ନିଜ ଜିଦ୍‌ରେ ଅଟଳ ୫ ପଞ୍ଚାୟତବାସୀ, କେହି ଦାଖଲ କଲେନି ପ୍ରାର୍ଥିପତ୍ର ।

ଏଥର ସମ୍ଭାଳ ବ୍ୟୁରୋ (ଦେବଗଡ) – ମୋବାଇଲ୍‌ ଫୋନ୍ ନେଟ୍‌ୱର୍କ ସମସ୍ୟା ପାଇଁ ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଥିବା ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଳକର ୫ଟି ପଞ୍ଚାୟତରେ କେହି ନାମାଙ୍କନ ପତ୍ର ଦାଖଲ କରି ନାହାନ୍ତି। ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ତାରିଖ ଥିବା ବେଳେ ପାରପୋଷି, ଝରାଗୋଗୁଆ, ଝାରମୁଣ୍ଡା, ଗଣ୍ଡମ, ଦିମିରିକୁଦା ପଞ୍ଚାୟତରେ ସରପଞ୍ଚ, ୱାର୍ଡ ମେମ୍ବର ଓ ସମିତି ସଭ୍ୟ ପାଇଁ ଜଣେ ବି ବ୍ୟକ୍ତି ପ୍ରାର୍ଥିପତ୍ର ଦାଖଲ କରି ନାହାନ୍ତି। ଏ ସବୁ ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ ହୋଇ ନଥିବା ନେଇ ତିଳେଇବଣି ବ୍ଳକ୍ ବିଡିଓ ସୂଚନା ଦେଇଛନ୍ତି। ମୋବାଇଲ୍ ଫୋନ୍ ନେଟୱର୍କ ଜନିତ ସମସ୍ୟାର ସମାଧାନ ନ ହେଲେ ଚଳିତ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରାଯିବ ବୋଲି ପୂର୍ବରୁ ଏହି ୫ ପଞ୍ଚାୟତବାସୀ ବୈଠକ କରି ନିଷ୍ପତ୍ତି ନେଇଥିଲେ। ଏମିତିକି କେହି ଏହି ନିଷ୍ପତ୍ତି ବିରୋଧରେ ଯାଇ ନାମାଙ୍କନ ପତ୍ର ଦାଖଲ କଲେ ତାଙ୍କୁ ପଞ୍ଚାୟତ ବିରୋଧୀ ବୋଲି ଘୋଷଣା କରିବାକୁ ମଧ୍ୟ ଚେତାବନୀ ଦିଆଯାଇଥିଲା। ପାରପୋଷି ପଞ୍ଚାୟତରୁ ଗତଥର ସରପଞ୍ଚ ହୋଇଥିବା ବିନତା କିସାନ ଗତ ୧୭ ତାରିଖରେ ନାମାଙ୍କନ ପତ୍ର କ୍ରୟ କରିଥିଲେ। ସେ ପୁଣି ଥରେ ସରପଞ୍ଚ ହେବା ପାଇଁ ଆଶାୟୀ ଥିଲେ। କିନ୍ତୁ ୧୮ ତାରିଖରେ ସେ ନାମାଙ୍କନ ପତ୍ର ଓ ରସିଦକୁ ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କୁ ଫେରାଇ ଦେଇଥିଲେ। ପଞ୍ଚାୟତ ବିରୋଧୀ ଘୋଷିତ ହେବାର ଭୟରେ ସେ ନାମାଙ୍କନ ପତ୍ର ଦାଖଲ କରି ନଥିଲେ ବୋଲି ଜଣାପଡ଼ିଛି।

ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ୁଛନ୍ତି ଦୁଇ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା ଓ ହାଲୁ ମୁଣ୍ଡାରି ।

ଏଥର ସମ୍ଭାଳ ବ୍ୟୁରୋ (ଭଦ୍ରକ/ରାଉରକେଲା) – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରଣଭୂମିକୁ ଓହ୍ଲାଇଛନ୍ତି ଦୁଇ ପୂର୍ବତନ ବିଧାୟକ। ସେମାନେ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୁଣି ଉଭୟେ ବିଜେଡି ତରଫରୁ ପ୍ରାର୍ଥୀ ହୋଇଛନ୍ତି । ଏହି ଦୁଇ ପୂର୍ବତନ ବିଧାୟକ ହେଲେ- ପ୍ରଫୁଲ୍ଲ ଜେନା ଓ ହାଲୁ ମୁଣ୍ଡାରି। ପ୍ରଫୁଲ୍ଲ ଜେନା ଜନତା ଦଳ ଟିକେଟ୍‌ରେ ୧୯୯୦ରେ ଭଣ୍ଡାରିପୋଖରୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ଚଳିତ ନିର୍ବାଚନରେ ସେ ଭଣ୍ଡାରିପୋଖରୀ ୧୫ ନମ୍ବର ଜୋନ୍‌ରୁ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ଗତକାଲି ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସେ ନିର୍ବାଚନ ଜିତିବେ ବୋଲି ଆଶା ରଖିଥିବା କହିଛନ୍ତି। ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ ପ୍ରଫୁଲ୍ଲଙ୍କ ନଜର ଏହା ଉପରେ ଥିବା କୁହାଯାଉଛି। ସେହିପରି ପୂର୍ବତନ ବିଧାୟକ ଜାଲୁ ମୁଣ୍ଡାରୀ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ବିଜେଡି ଟିକେଟ୍‌ରେ ଏହି ନିର୍ବାଚନ ଲଢ଼ୁଛନ୍ତି। ସେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଳକ୍ (କ) ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେ ବି ଜିତିବେ ବୋଲି ଆଶା ରଖିଛନ୍ତି। ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିଧାୟକ ଥିଲେ। ସେ ଜେଏମ୍‌ଏମ୍ ଟିକେଟ୍‌ରେ ରଘୁନାଥପାଲି ଆସନରୁ ବିଜୟୀ ହୋଇଥିଲେ। ସେହିଭଳି ସେ ବିଶ୍ରା ବ୍ଲକ୍ (କ) ଆସନରୁ ଦୁଇ ଥର ଜିଲ୍ଲା ପରିଷଦ ସଭ୍ୟ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ।

ସତ୍ୟବାଦୀ ର ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କ ପତ୍ନୀ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ।

ଏଥର ସମ୍ଭାଳ ବ୍ୟୁରୋ (ପିପିଲି) – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ ଓହ୍ଲାଇଲେ ଜଣେ ବିଧାୟକଙ୍କ ପତ୍ନୀ। ସେ ସମିତି ସଭ୍ୟ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ନାଁ ଶୁଭ୍ରାନ୍ତି ସାମନ୍ତରାୟ। ତାଙ୍କ ସ୍ୱାମୀଙ୍କ ନାଁ ଉମାକାନ୍ତ ସାମନ୍ତରାୟ, ଯିଏ ସତ୍ୟବାଦୀରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ପୁରୀ ଜିଲ୍ଲା କଣାସ ବ୍ଲକ ଦୋଛିଆଁ ପଞ୍ଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଶୁଭ୍ରାନ୍ତି ସାମନ୍ତରାୟ। ଆଜି ସେ କଣାସ ବ୍ଲକ୍ ବିଡିଓଙ୍କ ଅଫିସ୍‌ରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଧାୟକଙ୍କ ଧର୍ମପତ୍ନୀ ସମିତି ସଭ୍ୟ ଭାବେ ଛିଡ଼ା ହୋଇଥିବାରୁ ଏହା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଥିଲା। ଆସନ୍ତାକାଲି ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ଚାହିଁଲେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ଏହା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ଓ ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ଭୋଟ୍ ଗ୍ରହଣ କରାଯିବ।

 

ସମିତି ସଭ୍ୟା ଭାବେ ନାମାଙ୍କନ ଦାଖଲ କଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ।

ଏଥର ସମ୍ଭାଳ ବ୍ୟୁରୋ (ଢେଙ୍କାନାଳ) –  ସମିତି ସଭ୍ୟା ଭାବ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ମନ୍ତ୍ରୀ। ୩ ଥର ବିଧାୟିକା ତଥା ୨ ଥର ମନ୍ତ୍ରୀ ହୋଇଥିବା ଅଞ୍ଜଳୀ ବେହେରା ଗତକାଲି ସମିତି ସଭ୍ୟା ଭାବେ ନାମାଙ୍କନ ଦାଖଲ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତକାଲି ନାମାଙ୍କନ ଦାଖଲର ଶେଷ ଦିନ ଥିବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗିରିଧରପ୍ରସାଦ ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟା ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପୂର୍ବତନ ମନ୍ତ୍ରୀ ଅଞ୍ଜଳୀ ବେହେରା । ଅଞ୍ଜଳୀ ପୂର୍ବରୁ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ପରେ ଦୁଇ ଦୁଇ ଥର ମନ୍ତ୍ରୀ ପଦରେ ମଧ୍ୟ ବସିଥିଲେ। ବିଜେଡିରେ ବିଧାୟିକା ହେବା ପରେ ଥରେ ବୟନଶିଳ୍ପ ମନ୍ତ୍ରୀ ଓ ପରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଭାବରେ ମନୋନୀତ ହୋଇଥିଲେ। ପରେ ଦଳ ବିରୋଧୀ କାର୍ଯ୍ୟପାଇଁ ଦଳରୁ ନିଲମ୍ବିତ ହୋଇଥିଲେ ଓ ଟିକେଟ୍ ମଧ୍ୟ ପାଇ ନ ଥିଲେ। ଗତ କିଛି ଦିନ ହେବ ଅଞ୍ଜଳୀ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ଏହାପରେ ଗତକାଲି ନାମାଙ୍କନ ଦାଖଲର ଶେଷ ଦିନରେ ସେ  ସମିତି ସଭ୍ୟା ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ରହିଛି। ଏନେଇ ଅଞ୍ଜଳୀ କହିଛନ୍ତି, ନିର୍ବାଚନ ଲଢ଼ିବାକୁ ପଡ଼ିବ । ତୃଣମୂଳ ସ୍ତରରେ ସଙ୍ଗଠନ କରିବାକୁ ହେଲେ ଲୋକଙ୍କ ପାଖକୁ ଯିବାକୁ ପଡ଼ିବ । ଦଳ ପରିବର୍ତ୍ତନ ହେତୁ ୭ ବର୍ଷ ହେଲା ଲୋକଙ୍କଠାରୁ ଦୂରେଇ ଯାଇଥିଲି। ତେଣୁ ଲୋକଙ୍କ ନିକଟକୁ ଯିବାକୁ ହେଲେ ଏବେ ନିର୍ବାଚନ ଥିବାରୁ ନିର୍ବାଚନ ଲଢ଼ୁଛି।

 

ଆଜିର ରାଶିଫଳ : ୨୨ ଜାନୁଆରୀ, ଶନିବାର ।

ମେଷ: ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ଅଧ୍ୟୟନ, ଅଧ୍ୟାପନ ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ।

ବୃଷ: ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ। ରାଜନୈତିକ କ୍ଷେତ୍ରରେ ଶତ୍ରୁତା କମିଯିବା ଫଳରେ ପ୍ରତିଷ୍ଠିତ ହୋଇ ପାରିବେ।

ମିଥୁନ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ମାନ-ସମ୍ମାନ ବୃଦ୍ଧି ପାଇବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କର୍କଟ: ବ୍ୟବସାୟରେ ଅଧିକ ଲାଭ ମିଳିବ।  ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଜୟଯୁକ୍ତ ହେବେ। ପରିବାରର ସମସ୍ତ ଆଶାପୂରଣ କରିବାକୁ ସାମର୍ଥ୍ୟ ହେବେ ।

ସିଂହ: ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ। ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ।

କନ୍ୟା:  ଘରକୁ ଅତିଥି ଆସିପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ବ୍ୟବସାୟ କ୍ଷେତ୍ରରେ ସାବଧାନତା ଅବଲମ୍ବନ ନ କଲେ ଧନ ହାନି ହୋଇପାରେ।

ତୁଳା: ଖୁସିଖବର ପ୍ରାପ୍ତି ହେବ। ସନ୍ତାନମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଅପରାହ୍ନରେ କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ।

ବିଛା: ସହକର୍ମୀଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ଘର ପାଇଁ ନୂତନ ବସ୍ତୁ କ୍ରୟ କରିବେ।

ଧନୁ: କୌଣସି କଥାକୁ ନେଇ ମନରେ ଭୟ ସଞ୍ଚାର ହେବ। ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ଅପରାହ୍ନ ପରେ ମାନସିକ ଅଶାନ୍ତି ଦେଖାଦେବ।

ମକର: ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଫଳ ପ୍ରଦାନ କରିବ। ପ୍ରତିଟି କାର୍ଯ୍ୟକୁ ଅତି ସହଜରେ କରିବେ। ବ୍ୟବସାୟରେ ଆୟ ଅଧିକ ହେବାରୁ ମନ ଖୁସି ରହିବ।

କୁମ୍ଭ: କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ବନ୍ଧୁବାନ୍ଧବଙ୍କର ପରାମର୍ଶ ନେବେ। କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ।

ମୀନ: ମିଡିଆରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନଙ୍କୁ ଶୁଭଫଳ ମିଳିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ସୁସ୍ୱାଦୁ ଭୋଜନ କରିବେ।