‘କୋହଲି ବଡ଼ ଭୁଲ୍ କରିଛନ୍ତି, ତାଙ୍କୁ କେହି ନିଜର ଆଦର୍ଶ ମାନିବେନି’

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା କେପ୍ ଟାଉନ୍ ଟେଷ୍ଟର ତୃତୀୟ ଦିବସରେ ଘରୋଇ ଦଳର କ୍ୟାପଟେନ୍ ଡିନ୍ ଏଲଗାରଙ୍କୁ ବଡ଼ ଜୀବନଦାନ ମିଳିଛି। ଯାହାକୁ ନେଇ ବଡ଼ ବିବାଦ ଛିଡ଼ା ହୋଇଛି। ହକ୍ ଆଇ ନିଷ୍ପତ୍ତିରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସହମତ ନଥିଲେ ଏବଂ ବିଚ୍ ମଇଦାନରେ ଏହାକୁ ନେଇ ଅସନ୍ତୋଷ ଝାଡ଼ିଥିଲେ। କୋହଲି ଷ୍ଟମ୍ପ ମାଇକ ନିକଟକୁ ଯାଇ କିଛି କହିଥିଲେ। ଏହାଛଡ଼ା ସେ ରାଗିକି ନିଜ ଗୋଡ଼ରେ ଗ୍ରାଉଣ୍ଡକୁ ମାରିଥିଲେ। କୋହଲିଙ୍କ ବ୍ୟବହାରରେ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗମ୍ଭୀର କହିଛନ୍ତି, କୋହଲି କେପ୍ ଟାଉନ୍ ମଇଦାନରେ ଯାହା କିଛି କରିଛନ୍ତି, ଏହା ପରେ ତାଙ୍କୁ କେହିବି ଆଦର୍ଶ ମାନିବେ ନାହିଁ। କୋହଲି ଏମିତି କାମ କରି ଅପରିପକ୍ୱତାର ପରିଚୟ ଦେଇଛନ୍ତି। ଟିମ୍ ଇଣ୍ଡିଆର କ୍ୟାପଟେନ୍ ଭାବେ ଷ୍ଟମ୍ପ ପାଖକୁ ଯାଇ ଏମିତି କହିବା, ବହୁତ ବଡ଼ ଭୁଲ୍। ଏମିତି କାମ କରି ସେ କେବେବି ଯୁବ ଖେଳାଳିଙ୍କ ଆଦର୍ଶ ହୋଇପାରିବେ ନାହିଁ। ପ୍ରଥମ ଇନିଂସରେ ୱିକେଟ୍ କିପର କ୍ୟାଚ୍ ମାମଲା ୫୦-୫୦ ଥିଲା, ସେତେବେଳେ କୋହଲି ଶାନ୍ତ ଥିଲେ ଏବଂ ମୟଙ୍କ ଅଗ୍ରୱାଲ୍ ଅପିଲ୍ କରୁଥିଲେ। ମୋ ମତରେ ରାହୁଲ ଦ୍ରାବିଡଙ୍କୁ ଏହି ମାମଲାରେ କୋହଲିଙ୍କ ସହ କଥା ହେବ ଦରକାର। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଟିମ୍ ମଧ୍ୟ କୋହଲି ଓ ଟିମ୍ ଇଣ୍ଡିଆର ଏଭଳି ଆଚରଣରେ ଅସନ୍ତୁଷ୍ଟ ପ୍ରକାଶ କରିଛି। ଟିମର ପେସ୍ ବୋଲର ଲୁଙ୍ଗି ଏନଗିଡି କହିଛନ୍ତି, ମୋତେ ଲାଗୁଛି ଏଭଳି ପ୍ରତିକ୍ରିୟା ଟିମର ହତାଶାକୁ ଦର୍ଶାଉଛି। ଅନେକ ସମୟରେ ଟିମ୍ ଏହାର ଫାଇଦା ଉଠାଇଥାଏ। ଆପଣ କେବେବି ନିଜ ଭାବନାକୁ ଅଧିକ ଜାହିର୍ କରିବାକୁ ଚାହାନ୍ତି ନାହିଁ। କିନ୍ତୁ ପରିସ୍ଥିତି ଏମିତି ହୁଏ ଯେ ଆପଣ ଅଧିକ ଭାବବିହ୍ୱଳ ହୋଇପଡ଼ନ୍ତି ଏବଂ ଆଉ ଏଥିରୁ ଜଣାପଡ଼େ ଯେ ଟିମ୍ କେତେ ଚାପରେ ଅଛି। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସରେ ୨୭ତମ ଓଭରରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ବଲ୍ ଏଲଗାରଙ୍କ ପ୍ୟାଡରେ ବାଜିଥିଲା ଏବଂ ଅମ୍ପାୟାର ଦକ୍ଷିଣ ଆଫ୍ରିକା କ୍ୟାପଟେନଙ୍କୁ ଆଉଟ୍ ଦେଇଥିଲେ। ଏଲଗାର ତୁରନ୍ତ ଡିଆରଏସ୍ ନେଇଥିଲେ। ହକ୍ ଆଇରେ ଦେଖିବାକୁ ମିଳିଲା ଯେ ବଲ୍ ଷ୍ଟମ୍ପ ଉପରେ ଯାଉଛି ଏବଂ ଏହାଦ୍ୱାରା ଏଲଗାରଙ୍କ ବଡ଼ ଜୀବନଦାନ ମିଳିଥିଲା। ନିଷ୍ପତ୍ତିରେ କୋହଲି ଭୀଷଣ ରାଗି ଯାଇଥିଲେ। କୋହଲି ଷ୍ଟମ୍ପ ପାଖକୁ ଯାଇ କହିଥିଲେ, ଯେତେବେଳେ ଆପଣଙ୍କ ଟିମ୍ ବଲ୍ ଚମକାଉଥିବ, ସେତେବେଳେ ଆପଣ ତାହା ଉପରେ ଧ୍ୟାନ ଦିଅନ୍ତୁ। ସବୁବେଳେ ବିରୋଧୀ ଟିମକୁ ଦେଖନ୍ତୁ ନାହିଁ।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଦୌଡ଼ରୁ ଟିମ ଇଣ୍ଡିଆ ଆଉଟ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୨ରେ ହାରିଥିବା ଟିମ ଇଣ୍ଡିଆକୁ ଆଉ ଏକ ଝଟକା ଲାଗିବାର ସମ୍ଭାବନା ସୃଷ୍ଟି ହୋଇଛି।ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ଜିତିବାର ସୁଯୋଗ ଭାରତ ପାଖରେ ଥିଲେ ମଧ୍ୟ ଏହାକୁ ବିରାଟ ବାହିନୀ ହାତ ଛଡ଼ା କରିଛି। ପ୍ରଥମ ଟେଷ୍ଟକୁ ଭାରତ ବେଶ ଚମତ୍କାର ଢଙ୍ଗରେ ଜିତିଥିଲା। ହେଲେ ବାକି ଦୁଇଟି ଯାକ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ତା’ର ଦବଦବା ଦେଖାଇଥିଲା। ଏହି ସିରିଜ୍ ହାରିବା ପରେ ଟିମ ଇଣ୍ଡିଆ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ ଟେବୁଲରେ ୫ମ ସ୍ଥାନକୁ ଖସି ଆସିଛି। ଏପରି କି ଟିମ ଇଣ୍ଡିଆ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ବି ପଛରେ ରହିଛି। ଭାରତ ୫ମ ସ୍ଥାନରେ ଥିବାରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରୁ ବାଦ ପଡ଼ିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଥିବା କୁହାଯାଉଛି। ଏବେ ଟିମ୍ ଇଣ୍ଡିଆ ଯଦି କୌଣସି ଗୋଟିଏ ଟେଷ୍ଟ ମ୍ୟାଚ୍ ହାରିବ କିମ୍ବା ଡ୍ର କରିବ, ତା’ହେଲେ ଫାଇନାରେ ଆଉ ପ୍ରବେଶ କରିପାରିବ ନାହିଁ। ଆଇସିସି ୨୦୨୧-୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପାଇଁ ନୂଆ ନିୟମ ଲାଗୁ କରିଛି। ପୂର୍ବରୁ ମ୍ୟାଚ୍‌ ଜିତିବା ପରେ ଟିମଗୁଡ଼ିକର ରାଙ୍କିଙ୍ଗ ହେଉଥିଲା। ହେଲେ ଏବେ ଜିତିବା ପ୍ରତିଶତକୁ ନେଇ ରାଙ୍କିଙ୍ଗ କରାଯାଉଛି। ତେଣୁ କେଉଁ ଦଳ କେତେ ଅଧିକ ଟେଷ୍ଟ ମ୍ୟାଚ୍‌ ଜିତିଛି, ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ।

ଯଦି କୌଣସି ଟିମ୍‌ ୧୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୫ଟିରେ ଜିତିଛି, ତା’ହେଲେ ଟିମର ବିଜୟ ପ୍ରତିଶତ ୫୦%। କିନ୍ତୁ କୌଣସି ଟିମ ୫ ଟେଷ୍ଟରୁ ୪ଟିରେ ଜିତୁଛି, ତା’ହେଲେ ତା’ର ବିଜୟ ପ୍ରତିଶତ ୮୦% ରହିବ ଓ ସେ ରାଙ୍ଗିଙ୍ଗର ଶୀର୍ଷରେ ପହଞ୍ଚିବ। ଭାରତ ଏଯାଏ ୯ଟି ଟେଷ୍ଟ ମ୍ୟାଚ ଖେଳି ମାତ୍ର ୪ଟିରେ ଜିତିଛି। ଫଳରେ ୪୯.୦୭ ବିଜୟ ପ୍ରତିଶତ ସହ ଟିମ୍‌ ଇଣ୍ଡିଆ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି। ଶ୍ରୀଲଙ୍କା ୨ଟି ଟେଷ୍ଟରୁ ୨ଟି ଯାକ ଜିତି ୧୦୦% ସହ ଶୀର୍ଷରେ ରହିଛି। ଅଷ୍ଟ୍ରେଲିଆ ୮୩.୩୩% ସହ ଦ୍ୱିତୀୟ ଓ ୭୫% ସହ ପାକିସ୍ତାନ ତୃତୀୟରେ ରହିଛି। ଦକ୍ଷିଣ ଆଫ୍ରିକାର ବିଜୟ ପ୍ରତିଶତ ୬୬.୬୬% ରହିଛି। ଭାରତ ତଳକୁ ନ୍ୟୁଜିଲ୍ୟାଣ୍ଡ, ବାଂଲାଦେଶ, ୱେଷ୍ଟଇଣ୍ଡିଜ ଓ ୯ମ ସ୍ଥାନରେ ଇଂଲଣ୍ଡ ରହିଛି। ଇଂଲଣ୍ଡର ବିଜୟ ପ୍ରତିଶତ ମାତ୍ର ୧୦.୪୧%। ଟିମ ଇଣ୍ଡିଆ ଏବେ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ଓ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ଖେଳିବ। ଏପରି ସ୍ଥିତିରେ ଯଦି ଏହି ଟେଷ୍ଟ ମ୍ୟାଚ୍ ଗୁଡ଼ିକ ମଧ୍ୟରୁ କୌଣସିଟି ଡ୍ର ହେବ କିମ୍ବା ଟିମ୍ ଇଣ୍ଡିଆ ହାରିଯିବ, ତା’ହେଲେ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ ଦୌଡ଼ରୁ ଦଳ ବାଦ ପଡ଼ିବ। ସବୁ ମ୍ୟାଚ୍‌ ଜିତିଲେ ମଧ୍ୟ ଅନ୍ୟ ଦଳର ହାରିବା ପରେ ଭାରତର ଭାଗ୍ୟ ନିର୍ଭର କରିବ।

 

ପୁଣି ଥରାଇବ ଶୀତ ; ଆଜିଠୁ ଖସିବ ପାରଦ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଆଜିଠୁ ପୁଣି ବଢ଼ିବ ଶୀତ । ବର୍ଷାର ପରିମାଣ କମିବା ସହ ଶୀତ ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ପାରଦ । କିଛି ସ୍ଥାନରେ ସ୍ୱାଭାବିକ ଏବଂ କିଛି ସ୍ଥାନରେ ସ୍ୱାଭାବିକଠାରୁ କମ୍ ରହିପାରେ ତାପମାତ୍ରା । ରାଜଧାନୀ ଭୁବନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀକୁ ଖସିପାରେ  । ସେହିପରି ବାକି ସହରରେ ମଧ୍ୟ ପାରଦ ଖସିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର ଏବଂ ଗଂଜାମ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି  । ବାକି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହୋଇପାରେ ବର୍ଷା । ଆସନ୍ତାକାଲିଠୁ ଶୁଖିଲା ପାଗ ଥିବା ବେଳେ କୁହୁଡ଼ି ବଢ଼ିବ । ଆସନ୍ତାକାଲି ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ  । ୧୮ ଏବଂ ୧୯ ତାରିଖରେ ସକାଳେ ଘନ କୁହୁଡ଼ି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

 

ପିଅନ୍ତୁ ଲବଙ୍ଗ କ୍ଷୀର, ଏହି ସବୁ ରୋଗ ଦୂର ହୋଇଯିବ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଶୀତ ଦିନେ ରାତିରେ ଅଧିକାଂଶ ଲୋକ କ୍ଷୀର ପିଇବା ପାଇଁ ପସନ୍ଦ କରନ୍ତି। ବିଶ୍ୱାସ ରହିଛି ଯେ, କ୍ଷୀର ପିଇଲେ କୁଆଡେ ଭଲ ନିଦ ହୁଏ। ଏଥିସହ ହଜମ ଶକ୍ତି ମଧ୍ୟ ଭଲ ରୁହେ। ତେବେ ଏହି କ୍ଷୀର ସହ ଲବଙ୍ଗ ମିଶାଇ ପିଇଲେ ଅଧିକ ଲାଭ ମିଳିଥାଏ। ଏହି ଦୁଇଟି ଜିନିଷକୁ ଏକାଠି ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇପାରେ। କ୍ଷୀର ଏବଂ ଲବଙ୍ଗ ଅନେକ ପୋଷକ ତତ୍ତ୍ୱରେ ଭରପୂର। କ୍ଷୀରରେ ଫସଫରସ୍, ମ୍ୟାଗ୍ନେସିୟମ୍, ଆୟୋଡିନ୍, ଭିଟାମିନ୍ଏ-, ଡି ଓ କେ ଭରପୂର ମାତ୍ରାରେ ଥିବାବେଳେ ଲବଙ୍ଗରେ କାର୍ବୋହାଇଡ୍ରେଟ୍, ଆଇରନ୍, ସୋଡିୟମ୍ ପ୍ରଚୁର ପରିମାଣରେ ରହିଛି। ଶୋଇବା ପୂର୍ବରୁ ପ୍ରତିଦିନ ରାତିରେ କ୍ଷୀରରେ ଲବଙ୍ଗ ମିଶାଇ ପିଅନ୍ତୁ। ଯଦି ଆପଣ ଚାହାଁନ୍ତି, ଆପଣ ଏହାକୁ ଯେକୌଣସି ସମୟରେ ପିଇପାରିବେ, କିନ୍ତୁ ରାତିରେ ଏହାକୁ ପିଇବା ଅଧକ ଭଲ। ଏଥିପାଇଁ, ପ୍ରଥମେ ଲବଙ୍ଗକୁ ଭଲ ଭାବେ ଗୁଣ୍ଡ କରି ପାଉଡର ତିଆରି କରି ରଖିଦିଅନ୍ତୁ। ଏହା ପରେ କ୍ଷୀରକୁ ଭଲ ଭାବରେ ଗରମ କରନ୍ତୁ। ଏବେ ଏକ ଗ୍ଲାସ କ୍ଷୀରରେ ଲବଙ୍ଗ ପାଉଡର ମିଶାନ୍ତୁ। ତା’ପରେ ସେଥିରେ ଟିକେ ଗୁଡ ମିଶାଇ ପୁଅନ୍ତୁ।

  • ଶୀତ ଦିନେ ପ୍ରାୟତଃ ଲୋକଙ୍କ ଗଳାରେ ଯନ୍ତ୍ରଣା, କଫ ଆଦି ସମସ୍ୟା ସୃଷ୍ଟି ହୁଏ। ଏଭଳି ସ୍ଥିତିରେ ରାତିରେ ଶୋଇବା ପୂର୍ବରୁ କ୍ଷୀର ସହ ଲବଙ୍ଗ ମିଶାଇ ପିଇବା ଲାଭଦାୟୀ ହୋଇଥାଏ। ଏଥିରୁ ଗଳା ଯନ୍ତ୍ରଣା ଏବଂ କଫ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।
  • ଯଦି ଆପଣ ଦୁର୍ବଳ ଅନୁଭବ କରନ୍ତି ତେବେ କ୍ଷୀର ସହ ଲବଙ୍ଗ ମିଶାଇ ପିଇବା ନିହାତି ଆବଶ୍ୟକ। କ୍ଷୀରରେ କ୍ୟାଲସିଅମ୍‌, ସୋଡିଅମ୍‌, ପୋଟାସିଆମ ଭରପୂର ମାତ୍ରାରେ ରହିଛି। ଏହା ଶରୀରକୁ ଭରପୁର ଏନର୍ଜି ପ୍ରଦାନ କରିଥାଏ।
  • କୋଷ୍ଟ କାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶୋଇବା ପୂର୍ବରୁ ଲବଙ୍ଗ କ୍ଷୀର ପିଇବା ଉଚିତ। ଏହାଦ୍ୱାରା ଏସିଡିଟି ଏବଂ କୋଷ୍ଟ କାଠିନ୍ୟ ସମସ୍ୟା ଦୂର ହୋଇଥାଏ। କେବଳ ସେତିକି ନୁହେଁ ଦାନ୍ତରେ ଯନ୍ତ୍ରଣା ସମସ୍ୟା ଥିଲେ ମଧ୍ୟ ଆପଣ ଏହି କ୍ଷୀରକୁ ପିଇ ପାରିବେ। ଏହା ଦାନ୍ତ ଯନ୍ତ୍ରଣାରୁ ଆରାମ ଦେଇଥାଏ।
  • ପ୍ରାୟତଃ କିଛି ଲୋକଙ୍କ ମୁହଁରୁ ବେଳେ ବେଳେ ଦୁର୍ଗନ୍ଧ ବାହାରିବା ଭଳି ସମସ୍ୟା ରହିଥାଏ। ଏପରି ସ୍ଥିତିରେ ଲବଙ୍ଗ କ୍ଷୀର ଏହି ସମସ୍ୟାରୁ ମୁକ୍ତି ଦେଇଥାଏ।
ଆଜିର ରାଶିଫଳ – ୧୫ ଜାନୁଆରୀ, ଶନିବାର

ମେଷ: କର୍ମ ସଂସ୍ଥାନରେ ବିବାଦ ଦେଖା ଦେଇପାରେ। ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବେ।

ବୃଷ: ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଅଟକି ରହିଥିବା କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ କରିବେ। ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ।

ମିଥୁନ: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ଅପମାନ ପାଇପାରନ୍ତି, ସତର୍କ ରୁହନ୍ତୁ। ବନ୍ଧୁଙ୍କ ସହଯୋଗ ପାଇବେ।

କର୍କଟ: ବ୍ୟବସାୟରେ ଆୟ ଭଲ ହେବ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ। ପାରିବାରିକ ଶାନ୍ତି ପାଇବେ।

ସିଂହ: ମାନ-ସମ୍ମାନ ପାଇବେ। ବ୍ୟବସାୟରେ ଅଧିକ ଲାଭ ହେବ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।

କନ୍ୟା: କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ଉଚ୍ଚ ପଦାଧିକାରୀଙ୍କ ଠାରୁ ସମ୍ମାନିତ ହେବେ। ଆୟ ଅଧିକ ହେବ।

ତୁଳା: କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇପାରେ। ପରିବାରର କୌଣସି ସଦସ୍ୟଙ୍କ ସହ ମନାନ୍ତର ଘଟିପାରେ।

ବିଛା: ଆଜି ଦିନଟି ଭଲରେ କଟିବ। ଘରକୁ ଅତିଥି ଆସିପାରନ୍ତି। ଶାରୀରିକ ସୁସ୍ଥତା ଅନୁଭବ କରିବେ।

ଧନୁ: ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ। ବ୍ୟବସାୟରେ ଲାଭ ହେବ। ଦୂରସ୍ଥାନକୁ ଯାତ୍ରା କରିବେ।

ମକର: ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

କୁମ୍ଭ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ବନ୍ଧୁଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।

ମୀନ: ଆଜି ଦିନଟି ଭଲରେ କଟିବ। ବକେୟା ଅର୍ଥ ପ୍ରାପ୍ତ ହେବ। ସୁସମ୍ବାଦ ପ୍ରାପ୍ତି ହେବ।