ଜି. ଆଇ. ଇ. ଟି. କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସର୍ବ ଭାରତୀୟ (ଆଇ. ସି. ଏ. ଆର. – ସ୍ନାତୋକୋତ୍ତର ପ୍ରବେଶିକା ପରୀକ୍ଷା) ସ୍ତରରେ ସାଫଲ୍ୟ…!

!!! ରାୟଗଡ଼ ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ପ୍ରତିନିଧି ବାସନ୍ତୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ(ଗୁଣୁପୁର)- ଚଳିତ ଶିକ୍ଷାବର୍ଷ (୨୦୨୧-୨୨) ରେ ଜି. ଆଇ. ଇ. ଟି. ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟର ୨୮ ଜଣ ଛାତ୍ରଛାତ୍ରୀ ସର୍ବ ଭାରତୀୟ ସ୍ତରରେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇ. ସି. ଏ. ଆର) ଆନୁକୂଲ୍ୟରେ ପରିଚାଳିତ ସ୍ନାତୋକୋତ୍ତର ଶ୍ରେଣୀର ପ୍ରବେଶିକା ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇଛନ୍ତି ।  ଓଡିଶାର କୃଷି ମହାବିଦ୍ୟାଳୟ ମାନଙ୍କ ମଧ୍ୟରୁ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଏକ ସର୍ବଭାରତୀୟ ପରୀକ୍ଷାରେ ଯୋଗ୍ୟ ବିବେଚିତ ହେବା ଏକ ବିରଳ କୃତିତ୍ୱ । ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ଏହା ଏକ ଅନନ୍ୟ ଉପଲବ୍ଧି । ଏହି ସଫଳତା ପଛରେ ବିଶ୍ୱବିଦ୍ୟାଳୟର ଉନ୍ନତ ମାନର ଶିକ୍ଷାପଦ୍ଧତି,ଶୃଙ୍ଖଳା ନୀତି, ଅଭିଜ୍ଞ ଅଧ୍ୟାପକ, ଅଧ୍ୟାପିକା ମାନଙ୍କର କୁଶଳ ତାଲିମ, ଉଚ୍ଚ ମାନର ପ୍ରୟୋଗଶାଳା ଏବଂ ପାଠପଢା ପାଇଁ ଉପଯୁକ୍ତ ପରିବେଶ ସେମାନଙ୍କୁ ସାହାଯ୍ୟ କରିଛି ବୋଲି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ମତବ୍ୟକ୍ତ କରିଛନ୍ତି ମହାବିଦ୍ୟାଳୟରେ ଶିକ୍ଷା ଦେଉଥିବା ଅଧ୍ୟାପିକା, ଅଧ୍ୟାପକ ମାନଙ୍କ ମଧ୍ୟରେ ଉପରୋକ୍ତ ଉପଲବ୍ଧି ଏକ ଖୁସିର ଲହର ଖେଳାଇଦେଇଛି । ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟର ସଭାପତି ଡ଼: ସତ୍ୟପ୍ରକାଶ ପଣ୍ଡା, ଉପ ସଭାପତି ଡ଼: ଚନ୍ଦ୍ରଧ୍ବଜ ପଣ୍ଡା ଏବଂ ମହାନିର୍ଦ୍ଧେଶକ ଡ଼: ଜଗଦୀଶ ପଣ୍ଡା ପ୍ରମୁଖ କୃତି ଛାତ୍ରଛାତ୍ରୀ ତଥା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଧା ରାଓ ,ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼: ସନ୍ତୋଷ କୁମାର ପଣ୍ଡା, ଉପଧାକ୍ଷ ଶ୍ରୀ ଅଶୋକ କୁମାର ମିଶ୍ର, ଅଧ୍ୟାପକ, ଅଧ୍ୟାପିକା ମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଉକ୍ତ ସଫଳତାରେ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକବୃନ୍ଦ ଗଭୀର ଆତ୍ମସନ୍ତୋଷ ପ୍ରକାଶ ପୂର୍ବକ ଜି. ଆଇ. ଇ. ଟି ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ଆଗାମୀ ଦିନରେ କୃଷି ମହାବିଦ୍ୟାଳୟର ଅଧକ୍ଷ ତଥା ଅଧ୍ୟାପକ, ଅଧ୍ୟାପିକା ମାନେ ଏହି ସଫଳତାର ଧାରା ବଜାୟ ରଖିବା ପାଇଁ ପ୍ରତିଶୃତିବଦ୍ଧ ।

ସତର୍କ କଲେ ମୁଖ୍ୟମନ୍ତ୍ରୀ ; ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚଳନା ରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସାରା ଦେଶରେ କୋଭିଡ-୧୯ର ତୃତୀୟ ଲହର ଖୁବ ଜୋରରେ ବ୍ୟାପି ଚାଲିଥିବା ସହ ଓଡିଶାରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ପ୍ରକଟ କରି ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବର୍ଣ୍ଣନା କରି ବା ସହ ସତର୍କ ରହିବା ପାଇଁ ଉଭୟ ଜନସାଧାରଣ ଓ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ଜନସାଧାରଣଙ୍କୁ ଏହି ପରିପ୍ରେକ୍ଷୀରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ଯଦିଓ ତୃତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ହସ୍ପିଟାଲାଇଜେସନ ବହୁତ କମ୍‌ ରହିଛି, ତଥାପି ଆମକୁ ଭବିଷ୍ୟତ ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ପଡିବ । ସେହିପରି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ସନ୍ତୋଷଜନକ ରହିଥିଲେ ମଧ୍ୟ ଆଦୌ ଟିକା ନେଇ ନ ଥିବା ତଥା ଦ୍ବିତୀୟ ଡୋଜ ନେଇ ନ ଥିବା ଲୋକମାନଙ୍କର ଟିକାକରଣକୁ ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ସହିତ ବରିଷ୍ଠ ନାଗରିକ ତଥା ସମ୍ମୁଖ ଯୋଦ୍ଧା ମାନଙ୍କର ଟିକାକରଣ ଖୁବ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହି ଏହା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି । ପୂର୍ବ ଥର ଭଳି ଏଥର ମଧ୍ୟ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯିବା ଏବଂ ଏଥିରେ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି କୋଭିଡ ନିୟମର କଡାକଡି ଅନୁପାଳନ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ବର୍ତ୍ତମାନର ଲହରରେ ସଂକ୍ରମିତ ଅଧିକାଂଶ ବ୍ୟକ୍ତି ନିଜ ଘରେ ପୃଥକୀକରଣ ରହିଛନ୍ତି, ତେଣୁ ଆମକୁ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପଡିବ ଏବଂ ଏଥିପାଇଁ ରେପିଡ ରେସ୍ପୋନ୍ସ ଟିମ ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ନିଜ ଘରେ ପୃଥକୀକରଣରେ ଥିବା ରୋଗୀ ମାନଙ୍କୁ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାସ୍ତରରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିବା ଜଣାପଡିଛି । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର.କେ. ଶର୍ମା ରାଜ୍ୟରେ କୋଭିଡ ସ୍ଥିତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଉପସ୍ଥାପନା କରିଛନ୍ତି । କୋଭିଡ ନିୟମ ଅନୁପାଳନର କଡ଼ାକଡ଼ି ତଦାରଖ ପାଇଁ ରାଜ୍ୟ ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ ବନ୍ ଶଲ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇଥିବା ଜଣାପଡିଛି । ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ଏଣୁ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଥିବା ବେଳେ ସ୍ଥାନୀୟ ପ୍ରଶାସନ ଅନେକଙ୍କୁ ଜନଗହଳି ପୂର୍ଣ୍ଣ ଖେକ ଖେଳିବା ଓ ଉତ୍ସବ ମହୋତ୍ସବ ପାଳନ କରିବା ନିମନ୍ତେ ଅନୁମତି ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତାକୁ ବେଖାତିର କରୁନାହାନ୍ତିକି ବୋଲି ପ୍ରଶ୍ନ ଉଠୁଛି । ତେବେ କାହାକୁ କହିବା କପାଳରେ ସିନା କର ମାରିବା ।

ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ର ଯୁବ ଦିବସ ପାଳନ।

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ରଶ୍ମି ରଞ୍ଜନ ମୁଦୁଲୀ ଙ୍କ ନେତୃତ୍ୱରେ ଆଜି ସଖାଳେ ଭୁବନେଶ୍ୱର ଯୁବମୋର୍ଚା ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୀ ଙ୍କ ଜୟନ୍ତୀ ଅବସରରେ କଳିଙ୍ଗ ଷ୍ଟାଡିଅମ ଠାରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଗଲା. ଏଥିରେ ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ, ସାଧାରଣ ସମ୍ପାଦକ ଶିବାଶିଷ ମହାନ୍ତି, ସୁରେଶ ସାହୁ, ଉପସଭାପତି ଅନିଲ ରାଉତ, ଆଦର୍ଶ ପଟନାୟକ, ସମ୍ପାଦକ ଅଭିଷେକ ପରିଡା, ଚିତ୍ତ ରଞ୍ଜନ ସାହୁ, ଭୀମସେନ ନାୟକ, ଦିବ୍ୟ ସିଂ, ଆକାଶ ପ୍ରଧାନ ଉପସ୍ଥିତ ଥିଲେ।

ପଞ୍ଚାୟତିରାଜ ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟିହେଲା;ଓଡ଼ିଶାବାସୀ ଠିକ୍ ସମୟରେ ଠିକଣା ଜବାବ ଦେବେ – କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନର ଘୋଷଣା ଏବଂ ତତ୍‌ସଂଲଗ୍ନ ମାର୍ଗଦର୍ଶିକା ଓଡ଼ିଆ ପଞ୍ଚାୟତିରାଜ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲା । ଖଳନାୟକ ଭାବରେ ରାଜ୍ୟର ବିଜେଡି ସରକାର ଓ ତାଙ୍କର ବଚସ୍କର ପାଲଟିଥିବା ରାଜ୍ୟ ନିର୍ବାଚନ କମିଶନ୍ ଏହି କଳଙ୍କିତ ଅଧ୍ୟାୟର ସୂତ୍ରଧର ବୋଲି କଂଗ୍ରେସ ଶାଣିତ କଟାକ୍ଷ କରିଛି । ଦେଶରେ କରୋନା ସଂକ୍ରମଣ ୧ ଲକ୍ଷ ୬୮ ହଜାର । ରାଜ୍ୟରେ ତାହା ୭୦୭୧ । ବିଶେଷଜ୍ଞମାନେ ଏହି ସଂକ୍ରମଣ ଆସନ୍ତା ଫେବୃଆରୀରେ ଶୀର୍ଷରେ ଛୁଇଁବ ବୋଲି ସତର୍କ କରାଇଛନ୍ତି । ବିଜେଡିକୁ ଛାଡ଼ି ରାଜ୍ୟର ସମସ୍ତ ବିରୋଧୀମାନେ ବର୍ତ୍ତମାନ ସମୟରେ ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଚାୟତ ନିର୍ବାଚନକୁ ଘୁଞ୍ଚାଇବାକୁ ଦାବି ରଖିଥିଲେ । ମାତ୍ର ନିର୍ବାଚନ କମିଶନ୍ ସେମାନଙ୍କ ଦାବିକୁ କର୍ଣ୍ଣପାତ କଲେନାହିଁ ଏବଂ ନିର୍ବାଚନ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରିକଲେ । ଏହା ନିର୍ବାଚନ କମିଶନଙ୍କ ନିଜସ୍ୱ ନିଷ୍ପତ୍ତି ନୁହେଁ । ରାଜ୍ୟ ସରକାରଙ୍କ ପ୍ରରୋଚନାରେ ଏହା କରିଛନ୍ତି ଯାହାକି ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚଳିତ ପଞ୍ଚାୟତ ନିର୍ବାଚନରେ ଓ.ବି.ସି. ଓ ଜନଜାତି ସମ୍ପ୍ରଦାୟର ସାମ୍ବିଧାନିକ ଅଧିକାର ପ୍ରତି ହେୟଜ୍ଞାନ କରାଯାଇଛି । ରାଜ୍ୟର ୫୪ ଶତାଂଶ ଲୋକ ଓବିସି ଓ ୨୨.୫ ଶତାଂଶ ଲୋକ ଜନଜାତି ସମ୍ପ୍ରଦାୟର । ଏହି ଦୁଇ ବର୍ଗର ଜନ ସମୁଦାୟକୁ ଚଳିତ ପଞ୍ଚାୟତ ନିର୍ବାଚନାରେ ପ୍ରତାରିତ କରାଯାଇଛି । ଆଦିବାସୀମାନଙ୍କୁ ୨୩ଟି ଜିଲ୍ଲା ଓ ୧୯୫ଟି ବ୍ଲକ୍‌ରେ ସରପଞ୍ଚ ପଦବୀ ଓ ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ଦିଆଯାଇ ନାହିଁ । ଓ.ବି.ସି. ବର୍ଗଙ୍କ ପ୍ରତି ଅବିଚାର କରାଯାଇଛି । ଓ.ବି.ସି. ସଂରକ୍ଷଣ ସଂକ୍ରାନ୍ତରେ ଆସନ୍ତା ୧୭ ତାରିଖରେ ମାନ୍ୟବର ସୁପ୍ରିମ କୋର୍ଟ ଶୁଣାଣି କରିବେ । ଯଦି ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କର ଓବିସି ବର୍ଗର ସାମ୍ବିଧାନିକ ଅଧିକାର ପ୍ରତି ସମ୍ବେଦନଶୀଳତା ଥାଆନ୍ତା, ତେବେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତିକୁ ୧୭ ତାରିଖ ପରକୁ ଘୁଞ୍ଚାଇ ଦେଇ ପାରିଥାନ୍ତେ । କିନ୍ତୁ ତାହା ନ କରି ତରବରିଆ ଭାବରେ ବିଜ୍ଞପ୍ତି ଜାରି କରିବା ଦୁର୍ଭାଗ୍ୟଜନକ ।ବୋଲି ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ କହିଛନ୍ତି । ପଞ୍ଚାୟତ ନିର୍ବାଚନାରେ ତୃଣମୂଳ ସ୍ତରରେ ଗଣତନ୍ତ୍ର କ୍ରିୟାଶୀଳ ହୋଇଥାଏ । ପଞ୍ଚାୟତର ଲୋକମାନେ ସେମାନଙ୍କର ପ୍ରସଙ୍ଗ ସମସ୍ୟା ସବୁକୁ ନେଇ ନିର୍ବାଚନ ସମୟରେ ମତାମତକୁ ପ୍ରକାଶ କରିଥାଆନ୍ତି । ମାତ୍ର କୋଭିଡ ଆଳରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ ଅତ୍ୟନ୍ତ ସଙ୍କୁଚିତ କରାଯାଇଛି । ନିର୍ବାଚନ ପ୍ରଚାର କାର୍ଯ୍ୟକୁ ସଙ୍କୁଚିତ କରାଯାଇଛି, ଯାହାକି ତୃଣମୂଳ ସ୍ତରରେ ଲୋକଙ୍କ ଗଣତାନ୍ତ୍ରିକ ଭାଗିଦାରିତା ପ୍ରତି ଉପହାସ ବୋଲି କଂଗ୍ରେସ କହିଛି । ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କର ସଖୀ କଣ୍ଢେଇ ହୁଅନ୍ତୁ ନାହିଁ । ନିରପେକ୍ଷ ରୁହନ୍ତୁ ବୋଲି କଂଗ୍ରେସ ଅନୁରୋଧ କରିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ, ମନୋଜ ମହାପାତ୍ର, ଚିନ୍ମୟ ଦାସ ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ପୂର୍ବତଟ ରେଳପଥ ବିରୋଧରେ ଷଡ଼ଯନ୍ତ୍ରର ଗନ୍ଧ;ମୁଖ୍ୟମନ୍ତ୍ରୀ ଓ ରେଳମନ୍ତ୍ରୀ ନୀରବ କାହିଁକି?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଓଡ଼ିଶାବାସୀଙ୍କ ସ୍ୱାଭିମାନ ଓ ସଂଗ୍ରାମର ପ୍ରତୀକ ପୂର୍ବତଟ ରେଳପଥ । ମାତ୍ର ଦୁଃଖ ଓ ଦୁର୍ଭାଗ୍ୟର ବିଷୟ ଯେ, ଏହାକୁ ଅଧିକ ସଶକ୍ତ କରାଯିବା ପରିବର୍ତ୍ତେ ଦିନକୁ ଦିନ ଦୁର୍ବଳ ଓ ଶକ୍ତିହୀନ କରିଦେବାର ଷଡ଼ଯନ୍ତ୍ର ମୋଦି ସରକାର ଅମଳରୁ କାର୍ଯ୍ୟକାରୀ ହୋଇଛି । ପ୍ରଥମେ ପୂର୍ବତଟ ରେଳପଥର ମୁଣ୍ଡ କୁହାଯାଉଥିବା ୱାଲିଟୟର ଡ଼ିଭିଜନକୁ ଆମ ଠାରୁ ଛଡ଼ାଇ ନେବାର ଘୋଷଣା କରାଗଲା । ଏହାଦ୍ୱାରା ବିପୁଳ ରାଜସ୍ୱହାନୀ ହେବା ସହ ପରଚାଳନାଗତ ତ୍ରୁଟି ମଧ୍ୟ ସାମ୍ନା କରିବାକୁ ପଡୁଛି । ପୂର୍ବତଟ ରେଳପଥରେ ଚଳାଚଳ କରୁଥିବା ପ୍ରାୟ ୭୦୦ଟି ଇଞ୍ଜିନ ମଧ୍ୟରୁ ପ୍ରାୟ ୫୦୦ଟି ଇଞ୍ଜିନ ଏହି ଡ଼ିଭିଜନରୁ ଆସିଥାଏ । ସେହିପରି ଗୋଟିଏ ବୃହତ୍ ଇସ୍ପାତ କାରଖାନା ଓ ବନ୍ଦର ଏହା ଅଧିନରେ ଥିଲା, ଯାହା ଆମ ହାତରୁ ଚାଲିଗଲା । ବାର୍ଷିକ ୨୫ ହଜାର କୋଟିର ରାଜସ୍ୱରୁ ପ୍ରାୟ ୩୫% ଅର୍ଥାତ୍ ୯,୫୦କୋଟ ରାଜସ୍ୱ ହରାଇଲୁ । ସାନ୍ତ୍ୱନା ଦେବା ଲକ୍ଷ୍ୟରେ ଆମକୁ ଲଲିପପ୍ ଧରାଇ ଦିଆଗଲା ରାୟଗଡ଼ା ଡ଼ିଭିଜନ । ୨୦୧୯ ଜୁଲାଇ ୧୭ ତାରିଖରେ ରାୟଗଡ଼ାରେ ନୂଆ ରେଳ ଡ଼ିଭିଜନ ପ୍ରତିଷ୍ଠା ପାଇଁ ଘୋଷଣା କରାଗଲା । ୨୦୨୦-୨୧ ରେଳ ବଜେଟରେ ପୂର୍ବତଟ ରେଳପଥ ୧୭୦ କୋଟି ଟଙ୍କାର ଡ଼ିପିଆର ଦାଖଲ କରିଥିଲା । ହେଲେ ଆଜି ସୁଦ୍ଧା ମିଳିଛି ମାତ୍ର ୩ କୋଟି ୪୦ ଲକ୍ଷ ଟଙ୍କା । ଏବେ ଗୋଟେ ସାଙ୍ଘାତିକ ଷଡ଼ଯନ୍ତ୍ରର ଗନ୍ଧ ବାହାରିଛି । ରାୟଗଡ଼ାକୁ ଆନ୍ଧ୍ରର ଦକ୍ଷିଣ ଉପକୂଳ ରେଲ୍‌ୱେ ଡ଼ିଭିଜନ ଜୋନ ଅଧୀନରେ ରଖିବାକୁ ବଜେଟରେ ମଞ୍ଜୁରୀ ମିଳିବାର ତଥ୍ୟ ସାମ୍ନାକୁ ଆସିଛି । ଏହା ଆଦୌ ଗ୍ରହଣୀୟ ନୁହେଁ । ଏ ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀରବ ରହିବା ଏବଂ ବିଜେଡ଼ି ଭୋଟ୍‌ରେ ସାଂସଦ ବନି ରେଳମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ କୌଣସି ପ୍ରତିକ୍ରିୟା କିମ୍ବା ସ୍ପଷ୍ଟୀକରଣ ନଦେବା କେବଳ ଦୁର୍ଭାଗ୍ୟଜନକ ନୁହେଁ ଓଡ଼ିଶାବାସୀଙ୍କ ପ୍ରତି ବେଇମାନୀ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କହିଛି । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଅମିୟ ପାଣ୍ଡବ ଏ ସମ୍ପର୍କୀୟ ନଥିପତ୍ର ପ୍ରଦର୍ଶନ କରି ବିଜେଡ଼ି ଓ ବିଜେପିର ଦୋମୁହାଁ ଚରିତ୍ର ଉପରେ ପ୍ରଶ୍ନ କରିଛନ୍ତି । ସେହିପରି ୨୦୧୯ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନବୀନ ବାବୁ ଓଡ଼ିଶାରେ ଥିବା ସମସ୍ତ ରେଳପଥକୁ ଏକୀକରଣ କରାଯିବା ସହ ରାଉରକେଲା ଓ ଯାଜପୁରରେ ନୂଆ ଡ଼ିଭିଜନ ଗଠନ ପାଇଁ ଦାବୀ କରିଥିଲେ । ଏ ଦିଗରେ କେନ୍ଦ୍ରମନ୍ତ୍ରୀ କ’ଣ ଚନ୍ତା କରୁଛନ୍ତି ଓ ପଦକ୍ଷେପ ନେଲେଣି ନବୀନ ବାବୁ ଜାଣିବାକୁ ଚାହୁଁନାହାଁନ୍ତି କାହିଁକି? ୧୯୬୦ ମସିହାରେ ବିଜୁବାବୁ ରାଉରକେଳାରେ ଡ଼ିଭିଜନ କଥା ଚାହୁଁଥିଲେ । ବନ୍ଧମୁଣ୍ଡାରେ ମଧ୍ୟ ରେଳବାଇର ଦୁଇଟି ସେଡ୍ ରହିଛି ଗୋଟେ ଇନୋକ୍ରିଟିକ ସେଡ୍‌, ଗାଟେ ଡ଼ିଜେଲ ସେଡ୍ । ବିଶାଖାପାଟଣାରେ ଦୁଇଟି ସେଡ୍ ଥିଲା, ତାହା ଏବେ ଚାଲିଯିବାରୁ ବନ୍ଧମୁଣ୍ଡାକୁ ପୂର୍ବତଟ ରେଳପଥ ଅଧିନକୁ ଅଣାଯିବା ଦରକାର । ବିଶାଖାପାଟଣାଠାରେ ଥିବା ବନ୍ଦର ଓ ଇସ୍ପାତ କାରଖାନା, ପୂର୍ବତଟ ରେଳପଥରୁ ଚାଲିଯିବା କାରଣରୁ ଏବେ ରାଉରକେଲା ଓ ଝାରସୁଗୁଡ଼ା ଜୋନକୁ ଦକ୍ଷିଣପୂର୍ବ ରେଳପଥରୁ ଆଣି ପୂର୍ବତଟ ରେଳପଥରେ ମିଶାଇ ଦିଆଗଲେ ଆମେ ଗୋଟେ ଇସ୍ପାତ କାରଖାନା ପାଇଯିବୁ । ସେହିପରି ଦକ୍ଷିଣପୂର୍ବ କେନ୍ଦ୍ରୀୟ ରେଳପଥ ଅଧୀନରେ ଏବଂ ବିଳାସପୁର ଡ଼ିଭିଜନରେ ଥିବା ‘ଇବ୍‌’ ଅଞ୍ଚଳକୁ ପୂର୍ବତଟ ରେଳପଥରେ ଅନ୍ତର୍ଭୁକ୍ତ କରାଗଲେ, କୋଇଲା ପରିବହନର ସୁଯୋଗ ପ୍ରଶସ୍ତ ହୋଇପାରିବ ଏବଂ ରାଜସ୍ୱ ବୃଦ୍ଧି ପାଇବ । କେବଳ ସେତିକି ନୁହେଁ, କେନ୍ଦ୍ର ସରକାର ଯେତେବେଳେ କଥା କଥାରେ ‘ମିଶନ ପୂର୍ବୋଦୟ’ର ସ୍ଲୋଗାନ ଦେଉଛନ୍ତି, ଆମ ଦଳର ନେତା ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱରରେ ଡ଼ିଭିଜନ ପାଇଁ ମଧ୍ୟ ଦୁଇ ଦୁଇଥର ଚିଠି ଲେଖିଛନ୍ତି, ମାତ୍ର ମନ୍ତ୍ରୀ କାହିଁକି ନୀରବ? ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ୱରକୁ ପୂର୍ବତଟ ରେଳପଥ ଅଧୀନକୁ ଅଣାଯାଇ ସେଠାରେ ମଧ୍ୟ ଗୋଟେ ଡ଼ିଭିଜନ ପ୍ରତିଷ୍ଠା କରାଗଲେ, ଶିଳ୍ପ ପ୍ରତିଷ୍ଠାର ସମ୍ଭାବନା ମଧ୍ୟ ବୃଦ୍ଧିପାଇବ । ମନ୍ତ୍ରୀ ବାଲେଶ୍ୱର ଯାଇଥିଲେ, ମାତ୍ର ଏକଥା କହିଲେ ନାହିଁ କାହିଁକି? ସେହିପରି ରେଳସେବାରୁ ବଞ୍ôଚତ ଥିବା ରାଜ୍ୟର ୬ଟି ଜିଲ୍ଲାକୁ କେବେ ସୁଦ୍ଧା ସଂଯୋଗ କରାଯିବ ତାର ସ୍ପଷ୍ଟିକରଣ ରେଳମନ୍ତ୍ରୀ ଦେବେ କି? କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାତ୍ରୀ ପରିବହନ ସେବା ଯୋଗାଇ ଦିଆଯିବା ଦାବିରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଓ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ମନ୍ତ୍ରୀଙ୍କୁ ଚିଠି ଲେଖି ସାକ୍ଷାତ୍ ପାଇଁ ସମୟ ମାଗିଥିଲେ ବି ତାର ପ୍ରତ୍ୟୁତ୍ତର ନ ମିଳିବା ଏବଂ ମାନ୍ୟବର ସାଂସଦ ଏ ସମ୍ପର୍କରେ ପ୍ରଶ୍ନ କରିବା ପରେ ମନ୍ତ୍ରୀ ଖାମଖିଆଲୀ ଭାବେ ଉତ୍ତର ଦେବା ଦୁର୍ଭାଗ୍ୟଜନକ । ଭିତ୍ତିଭୂମି ନାହିଁ ବୋଲି କହି ଏଡ଼ାଇ ଯିବାର ଧୃଷ୍ଟତା ଗ୍ରହଣୀୟ ନୁହେଁ । କାରଣ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶର ମନ୍ତ୍ରୀ ଓ ମନ୍ତ୍ରଣାଳୟର ଦାୟିତ୍ୱ । ତେଣୁ ରେଳମନ୍ତ୍ରୀ ଏ ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହ ରାୟଗଡ଼ାକୁ ନେଇ ଯେଉଁ ଷଡ଼ଯନ୍ତ୍ର ଓ ସନ୍ଦେହ ସୃଷ୍ଟି ହୋଇଛି, ସେ ସମ୍ପର୍କରେ ସ୍ପଷ୍ଟ ମତ ରଖିବାକୁ ଶ୍ରୀ ପାଣ୍ଡବ ଦାବି କରିଥିଲେ । ଏଥିରେ ଅନ୍ୟତମ ମୁଖପାତ୍ର ଶ୍ରୀ ପ୍ରଶାନ୍ତ ଶତପଥୀ ଓ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

ଅର୍ଜୁନ-ମଲାଇକାଙ୍କ ବ୍ରେକ୍‌ଅପ୍‌ ; ଆଇସୋଲେସନ୍‌ରେ ବଲିଉଡର ମୁନ୍ନି ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ବଲିଉଡ ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ମଲାଇକା ଅରୋନା। ଦୁହେଁ ବହୁ ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଛନ୍ତି। ବି-ଟାଉପରେ ମୋଷ୍ଟ ଫେଭରେଟ୍‌ କପଲ୍‌ଙ୍କ ମଧ୍ୟରେ ଏମାନେ ଜଣେ। ପ୍ରାୟତଃ ଦୁହିଁଙ୍କ ସବୁ ଜାଗାରେ ଏକାଠି ଦେଖିବାକୁ ମିଳେ। ସେ ପାର୍ଟି ହେଉ ଅବା କୌଣସି ଫଙ୍କସନ୍‌। ଦୁହେଁ ରୋମାଣ୍ଟିକ ଅନ୍ଦାଜରେ ନଜର ଆସନ୍ତି। ତେବେ ଗତ କିଛି ଧରି ଦୁହିଁଙ୍କ ମଧ୍ୟରେ ସବୁ କିଛି ଠିକ୍‌ ନାହିଁ।  ଏବେ କୁଆଡେ ଏହି ଦୁଇ ପ୍ରେମୀ ଯୁଗଳ ଅଲଗା ହୋଇଯାଇଛନ୍ତି। ଅର୍ଜୁନ ଓ ମଲାଇକାଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିବା ନେଇ ଖବର ଶୁଣିବାକୁ ମିଳିଛି। ବଲିଉଡ ଲାଇଫର ରିପୋର୍ଟ ମୁତାବକ, “ଗତ ୬ଦିନ ଧରି ମଲାଇକା ଘରୁ ବାହାରକୁ ଆସି ନାହାଁନ୍ତି। ସେ ସମ୍ପୂର୍ଣ୍ଣ ଆଇସୋଲେସନ୍‌ରେ ଅଛନ୍ତି। ଗୋଟେ ଘରେ ନିଜକୁ ଲକ୍‌ କରିଦେଇଛନ୍ତି ମଲାଇକା। କୁହାଯାଉଛି ଯେ, ମଲାଇକା ବହୁତ ଦୁଃଖିତ ଏବଂ ସେ କିଛି ସମୟ ପାଇଁ ଦୁନିଆରୁ ଦୂରେଇ ରହିବାକୁ ଚାହୁଁଛନ୍ତି। ଏଥି ସହିତ ଅର୍ଜୁନ କପୁର ମଧ୍ୟ ଗତ କିଛି ଦିନ ହେବ ମଲାଇକାଙ୍କୁ ଭେଟିବାକୁ ଯାଇ ନାହାଁନ୍ତି।ପ୍ରାୟ ତିନି ଦିନ ପୂର୍ବେ ଅର୍ଜୁନ କପୁର ତାଙ୍କ ଭଉଣୀ ରିୟା କପୁରଙ୍କ ଘରକୁ ଯାଇଥିଲେ, ଯେଉଁଠାରେ ଡିନର ପାର୍ଟିର ଆୟୋଜନ କରାଯାଇଥିଲା। ମଲାଇକା ମଧ୍ୟ ଅର୍ଜୁନଙ୍କ ସହ ଏହିପରି ପରିବାରର ଡିନର ପାର୍ଟିରେ ଯୋଗ ଦିଅନ୍ତି, କିନ୍ତୁ ଏଥର ତାହା ହୋଇ ନାହିଁ। ଅର୍ଜୁନ ମଧ୍ୟ ନିଜ ଭଉଣୀ ଘରକୁ ଯାଇ ମଲାଇକାଙ୍କୁ ଭେଟିବାକୁ ଯାଇନାହାନ୍ତି।

ଅର୍ଜୁନ କପୁର ସର୍ବଦା ସୁନିଶ୍ଚିତ କରନ୍ତି ଯେ, ଯେତେବେଳେ ବି ସେ ମଲାଇକାଙ୍କ ଘର ଆଖପାଖରେ ଥାଆନ୍ତି, ସେତେବେଳେ ସେ କେବଳ ନିଜ ଲେଡି ଲଭ୍‌କୁ ଭେଟି ଘରକୁ ଫେରନ୍ତି, କିନ୍ତୁ ସେଦିନ ତାହା ହୋଇନଥିଲା। ରିୟା କପୁରଙ୍କ ଘରୁ ଅର୍ଜୁନ ସିଧା ତାଙ୍କ ଘରକୁ ଫେରି ଆସିଥିଲେ। ଅର୍ଜୁନ ଏବଂ ମଲାଇକା ପ୍ରାୟତଃ କଫି ଏବଂ ଡିନର୍‌ ଡେଟ୍‌ରେ ଯାଆନ୍ତି। କିନ୍ତୁ ଉଭୟଙ୍କୁ କିଛି ଦିନ ହେଲେ ସ୍ପଟ୍‌ କରାଯାଉ ନାହିଁ। ସେମାନେ ପରସ୍ପରକୁ ଏବେ ଡେଟିଂ କରିବା ଠାରୁ ଦୂରେଇ ରହିଛନ୍ତି। ଏସବୁ ଜିନିଷ ଦର୍ଶାଏ ଯେ ଦୁହିଁଙ୍କ ମଧ୍ୟରେ କିଛି ଠିକ୍‌ ନାହିଁ।ସୂଚନା ମୁତାବକ, ଅର୍ଜୁନ କପୁରଙ୍କ ହାତରେ ଏବେ ଅନେକ ପ୍ରଜେକ୍ଟସ୍‌ ରହିଛି। ଶେଷଥର ପାଇଁ ଅର୍ଜୁନଙ୍କୁ ‘ଭୂତ ପୁଲିସ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ବ୍ୟତୀତ ସୈଫ ଅଲ୍ଲି ଖାନ୍‌, ୟାମୀ ଗୌତମ ଓ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ ଲିଡ୍‌ ରୋଲରେ ଥିଲେ। ଆଗକୁ ତାଙ୍କର ‘ଏକ ଭିଲେନ୍‌ ରିଟର୍ଣ୍ଣ’ ଫିଲ୍ମ ଆସିବା ଅପେକ୍ଷାରେ ରହିଛି। ସେହିପରି ମଲାଇକା ଅରୋରା ମଧ୍ୟ ଗତ କିଛି ଦିନ ତଳେ ଡ୍ୟାନ୍ସ ରିଆଲିଟି ଶୋ’ ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସରରେ ଜଜ୍‌ ଭାବେ ନଜର ଆସିଥିଲେ।

ଅଲିମ୍ପିକ୍ସ ପଦକ ବିଜେତା ଲଭଲିନା ହେଲେ ଡିଏସପି…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ବକ୍ସର୍ ଲଭଲିନ୍ ବୋର୍ଗୋହେନ୍ ଆସାମର ଡିଏସପି ଭାବେ ନିଯୁକ୍ତି ପାଇଛନ୍ତି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବୁଧବାର ତାଙ୍କୁ ଜନତା ଭବନରେ ଡିଏସପି ଭାବେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଆସାମ ସରକାରଙ୍କ ନୂତନ କ୍ରୀଡା ନୀତି ଅନୁଯାୟୀ ଏହି ନିଯୁକ୍ତି ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସାମ ପୁଲିସ୍ ମଧ୍ୟ ଲଭଲିନାଙ୍କ ଏହି ନିଯୁକ୍ତିକୁ ସ୍ୱାଗତ କରିଛି। ଲଭଲିନାଙ୍କୁ ଆସାମ ପୁଲିସ୍ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉପସ୍ଥିତି ନିଶ୍ଚିତ ଭାବରେ ବନ୍ଧୁତ୍ୱପୂର୍ଣ୍ଣ ପୁଲିସିଂ ଦିଗରେ ସାହାଯ୍ୟ କରିବ ବୋଲି ଆସାମ ପୁଲିସ ପକ୍ଷରୁ କୁହାଯାଇଛି। ଏହି ଅବସରରେ ଲଭଲିନା ଡିଏସପି ପଦବୀ ପାଇଁ ଶପଥ ପାଠ ମଧ୍ୟ ଗ୍ରହଣ କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଲଭଲିନା ବକ୍ସିଂର ୱେଲଟର ୱେଟ୍ ବର୍ଗର ୬୯ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏମସି ମ୍ୟାରୀ କମ୍ ଓ ବିଜେନ୍ଦ୍ର ସିଂହଙ୍କ ପରେ ସେ ତୃତୀୟ ଭାରତୀୟ ବକ୍ସର ଭାବେ ଏହି ସଫଳତା ପାଇଥିଲେ। ପଦକ ଜିତିବା ପରେ ଗତ ବର୍ଷ ସେପ୍ଟେମ୍ବରରେ ଆସାମ ମୁଖ୍ୟମନ୍ତ୍ରୀ ଲଭଲିନାଙ୍କୁ ୧ କୋଟି ଟଙ୍କାର ଚେକ୍ ପ୍ରଦାନ କରିବା ସହ ତାଙ୍କୁ ଡିଏସପି ପଦବୀରେ ନିଯୁକ୍ତ କରିବା ପାଇଁ ଘୋଷଣା କରିଥିଲେ। ଡିଏସପି ପଦବୀରେ ନିଯୁକ୍ତି ପାଇବା ପରେ ଲଭଲିନା ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି। ସେ କହିଛନ୍ତି, ଦେଶ ଓ ଆସାମ ପାଇଁ ଅଧିକ ପଦକ ଜିତିବାର ମୋର କର୍ତ୍ତବ୍ୟ। ମୁଁ ମୋର ଟ୍ରେନିଂ ଉପରେ ଫୋକସ୍ କରିବି। ଏବେ ମୋ ଉପରେ ନୂଆ ଦାୟିତ୍ୱ ଆସିଯାଇଛି। ମୁଁ ନୂଆ ପ୍ରତିଭାକୁ ଖୋଜି ବାହାର କରିବାକୁ ପ୍ରୟାସ କରିବି। ମୋତେ ଡିଏସପି ଭାବେ ନିଯୁକ୍ତି କରିଥିବାରୁ ମୁଁ ଆସାମ ସରକାରଙ୍କୁ ଧନ୍ୟବାଦ ଜଣାଉଛି।

ହଟିଲା ‘ଭିଭୋ’, ‘ଟାଟା’ ଆଇପିଏଲର ନୂଆ ଟାଇଟଲ ସ୍ପନସର୍…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ଟାଇଟଲ୍ ସ୍ପନସରରୁ ହଟିଲା ଚାଇନିଜ୍ ମୋବାଇଲ୍ କମ୍ପାନୀ ଭିଭୋ। ଭିଭୋ ବଦଳରେ ଏବେ ଟାଟା ଆଇପିଏଲର ଟାଇଟଲ୍ ସ୍ପନସର୍ ହୋଇଛି। ଆଇପିଏଲର ପରବର୍ତ୍ତୀ ସିଜନରୁ ଟାଟା ଟାଇଟଲ୍ ସ୍ପନସର୍ ହେବ। ଆଇପିଏଲ ଚେୟାରମ୍ୟାନ୍ ବ୍ରଜେଶ ପଟେଲ୍ ଏହି ବଡ଼ ସୂଚନା ଦେଇଛନ୍ତି। ଭାରତର ସବୁଠାରୁ ବଡ଼ ବ୍ୟବସାୟୀ କମ୍ପାନୀ ମଧ୍ୟରୁ ଅନ୍ୟତମ ଟାଟା ଗ୍ରୁପ୍ ଚଳିତ ବର୍ଷ ଠାରୁ ଏହି ଦାୟିତ୍ୱ ସମ୍ଭାଳିବ। ମଙ୍ଗଳବାର ଆଇପିଏଲର ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇପିଏଲ୍ ସହ ଭିଭୋର ଚୁକ୍ତି ଶେଷ ହୋଇନଥିଲା। ଭିଭୋ ସହ ଚୁକ୍ତି ଆହୁରି ଦୁଇ ବର୍ଷ ଥିଲା। କିନ୍ତୁ ଏହା ପୂର୍ବରୁ ଭିଭୋ ଆଇପିଏଲରୁ ହଟିଯାଇଛି। ଏବେ ଟାଟା ଆଗାମୀ ଦୁଇ ବର୍ଷ ପାଇଁ ଆଇପିଏଲର ଟାଇଟଲ୍ ସ୍ପନସର୍ ହେବ। ଅର୍ଥାତ୍ ଏଣିକି ଭିଭୋ ବଦଳରେ ଟାଟା ଆଇପିଏଲ୍ ସମ୍ବୋଧନ କରାଯିବ।

ଭିଭୋ ୨୦୧୮ରୁ ୨୦୨୨ ଯାଏ ଆଇପିଏଲର ଟାଇଟଲ୍ ସ୍ପନସର୍ ଭାବେ ଚୁକ୍ତି କରିଥିଲା। ଟାଇଟଲ ସ୍ପନସର୍ ବାବଦକୁ ଭିଭୋ ବର୍ଷକୁ ୪୪୦ କୋଟି ଅର୍ଥାତ୍ ୫ ବର୍ଷକୁ ୨୨୦୦ କୋଟି ଟଙ୍କାର ଡିଲ୍ କରିଥିଲା। କିନ୍ତୁ ୨୦୨୦ରେ ଗଲୱାନ୍ ଘାଟିରେ ଭାରତ ଓ ଚାଇନାର ସେନା ମଧ୍ୟରେ ସଂଘର୍ଷ ପରେ ଭିଭୋ ବର୍ଷକ ପାଇଁ ବ୍ରେକ୍ ନେଇଥିଲା। ଯେଉଁ କାରଣରୁ ୨୦୨୦ ଆଇପିଏଲ ସଂସ୍କରଣରେ ଡ୍ରିମ୍-୧୧ ଟାଇଟଲ୍ ସ୍ପନନର୍ ଥିଲା। ହେଲେ ୨୦୨୧ରେ ପୁଣି ଭିଭୋ ଆଇପିଏଲର ଟାଇଟଲ୍ ସ୍ପନସର୍ ହୋଇଥିଲା। ଆଇପିଏଲର ୧୫ଶ ସଂସ୍କରଣରେ ୧୦ ଟିମ୍ ଭାଗ ନେବେ। ପରବର୍ତ୍ତୀ ସଂସ୍କରଣ ପାଇଁ ଦୁଇ ନୂଆ ଟିମ୍ ଭାବେ ଅହମଦାବାଦ ଓ ଲକ୍ଷ୍ନୌ ଏଣ୍ଟ୍ରୀ ମାରିଛନ୍ତି। ଅହମ୍ମଦାବାଦକୁ ସିଭିସି କ୍ୟାପିଟାଲ ପାର୍ଟନର୍ସ ଗ୍ରୁପ୍ କିଣିଥିବା ବେଳେ ଲକ୍ଷ୍ନୌର ଟିମକୁ ଆରପିଏସଜି ଗ୍ରୁପ୍ କିଣିଛି। ଅହମ୍ମଦାବାଦର ଟିମକୁ ସିଭିସି କ୍ୟାପିଟାଲ୍ସ ୫୬୨୫ କୋଟି ଟଙ୍କାରେ କିଣିଛି ଏବଂ ଲକ୍ଷ୍ନୌର ଟିମ ୭୦୯୦ କୋଟି ଟଙ୍କାରେ ଆରପିଏସଜି ଗ୍ରୁପ୍ ହାତକୁ ଯାଇଛି। ଏହି ଦୁଇ ନୂଆ ଟିମ୍ ଦ୍ୱାରା ବିସିସିଆଇକୁ ପାଖାପାଖି ୧୨ ହଜାର କୋଟି ଟଙ୍କାରୁ ଅଧିକ ଆୟ ହୋଇଛି, ଯାହା ଆଶା ଠାରୁ ବହୁତ ଅଧିକ ବୋଲି କୁହାଯାଉଛି।

ଓଏଏସ୍ ମେନ୍ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଓଏଏସ୍ ମେନ୍ ପରୀକ୍ଷା ଘୁଞ୍ଚାଇବାକୁ ପରୀକ୍ଷାର୍ଥୀ ଦାବି କରିଛନ୍ତି। ରାଜ୍ୟରେ ସଂକ୍ରମଣ ପିକରେ ଥିବାରୁ ପରୀକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରିବାକୁ ଦାବି କରାଯାଇଛି।। ମୁଖ୍ୟମନ୍ତ୍ରୀ ଓ ଓପିଏସସି ଚେୟାରମ୍ୟାନଙ୍କୁ ପରୀକ୍ଷାର୍ଥୀ ଦାବି କରିଛନ୍ତି। ରାଜ୍ୟରେ ପ୍ରାୟ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ଏବେ ସୁଧା ଶତାଧିକ ପରୀକ୍ଷାର୍ଥୀ ଆକ୍ରାନ୍ତ ହୋଇ ସାରିଲେଣି। ତେଣୁ ୟୁପିଏସସି ଭଳି ଓପିଏସସି ଏହି ପରୀକ୍ଷା ବାତିଲ କରିବାକୁ ଦାବି ହେଉଛି। ଏ ନେଇ ଜଣେ ପରୀକ୍ଷାର୍ଥୀ କହିଛନ୍ତି, ଚଳିତ ମାସ ୨୦ରୁ ଫେବୃଆରୀ ୮ ତାରିଖ ଯାଏ ଓଏଏସ୍ ମେନ୍ ପରୀକ୍ଷା ହେବ। ପାଖାପାଖି ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଯେହେତୁ ପରୀକ୍ଷା ଦେବା ପାଇଁ ଓଡ଼ିଶା ବାହାରୁ ବହୁ ବିଦ୍ୟାର୍ଥୀ ଆସିବେ। ତେଣୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି। ତା’ଛଡ଼ା ଅଧିକାଂଶ ସେଣ୍ଟର ଭୁବନେଶ୍ୱରରେ ରହିଛି। ଆଉ ଭୁବନେଶ୍ୱର ମଧ୍ୟ କୋଭିଡର ହଟସ୍ପଟ। ତା’ଛଡ଼ା ଆମର ଯେଉଁ ସମୟରେ ପରୀକ୍ଷା ହେବ, ସେତେବେଳେ କରୋନାର ତୃତୀୟ ଲହର୍ ପିକ୍‌ରେ ଥିବ। ଆଉ ଏହି ସମୟରେ ପରୀକ୍ଷା କରାଗଲେ, ଜୀବନ ପ୍ରତି ବିପଦ ରହିଛି। ଯେହେତୁ ସମସ୍ତଙ୍କ ପାଇଁ ନିଜ ନିଜର ଜୀବନ ମୂଲ୍ୟବାନ। ତେଣୁ ମୁଖ୍ୟମନ୍ତ୍ରୀ କିଛି ଦିନ ପାଇଁ ପରୀକ୍ଷାକୁ ଘୁଞ୍ଚାଇ ଦିଅନ୍ତୁ ବୋଲି ଆମେ ଅନୁରୋଧ କରୁଛୁ। ଆଉ ଜଣେ ପରୀକ୍ଷାର୍ଥୀ କହିଛନ୍ତି, ଆମେ ବର୍ତ୍ତମାନ ମହାମାରୀ ସମୟ ଦେଇ ଗତି କରୁଛୁ। ପାଖାପାଖି ୫ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ପିଲାଙ୍କର ସେଣ୍ଟର ହେଉଛି ଭୁବନେଶ୍ୱରରେ। ଯଦି ଦିନିକିଆ ପରୀକ୍ଷା ସ୍ଥଗିତ ହୋଇପାରୁଛି, ତାହେଲେ ୨୦ ଦିନ ଧରି ଚାଲିବାକୁ ଥିବା ଓଏଏସ ମେନ୍ ପରୀକ୍ଷା ସ୍ଥଗିତ କରାଯାଉ ବୋଲି ଆମେ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରୁଛୁ। ତା’ଛଡ଼ା ପରୀକ୍ଷା ଦେବାକୁ ଥିବା ଅନେକ ପରୀକ୍ଷାର୍ଥୀ କୋଭିଡରେ ଆକ୍ରାନ୍ତ ମଧ୍ୟ ଅଛନ୍ତି। ଯାହା ଆମେ ଓପିଏସସି ଅଫିସକୁ ଆମେ ମେଲ୍ ଜରିଆରେ ଜଣାଇଛୁ। ହେଲେ ଏ ଯାଏ ଆମକୁ କିଛି ପ୍ରତିକ୍ରିୟା ମିଳିନାହିଁ। ଆମର ବିଶ୍ୱାସ ଯେ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଏହା ଉପରେ ସଠିକ୍ ନିଷ୍ପତ୍ତି ନେବେ।

ଦଳଡିଆଁଙ୍କୁ ସଂଗଠନରେ ଥଇଥାନ କଲା ବିଜେଡି….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜ୍ୟରେ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ଦଳଡ଼ିଆଁ ନେତାମାନଙ୍କୁ ଶାସକ ବିଜେଡି ନିଜର ଦଳୀୟ ସଂଗଠନରେ ଥଇଥାନ କରିଛି। ୩ଜଣଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ, ୪ଜଣଙ୍କୁ ସାଧାରଣ ସମ୍ପାଦକ ଓ ୭ଜଣଙ୍କୁ ସମ୍ପାଦକ ଭାବେ ଦଳରେ ସାମିଲ କରିଛି। ଏହାସହିତ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ସଂଖ୍ୟା ୧୮କୁ , ସାଧାରଣ ସମ୍ପାଦକ ସଂଖ୍ୟା ୪୦କୁ ଓ ସମ୍ପାଦକ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି । ବିଜେଡି ସୂତ୍ରରୁ ଜାରି ସୂଚନା ଅନୁସାରେ ବିଜେଡି ସାଂସଦ ମହେଶ ସାହୁଙ୍କ ସମେତ କଂଗ୍ରେସ ଛାଡ଼ି ଆସିଥିବା ନବରଙ୍ଗପୁରର ପ୍ରଦୀପ ମାଝୀ ଓ ସୁନ୍ଦରଗଡ଼ର ପ୍ରଫୁଲ୍ଲ ମାଝୀଙ୍କୁ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ଥଇଥାନ କରାଯାଇଛି। ସେହିପରି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ଅରିନ୍ଦମ ରାୟଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିବାବେଳେ କଂଗ୍ରେସ ଛାଡ଼ି ଆସିଥିବା ଧର୍ନୁଜୟ ସିନ୍ଧୁ, ଚନ୍ଦ୍ରଶେଖର ମାଝୀ ଓ କୈଳାସ ଚନ୍ଦ୍ର କୁଲେସିକାଙ୍କୁ ସାଧାରଣ ସମ୍ପାଦକ ଭାବେ ଥଇଥାନ ହୋଇଛନ୍ତି । ସେହିପରି ବିଜେପି ଛାଡ଼ି ଆସିଥିବା ଯାଜପୁରର ବିଶ୍ୱରଞ୍ଜନ ମଲ୍ଲିକ ଓ ରମେଶ ଚନ୍ଦ୍ର ପରିଡ଼ା,କଂଗ୍ରେସ ଛାଡ଼ି ଆସିଥିବା ପ୍ରଦୀପ ସାହୁଙ୍କ ସମେତ ମୟୂରଭଞ୍ଜର ଦିଲ୍ଲୀପ କୁମାର ସାହୁ, ସୁନୀଲ କୁମାର ଦାସ,ମହେଶ ହେମ୍ବ୍ରମ ଓ ପୁରୀର ପ୍ରିୟବ୍ରତ ସାମନ୍ତରାୟଙ୍କୁ ବିଜେଡି ସମ୍ପାଦକ ଭାବେ ଅବସ୍ଥାପିତ କରାଯାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ଥଇଥାନକୁ ତତ୍କାଳ ପ୍ରଭାବରୁ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ, ପଂଚାୟତ ନିର୍ବାଚନ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବଢ଼ୁଥିବା ଅସନ୍ତୋଷକୁ ଚାପିବା ପାଇଁ ବିଜେଡି ଅସମୟରେ ଦଳୀୟ ସଂଗଠନରେ ଏହି ଦଳଡ଼ିଆଁ ନେତାମାନଙ୍କୁ ଥଇଥାନ କରିଛି ।