ଜିଲାପାଳଙ୍କୁ ଅଭିଯୋଗ କରିବା ପାଇଁ ୫କିମି ଚାଲିଲେ ବିଦ୍ୟାର୍ଥୀ…!

!!! ରାୟଗଡା ଜିଲ୍ଲା ପ୍ରତିନିଧି ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ଆଦିବାସୀ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। ଖାଦ୍ୟପେୟରୁ ଆରମ୍ଭ କରି ଶିକ୍ଷାଦାନ ପର୍ଯ୍ୟନ୍ତ ସବୁ ପ୍ରକାର ଅବହେଳାର ପ୍ରତିବାଦରେ ଆଜି ଶତାଧିକ ଛାତ୍ରଛାତ୍ରୀ ଟାଣ ଖରାରେ ୫ କିମି ରାସ୍ତା ଚାଲିଚାଲି ଯାଇ ଜିଲାପାଳଙ୍କକାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଛାତ୍ରାବାସରେ ଠିକ୍‌ ଭାବେ ଖାଇବାକୁ ନ ଦେବା, ଶୌଚାଳୟର ଅବ୍ୟବସ୍ଥା,ପୋଷାକ ନ ଦେବା,ପାଠପଢା ପାଇଁ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ସାଙ୍ଗକୁ ଅଭିଯୋଗ କଲେ ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ବିଦ୍ୟାଳୟର ଅବ୍ୟବସ୍ଥା ସମ୍ପର୍କରେ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହୋଇଛି। ଶେଷରେ ଅନ୍ୟ କୌଣସି ଉପାୟ ନ ପାଇ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଶିରିଗୁଡ଼ାରୁ ଦୀର୍ଘ ୫କିମି ଚାଲିଚାଲି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଧାରଣାରେ ବସିଥିଲେ।ଛାତ୍ରଛାତ୍ରୀ ସିଧାସଳଖ ଜିଲାପାଳଙ୍କ କାର୍ଯ୍ୟାଳୟ ଯାଇ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।ପ୍ରଥମେ ଅତିରିକ୍ତ ଜିଲାପାଳ ଆଲୋଚନା କରିଥିଲେ ମଧ୍ୟ ଛାତ୍ରଛାତ୍ରୀ ନ ଶୁଣିବାରୁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଶେଷରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ସଫଳ ହେବା ସହ ଆଗାମୀ ଦିନରେ ସେମାନଙ୍କ ସମସ୍ୟାର ସମାଧାନ ଯଥାଶୀଘ୍ର କରାଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଛନ୍ତି।ପରେ ଛାତ୍ରଛାତ୍ରୀ ଆନ୍ଦୋଳନରୁ ଓହରିଥିଲେ। ଛାତ୍ରଛାତ୍ରୀ ୫ କିଲୋମିଟର ଚାଲି ଚାଲି ଯିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି।ଦୀର୍ଘଦିନ ହେବ ଏକଲବ୍ୟ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଅଶାନ୍ତି ଲାଗି ରହିଥିବାବେଳେ ଆଜି ଏହା ଉଗ୍ରରୂପ ନେଇଥିଲା।ପୂର୍ବରୁ କି ବିଦ୍ୟାଳୟର ମୁଖ୍ୟ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କାରଣ ଦର୍ଶାଇ ଦୁବ୍ୟବହାର କରୁଥିବାବେଳେ ଆ ମୁହଁ ଖୋଲିଲେ ପିଲାଙ୍କୁ ଭୟଭୀତ କରୁଥିଲେ । ବିଦ୍ୟାଳୟର ପୋଷାକ ଯୋଗାଣ ଠାରୁ ଆରମ୍ଭ କରି ପାଠ୍ୟକ୍ରମ ଉପରେ ଅଭିଯୋଗ କରୁଥିଲେ ସମ୍ପୃକ୍ତ ଅଧ୍ୟକ୍ଷ ସହଯୋଗ କରୁ ନ ଥିଲେ।ଏପରିକି ବିଦ୍ୟାଳୟ ପରିସରରେ ଥିବା ଶୌଚାଳୟ ପୁରିଗନ୍ଧମୟ ପରିବେଶରେ ରହୁଥିଲେ ସୁଦ୍ଧା ତାକୁ ନିୟମିତ ସଫେଇ କରାଯାଉ ନ ଥିଲା।ଆଜି ଜିଲାପାଳଙ୍କ ସହ ସାକ୍ଷାତ ପରେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ ବୋଲି ଛାତ୍ରଛାତ୍ରୀ ଆଶା ରଖୁଥିବାବେଳେ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି ।

କଂଗ୍ରେସରେ ବିଦ୍ରୋହ ପିସିସି ବିରୁଦ୍ଧରେ ଫେରାଦ ହେଲେ ୮ ବିଧାୟକ..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ କଂଗ୍ରେସରେ ବଡ଼ଧରଣର ବିଦ୍ରୋହ ମୁଣ୍ଡ ଟେକିଛି। କଂଗ୍ରେସ ବିଧାୟକମାନେ ମିଳିତ ଭାବେ ଦଳୀୟ ସଂଗଠନ ବିରୁଦ୍ଧରେ ସ୍ୱର ଉଠାଇ ରାଜ୍ୟରେ ଦଳର ଉଦବେଗଜନକ ସ୍ଥିତି ସମ୍ପର୍କରେ ରାହୁଲ ଗାନ୍ଧିଙ୍କୁ ଦୁଇ ପୃଷ୍ଠାର ଚିଠି ଲେଖି ଅବଗତ କରିବା ସହ ଭେଟିବା ପାଇଁ ସମୟ ଲୋଡ଼ିଛନ୍ତି। ସୋମବାର କଂଗ୍ରେସ ବିଧାୟକମାନେ ମିଳିତ ହୋଇ ବୈଠକ କରିବା ସହ ବର୍ତ୍ତମାନର ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ଆମୂଳଚୂଳ ପରିବର୍ତ୍ତନ ନହେଲେ ରାଜ୍ୟରେ ଦଳକୁ ଆହୁରି ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସର୍ତକ କରାଇ ଦେଇଛନ୍ତି। ‘ଓଡ଼ିଶା ରିପୋର୍ଟର’ର ହସ୍ତଗତ ହୋଇଥିବା ଏହି ୨ପୃଷ୍ଠାର ଚିଠିରେ କଂଗ୍ରେସ ବିଧାୟକମାନେ ଉଲ୍ଲେଖ କରିଛନ୍ତି ଯେ, ଆସନ୍ତା ଅଢ଼େଇ ମାସ ପରେ ଓଡ଼ିଶାରେ ପଂଚାୟତ ନିର୍ବାଚନ ଓ ତା’ର ଠିକ୍ ପରେ ପୌର ନିର୍ବାଚନ ହେବାକୁ ଯାଉଥିବାବେଳେ ଏବେ ରାଜ୍ୟରେ କଂଗ୍ରେସର ଦଳୀୟ ସଂଗଠନ ଅତ୍ୟନ୍ତ ସଙ୍ଗୀନ ଓ ଦୁର୍ବଳ ସ୍ଥିତିରେ ରହିଛି। ୨୦୧୯ ବିଧାନସଭା ନିର୍ବାଚନରେ ଜୋରଦାର ଝଟକା ପରେ ରାଜ୍ୟରେ ୫ଟି ବିଧାନସଭା ଉପନିର୍ବାଚନରେ ଦଳ ପ୍ରତିଦ୍ୱନ୍ଦ୍ୱିତା କରିଛି। ବିଜେଡି ଓ ବିଜେପି ସହ ତ୍ରିକୋଣୀୟ ଲଢ଼େଇରେ ଦଳର ଭୋଟ ହାର ୨.୫%ରୁ ୩ % ମଧ୍ୟରେ ରହିଛି। ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ଦୃଢ଼ ଯୋଜନାବଦ୍ଧ ସାଂଗଠନିକ ଦକ୍ଷତାକୁ ମୁକାବିଲା କରିବା ପାଇଁ କଂଗ୍ରେସର କୌଣସି ପ୍ରସ୍ତୁତି କିମ୍ବା ହୋମୱାର୍କ ମଧ୍ୟ ନାହିଁ। କଂଗ୍ରେସ ସଂଗଠନର ଏଭଳି ନିରାଶଜନକ ପ୍ରଦର୍ଶନ ଓ ନିଷ୍କ୍ରିୟତା ଯୋଗୁ ରାଜ୍ୟର ବିଭିନ୍ନ ଭାଗରୁ ଶହ ଶହ ଦଳୀୟ କର୍ମୀମାନେ କଂଗ୍ରେସ ଛାଡ଼ି ଅନ୍ୟ ଦଳରେ ସାମିଲ ହେଉଛନ୍ତି। ୨୦୨୪ ମସିହାରେ ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେବାର ଥିବାବେଳେ ପଂଚାୟତ ଓ ପୌର ନିର୍ବାଚନର ଫଳାଫଳ ଏହାର ପ୍ରତିବିମ୍ବ ସଦୃଶ ହେବ। ବର୍ତ୍ତମାନର ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ଢାଂଚାଗତ ପରିବର୍ତ୍ତନ ନହେଲେ ଦଳ ନିଶ୍ଚିତ ଭାବେ ଅନୁରୂପ ବିପର୍ଯ୍ୟୟର ସମ୍ମୁଖୀନ ହେବ। କଂଗ୍ରେସ ଦଳ ପାଇଁ ଓଡ଼ିଶା ଏକ ସମ୍ଭାବନାର ରାଜ୍ୟ। ଯଦି ସଠିକ୍ ଦିଗରେ ପଦକ୍ଷେପ ନିଆଯାଏ ତା’ହେଲେ ଆଗାମୀ ଦିନରେ ନିଶ୍ଚିତ ଭାବେ ଓଡ଼ିଶାରେ ଚମତ୍କାର ହେବ। ରାଜ୍ୟରେ ଦଳର ଏଭଳି ସମ୍ଭାବନାମୟ ଓ ଅସ୍ଥିର ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂଗଠନରେ ସୁଧାର ପାଇଁ ତଥା ଦଳକୁ ବଂଚାଇବା ନିମନ୍ତେ ବିଧାୟକମାନେ ମିଳିତ ଭାବେ ରାହୁଲ ଗାନ୍ଧିଙ୍କ ତ୍ୱରିତ୍ ହସ୍ତକ୍ଷେପ ଲୋଡ଼ିଛନ୍ତି । ଯାହାଫଳରେ ଆଗକୁ ହେବାକୁ ଥିବା ନିର୍ବାଚନରେ ରାଜ୍ୟରେ ବିଜେଡି ଓ ବିଜେପିର ଆକ୍ରମଣକୁ ମୁକାବିଲା କରିବା ସମ୍ଭବପର ହୋଇପାରିବ ବୋଲି ବିଧାୟକମାନେ ଲିଖିତ ଭାବେ ରାହୁଲ ଗାନ୍ଧିଙ୍କୁ ଅବଗତ କରାଇ ଭେଟିବା ନିମନ୍ତେ ସମୟ ଲୋଡ଼ିଛନ୍ତି। ରାଜ୍ୟରେ କଂଗ୍ରେସର ମୋଟ ୯ଜଣ ବିଧାୟକ ଥିବାବେଳେ କେବଳ ନରସିଂହ ମିଶ୍ରଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତ ୮ ବିଧାୟକ ଏହି ଚିଠିରେ ଦସ୍ତଖତ କରିଛନ୍ତି। ଦଳର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସୋମବାର କଂଗ୍ରେସ ବିଧାୟକ ଦଳର ବୈଠକ ବସି ସଂଗଠନ ଉପରେ ବିଚାରବିମର୍ଶ କରାଯାଇଥିଲା। କାହାରି ବିରୁଦ୍ଧରେ ବୈଠକ ବସି ନଥିଲା। କେବଳ ନୂଆଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିବା ପାଇଁ ସମସ୍ତ ବିଧାୟକ ମିଳିତ ଭାବେ ସମୟ ଲୋଡ଼ିଛନ୍ତି। ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଦଳୀୟ ବିଧାୟକମାନଙ୍କ ଏହି ବୈଠକକୁ ବେଶ୍ ଗୁରୁତ୍ୱ ବହନ କରୁଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହଟାଓ ଅଭିଯାନ ମଧ୍ୟ ଜୋର ଧରିଛି।

କେଉଁ ଦିଗରେ ଝରକା କଲେ ମାଡ଼ି ଆସିବ ବିପଦ…!

!!! ପ୍ରବଚକ॰ ଜଗଦୀଶ ପ୍ରସାଦ !!!

ଘର ଖଣ୍ଡେ କରିବା ସମସ୍ତଙ୍କ ସ୍ୱପ୍ନ ଥାଏ। ହେଲେ ଘର କରିବା ସମୟରେ କେଉଁ ଦିଗରେ କରିବେ ଝରକା ? ଉତ୍ତର ନା ଦକ୍ଷିଣ । କ’ଣ ରହିଛି ଏହାର ପ୍ରଭାବ । ଏହାକୁ ନେଇ ଗୃହକର୍ତ୍ତା ଦ୍ୱନ୍ଦ୍ୱରେ ପଡ଼ି ଯାଉଥିବା ବେଳେ ବେଳେବେଳେ ସଠିକ ନିଷ୍ପତ୍ତି ନେବାରେ ହୋଇଯାଏ ତ୍ରୁଟି । ଯାହାର ଫଳ ପରିବାରର ସବୁ ସଦସ୍ୟଙ୍କୁ ଭୋଗିବାକୁ ପଡ଼ିଥାଏ। କେତେବେଳେ ଆର୍ଥିକ ସମସ୍ୟା ଦେଖାଦିଏ ତ କେତେବଳେ ସ୍ୱାସ୍ଥ୍ୟ ସମସ୍ୟାରେ ଛନ୍ଦି ହେବାକୁ ପଡ଼ିପାରେ। ତେଣୁ ଘରର ଝରକା କରିବା ସମୟରେ ଅଧିକାଂଶ ଲୋକ ଏହାକୁ ଗୁରୁତ୍ୱ ଦେଉ ନ ଥିବା ବେଳେ ଜାଣି ରଖନ୍ତୁ, କେଉଁ ଦିଗରେ ଭୁଲ୍‌ରେ ବି କରିବେନି ଝରକା। ଘରର ଝରକା କରିବା ସମୟରେ ସବୁବେଳେ ଉତ୍ତର ଦିଗକୁ ହିଁ ପ୍ରାଥମିକତା ଦିଅନ୍ତୁ। ଭୁଲ୍‌ରେ ବି ଦକ୍ଷିଣ ଦିଗରେ ଝରକା କରିବା କଥା ଚିନ୍ତା କରନ୍ତୁ ନାହିଁ।  ଉତ୍ତର ଦିଗକୁ ଉର୍ଜାରେ ଭରପୂର ଦିଗ ଏପରିକି  କୁବେରଙ୍କ ଦିଗ ବୋଲି ଧରା ଯାଇଥାଏ। ଏହି ଦିଗରେ ଝରକା ନିର୍ମାଣ କଲେ ଆପଣଙ୍କ ଘର, ଅଫିସ  ଉପରେ ଭଗବାନ କୁବେରଙ୍କ କୃପାଦୃଷ୍ଟି ରହିଥାଏ। ଏପରିକି ଘରେ କେବେ ଧନର ଅଭାବ  ରୁହେ ନାହିଁ। ତେଣୁ ଉତ୍ତର ଦିଗରେ ଝରକା କରିବାକୁ ଶୁଭ ବିବେଚନା କରାଯାଇଥାଏ ଏବଂ ଏହାକୁ ପ୍ରତିଦିନ କିଛି କିଛି ସମୟ ଖୋଲା ରଖିବା ଦରକାର ।  ଅପରପକ୍ଷେ, ଘରର ଦକ୍ଷିଣ ଦିଗରେ କେବେ ବି ଝରକା କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ପରିବାର ସଦସ୍ୟଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ଓ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଥାଏ। ଦକ୍ଷିଣ ଦିଗକୁ ଯମ ଅଥବା ମୃତ୍ୟୁର ଦେବତାଙ୍କ ଦିଗ ବୋଲି ଧରା ଯାଇଥାଏ। ସେଥିପାଇଁ ଏହି ଦିଗକୁ ଅଶୁଭ ବୋଲି ବିବେଚନା କରାଯାଏ । ଏହି ଦିଗର ବହୁତ ନକରାତ୍ମକ ପ୍ରଭାବ ଥିବାରୁ ଏହି ଦିଗରେ  ଝରକା କଲେ ଏହାର ପ୍ରଭାବ ଘରର ସଦସ୍ୟଙ୍କ ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ହେଲେ ଯଦି ଆପଣଙ୍କ ଘର ଦକ୍ଷିଣ ଦିଗକୁ ମୁହଁ କରିଛି, ଅଥବା ଆପଣ ଦକ୍ଷିଣ ମୁହାଁ ଝରକା କରିବାକୁ ବାଧ୍ୟ ହେଉଛନ୍ତି, ତେବେ ଏହାର ନକରାତ୍ମକ ପ୍ରଭାବରୁ ବର୍ତ୍ତିବା ପାଇଁ ଉପାୟ ବି ବାସ୍ତୁ ଶାସ୍ତ୍ରରେ ଅଛି। ଏହି ଦିଗରେ ଥିବା ଝରକାରେ ଆପଣ ମୋଟା ପର୍ଦ୍ଦା ଲଗାଇ ଦିଅନ୍ତୁ। ଏହାଦ୍ୱାରା  ନକରାତ୍ମକ ପ୍ରଭାବ କିଛିଟା କମିପାରେ ବୋଲି ବିଶ୍ୱାସ ରହିଛି। ଏହାବାଦ କିଛି ଲୋକ ନିର୍ଣ୍ଣୟ ନେଇପାରନ୍ତି ନାହିଁ କି ଘରର ମୁଖ୍ୟ ଦ୍ୱାର ନିକଟରେ ଝରକା କରିବେ କି ନାହିଁ। ବାସ୍ତୁ ଅନୁଯାୟୀ କ’ଣ ରହିଛି ଏହାର ପ୍ରଭାବ । ବାସ୍ତୁ ଅନୁଯାୟୀ, ଘରର ମୁଖ୍ୟ ଦ୍ୱାରା ନିକଟରେ ଝରକା କରିବା ଖୁବ୍‌ ଭଲ। ହେଲେ ଘର କରିବା ସମୟରେ ମୁଖ୍ୟ ଦ୍ୱାର ନିକଟରେ ଏହାର ୨ ପାର୍ଶ୍ୱରେ ୨ଟି ସମାନ ଆକାରର ଗେଟ୍‌ କରିବା ଦରକାର। ଏପରି କରିବା ଦ୍ୱାରା ଏକ ଚୁମ୍ବକୀୟ ଚକ୍ର ନିର୍ମାଣ ହୋଇଥାଏ। ଯାହାଦ୍ୱାରା ଘରେ ସକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ। ଏହାବାଦ ଘରର ସମୁଦାୟ ଝରକା ସଂଖ୍ୟା କେତେ ରଖିବେ,  ଯୁଗ୍ମ ନା ଅଯୁଗ୍ମ । ସେ ନେଇ ଗୃହକର୍ତ୍ତା ବେଳେବେଳେ ଦ୍ୱନ୍ଦ୍ୱରେ ପଡ଼ି ଯାଉଥିବା ବେଳେ ସବୁବେଳେ ଝରକା ସଂଖ୍ୟା ଯୁଗ୍ମ ରଖିବା ଦରକାର।  ଅଯୁଗ୍ମ ହେବା ଦ୍ୱାରା ଏହାର କୁପ୍ରଭାବ ପରିବାର ଲୋକଙ୍କ ଉପରେ ପଡ଼ିଥାଏ। ବହୁ ଲୋକ ଘର କରିବା ସମୟରେ ଅତ୍ୟଧିକ ଉତ୍ସୁକ ହୋଇ କେବଳ ଡିଜାଇନକୁ ଗୁରୁତ୍ୱ ଦେଇଥିବା ବେଳେ ବାସ୍ତୁକୁ ଭୁଲି ଯାଇଥାନ୍ତି। ଏହାଦ୍ୱାରା ନିଜ ସ୍ୱପ୍ନର ଘରେ ନିଜ ପରିବାର ସହ ରହିବାର ସ୍ୱପ୍ନ ପୂରଣ ହୋଇଥିଲେ ମଧ୍ୟ ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ଖବର ପ୍ରକାଶ ପରେ ଚେଇଁଲେ ପ୍ରଶାସକ “ଭୁତ ଫେରାଇଲା ଚାଉଳ ” …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାୟଗଡା ଜିଲ୍ଲା ଗୁଣପୁର ଠାରେ ଯୋଗାଣ ବିଭାଗ ପକ୍ଷରୁ ପରିଚାଳିତ ମୈତ୍ରୀ କେନ୍ଦ୍ରରେ ହୋଇଥିବା ରାସନ ଘୋଟଲା ନେଇ “ଭୁତ ଖାଇଗଲା ଚାଉଳ'” ଶୀର୍ଷକ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ପ୍ରଶାସନର ନିଦ ଭାଙ୍ଗିଲା । ଅଭିଯୁକ୍ତକାରିଣୀ ଶ୍ରୀମତୀ ସରୋଜିନୀ ପଟ୍ଟନାୟକ ଙ୍କୁ ଚଳିତ ମାସରେ ମେଳିବାକୁ ଥିବା ରାସନ ସହ ପୂର୍ବ ମାସର ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ପ୍ପ୍ରକାଶ ଥାଉକି,ଗୁଣପୁର ୱାର୍ଡ ନଂ ୧୪ର ଖାଉଟି ଶ୍ରୀମତୀ ସରୋଜିନୀ ଙ୍କୁ ମେଳିବାର ଥିବା ରାସନ ସାମଗ୍ରୀ ନଦେଇ ଦିଆଯାଇଥିବା ଭଳି ସୂଚନା ମେଲିଥିବାରୁ ଏହାକୁ ବିରୋଧ କରି ଶ୍ରୀମତୀ ପଟ୍ଟନାୟକ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଥିଲେ । ଘଟଣାକୁ ସ୍ଥାନୀୟ ଯୋଗାଣ ବିଭାଗ ଅଧିକାରୀ ଘଣ୍ଟା ଘୋଡାଇ ରଖିଥିବା ଅଭିଯୋଗ କରି ଆମ୍ଭ ଖବର ଦାତାଙ୍କୁ ଏବିଷୟରେ ଜଣା କରିବା ରୁ ଏନେଇ ଆମ୍ଭ ପକ୍ଷରୁ ଖବର ପ୍ରକାଶ କରାଯାଇଥିଲା । ବିଳମ୍ବରେ ହେଲେବି ପ୍ରଶାସନ ଦୁଃଖ ବୁଝିପାରି ଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି ବୋଲି ପଟ୍ଟନାୟକ ପରିବାର କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହା କେଉଁ ଭୁତ ଖାଇଥିଲା ଏହାର ଜବାବ କିଏ ଦେବ ? ଏହି ଘୋଟଲା ରେ କିଏ ସମ୍ପୃକ୍ତ ଥିଲା ? ଏହାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏହା ବର୍ତ୍ତମାନ ସୁଦ୍ଧା ଜଣାଯାଇନି । ଘୋଟଲା ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏହା ଗୋଇଠା ମାରି ବିଷ୍ଣୁ କହିବା ବାହୁଲ୍ୟ ହୋଇ ପଡ଼ିବ । ଦେଖିବାକୁ ରହିଲା ପ୍ରଶାସକ ପଦକ୍ଷେପ ନେଉଛନ୍ତି ନା ଘଟଣାକୁ ଘଣ୍ଟ ଘୋଡାଇ ଚପେଇ ରଖୁଛନ୍ତି ।

୬ ମାସ ପରେ ପୁଣି ଏକ ନମ୍ବର ତାଜ୍ ପିନ୍ଧିଲା ଟିମ୍ ଇଣ୍ଡିଆ…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ମୁମ୍ବାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟକୁ ୩୭୨ ରନର ବୃହତ ବ୍ୟବଧାନରେ ଜିତି ସିରିଜ୍ ହାତେଇଛି ଟିମ୍ ଇଣ୍ଡିଆ। ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆକୁ ରାଙ୍କିଙ୍ଗରେ ମଧ୍ୟ ବଡ଼ ଫାଇଦା ହୋଇଛି। ସଦ୍ୟ ଘୋଷିତ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଭାରତ ପୁଣିଥରେ ଏକ ନମ୍ବର ସ୍ଥାନ ହାସଲ କରିଛି। ମୁମ୍ବାଇ ଟେଷ୍ଟ ଜିତିବା ପରେ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଭାରତର ୧୨୪ ରେଟିଂ ପଏଣ୍ଟ ହୋଇଛି। ସେହିପରି ପରାଜୟ ସ୍ୱୀକାର କରିଥିବା କିୱି ଟିମର ରେଟିଂ ପଏଣ୍ଟ ୧୨୧କୁ ଖସି ଆସିଛି। ଅଷ୍ଟ୍ରେଲିଆ ୧୦୮ ପଏଣ୍ଟ ସହ ତୃତୀୟ ଏବଂ ଇଂଲଣ୍ଡ ୧୦୭ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ଏଥିସହ ଭାରତ ୬ ମାସ ପରେ ପୁଣିଥରେ ଏକ ନମ୍ବର ସ୍ଥାନ କବଜା କରିଛି। ଜୁନ୍ ମାସରେ ଇଂଲଣ୍ଡରେ ଖେଳାଯାଇଥିବା ଆଇସିସି ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବା ପରେ ଭାରତ ଏକ ନମ୍ବର ସ୍ଥାନ ହରାଇଥିଲା। ଏହା ପରେ କିୱି ଟିମ୍ ଶୀର୍ଷ ସ୍ଥାନରେ ରହିଥିଲା। କ୍ୟାପଟେନ୍ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଟିମରେ ଟେଷ୍ଟ ବେଶ୍ ମଜଭୁତ। ଭାରତ ୨୦୧୬ରୁ ୨୦୨୦ ଯାଲ ଲଗାତର ଏକ ନମ୍ବର ସ୍ଥାନରେ ରହିଥିଲା। ଏହା ପରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ କିଛି ସମୟ ପାଇଁ ଏକ ନମ୍ବର ସ୍ଥାନରେ ରହିଥିଲେ। ଏହା ପରେ ଭାରତ ପୁଣିଥରେ ଶୀର୍ଷକୁ ଫେରିଥିଲା। ମୁମ୍ବାଇ ଟେଷ୍ଟରେ ୫୪୦ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୧୪୦ ରନ୍ କରିଥିଲା। ମ୍ୟାଚ୍ ଜିତିବା ପାଇଁ ଭାରତକୁ ୫ ୱିକେଟ୍ ଦରକାର ହେଉଛି। ଆଉ ଚତୁର୍ଥ ଦିବସରେ ଘଣ୍ଟାଏ ଭିତରେ ଭାରତୀୟ ସ୍ପିନର କିୱି ଟିମକୁ ଅଲଆଉଟ୍ କରି ମ୍ୟାଚକୁ ୩୭୨ ରନର ବଡ଼ ବ୍ୟବଧାନରେ ଜିତି ନେଇଥିଲା। ମ୍ୟାଚରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ୪ଟି, ଜୟନ୍ତ ଯାଦବ ୩ଟି ଓ ଅକ୍ଷର ପଟେଲ ୨ଟି ୱିକେଟ୍ ଅକ୍ତିଆର କରିଥିଲେ। ନ୍ୟୁଜିଲ୍ୟାଣ୍ଡ ଉକ୍ତ ମ୍ୟାଚର ପ୍ରଥମ ଇନିଂସରେ ମାତ୍ର ୬୨ ରନରେ ସୀମିତ ରହିଥିବା ଦ୍ୱିତୀୟ ଇନିଂସରେ ୧୬୭ ରନ୍ କରି ଅଲଆଉଟ୍ ହୋଇଥିଲା। ଏହା ପୂର୍ବରୁ କାନପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର’ ରହିଥିଲା। ହେଲେ ମୁମ୍ବାଇର କଠିନ ପିଚରେ ଭ୍ରମଣକାରୀ ଦଳର ବ୍ୟାଟ୍ସମ୍ୟାନ୍ ଭାରତୀୟ ସ୍ପିନ୍ ଆଟାକକୁ ସାମ୍ନା କରିପାରିନଥିଲେ। ମୁମ୍ବାଇ ଟେଷ୍ଟରେ କିୱି ସ୍ପିନର ଏଜାଜ ପଟେଲ୍ ରେକର୍ଡ ୧୪ ୱିକେଟ୍ ହାସଲ କରିଛନ୍ତି। ସେ ପ୍ରଥମ ଇନିଂସରେ ଭାରତର ସମସ୍ତ ୧୦ଟି ଯାକ ୱିକେଟ୍ ନେଇ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ସେ ଦୁନିଆର ତୃତୀୟ ବୋଲର ଭାବେ ଟେଷ୍ଟରେ ପରଫେକ୍ଟ ଟେନ୍ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ଜିମ୍ ଲେକର୍ ଓ ଅନୀଲ କୁମ୍ବଲେ ଏହି ରେକର୍ଡର ଅଧିକାରୀ ହୋଇଥିଲେ।

ପୂଜାଙ୍କ ପ୍ରେମରେ ପାଗଳ ପ୍ରଭାସ…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ପ୍ରେମରେ ଉବୁଟୁବୁ ବାହୁବଳୀ ଫେମ୍‌ ପ୍ରଭାସ। ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କୁ ପାଗଳ କରିଥିବା ପ୍ରଭାସ ଏବେ ନିଜେ ପଡିଛନ୍ତି ପ୍ରେମ ଜାଲରେ। ସେ ଅଭିନେତ୍ରୀ ପୂଜା ହେଗଡେଙ୍କ ପାଇଁ ପାଲଟି ଯାଇଛନ୍ତି ଆଶିକ୍‌। ତାଙ୍କ ପାଇଁ ସେ ଆଶିକି କରୁଛନ୍ତି। କେତେବେଳେ ତାଙ୍କ ପାଇଁ ଷ୍ଟେସନ ବାହାରେ ଅପେକ୍ଷା କରୁଛନ୍ତି ତ ଆଉ କେତେବେଳେ ବର୍ଷାରେ ଭିଜୁଛନ୍ତି। ସେହିପରି ଆଉ କେତେବେଳେ ତାଙ୍କୁ ବାଇକ୍‌ରେ ବସାଇ ବୁଲୁଛନ୍ତି। ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ ଶ୍ୟାମ୍‌’ର ଲଭ୍‌ ଆନ୍ଥମ୍‌। ଏହି ଗୀତରେ ସାଉଥ ସୁପରଷ୍ଟାର ପ୍ରଭାସ ପାଲଟିଛନ୍ତି ରମୋଣ୍ଟିକ୍‌ ବୟ। ସେ ଅଭିନେତ୍ରୀ ପୂଜା ହେଗଡେଙ୍କ ପାଇଁ ପାଗଳ ହୋଇଯାଇଛନ୍ତି। ଏହି ଗୀତଟି ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ହିଁ ୟୁଟ୍ୟୁବ୍‌ରେ ଧମାଲ କରିଛି। ସୋଶାଲ ମିଡିଆରେ ମଧ୍ୟ ପ୍ରଭାସଙ୍କ ଏହି ଗୀତ ଟ୍ରେଣ୍ଡ କରୁଛି। ଫିଲ୍ମ ‘ରାଧେ ଶ୍ୟାମ୍‌’ ଟିମ୍‌ ତରଫରୁ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଏହି ଗୀତଟିକୁ ଶେୟାର କରାଯାଇଛି। ଗୀତରେ ପ୍ରଭାସ ଏବଂ ପୂଜାଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଛି। ଏହି ଗୀତଟି ରିଲିଜ ହେବା ପରେ ଏବେ ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି। ଏହି ରୋମାଣ୍ଟିକ୍‌ ଗୀତଟିକୁ ଅରିଜିତ ସିଂହ ଗାଇଛନ୍ତି। ଆସନ୍ତା ଜାନୁଆରୀ ୧୪ରେ ଏହି ଫିଲ୍ମଟି ବଡ ପରଦାରେ ରିଲିଜ ହେବ। ବିଭିନ୍ନ ଭାଷାରେ ଫିଲ୍ମଟି ପରଦାକୁ ଆସିବ। ଗୁଲସନ କୁମାର ଓ ଟି-ସିରିଜ ପ୍ରଡକ୍ସନରେ ତିଆରି ଏହି ଫିଲ୍ମକୁ ରାଧା କୃଷ୍ଣା କୁମାର ନିର୍ଦ୍ଦେଶନା ଦେଇଛନ୍ତି। ଲିଡ୍‌ ରୋଲରେ ପ୍ରଭାସ ଥିବା ବେଳେ ପ୍ରଥମ ଥର ପାଇଁ ତାଙ୍କ ଅପୋଜିଟ୍‌ରେ ପୂଜା ହେଗଡେ ଅଛନ୍ତି।

ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଇସ୍ତଫା ଦେବା ପୂର୍ବରୁ ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀଙ୍କୁ ଦଳରୁ ବହିଷ୍କାର କଲା କଂଗ୍ରେସ। ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ସୂଚନା ଦେଇଛନ୍ତି। ଆଜି ଅପରାହ୍ନ ସାଢ଼େ ୩ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସରୁ ଇସ୍ତଫା ଦେବା କଥା ଘୋଷଣା କରିଥା’ନ୍ତେ ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ ମାଝୀ। ଏ କଥା ବିଭିନ୍ନ ଗଣମାଧ୍ୟମରେ ଆସିବା ପରେ ତାଙ୍କୁ ଦଳ ବହିଷ୍କାର କରିଛି। ଡାକ୍ତର ମାଝୀ କହିଥିଲେ ଯେ ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ସହିତ ଆଲୋଚନା କରିବା ପରେ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସହିତ ତାଙ୍କର ସମର୍ଥକ ଓ ଶୁଭେଚ୍ଛୁ ବି ଦଳ ଛାଡ଼ିବେ। ଦଳ ସେମାନଙ୍କୁ ଅଣଦେଖା ଓ ଅବହେଳା କରିଛି। ତେଣୁ କେତେ ଦିନ ଆଉ ପଡ଼ି ରହିବେ ବୋଲି ସେ କହିଥିଲେ। ସେ ରାଜନୀତି ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। କଂଗ୍ରେସ ଛାଡ଼ି ସେ ଅନ୍ୟ ଦଳରେ ଯୋଗ ଦେବେ ବୋଲି କହିଥିଲେ। କିନ୍ତୁ କେଉଁ ଦଳରେ ଯୋଗ ଦେବେ ସେ ସଂପର୍କରେ କିଛି କହି ନଥିଲେ। ସେ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରି ପାରନ୍ତି ବୋଲି କୁହାଯାଉଛି। ସୁନ୍ଦରଗଡ଼ର ତଳସରା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟ୍‌ରେ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଡାକ୍ତର ପ୍ରଫୁଲ୍ଲ ମାଝୀ। ୨୦୦୬ରେ ଉପ-ନିର୍ବାଚନ ଲଢ଼ି ରାଜନୀତିକୁ ଆସିଥିଲେ ଡାକ୍ତର ମାଝୀ। ଏହା ପରେ ଯଥାକ୍ରମେ ୨୦୦୯ ଓ ୨୦୧୪ ନିର୍ବାଚନରେ ସେ ଏହି ଆସନରୁ ଜିତିଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ସେ ହାରି ଯାଇଥିଲେ।

ଫମ୍ପା ମାଠିଆ ର ଶବ୍ଦ ବେଶି “ସବ୍ କା ସାଥ୍ – ସବ୍ କା ବିକାଶ” ଏଠି ଭେଳିକି ମାତ୍ର…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପଦ୍ମପୁର)- ଏମାନେ କିଏ ? କଣ ଏମାନଙ୍କର ପରିଚୟ? କଣ ପାଇଁ ଆଜି ଏମାନଙ୍କ ଏଇ ଅବସ୍ଥା।ଥରୁଟିଏ ଏମାନଙ୍କ କଥା କିଏ ବୁଝିବା ପାଇଁ ଚେଷ୍ଟା କରିଛି,ଆଖି ଆଢ଼ୁଆଳ ରେ ଥାଇ ମଧ୍ୟ ମଣିଷ ପଶୁ ଠାରୁ ହିନ ହୋଇ ଜୀବନ ବିତାଉ ଥିବା ହୃଦୟ ବିଦାରକ ଦୃଶ୍ୟ ବାରି ହୋଇ ପଡୁଥିଲେ ମଧ୍ୟ ନିରୀହ ମାନଙ୍କ ପ୍ରତି କାହା ପାଖରେ ସମୟ ନାହିଁ।ସ୍ଥାଣୁ ପ୍ରଶାସନିକ ଅଧିକାରୀ ମାନେ ଦେଖି ନଦେଖିଲା ଭଳି ମୁହଁ ଫେରାଇ ନିଅନ୍ତି।ନେତା ମନ୍ତ୍ରୀ ଙ୍କ ନ କହିବା ଭଲ।ସରକାର ଙ୍କ ଯୋଜନା ଅନେକ ହେଲେ ସରକାର ଙ୍କ ମାଳମାଳ ଯୋଜନା ଏମାନଙ୍କ ପାଇଁ ପ୍ରହସନ ପରି ମନେ ହୁଏ।ସ୍ଵାଧୀନତା ରେ ୭୩ବର୍ଷ ପରେ ଆଜି ବି ମଣିଷ ଟିଏ ମଣିଷ ସମାଜ ରେ ମଣିଷ ହୋଇ ବଞ୍ଚିବାର ଅଧିକାର ନାହିଁ କି ବୋଲି ଉଠଇ ଅନେକ ପ୍ରଶ୍ନବାଚୀ।ଯାହାର ଜ୍ୱଳନ୍ତ ପ୍ରମାଣ ଓଡ଼ିଶା ରାଜ୍ୟ ର ଭାତହାଣ୍ଡି ରୂପେ ବେଶ ପରିଚିତ ଥିବା ବରଗଡ଼ ଜିଲ୍ଲା ରେ ବର୍ଷ ବର୍ଷ ଧରି ବାର ଦୁଆର ଶୁଣ୍ଢିପିଣ୍ଢା ହୋଇ ନିରୀହ ମାନସିକ ରୋଗାଗ୍ରସ୍ତ ରୋଗୀ ଖୋଲା ଆକାଶ ତଳେ, ନୁଖୁରା ଶରୀରରେ ଖରା,ବର୍ଷା,ଶୀତ,କାକର ରେ ପଡିରହିଛି l ଯେମିତି ସକାଳ ପାଉଛି ସେମିତି ସନ୍ଧ୍ୟା ସହ ରାତ୍ରି ପରେ ଦିନ ପରେ ଦିନ ଗଡି ଚାଲିଛି।ଏମାନେ ମଣିଷ ଟିଏ ହୋଇ ଧରା ଧାମରେ ଜନ୍ମ ସିନା ହୋଇଛନ୍ତି ସତ, ହେଲେ ଭାଗ୍ୟ ଏମାନଙ୍କ ପାଇଁ ସାଜେ ବଇରୀ,ଯାହା ପଶୁ ଠାରୁ ମଧ୍ୟ ହିନ ଅବସ୍ଥାରେ ଦିନ କାଟୁଥିବା ଦୃଶ୍ୟ ଦେଖି ଆଖିରୁ ପାଣି ବାହାରି ଯାଏ।ଯିଏ କି ନିଜେ ନିଜର ଅସ୍ତିତ୍ଵ କଣ,ଜୀବନର ମାନେ କଣ ତାଙ୍କୁ ଜଣାନାହିଁ,ଅବା କଣ ଜଣା ସେମାନଙ୍କୁ ଭଲ କି ମନ୍ଦ,ବଡ କି ସାନ ତାଙ୍କ ନଜର ରେ ସମସ୍ତେ ସମାନ।କିଛି ପଚାରିଲେ କିଏ ଗୁଣୁଗୁଣୁ ହୋଇ କହୁଛି ତ ଆଉ କିଏ ଠାର ନାର ରେ ନିଜ ବେଦନା ଭରା କାହାଣୀ ବଖାଣୁଛି l

ବେଳେ ବେଳେ ରାଗ ତମ ତମ ହୋଇ ନିଜ ଭିତରେ ଭଡ ଭଡ ହୋଇ ରାଗ ଉତାରି ଦେଇଥାନ୍ତି।ଯିଏ ଯାହା ଦେଲେ ସେଥିରେ କଷ୍ଟେ ମଷ୍ଟେ ଦିନ କାଟି କେତେବେଳେ ଅଇଁଠା ପତ୍ର ଚାଟି ନିଜ ପେଟକୁ ଠକି ଚାଲିଥାନ୍ତି ତ ଆଉ କେତେବେଳେ ବଦାନ୍ୟ ବ୍ୟକ୍ତି ତଥା ଦାତା ମାନଙ୍କ ଠାରୁ ପାଇ ନିଜ ମନକୁ ବୁଝାଇଥାନ୍ତି।ହେଲେ ଏମିତି ଅନେକ ମାନସିକ ରୋଗୀ ଅଛନ୍ତି, ଯାହା ଙ୍କ ଭାଗ୍ୟ ଉପରେ ଦୁଃଖ ର କଲାବାଦଲ ଢାଙ୍କି ହୋଇଥିବା ବେଳେ ଅଜାଣତରେ ଲୋକଙ୍କ ଆକ୍ରୋଶ ର ଶିକାର ମଧ୍ୟ ହୋଇଥାନ୍ତି।ହେଲେ କେତେ ବେଳେ ମଧ୍ୟ ସେମାନଙ୍କ ମନର ବେଦନା ପ୍ରକାଶ ପାଇ ନଥାଏ,କାରଣ ସେମାନେ ଜାଣି ନାହାନ୍ତି ସେମାନେ କିଏ, ସେମାନଙ୍କ ପରିଚୟ କ’ଣ ? ବେଳେବେଳେ ନଜର କୁ ଆସି ଥାଏ ପଶୁ ଠାରୁ ମଧ୍ୟ ହିନ ଜୀବନ ବିତାଉଥିବା ଦୃଶ୍ୟ ଓ ସେଇ ମାନଙ୍କ ମୁହଁରେ ଚେନାଏ ହସ।କେତେବେଳେ ପୁଣି ଗାଁ ଠାରୁ ସହର ଚାରିଆଡ଼େ ସେ ରେଲୱେ ଷ୍ଟେସନ ହେଉ କି ବସଷ୍ଟାଣ୍ଡ ହେଉ ଏଣେତେଣେ ଘୁରିବୁଲି ଲୋକ ହସା ହୋଇଥାନ୍ତି।ଏମାନଙ୍କ କଥା କେବେ ଯଦି କେହି ବୁଝିବାକୁ ଚେଷ୍ଟା କରନ୍ତି ତେବେ ଏମାନେ ନିରୁତ୍ତର।ମଣିଷ ହୋଇ ଜନ୍ମ ହୋଇଥିଲେ ମଧ୍ୟ ମଣିଷ ସମାଜ ର କଥା ଏମାନେ ମାନସିକ ରୋଗାଗ୍ରସ୍ତ ହୋଇ ବେଳେ ବେଳେ ବୁଝି ନଥାଆନ୍ତି।କେବଳ ଠାର ନାର ରେ କିଛି ଟା ମନ କଥା କହିବା ପାଇଁ ଚେଷ୍ଟା କରନ୍ତି।ତେବେ ଏଠି ପ୍ରଶ୍ନ ଉଠୁଛି ଯେ “ସବ୍ କା ସାଥ୍ ,ସବ୍ କା ବିକାଶ” ର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା।”ତେଲିଆ ମୁଣ୍ଡରେ ତେଲ” ଭଳି ଥିଲା ବାଲା ଙ୍କ ପାଇଁ ମାଳମାଳ ଯୋଜନା,ହେଲେ ଏବେବି “କିଏ ନ ପାଏ ଖୁଦ କୁଣ୍ଡା ଆହାର ତ ଆଉ କିଏ ପାଗଳ ହୋଇ ଖାଏ ପ୍ରହାର”।ତେବେ କାହା ପାଇଁ ସରକାର,କାହା ପାଇଁ ସେଇ ସରକାର ଙ୍କ ମାଳମାଳ ଯୋଜନା,ଏମାନେ କଣ ମଣିଷ ନୁହନ୍ତି ନାଁ ଏମାନଙ୍କ ବଞ୍ଚିବାର ଅଧିକାର ନାହିଁ।ରାତି ପାହିଲେ ବରଗଡ଼ ଜିଲ୍ଲା କୁ ପ୍ରଶାସନ,ନେତା ମନ୍ତ୍ରୀ,ଜନ ପ୍ରତିନିଧି ମାନଙ୍କ ସୁଅଛୁଟୁଥିଲେ ସୁଦ୍ଧା ଏମାନେ ଆଡ ନଜର ମଧ୍ୟ ଦେଖନ୍ତି ନାହିଁ l ହେଲେ ବର୍ଷ ବର୍ଷ ଧରି ପ୍ରହରୀ ସାଜି,ଖୋଲା ଆକାଶ ତଳେ ଜୀବନ ବିତାଉଥିବା,ଅଇଁଠା ଖାଇ ଦିନ କାଟୁଥିବା ନିରୀହ ମାନଙ୍କ ଉପରକୁ ଶୁଭ ଦୃଷ୍ଟି କିଭଳି ଭାବରେ ପଡୁନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ତେବେ ଦେଖା ଯାଉ ଆଉ କେବେ ଏମାନଙ୍କ ପ୍ରତି ସରକାରଙ୍କ ଶୁଭ ଦୃଷ୍ଟି ପଡି ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ ହେଉଛି ନାଁ ଦେଖି ନଦେଖିଲା ବାଲା ଙ୍କ ପାଇଁ ସରକାର ଏୱାର୍ଡ ଘୋଷଣା ପରେ ଘୋଷଣା କରିଚାଲିଥିବାରେ ବ୍ୟସ୍ତ …!

ସରକାରୀ ବାହଷ୍ପଟ କୁ ଚେକ୍ ଦେଇଛି ଆଲମଗୁଡା ।

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଜନତାଙ୍କ ସମସ୍ୟା ସୁଧାର ନିମନ୍ତେ ଅନେକ ଯୋଜନା ପ୍ରସ୍ତୁତ କରିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତଥାପି ଏହା ଏବେବି ଆଦିବାସୀ ଅଧ୍ୟୁଷିତ ଇଲାକା ବାସୀଙ୍କ ଠାରେ ଏଗୁଡିକ ଅପହଞ୍ଚ । ଜନତାଙ୍କ ନିକଟରେ ସୁବିଧାରେ ପାଣି ପହଞ୍ଚାଇବା ଉଦ୍ଦେଶ୍ୟରେ ନବୀନ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ବସୁଧା ଯୋଜନା । ପ୍ରଶାସନିକ ଅଧିକାରୀଙ୍କ ବେପାରୁଆ ମନୋଭାବ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଏହାର ସ୍ୱାଦ ଚାଖି ପାରି ନାହାନ୍ତି ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ସିରିଝୋଲି ଗ୍ରାମ ପଞ୍ଚାୟତ ଆଲମଗୁଡା ଗ୍ରାମବାସୀ ।
ଏବେବି ଏହି ଇଲାକା ଅଧିବାସୀ ପିଇବା ପାଣି ନିମନ୍ତେ ଭରସା କରୁଛନ୍ତି ଝରଣା ଉପରେ । ମୁନ୍ଦାଏ ପାଣି ପାଇଁ ଗାଁ ଠାରୁ ଦୂରରେ ଥିବା ଝରଣା କୁ ଯାଉଛନ୍ତି । ଗ୍ରାମରେ ପ୍ରାୟ ପାଞ୍ଚ ଶହ ଲୋକ ବସବାସ କରୁଥିବା ବେଳେ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ସୁବ୍ୟବସ୍ଥା ନାହିଁ । ଫଳରେ ଏଠାକାର ଲୋକେ ବାଧ୍ୟ ହୋଇ ଗ୍ରାମ ଠାରୁ ତିନି କିଲୋମିଟର ଦୂରରେ ଥିବା ଏକ ପାହାଡ଼ି ଝରଣା ଉପରେ ପିଇବା ପାଣି ପାଇଁ ନିର୍ଭର କରୁଥିବା ଦେଖିବାକୁ ମିଳିଛି ।

ଗ୍ରାମରେ ରହିଛି ଗୋଟିଏ ନଳକୂପ ଓ ଗୋଟିଏ ସୋଲାର ପାଇପ । ନଳକୂପ ଟି ଅଚଳ ହୋଇ ପଡ଼ିଥିବା ବେଳେ ସୋଲାର ପାଇପ ରୁ ଆସୁଥିବା ପାଣି ଅଞ୍ଚଳ ବାସୀ ଙ୍କ ଆବଶ୍ୟକତା ମେଣ୍ଟାଇ ପାରୁନି । ଫଳରେ ସକାଳ ହେଲେ ପିଲା ଠୁ ବୁଢା ଯାଏଁ ଲମ୍ବା ଲାଇନ ଲଗାନ୍ତି ଝରଣା ପାଖରେ । ଦୂଷିତ ପାଣିପିଇ ଅନେକ ରୋଗର ଶିକାର ହେଉଥିବା କହିଛନ୍ତି ଗାଁ ଲୋକେ । ତଥାପି ପ୍ରଶାସନ ର ନଜର ଆଢୁଆଳରେ ରହି ଯାଇଛି ଆଲାମ ଗୁଡା ଗ୍ରାମ । କେବଳ ପିଇବା ପାଣି ସମସ୍ୟା ନୁହେଁ, ଲୋକେ ଗାଧୋଇବା କୁ ମଧ୍ୟ ଏଠାରେ ସମସ୍ୟା । ବିଲ ମଝିରେ ଗୋଟିଏ ଖାଲ ଜାଗାରେ ଜମି ରହିଥିବା ଦୂଷିତ ପାଣିରେ ଏଠାକାର ଲୋକେ ଗାଧୋଉଥିବା ଗ୍ରାମବାସୀ କହିଛନ୍ତି । ଏହା ନିଶ୍ଚିତ ଭାବରେ ସରକାରଙ୍କ ବାହସ୍ପଟ ଯୋଜନା କୁ ଅଟ୍ଟହାସ୍ୟ କରୁଛି । ପଛୁଆ ବର୍ଗ ଜନ ସାଧରଣ ଙ୍କ ନିମନ୍ତେ ସରକାର ଯୋଜନା ମାନ ପ୍ରସ୍ତୁତ କରିଥିବା ବାହଷ୍ପଟ ମାରୁଥିବା ବେଳେ ଏହାକେତେ ଦୂର କାର୍ଯ୍ୟକାରୀ ହୋଇଛି ଏହାର ସଠିକ ସମୀକ୍ଷା କରାଯାଇ ପାରୁନଥିବା ହେତୁ ତୃଣମୂଳ ସ୍ଥରରେ ଏହା ବିଫଳ ହେଉଛି । ଏଭଳି ଅନେକ ଉଦାହରଣ ରହିଥିବା ବେଳେ ବର୍ତ୍ତମାନ ରାୟଗଡ଼ା ଜିଲ୍ଲା ଗୁଣପୁର ଅଧିନସ୍ଥ ସିରିଝୋଲି ଗ୍ରାମପଞ୍ଚାୟତ ର ଆଲମଗୁଡା ରେ ଦେଖା ଦେଇଥିବା ଜଳକଷ୍ଟ ସରକାରୀ ବାହଷ୍ପଟ କୁ ଚେକ୍ ଦେଇଛି ।

ଆଜିବି ବିଜେଡି ସରକାରର ଅନେକ ଯୋଜନା ତୃଣମୂଳ ସ୍ଥରରେ ଅପହଞ୍ଚ । ଜନତାଙ୍କ ସମସ୍ୟାର ସୁଧାର ନିମନ୍ତେ ସରକାର ଭିନ୍ନ ଭିନ୍ନ ଯୋଜନା ପ୍ରସ୍ତୁତ କରିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତଥାପି ଏହା ଏବେବି ଆଦିବାସୀ ଅଧ୍ୟୁଷିତ ଇଲାକା ବାସୀଙ୍କ ନିମନ୍ତେ ଧୂଆଁ ବାଣ ପାଲଟିଛି । ଏହାକୁ ଅନୁଧ୍ୟାନ କଲେ ଜଣାଯାଏ ଏହି ଅଞ୍ଚଳବାସୀ କେତେ ସମସ୍ୟା ଘେରରେ ଛନ୍ଦି ହୋଇ ରହିଛନ୍ତି । କେବକ ଗାଡିଯିବା ସ୍ଥାନକୁ ଛାଡିଦେଲେ ଏଭଳି ଅଞ୍ଚଳରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ପାଦପଡିନି । କେବଳ ବିଜେଡି ନେତାଙ୍କ ବାହୁ ଛାୟା ତଳେରହି ନେତାଙ୍କୁ ଖୁସି କରାଇବା ଭଳି କାର୍ଯ୍ୟ କରୁଥିବା ବିଡ଼ିଓ ମହୋଦୟା ସରକାରଙ୍କ ପ୍ରସ୍ତୁତି ଯୋଜନା ଗ୍ରାମାଞ୍ଚଳରେ ପହଞ୍ଚି ପାରିଛିନା ନାହିଁ ଏହାର ସମୀକ୍ଷା କରିବା ପାଇଁ ମଧ୍ୟ ଅଧିକାରୀ ବେଳ ପାଉନଥିବା ଅଭିଯୋଗ ଉଠିଛି । କଥା ଉଠିଛି କେବଳ ବ୍ଲକ ମଧ୍ୟରେ କାର୍ଯ୍ୟକୁ ସମୀକ୍ଷା କରି ନଥିବା ଅଧିକାରୀ କିଭଳି ସମ୍ପୂର୍ଣ୍ଣ ଉପଖଣ୍ଡ ଦାୟିତ୍ୱ ତୁଲାଇବା ଆଶା ନେଇ ଗୁଣପୁର ଆଇଟିଡିଏ ଅଧିକାରୀ ଭାବେ ନିଯୁକ୍ତି ପାଇଁ ରାଜନୈତିକ ଗୋଟି ଚଳାଇଥିବା ସାଧାରଣରେ ଆଲୋଚ୍ୟର ବିଷୟ ପାଲଟିଛି । ଏଭଳି ବ୍ୟକ୍ତିତ୍ୱ ଙ୍କୁ ନେଇ କିଭଳି ଆଦିବାସୀ ଓ ପଛୁଆ ବର୍ଗ ଙ୍କ ଉନ୍ନତି ହେବ ଏହା ସମୟ କହିବ । ସେ ଯାହା ହେଉନା କାହିଁକି ଏବେ ଆଲମଗୁଡା ଅଞ୍ଚଳ ବାସୀ ଙ୍କ ଏହି ଜଳଜଷ୍ଟ କିଏ ଦୂର କରୁଛି ଆଉ କେବେ ଦୂର ହେଉଛି ଏହା ଦେଖିବାକୁ ରହିଲା ।

ଲିଙ୍ଗରାଜ ମନ୍ଦିରକୁ ଶିଶୁଙ୍କ ପ୍ରବେଶ ମନା, ଗର୍ଜିଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନର ଅଜବ ନିୟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଲିଙ୍ଗରାଜ ମନ୍ଦିରକୁ ଭକ୍ତଙ୍କୁ ପ୍ରବେଶ ଅନୁମତି ଅଛି, ହେଲେ ଶିଶୁଙ୍କୁ ନାହିଁ। ଏପରି ନିୟମ ଲାଗୁ ହେବା ଦ୍ୱାରା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭକ୍ତ। ନା ନିଜେ ପ୍ରଭୁଙ୍କ ଦର୍ଶନ କରିବାକୁ ଯାଇପାରୁଛନ୍ତି, ନା ପିଲାଙ୍କୁ ବାହାରେ ଛାଡ଼ି ପାରୁଛନ୍ତି। ପିଲାମାନେ ବାହାରେ ଘଣ୍ଟା ଘଣ୍ଟା ଧରି ଖରା, ବର୍ଷାରେ ଛିଡ଼ା ହେବା ଦ୍ୱାରା ସେମାନଙ୍କ ଶିଶୁ ଅଧିକାର ଉଲ୍ଲଂଘନ ହେଉଛି । ତେଣୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ତାଗିଦ କରିଛନ୍ତି ସନ୍ଧ୍ୟାବତୀ ପ୍ରଧାନ । ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ସମେତ ସେମାନଙ୍କ ଶିଶୁଙ୍କୁ ପ୍ରବେଶ ଅନୁମତି ରହିଛି। ହେଲେ ଲିଙ୍ଗରାଜ ମନ୍ଦିରରେ ଏଥିରେ ଲାଗିଛି କଟକଣା। କୋଭିଡ କଟକଣା ପାଇଁ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଲିଙ୍ଗରାଜ ମନ୍ଦିରକୁ ବାରଣ କରାଯାଇଛି । ଫଳରେ ଶ୍ରଦ୍ଧାଳୁମାନଙ୍କୁ ଭିତରକୁ ଯିବାକୁ ଅନୁମତି ଥିବା ବେଳେ ପିଲାମାନଙ୍କ ପାଇଁ କିନ୍ତୁ ଲାଗିଛି କଟକଣା। ଏପରି କ୍ଷେତ୍ରରେ ଶ୍ରଦ୍ଧାଳୁମାନେ କାହା ଭରସାରେ ଓ କେଉଁଠି ପିଲାଙ୍କୁ ଛାଡ଼ି ପ୍ରଭୁ ଦର୍ଶନ ପାଇଁ ଯିବେ ତାକୁ ନେଇ ଦ୍ୱନ୍ଦ୍ୱ ଓ ଅସନ୍ତୋଷ ଦେଖା ଦେଇଛି।

ଏପରି ନିୟମ ଲାଗୁ ହେବା ପରେ ମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷଙ୍କ ଉପରେ ଗର୍ଜିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଶ୍ରୀମନ୍ଦିରରେ ପର୍ଯ୍ୟଟକମାନେ ଶିଶୁଙ୍କୁ ନେଇ ଦର୍ଶନ କରୁଥିବାବେଳେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ କାହିଁକି ଅନୁମତି ଦିଅଆଯାଉନି ସେନେଇ ସେ ମନ୍ଦିର ପ୍ରଶାସନକୁ ତାଗିଦ୍ କରିବେ ବୋଲି କହିଛନ୍ତି  । ଏହାସହ ସିଂହଦ୍ୱାର ନିକଟରେ ଶିଶୁ ମାନେ ଦର୍ଶନ ନକରି ଘଣ୍ଟା ଘଣ୍ଟା ଛିଡା ହେବା ଶିଶୁ ଅଧିକାର ଆଇନ୍‌କୁ  ଉଲ୍ଲଂଘନ କରୁଛି । ଏହାଦ୍ୱାରା ପର୍ଯ୍ୟଟନ କ୍ଷେତ୍ର ପ୍ରଭାବିତ ହେଉଥିବାରୁ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରିବେ ବୋଲି ଅଧ୍ୟକ୍ଷା କହିଛନ୍ତି ।ଅପରପକ୍ଷେ, ଦୂରଦୂରାନ୍ତରୁ ପରିବାର ସହ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକ ମନ୍ଦିର ପ୍ରଶାସନର ଏପରି ନିଷ୍ପତ୍ତି ଶୁଣି ଚକିତ ହୋଇ ଯାଉଛନ୍ତି। ପିଲାଙ୍କୁ କାହା ଭରସାରେ ଓ କେଉଁଠି ଛାଡ଼ି ଭିତରକୁ ଯିବେ ସେ ନେଇ ପ୍ରଶ୍ନ କରିଛନ୍ତି। ମନ୍ଦିର ପ୍ରଶାସନ ନିୟମ ଲାଗୁ କଲେ, ଏହା କିପରି ପାଳନ ହେବ ସେ ନେଇ ମଧ୍ୟ ଗୁରୁତ୍ୱାରୋପ କରି ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ପର୍ଯ୍ୟଟକ । ହେଲେ ମନ୍ଦିର ପ୍ରଶାସନ କେବଳ ନିୟମ ଲାଗୁ କରି ଚୁପ୍‌ ବସିଥିବାରୁ ସେମାନେ ଅସନ୍ତୋଷ ଝାଡ଼ିଛନ୍ତି।