ବିଜେପି ନେତାଙ୍କ କଂଗ୍ରେସରେ ଯୋଗଦାନ ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଓ କଂଗ୍ରେସ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ତଥା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍‌ର ଦକ୍ଷିଣବଡ଼ ପଞ୍ଚାୟତର ବିଶିଷ୍ଟ ବିଜେପି ନେତା ଶ୍ରୀ ସନ୍ତୋଷ କୁମାର ସାହୁ ଓ ବୁୟାଁ ବନାପୁର ପଞ୍ଚାୟତର ନିରୋଜ ଦ୍ୱିବେଦୀ ବିଜେପି ଦଳ ଛାଡ଼ି ସେମାନଙ୍କର ସମର୍ଥକମାନଙ୍କ ସହ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁବ୍ରତ ଦାସଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ଏହି ଅବସରରେ କଂଗ୍ରେସ ଦଳରେ ଯୋଗ ଦେଇଥିବା ଶ୍ରୀ ସାହୁ ଓ ଶ୍ରୀ ଦ୍ୱିବେଦୀ ପିସିିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ କଂଗ୍ରେସ ଭବନରେ ସାକ୍ଷାତ କରି କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ପଟ୍ଟନାୟକ ଉପରୋକ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର ଯୋଗଦାନ ଭଣ୍ଡାରୀପୋଖରୀରେ କଂଗ୍ରେସ ଦଳକୁ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ।

କେନାଲ ଠାରୁ କୁମ୍ଭାରଗାଁ ରାସ୍ତା ଫାଟି ଆଁ କରିଛି !

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା)-  ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ର କେନାଲ ଠାରୁ କୁମ୍ଭାରଗାଁ ପର୍ଯ୍ଯନ୍ତ ରାସ୍ତା ପାଲଟିଛି ମରଣଯନ୍ତା । ସୂଚନା ମୁତାବକ ଅଙ୍ଗାରଗାଁ ପଟୁ କୁମ୍ଭାରଗାଁ କୁ ଯିବାକୁ ହେଲେ ଏହି କେନାଲ ରାସ୍ତାଟି ପାଖ ବା ନିକଟ ଅଟେ । କିନ୍ତୁ ଦୁଖଃର ବିଷୟ ଏହି ରାସ୍ତାଟି କଂକ୍ରିଟ ହୋଇଥିଲେ ମଧ୍ଯ ରାସ୍ତା ଫାଟି ଆଁ କରିଅଛି ଏବଂ ଖାଲଖଣାରେ ପରିଣତ ହୋଇଛି । ଫଳରେ ଗାଡି ମୋଟର ଯିବା ଆସିବା ବେଳେ ନାନା ଦୁର୍ଘଟଣା ର ଶିକାର ହେବାକୁ ପଡୁଛି । ଏହି ରାସ୍ତା ଦେଇ ପ୍ରତିଦିନ ବହୁ ଲୋକ ଯାତାୟାତ କରନ୍ତି ।କିନ୍ତୁ ଏଥିପ୍ରତି ସତେ ଯେମିତି କାହାର ଦୃଷ୍ଟି ନ ଥିବା ଭଳି ଜଣାପଡୁଛି ।ଏହି ରାସ୍ତା ନିର୍ମାଣ ପାଇଁ ଜନସାଧାରଣ ରେ ଦାବୀ ହୋଇଛି ।ଦେଖାଯାଉ ବିଭାଗୀୟ ଅଧିକାରୀ ଏବଂ ନିର୍ବାଚିତ ଜନପ୍ରତିନିଧି ଙ୍କ କେବେ ଦୃଷ୍ଟି ପଡୁଛି ତାହା ଦେଖବାକୁ ବାକି ରହିଲା । ଏ ନେଇ ବିଭାଗୀୟ ଅଧିକାରୀଙ୍କ ମତାମତ ମିଳିପାରି ନାହିଁ ।

ମୋବାଇଲ୍ ଟାୱାର ନିର୍ମାଣକୁ ବିରୋଧ କରି ସାହି ବାସିନ୍ଦା ରାସ୍ତା ଅବରୋଧ….!

!!! ରାୟଗଡ଼ ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା)- ମୋବାଇଲ୍ ଟାୱାର୍ ପ୍ରତିଷ୍ଠାକୁ ନେଇ ରାୟଗଡ଼ା ସହର ରୋହିତ କଲୋନିରେ ଜନ ଅସନ୍ତୋଷ ଦେଖା ଦେଇଛି।ସାହିବାସୀ ଟାୱାର୍ ପ୍ରତିଷ୍ଠାକୁ ବିରୋଧ କରି ରାସ୍ତା ଅବରୋଧ କରିବା ସହ ତୁରନ୍ତ ଟାୱାର୍ ନିର୍ମାଣ କାମ ବନ୍ଦ କରିବାକୁ ଦାବି କରିଛନ୍ତି।ସାହିବାସୀଙ୍କ ବିରୋଧ ପରେ ଟାୱାର୍ ନିର୍ମାଣ କରୁଥିବା ସଂସ୍ଥାର ଶ୍ରମିକମାନେ କାମ ବନ୍ଦ କରି ଫେରି ଯାଇଛନ୍ତି।ରୋହିତ କଲୋନିର ନବମ ଗଳିରେ ଏକ ଘରୋଇ ଟେଲିକମ କମ୍ପାନି ପକ୍ଷରୁ ଟାୱାର ନିର୍ମାଣ ପାଇଁ ଆଜି ସକାଳେ କାମ ଆରମ୍ଭ ହୋଇଥିଲା।ଜେସିବି ମେସିନ ସାହାର୍ଯ୍ୟରେ ନିର୍ମାଣକାରୀ ସଂସ୍ଥା କାମ ଆରମ୍ଭ କରିବା ପରେ ସ୍ଥାନୀୟ ଲୋକେ ଏକତ୍ରିତ ହୋଇ ନିର୍ମାଣ କାମକୁ ବିରୋଧ କରିଥିଲେ।

ଲୋକଙ୍କ ବିରୋଧ ସତ୍ତ୍ବେ ରୋହିତ କଲୋନି ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଟାୱାର୍ ନିର୍ମାଣ ଚାଲିଥିବାରୁ ସାହିବାସୀ ଉତ୍ତ୍ୟକ୍ତ ହୋଇ ସାହି ଦେଇ ଯାଇଥିବା ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ।ଫଳରେ ନିର୍ମାଣକାରୀ ସଂସ୍ଥା କର୍ମଚାରୀ କାମ ବନ୍ଦ କରି ଫେରି ଯାଇଥିଲେ।ମୋବାଇଲ୍ ଟାୱାର ଦ୍ବାରା ସାହିରେ ରହୁଥିବା ବୃଦ୍ଧ,ବୃଦ୍ଧା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିବା ସହ ରେଡିଏସନ ଯୋଗୁଁ ମାରାତ୍ମକ ରୋଗ ବ୍ୟାପିବାର ସମ୍ଭାବନା ରହିଥିବାରୁ ସାହିବାସିନ୍ଦା ଟାୱାରକୁ ବିରୋଧ କରୁଥିବା କହିଛନ୍ତି।ପୂର୍ବରୁ ଏ ନେଇ ସାହିବାସିନ୍ଦା ଜିଲ୍ଲାପାଳ,ପୌର ସଂସ୍ଥା ନିର୍ବାହୀ ଅଧିକାରୀ,ରାୟଗଡ଼ା ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। ହେଲେ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେବାକୁ ଗ୍ରହଣ ନ କରିବା ସାହିବାସୀ ଅଭିଯୋଗ କରିଛନ୍ତି।

ଫ୍ଲିପକାର୍ଡ ଅନଲାଇନ୍ ସପିଂ ସଂସ୍ଥାରେ କଳାକନା ବୁଲାଇଲେ ଦୁର୍ବୃତ୍ତ…!

!!! ରାୟଗଡ଼ ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା)- ସ୍ଥାନୀୟ ସାଈ ଇଣ୍ଟରନ୍ୟାସନାଲ୍ ରୋଡରେ ଥିବା ଫ୍ଲିପକାର୍ଡ ଅନଲାଇନ୍ ସପିଂ ସଂସ୍ଥାରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ।ସଟର୍‌ ତାଡ଼ି ଦୁର୍ବୃତ୍ତ ଇନଷ୍ଟାକାର୍ଟ ସର୍ଭିସ ପ୍ରାଇଭେଟ୍ ଲିମିଟେଡ୍ ଅନଲାଇନ ସପିଂ ସଂସ୍ଥାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଚୋରି କରି ନେଇଛନ୍ତି।ସଂସ୍ଥା ମାଲିକ ଏ ନେଇ ରାୟଗଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଡଗ୍ ସ୍ମାର୍ଡ ସହାୟତାରେ ତଦନ୍ତ ଆରମ୍ଭ କରିଛି।ଅନଲାଇନ୍ ମାଧ୍ୟମରେ ଅର୍ଡର ହୋଇଥିବା ସାମଗ୍ରୀକୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ଦିଗରେ କାମ କରୁଛି ଇନଷ୍ଟାକାର୍ଟ ସର୍ଭିସ ପ୍ରାଇଭେଟ୍ ଲିମିଟେଡ୍।ଫ୍ଲିପକାର୍ଟ ସହ ବହୁ ନାମଦାମୀ ଅନଲାଇନ୍ ସଂସ୍କାର ସାମଗ୍ରୀ ଡେଲିଭେରି କରୁଥିବାଏହି ସଂସ୍ଥାରୁ ବିଳମ୍ବିତ ରାତିରେ ବଡ଼ ଧରଣର ଚୋରି ହୋଇଛି।ଦୁଇ ଦିନ ଧରି ବ୍ୟାଙ୍କ ବନ୍ଦ ଥିବାରୁ ଗ୍ରାହକଙ୍କ ନିକଟରୁ ସାମଗ୍ରୀ ଡେଲିଭେରି ବାବଦକୁ ସଂଗ୍ରହ ହୋଇଥିବା ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଅଫିସରେ ରଖୁଥୁଲେ ମ୍ୟାନେଜର୍ ପିକଲ ଲକ୍ଷ୍ମୀ ନାରାୟଣ।ଗତକାଲି ରାତିରେ ସଂସ୍ଥା ବନ୍ଦ କରି ଘରକୁ ଯିବା ପରେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସଟର ତାଡ଼ି ଅଫିସରେ ପଶି ୧୦ରୁ ୧୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।ଆଜି ସକାଳେ ଚୋରି ସଂପର୍କରେ ଜାଣି ମ୍ୟାନେଜର୍ ପୁଲିସକୁ ଖବର ଦେବା ପରେ ପୁଲିସ୍ ଡଗ୍ ସ୍କାର୍ଡ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।ରାୟଗଡ଼ା ଅତିରିକ୍ତ ଥାନା ଅଧିକାରୀ ସୁମତି ମହାନ୍ତି,ଏ.ସ.ଆଇ ଶିବ ଶଙ୍କର ସାହୁ,ସଞ୍ଜୟ ଛତର ପ୍ରମୁଖ ଅନଲାଇନ୍ ସପିଂ ସଂସ୍ଥାରେ ପହଞ୍ଚି ପାରିପାର୍ଶ୍ବକ ସ୍ଥିତି ଯାଞ୍ଚ କରିଥିଲେ।ଅନୁସନ୍ଧାନୀ କୁକୁର ଘଟଣାସ୍ଥଳରୁ କିଛି ସ୍ଥାନ ଚାରିପଟେ ବୁଲିଥିଲେ ସୁଦ୍ଧା କିଛି ସୁରାକ୍ ପାଇ ନ ଥିଲା।ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଜାରି ରଖୁଛି।କ୍ରମାଗତ ଭାବେ ଗତ କିଛି ଦିନ ଧରି ରାୟଗଡ଼ା ସହରରେ ବଡ଼ ଧରଣରଲୁଟ୍ କରିବାରେ ଦୁର୍ବୃତ୍ତ ସକ୍ଷମ ହେଉଥିବାରୁ ସହରବାସୀ ଭୟଭୀତ ହୋଇ ପଡିଛନ୍ତି।ଡିସେମ୍ବର ୫ ତାରିଖରେ ନ୍ୟୁକଲୋନିସ୍ଥିତ ହନୁମାନ ଏଜେନ୍ସିର ସଟର ତାଡି ଦୁର୍ବୁତମାନେ ୩ ଲକ୍ଷରୁ ଉର୍ଧ ଟଙ୍କା ଚୋରି କରି ନେଇଥିଲେ।ସେହିପରି ପ୍ରତିଦିନ ସହରରୁ ଚୋରି କରିବାରେ ଦୁର୍ବୃତ୍ତ ସଫଳ ହେଉଥିଲେ ମଧ୍ୟ ପୁଲିସ୍ ଦୁର୍ବୃତ୍ତକୁ ଠାବ କରିବାରେ ବିଫଳ ହୋଇଛି।ରାତ୍ର ପେଟ୍ରୋଲିଂକୁ କଡାକଡି, ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦୁର୍ବୃତ୍ତକୁ ଠାବ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ଦିଗରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦୃଷ୍ଟି ଦେବା ପାଇଁ ସହରବାସୀ ଦାବି କରିଛନ୍ତି।

ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଭବିଷ୍ୟ ନିଧି ସଂଗଠନ କାଯ୍ୟାଳୟ ପକ୍ଷରୁ ଇ-ନାମାଙ୍କନ ତାଲିମ ଶିବିର ଅନୁଷ୍ଠିତ।

!!! ରାୟଗଡ଼ ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ସ୍ଥାନୀୟ ଜିଆଇଇଟି ବିଶ୍ଵବିଦ୍ୟାଳୟ ପରିସରରେ ଆଜି ଭବିଷ୍ୟ ନିଧି ସଂଗଠନ ଆଞ୍ଚଳିକ କାଯ୍ୟାଳୟ ବ୍ରହ୍ମପୁର ପକ୍ଷରୁ ଇ-ନାମାଙ୍କନ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ସହାୟକ ଭବିଷ୍ୟନିଧି ଆଯୁକ୍ତ ସଞ୍ଜୟ କୁମାର ରଥ ଏବଂ ପ୍ରବର୍ତ୍ତନ ଅଧିକାରୀ ଧୀରେନ୍ଦ୍ର କୁମାର ଦଳାଇ ପ୍ରମୁଖ ଯୋଗ ଦେଇ ଏହି ଇ-ନାମାଙ୍କନ ବ୍ୟବସ୍ଥା ଦ୍ୱାରା କର୍ମଚାରୀ ମାନେ କିପରି ଭାବେ ଭବିଷ୍ୟନିଧି ସଂଗଠନ ଦ୍ବାରା ପ୍ରଦତ୍ତ ଭବିଷ୍ୟ ନିଧି ପାଣ୍ଠି,ପେନସନ ତଥା ବୀମା ସୁବିଧା ଅନଲାଇନ ମଧ୍ୟାମରେ ବିନା ବାଧାରେ ସହଜ ରେ ଉଠାଣ ସଂପର୍କରେ ସୁଚନା ଦେଇଥିଲେ।

ଭବିଷ୍ୟ ନିଧି ସଂଗଠନ ରାୟଗଡା କାର୍ଯ୍ୟାଳୟ ର ବରିଷ୍ଠ ସହାୟକ ମନୋରଞ୍ଜନ ସାହୁ ପ୍ରୋଜେକ୍ଟର ମାଧ୍ୟମରେ କିପରି ଭାବେ ଇ -ନାମାଙ୍କନ ଦାଖଲ କରିବେ ତାହା ସୋପାନ କ୍ରମେ ବୁଝାଇଥିଲେ।ଵିଶ୍ଵ ବିଦ୍ୟାଳୟ ର ରେଜିଷ୍ଟ୍ରାର ଡ଼ଃ. ଏନ.ଭି.ଜେ. ରାଓ ଯୋଗଦେଇ ବିଶ୍ବବିଦ୍ୟାଳୟ ପରିସରରେ ଏହି ଇ-ନାମାଙ୍କନ ପ୍ରକ୍ରିୟା ନିମନ୍ତେ ଏକ ସ୍ୱତନ୍ତ୍ର କକ୍ଷ ପ୍ରତିଷ୍ଠା କରିବା ନେଇ ସୂଚନା ଦେଇଛନ୍ତି। ଏହି ଶିବିରରେ ବିଶ୍ୱ ବିଦ୍ୟାଳୟର ବିଭାଗୀୟ ମୁଖ୍ୟ,କର୍ମଚାରୀ ସମେତ ଗାନ୍ଧୀ ପୁବ୍ଲିକ ସ୍କୁଲ ,ସରସ୍ବତୀ ଶିଶୁ ମନ୍ଦିର ର କର୍ମଚାରୀ ଉପସ୍ଥିତ ଥିଲେ।