ବଢ଼ିଲା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପୋତ୍ସାହନ ରାଶି….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)-ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କୁ ତଥା ଚାକିରିଆଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ କରୁଥିବା ବେଳେ ଆଜି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ କରିଛନ୍ତି ବଡ଼ ଘୋଷଣା। ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକା ମାନେ ୬୨ ବର୍ଷ ବୟସରେ ସେବାରୁ ନିବୃତ ହେବା ସମୟରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଥିବା ବେଳେ ସରକାର ଏହାକୁ ବଢ଼ାଇ ଦେଇଛନ୍ତି। ଅଙ୍ଗନବାଡ଼ି କର୍ମୀମାନେ ସେବା ନିବୃତ ହେବା ସମୟରେ ୨୦ ହଜାର ଟଙ୍କା ବଦଳରେ ଏକକାଳୀନ ୪୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପାଇବେ। ମିନି ଅଙ୍ଗନବାଡ଼ି କର୍ମୀମାନଙ୍କର ପ୍ରୋତ୍ସାହନ ରାଶି ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି ଅଙ୍ଗନବାଡ଼ି ସହାୟିକା ମାନଙ୍କର ପ୍ରୋତ୍ସାହନ ରାଶି ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ନୂତନ ପ୍ରୋତ୍ସାହନ ରାଶିକୁ ପିଛିଲା ଭାବେ ୨୦୧୯ ଜାନୁଆରୀ ପହିଲା ଠାରୁ ଲାଗୁ କରାଯାଇଛି। ଏହାଦ୍ୱାର ବର୍ତ୍ତମାନ ସୁଦ୍ଧା ସେବା ନିବୃତ ହୋଇଥିବା ୧୯୯୧ ଜଣ ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକା ଉପକୃତ ହେବେ। ଅନ୍ୟପକ୍ଷରେ ସରକାରଙ୍କ ଏହି ଘୋଷଣା ଦ୍ୱାରା ରାଜ୍ୟର ମୋଟ ୧ ଲକ୍ଷ ୩୦ ହଜାର ଅଙ୍ଗନବାଡ଼ି କର୍ମୀ ଉପକୃତ ହେବେ। ସେହିଭଳି ଅଙ୍ଗନବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକାମାନେ କାର୍ଯ୍ୟରତ ଥିବା ସମୟରେ ଅସୁସ୍ଥତା ଯୋଗୁ କୌଣସି ସରକାରୀ କିମ୍ବା ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ, ସେମାନଙ୍କୁ ସେହି ସମୟ ପାଇଁ ପ୍ରତିବର୍ଷ ସବୈତନିକ ଚିକିତ୍ସା ଛୁଟି (Paid Medical Leave) ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ପାରଳାଖେମୁଣ୍ଡିରେ ହେଲିକପ୍ଟର ଉଡିବାକୁ ନେଇ ହଇଚଇ…..!

ଏଥର ସମ୍ଭାଳ ବ୍ୟୁରୋ(ପାରଳାଖେମୁଣ୍ଡି)- ପିଲାମାନେ ପଡ଼ିଆରେ ଖେଳୁଥିଲେ। ହଠାତ୍‌ ଗୋଟିଏ ହେଲିକପ୍ଟର ଆକାଶରୁ ତଳକୁ ଖସି ଆସିଥିଲା। ଏହା ଦେଖି ପଡ଼ିଆ ମଝିରେ ଖେଳୁଥିବା ପିଲାମାନେ ଯିଏ ଯେଉଁଆଡ଼େ ପାଇଲେ ଧାଇଁ ପଳାଇ ଗଲେ। ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଷ୍ଟାଡିୟମ୍‌ରେ। ପୂରା ଘଟଣା ଏମିତି। ଆଜି ଅପରାହ୍ନ ପ୍ରାୟ ୫ଟା ହେବ। ଛୋଟ ଛୋଟ ପିଲାମାନେ ଗଜପତି ଷ୍ଟାଡିୟମ୍‌ରେ ଖେଳୁଥିଲେ। ଏହି ସମୟରେ ହଠାତ ଗୋଟିଏ ହେଲିକପ୍ଟର ତଳକୁ ଖସି ଆସିଥିଲା। ମାଟିଠାରୁ ପାଖାପାଖି ୨ରୁ ୩ ଫୁଟ୍‌ ଉପରେ ଉଡିଥିଲା। ଦୁଇ ଥର ପଡ଼ିଆରେ ଚକ୍କର କାଟିଥିଲା। ହେଲିକପ୍ଟର ପଙ୍ଖା ପବନରେ ପ୍ରବଳ ବେଗରେ ଧୂଳି ଉଠିଥିଲା। ଫଳରେ ପିଲାମାନେ ଦୌଡ଼ି ପଳାଇ ଯାଇଥିଲେ।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ହେଲିକପ୍ଟରଟି ପଡ଼ିଆ ମଝି ଅବତରଣ କରିବାକୁ ଉଦ୍ୟମ କରିଥିଲା। ମାତ୍ର ସଫଳ ହୋଇନଥିଲା। ପରେ ହେଲିକପ୍ଟରଟି ପଳାଇ ଯାଇଥିଲା। ମାତ୍ର ଏନେଇ ଜିଲ୍ଲା ପ୍ରଶାସନ ବା ପୁଲିସ୍‌ ପାଖରେ କୌଣସି ଖବର ନାହିଁ। ସେପଟେ ଏହି ହେଲିକପ୍ଟରଟି କାହାର ଓ କାହିଁକି ପଡ଼ିଆରେ ଅଳ୍ପ ଦୂରରେ ଉଡୁଥିଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ବାଇଦାଳୀ ଗାଁରେ ନଳକୂଅ ଅଚଳ, ଲୋକଙ୍କୁ ସାହା ଚୁଆ ପାଣି…!

ଏଥର ସମ୍ଭାଳ ବ୍ୟୁରୋ(ଉଦଳା)- ବସୁଧା ଯୋଜନାରେ ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଏବେ ବି ଆମ ରାଜ୍ୟରେ ଏମିତି ଗାଁ ଅଛି ଯେଉଁଠି ଲୋକମାନେ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଏବଂ ଚୁଆରୁ ପାଣି ଆଣି ପିଉଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବାହୁବନ୍ଧ ପଞ୍ଚାୟତର ବାଇଦାଳୀ ଗାଁରେ। ବାଇଦାଳୀ ଗାଁଟି ଉଦଳା ବ୍ଲକ୍‌ ସଦର ମହକୁମା ଠାରୁ ମାତ୍ର ୧୨କିଲୋମିଟର ଦୂରରେ ଅବସ୍ଥିତ। ଏହି ଗାଁରେ ୩୦ରୁ ଅଧିକ ପରିବାର ବସବାସ କରନ୍ତି। ସରକାରଙ୍କ ପକ୍ଷରୁ ଏହି ଗାଁରେ ଗୋଟିଏ ନଳକୂଅ ବସାଯାଇଥିଲା। ଏହାସହ ଗାଁରେ ଦୁଇଟି କୂଅ ମଧ୍ୟ ଥିଲା।

ତିନିରୁ ଚାରିବର୍ଷ ହେବ ନଳକୂପଟି ଅଚଳ ହୋଇ ପଡ଼ିଥିବା ବେଳେ ଦୁଇଟି କୂଅ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଗ୍ରାମବାସୀମାନେ ଗାଁଠାରୁ କିଛି ଦୂରରେ ଥିବା ଚୁଆରୁ ପାଣି ଆଣି ପିଉଛନ୍ତି। ଖରାଦିନରେ ଚୁଆରେ ପାଣି ଶୁଖିଯିବାରୁ ଲୋକେ ନିକଟସ୍ଥ ଗାଁରୁ ପାଣି ଆଣିଥା’ନ୍ତି। ଗାଁରେ ପାଣି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି। କିନ୍ତୁ  ଏପର୍ଯ୍ୟନ୍ତ ଗାଁର ପାଣି ସମସ୍ୟାର ସମାଧାନ ହୋଇପାରି ନଥିବା ଗ୍ରାମବାସୀ କାନ୍ଦନ ସୋରେନ କହିଛନ୍ତି। ଅନ୍ୟ ଜଣେ ଗ୍ରାମବାସୀ ବାସନ୍ତୀ ସୋରେନ କହିଛନ୍ତି, ପାନୀୟ ଜଳ ସମସ୍ୟାର ସମାଧାନ ନ ହେଲେ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ବର୍ଜନ କରିବୁ। ନେତାଙ୍କୁ ଗାଁରେ ପୂରାଇ ଦେବୁନି। ଉଦଳା ବିଡିଓ ଦେବଜାନୀ ଭୁଁୟା କହିଛନ୍ତି, ଏହି ବିଷୟରେ ଗ୍ରାମ୍ୟ ପରିମଳ ବିଭାଗର ଯନ୍ତ୍ରୀଙ୍କୁ ଜଣାଇବି। ବାଇଦାଳୀ ଗାଁରେ ପାନୀୟ ଜଳ ସମସ୍ୟାର ସମାଧାନ  କରାଯିବ।

ମଦର ଟେରେସା ଚ୍ୟାରିଟିକୁ ପୁଣି ମିଳିବ ବିଦେଶୀ ଅନୁଦାନ, ମିଳିଲା ଅନୁମତି….!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ମିଶନାରୀ ଅଫ୍ ଚ୍ୟାରିଟିକୁ ପୁଣି ମିଳିବ ବିଦେଶୀ ଅନୁଦାନ। କାରଣ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ଚ୍ୟାରିଟିର ବିଦେଶୀ ଅନୁଦାନ ରେଗୁଲେସନ ଆକ୍ଟ(ଏଫସିଆରଏ) ପଞ୍ଜୀକରଣକୁ ପୁନଃ ସ୍ଥାପିତ କରିଛି। ଏହାକୁ କିଛି ଦିନ ତଳେ ମନ୍ତ୍ରଣାଳୟ ରଦ୍ଦ କରିଥିଲା। ଫଳରେ ଚ୍ୟାରିଟିକୁ ବିଦେଶରୁ ମିଳୁଥିବା ଅର୍ଥ ଉପରେ ରୋକ ଲଗାଇଥିଲା। ଏହାକୁ ନେଇ ବିବାଦ ମଧ୍ୟ ଦେଖାଯାଇଥିଲା। ଶେଷରେ ମନ୍ତ୍ରଣାଳୟ ଆବଶ୍ୟକ ନଥିପତ୍ର ଯାଞ୍ଚ କରିବା ପରେ ଚ୍ୟାରିଟିର ଏଫସିଆରଏ ପଞ୍ଜୀକରଣକୁ ଅନୁମତି ଦେଇଛି। ଅନୁମତି ମିଳିଥିବାରୁ ଚ୍ୟାରିଟି ବିଦେଶରୁ ଅନୁଦାନ ଗ୍ରହଣ କରିପାରିବ ଓ ବ୍ୟାଙ୍କରେ ରହିଥିବା ଟଙ୍କାକୁ ମଧ୍ୟ ଖର୍ଚ୍ଚ କରିପାରିବ। ଏହି ମିଶନାରୀ ଅଫ ଚ୍ୟାରିଟି ନୋବେଲ ବିଜେତା ମଦର ଟେରେସାଙ୍କ ଦ୍ୱାରା ୧୯୫୦ରେ ପ୍ରତିଷ୍ଠା ହୋଇଥିଲା। ଗରିବ ଓ ଅସହାୟ ଲୋକଙ୍କୁ ଚ୍ୟାରିଟି ଦ୍ୱାରା ସମସ୍ତ ପ୍ରକାରର ସହାୟତା କରାଯାଇଥାଏ। ଡିସେମ୍ବର ୨୭ରେ କେନ୍ଦ୍ର ସରକାର ମିଶନାରୀ ଅଫ ଚ୍ୟାରିଟିର ଏଫସିଆରଏ ପଞ୍ଜୀକରଣକୁ ରିନ୍ୟୁଆଲ ପାଇଁ ହୋଇଥିବା ଆବେଦନକୁ ମଞ୍ଜୁରୀ ମିଳି ନଥିବା କହିଥିଲେ। ମଞ୍ଜୁରୀ ଦେବା ପୂର୍ବରୁ ଚ୍ୟାରିଟି ବିରୋଧରେ କିଛି ଆପତ୍ତିଜନକ ଇନପୁଟ ମିଳିଥିଲା। ଏଥିପାଇଁ ଚ୍ୟାରିଟିକୁ ଆବଶ୍ୟକ କାଗଜପତ୍ର ସରକାରଙ୍କୁ ମଗା ଯାଇଥିଲା। ଚ୍ୟାରିଟି ଏବେ କାଗଜପତ୍ର ଦେଖାଇବା ପରେ କେନ୍ଦ୍ର ସରକାର ଏଫସିଆରଏ ପଞ୍ଜୀକରଣକୁ ପୁନଃ ସ୍ଥାପିତ କରିଛନ୍ତି। ଭାରତ ସରକାରଙ୍କ ଏପରି ପଦକ୍ଷେପକୁ ବ୍ରିଟେନ ସଂସଦ ମଧ୍ୟ ନିନ୍ଦା କରିଥିଲା।

ଭୋଟ୍ ପୂର୍ବରୁ ୩୧ ଲକ୍ଷ ପରିବାରକୁ ୩ ହଜାର ଟଙ୍କା ଲେଖାଏଁ ଦେଲେ ନବୀନ, ବିଜେପି ବର୍ଷିଲା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପଂଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୧ଲକ୍ଷ ପରିବାରକୁ ୩ହଜାର ଟଙ୍କା ଲେଖାଁଏ ଘର ମରାମତି ସହାୟତା ଦେଇଛନ୍ତି । ଆଜି ଏହି ୩୧ଲକ୍ଷ ପରିବାରର ବ୍ୟାଙ୍କ ଆକାଉଣ୍ଟରେ ଏହି ସହାୟତା ରାଶି ଜମା ହୋଇଛି ଓ ଏଥିପାଇଁ ରାଜ୍ୟ ରାଜକୋଷରୁ ୧୪୪୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ପଂଚାୟତ ନିର୍ବାଚନର ଠିକ ପୂର୍ବରୁ ଘର ମରାମତି ସହାୟତା ଦେବାକୁ ନେଇ ଶାସକ ବିଜେଡିକୁ ବିଜେପି ୮ଟି ପ୍ରଶ୍ନ ପଚାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନା ପଠାଇଲେ ଓ ବିଜେଡି ଏଠି ଭେଣ୍ଡି ଦେଉଛି ବୋଲି ବିଜେପି କହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ୩ହଜାର ଟଙ୍କା ଲେଖାଏ ସହାୟତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୪ରେ ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ରାଜ୍ୟର ସବୁ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ୨୦୧୪ରୁ ଏପର୍ଯ୍ୟନ୍ତ ୩୧ଲକ୍ଷ ପରିବାରକୁ ପକ୍କା ଘର ଯୋଗାଇ ଦିଆଯାଇଛି। ରାଜ୍ୟର ଶେଷ କଚ୍ଚା ଘରକୁ ପକ୍କା ନକରିବା ପର୍ଯ୍ୟନ୍ତ ଆମର ଉଦ୍ୟମ ଜାରି ରହିବ । ସବୁ ଗ୍ରାମୀଣ ପକ୍କାଘର ଯୋଜନାର ହିତାଧିକାରୀମାନେ ଏହି ସହାୟତା ପାଇବେ । ଫନି ବାତ୍ୟା ପ୍ରଭାବିତ ୧୪ଟି ଜିଲ୍ଲାର ବହୁ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାକୁ ଅପେକ୍ଷା କରି ରହିଛନ୍ତି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଜନଜାତି ଲୋକମାନେ ମଧ୍ୟ କେନ୍ଦ୍ରୀୟ ଯୋଜନାରେ ଘର ପାଇବାକୁ ଅପେକ୍ଷାରେ ଅଛନ୍ତି । ଏବେ ସେମାନେ ଯେଉଁ ଭଙ୍ଗା ଘରେ ରହୁଛନ୍ତି ତା’ର ମରାମତି ପାଇଁ ୫ହଜାର ଟଙ୍କା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସଂଗ୍ରହ କରାଯାଉଛି, ଖୁବଶୀଘ୍ର ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, କରୋନା ମହାମାରୀର ଆର୍ଥିକ ଦୁଃସ୍ଥିତି ସମୟରେ ୧୨.୨୫ଲକ୍ଷ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଘର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘର ପାଇନାହାନ୍ତି । ଏହି ପରିବାରଗୁଡ଼ିକୁ ୫ହଜାର ଟଙ୍କା ଲେଖାଏଁ ଆର୍ଥିକ ସହୟତା ରାଜ୍ୟ ସରକାର ଯୋଗାଇ ଦେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗଞ୍ଜାମ ଓ କଳାହାଣ୍ଡି ଆଦି ଜିଲ୍ଲାର ହିତାଧିକାରୀଙ୍କ ସହ ଭାବ ବିନିମୟ କରିଥିଲେ ।ଅନ୍ୟପକ୍ଷରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପକ୍କା ଘର ମରାମତି ପାଇଁ ରାଜ୍ୟ ସରକାରଙ୍କ ସହାୟତା ପ୍ରସଙ୍ଗରେ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି। ବିଜେପିର ଆଭିମୁଖ୍ୟ ଏହି ପ୍ରସଙ୍ଗରେ ସ୍ପଷ୍ଟ କରି ଶ୍ରୀ ମହାପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ସୁନା ପଠାଇଲେ, ବିଜେଡି ଏଠି ଭେଣ୍ଡି ଦେଲା। ଘର ସହାୟତା ବଂଟନ ପ୍ରସଙ୍ଗରେ ବିଜେଡିକୁ ୮ଟି ପ୍ରଶ୍ନ ପଚାରି ତା’ର ଜବାବ ରଖିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଘର ପିଛା ଦେଉଥିବା ମୋଟ ଟଙ୍କାର ୩ ପ୍ରତିଶତରୁ କମ୍ ଟଙ୍କା ଦେଇ ରାଜ୍ୟର ଗରିବଙ୍କୁ ବିଜେଡି ଭଣ୍ଡାଉଛି। ପ୍ରଧାନମନ୍ତ୍ରୀ ଘର ପିଛା ଟଙ୍କା ଦେଲେ ୧.୭୦ଲକ୍ଷ ଟଙ୍କା, କିନ୍ତୁ ବିଜେଡି ଏଠି ୫ହଜାର ଟଙ୍କା ଦେଇ ଗରିବଙ୍କୁ ଭଣ୍ଡାଉଛି। ବିଜେଡିର ୫ହଜାର ଟଙ୍କା ଘର ସହାୟତା ହେଉଛି ଘୋଡ଼ା ୬ଟଙ୍କାକୁ ଦାନା ୯ଟଙ୍କା ସଦୃଶ । ଆବାସ ପ୍ଲସ ୱେବସାଇଟରେ ୬ଥର ସମୟସୀମା ବୃଦ୍ଧି ପରେ ବି ହିତାଧିକାରୀଙ୍କ ତାଲିକା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ କାହିଁକି? ୧ହଜାର କୋଟି ଟଙ୍କାରୁ ଅଧିକ ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଗଲା କୁଆଡ଼େ? ୯ଟି ଜିଲ୍ଲାରେ ଘର ଆବଂଟନରେ ଶୂନ ହୋଇଛି କି ନାହିଁ । ୨୦୧୯ ସୁଦ୍ଧା ରାଜ୍ୟର ସବୁ କଚ୍ଚା ଘରକୁ ପକ୍କା କରିବାକୁ ଦେଇଥିବା ପ୍ରତିଶ୍ରୁତି ଗଲା କୁଆଡ଼େ? ରାଜ୍ୟ ସରକାର ଦେଉଥିବା ସହାୟତା ରାଶିର ହିତାଧିକାରୀଙ୍କ ତାଲିକା ସାର୍ବଜନୀନ କରିବାକୁ ବିଜେପି ଦାବି କରିଛି ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ସଂରକ୍ଷଣ ତାଲିକା….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଅନୁସୂଚିତ ଜାତି, ଜନଜାତି ଓ ମହିଳାମାନଙ୍କ ପାଇଁ ଏହି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ପଞ୍ଚାୟତିରାଜ ବିଭାଗ  ତରଫରୁ ମୋଟ ୪୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ସେଥିମଧ୍ୟରୁ ୧୫ଟି   ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏହାବାଦ ଅନୁସୂଚିତ ଜନଜାତି ପାଇଁ ୭ ପଦବୀ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ୩ ଅଧ୍ୟକ୍ଷ ପଦ ମହିଳାଙ୍କୁ ମିଳିବ ।  ଅନୁସୂଚିତ ଜାତିଙ୍କ ପାଇଁ ୫ ଅଧ୍ୟକ୍ଷ ପଦବୀ ସଂରକ୍ଷିତ ଘୋଷଣା ହୋଇଛି  । ୧୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ଘୋଷଣା ରହିଛି  । ଅପରପକ୍ଷେ, କରୋନା ସଂକ୍ରମଣ ଦିନକୁ ଦିନ ମାଡି ଚାଲିଥିବାରୁ କିଭଳି ହେବ ପଞ୍ଚାୟତ ନିର୍ବାଚନ ସେନେଇ ରାଜ୍ୟ ନିର୍ବାଚନ ଆୟୋଗ ଆଜି ଡାକିଛନ୍ତି ଉଚ୍ଚସ୍ତରୀୟ ବୈଠକ । ଆଜି ଦିନ ୧୧ଟାରେ ଏନେଇ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ରାଜ୍ୟ ନିର୍ବାଚନ ଆୟୋଗ ଆଲୋଚନା କରିବେ ।  ଏଥିରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ରହିବେ। କୋଭିଡ୍ ସମୟରେ କିଭଳି ହେବ ନିର୍ବାଚନ, କିଭଳି ହେବ ପ୍ରଚାର ଏବଂ ଯଦି ନିର୍ବାଚନ ହୁଏ, ତେବେ ଗାଇଡଲାଇନ୍‌ରେ କ’ଣ ସବୁ ବ୍ୟବସ୍ଥା ରହିବ, ସେନେଇ ବିସ୍ତୃତ ଭାବେ ରାଜ୍ୟ ନିର୍ବାଚନ କମିଶନ ଆଲୋଚନା କରିବେ । ବିଭିନ୍ନ ରାଜନୈତିକ ଦଳ କୋଭିଡ୍ ସମୟରେ ନିର୍ବାଚନ ନକରିବା ଉପରେ ମତ ରଖିଛନ୍ତି । ଇତି ମଧ୍ୟରେ ଗତ ୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୨ ଜାରି ହୋଇଛି । ଚୂଡ଼ାନ୍ତ ଭୋଟର ତାଲିକା ଅନୁସାରେ ରାଜ୍ୟରେ ମୋଟ ୩ କୋଟି ୨୯ଲକ୍ଷ ୮୩ହଜାର ୬୪୩ଜଣ ଭୋଟର ଥିବାବେଳେ ସେଥିରେ ୧କୋଟି ୬୭ଲକ୍ଷ ୯୬ହଜାର ୬୦୩ଜଣ ପୁରୁଷ, ୧କୋଟି ୬୧ଲକ୍ଷ ୮୩ହଜାର ୮୩୫ଜଣ ମହିଳା ଭୋଟର ଓ ୩୦୨୫ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି।

ଆଜିର ରାଶିଫଳ – ୮ ଜାନୁଆରୀ, ଶନିବାର

ମେଷ: ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି ।  ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇ ପାରନ୍ତି । ପାରିବାରିକ ମତାନ୍ତରକୁ ନେଇ ମନ ଭାରାକ୍ରାନ୍ତ ରହିବ ।  ଅପରାହ୍ନରେ କୋଣସି ଶୁଭ ଖବର ଶୁଣିପାରନ୍ତି ।

ବୃଷ: ପରିବାରରେ ଅପ୍ରିୟ ସତକଥା କହି ଦୋଷୀ ହେବାର ସମ୍ଭାବନା ରହିଛି । ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ମୁକାବିଲା କରି ବିଜୟୀ ହେବେ । ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମାଲିମକଦ୍ଦମା ଓ ବିବାଦ ସମାଧାନ ହୋଇଯିବ । ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ ।

ମିଥୁନ : ଆଜି ଶାରୀରିକ ପୀଡ଼ା ଅନୁଭବ ହୋଇପାରେ । ନୂତନ ଗୃହ ନିର୍ମାଣ ପାଇଁ ମନ ବଳାଇବେ ଓ ସେଥିରେ ସଫଳ ହେବେ । ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରି ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ସାମାନ୍ୟ କଥାକୁ ନେଇ ମନାନ୍ତର ମତାନ୍ତର ଦେଖାଦେଇପାରେ ।

କର୍କଟ: ଆଜି ପରିବାରରେ ପିତାମାତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ଅସ୍ଥିରତା ଦେଖାଦେଇପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ । କର୍ମକ୍ଷେତ୍ରରେ ପୂର୍ବ ସମସ୍ୟା ଦୂର ହୋଇଯିବ । ଦକ୍ଷତା ଓ ସଚ୍ଚୋଟତା ହେତୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ।

ସିଂହ: ଆଜି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି, ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ  ଦୟାରୁ ଉପକୃତ ହେବେ। ବନ୍ଧୁଙ୍କ ସହ ସାକ୍ଷାତ ହେବ।  କୈାଣସି ଶୁଭ ଖବର ଶୁଣିପାରନ୍ତି। ସାହିତ୍ୟ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।

କନ୍ୟା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ । ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆନନ୍ଦିତ ରହିବେ । ଖର୍ଚ୍ଚାଧିକ କାରଣରୁ ମନସ୍ତାପ ହୋଇପାରେ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ମଧ୍ୟମ ରହିବ ।

ତୁଳା: ଆଜି ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ । ହାତକୁ ନେଇଥିବା ଯୋଜନାଗୁଡିକ ଠିକ୍‌ ଭାବେ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ। ଆନୁଷ୍ଠାନିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ ।

ବିଛା : ଆଜି କୈାଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ। ସାହାଯ୍ୟ ସହଯୋଗ ପାଇ ମନ ପ୍ରଫୁଲ୍ଲିତ ରହିବ । ମହିଳାମାନେ ଘର ବାହାରେ ସବୁଠି ଆଦର ସମ୍ମାନ ପାଇବେ। ବ୍ୟବସାୟ ପରିବହନ ପାଇଁ ଦିନଟି ଅନୁକୂଳ ରହିବ । ଛାତ୍ରଛାତ୍ରୀମାନେ ସମସ୍ତ ଦିଗରେ ବିଜୟୀ ହେବେ   ।

ଧନୁ: ଆଜି  ଜଗି ରଖି ଚଳନ୍ତୁ ।  ବାଣିଜ୍ୟ, ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି।  ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ବ୍ୟତୀତ କିଛି କରିପାରିବେ ନାହିଁ । ସମସ୍ୟା ସମାଧାନ ପାଇଁ କଚେରି ମାମଲାରେ ଆଇନଜ୍ଞଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ ।

ମକର : ଆଜି ଆପଣ ଭଲ କଥା କହିଲେ ମଧ୍ୟ ପରିବାରରେ ତାହାକୁ ଭୁଲ୍ ବିଚାର କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଜଗି ରଖି କାମ କରିବା ଓ କହିବା ଭଲ ହେବ। ଅନ୍ୟଥା ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ । ରାଜନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ । ଶରୀର ସୁସ୍ଥ ରହିବ। ସୁସ୍ୱାଦୁ ଭୋଜନ ମିଳିବ ।

କୁମ୍ଭ : ଆଜି କୌଣସି ଅଜଣା ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ । ନିଜର ଦକ୍ଷତା ଯୋଗ୍ୟତାକୁ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । କ୍ରୀଡା କ୍ଷେତ୍ରରେ କ୍ରୀଡାବିତମାନେ ବିଜୟୀ ହେବେ ।  ବହୁ ଦିନର ଆଶା ଅଭିଳାଷ ପୁରଣ ହେବ । ପିତା ମାତାଙ୍କ ସ୍ନେହ ଶ୍ରଦ୍ଧା ସହାନୁଭୂତି ଆଶିର୍ବାଦ ମିଳିବ ।

ମୀନ : ଆଜି ଆଶାଆଶଙ୍କା ଦେଇ ଗତି କରିବେ । ପ୍ରତ୍ୟେକ କ୍ଷେତ୍ରରେ ବାଧା ବିଘ୍ନ ଦେଖାଦେଇପାରେ ।  ଅତୀତ କଥାକୁ ନେଇ ଗୁଡାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ନିଜ ଜୀବନ ସାଥୀର ଭରସା ଉତ୍ସାହ ପ୍ରେରଣା ଆପଣଙ୍କୁ ଅନେକାଂଶରେ ସଫଳତା ଆଣିଦେବ ।