ସାମ୍ବାଦିକ କହି ଭିଆର୍‌ପି କର୍ମକର୍ତ୍ତାଙ୍କୁ ଧମକ, ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ମହିଳା….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲରେ କାମ କରୁଥିବା କହି ଭିଆର୍‌ପି କର୍ମକର୍ତ୍ତାଙ୍କୁ ନକଲି ସାମ୍ବାଦିକଙ୍କ ଧମକ। କେବଳ ଧମକ ନୁହେଁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରୁଥିବା ଅଭିଯୋଗ ହୋଇଛି। ଫୋନ୍‌ କରି ଉକ୍ତ ନକଲି ସାମ୍ବାଦିକ ଜଣକ ବହୁ ହଇରାଣ କରୁଥିବା ନେଇ ସାବରଙ୍ଗ ଥାନରେ ଅଭିଯୋଗ ହୋଇଥିଲା। ତେବେ ଏଥିରୁ କିଛି ସୁଫଳ ନମିଳିବା ପରେ ଏବେ ମହିଳାମାନେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ମୁତାବକ, ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଚିତାନଗାଠାରେ କାଶୀନାଥ ପତି ନାମକ ଜଣେ ବ୍ୟକ୍ତି ଫୋନ୍‌ କରି ଗ୍ରାମ ସମ୍ବଳ ଅଧିକାରିଣୀ ତଥା ଭିଆର୍‌ପି କର୍ମୀଙ୍କୁ ଗଲା କିଛି ଦିନ ହେବ ହଇରାଣ କରୁଛନ୍ତି। ବିଭିନ୍ନ ନ୍ୟୁଜ ଚ୍ୟାନେଲରେ କାମ କରୁଥିବା କହି ଅଶ୍ଳୀଳ ଭାଷରେ ଗାଳିଗୁଲଜ ମଧ୍ୟ କରୁଛନ୍ତି। ସବୁ ଡାଟା ମୋତେ ଦିଅ, ତମେ ଲାଞ୍ଚ ନେଇ କାମ କରୁଛ। ତୁମକୁ ବଦନାମ କରିଦେବି କହି ଫୋନ କରି ଉକ୍ତ ନକଲି ସାମ୍ବାଦିକ ଜଣକ ଧମକ ମଧ୍ୟ ଦେଉଛନ୍ତି। କେବଳ ସେତିକି ନୁହେଁ ତୁମର ଅନେକ ପ୍ରମାଣ ସୋସିଆଲ ମିଡିଆରେ ଛାଡ଼ିଦେବି। ତୁମ ସମସ୍ତଙ୍କୁ ବରବାଦ କରି ଦେବି କହି ଭୟଭୀତ ମଧ୍ୟ କରାଉଛନ୍ତି। କର୍ମୀମାନଙ୍କ ଭୋଟର ଆଇଡି ଓ ବ୍ୟାଙ୍କ ପାସ୍‌ବୁକ୍‌ ମଧ୍ୟ ମାଗୁଛନ୍ତି। ଏନେଇ ଭିଆର୍‌ପିର ମହିଳା କର୍ମୀମାନେ ଗଲା ୮ ତାରିଖରେ ସାବରଙ୍ଗ ଥାରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୁଲିସ ଅଭିଯୁକ୍ତକୁ ଥାନାକୁ ଆଣି ମହିଳା କର୍ମୀଙ୍କୁ ଡାକିଥିଲା। ହେଲେ ମହିଳାକର୍ମୀମାନେ ରାତିରେ ଆସିବାକୁ ମନା କରିଦେଇଥିଲେ। ପରେ ପୁଲିସ ଅଭିଯୁକ୍ତକୁ ନୋଟିସ୍‌ ଦେଇ ଛାଡି ଦେଇଥିଲା। ତେବେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠନ ଗ୍ରହଣ ନକରି ଓ ମହିଳାକର୍ମୀଙ୍କୁ ନଜଣାଇ ଅଭିଯୁକ୍ତକୁ ଛାଡି ଦେଇଥିବା ଅଭିଯୋଗ ହୋଇଛି। ନ୍ୟାୟ ଦାବିରେ ମହିଳା କର୍ମୀମାନେ ଏବେ ଭଦ୍ରକ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏସ୍‌ପି ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବାପରେ ମହିଳା କର୍ମୀମାନେ ସେଠାରୁ ଫେରିଛନ୍ତି।

ମରାମତିର ସପ୍ତାହେ ପରେ ରାସ୍ତାରୁ ଉଠିଲାଣି ପିଚୁ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ମରାମତି ହେବାର ଗୋଟିଏ ସପ୍ତାହ ପରେ ରାସ୍ତାରୁ ପିଚୁ ଉଠି ଯାଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି କଟକ ଜିଲ୍ଲା ଚୌଦ୍ୱାର ବ୍ଳକ୍‌ ମହିଷାଲଣ୍ଡା ପଞ୍ଚାୟତରୁ। ଚୌଦ୍ୱାର ବ୍ଲକର ମାଛପଙ୍ଗୀ ଠାରୁ ଦୁଧିଆନାଳୀ ପର୍ଯ୍ୟନ୍ତ ଲମ୍ବିଛି ୫ କିଲୋମିଟର ରାସ୍ତା। ପିଚୁ ଉଠି ଏହି ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଥିବାବେଳେ ସପ୍ତାହେ ତଳେ ତାର ମରାମତି କରାଯାଇଥିଲା। ରାସ୍ତାଟିର ମରାମତି ପାଇଁ ୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତାର ମରାମତି ଦାୟିତ୍ୱ ଜଣେ ଠିକାଦାରକୁ ଦେଇଥିଲା। ତେବେ ରାସ୍ତା ମରାମତି କାମ ସରିବାର ସପ୍ତାହ ପରେ ଏଥିରୁ ଖଣ୍ଡ ଖଣ୍ଡ ହୋଇ ପିଚୁ ଉଠି ଯା‌ଉଥିବା ଅଭିଯୋଗ କରିଛନ୍ତି ଲୋକେ। ନିମ୍ନମାନର କାମ କରିବା ଯୋଗୁ ପିଚୁ ଉଠି ଯାଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଯୁବ ନେତା ଅଭୟ ବାରିକ କହିଛନ୍ତି, ରାସ୍ତା ମରାମତି ପାଇଁ  ୫୨ ଲକ୍ଷ ଟଙ୍କା ଆସିଥିଲା। ସେଥିରୁ ୪ରୁ ୫ ପାଞ୍ଚ ଲକ୍ଷ ଖର୍ଚ୍ଚ କରି ପିଚୁ ପକାଇ ଠିକାଦାର କାମ ସାରି ଦେଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ତରତରିଆ ଭାବରେ ଅଳ୍ପ ପଇସାରେ କାମ ସାରି ଦେଇଛନ୍ତି। ଏନେଇ ଗ୍ରାମବାସୀମାନେ  ଚୌଦ୍ୱାର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଜଣାଇଥିଲେ । ଅଭିଯୋଗ ପାଇ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଚାନ୍ଦିନୀ ସୁମନ ସାହୁ, କନିଷ୍ଠ ଯନ୍ତ୍ରୀ ସଂଜୀବ ରାୟ ଘଟଣା ସ୍ଥଳରେ ପହଞ୍ଚି ଠିକାଦାରଙ୍କ ସହିତ ଆଲୋଚନା କରିଥିଲେ । ଠିକାଦାର କହିଛନ୍ତି,  ଏହା ରାସ୍ତାର ମରାମତି କାମ ମାତ୍ର କିଛି ଦିନ ହେଲା ସରିଥିଲା। ରାସ୍ତାକୁ ଯେମିତି ମରାମତି କରାଯିବା କଥା ସେମିତି କରାଯାଇଥିଲା। କିନ୍ତୁ ମରାମତି ପରେ କିଛି ଲୋକ ଏହି ରାସ୍ତାକୁ ତାଡ଼ି ପକାଇଥିଲେ। ସେମାନଙ୍କ ନାଁରେ ଥାନାରେ ଅଭିଯୋଗ କରାଯାଇଛି। ସହକାରୀ ଯନ୍ତ୍ରୀ ଚାନ୍ଦିନୀ ସୁମନ ସାହୁ କହିଛନ୍ତି, ଟ୍ରାକ୍ଟର ଚାଲୁଥିବାରୁ ରାସ୍ତାରେ ପିଚୁ ଉଠି ଯାଇଛି। ଯାହାବି କିଛି ଖରାପ କାମ ହୋଇଛି, ତାକୁ ଖୁବ୍‌ଶୀଘ୍ର ମରାମତି କରାଯିବ।

ସରକାରୀ ହୋର୍ଡିଂ ଓ ଗାଡ଼ିରୁ ଷ୍ଟିକର ହଟାଅ;ନିର୍ବାଚନ କମିଶନର…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପଂଚାୟତ ନିର୍ବାଚନ ପ୍ରକ୍ରିୟା ରାଜ୍ୟରେ ଆରମ୍ଭ ହୋଇସାରିଥିବାବେଳେ ସମସ୍ତ ସରକାରୀ ହୋର୍ଡିଂ ଓ ଗାଡ଼ିଗୁଡ଼ିକରୁ ଯୋଜନାର ପ୍ରଚାର ପାଇଁ ଉଦ୍ଦିଷ୍ଟ ଲୋଗୋର ଷ୍ଟିକର ତୁରନ୍ତ ହଟାଇବାକୁ ଆଜି ରାଜ୍ୟ ନିର୍ବାଚନ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ଆଜି ସମସ୍ତ ଜିଲ୍ଲାପାଳଙ୍କ ଚିଠି ଲେଖି ପଂଚାୟତ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ି ପାଳନ ପାଇଁ କହିଛନ୍ତି । ଜିଲ୍ଲାର ବିଭିନ୍ନ ସରକାରୀ ଅଫିସ ଓ ସାର୍ବଜନୀନ ସ୍ଥାନରେ ସରକାରଙ୍କ ବିଭିନ୍ନ ସଫଳତା ଦର୍ଶାଉଥିବା ହୋର୍ଡିଂ ଲଗାଯାଇଥିବା କଥା ରାଜ୍ୟ ନିର୍ବାଚନ କମିଶନରଙ୍କ ଦୃଷ୍ଟିକୁ ଆସିଛି । ସେହିପରି କେତେକ ସରକାରୀ ଯୋଜନାର ଷ୍ଟିକର ମଧ୍ୟ ସରକାରୀ ଅଫିସରଙ୍କ ଦ୍ୱାରା ବ୍ୟବହାର ହେଉଥିବା ଗାଡ଼ିରେ ଲଗାଯାଉଛି । ମନ୍ତ୍ରୀ ଓ ରାଜନେତାଙ୍କ ଫଟୋ ଥାଇ ସରକାରୀ ଯୋଜନାର ହୋର୍ଡିଂ ମଧ୍ୟ କେତେକ ସ୍ଥାନରେ ଲାଗିଛି । ଏସବୁ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରୁଛି । ସହରାଂଚଳ ସମେତ ସମଗ୍ର ରାଜ୍ୟରେ ଏବେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଏପରି ସମସ୍ତ ହୋର୍ଡିଂକୁ ଓ ଷ୍ଟିକରକୁ ତୁରନ୍ତ ହଟାଇବା ସହ ଏନେଇ କମିଶନଙ୍କ କାର୍ଯ୍ୟାଳୟକୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ଶାସକ ବିଜେଡି ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟରେ ବିରାଟ ହୋର୍ଡିର୍ଂଗୁଡ଼ିକ ଲଗାଯାଇଥିବାବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ବିଜୁ ପକ୍କାଘରର ଷ୍ଟିକରିଂ ବିଭିନ୍ନ ଗାଡ଼ି ଓ ସ୍ଥାନରେ ଲଗାଯାଇଛି ।

ଭୁବନେଶ୍ୱର ଓ ବ୍ରହ୍ମପୁରରେ ମହିଳା ମେୟର, କଟକରେ ଅଣସଂରକ୍ଷିତ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପଂଚାୟତ ନିର୍ବାଚନ ପ୍ରକ୍ରିୟା ଘୋଷଣା ହୋଇସାରିଥିବାବେଳେ ରାଜ୍ୟରେ ପୌର ନିର୍ବାଚନକୁ ଶୀଘ୍ର ସାରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ବହୁଚର୍ଚ୍ଚିତ ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ କଟକ ମହାନଗର ନିଗମର ମେୟର ପଦବୀକୁ ଅଣସଂରକ୍ଷିତ ଓ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଆଜି ଏନେଇ ଗେଜେଟ୍ ବିଜ୍ଞପ୍ତି ଜାରି ହେବା ସହ ଏହା ଉପରେ ଆପତ୍ତି-ଅଭିଯୋଗ ଥିଲେ ୧୫ଦିନ ମଧ୍ୟରେ ପୌର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ କୁହାଯାଇଛି । ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ମହାନଗର ନିଗମ ଆଇନ-୨୦୦୩ର ଧାରା ୧୪ର ଉପଧାରା ୩ ଓ ୪ ଅନ୍ତର୍ଗତ ଏବଂ ଓଡ଼ିଶା ମହାନଗର ନିଗମ ରୁଲସ-୨୦୦୩ର ରୁଲ-୮୦(୮) ର ପ୍ରାବଧାନ ଅନୁସାରେ ମହାନଗରଗୁଡ଼ିକର ମେୟର ପଦବୀକୁ ସଂରକ୍ଷିତ ରଖିବାକୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି । ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାବେଳେ କଟକ ମହାନଗର ନିଗମକୁ ଅଣସଂରକ୍ଷିତ ରଖାଯାଇଛି । ଏହି ସଂରକ୍ଷଣ ଉପରେ କାହାରି ଆପତ୍ତି-ଅଭିଯୋଗ ରହିଥିଲେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବାର ୧୫ଦିନ ମଧ୍ୟରେ ପୌର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଏ ସଂକ୍ରାନ୍ତରେ ଜଣାଇବାକୁ କୁହାଯାଇଛି । ଆଜି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି ।

ନିଷ୍ପତ୍ତି ବଦଳାଇଲେ ଏସଆରସି; କଠୋର ହେଲା ନିର୍ବାଚନ କଟକଣା, ପ୍ରଚାରରେ ସର୍ବାଧିକ ୫ଜଣ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଆଜି ନିଜର ୫ତାରିଖର ନିର୍ଦ୍ଦେଶନାମାକୁ ବଦଳାଇ କରୋନା କଟକଣାକୁ କଠୋର କରିବା ସହ ଆଜି ସାନି ଗାଇଡଲାଇନ୍ ଜାରି କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନରଙ୍କ ଜାନୁୟାରୀ ୧୦ତାରିଖର ଚିଠି ଆଧାରରେ ଏସଆରସି ଗତ ୫ତାରିଖରେ ଜାରି କରିଥିବା କଟକଣା ସଂକ୍ରାନ୍ତ ନିର୍ଦ୍ଦେଶନାମାରେ ଆଜି କେତେକ ପରିବର୍ତ୍ତନ କରିଛନ୍ତି । ୫ତାରିଖରେ ଏସଆରସିଙ୍କ ଦ୍ୱାରା ଜାରି ନିର୍ଦ୍ଦେଶରେ ରାଜନୀତିକ କାର୍ଯ୍ୟକ୍ରମ,ରାଲି, ବୈଠକ ଆଦିରେ ସର୍ବାଧିକ ୧୦୦ଜଣ ଅବା କୋଠରୀରେ ସିଟ୍ କ୍ଷମତାର ୫୦ପ୍ରତିଶତ ପର୍ଯ୍ୟନ୍ତ ଲୋକଙ୍କୁ ସାମିଲ ହେବାକୁ ଅନୁମତି ମିଳିଥିଲା। କିନ୍ତୁ ନିର୍ବାଚନ କମିଶନରଙ୍କ ଚିଠି ପରେ ଏସଆରସି ଆଜି ପୂର୍ବର ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରି ସାନି ଗାଇଡଲାଇନ୍ ଜାରି କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରା ଗତକାଲି ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ପଂଚାୟତ ନିର୍ବାଚନ ସଂକ୍ରାନ୍ତ କୋଭିଡ୍ ଗାଇଡଲାଇନ୍ ଜାରି କରାଯିବା ପରେ ଉକ୍ତ ଗାଇଡଲାଇନ୍ ଆଧାରରେ ଏସଆରସି ଆଜି ସାନି ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ ଏସଆରସି ୫ତାରିଖ ନିର୍ଦ୍ଦେଶର ପରିବର୍ତ୍ତନ କରିଛନ୍ତି ଓ ସର୍ବାଧିକ ୫ଜଣ ଲୋକଙ୍କୁ ଡୋରଟୁ ଡୋର ପ୍ରଚାର କରିବାକୁ ଅନୁମତି ମିଳିବ ବୋଲି କହିଛନ୍ତି । ପ୍ରଚାର ସମୟରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ ଜରୁରୀ କରାଯାଇଛି । ସାମାଜିକ ଓ ଇଲୋକ୍ଟ୍ରୋନିକ୍ସ ମିଡିଆରେ ଯଥାସମ୍ଭବ ପ୍ରଚାରକୁ ପ୍ରାଥମିକତା ଦେବାକୁ କୁହାଯାଇଛି । କୋଭିଡ-୧୯କୁ ଦୃଷ୍ଟି ରଖି ଅଧିକ ସଂଖ୍ୟାରେ ଲୋକଙ୍କୁ ଧରି ପ୍ରଚାର କରିବାକୁ ଅନୁମତି ମିଳିବ ନାହିଁ । ସର୍ବାଧିକ ୫ଜଣ ହିଁ ପ୍ରଚାରରେ ଯାଇ ପାରିବେ । କୋଭିଡ୍ ସଂକ୍ରମିତ ପ୍ରାର୍ଥୀ ବ୍ୟକ୍ତିଗତ ଭାବେ ବୁଲି ପ୍ରଚାର କରିପାରିବେ ନାହିଁ । କେବଳ ସେ ଇଲେକ୍ଟ୍ରୋନିକ ଓ ଭର୍ଚୁଆଲ ମୋଡରେ ପ୍ରଚାର କରିବେ । ସେହିପରି ରାଜନୀତିକ ଦଳ ଓ ପ୍ରାର୍ଥୀମାନେ କୋଭିଡ୍ ଗାଇଡଲାଇନକୁ ପାଳନ କରି ନିଜର ପ୍ରଚାରକୁ ଡିଜିଟାଲ, ଭର୍ଚୁଆଲ, ମିଡିଆ ପ୍ଲାଟଫର୍ମ, ମୋବାଇଲ ଆଦି ମାଧ୍ୟମରେ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି ।ରୋଡ୍ ଶୋ’, ପଦଯାତ୍ରା, ସାଇକେଲ, ବାଇକରେ ରାଲି ଓ ଅନ୍ୟାନ୍ୟ ଶୋଭାଯାତ୍ରା ଉପରେ କଟକଣା ଜାରି ହୋଇଛି । ରାଜନୀତିକ ଦଳ ଅବା ସମ୍ଭାବ୍ୟ ପ୍ରାର୍ଥୀଙ୍କ ଦ୍ୱାରା କୌଣସି ପ୍ରକାରର ରାଲି କିମ୍ବା ନିର୍ବାଚନ ସଂକ୍ରାନ୍ତରେ ଅନ୍ୟ କୌଣସି ଗୋଷ୍ଠୀର ରାଲିକୁ ଅନୁମତି ଦିଆଯିବ ନାହିଁ । ସେହିପରି ଭୋଟ ଗଣତି ପରେ ବିଜୟ ଶୋଭାଯାତ୍ରା ମଧ୍ୟ ପ୍ରାର୍ଥୀମାନେ କରିପାରିବେ ନାହିଁ । ବିଜୟୀ ପ୍ରାର୍ଥୀ ସହ ସର୍ବାଧିକ ୨ଜଣ ଯାଇପାରିବେ । ରାଜନୀତିକ ଦଳ ଓ ପ୍ରାର୍ଥୀଙ୍କର ବିଭିନ୍ନ ୱାର୍ଡରେ ଥିବା କ୍ୟାମ୍ପ ଅଫିସରେ ମାସ୍କ ଓ ହାତ ଧୋଇବା ପାଇଁ ସାନିଟାଇଜର ରହିବ । ପ୍ରଚାରବେଳେ ଭୋଟରମାନଙ୍କୁ ମଧ୍ୟ ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ କରିବାକୁ ପ୍ରାର୍ଥୀମାନେ ପ୍ରୋତ୍ସାହିତ କରିବେ । ରୋଡ୍ ଶୋ’, ପଦଯାତ୍ରା, ସାଇକେଲ, ବାଇକରେ ରାଲି ଓ ଅନ୍ୟାନ୍ୟ ଶୋଭାଯାତ୍ରା ଉପରେ କଟକଣା ଜାରି ହୋଇଛି । ରାଜନୀତିକ ଦଳ ଅବା ସମ୍ଭାବ୍ୟ ପ୍ରାର୍ଥୀଙ୍କ ଦ୍ୱାରା କୌଣସି ପ୍ରକାରର ରାଲି କିମ୍ବା ନିର୍ବାଚନ ସଂକ୍ରାନ୍ତରେ ଅନ୍ୟ କୌଣସି ଗୋଷ୍ଠୀର ରାଲିକୁ ଅନୁମତି ଦିଆଯିବ ନାହିଁ । ସେହିପରି ଭୋଟ ଗଣତି ପରେ ବିଜୟ ଶୋଭାଯାତ୍ରା ମଧ୍ୟ ପ୍ରାର୍ଥୀମାନେ କରିପାରିବେ ନାହିଁ । ବିଜୟୀ ପ୍ରାର୍ଥୀ ସହ ସର୍ବାଧିକ ୨ଜଣ ଯାଇପାରିବେ । ରାଜନୀତିକ ଦଳ ଓ ପ୍ରାର୍ଥୀଙ୍କର ବିଭିନ୍ନ ୱାର୍ଡରେ ଥିବା କ୍ୟାମ୍ପ ଅଫିସରେ ମାସ୍କ ଓ ହାତ ଧୋଇବା ପାଇଁ ସାନିଟାଇଜର ରହିବ । ପ୍ରଚାରବେଳେ ଭୋଟରମାନଙ୍କୁ ମଧ୍ୟ ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ କରିବାକୁ ପ୍ରାର୍ଥୀମାନେ ପ୍ରୋତ୍ସାହିତ କରିବେ । ଲୋକଙ୍କ ଗହଳି ହ୍ରାସ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶରେ ବ୍ଲକ ମୁଖ୍ୟାଳୟରେ ଅଧିକ ସଂଖ୍ୟକ ଭୋଟଗଣତି କେନ୍ଦ୍ର କରିବା ଦିଗରେ ଜିଲ୍ଲା ପ୍ରଶାସନ ପଦଷକ୍ଷପ ନେବେ । ସେହିପରି ନାମାଙ୍କନ ପତ୍ର ଦାଖଲବେଳେ ପ୍ରାର୍ଥୀ ଓ ତାଙ୍କ ପ୍ରସ୍ତାବକ ଉଭୟ ସାମାଜିକ ଦୂରତ୍ୱ ଓ କୋଭିଡ୍ ଗାଇଡଲାଇନ ପାଳନ କରି ନିର୍ବାଚନ ଅଧିକାରୀଙ୍କ ଅଫିସକୁ ଯିବେ । ଅଧିକ ସଂଖ୍ୟକ ଲୋକ ଏକଜୁଟ ହୋଇପାରିବେ ନାହିଁ । କେବଳ ସେତିକି ନୁହେଁ ଭୋଟ ଗଣତି କେନ୍ଦ୍ର ବାହାରେ ଭିଡ଼ ହେବ ନାହିଁ । ବିଜୟୀ ପ୍ରାର୍ଥୀଙ୍କ ଦ୍ୱାରା ଲୋକଙ୍କୁ ଏକଜୁଟ କରାଇବା ଓ ଶୋଭାଯାତ୍ରା କରିବା ଉପରେ ସମ୍ପୂର୍ଣ୍ଣ କଟକଣା ରହିବ । ଭୋଟଗଣତି ସମୟରେ ଗଣତି କେନ୍ଦ୍ର ବାହାରେ ଲୋକମାନେ ଭିଡ଼ କରିପାରିବେ ନାହିଁ । ଏସବୁ ନିର୍ଦ୍ଦେଶକୁ ଉଲ୍ଲଘଂନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୫୧ରୁ ୬୦ ପର୍ଯ୍ୟନ୍ତ ପ୍ରାବଧାନ ଓ ଆଇପିସିର ଧାରା ୧୮୮ ଅନ୍ତର୍ଗତ ଦଣ୍ଡିତ ହେବେ ବୋଲି ଏସଆରସି ସ୍ପଷ୍ଟ କରିଛନ୍ତି । ଏହାସହିତ ଜାନୁୟାରୀ ୧୦ତାରିଖରେ ରାଜ୍ୟ ନିର୍ବାଚନ କମିଶନର ଜାରି କରିଥିବା କୋଭିଡ ଗାଇଡଲାଇନକୁ ପଂଚାୟତ ନିର୍ବାଚନ ପରିଚାଳନାବେଳେ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ଷକରେ ଭିଜିଲାନ୍ସ ଜାଲରେ ୧୦୦ ଲାଞ୍ଚୁଆ ସରକାରୀ ବାବୁ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ୨୦୨୧ ବର୍ଷର ରିଭ୍ୟୁ ରିପୋର୍ଟ ପ୍ରକାଶ ପାଇଛି। ଏହି ରିଭ୍ୟୁ ରିପୋର୍ଟ ମୁତାବକ, ଗତ ବର୍ଷକ ମଧ୍ୟରେ ଲାଞ୍ଚ ନେଲା ବେଳେ ଶହେ ଲାଞ୍ଚୁଆ ବାବୁ ଧରା ପଡ଼ିଛନ୍ତି। ସେହିପରି ବର୍ଷକରେ ୨୬୭ଟି ଅପରାଧିକ ମାମଲାରେ ୪୭୫ ଜଣଙ୍କ ନାଁରେ କେସ୍ ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀ ସରକାରୀ ଅଧତ୍କାରୀଙ୍କ ସଂଖ୍ୟା ୪୬ ରହିଛି। ୨୦୨୧ ବର୍ଷରେ ୯୨ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୧୦୭.୬୦ କୋଟି ଟଙ୍କା ଠାବ ହୋଇଛି। ଏପରିକି ଲାଞ୍ଚ ନେବାବେଳେ ୧୦୯ ଜଣ ଧରାପଡ଼ି ଗିରଫ ହୋଇଛନ୍ତି। ତେବେ ବଡ଼ କଥା ହେଉଛି ଗିରଫ ହୋଇଥିବା ୧୦୯ ଜଣଙ୍କ ମଧ୍ୟରୁ ୧୦୦ ଜଣ ସରକାରୀ ଅଫିସର୍ ରହିଛନ୍ତି। ସେହିପରି ଟଙ୍କା ନେଇ ଯିବା ବେଳେ ରାସ୍ତାରେ ଧରାପଡ଼ିଛନ୍ତି ୧୫ ଜଣ ସରକାରୀ ବାବୁ। ଆଉ ସେମାନଙ୍କ ନିକଟରୁ ମୋଟ ୫୮.୮୪ ଲକ୍ଷ ଟଙ୍କା ଭିଜିଲାନ୍ସ ଜବତ କରିଛି। ୧୫ ଜଣ ସରକାରୀ ବାବୁଙ୍କ ମଧ୍ୟରେ ୮ ଜଣ କ୍ଲାସ୍-୧, ୪ ଜଣ କ୍ଲାସ୍-୨ ଓ ତିନିଜଣ କ୍ଲାସ୍-୩ କର୍ମଚାରୀ ରହିଛନ୍ତି।

ଗର୍ଜିଲେ ଆଦିବାସୀ, କହିଲେ -କାରଖାନା କର, ନଚେତ ଆମ ଜାଗା ଫେରାଅ…!

!!! ରାୟଗଡ଼ ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା)- ‘କାରଖାନା ପ୍ରତିଷ୍ଠା ପାଇଁ ଆମ ଅଞ୍ଚଳବାସୀ ୧୭ ବର୍ଷ ହେଲା ଜାଗା ଦେଇଛନ୍ତି। ସେଠାରେ ନା କାରଖାନା ହେଉଛି ନା ଲୋକଙ୍କୁ ଜାଗା ଫେରସ୍ତ ମିଳୁଛି। ମାଳ ମାଳ ମନ୍ତ୍ରୀ ଆସି ଥରକୁ ଥର ନଡ଼ିଆ ଭାଙ୍ଗି କି ଯାଉଛନ୍ତି। ହେଲେ କାରଖାନାର ନାଁ ଗନ୍ଧ ନାହିଁ। ଏହାକୁ ଆଉ ବରଦାସ୍ତ କରାଯିବନି। ମାସେ ଭିତରେ ଆମକୁ ଶେଷ ନିଷ୍ପତ୍ତି ଶୁଣାଅ, ନଚେତ ଜାଗା ଫେରାଅ। ’  ଏପରି କହି ଆଜି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା । ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା କାଶୀପୁରର କଂସାରିଗୁଡ଼ାରେ ଇସ୍ପାତ କାରଖାନା ପ୍ରତିଷ୍ଠା ନିମନ୍ତେ ୨୦୦୫ ମସିହାରେ ଜମି ଅଧିଗ୍ରହଣ କରାଯାଇଥିଲା । ଏହା ବଦଳରେ ଜମିହରାଙ୍କୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଇଥିଲା। କାରଖାନାରେ ଚାକିରି ଖଣ୍ଡେ ପାଇବା ଆଶାରେ ନିରୀହ ଆଦିବାସୀ ସରକାରଙ୍କ ହାତକୁ ନିଜ ଜାଗା ଟେକି ଦେଇଥିଲେ। ହେଲେ ଏଯାଏ କାରଖାନା ପ୍ରତିଷ୍ଠ ହୋଇପାରିନି।ଅପରପକ୍ଷେ, ଲୋକେ ଯେଉଁ ଟଙ୍କା ସରକାରଙ୍କଠାରୁ ପାଇଥିଲେ ତାହା ସାରିଦେଲେଣି।

ଫଳରେ ଏବେ ହାତରୁ ଜମି ଚାଲିଯାଇଥିବା ବେଳେ ରୋଜଗାର କିଛି ନ ଥିବାରୁ ନିରୀହ ଆଦିବାସୀ ଭୋକ, ଉପାସରେ ଦିନ କାଟୁଛନ୍ତି। ତେଣୁ ସରକାର ଏ ଦିଗରେ ନିଜ ଶେଷ ନିଷ୍ପତ୍ତି ଜଣାଇବାକୁ ଆଜି ଶହ ଶହ ଆଦିବାସୀ କୋରାପୁଟ ସାଂସଦଙ୍କ ନେତୃତ୍ୱରେ  ରାଜରାସ୍ତାକୁ ଓହ୍ଲାଇ ରାଫୁକଣା ଛକରେ ରାସ୍ତା ଅବରୋଧ କରିଛନ୍ତି ।  ରାସ୍ତା ଅବରୋଧ ଫଳରେ ରାୟଗଡ଼ାରୁ କୋରାପୁଟ୍ ସଂଯୋଗ କରୁଥିବା ୩୨୬ ନମ୍ବର ରାଜ୍ୟ ରାଜପଥ ଓ ରାୟଗଡ଼ାରୁ କାଶୀପୁର ଲମ୍ବିଥିବା ୪୪ ନମ୍ବର ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରୁନି। ଏନେଇ କୋରାପୁଟ ସାଂସଦ ସପ୍ତଗିରି ଉଲାକା କହିଛନ୍ତି, ସବୁଠି କାରଖାନା ପ୍ରତିଷ୍ଠା କଥା ଉଠିଲେ ଆରମ୍ଭରୁ ପ୍ରବଳ ବିରୋଧ ହେଉଛି । ହେଲେ ଏଠାରେ ଲୋକେ ରାଜି ଅଛନ୍ତି। ଲୋକେ ଚାହୁଁଛନ୍ତି ଏଠାରେ କାରଖାନା ହେଉ ।  କଂସାରିଗୁଡ଼ାରେ ଇସ୍ପାତ କାରଖାନା ନିମନ୍ତେ ୧୭ ବର୍ଷ ହେଲା ଜାଗା ଦେଇଇଛନ୍ତି। ହେଲେ ସରକାର ଆନ୍ତରିକତା ଦେଖାଉ ନାହାନ୍ତି।   ତେଣୁ  ତୁରନ୍ତ କାରଖାନା କର, ନଚେତ କ୍ଷତିପୂରଣ ସହ ଜାଗା ଫେରାଅ ।  ଏହା ଆମର ଶେଷ ଚେତାବନୀ।  ମାସେ ଭିତରେ ଜବାବ ଦିଅ।” ନଚେତ ଜିରୋ ପଏଣ୍ଟକୁ ବନ୍ଦ କରିବୁକୁ ଧମକ ଦେଇଛନ୍ତି ଏମ୍‌ପି। ଏନେଇ ରାୟଗଡ଼ା ଉପଜିଲ୍ଲାପାଳ କହିଛନ୍ତି, ଲୋକଙ୍କ ଦାବି, ସମସ୍ୟା ସମ୍ପର୍କରେ ସରକାରଙ୍କୁ ଜଣାଇବୁ । ଯଥା ଶୀଘ୍ର ତାହା ଯେପରି କାର୍ଯ୍ୟକାରୀ ହେବ, ପ୍ରଶାସନ ସେ ଦିଗରେ ପଦକ୍ଷେପ ନେବ।

ଆଜିର ରାଶିଫଳ – ୧୩ ଜାନୁଆରୀ, ଗୁରୁବାର

ମେଷ: ପରିଶ୍ରମ ଅନୁସାରେ ପାରିଶ୍ରମିକ ନ ମିଳିବାରୁ ମନ ଭଲ ରହିବ ନାହିଁ। ଘରକୁ ଅତିଥି ଆସିବେ। ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ହୋଇପାରେ।

ବୃଷ: ପ୍ରତ୍ୟେକ କାର୍ଯ୍ୟରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିବେ।

ମିଥୁନ: ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଅର୍ଥହାନି ହୋଇପାରେ। ସନ୍ତାନମାନଙ୍କ ପାଇଁ ବାପାମା’ ଗର୍ବ ଅନୁଭବ କରିବେ।

କର୍କଟ: କର୍ମକ୍ଷେତ୍ରକୁ ନେଇ ସୁସମାଚାର ପ୍ରାପ୍ତିହେବ। ଆର୍ଥିକ ସମସ୍ୟା ଲାଗି ରହିବାରୁ ମନ ଭଲ ରହିବ ନାହିଁ। ଗୁପ୍ତଶତ୍ରୁ ଅସୁବିଧାରେ ପକାଇ ପାରନ୍ତି।

ସିଂହ: ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଶତ୍ରୁମାନେ ପରାଜିତ ହେବେ ଓ ମିତ୍ରତାର ହାତ ବଢ଼ାଇବେ।

କନ୍ୟା: ପେଟ ଜନିତ ସମସ୍ୟା ସୃଷ୍ଟି ହେବ। ଯାନବାହନ ଚଳାଇଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା: କର୍ମକ୍ଷେତ୍ରରେ ମାନସମ୍ମାନ ବଢ଼ିବ। ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ମିଳିବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ବିଛା: ବ୍ୟବସାୟରେ ଭଲ ଲାଭ ପାଇବେ। ବାକିପଡ଼ିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ। ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁଙ୍କ ସହଯୋଗ ମିଳିବ।

ଧନୁ: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ଅର୍ଥ କାରବାରକୁ ନେଇ ମାନସିକ ଚାପରେ ରହିବେ।

ମକର: କର୍ମକ୍ଷେତ୍ରରେ କୌଣସି ଏକ ଖବର ଶୁଣି ମନରେ ଅସ୍ଥିରତା ବୃଦ୍ଧିହେବ। ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଘର ପାଇଁ ନୂତନ ବସ୍ତୁ କ୍ରୟ କରିବେ।

କୁମ୍ଭ: ବ୍ୟବସାୟରେ ସଫଳତା ମିଳିବାରୁ ଶାନ୍ତି ମିଳିବ। ଛାତ୍ରଛାତ୍ରୀ ମାନେ ପାଠପଢ଼ାରେ ଉନ୍ନତି କରିବେ।

ମୀନ: ନୂତନ ଜାଗାକ୍ରୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ସୁସ୍ୱାଦୁ ଭୋଜନ କରିବେ।