଅନାବଶ୍ୟକ ଭାବେ ୩.୨୨କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ସାଧାରଣ ଲୋକଙ୍କ କାର୍ଯ୍ୟରେ ଆସିବା ପରିବର୍ତ୍ତେ ନବୀନ ନିବାସ ସମ୍ମୁଖ ରାସ୍ତା ଏବେ ଦୁର୍ଘଟଣାପ୍ରବଣ ପାଲଟିଛି। ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କ ରାଜଧାନୀ ରାସ୍ତା ଉନ୍ନତିକରଣ କାର୍ଯ୍ୟକ୍ରମ ଉପରେ ସିଏଜି ଆପତ୍ତି ଉଠାଇବା ସହ ସ୍ପଷ୍ଟୀକରଣ ମାଗିବା ପରେ ପୂର୍ତ୍ତ ବିଭାଗ ଗତ ୨୫ତାରିଖରେ ଏନେଇ ମୁଖ୍ୟ ଯନ୍ତ୍ରୀ(ରାସ୍ତା)କୁ ରିପୋର୍ଟ ତଲବ କରିଛି । ମିଳିଥିବା ସୂଚନା ଅନୁସାରେ ‘କ୍ୟାପିଟାଲ ରୋଡ୍ ଡେଭଲପମେଣ୍ଟ ପ୍ରୋଗ୍ରାମ’ର ଅଡିଟ୍ ବେଳେ ସିଏଜି ଅନେକ ଅସଙ୍ଗତି ଧରିବା ସହ ଅଯଥାରେ କୋଟିକୋଟି ଟଙ୍କା ବରବାଦ ହୋଇଥିବା ମଧ୍ୟ ଜାଣିବାକୁ ପାଇଛନ୍ତି । ସିଏଜି କହିଛନ୍ତି ଯେ, ସିଆରଡିପିରେ ମୋଟ ୪୨ଟି କାର୍ଯ୍ୟ ପାଇଁ ୧୮୫.୧୨କୋଟି ଟଙ୍କା ୨୦୧୫ରୁ ୨୦୨୦ ମସିହା ମଧ୍ୟରେ ଆବଣ୍ଟିତ ହୋଇଥିବାବେଳେ ସେଥିରୁ ୧୬୭.୧୬କୋଟି ଟଙ୍କା ୩୮ଟି କାର୍ଯ୍ୟ ପାଇଁ ଖର୍ଚ୍ଚ ହୋଇଛି । ୧୭ଟି କାର୍ଯ୍ୟ ସରିଥିବାବେଳେ ୨୧ଟି କାର୍ଯ୍ୟ ଜାରି ରହିଛି ଓ ୪ଟି କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନି । ତେବେ ରାଜଧାନୀର ଏହି ସମସ୍ତ ୪୨ଟି ରୋଡ୍ ପ୍ରକଳ୍ପ କାର୍ଯ୍ୟକାରୀବେଳେ କୌଣସି ଗୋଟିଏ ବି ରାସ୍ତାରେ ଗାଡ଼ି ପାର୍କିଂ ନିମନ୍ତେ ସ୍ଥାନ, ଭେଣ୍ଡିଂ ଜୋନ୍ ଆଦି ପାଇଁ ବ୍ୟବସ୍ଥା ଉକ୍ତ ପ୍ରକଳ୍ପ ଡିଜାଇନରେ ସାମିଲ ହୋଇନି । ନିୟମ ଅନୁସାରେ ସହରର ଏହି ସମସ୍ତ ରାସ୍ତାର ଆୟୁଷ ୨୦ବର୍ଷ ବା ତା’ଠୁ ଅଧିକ ରହିବା ପରିବର୍ତ୍ତେ ୧୧ଟି ରାସ୍ତାର ଡିଜାଇନ୍ ଏଭଳି ହୋଇଛି ଯାହାର ଆୟୁଷ ଅତିବେଶୀରେ ୧୦ରୁ ୧୨ବର୍ଷ ପର୍ଯ୍ୟନ୍ତ ଯିବ । ସେହିପରି ୧୫ଟି ରାସ୍ତାରେ ସାଇକେଲ୍ ଟ୍ରାକ୍ ପାଇଁ ଡିଜାଇନ୍ ନଥିବାବେଳେ ୧୨ଟି ରାସ୍ତାରେ ଫୁଟପାଥ ନିମନ୍ତେ ସର୍ବନିମ୍ନ ୧.୨ମିଟର ଚଉଡ଼ାର ରାସ୍ତା ମଧ୍ୟ ନାହିଁ । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୦୧୬ ମାର୍ଚ୍ଚ ୮ତାରିଖରେ ଭୁବନେଶ୍ୱରକୁ ସ୍ମାର୍ଟସିଟି ଘୋଷଣା କରାଯାଇ ବିଭିନ୍ନ ରାସ୍ତାର ଉନ୍ନତିକରଣ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଆବଣ୍ଟନ କରାଯାଇଥିଲା । ପୂର୍ତ୍ତ ବିଭାଗ ମଧ୍ୟ ଏହି ଅଂଚଳଭିତ୍ତିକ ରାସ୍ତା ବିକାଶ ପାଇଁ ସିଆରଡିପିରେ କୌଣସି ସ୍ପଷ୍ଟ ଗାଇଡଲାଇନକୁ ମାନୁନଥିବାବେଳେ ସହରର ଭିତ୍ତିଭୂମି ସୁଦୃଢ଼ ପାଇଁ ସ୍ମାର୍ଟସିଟିର ଗାଇଡଲାଇନକୁ ବି ଅଣଦେଖା କରିବାକୁ ପଛାଇନାହିଁ । ରାଜ୍ୟ ସରକାର ନିଜସ୍ୱ ‘ସିଆରଡିପି’ କାର୍ଯ୍ୟକ୍ରମରେ କୌଣସି ରାସ୍ତା ପ୍ରକଳ୍ପ କାର୍ଯ୍ୟ ହାତକୁ ନେବା ପୂର୍ବରୁ ତା’ର ଡିପିଆର ପ୍ରସ୍ତୁତିକୁ ମଧ୍ୟ ଗୁରୁତ୍ୱ ଦେଇନାହାନ୍ତି । ଏପରିକି ଜବରଦଖଲ ଉଚ୍ଛେଦ ନକରି, ବିଭିନ୍ନ ୟୁଟିଲିଟି ସ୍ଥାନାନ୍ତର ନକରି ଠିକା ସଂସ୍ଥା ସହ କାର୍ଯ୍ୟ ଆରମ୍ଭ ପାଇଁ ଏଗ୍ରିମେଣ୍ଟ ହୋଇଛି । ଯେଉଁଥିପାଇଁ ୨୦୨୧ ମାର୍ଚ୍ଚ ସୁଦ୍ଧା ୪୨.୭୯କୋଟି ଟଙ୍କା ଖର୍ଚ୍ଚ ହୋଇ ମଧ୍ୟ ଅଧିକାଂଶ ରାସ୍ତା ଅଧପନ୍ତରିଆ ହୋଇ ପଡ଼ିରହିଛି । ୩୮୮ରୁ ୧୨୦୪ଦିନ ହେବ ଏହି ରାସ୍ତା କାର୍ଯ୍ୟ ପଡ଼ି ରହିଥିବା ଜଣାପଡ଼ିଛି । ନବୀନ ନିବାସ ସମ୍ମୁଖ ରାସ୍ତାକୁ ଡାଇର୍ଭଟ୍ କରାଯିବା ପାଇଁ ୨.୦୫କୋଟି ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ ୧.୧୩କୋଟି ଟଙ୍କା ଖର୍ଚ୍ଚ ହେବାପରେ ଏହି କାର୍ଯ୍ୟ ବନ୍ଦ ହୋଇଯାଇଛି । ୨ଟି ଟ୍ରାନ୍ସଫରର୍ମର ଓ ୨ଟି ଇଲେକ୍ଟ୍ରି ପୋଲ୍ ରାସ୍ତାରେ ଥିବାରୁ ଏହି ମାର୍ଗ ଦୁର୍ଘଟଣାପ୍ରବଣ ପାଲଟିଛି ବୋଲି ସିଏଜି ଅଡିଟବେଳେ ଜାଣିବାକୁ ପାଇଛନ୍ତି । ସେହିପରି ରାଜଧାନୀ ଭୁବନେଶ୍ୱରର ଶିଶୁଭବନ ଛକରୁ ଏକାମ୍ର ଛକ ପର୍ଯ୍ୟନ୍ତ ୯୯୬ ମିଟର ରାସ୍ତାର ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ୧.୯୪କୋଟି ବ୍ୟୟବରାଦ ହୋଇଥିଲା, କିନ୍ତୁ ନବୀନ ନିବାସ ନିକଟସ୍ଥ ପୁରୁଣା ବିମାନବନ୍ଦର ଟ୍ରାଫିକ ଛକ ପର୍ଯ୍ୟନ୍ତ ରାସ୍ତା ହେବାପରେ ଏହି କାର୍ଯ୍ୟ ବନ୍ଦ ହୋଇଯାଇଥିଲା । ୫ଟି ସବଷ୍ଟେସନ, ପାଇପ ଜଳଯୋଗାଣ, ଗଛ, ଇଲେକ୍ଟ୍ରି ପୋଲ୍ ଆଦି ସ୍ଥାନାନ୍ତର ନହେବାରୁ ରାସ୍ତା କାର୍ଯ୍ୟ ତା’ର ଲକ୍ଷ୍ୟ ପୂରଣ କରିପାରିନଥିଲା । ନବୀନ ନବାସକୁ ଯାଇଥିବା ଏହି ଦୁଇ ରାସ୍ତା ପ୍ରକଳ୍ପ ସାଧାରଣ ଲୋକଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରିନଥିବା ଜଣାପଡ଼ିଛି । ସେହିପରି ରାଜଧାନୀର ବିମାନ ବନ୍ଦର ଛକରୁ ଏଜି ଛକ ପର୍ଯ୍ୟନ୍ତ ୧୬୮୦ମିଟର ରାସ୍ତାର ଉନ୍ନତିକରଣର ଆବଶ୍ୟକତା ନଥାଇ ମଧ୍ୟ ୨୦୧୮ ଏପ୍ରିଲ ୨୦ତାରିଖରେ ୧୮.୦୮କୋଟି ଟଙ୍କା ଟେଣ୍ଡର ଡକାଯାଇଥିଲା । ଏହି ମାର୍ଗରେ ସାଇକେଲ ଟ୍ରାକ, ଫୁଟପାଥ, ଡ୍ରେନ୍ ଓ ପିଚୁ ଆଦି ସବୁ ଭଲସ୍ଥିତିରେ ଥାଇ ମଧ୍ୟ ଆଉ ଏକ ସାଇକେଲ୍ ଟ୍ରାକ ନିର୍ମାଣ ଓ କଂକ୍ରିଟ୍ କାର୍ଯ୍ୟ ପାଇଁ ଟେଣ୍ଡର ଡକାଯାଇଥିଲା । ଆବେଦନ ମିଳିବା ପରେ ୫୫୩ ଦିନ ପକାଇ ରଖି ଅର୍ଥାତ ୨୦୨୦ ଜୁଲାଇ ୨୩ ତାରିଖରେ ଏହି ଠିକା କାର୍ଯ୍ୟ ଆବଣ୍ଟନକୁ ଚୂଡ଼ାନ୍ତ କରାଯାଇଥିଲା । ତେବେ ଏହି ମାର୍ଗ ସମ୍ପୂର୍ଣ୍ଣ ଭାବେ ଭଲ ସ୍ଥିତିରେ ଥିବାବେଳେ ଏଥିରେ କୌଣସି କାର୍ଯ୍ୟର ଆବଶ୍ୟକତା ନଥିବା ସିଏଜି ତାଙ୍କ ଅଡିଟରେ ଉଲ୍ଲେଖ କରିଛନ୍ତି । ଏହି ମାର୍ଗରେ ଜବରଦଖଲ ଉଚ୍ଛେଦ ନକରି କାହିଁକି ଏହି ଅନାବଶ୍ୟକ ପ୍ରକଳ୍ପ ପାଇଁ ଟେଣ୍ଡର ଡକାଗଲା ବୋଲି ସିଏଜି ପ୍ରଶ୍ନ କରିଛନ୍ତି । କେବଳ ସେତିକି ନୁହେଁ, ଏସବୁ ରାସ୍ତା ପ୍ରକଳ୍ପ ପାଇଁ ଗଛ କଟା ଯିବା ଓ ଗଛ ଲଗାଇବା ପାଇଁ ୧.୧୦କୋଟି ଟଙ୍କା ବ୍ୟୟବରାଦ ହୋଇଥିଲେ ମଧ୍ୟ ଏହି ଟଙ୍କା ଖର୍ଚ୍ଚ ହୋଇନାହିଁ । ଏପରିକି ଗଛ କାଟିବା ଯୋଗୁ ପରିବେଶ ଉପରେ କ’ଣ ପ୍ରଭାବ ରହିବ ଓ ଗଛ କାଟିବା ପାଇଁ ଜଙ୍ଗଲ ବିଭାଗର ଅନୁମତି ମଧ୍ୟ ପୂର୍ତ୍ତ ବିଭାଗ ନେଇନଥିବା ଜଣାପଡ଼ିଛି । ତେଣୁ ରାଜଧାନୀର ରାସ୍ତାଗୁଡ଼ିକର ଉନ୍ନତିକରଣ ନାଁରେ ସିଆରଡିପି କାର୍ଯ୍ୟକ୍ରମ ମାଧ୍ୟମରେ ପୂର୍ତ୍ତ ବିଭାଗ କୋଟିକୋଟି ଟଙ୍କା ହରିଲୁଟ୍ କରିବାକୁ ପଛାଇ ନଥିବା ପରୋକ୍ଷରେ ସିଏଜିଙ୍କ ଅଡିଟରୁ ସ୍ପଷ୍ଟ ହୋଇଯାଇଛି ।

ନିର୍ଦ୍ୱନ୍ଦ୍ୱରେ ବିଜୟୀ ସରପଞ୍ଚଙ୍କୁ ଗ୍ରହଣ କଲେନି ଲୋକେ; କହିଲେ- ଭୋଟ୍‌ ହେଉ…..!

ଏଥର ସମ୍ଭାଳ ବ୍ୟୁରୋ(ବରଗଡ଼)- ସରପଞ୍ଚ ପଦବୀ ପାଇଁ ୫ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ସେଥିରୁ ୪ ଜଣ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବାରୁ ଜଣେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲେ। ନିଦ୍ୱର୍ନ୍ଦ୍ୱରେ ବିଜୟୀ ହେବା ପରେ ତାଙ୍କୁ ସରପଞ୍ଚ ଭାବେ ଗ୍ରହଣ କରୁନାହାନ୍ତି ଗାଁ ଲୋକେ। ଆଉ ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଅନୁମତି ଦେବାକୁ ଦାବି କରି ଆଜି ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଦେଇଛନ୍ତି ରେମତା ପଞ୍ଚାୟତର ଶତାଧିକ ଲୋକ। ପଞ୍ଚାୟତ ନିର୍ବାଚନା ପାଇଁ ବରପାଲି ବ୍ଲକ୍‌ ରେମତା ପଞ୍ଚାୟତରେ ୫ ଜଣ ସରପଞ୍ଚ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସେମାନଙ୍କ ଭିତରୁ ୪ ଜଣ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରିନେଇଥିଲେ। ଯାହାଫଳରେ ଧିରପୁର ଗାଁର ବିନୟ ଗଡ଼ତୀୟାଙ୍କୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ଘୋଷିତ କରାଯାଇଛି। ଯାହାଫଳରେ ଆଉ ସେହି ପଞ୍ଚାୟତରେ ସରପଞ୍ଚ ନିର୍ବାଚନ ହେବନାହିଁ। ସରପଞ୍ଚ ନିର୍ଦ୍ୱନ୍ଦ୍ୱରେ ବିଜୟୀ ଘୋଷିତ ହେବା ପରେ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀଙ୍କ ଭୋଟ ଦେବା ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଥିବା ଅଭିଯୋଗ ଆଣି ଆଜି ରେମତା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଓ କରିଥିଲେ। ଏଥିସହ ନିର୍ବାଚନକୁ ସ୍ଥଗିତ ରଖି ପୁଣି ଥରେ ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଅନୁମତି ଦେବାକୁ ଦାବି କରି ଧାରଣା ଦେଇଥିଲେ। ଗାଁ ଲୋକ ଅଭିଯୋଗ କରିଥିଲେ, ବିଜେଡି ସମର୍ଥିତ ୫ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସେମାନେ ନିଜ ଭିତରେ ଆପୋଷ ବୁଝାମଣା କରି ଟଙ୍କା ଲୋଭରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଯାହାଫଳରେ ସାଧାରଣ ଜନତା ଭୋଟ୍‌ ଦେବା ଅଧିକାରରୁ ବଞ୍ଚିତ ହୋଇଛନ୍ତି। ଖବର ପାଇ ବରଗଡ଼ ଉପଜିଲ୍ଲାପାଳ ଧାରଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ଗାଁ ଲୋକେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଅନ୍ୟପକ୍ଷରେ ଉପଜିଲ୍ଲାପାଳ ମଧ୍ୟ ଅସହାୟତା ପ୍ରକାଶ କରିଥିଲେ। ଗାଁ ଲୋକେ ବହୁ ସମୟ ଧରି ଧାରଣାରେ ବସିବା ପରେ ଉଠି ପଳାଇ ଯାଇଥିଲେ। ଗାଁ ଲୋକେ ଧମକ ଦେଇ କହିଛନ୍ତି, ଜିଲ୍ଲା ପ୍ରଶାସନ ଏହା ଉପରେ ଗୁରୁତ୍ୱ ନଦେଲେ ଆଗାମୀ ଜିଲ୍ଲାପରିଷଦ ଭୋଟ୍‌କୁ ବର୍ଜନ କରିବା ସହ ଗାଁରେ କୌଣସି ବ୍ୟାନର  ଓ ପୋଷ୍ଟର ଲଗାଇ ଦେବୁନାହିଁ। ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଦେବୁ ବୋଲି ଗାଁ ଲୋକେ ଧମକ ଦେଇଛନ୍ତି। ସେପଟେ ନାମାଙ୍କନ ପ୍ରତ୍ୟାହାର କରିଥିବା ପ୍ରାର୍ଥୀମାନେ ନିଜ ସ୍ୱଇଚ୍ଛାରେ କରିଥିବା କହିଛନ୍ତି।

ଆଜିର ରାଶିଫଳ – ୨୮ ଜାନୁଆରୀ, ଶୁକ୍ରବାର

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ କାହା ସହିତ ଝଗଡ଼ା ହୋଇପାରେ। ଫଳରେ ଚିନ୍ତିତ ରହିବେ।

ବୃଷ: ଧନ ଲାଭ ଯୋଗ ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଶୁଭଫଳ ପାଇବା ପାଇଁ କୌଣସି ଅସହାୟଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ଅପେକ୍ଷା କରିଥିବା ଶୁଭ ଖବର ଶୁଣି ଖୁସି ହେବେ। ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ, ଶୁଭଫଳ ପ୍ରାପ୍ତି ହେବ।

କର୍କଟ: ପାରିବାରିକ ଜୀବନ ଭଲ ରହିବ। ବିଭିନ୍ନ ଦିଗରୁ ଆୟ ବୃଦ୍ଧି ଘଟିବ। ନିଜର କେହି ଲୋକ ଶତ୍ରୁ ଭଳି ଆଚରଣ କରିପାରନ୍ତି।

ସିଂହ: ବକେୟା ଅର୍ଥ ପ୍ରାପ୍ତି ହେବ। ଶରୀର ଅସୁସ୍ଥ ରହିପାରେ। ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ ନକଲେ ଭଲ।

କନ୍ୟା: ମହିଳାମାନେ ଘରେ ଓ ବାହାରେ ସବୁଠି ଆଦର ଏବଂ ସମ୍ମାନ ପାଇବେ। ପୂର୍ବରୁ ଲାଗି ରହିଥିବା ଅଶାନ୍ତି ଦୂର ହୋଇଯିବ। ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି।

ତୁଳା: ହଠାତ୍ ଖର୍ଚ୍ଚ ବଢ଼ିଯିବ। ଧାରକରଜ କରିବାକୁ ପଡ଼ିପାରେ। ଶରୀର କୌଣସି ଅଙ୍ଗରେ ପୀଡ଼ା ହୋଇପାରେ। କର୍ମକ୍ଷେତ୍ରରେ ଅନିଚ୍ଛାକୃତ ଭାବେ କୌଣସି କାର୍ଯ୍ୟ କରିବାକୁ ପଡ଼ିପାରେ।

ବିଛା: କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହଯୋଗ ମିଳିବ। ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ଶାରୀରିକ ପୀଡ଼ା ଦେଖାଦେଇପାରେ। ଖାଦ୍ୟପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ଧନୁ: ଭାବିଚିନ୍ତି ସବୁ କାର୍ଯ୍ୟ କରନ୍ତୁ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ବ୍ୟବସାୟରେ ପୂର୍ବ ଅପେକ୍ଷା ଭଲ ଆୟ ହେବ।

ମକର: ଧନ ଲାଭ ଯୋଗ ରହିଛି। ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ। କର୍ମକ୍ଷେତ୍ରର ସହକର୍ମୀଙ୍କ ସହଯୋଗରେ ସଫଳତା ପାଇବେ। ମହିଳାମାନେ ଆଜି ଜଗିରଖି ଚଳନ୍ତୁ।

କୁମ୍ଭ: କୌଣସି ବନ୍ଧୁ କ୍ଷତି ପହଞ୍ଚାଇବାକୁ ପ୍ରୟାସ କରିପାରନ୍ତି। ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହଠାତ୍ କାହାକୁ ବିଶ୍ୱାସକୁ ନିଅନ୍ତୁ ନାହିଁ।

ମୀନ: କୌଣସି ପ୍ରସଙ୍ଗକୁ ନେଇ ପରିବାରରେ ଅଶାନ୍ତି ଲାଗି ରହିବ। ଗୁପ୍ତଶତ୍ରୁ ହଇରାଣ କରିପାରନ୍ତି।