୧୦୭ଟି ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପଞ୍ଚାୟତ ପରେ ଏବେ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ରାଜ୍ୟର ୧୦୭ଟି ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଛି ସଂରକ୍ଷଣ ଚିଠା ତାଲିକା। ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହାକୁ ପ୍ରକାଶ କରାଯାଇଥିବା ବେଳେ ଏହାକୁ ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ଜଣାଇବାକୁ କୁହାଯାଇଛି। ତା’ସହିତ ଯଦି କିଛି ପରାମର୍ଶ ଦେବାର ଥାଏ, ତା’ହେଲେ ୧୫ ଦିନ ଭିତରେ ଜଣାଇବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଅଭିଯୋଗ ଓ ପରାମର୍ଶ ଗୁଡ଼ିକୁ ପାଇବା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପ୍ରକାଶିତ ସଂରକ୍ଷଣ ଚିଠା ତାଲିକାରେ ୧୦୭ଟି ମ୍ୟୁନିସିପାଲିଟି ଓ ଏନ୍ଏସି ମଧ୍ୟରୁ ମହିଳାଙ୍କ ପାଇଁ ୫୪ଟି ଅଧ୍ୟକ୍ଷ ପଦବୀ ସଂରକ୍ଷିତ ରଖାଯାଇଛି। ସେଥିମଧ୍ୟରୁ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ୯ଟି ଓ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ୫ଟି ଅଧ୍ୟକ୍ଷ ପଦବୀ ସଂରକ୍ଷିତ ରହିଛି। ସେହପରି ଅନୁସୂଚିତ ଜାତିଙ୍କ ପାଇଁ ୮ଟି ଅଧ୍ୟକ୍ଷ ପଦବୀ ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୩ଟି ଅଧ୍ୟକ୍ଷ ପଦବୀ ସଂରକ୍ଷିତ ରହିଛି। ୪୨ଟି ପୌରାଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିଛି।

  • ମହିଳାଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ

ଜି.ଉଦୟଗିରି (ଏନ୍‌ଏସି), କାଶୀନଗର (ଏନ୍‌ଏସି), କରଞ୍ଜିଆ (ଏନ୍‌ଏସି), ଗୁଣୁପୁର (ମ୍ୟୁନିସିପାଲିଟି), ଖରିଆର ରୋଡ୍‌ (ଏନ୍‌ଏସି), ବାସୁଦେବ ପୁର (ମ୍ୟୁନିସିପାଲିଟି), ଛତ୍ରପୁର (ଏନ୍‌ଏସି), ରମ୍ଭା (ଏନ୍‌ଏସି), ସୁନ୍ଦରଗଡ଼ (ମ୍ୟୁନିସିପାଲିଟି), ଉଦଳା (ଏନ୍‌ଏସି), ଚିକିଟି (ଏନ୍‌ଏସି), ବାଲେଶ୍ୱର (ମ୍ୟୁନିସିପାଲିଟି), ଟିଟିଲାଗଡ଼ (ମ୍ୟୁନିସିପାଲିଟି), ଜଗତସିଂହପୁର (ମ୍ୟୁନିସିପାଲିଟି), ଭଦ୍ରକ (ମ୍ୟୁନିସିପାଲିଟି), ଯାଜପୁର (ମ୍ୟୁନିସିପାଲିଟି), ଧର୍ମଗଡ଼ (ଏନ୍‌ଏସି), ବରଗଡ଼ (ମ୍ୟୁନିସିପାଲିଟି), ପୁରୁଷତ୍ତୋମପୁର (ଏନ୍‌ଏସି), ନିମାପଡ଼ା (ଏନ୍‌ଏସି), ଭବାନୀପାଟଣା (ମ୍ୟୁନିସିପାଲିଟି), ବଲାଙ୍ଗିର (ମ୍ୟୁନିସିପାଲିଟି), କେନ୍ଦ୍ରାପଡ଼ା (ମ୍ୟୁନିସିପାଲିଟି), ସୋନପୁର (ମ୍ୟୁନିସିପାଲିଟି), କୋଣାର୍କ (ଏନ୍‌ଏସି), ଆଠଗଡ଼ (ଏନ୍‌ଏସି), ଦେବଗଡ଼ (ମ୍ୟୁନିସିପାଲିଟି), ରଣପୁର (ଏନ୍‌ଏସି), ନୟାଗଡ଼ (ମ୍ୟୁନିସିପାଲିଟି), ଗଞ୍ଜାମ (ଏନ୍‌ଏସି), ଢେଙ୍କାନାଳ (ମ୍ୟୁନିସିପାଲିଟି), ଫୁଲବାଣୀ (ମ୍ୟୁନିସିପାଲିଟି), ଖୋର୍ଦ୍ଧା (ମ୍ୟୁନିସିପାଲିଟି), ବାଲୁଗାଁ (ଏନ୍‌ଏସି), ପୁରୀ (ମ୍ୟୁନିସିପାଲିଟି), କେନ୍ଦୁଝରଗଡ଼ (ମ୍ୟୁନିସିପାଲିଟି), ଖଣ୍ଡପଡ଼ା (ଏନ୍‌ଏସି), ଚୌଦ୍ୱାର (ମ୍ୟୁନିସିପାଲିଟି), ଆଠମଲ୍ଲିକ (ଏନ୍‌ଏସି), ବାଙ୍କୀ (ଏନ୍‌ଏନ୍‌ସି)।

  • ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ

ଚାନ୍ଦବାଲି (ଏନ୍‌ଏସି), ବିଜେପୁର (ଏନ୍‌ଏସି), ରେମୁଣା (ଏନ୍‌ଏସି), ଦଶପଲ୍ଲା (ଏନ୍‌ଏସି), ପାରଳାଖେମୁଣ୍ଡି (ମ୍ୟୁନିସିପାଲିଟି), ପଦ୍ମପୁର (ଏନ୍‌ଏସି), ନୀଳଗିରି (ଏନ୍‌ଏସି), ତରଭା (ଏନ୍‌ଏସି), ପୋଲସରା (ଏନ୍‌ଏସି)

  • ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ

ବ୍ରଜରାଜନଗର (ମ୍ୟୁନିସିପାଲିଟି), ଉମରକୋଟ (ମ୍ୟୁନିସିପାଲିଟି), ଗୁଡ଼ାରୀ (ଏନ୍‌ଏସି), ଆନନ୍ଦପୁର (ମ୍ୟୁନିସିପାଲିଟି), ବ୍ୟାସନଗର (ମ୍ୟୁନିସିପାଲିଟି)

  • ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ

କୋରାପୁଟ (ମ୍ୟୁନିସିପାଲିଟି), କବିସୂର୍ଯ୍ୟନଗର (ଏନ୍‌ଏସି), ସୋର (ମ୍ୟୁନିସିପାଲିଟି), ଖଲ୍ଲିକୋଟ (ଏନ୍‌ଏସି), ଝାରସୁଗୁଡ଼ା (ମ୍ୟୁନିସିପାଲିଟି), ବେଲଗୁଣ୍ଠ (ଏନ୍‌ଏସି), ଜଟଣୀ (ମ୍ୟୁନିସିପାଲିଟି), ନବରଙ୍ଗପୁର (ମ୍ୟୁନିସିପାଲିଟି)

  • ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଅଧ୍ୟକ୍ଷ ପଦବୀ

ବାଲିଗୁଡ଼ା (ଏନ୍‌ଏସି), ପାଟଣାଗଡ଼ (ଏନ୍‌ଏସି), ବିନିକା (ଏନ୍‌ଏସି)।

  • ଅଣସଂରକ୍ଷିତ ଅଧ୍ୟକ୍ଷ ପଦବୀ

କୋଟପାଡ଼ (ଏନ୍‌ଏସି), ରାଇରଙ୍ଗପୁର (ମ୍ୟୁନିସିପାଲିଟି), ଜୁନାଗଡ଼ (ଏନ୍‌ଏସି), ଗୋପାଳପୁର (ଏନ୍‌ଏସି), ଜୟପୁର (ମ୍ୟୁନିସିପାଲିଟି), କୁଚିଣ୍ଡା (ଏନ୍‌ଏସି), ନୂଆପଡ଼ା (ଏନ୍‌ଏସି), ଭଞ୍ଜନଗର (ଏନ୍‌ଏସି), ବଡ଼ବିଲ (ମ୍ୟୁନିସିପାଲିଟି), ବାଣପୁର (ଏନ୍‌ଏସି), ବୀରମିତ୍ରପୁର (ମ୍ୟୁନିସିପାଲିଟି), ସୋରଡ଼ା (ଏନ୍‌ଏସି), ରାୟଗଡ଼ା (ମ୍ୟୁନିସିପାଲିଟି), ଦିଗପହଣ୍ଡି (ଏନ୍‌ଏସି), ଖରିଆର (ଏନ୍‌ଏସି), ବରପଲ୍ଲୀ (ଏନ୍‌ଏସି), ପଟ୍ଟାମୁଣ୍ଡାଇ (ମ୍ୟୁନିସିପାଲିଟି), ଜଳେଶ୍ୱର (ମ୍ୟୁନିସିପାଲିଟି), ଧର୍ମଗଡ଼ (ଏନ୍‌ଏସି), ବାଲିମେଳା (ଏନ୍‌ଏସି), ରାଜଗାଙ୍ଗପୁର (ମ୍ୟୁନିସିପାଲିଟି), ଆସ୍କା (ଏନ୍‌ଏସି), କେସିଙ୍ଗା (ଏନ୍‌ଏସି), ବୁଗୁଡ଼ା (ଏନ୍‌ଏସି), ପିପିଲି (ଏନ୍‌ଏସି), ହିଞ୍ଜିଳିକାଟୁ (ମ୍ୟୁନିସିପାଲିଟି), ଯୋଡ଼ା (ମ୍ୟୁନିସିପାଲିଟି), ବୌଦ୍ଧଗଡ଼ (ଏନ୍‌ଏସି), ତୁଷୁରା (ଏନ୍‌ଏସି), କଣ୍ଟାବାଞ୍ଜି (ଏନ୍‌ଏସି), ରେଢ଼ାଖୋଲ (ଏନ୍‌ଏସି), ସୁନାବେଡ଼ା (ମ୍ୟୁନିସିପାଲିଟି), ବାରିପଦା (ମ୍ୟୁନିସିପାଲିଟି), କୋଦଳା (ଏନ୍‌ଏସି), ଭୁବନ (ଏନ୍‌ଏସି), ବେଲପାହାଡ଼ (ଏନ୍‌ଏସି), କାମାକ୍ଷାନଗର (ଏନ୍‌ଏସି), ତାଳଚେର (ମ୍ୟୁନିସିପାଲିଟି), ଅନୁଗୋଳ (ମ୍ୟୁନିସିପାଲିଟି), ପାରାଦୀପ (ମ୍ୟୁନିସିପାଲିଟି)।

ବିଜେପିର ପଞ୍ଚାୟତ ନିର୍ବାଚନ ପରିଚାଳନା କକ୍ଷ ଉଦ୍‌ଘାଟିତ…..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବିଜେପିର ପଞ୍ଚାୟତ ନିର୍ବାଚନ ପରିଚାଳନା କକ୍ଷ ଉଦଘାଟିତ ହୋଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏହାକୁ ଉଦଘାଟନ କରିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସବୁ କାର୍ଯ୍ୟ ଏହି କଣ୍ଟ୍ରୋଲ ରୁମରୁ ପରିଚାଳନା କରାଯିବ। ଯାହା ଏକ ସେତୁ ଭଳି କାମ କରିବ। ଉଦଘାଟନ ହେବା ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଆସନ୍ତା ୨ ଦିନ ଭିତରେ ନୋମିନେସନର ପ୍ରକ୍ରିୟା ଆରମ୍ଭ ହେଉଛି। ତେଣୁ ଜିଲ୍ଲା ପରିଷଦ ଓ ପଞ୍ଚାୟତ ପାଇଁ ରାଜ୍ୟ କାର୍ଯ୍ୟାଳୟରୁ ହିଁ ତଦାରଖ କରାଯିବ। ରାଜ୍ୟ ନିର୍ବାଚନ କମିଶନରଙ୍କ ବିଜ୍ଞପ୍ତି ପରେ ବ୍ଲକ ସ୍ତରରୁ ଅନେକ ଅଭିଯୋଗ ଆସୁଛି। ଯାହାର ସମାଧାନ ଏହି କଣ୍ଟ୍ରୋଲ ରୁମ୍ ଜରିଆରେ କମିଶନଙ୍କ ମାଧ୍ୟମରେ କରାଯିବ। ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲାସ୍ତରରେ ପ୍ରାର୍ଥିତ୍ୱ ନିର୍ଦ୍ଧାରିତ ହୋଇଛି। ଆଗାମୀ ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ ବୋଲି କହିଛନ୍ତି ସମୀର ମହାନ୍ତି। ସମୀର ମହାନ୍ତି କହିଛନ୍ତି, ସମସ୍ତ ନିର୍ବାଚନର ପରିଚାଳନା ପାଇଁ ଏହି କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ବିଶେଷକରି ଯେଉଁ କର୍ମଚାରୀମାନେ ନିର୍ବାଚନ ପାଇଁ ଲଢ଼ୁଛନ୍ତି, ସେମାନଙ୍କର ଅଭିଯୋଗକୁ ଏହି କଣ୍ଟ୍ରୋଲ ରୁମ୍ ଦ୍ୱାରା ରିଡ୍ରେସେଲ କରାଯିବ। ସୂଚନାଯୋଗ୍ୟ, ରାଜ୍ୟରେ ଫେବୃଆରୀ ୧୬ରୁ ମତଦାନ ଆରମ୍ଭ ହୋଇ ମୋଟ୍ ୫ଟି ପର୍ଯ୍ୟାୟରେ ହେବ। ପ୍ରାର୍ଥୀମାନେ ୧୭ରୁ ୨୧ ତାରିଖ ଭିତରେ ନାମାଙ୍କନ ପତ୍ର ଦାଖଲ କରିବେ। ୨୨ରେ ପ୍ରାର୍ଥିପତ୍ର ଯାଂଚ, ୨୫ ପଯର୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ଏବଂ ସେହି ୨୫ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଗାଇଡ ଲାଇନ ସମ୍ପର୍କରେ ଅଧିକ ଆଲୋଚନା ପାଇଁ ଆସନ୍ତା ୧୫ରେ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଆଲୋଚନା ପାଇଁ ସ୍ଥିର ହୋଇଛି।

 

 

ସାଇକେଲ ଛାଡି ପଦ୍ମ ଧରିବେ ଅଖିଲେଶଙ୍କ ଭାଇବୋହୂ…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେ ସବୁ ଦଳର ନେତାମାନେ ଦଳବଦଳ କରିବାରେ ଲାଗିଛନ୍ତି। ଏବେ ଏଥିରେ ସାମିଲ ହୋଇଛନ୍ତି ଖୋଦ୍‌ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ପରିବାର। ଅଖିଲେଶଙ୍କ ଘର ଭିତରୁ ହିଁ ବାହାରିଛନ୍ତି ଶତ୍ରୁ। କଟ୍ଟର ବିରୋଧୀ ବିଜେପିକୁ ଡେଇଁବା ପାଇଁ ଯୋଜନା କରୁଛନ୍ତି ତାଙ୍କ ନିଜ ଭାଇ ବୋହୂ। ଯଦି ସବୁ କିଛି ଠିକ୍‌ ଚାଲେ ତେବେ ଖୁବଶୀଘ୍ର ସାଇକେଲ ଛାଡି ପଦ୍ମ ଧରିବେ ଅପର୍ଣ୍ଣା ଯାଦବ। ଏନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ମୁଲାୟମ ସିଂହଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ। ସେ ମୁଲାୟମଙ୍କ ଦ୍ୱିତୀୟ ସ୍ତ୍ରୀ ସାଧାନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ସ୍ତ୍ରୀ। ୨୦୧୭ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଅପର୍ଣ୍ଣା। କେଣଟ ଆସନରୁ ସାଇକଲ ଚିହ୍ନଟରେ ଲଢ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେତେବେଳେ ତାଙ୍କୁ ୬୩ ହଜାର ଭୋଟ ମିଳିଥିଲା। ସେ ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କୁ ଦେଇଥିଲେ କଡା ଟକ୍କର। ସମାଜବାଦୀ ପାର୍ଟିର ସାନ ବୋହୂ ଅପର୍ଣ୍ଣା ଯାଦବ ସର୍ବଦା ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରନ୍ତି। ଏବେ ସେ କୁଆଡେ ବିଜେପି ଆଡକୁ ଅଧିକ ଢ଼ଳିଥିବା କୁହାଯାଉଛି। ବିଜେପି ହାଇକମାଣ୍ଡ ମଧ୍ୟ ଅଖିଲେଶଙ୍କୁ ଟକ୍କଟର ଦେବା ପାଇଁ ଅପର୍ଣ୍ଣାଙ୍କ ଉପରେ ଭରସା ଦେଖାଇଥିବା ଚର୍ଚ୍ଚା ହେଉଛି। ରବିବାର କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ଅନେକ ବରିଷ୍ଠ ନେତା ବିଜେପିରେ ସାମିଲ ହୋଇପାରନ୍ତି । ଏହି ସମୟରେ ଅପର୍ଣ୍ଣା ବି ପଦ୍ମ ଧରିବେ ବୋଲି ଆଲୋଚନା ହେଉଛି। ଯଦି ଏଭଳି କିଛି ହୁଏ ତେବେ ଅଖିଲେଶଙ୍କ ଦଳକୁ ଏହା ଶକ୍ତ ଝଟ୍‌କା ଦେଇପାରେ।

ପାଞ୍ଜାବ ନିର୍ବାଚନ ଘୁଞ୍ଚାଇବାକୁ ଚିଠି ଲେଖିଲେ ଚନ୍ନି….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦେଶରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ବାଜି ସାରିଛି ବିଗୁଲ। ସବୁ ଦଳର ନେତାମାନେ ଆରମ୍ଭ କରିଦେଇଛନ୍ତି କସରତ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତାମାନେ ଅଣ୍ଟା ଭିଡିଛନ୍ତି। ଏହାରି ଭିତରେ ପଞ୍ଜାବ ନିର୍ବାଚନ ଘୁଞ୍ଚାଇବା ପାଇଁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି। ପଞ୍ଜାବ ନିର୍ବାଚନକୁ ଏକ ସପ୍ତାହ ଆଗକୁ ବଢ଼ାଇବା ପାଇଁ ସେ ଚିଠି ଲେଖି ଅନୁରୋଧ କରିଛନ୍ତି। ଶନିବାର ନିର୍ବାଚନ ଆୟୋଗଙ୍କୁ ଲେଖିଥିବା ଚିଠିରେ ଚାନ୍ନି କହିଛନ୍ତି, ତାଙ୍କୁ ଦଳିତ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିବାର ସୁଯୋଗ ଦିଆଯାଇଛି। ରାଜ୍ୟରେ ସେମାନଙ୍କ ସଂଖ୍ୟା ପ୍ରାୟ ୩୨ ପ୍ରତିଶତ। ଏହି ସମ୍ପ୍ରଦାୟ ୧୬ ଫେବ୍ରୁଆରୀରେ ଶ୍ରୀ ଗୁରୁ ରବିଦାସ ଜୟନ୍ତୀରେ ଅଂଶଗ୍ରହଣ କରିବାକୁ ଚାହୁଁଛି। ଏହି ଅବସରରେ, ଫେବ୍ରୁଆରୀ ୧୦ରୁ ଫେବ୍ରୁଆରୀ ୧୬ ମଧ୍ୟରେ ଉତ୍ତରପ୍ରଦେଶର ବନାରସରେ ପ୍ରାୟ ୨୦ଲକ୍ଷ ଦଳିତ ଭକ୍ତ ଯିବା ସମ୍ଭାବନା ରହିଛି। 

ଏଭଳି ପରିସ୍ଥିତିରେ ଏହି ସମ୍ପ୍ରଦାୟର ଅଧିକାଂଶ ଲୋକ ନିଜ ନିଜ ମତଦାନ ସାବ୍ୟସ୍ତ କରିପାରିବେ ନାହିଁ, ଯାହା ସେମାନଙ୍କର ସାମ୍ବିଧାନିକ ଅଧିକାର ଅଟେ। ତେଣୁ ନିର୍ବାଚନ ତାରିଖକୁ ଆଗକୁ ବଢ଼ାଇବା ପାଇଁ ସମ୍ପ୍ରଦାୟ ଅନୁରୋଧ କରିଛି। ସେମାନେ ଫେବ୍ରୁଆରୀ ୧୬ ପରେ ବନାରସରୁ ଫେରି ଯେପରି ନିଜ ଭୋଟ ଦେଇପାରିବେ ସେ ଭଳି କିଛି ବ୍ୟବସ୍ଥା କରିବାକୁ ସେମାନେ ଅନୁରୋଧ କରିଛନ୍ତି। ତେଣୁ ପଞ୍ଜାବ ବିଧାନସଭା ନର୍ବାଚନର ତାରିଖକୁ ଅତି କମ୍‌ରେ ୬ ଦିନ ଘୁଞ୍ଚାଇବା ଠିକ୍‌ ହେବ। ଏଭଳି କରିବା ଦ୍ୱାରା ୨୦ ଲକ୍ଷ ଲୋକ ଏହି ନିର୍ବାଚନରେ ଭାଗ ନେଇ ପାରିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଚନ୍ନି। ସୂଚନା ମୁତାବକ, ଫେବ୍ରୁଆରୀ ୧୪ ତାରିଖରେ ପଞ୍ଜାବ ବିଧାନସଭା ନିର୍ବାଚନ ହେବ। ଏହି ଦିନ ହିଁ ୧୧୭ଟି ବିଧାନସଭା ସିଟ୍‌ ପାଇଁ ଭୋଟ୍‌ ପଡିବ। ୧୦ ମାର୍ଚ୍ଚରୁ ଭୋଟ ଗଣତି ହେବ। ପଞ୍ଜାବ ନିର୍ବାଚନ ପାଇଁ ଜାନୁଆରୀ ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୮ ଜାନୁଆରୀ ଭିତରେ ପ୍ରାର୍ଥୀ ନାମାଙ୍କନ କରିପାରିବେ, ୨୯ ଜାନୁଆରରେ ନାମାଙ୍କନ ପତ୍ର ଯାଂଚ ହେବ। ୩୧ ଜାନୁଆରୀରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହେବ।

ନିର୍ବାଚନ ରାଲି ଉପରେ ପୁଣି ସପ୍ତାହେ ବଢ଼ିବ କଟକଣା …..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦିନକୁ ଦିନ କରୋନା ସଂକ୍ରମଣ ରୂପ ଉତ୍କଟ ନେଉଛି। ତେଣୁ ୫ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଚାର ଉପରେ କଟକଣାକୁ କଡ଼ାକଡ଼ି କରାଯାଇଛି। ବିଶେଷ କରି ଶାରୀରିକ ରାଲି କଟକଣାକୁ ଆଉ ଗୋଟିଏ ସପ୍ତାହ ଘୁଞ୍ଚାଇବାକୁ ପ୍ରସ୍ତାବ ଦିଆଯାଇଛି। ଅର୍ଥାତ ଜାନୁଆରୀ ୧୫ ପର୍ଯ୍ୟନ୍ତ ଯେଉଁ କଟଣାକଣା ଲାଗୁ କରାଯାଇଥିଲା ତାହା ଆଉ ଗୋଟି ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚିବ। ସୂଚନା ଅନୁଯାୟୀ, କରୋନା ସଂକ୍ରମଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ୫ଟି ରାଜ୍ୟର ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ସ୍ଥିତି ଖରାପ ଥିବା ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ଜଣାଇଛନ୍ତି। ସେମାନେ କହିଛନ୍ତି ଯେ, ଏ ଯାଏଁ ସଂକ୍ରମଣ ବନ୍ଦ ହୋଇନାହିଁ। କିନ୍ତୁ ଓମିକ୍ରନ୍ ଭ୍ୟାରିଆଣ୍ଟ ଡେଲଟା ଭଳି ଭୟଙ୍କର ନୁହଁ। ତଥାପି ଏହି ସମୟରେ କଟକଣା କୋହଳ କଲେ ବିପଦ ବଢ଼ିପାପରେ। । ତେଶୁ ନିର୍ବାଚନ ସଂକ୍ରାନ୍ତୀୟ ରାଲି ଏବଂ ଶାରୀରିକ  ପ୍ରଚାର ଉପରେ କଟକଣା ଲାଗାଇବାକୁ ପ୍ରସ୍ତବା ଦିଆଯାଇଛି। ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଫେବ୍ରୁଆରୀ ୧୦ ତାରିଖରୁ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ମାର୍ଚ୍ଚ ୧୦ରେ ଫଳାଫଳ ପ୍ରକାଶ ପାଇବ। ଏହା ସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର ଉପରେ କଟକଣା ଲାଗୁ କରାଯାଇଛି। ପୂର୍ବରୁ ଜାନୁଆରୀ ୧୫ ଯାଏ ରୋଡ୍‌ ଶୋ’ ଓ ରାଲିକୁ ମନା କରାଯାଇଥିଲା। ବିଜୟ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଥିଲା।

କୋହଲି ଛାଡିଲେ କ୍ୟାପ୍ଟେନ୍‌ସି, ପ୍ରତିକ୍ରିୟା ରଖିଲେ ଗାଙ୍ଗୁଲି….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଶନିବାର ଟିମ୍‌ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦ ଛାଡିଛନ୍ତି ବିରାଟ କୋହଲି। ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ । ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି। ଗାଙ୍ଗୁଲି କହିଛନ୍ତି ଯେ, ବିରାଟଙ୍କ ନେତୃତ୍ୱରେ ଭାରତ ସବୁ ଫର୍ମାଟରେ ଉନ୍ନତ ପ୍ରଦର୍ଶନ କରିଛି। ତାଙ୍କର ଅଧିନାୟକ ଭାର ଛାଡିବା ବ୍ୟକ୍ତିଗତ ନିଷ୍ପତ୍ତି। ବିସିସିଆଇ ତାଙ୍କର ଏହି ନିଷ୍ପତ୍ତକୁ ମୁଁ ସମ୍ମାନ କରେ। ସେ ଭବିଷ୍ୟତରେ ଦଳକୁ ଶିଖରରେ ପହଁଚାଇବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ। ସେ ଜଣେ ମହାନ ଖେଳାଳି ବୋଲି ଗାଙ୍ଗୁଲି ଟ୍ୱିଟ୍‌ କରି କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ନିକଟରେ ଗାଙ୍ଗୁଲି ଓ କୋହଲିଙ୍କୁ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଉପୁଜିଥିବା ନେଇ ଚର୍ଚ୍ଚା ହୋଇଥିଲା। ଡିସେମ୍ବର ୮ ତାରିଖରେ ବିରାଟଙ୍କୁ ୱାନ୍‌ ଡେ’ ମ୍ୟାଚ୍‌ର ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ଏହାପରେ ଟି-୨୦ରୁ ଅଧିନାୟକ ପଦ ନଛାଡିବା ପାଇଁ କୋହଲିଙ୍କୁ ପରାମର୍ଶ ଦେଇଥିଲେ ଗାଙ୍ଗୁଲି। କିନ୍ତୁ ଗାଙ୍ଗୁଲିଙ୍କ କଥା ମାନିବାକୁ ଅସ୍ୱୀକାର କରିଥିଲେ କୋହଲି ଓ ଟ-୨୦ରୁ ବି କ୍ୟାପ୍‌ଟେନ୍‌ ପଦ ଛାଡି ଦେଇଥିଲେ। ଏହାପରେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ଏଥିରେ ଯାହା କହିଥିଲେ ତାହା କିନ୍ତୁ ଗାଙ୍ଗୁଲିଙ୍କ କଥାର ସମ୍ପୂର୍ଣ୍ଣ ବୀପରିତ ଥିଲା। ତାଙ୍କୁ କେହି ଟି-୨୦ ଅଧିନାୟକ ପଦ ନଛାଡିବା ପାଇଁ କହିନଥିଲେ ବୋଲି କହିଥିଲେ କୋହଲି। ୨୦୧୪ ମସିହାରେ ବିରାଟ କୋହଲି ଭାରତୀୟ ଟିମ୍‌ର ଟେଷ୍ଟ ଅଧିନାୟକ ଭାବେ ଦାୟିତ୍ୱ ନେଇଥିଲେ। ସେ ମହେନ୍ଦ୍ର ସିଂହ ଧୋନିଙ୍କ ଠାରୁ ଏହି ଦାୟିତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୬୮ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ବେଳେ ୪୦ଟିରେ ବିଜୟ ହାସଲ କରିଛି। ଗତ ବର୍ଷ ଡିସେମ୍ବରରେ ବିରାଟଙ୍କୁ ଟିମ୍ ଇଣ୍ଡିଆର ଦିନିକିଆ ଅଧିନାୟକ ଦାୟିତ୍ୱରୁ ମୁକ୍ତ କରାଯାଇଥିଲା। ଏହି ଦାୟିତ୍ୱ ଏବେ ରୋହିତ ଶର୍ମାଙ୍କୁ ଦିଆଯାଇଛି।

ସମସ୍ତଙ୍କୁ ଚକିତ କରିଦେଲେ ବିରାଟ, ଛାଡ଼ିଲେ ଟେଷ୍ଟ ଅଧିନାୟକ ପଦ…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ବିରାଟ କୋହଲି। ଟ୍ୱିଟ୍‌ କରି ସେ ନିଜେ ଦେଇଛନ୍ତି ଏହି ସୂଚନା। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌କୁ ୨-୧ରେ ହାରିବାର ଦିନକ ପରେ ସେ ନେଇଛନ୍ତି ଏଭଳି ନିଷ୍ପତ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଗତବର୍ଷ ସେ ଟିମ୍ ଇଣ୍ଡିଆର ଟି ଟ୍ୱେଣ୍ଟି ଅଧିନାୟକ ପଦ ଛାଡ଼ିଥିବା ବେଳେ ଡିସେମ୍ବରରେ ତାଙ୍କୁ ଦିନିକିଆ ଅଧିନାୟକ ପଦରୁ ବି ମୁକ୍ତ କରାଯାଇଥିଲା। ବିରାଟ ଟ୍ୱିଟ୍ କରି ଲେଖିଛନ୍ତି ଯେ ଦଳକୁ ଠିକ୍ ଦିଗରେ ନେବା ପାଇଁ ସେ ୭ ବର୍ଷ ଧରି କଠିନ ପରିଶ୍ରମ କରିଛନ୍ତି। ସେ ତାଙ୍କ ଦାୟିତ୍ୱକୁ ସଂପୂର୍ଣ୍ଣ ସଚ୍ଚୋଟତାର ସହିତ ନିର୍ବାହ କରିଛନ୍ତି। ଏଥିରେ ସେ ଟିକେ ବି ଅବହେଳା କରି ନାହାନ୍ତି। ସବୁ କଥାର ଅନ୍ତ ଅଛି। ଆଉ ସେ ଭାରତୀୟ ଟିମ୍‌ର ଟେଷ୍ଟ ଅଧିନାୟକ ଭାବେ ପାଇଥିବା ଦାୟିତ୍ୱକୁ ଏବେ ଛାଡୁଛନ୍ତି। ଏହି ଯାତ୍ରାରେ ଉଭୟ ଖରାପ ଓ ଭଲ ସମୟ ଆସିଛି। କିନ୍ତୁ ସେ କେବେ ବି ନିଜର ଶତପ୍ରତିଶତ ଦକ୍ଷତାର ଉପଯୋଗରୁ ଲକ୍ଷ୍ୟଚ୍ୟୁତ ହୋଇ ନଥିଲେ କି ନିଜ ଉପରୁ ବିଶ୍ୱାସ ହରାଇ ନଥିଲେ। ସେ ଯାହା ବି କରନ୍ତି ସେଥିରେ ସଦାବେଳେ ନିଜ ଦକ୍ଷତାର ୧୨୦ ପ୍ରତିଶତ ଦେବାକୁ ପ୍ରୟାସ କରନ୍ତି। ଯଦି ସେ କରି ନ ପାରନ୍ତି, ତା’ହେଲେ ତାହା ଠିକ୍ ନୁହେଁ ବୋଲି ମଧ୍ୟ ଜାଣନ୍ତି। ତାଙ୍କ ହୃଦୟ ପୂରା ସ୍ୱଚ୍ଛ। ସେ ତାଙ୍କ ଟିମ୍ ସହିତ ଛଳନା କରିପାରିବେ ନାହିଁ ବୋଲି ଲେଖିଛନ୍ତି। ଏକ ଲମ୍ବା ସମୟ ଧରି ଭାରତୀୟ ଦଳର ନେତୃତ୍ୱ ଦାୟିତ୍ୱ ଦେଇଥିବାରୁ ବିରାଟ କୋହଲି ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି। ତା’ସହିତ ସେ ଟିମ୍‌ର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି, ଯେଉଁମାନେ ତାଙ୍କ ସବୁ ସମୟରେ ସହଯୋଗ କରି ଆସିଥିଲେ ଓ କେବେବି ହାତ ଛାଡ଼ି ନଥିଲେ। ଟିମ୍‌ର ସଦସ୍ୟମାନେ ହିଁ ତାଙ୍କର ଏହି ଯାତ୍ରାକୁ ସୁନ୍ଦର ଓ ସ୍ମୃତି କରି ସାଇତି ରଖିଲା ଭଳି କରିଥିବା ସେ ଲେଖିଛନ୍ତି। ଏହା ସହିତ ଏହି ଟ୍ୱିଟ୍‌ରେ ବିରାଟ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଧନ୍ୟବାଦ ଦେଇଛନ୍ତି। ତାଙ୍କ ଭିତରେ ନେତୃତ୍ୱ ନେବାର ଗୁଣ ରହିଛି ବୋଲି ମହେନ୍ଦ୍ର ସିଂହ ଧୋନି ସବୁ ବେଳେ ବିଶ୍ୱାସ କରୁଥିବାରୁ ବିରାଟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଭାରତୀୟ କ୍ରିକେଟ୍ ଟିମ୍‌କୁ ଆଗେଇ ନେବେ ବୋଲି ଧୋନି ସବୁବେଳେ ବିଶ୍ୱାସ କରୁଥିବା ବିରାଟ ଏଥିରେ ଉଲ୍ଲେଖ କରିଛନ୍ତି। ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ପରେ ବିସିସିଆଇ ଟ୍ୱିଟ୍ କରି ତାଙ୍କ ନେତୃତ୍ୱର ପ୍ରଶଂସା କରିଛି। ୨୦୧୪ ମସିହାରେ ବିରାଟ କୋହଲି ଭାରତୀୟ ଟିମ୍‌ର ଟେଷ୍ଟ ଅଧିନାୟକ ଭାବେ ଦାୟିତ୍ୱ ନେଇଥିଲେ। ସେ ମହେନ୍ଦ୍ର ସିଂହ ଧୋନିଙ୍କ ଠାରୁ ଏହି ଦାୟିତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୬୮ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ବେଳେ ୪୦ଟିରେ ବିଜୟ ହାସଲ କରିଛି। ଗତ ବର୍ଷ ଡିସେମ୍ବରରେ ବିରାଟଙ୍କୁ ଟିମ୍ ଇଣ୍ଡିଆର ଦିନିକିଆ ଅଧିନାୟକ ଦାୟିତ୍ୱରୁ ମୁକ୍ତ କରାଯାଇଥିଲା। ଏହି ଦାୟିତ୍ୱ ରୋହିତ ଶର୍ମାଙ୍କୁ ଦିଆଯାଇଛି।

ଶୁଟିଂ ସେଟ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଅକ୍ଷୟ-କ୍ରିତି…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଅପ୍‌କମିଂ ଫିଲ୍ମ `ବଚ୍ଚନ ପାଣ୍ଡେ’ର ଶୁଟିଂ ସେଟ୍‌ରେ ଅଗ୍ନିକାଣ୍ଡ। ଅଳ୍ପକେ ବର୍ତ୍ତିଲେ ଅକ୍ଷୟ କୁମାର ଓ ଅଭିନେତ୍ରୀ କ୍ରିତି ସାନନ୍‌। ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରାଯାଇଛି। ତେବେ ଏହି ଫିଲ୍ମର ଶୁଟିଂ କେଉଁଠି ଚାଲିଥିଲା ସେ ନେଇ କିଛି ସୂଚନା ମିଳିନାହିଁ। ରିପୋର୍ଟ ମୁତାବକ, ଏହି ଫିଲ୍ମର ଶୁଟିଂ ପ୍ରାୟ ଶେଷ ହେବାକୁ ବସିଲାଣି। ଏବେ କେବଳ କିଛି ପ୍ୟାଚ୍‌ୱାର୍କ ରହିଛି। ଏଥିପାଇଁ ଅକ୍ଷୟ ଓ କ୍ରିତି କିଛି ବାକି ରହିଥିବା କାମ ପାଇଁ ଶୁଟିଂ କରୁଥିଲେ। ଏହି ସମୟରେ ହଠାତ୍‌ ସେଟ୍‌ରେ ନିଆଁ ଲାଗି ଯାଇଥିଲା। ତେବେ ସୌଭାଗ୍ୟବଶତଃ ଏଥିରେ କାହାରି କିଛି କ୍ଷୟକ୍ଷତି ଘଟନାହିଁ। ଖୁବଶୀଘ୍ର ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡିଛି। ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ଅକ୍ଷୟ କୁମାର ଥିବା ବେଳେ ତାଙ୍କ ଅପୋଜିଟ୍‌ରେ କ୍ରିତି ସାନନ ଓ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ ଅଛନ୍ତି। ଏଥିରେ ଅକ୍ଷୟଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ସେ ଏଥିରେ ଏକ ଭିନ୍ନ ରକମର ହିନ୍ଦୀ କହୁଥିବା ଦେଖିବାକୁ ମିଳିବ। ଏହି ଭାଷା କହିବା ପାଇଁ ସେ ଫିଲ୍ମର ସେଟ୍ ଉପରେ ସହକାରୀ ନିର୍ଦ୍ଦେଶକଙ୍କଠାରୁ ତାଲିମ ନେଉଛନ୍ତି। କୁହାଯାଉଛି ଯେ ‘ବଚ୍ଚନ ପାଣ୍ଡେ’ରେ ଅକ୍ଷୟ କୁମାର ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟର ବଚ୍ଚନ ପାଣ୍ଡେ ଭୂମିକାରେ ନଜର ଆସିବେ। ସାମ୍ବାଦିକ ରୂପେ ନଜର ଆସିବେ କ୍ରିତି, ଯିଏକି ତାଙ୍କ ପାଇଁ ଏକ ଫିଲ୍ମ ତିଆରି ଲାଗି ଯୋଜନା କରିଛନ୍ତି। ଏହା ପରେ ହିରୋ ଅପରାଧ ଜଗତ ଛାଡୁଛନ୍ତି କି ନାହିଁ ତାହା ଉପରେ କାହାଣୀ ଅଗ୍ରଗତି କରୁଛି। ଏହି ଫିଲ୍ମରେ ଅନ୍ୟ ପ୍ରମୁଖ ଭୂମିକାରେ ଅରସଦ୍‌ ବର୍ସି, ସଞ୍ଜୟ ମିଶ୍ରା ଓ ପଙ୍କଜ ତ୍ରିପାଠୀ ମଧ୍ୟ ଅଛନ୍ତି। ଆସନ୍ତା ମାର୍ଚ୍ଚ ୪ ତାରିଖରେ ଏହି ଫିଲ୍ମଟି ରିଲିଜ ହେବ। ଏହି ଫିଲ୍ମଟି ସାଉଥ ଫିଲ୍ମ ‘ଜିଗରଥଣ୍ଡା’ର ରିମେକ୍‌।

ଆସିବ କପିଲ ଶର୍ମାଙ୍କ ବାୟୋପିକ୍, ମକର ସଂକ୍ରାନ୍ତିରେ ହେଲା ଘୋଷଣା…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ଆସିବ କମେଡିଆନ କପିଲ ଶର୍ମାଙ୍କ ବାୟୋପିକ୍। ଶୁକ୍ରବାର ମକର ସଂକ୍ରାନ୍ତି ଅବସରରେ କରାଯାଇଛି ଏହି ଘୋଷଣା। ପ୍ରଯୋଜକ ମହାବୀର ଜୈନ କରିଛନ୍ତି ଏହି ଘୋଷଣା। ଫିଲ୍ମଟିର ନାଁ ରହିବ ‘ଫନ୍‌କାର’। ଏହାର ନିର୍ଦ୍ଦେଶନା ଦେବେ ‘ଫୁକ୍‌ରେ’ ଫେମ୍‌ ମୃଗଦୀପ ସିଂହ ଲାମ୍ବା। ମୃଗଦୀପ ଏବେ ‘ଫୁକ୍‌ରେ ୩’ ପାଇଁ କାମ କରୁଥିବା ବେଳେ ଆଗକୁ ଲୋକେ ଦେଶର ଜଣାଶୁଣା କମେଡିଆନ୍ କପିଲ ଶର୍ମାଙ୍କ ବାୟୋପିକ୍ ଦେଖିବାକୁ ପାଇବେ ବୋଲି କହିଛନ୍ତି। ସେହିପରି ପ୍ରଯୋଜକ ମହାବୀର ଜୈନ କହିଛନ୍ତି, ଦେଶର କୋଟି କୋଟି ଲୋକ ଏବେ କପିଲ ଶର୍ମାଙ୍କ ଯୋଗୁ ହସିବାର ଖୋରାକ ପାଇଛନ୍ତି। କପିଲଙ୍କ ଜୀବନୀ ଉପରେ ଫିଲ୍ମ କରିବାକୁ ଯାଉଥିବାରୁ ଆମେ ଗର୍ବ ଅନୁଭବ କରୁଛୁ। ଏଥିରେ ତାଙ୍କ ଜୀବନର ଅନେକ ଅଜଣା ଓ ଅକୁହା କଥା ସ୍ଥାନ ପାଇବ। ଅନ୍ୟପକ୍ଷରେ ଖୁବ୍‌ଶୀଘ୍ର କପିଲ ଶର୍ମାଙ୍କୁ ନେଟ୍‌ଫ୍ଲିକ୍ସରେ ଦେଖିବାକୁ ମିଳିବ। ଏଥିରେ ତାଙ୍କ ଶୋ’ ‘କପିଲ ଶର୍ମା: ଆଇ ଆମ୍ ନଟ୍ ଡନ୍ ୟେଟ୍‌’ ଜାନୁଆରୀ ୨୮ ତାରିଖରୁ ଆରମ୍ଭ ହେବ। ଏବେ କପିଲଙ୍କ କମେଡି ଶୋ’ ସୋନି ଟିଭିରେ ପ୍ରସାରିତ ହେଉଥିବା ବେଳେ ସେ ପ୍ରଥମ ଥର ପାଇଁ ନେଟ୍‌ଫ୍ଲିକ୍ସରେ ଆସିବେ।

ଏଫଏସଏସଏଆଇ ଦେଲା ମାନ୍ୟତା: ଗଞ୍ଜେଇ ଏକ ପୁଷ୍ଟିକର ଖାଦ୍ୟ ଓ ଉନ୍ନତ ଔଷଧ…..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଖାଦ୍ୟ ସୁରକ୍ଷା ଓ ମାନକ (ଫୁଡ୍ ପ୍ରଡକ୍ଟ ଓ ଫୁଟ୍ ଆଡିଟିଭ୍ସ) ରେଗୁଲେସନ୍-୨୦୧୧ ସଂଶୋଧନ ଆଧାରରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଖାଦ୍ୟ ସ୍ରୋତରେ ଗଞ୍ଜେଇର ମଞ୍ଜି ଓ ଏହାର ଉତ୍ପାଦନକୁ ମାନ୍ୟତା ପ୍ରଦାନ କରିଛି। ଏହା ଗଞ୍ଜେଇ ଶିଳ୍ପ ପାଇଁ ମହତ୍ତ୍ୱପୂର୍ଣ୍ଣ ବିଜୟ, କାରଣ FSSAIର ଗଞ୍ଜେଇ ପୁଷ୍ଟି ପ୍ରମାଣ କେବଳ ଉତ୍ପାଦନକୁ ମାନ୍ୟତା ଦେବ ନାହିଁ ବରଂ ନୂଆ ଉତ୍ପାଦନକୁ ବହୁଳ ପରିଚୟ ଦେବାରେ ସହାୟତା କରିବ। ଏ ସଂପର୍କରେ ଲଢ଼େଇ କରି ସଫଳତା ହାସଲ କରିଥିବା ଏକ ଟ୍ରଷ୍ଟର ପ୍ରତିଷ୍ଠାତା ହର୍ଷଲ ଗୋଏଲ ଆଇଏଏନଏସ୍ ଲାଇଫ୍ ସହ ମେଡିକାଲ୍ କାନାବିଜ୍ (ଗଞ୍ଜେଇ) ପ୍ଲାଣ୍ଟ ସମ୍ବନ୍ଧରେ ଆଲୋଚନା କରିଛନ୍ତି। ଏଥିରେ ସେ ସ୍ପଷ୍ଟ କରିଛନ୍ତି ଯେ ଗଞ୍ଜେଇ ମଞ୍ଜିରେ ଚିକିତ୍ସା ପାଇଁ ଔଷଧୀୟ ଗୁଣ, ଖାଦ୍ୟ ମାନର ପୁଷ୍ଟି ସହ ସ୍ୱାସ୍ଥ୍ୟ ପାଇଁ ଫାଇଦା ଦେଉଥିବା ଅନେକ ତତ୍ତ୍ୱ ରହିଛି। FSSAI ଗଞ୍ଜେଇ ଉତ୍ପାଦନକୁ ସ୍ୱୀକୃତି ଦେବା ଦ୍ୱାରା ରୋଜଗାରର ନୂଆ ବାଟ ଫିଟିବ। ହର୍ଷଲ ଗୋଏଲ୍ କହିଛନ୍ତି, ଯେହେତୁ ବର୍ତ୍ତମାନ ଅନେକ ନୂତନ ଏବଂ ପୁଷ୍ଟିକର ଖାଦ୍ୟର ଉଦ୍ଭାବନ ହେଉଛି, ତେଣୁ ଆମେ ଏହି (ଗଞ୍ଜେଇ ମଞ୍ଜି) କ୍ଷେତ୍ରରେ ନିଯୁକ୍ତିର ନୂଆ ସୁଯୋଗ କିପରି ବାହାରି ପାରିବ, ସେଥିପ୍ରତି ଧ୍ୟାନ ଦେଉଛୁ। ହର୍ଷଲ କହିଛନ୍ତି, ହଜାର ବର୍ଷ ଧରି ଗଞ୍ଜେଇକୁ ଖାଦ୍ୟର ସ୍ରୋତ ଆକାରରେ ବ୍ୟବହାର କରାଯାଇ ଆସୁଛି। ଶହଶହ ଖ୍ରୀଷ୍ଟପୂର୍ବେ ଭୂମଧ୍ୟସାଗର, ଇଜିପ୍ଟ ଓ ମରକ୍କୋରେ ଗଞ୍ଜେଇ ପ୍ରୋଟିନ୍, ଫାଇବର୍ ଓ ମେଡିସିନର ମୁଖ୍ୟ ସ୍ରୋତ ଥିଲା। ଗଞ୍ଜେଇ ମଞ୍ଜିକୁ ଦୁଇ ପ୍ରକାରରେ ଖାଦ୍ୟୋପଯୋଗୀ କରାଯାଉଛି। ଗୋଟିଏ ହେଉଛି ଚୋପାଛଡ଼ା ମଞ୍ଜି ଓ ଆଉ ଗୋଟିଏ ହେଉଛି ଏହି ମଞ୍ଜିର ଗୁଣ୍ଡ ବା ପାଉଡର୍। ଉଭୟ ପଦ୍ଧତିରେ ପ୍ରସ୍ତୁତ ଗଞ୍ଜେଇ ମଞ୍ଜି ପୁଷ୍ଟି ଯୋଗାଇବା ସହ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଭାବେ ଉପକାରୀ ସାବ୍ୟସ୍ତ ହୋଇଥାଏ। ଡାଏଟ୍ ପାଇଁ ମଧ୍ୟ ଗଞ୍ଜେଇ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଗଞ୍ଜେଇ ପାଉଡର ଏବଂ ମଞ୍ଜିରେ ପ୍ରୋଟିନର ଅନୁପାତ ୨:୧ ଅର୍ଥାତ୍ ୩୦ ଗ୍ରାମ ଗଞ୍ଜେଇ ପାଉଡରରେ ୧୫ ଗ୍ରାମ ପୁଷ୍ଟି ରହିଥାଏ। ଶରୀର ପୁଷ୍ଟି ଉତ୍ପାଦ ପାଇଁ ଆମିନୋ ଏସିଡର ବ୍ୟବହାର କରିଥାଏ। ଏହା ମଣିଷର ମସ୍ତିଷ୍କକୁ ଶକ୍ତିଶାଳୀ କରିବାରେ ସହାୟକ ହୋଇଥାଏ। ସାଧାରଣତଃ ମାଂସ, କ୍ଷୀର ଏବଂ ଅଣ୍ଡା ପରି ପଶୁଜାତୀୟ ପଦାର୍ଥରୁ ଆମିନୋ ଏସିଡ୍ ମିଳିଥାଏ। ତେଣୁ ଗଞ୍ଜେଇ ମଞ୍ଜି ଏହିସବୁ ପଶୁଙ୍କଠାରୁ ମିଳୁଥିବା ଖାଦ୍ୟର ଏକ ଉତ୍କୃଷ୍ଟ ବିକଳ୍ପ ଭାବେ ବ୍ୟବହାର ହୋଇପାରିବ। ଗଞ୍ଜେଇ ଉତ୍ପାଦଗୁଡ଼ିକରେ ମାଂସପେଶୀର କୋଷଗୁଡ଼ିକ ମରାମତି, ସ୍ନାୟୁ ପ୍ରଣାଳୀର ନିୟନ୍ତ୍ରଣ ଏବଂ ମସ୍ତିଷ୍କ କାର୍ଯ୍ୟର ନିୟନ୍ତ୍ରଣରେ ସହାୟତା ପାଇଁ ଆବଶ୍ୟକ ସମସ୍ତ ଆମିନୋ ଏସିଡ୍ ଥାଏ। ଅଲିଭ୍ ତୈଳ ବଦଳରେ ଦୈନନ୍ଦିନ ଜୀବନରେ ଗଞ୍ଜେଇକୁ ମଧ୍ୟ ଆପଣାଇ ହେବ। ଗଞ୍ଜେଇ ମଞ୍ଜିର ତୈଳରେ କମ୍ କୋଲେଷ୍ଟେରୋଲ୍ ସ୍ତର ସହ ଉଚ୍ଚ ହାରର ଓମେଗା ୩ ଓ ୬ର ମଧ୍ୟ ରହିଛି। ଗଞ୍ଜେଇକୁ ଯେକୌଣସି ଭୋଜନରେ ବ୍ୟଞ୍ଜନ ଭାବେ ଉପଯୋଗ କରାଯାଇ ପାରିବ ବୋଲି ହର୍ଷଲ କହିଛନ୍ତି।