ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ ଗୁଣପୁର ଶାଖା ପକ୍ଷରୁ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ।

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଜାନୁଆରୀ ମାସ ୧୨ ତାରିଖ ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ର ପବିତ୍ର ଅବସର କୁ ସାରା ଭାରତ ବର୍ଷରେ ରାଷ୍ଟ୍ରୀୟ ଯୁବ ଦିବସ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀ ରେ ଆଜି ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ ଗୁଣପୁର ଶାଖା ସ୍ୱାମୀ ଜୀ ଙ୍କ ଜନ୍ମ ଜୟନ୍ତୀ ପାଳନ କରିଛି । କରୋନା କଟକଣା କୁ ଦୃଷ୍ଟିରେ ରଖି ଆଜି ସୀମିତ ସଂଖ୍ୟା ରେ ବିଦ୍ୟର୍ଥୀନୀ ଓ ବିଦ୍ୟର୍ଥୀ ତଥା ପରିଷଦ ର କାର୍ଯ୍ୟକର୍ତା ମାନେ ଗୁଣପୁର ମହାବିଦ୍ୟାଳୟ ପରିସର ରେ ଥିବା ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ ଓ ସ୍ମୃତି ଚାରଣ କରିଛନ୍ତି ।

ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବାମ ଦେବ ମିଶ୍ର , ପରିଷଦ ର ଜିଲ୍ଲା ପ୍ରମୁଖ ଅଧ୍ୟାପକ ଶ୍ରୀ ଶେଷଶାଇ ସେନାପତି ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ନିକଟ ରେ ଦୀପ ପ୍ରଜ୍ବଳନ କରି ସ୍ଵାମୀ ଜୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ନିମନ୍ତେ ଆହ୍ୱାନ ଦେଇଥିଲେ । ନଗର ସଭାପତି ଶ୍ରୀ ପ୍ରଫୁଲ୍ଲ ଲିମା ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ କରିଥିଲେ । କାର୍ଯ୍ୟକ୍ରମ କୁ ବିଭାଗ ପ୍ରମୁଖ ଉମା ଶଙ୍କର ଦାଶ ସଂଯୋଜନା କରିଥିବା ବେଳେ ନଗରପାଳ ଲଷ୍ମୀ ନାରାୟଣ ମହାଙ୍କୁଡ଼ , ନଗର ସମ୍ପାଦକ ସାଇ ପାଣିଗ୍ରାହୀ ଓ ବରିଷ୍ଠ କାର୍ଯ୍ୟକର୍ତା ବି ସତୀଶ କୁମାର ପରିଚାଳନା କରିଥିଲେ । 

କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଗୁଣପୁର ଉପ ଜିଲ୍ଲାପାଳ ଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି ।

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – କୋରୋନା ରେ ସଂକ୍ରମିତ ହୋଇଛନ୍ତି ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ । ଗତକାଲି ଆଣ୍ଟିଜେନ ପରୀକ୍ଷା  ପରେ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ତେଣୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏକାନ୍ତବାସ ରେ ରହିବାକୁ ଡାକ୍ତର ଉପ ଜିଲ୍ଲାପାଳ ଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି । ଉପ ଜିଲ୍ଲାପାଳ ଯଥା ଶୀଘ୍ର ଆରୋଗ୍ୟ ହୋଇ ନିଜ କର୍ମ କ୍ଷେତ୍ର କୁ ପୁଣି ଆସି ଗୁଣପୁର ବାସୀ ଙ୍କ ସେବା ରେ ନିଯୋଜନ ହେବାକୁ ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଉପ ଜିଲ୍ଲାପାଳ ଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି । 

୭୬% ଲୋକଙ୍କୁ ନିରାଶ କରି ନିର୍ବାଚନ ଘୋଷଣା ହେବା ଏକ କଳଙ୍କିତ ଅଧ୍ୟାୟ : କଂଗ୍ରେସ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ରାଜ୍ୟର ୫୪ପ୍ରତିଶତ ପଛୁଆ ବର୍ଗର ଲୋକ ଓ ୨୨ ପ୍ରତିଶତ ଅନୁସୂଚିତ ଜନଜାତି ବର୍ଗର ଲୋକେ ନିଜର ସାମ୍ବିଧାନିକ ଅଧିକାର ପାଇଁ ଲଢ଼େଇ କରୁଥିବାବେଳେ ସେମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରି ରାଜ୍ୟ ସରକାରଙ୍କ ହାତବାରିସି ସାଜି ରାଜ୍ୟ ନିର୍ବାଚନ କମିଶନର ଆଜି ପଂଚାୟତ ନିର୍ବାଚନ ଘୋଷଣା କରିବା ଓଡ଼ିଶା ଇତିହାସରେ ଏକ ନୂଆ କଳଙ୍କିତ ଅଧ୍ୟାୟକୁ ସୃଷ୍ଟି କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସୁଦର୍ଶନ ଦାସ, ମନୋଜ ମହାପାତ୍ର ଓ ଚିନ୍ମୟ ଦାସ କହିଛନ୍ତି ଯେ, ପଂଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନର ଘୋଷଣା ଏବଂ ତତସଂଲଗ୍ନ ମାର୍ଗଦର୍ଶିକା ଓଡ଼ିଆ ପଂଚାୟତିରାଜ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲା । ଖଳନାୟକ ଭାବରେ ରାଜ୍ୟର ବିଜେଡି ସରକାର ଓ ତାଙ୍କର ସଖି କଣ୍ଢେଇ ପାଲଟିଥିବା ରାଜ୍ୟ ନିର୍ବାଚନ କମିଶନ୍ ଏହି କଳଙ୍କିତ ଅଧ୍ୟାୟର ସୂତ୍ରଧର । ପଂଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ପ୍ରତିନିଧିତ୍ୱ ଦେଇନାହାନ୍ତି ଓ ଜନଜାତି ସମ୍ପ୍ରଦାୟର ସାମ୍ବିଧାନିକ ଅଧିକାର ପ୍ରତି ହେୟଜ୍ଞାନ କରାଯାଇଛି । ଏହି ଦୁଇ ବର୍ଗର ଜନ ସମୁଦାୟକୁ ଚଳିତ ପଂଚାୟତ ନିର୍ବାଚନରେ ପ୍ରତାରିତ କରାଯାଇଛି । ଆଦିବାସୀମାନଙ୍କୁ ୨୩ଟି ଜିଲ୍ଲା ଓ ୧୯୫ଟି ବ୍ଲକ୍‌ରେ ସରପଂଚ ପଦବୀ ଓ ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ଦିଆଯାଇ ନାହିଁ । ଆସନ୍ତା ୧୭ତାରିଖରେ ସୁପ୍ରିମକୋର୍ଟରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗରେ ରାୟ ଆସିବାର ଥିବାବେଳେ ରାଜ୍ୟ ସରକାର ଏଭଳି ସମ୍ବେଦନଶୀଳ ମାମଲାରେ ତରବର ହୋଇ ନିର୍ବାଚନ ଘୋଷଣା କରିବା ସରକାରଙ୍କ ଆନ୍ତରିକତାକୁ ପଦାରେ ପକାଇଛି। ମଧ୍ୟପ୍ରଦେଶ ସରକାର ଯଦି ପଛୁଆ ବର୍ଗଙ୍କୁ ଅଧିକାର ଦେବା ପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା କରିପାରୁଛନ୍ତି, ଓଡ଼ିଶା ସରକାର କାହିଁକି ସେଭଳି କଲେନି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଯଦି ସୁପ୍ରିମକୋର୍ଟଙ୍କ ରାୟ ପଛୁଆ ବର୍ଗଙ୍କ ସପକ୍ଷରେ ଆସେ, ତା’ହେଲେ ଆଜି ଘୋଷଣା ହୋଇଥିବା ପଂଚାୟତ ନିର୍ବାଚନକୁ ରାଜ୍ୟ ନିର୍ବାଚନ କମିଶନର କ’ଣ ଅସିଦ୍ଧ ଘୋଷଣା କରିବେ କି? ଚଳିତ ପଂଚାୟତ ନିର୍ବାଚନରେ ଆଉ ପଛୁଆ ବର୍ଗଙ୍କୁ ପ୍ରତିନିଧିତ୍ୱ ଦେଇପାରିବେ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି। କମିଶନ ଚାହିଁଥିଲେ ସୁପ୍ରିମକୋର୍ଟଙ୍କ ରାୟ ଜାନୁୟାରୀ ୧୭ତାରିଖରେ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରି ପାରିଥାନ୍ତେ । କିନ୍ତୁ ତାହା ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟରେ କରୋନା ସଂକ୍ରମଣ ଆସନ୍ତା ମାସରେ ଶୀର୍ଷକୁ ଛୁଇଁବ ବୋଲି ବିଶେଷଜ୍ଞମାନେ ମତ ବ୍ୟକ୍ତ କରିଥିବାବେଳେ ସମସ୍ତ ବିରୋଧୀ ଦଳ ଏକସ୍ୱରରେ ପଂଚାୟତ ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରିଥିଲେ । କିନ୍ତୁ ସରକାରଙ୍କ ଚାପରେ ସଖି କଣ୍ଢେଇ ହୋଇ ରାଜ୍ୟ ନିର୍ବାଚନ କମିଶନର ଏହି ନିର୍ବାଚନ ଘୋଷଣା କଲେ । ପଂଚାୟତ ନିର୍ବାଚନାରେ ତୃଣମୂଳ ସ୍ତରରେ ଗଣତନ୍ତ୍ର କ୍ରିୟାଶୀଳ ହୋଇଥାଏ । ପଂଚାୟତର ଲୋକମାନେ ସେମାନଙ୍କର ପ୍ରସଙ୍ଗ ସମସ୍ୟା ସବୁକୁ ନେଇ ନିର୍ବାଚନ ସମୟରେ ମତାମତକୁ ପ୍ରକାଶ କରିଥାଆନ୍ତି । ମାତ୍ର କୋଭିଡ ଆଳରେ ପଂଚାୟତ ନିର୍ବାଚନ ପ୍ରକ୍ରିୟାକୁ ଅତ୍ୟନ୍ତ ସଙ୍କୁଚିତ କରାଯାଇଛି । ନିର୍ବାଚନ ପ୍ରଚାର କାର୍ଯ୍ୟକୁ ସଙ୍କୁଚିତ କରାଯାଇଛି, ଯାହାକି ତୃଣମୂଳ ସ୍ତରରେ ଲୋକଙ୍କ ଗଣତାନ୍ତ୍ରିକ ଭାଗିଦାରିତା ପ୍ରତି ଉପହାସ ବୋଲି କଂଗ୍ରେସ କହିଛି। ତେଣୁ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କର ସଖୀ କଣ୍ଢେଇ ହୁଅନ୍ତୁ ନାହିଁ । ନିରପେକ୍ଷ ରୁହନ୍ତୁ କଂଗ୍ରେସ କହିବା ସହ ଏଭଳି ଚକ୍ରାନ୍ତ ଓ ୭୬ ପ୍ରତିଶତ ଲୋକଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାରରୁ ବଂଚିତ କରିବା ବିଜେଡି ସରକାରକୁ ବେଶ୍ ମହଙ୍ଗା ପଡ଼ିବ ବୋଲି ସତର୍କ କରାଇ ଦେଇଛି ।

ଗୁଣପୁର ପ୍ରଶାସନ ପକ୍ଷରୁ କୋଭିଡ ସଚେତନତା ।

!!! ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) ରାୟଗଡ଼ ଜିଲ୍ଲା ରେ ଦିନ କୁ ଦିନ ବଢିଚାଲିଛି କୋଭିଡ ସଂକ୍ରମଣ । ଏହାକୁ ଦୃଷ୍ଟି ରେ ରଖୀ ଗୁଣପୁର ଆମ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗୁଣପୁର ରାଜସ୍ଵ ବିଭାଗ ଓ ପୋଲିସ ବିଭାଗ ମିଳିତ ଭାବେ ଗତକାଲି ସହର ର ସମସ୍ତ ଗଳି ରେ ବୁଲି ମାସ୍କ ପରିଧାନ କରିବା , ସାମାଜିକ ଦୂରତା ରକ୍ଷା କରିବା ଏବଂ ଜନ ଗହଳି ସ୍ଥାନ ରେ ସର୍ବାଧିକ ୪ ଜଣ ରୁ ଉର୍ଦ୍ଧ ବ୍ୟକ୍ତି ଏକାଠି ନ ରହିବା ପାଇଁ ସଚେତନ କରିଥିଲେ । ଦୋକାନ ଗୁଡିକ ଆଗରେ ଏବଂ ସପିଙ୍ଗ ମଲ ରେ ଅଯଥା ଭିଡ ନକରିବା କୁ ଦୋକାନୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସଚେତନତା ଅଭିଯାନ ରେ ଗୁଣପୁର ଅତିରିକ୍ତ ତହସିଲଦାର ଶ୍ରୀ କପିଳେଶ୍ଵରତାଣ୍ଡି , ଗୁଣପୁର ଏସ ଡି ପି ଓ ଶ୍ରୀ ଅଜୟ କୁମାର ବାରିକ , ଆଦର୍ଶ ଥାନା ଅଧିକାରୀ ଶ୍ରୀ ଯଶୋବନ୍ତ ହିଆଲ , ସମାଜସେବୀ ଶ୍ରୀ ଉମା ଦାଶ , ଶ୍ରୀ ଅକ୍ଷୟ ଦାସ , ଶ୍ରୀ ପ୍ରଶାନ୍ତ ହୋତା ଙ୍କ ସହ ଗୁଣପୁର ଆମ ପୋଲିସ ର ସଭ୍ୟ ମାନେ ମଧ୍ୟ ଯୋଗଦେଇଥିଲେ ।    

ଆଜିର ରାଶିଫଳ : ୧୨ ଜାନୁଆରୀ, ବୁଧବାର ।

ମେଷ: କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ଅନ୍ୟମନସ୍କ ରହିବେ। ଅର୍ଥ କିମ୍ବା ଦ୍ରବ୍ୟହାନି ହୋଇପାରେ।

ବୃଷ: ସମ୍ମାନ ପ୍ରାପ୍ତିର ଯୋଗ ରହିଛି। କଳା, ସାହିତ୍ୟ ଓ ସଙ୍ଗୀତ ଆଦି କ୍ଷେତ୍ରରେ ବେଶ୍ ଆଦୃତ ହୋଇପାରନ୍ତି। ବ୍ୟବସାୟରୁ ଭଲ ଲାଭ ମିଳିବ।

ମିଥୁନ: ଦିନଟି ଭଲରେ କଟିବ। ଶତ୍ରୁମାନେ ପରାଜିତ ହେବେ। କୌଣସି କାର୍ଯ୍ୟରେ ବନ୍ଧୁବାନ୍ଧବ ସହଯୋଗର ହାତ ବଢ଼ାଇବେ।

କର୍କଟ: ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜିବ। ଆଶା କରୁଥିବା ଦିଗରୁ ନିରାଶ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି।

ସିଂହ: ମନ ଅସ୍ଥିର ରହିପାରେ। ନୂଆ କାର୍ଯ୍ୟ କରିବାକୁ ମନ ବଳାଇ ପାରନ୍ତି। ସବୁ କ୍ଷେତ୍ରରେ ସଫଳତା ମିଳିବ।

କନ୍ୟା: ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିପାରିବେ। ପାଇବାକୁ ଥିବା ଅର୍ଥକୁ ନେଇ କାହା ସହ ଝଗଡ଼ା ହୋଇପାରେ।

ତୁଳା: କର୍ମକ୍ଷେତ୍ରରେ ମାନ ସମ୍ମାନ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ। ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ମିଳିବ। ପ୍ରତ୍ୟେକଟ କାର୍ଯ୍ୟରେ ଶୁଭଫଳ ପାଇବେ।

ବିଛା: ପ୍ରତ୍ୟେକ କାର୍ଯ୍ୟରେ ବନ୍ଧୁ ସହଯୋଗର ହାତ ବଢାଇବେ। ଧାରକରଜ କରିବାକୁ ପଡିବ। ଗୁପ୍ତଶତ୍ରୁଙ୍କର କାର୍ଯ୍ୟ କଳାପ ମନରେ ଭୟ ସୃଷ୍ଟି କରିବେ। କର୍ମକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ।

ଧନୁ: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ଅର୍ଥ କାରବାରକୁ ନେଇ ମାନସିକ ଚାପରେ ରହିବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ।

ମକର: କର୍ମକ୍ଷେତ୍ରରେ କୌଣସି ଏକ ଖବର ଶୁଣି ମନରେ ଅସ୍ଥିରତା ବୃଦ୍ଧି ହେବ। ଘର ପାଇଁ କୌଣସି ଯାନବାହାନ କିଣିବା ପାଇଁ ସୁଯୋଗ ରହିଛି।ଛାତ୍ରଛାତ୍ରୀମାନେ ଭବିଷ୍ୟତକୁ ନେଇ ଚିନ୍ତାଗ୍ରସ୍ତ ହେବେ। ବହୁ ଦିନର ଦୂର ବନ୍ଧୁଙ୍କ ସହିତ ମିଳନ ହେବ।

କୁମ୍ଭ: କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ନୂତନ ତୀର୍ଥ ସ୍ଥାନ ଭ୍ରମଣର ସୁଯୋଗ ମିଳିବ।ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢାଇବେ।

ମୀନ: ବ୍ୟବସାୟରେ ଅର୍ଥଲାଭ ହେବାରୁ ନୂତନ ଜାଗା କ୍ରୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ। ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ। ମହିଳାମାନେ ପ୍ରତ୍ୟେକଟି କାର୍ଯ୍ୟରେ ନିନ୍ଦିତ ଓ ଅପମାନିତ ହେବେ।

କରୋନା ପାଇଁ ଫିକା ପଡ଼ିବ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ; କେବଳ ସାମିଲ ହେବେ ପୁଲିସ୍ କର୍ମଚାରୀ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆସନ୍ତା ଜାନୁୟାରୀ ୨୬ତାରିଖ ସାଧାରଣତନ୍ତ୍ର ଦିବସକୁ କେବଳ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ଅବଗତ କରାଯାଇଛି । ଚଳିତ ସାଧାରଣତନ୍ତ୍ର ଦିବସ ସମାରୋହରେ ଏନସିସି କ୍ୟାଡେଟ୍ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇପାରିବେ ନାହିଁ ବୋଲି ଗୃହ ବିଭାଗ ସ୍ପଷ୍ଟ କରିଛି । ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ କରୋନା ସଂକ୍ରମଣ ଓ ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ଲୋକଙ୍କ ଭିଡ଼ ଏଡ଼ାଇବାକୁ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ସାଧାରଣତନ୍ତ୍ର ଦିବସ ସମାରୋହରେ ସର୍ବାଧିକ କୋଭିଡ୍ ନିରାପତ୍ତା ବ୍ୟବସ୍ଥାକୁ ପାଳନ ସହ ଅତିଥିଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସରକାର ଚାହୁଁଛନ୍ତି । ସେଥିପାଇଁ ଗୃହ ବିଭାଗ ପକ୍ଷରୁ ଚଳିତ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ଚିଠିରେ ଦର୍ଶଯାଇଛି ଯେ, ସାଧାରଣତନ୍ତ୍ର ଦିବସ ସମାରୋହ ଦିନ ଜାତୀୟ ପତାକାକୁ ମୁଖ୍ୟ ଅତିଥି ସକାଳ ସାଢ଼େ ୮ଟା ପରେ ଜାତୀୟ ସଙ୍ଗୀତ ଗାନ ସହ ଉତ୍ତୋଳନ କରିବେ । କିଏ ମୁଖ୍ୟ ଅତିଥି ହେବେ ସେ ନେଇ ଗୃହ ବିଭାଗ ପକ୍ଷରୁ ପରବର୍ତ୍ତୀ ସମୟରେ ଅବଗତ କରାଯିବ । ଏହି ସମାରୋହରେ କେବଳ ପୁଲିସ କର୍ମଚାରୀମାନେ ସାମିଲ ହେବେ । ସାଧାରଣ ଲୋକଙ୍କୁ ଏହି ସମାରୋହରେ ସାମିଲ ପାଇଁ ଅନୁମତି ମିଳିବ ନାହିଁ । ଇ-ନିମନ୍ତ୍ରଣ ମଶଧ୍ୟମରେ ସମାରୋହକୁ ସର୍ବନିମ୍ନ ଅତିଥିଙ୍କୁ ନିମନ୍ତ୍ରଣ କରାଯିବ । ଏହି ଅତିଥିଙ୍କ ମଧ୍ୟରେ କୋଭିଡ୍ ଯୋଦ୍ଧା ଯଥା ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ପରିମଳ କର୍ମଚାରୀ ସାମିଲ ରହିବେ । ସମାରୋହରେ ସାମିଲ ହେଉଥିବା ପ୍ରତ୍ୟେକ ବ୍ୟକ୍ତି ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବେ । ସମାରୋହସ୍ଥଳକୁ ଠିକ୍ ଭାବେ ସାନିଟାଇଜ୍ କରାଯିବ ଓ ପ୍ରବେଶ ପଥରେ ହାତ ସଫା ପାଇଁ ସାନିଟାଇଜର ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ନେଇ ଏହି ଚିଠିରେ କିଛି ଉଲ୍ଲେଖ ନାହିଁ ।

ଆଜି ପବିତ୍ର ଶାମ୍ବ ଦଶମୀ, ସୂର୍ଯ୍ୟ ଦେବତା ଙ୍କ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଆଜି ପବିତ୍ର ଶାମ୍ବ ଦଶମୀ ବା ସୂର୍ଯ୍ୟ ଦେବତାଙ୍କ ପୂଜା । ପ୍ରାତଃରୁ ଚନ୍ଦ୍ରଭାଗା ତଟରେ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରିଛନ୍ତି ଶ୍ରଦ୍ଧାଳୁ । ପୌରାଣିକ କିମ୍ବଦନ୍ତୀ ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଷପ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲ । ତେବେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବା ପରେ ସେ କୁଷ୍ଠ ରୋଗରୁ ଭଲ ହୋଇଥିଲେ । ସୂର୍ଯ୍ୟ ଦେବତାଙ୍କ ପୂଜା ଲାଗି  ଆଜି ଘରେ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରିବା ସହ ଘାଣ୍ଟ ତରକାରୀ କରି ସୂର୍ଯ୍ୟଦେବତାଙ୍କ ପୂଜାର୍ଚ୍ଚନା କରାଯାଉଛି । ସେପଟେ  ଆଜି କୋଣାର୍କରେ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହେବ । ହୋମ ଓ କଳସ ସ୍ଥାପନ ପରେ ସୂର୍ଯ୍ୟ ଦେବତାଙ୍କ ବିଗ୍ରହକୁ ରଥାରୁଢ କରାଯିବ । ପରେ ରଥ ଉପରେ ୧୦୮ କାକରା, ବରା ଓ ପୋଡ଼ପିଠା ଲାଗି ହେବ । ଏହି ରଥ ୨୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ  ରହି ୨୭ ନକ୍ଷତ୍ରରେ ପୂଜାର୍ଚ୍ଚନା ପରେ ମାଘ ସପ୍ତମିରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ ।

ଆଉ ନାହାନ୍ତି ବର୍ଷୀୟାନ ଲୋକପ୍ରିୟ ଅଭିନେତା ମିହିର ଦାସ ; ଆଜି ଗାର୍ଡ ଅଫ ଅନର ସହ ପଞ୍ଚଭୂତ ରେ ଲୀନ ହେବେ ପ୍ରିୟ ର କାକା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଆଉ ନାହାନ୍ତି ବରିଷ୍ଠ ସିନେ ଅଭିନେତା ମିହିର ଦାସ। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।  ତାଙ୍କର ମଲ୍ଟି ଅର୍ଗାନ କାମ କରିବା ବନ୍ଦ କରିଦେଇଥିଲା। ଏହାଛଡ଼ା ତାଙ୍କର କିଡନୀ ମଧ୍ୟ ସମ୍ପୂର୍ଣ୍ଣ ଅକାମୀ ହୋଇ ପଡ଼ିଥିଲା। ଯେଉଁ କାରଣରୁ ତାଙ୍କର ଡାଇଲିସିସ୍ ଚାଲିଥିଲା। ହେଲେ ଗତ କିଛି ଦିନ ହେବ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ସଂକଟାପନ୍ନ ହେବାରେ ଲାଗିଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ପୂରା ପ୍ରୟାସ କରିଥିଲେ। କିନ୍ତୁ ଡାକ୍ତରଙ୍କ ସବୁ ଚେଷ୍ଟା ବିଫଳ ହୋଇଥିଲା। ଆଉ ମଙ୍ଗଳବାର ଅପରାହ୍ଣ ୩.୨୫ ମିନିଟରେ ମିହିର ଦାସ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁଅ ଅମ୍ଳାନ ଉପସ୍ଥିତ ଥିଲେ। ଓଲିଉଡ୍‌ର କାକା ଭାବେ ପରିଚିତ ଭେଟ୍‌ରାନ୍‌ ଅଭିନେତା ମିହିର ଦାସ ୧୯୫୯ ମସିହା ଫେବୃଆରୀ ୧୧ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମଗ୍ରହଣ କରିଥିଲେ। ପିଲା ବେଳେ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା। ସେ ପ୍ରଥମେ ଆର୍ଟ ଫିଲ୍ମରେ ଅଭିନୟ କରିଥିଲେ। ତାହା ଥିଲା ‘ସ୍କୁଲ୍‌ ମାଷ୍ଟର’। ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା। ତା’ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ବ୍ୟବସାୟିକ ଫିଲ୍ମରେ ଅଭିନୟ କରି ଓଲିଉଡ୍‌ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ମିହିର ଦାସଙ୍କ ପ୍ରଥମ ବ୍ୟବସାୟିକ ଫିଲ୍ମ ‘ମଥୁରା ବିଜୟ’ ୧୯୭୯ ମସିହାରେ ରିଲିଜ ହୋଇଥିଲା। ସେହି ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର ସଜାଇ ଦେଇଥିଲା। ତେବେ ୧୯୮୦ରେ ରାମାୟଣ ଫିଲ୍ମରେ ଶତ୍ରୁଘ୍ନରୁ କ୍ୟାରିୟର ଆରମ୍ଭ କରିଥିବା ମିହିର ଦାସ ତିନି ଦଶନ୍ଧି ଧରି ଓଲିଉଡ୍‌ରେ ରାଜ୍‌ କରିଥିଲେ। ‘ଲକ୍ଷ୍ମୀ ପ୍ରତିମା’ ପାଇଁ ୧୯୯୮ ଓ ‘ଫେରିଆ ମୋ ସୁନା ଭଉଣୀ’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମିଳିଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଠିକ୍‌ ସେହିପରି ଶ୍ରେଷ୍ଠ ସହକଳାକାର ଭାବେ ମଧ୍ୟ ଅନେକ ଫିଲ୍ମ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ୨୦୦୨ରେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଓ ୨୦୧୦ରେ ପ୍ରେମ ଅଢ଼େଇ ଅକ୍ଷର ପାଇଁ ତାଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ‘ପୁଅ ମୋର ଭୋଳାଶଙ୍କର’ରେ ସେ ବେଶ୍ ପ୍ରଶଂସା ସାଉଣ୍ଟିଥିଲେ। ଏହାଛଡ଼ା ୧୯୯୯ରେ ବିଧାତା ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଓ ୨୦୦୭ରେ ‘ମୁଁ ତତେ ଲଭ୍‌ କରୁଛି’ ଫିଲ୍ମ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି। ଏହିପରି ଭାବେ ସେ ଅନେକ ଥର ଶ୍ରେଷ୍ଠ ଅଭିନେତାର ତାଜ୍ ପିନ୍ଧିଛନ୍ତି। ସେହିପରି ଓଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ଆଶାର ଆଲୋକର ସେ ସଞ୍ଚାଳକ ଥିଲେ। ମିହିରଙ୍କ ମିଠା କଥା ଅନେକ ଭଙ୍ଗା ମନ ଓ ପରିବାରକୁ ଯୋଡ଼ି ପାରିଥିଲା। ୨୦୨୧ରେ ତରଙ୍ଗ ପକ୍ଷରୁ ତାଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ ଦିଆଯାଇଥିଲା। ସେ କେବଳ ଓଡ଼ିଆ ଫିଲ୍ମ କରିନାହାନ୍ତି ବରଂ ବେଙ୍ଗଲୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ପୂର୍ବରୁ ତାଙ୍କ ସ୍ତ୍ରୀ ସଂଗୀତା ଦାସଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ପୁଅ ହେଉଛନ୍ତି ଅମ୍ଳାନ ଦାସ। ସେ ମଧ୍ୟ ଫିଲ୍ମରେ ଅଭିନୟ ଜାରି ରଖିଛନ୍ତି। ଏଇ ଆମ ସଂସାର, କନ୍ୟାଦାନ, ଆକାଶର ଆଖି, ହିସାବ କରିବ କାଳିଆ, କି ହେବ ଶୁଆ ପୋଷିଲେ, ଭାଗ୍ୟ ହାତେ ଡୋରି, ସୁହାଗ ସିନ୍ଦୂର, ଗଙ୍ଗା ଯମୁନା, ସହର ଜଳୁଚି, ସମୟ ଖେଳୁଛି ଚକା ଭଉଁରୀ, ଭୋଳାଶଙ୍କର, ସିଂହବାହିନୀ ପ୍ରମୁଖ ଶତାଧିକ ସିନେମାରେ ନିଜ ଅଭିନୟର ଛାପ ଛାଡ଼ି ଯାଇଛନ୍ତି ମିହିର। ଆଜି ମିହିର ଦାସଙ୍କ ଶେଷକୃତ୍ୟ ହେବ। ରାଜ୍ୟ ସରକାରଙ୍କ ତରଫରୁ ମିହିରଙ୍କୁ ‘ଗାର୍ଡ ଅଫ୍ ଅନର୍’ ଦିଆଯିବ। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ଜିଲ୍ଲାପାଳ କହିଛନ୍ତି, ଆସନ୍ତାକାଲି ସକାଳେ ଦିବଙ୍ଗତ ଅଭିନେତା ମିହିର ଦାସଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ନେଇ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଆସିଛି। ଶେଷକୃତ୍ୟ ସମ୍ପନ୍ନ ନେଇ ଆମେ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବୁ। ପରିବାର ଲୋକଙ୍କ ଦ୍ୱାରା ଧାର୍ଯ୍ୟ ସମୟରେ ସ୍ୱର୍ଗତ ଦାସଙ୍କର ଅନ୍ତିମ ସଂସ୍କାର ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଆଜି ତାଙ୍କର ଶେଷ ଦର୍ଶନ କରାଯିବା ପରେ ଆସନ୍ତାକାଲି ସକାଳେ ମିହିର ଦାସଙ୍କ ଅନ୍ତିମ ସଂସ୍କାର କରାଯିବ। କଟକ ସତୀ ଚଉରାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ସ୍ଥୀରିକୃତ ହୋଇଥିବା ଜଣାପଡ଼ିଛି।