ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଇସ୍ତଫା ଦେଲେ ମନ୍ତ୍ରୀ ….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା। ଇସ୍ତଫା ଦେଲେ ମନ୍ତ୍ରୀ। ଗୋଆରେ ବିଜେପି ନେତୃତ୍ୱାଧୀନ ସରକାରରୁ ବନ୍ଦର ମନ୍ତ୍ରୀ ମାଇକେଲ ଲୋବୁ କ୍ୟାବିନେଟ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ, ଗୋଆରେ ବିଜେପି ଏତେ ଆଗକୁ ବଢ଼ିଯାଇଛି ଯେ, ତୃଣମୂଳସ୍ତରରେ ଥିବା କର୍ମୀ ଛୋଟ ହୋଇଯାଇଛନ୍ତି। ତେଣୁ ଦଳରୁ ସେମାନଙ୍କୁ କୋଣ ଠେସା କରାଯାଉଛି। ତେବେ ବିଦାୟ ବେଳେ ବିଜେପି ସହ ବିତାଇଥିବା ଲମ୍ବା ଯାତ୍ରାକୁ ମନେ ପକାଇ ସେ ଖୁସି ବ୍ୟକ୍ତ କରିଛନ୍ତି । କିନ୍ତୁ ଦଳୀୟ କର୍ମୀମାନେ ବିଜେପି ସହ ଅସନ୍ତୁଷ୍ଟ ଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ମୁଁ ଭୁଲ ହୋଇପାରେ। କିନ୍ତୁ ଦଳୀୟ କର୍ମୀମାନେ କିପରି ଅବହେଳିତ ଓ ନିଷ୍ପେସିତ ମୁଁ ମୋ ନିଜ ଆଖିରେ ଦେଖିଛି ଓ ସେମାନଙ୍କ କାହାଣୀ ଶୁଣିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ନିଜ ଦଳୀୟ କର୍ମୀମାନଙ୍କୁ ଅଣଦେଖା କରାଯାଉଛି। କିନ୍ତୁ ଅନ୍ୟ ଦଳର କର୍ମୀଙ୍କୁ ବେଶ ଆଦର କରାଯାଉଛି। ତେବେ ମାକକେଲ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ ଖୁବ ଶୀଘ୍ର ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି।ଆଜି ଅପରାହ୍ନରେ ସେ ଦଳ ଛାଡ଼ିବେ ବୋଲି ସେ କହିଛନ୍ତି । ତେବେ ଅନ୍ୟ କୌଣସି ଦଳରେ ମିଶିବା ନେଇ ଯୋଜନା ନାହିଁ ବୋଲି ସେ କହିଛନ୍ତି । ସେ କଂଗ୍ରେସରେ ଯୋଗ ଦେବା ନେଇ ସଳୀୟ ସୂତ୍ରରୁ ସୂଚନା ମିଳୁଛି। ତେବେ ଆଗକୁ ଗୋଆରେ ବିଧାନ ସଭା ନିର୍ବାଚନ ଥିବାରୁ ମାଇକେଲ ଦଳ ଛାଡ଼ିବା ବିଜେପି ପାଇଁ ଝଟକା ବୋଲି କୁହାଯାଉଛି।

କଂଗ୍ରେସ ଭବନ ଉପରକୁ କିଏ ଫୋପାଡିଲା ପେଟ୍ରୋଲ ବୋମ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ରାଜଧାନୀ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନ ଉପରକୁ ଗତକାଲି ବିଳମ୍ବିତ ରାତିରେ ହୋଇଛି ପେଟ୍ରୋଲ ବୋମା ମାଡ଼। କିଏ ଏହି ପେଟ୍ରୋଲ ବୋମା ଫିଙ୍ଗିଛି, ତାହା ଜଣାପଡ଼ି ନଥିବା ବେଳେ ଗୋଷ୍ଠୀକନ୍ଦଳ ଯୋଗୁଁ ଏହା ଘଟିଥିବା କୁହାଯାଉଛି। ପେଟ୍ରୋଲ ବୋମା ମାଡ଼ରେ କଂଗ୍ରେସ ଭବନର କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ତେବେ ପେଟ୍ରୋଲ ବୋମା ମାଡ଼ରେ ନିକଟରେ ଥିବା ଗଛରେ ନିଆଁ ଲାଗି ଯାଇଥିଲା। ଘଟଣା ସଂପର୍କରେ ଖବର ପାଇ ପୁଲିସ୍ ସେଠାରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀ ବି ଆସି ସେଠାରେ ପହଞ୍ଚିଥିଲେ ଓ ନିଆଁ ଲିଭାଇ ଥିଲେ। ଗତକାଲି ସନ୍ଧ୍ୟାରେ ଦୁର୍ଗା ମାଧବ ମହଲା ନାମକ ଜଣେ ଯୁବକଙ୍କୁ କଂଗ୍ରେସ ଭବନ ସାମ୍ନାରେ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ଏହାପରେ ବିଳମ୍ବିତ ରାତିରେ କଂଗ୍ରେସ ଭବନରେ ପେଟ୍ରୋଲ ବୋମା ମାଡ଼ କରାଯାଇଥିଲା। ଏହି ଦୁଇଟି ଘଟଣା ମଧ୍ୟରେ କିଛି ସଂଯୋଗ ଅଛି କି ନାହିଁ, ତାହା ସ୍ପଷ୍ଟ ହୋଇ ପାରିନି।

ପଞ୍ଚାୟତ ନିର୍ବାଚନ: ରାଜ୍ୟ ସରକାର ପ୍ରସ୍ତୁତ, ଜାରି ହେଲା ବିଜ୍ଞପ୍ତି….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବାବେଳେ ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଆଜି ଦୂର ହୋଇଛି। ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନର ସମସ୍ତ ଚୂଡ଼ାନ୍ତ ତାଲିକା ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନରଙ୍କୁ ଦେଇଥିବା ବେଳେ ଆଜି ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ଓଡ଼ିଶା ହାଇକୋର୍ଟ ଡିସେମ୍ବର ୨୨ ତାରିଖ ରାୟରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆକ୍ଟର ଧାରା ୧୨ର ରୁଲ୍ ୧୩ ପ୍ରାବଧାନ ଅନୁସାରେ ଜାନୁଆରୀ ୮ତାରିଖରେ ବିଜ୍ଞପ୍ତି ଜାରି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆଜି ଏକକାଳୀନ ୩ଟି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। ଯେଉଁଥିରେ ଓଡ଼ିଶା ଜିଲ୍ଲା ପରିଷଦ ଆକ୍ଟ-୧୯୯୧ର ଧାରା ୧୭ର ପ୍ରାବଧାନ ଅନୁସାରେ ସମସ୍ତ ଜିଲ୍ଲା ପରିଷଦରେ ସଭ୍ୟ ନିର୍ବାଚନ କରିବାକୁ ସମ୍ମତି ଦେଇଛନ୍ତି। ସେହିପରି ଓଡ଼ିଶା ପଞ୍ଚାୟତ ସମିତି ଆକ୍ଟ-୧୯୫୯ ଓ ଓଡ଼ିଶା ପଞ୍ଚାୟତ ସମିତି ନିର୍ବାଚନ ରୁଲସ-୧୯୯୧ର ରୁଲ-୪(୧) ପ୍ରାବଧାନ ଅନୁସାରେ ସମସ୍ତ ପଞ୍ଚାୟତ ସମିତିରେ ସଭ୍ୟ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି। ସେହିପରି ଓଡ଼ିଶା ଗ୍ରାମ ପଞ୍ଚାୟତ ଆକ୍ଟ-୧୯୬୪ର ଧାରା-୧୨(୧ ଓ ୨), ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନ ରୁଲସ-୧୯୬୫ର ରୁଲ ୧୩ର ପ୍ରାବଧାନ ଅନୁସାରେ ରାଜ୍ୟ ସରକାର କେବଳ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଗ୍ରାମ ପଞ୍ଚାୟତକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ପଞ୍ଚାୟତରେ ୱାର୍ଡ ସଭ୍ୟ ଓ ପଞ୍ଚାୟତ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆଜି ଏହି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟରେ ଓମିକ୍ରନ୍‌ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ପଞ୍ଚାୟତ ନିର୍ବାଚନ ସ୍ଥଗିତ ରହିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏହି ଗେଜେଟ୍ ବିଜ୍ଞପ୍ତି ଜାରି ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ଖୁବଶୀଘ୍ର ତାରିଖ ଘୋଷଣା କରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ସୂତ୍ର ଅନୁସାରେ ଆସନ୍ତା ୧୦ ତାରିଖ ଅପରାହ୍ନରେ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ କାର୍ଯ୍ୟସୂଚୀ ଘୋଷଣା ହେବ। ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଆଜି ରାଜ୍ୟର ମୁଖ୍ୟ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଓ ସ୍ୱାସ୍ଥ୍ୟ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ। ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଓ ୧୨ ତାରିଖରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ବୈଠକ ରାଜ୍ୟ ନିର୍ବାଚନ କମିଶନର ଡାକିଛନ୍ତି। ଆଜିର ବୈଠକ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେଉଥିବା ନେଇ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ପଷ୍ଟ ସଙ୍କେତ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ରାଜ୍ୟର ମୋଟ ୯୧,୯୧୩ ଜଣ ୱାର୍ଡମେମ୍ୱର, ୬୭୯୪ଟି ପଞ୍ଚାୟତର ସରପଞ୍ଚ, ୬୭୯୧ଟି ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ଟି ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ଗ୍ରାମାଞ୍ଚଳର ୨.୬୨ କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।

ପଞ୍ଚାୟତ ନିର୍ବାଚନ: ୫୦ ହଜାର ଏସଏଚଜି ସହାୟକ କର୍ମଚାରୀଙ୍କୁ ଭେଟି …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବାକୁ କ୍ଷମତାସୀନ ବିଜେଡି ସରକାର କ୍ରମାଗତ ଭାବେ ପ୍ୟାକେଜ୍ ଘୋଷଣା କରିବାରେ ଲାଗିଛନ୍ତି। ସରକାରୀ ପାଣ୍ଠିରେ ବିଭିନ୍ନ ବର୍ଗର ଭୋଟରଙ୍କୁ ତୁଷ୍ଟୀକରଣ କରି ଶାସକ ବିଜେଡି ପଞ୍ଚାୟତ ନିର୍ବାଚନ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଛି। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ପୂର୍ବରୁ ୩୧ ଲକ୍ଷ ଲୋକଙ୍କୁ ଘର ମରାମତି ସହାୟତା, ଏସଏଚଜିଙ୍କୁ ପ୍ୟାକେଜ, ଶିକ୍ଷକଙ୍କ ଦରମା ବୃଦ୍ଧି ଭଳି ନିଷ୍ପତ୍ତି ନେଇସାରିଥିବାବେଳେ ଆଜି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ନିମନ୍ତେ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିବା ସହ ପଞ୍ଚାୟତସ୍ତରରେ କାର୍ଯ୍ୟରତ ୫୦ହଜାର ଏସଏଚଜି ସହାୟକ କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି।ପଞ୍ଚାୟତସ୍ତରରେ କାର୍ଯ୍ୟ କରୁଥିବା ୫୦ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ କର୍ମଚାରୀମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ୍ ସହ ପୋଷାକ ଭତ୍ତା, ଗସ୍ତ ଖର୍ଚ୍ଚ ଓ ସ୍ମାର୍ଟଫୋନ୍ କିଣିବା ପାଇଁ ସରକାର ଅର୍ଥ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘଗୁଡ଼ିକର ଦକ୍ଷତାର ବିକାଶ ତଥା ସେମାନଙ୍କର ଆନୁଷ୍ଠାନିକ ଦକ୍ଷତା ବିକାଶ ଦିଗରେ ଏହା କାର୍ଯ୍ୟ କରୁଛି। ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ସୁଦୃଢ଼ କରିବାରେ ପଞ୍ଚାୟତ ମହାସଂଘସ୍ତରରେ କାର୍ଯ୍ୟ କରୁଥିବା ପ୍ରାୟ ୫୦ ହଜାର ସହାୟକ କର୍ମଚାରୀମାନେ ଯଥା- ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, ସିଆରପି ଆଦିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଏହି କର୍ମଚାରୀମାନଙ୍କୁ ବାର୍ଷିକ ୧ ହଜାର ଟଙ୍କାର ପୋଷାକ ଭତ୍ତା ମିଳିବ। ସେମାନଙ୍କୁ ନିଜ ପସନ୍ଦର ସ୍ମାର୍ଟଫୋନ୍ କିଣିବା ପାଇଁ ଏକକାଳୀନ ୫ ହଜାର ଟଙ୍କା ସହାୟତା ଦିଆଯିବ। ସମସ୍ତଙ୍କୁ ପାରିଶ୍ରମିକ ଭାବେ ମାସିକ ୩ ହଜାର ଟଙ୍କା, ଗସ୍ତ ଖର୍ଚ୍ଚ ବାବଦରେ ୩୫୦ଟଙ୍କା, ଟେଲିଫୋନ୍ ଭତ୍ତା ବାବଦରେ ମାସିକ ୧୫୦ଟଙ୍କା ପ୍ରଦାନ କରାଯିବ। ଏହାସହିତ ସମସ୍ତଙ୍କୁ ପରିଚୟ ପତ୍ର ମଧ୍ୟ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଆଜିର ରାଶିଫଳ – ୧୦ ଜାନୁଆରୀ, ସୋମବାର

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ପାରିବାରିକ ବିବାଦ ଯୋଗୁ ସାମାନ୍ୟ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

ବୃଷ: ଆକସ୍ମିକ ଧନ ଲାଭର ଯୋଗ ରହିଛି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ ପାଇବେ। ଶୁଭଫଳ ପାଇବା ପାଇଁ କୌଣସି ଅସହାୟଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ମିଥୁନ: ଅପେକ୍ଷା କରିଥିବା ଶୁଭ ଖବର ଶୁଣି ଖୁସି ହେବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନଙ୍କ ସହିତ ମତଭେଦ ହୋଇପାରେ।

କର୍କଟ: ନିଜ ଲୋକେ ଶତ୍ରୁ ଭଳି ଆଚରଣ କରିବେ। ଅସୁସ୍ଥ ଅନୁଭବ କରିବେ। ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ।

ସିଂହ: ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେଇପାରେ। ବିଳମ୍ବ ହେଲେ ମଧ୍ୟ ବକେୟା ଅର୍ଥ ହସ୍ତଗତ ହେବ।

କନ୍ୟା: ମନ ଭଲ ରହିବ। ପୂର୍ବ ସମସ୍ୟାର ସମାଧାନ ହୋଇଯିବ। କୌଣସି ନୂଆ କାମ କରିବାକୁ ମନ ବଳାଇବେ।

ତୁଳା: ଖର୍ଚ୍ଚ ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ନିଜ ଇଚ୍ଛା ବିରୋଧରେ କିଛି କାର୍ଯ୍ୟ କରିବାକୁ ପଡ଼ିପାରେ।

ବିଛା: ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ। ଖାଦ୍ୟ ଓ ପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଶୁଭ ଫଳ ପ୍ରାପ୍ତି ପାଇଁ ହନୁମାନଙ୍କୁ ଦର୍ଶନ କରିବା ସହିତ ରାଶି ତେଲରେ ଦୀପଟିଏ ଜାଳନ୍ତୁ।

ଧନୁ: ଭାବିଚିନ୍ତି ସବୁ କାର୍ଯ୍ୟ କରନ୍ତୁ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମକର: ଧନ ଲାଭ ହେବ। ମନ ଭଲ ରହିବ। କର୍ମକ୍ଷେତ୍ରର ସହକର୍ମୀଙ୍କ ସହଯୋଗରେ ସଫଳତା ପାଇବେ।

କୁମ୍ଭ: ପାରିବାରିକ ଜୀବନ ଭଲ ରହିବ। ଆୟର ନୂଆ ପନ୍ଥା ଖୋଜିବେ। ନିଜ ଲୋକେ ଆପଣଙ୍କ ବିରୋଧରେ ଯିବେ।

ମୀନ: ବକେୟା ଦରମା ହସ୍ତଗତ ହେବ। ଭୁଲ ବୁଝାମଣା କାରଣରୁ କାହା ସହିତ ଝଗଡ଼ା ହୋଇପାରେ। ଗୁପ୍ତଶତ୍ରୁ କ୍ଷତି ପହଞ୍ଚାଇ ପାରନ୍ତି।