ଲିଙ୍ଗରାଜ ମନ୍ଦିରକୁ ଶିଶୁଙ୍କ ପ୍ରବେଶ ମନା, ଗର୍ଜିଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନର ଅଜବ ନିୟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଲିଙ୍ଗରାଜ ମନ୍ଦିରକୁ ଭକ୍ତଙ୍କୁ ପ୍ରବେଶ ଅନୁମତି ଅଛି, ହେଲେ ଶିଶୁଙ୍କୁ ନାହିଁ। ଏପରି ନିୟମ ଲାଗୁ ହେବା ଦ୍ୱାରା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭକ୍ତ। ନା ନିଜେ ପ୍ରଭୁଙ୍କ ଦର୍ଶନ କରିବାକୁ ଯାଇପାରୁଛନ୍ତି, ନା ପିଲାଙ୍କୁ ବାହାରେ ଛାଡ଼ି ପାରୁଛନ୍ତି। ପିଲାମାନେ ବାହାରେ ଘଣ୍ଟା ଘଣ୍ଟା ଧରି ଖରା, ବର୍ଷାରେ ଛିଡ଼ା ହେବା ଦ୍ୱାରା ସେମାନଙ୍କ ଶିଶୁ ଅଧିକାର ଉଲ୍ଲଂଘନ ହେଉଛି । ତେଣୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ତାଗିଦ କରିଛନ୍ତି ସନ୍ଧ୍ୟାବତୀ ପ୍ରଧାନ । ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ସମେତ ସେମାନଙ୍କ ଶିଶୁଙ୍କୁ ପ୍ରବେଶ ଅନୁମତି ରହିଛି। ହେଲେ ଲିଙ୍ଗରାଜ ମନ୍ଦିରରେ ଏଥିରେ ଲାଗିଛି କଟକଣା। କୋଭିଡ କଟକଣା ପାଇଁ ୧୮ ବର୍ଷରୁ କମ୍ ବୟସ୍କଙ୍କୁ ଲିଙ୍ଗରାଜ ମନ୍ଦିରକୁ ବାରଣ କରାଯାଇଛି । ଫଳରେ ଶ୍ରଦ୍ଧାଳୁମାନଙ୍କୁ ଭିତରକୁ ଯିବାକୁ ଅନୁମତି ଥିବା ବେଳେ ପିଲାମାନଙ୍କ ପାଇଁ କିନ୍ତୁ ଲାଗିଛି କଟକଣା। ଏପରି କ୍ଷେତ୍ରରେ ଶ୍ରଦ୍ଧାଳୁମାନେ କାହା ଭରସାରେ ଓ କେଉଁଠି ପିଲାଙ୍କୁ ଛାଡ଼ି ପ୍ରଭୁ ଦର୍ଶନ ପାଇଁ ଯିବେ ତାକୁ ନେଇ ଦ୍ୱନ୍ଦ୍ୱ ଓ ଅସନ୍ତୋଷ ଦେଖା ଦେଇଛି।

ଏପରି ନିୟମ ଲାଗୁ ହେବା ପରେ ମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷଙ୍କ ଉପରେ ଗର୍ଜିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଶ୍ରୀମନ୍ଦିରରେ ପର୍ଯ୍ୟଟକମାନେ ଶିଶୁଙ୍କୁ ନେଇ ଦର୍ଶନ କରୁଥିବାବେଳେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ କାହିଁକି ଅନୁମତି ଦିଅଆଯାଉନି ସେନେଇ ସେ ମନ୍ଦିର ପ୍ରଶାସନକୁ ତାଗିଦ୍ କରିବେ ବୋଲି କହିଛନ୍ତି  । ଏହାସହ ସିଂହଦ୍ୱାର ନିକଟରେ ଶିଶୁ ମାନେ ଦର୍ଶନ ନକରି ଘଣ୍ଟା ଘଣ୍ଟା ଛିଡା ହେବା ଶିଶୁ ଅଧିକାର ଆଇନ୍‌କୁ  ଉଲ୍ଲଂଘନ କରୁଛି । ଏହାଦ୍ୱାରା ପର୍ଯ୍ୟଟନ କ୍ଷେତ୍ର ପ୍ରଭାବିତ ହେଉଥିବାରୁ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆକର୍ଷଣ କରିବେ ବୋଲି ଅଧ୍ୟକ୍ଷା କହିଛନ୍ତି ।ଅପରପକ୍ଷେ, ଦୂରଦୂରାନ୍ତରୁ ପରିବାର ସହ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକ ମନ୍ଦିର ପ୍ରଶାସନର ଏପରି ନିଷ୍ପତ୍ତି ଶୁଣି ଚକିତ ହୋଇ ଯାଉଛନ୍ତି। ପିଲାଙ୍କୁ କାହା ଭରସାରେ ଓ କେଉଁଠି ଛାଡ଼ି ଭିତରକୁ ଯିବେ ସେ ନେଇ ପ୍ରଶ୍ନ କରିଛନ୍ତି। ମନ୍ଦିର ପ୍ରଶାସନ ନିୟମ ଲାଗୁ କଲେ, ଏହା କିପରି ପାଳନ ହେବ ସେ ନେଇ ମଧ୍ୟ ଗୁରୁତ୍ୱାରୋପ କରି ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ପର୍ଯ୍ୟଟକ । ହେଲେ ମନ୍ଦିର ପ୍ରଶାସନ କେବଳ ନିୟମ ଲାଗୁ କରି ଚୁପ୍‌ ବସିଥିବାରୁ ସେମାନେ ଅସନ୍ତୋଷ ଝାଡ଼ିଛନ୍ତି।

ବିଜେପି କହିଲା ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବିବୃତ୍ତି କେବଳ ଛଳନାପୂର୍ଣ୍ଣ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଶିକ୍ଷୟିତ୍ରୀ ମମିତା ମହେର ପ୍ରସଙ୍ଗରେ ବିଧାନସଭାରେ ଚଲାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ ବୟାନ ସମ୍ପୂର୍ଣ୍ଣ ଭାବେ ଛଳନାପୂର୍ଣ୍ଣ। ଏହା ମମିତାଙ୍କୁ ନ୍ୟାୟ ନୁହେଁ ବରଂ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବଂଚାଇବା ପାଇଁ ଏକ ଅପଚେଷ୍ଟା ବୋଲି ବିଜେପି କହିଛି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟ ରାଜ୍ୟବାସୀଙ୍କୁ ଗଭୀର ଆଘାତ ଦେଇଛି। ଆଜି ସନ୍ଧ୍ୟାରେ ବିଜେପି ବିଧାୟକ ଦଳ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଓ ମୋହନ ମାଝୀ କହିଛନ୍ତି ଯେ, ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭାରେ ବିବୃତି ଲଜ୍ଜ୍ୟାଜନକ ଓ ଅତ୍ୟନ୍ତ ନିନ୍ଦନୀୟ । ବିଜେପି ବିଧାୟକ ଦଳ ପକ୍ଷରୁ ଏହି ବୟାନକୁ ପ୍ରତ୍ୟାଖାନ କରାଯାଉଛି। ମମିତା ମେହେର ହତ୍ୟା ଅକ୍ଟୋବର ୮ ତାରିଖରେ ହୋଇଥିବା ବେଳେ ଦୀର୍ଘ ୫୬ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ଓଡ଼ିଶାବାସୀଙ୍କୁ ଦୁଃଖିତ ଓ ବିଚଳିତ କରିଛି। ଆଜିର ବିବୃତିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ମୁଖ୍ୟମନ୍ତ୍ରୀଙ୍କର ମମିତା ପ୍ରତି ଦରଦ ନାହିଁ ଏବଂ ନିଜ ମନ୍ତ୍ରିମଣ୍ଡଳର ସହଯୋଗୀ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେବାର ମୂଳ ଉଦ୍ଦେଶ୍ୟ ରହିଛି। ମମିତା ମେହେର ବିଭତ୍ସ ହତ୍ୟାକାଣ୍ଡକୁ ଅଘଟଣ କହି ମୁଖ୍ୟମନ୍ତ୍ରୀ ତାଙ୍କ ଦଳର କର୍ମୀ ଓ ମନ୍ତ୍ରୀଙ୍କ ଦ୍ୱାରା ସୁପରିକଳ୍ପିତ ହତ୍ୟାକାଣ୍ଡକୁ ହାଲୁକା ଭାବେ ଦର୍ଶାଇବା ପାଇଁ ଅପଚେଷ୍ଟା କରିଛନ୍ତି। ଦୀର୍ଘ ଦୁଇ ମାସ ପରେ ଆଜି ମମିତା ମେହେରଙ୍କ ପରିବାରର ଦୁଃଖ କଥା ମନେପଡ଼ିବା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଛଳନା ଅଟେ । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି, ବରଗଡ଼ ଓ ଝାରସୁଗୁଡ଼ା ଗସ୍ତ କରିଥିଲେ ମଧ୍ୟ ମମିତାର ପରିବାରକୁ ଭେଟି ସମବେଦନା ଜଣାଇବା ସହ ନ୍ୟାୟର ପ୍ରତିଶ୍ରୁତି ନ ଦେଇପାରିବା ପ୍ରମାଣିତ କରୁଛି ଯେ ତାଙ୍କର ଆନ୍ତରିକତା ନାହିଁ । ଯଦି ମମିତା ଭଳି ପୀଡ଼ିତାଙ୍କ ପାଇଁ ନ୍ୟାୟ ମାଗିବା “ରାଜନୀତିକରଣ’ ତା’ହେଲେ ମୁଖ୍ୟମନ୍ତ୍ରୀଙ୍କର ଅଞ୍ଜନା ଗଣଦୁଷ୍କର୍ମରେ ଜାନକୀ ସରକାର ବିରୁଦ୍ଧରେ ଅଗ୍ରଣୀ ଭୂମିକା ରାଜନୀତିକରଣ ଥିଲା କି? ୧୯୯୯ ଜାନୁଆରୀ ୩ ତାରିଖରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ଏଫଆଇଆର ଦେବା ପାଇଁ କଟକ ଯାଇଥିଲେ କି ନାହିଁ? ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଥିଲେ କି ନାହିଁ ? କଟକରୁ ଫେରିବା ପରେ ଓଡ଼ିଶା ବନ୍ଦ ଡାକରା ଦେଇଥିଲେ କି ନାହିଁ । ତାହା କ’ଣ ରାଜନୀତି ନଥିଲା ? ମମିତାର ପରିବାର ସେତେବେଳେ ଶାନ୍ତିରେ ରହିବେ ଯେତେବେଳେ ଅସଲି ଅପରାଧି ଓ ଷଡ଼ଯନ୍ତ୍ରକାରୀମାନେ ଦଣ୍ଡିତ ହେବେ । ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସିଏ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେବା ପାଇଁ ନିଜେ ବାହାରି ଆସୁଛନ୍ତି । ବାରମ୍ବାର ହାଇକୋର୍ଟ ଏବଂ ନ୍ୟାୟାଳୟର କଥା କହି ଦିବ୍ୟଶଙ୍କରଙ୍କ ସୁରକ୍ଷା ପାଇଁ ନ୍ୟାୟାଳୟକୁ ଢ଼ାଲ କରିବାର ଅପଚେଷ୍ଟା କରିନଥାନ୍ତେ । ଏବେ ଯାଏଁ ନ୍ୟାୟାଳୟ ଏମିତି କୌଣସି ନିର୍ଦ୍ଦେଶନାମା ଜାରି କରିନାହାନ୍ତି, ଯେଉଁଠାରେ ସେ ତଦନ୍ତର ତଦାରଖ କରିବା ପାଇଁ ଅବସରପ୍ରାପ୍ତ ଜିଲ୍ଲା ଜଜକୁ ନିଯୁକ୍ତି ଦେଇଛନ୍ତି ବୋଲି ବିଜେପି କହିଛି । ବିଜେପି ବିଧାୟକ ଶ୍ରୀ ମିଶ୍ର ଓ ଶ୍ରୀ ମାଝୀ କହିଛନ୍ତି ଯେ, ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି କିନ୍ତୁ ଯେଉଁଭଳି ଭାବରେ ପ୍ରଥମ ଦିନରୁ ପୋଲିସ ତଦନ୍ତକୁ ବାଟବଣା କରିଛି, ତଥ୍ୟପ୍ରମାଣ ନଷ୍ଟ କରିଛି, ଏଫଆଇଆର ରୁଜୁ କରିବା ପାଇଁ ପୀଡ଼ିତା ପରିବାରକୁ ଚାରି ଚାରୋଟି ଥାନା ବୁଲାଇଛି ସେଥିରୁ ସ୍ପଷ୍ଟ ଯେ, ତଦନ୍ତ ଦିଗହରା କରିବାକୁ ରାଜ୍ୟ ସରକାର ଅପଚେଷ୍ଟା କରିଛନ୍ତିି । ଶୁଣାଣୀର ପ୍ରକ୍ରିୟା ଫାଷ୍ଟ ଟ୍ରାକ୍ ସେତେବେଳେ ହୋଇପାରିବ ଯେତେବେଳେ ତଦନ୍ତ ନିରପେକ୍ଷ ବିନା ଚାପରେ ଏବଂ ସମୟସାରଣୀ ଭିତରେ ସମ୍ପନ୍ନ ହେବ । କିନ୍ତୁ ଦିବ୍ୟଶଙ୍କର ମିଶ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଭାବରେ ତାଙ୍କର ପଦବୀରେ ଥିବା ପର୍ଯ୍ୟନ୍ତ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ । ତେଣୁ ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ବିଜେପି ଦାବି କରୁଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୁବାସ ପାଣିଗ୍ରାହୀ, ନାଉରୀ ନାଏକ,ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ଭାସ୍କର ମଢେଇ, ନିତ୍ୟାନନ୍ଦ ଗଣ୍ଡ, ବୁଧନ ମୁର୍ମୁ ଓ ନବଚରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

 

ଓଡ଼ିଶା ପାଇଁ ‘କୋରଟିମ୍‌’ ଗଢ଼ିଲା ବିଜେପି ସାମିଲ ହେଲେ ବୈଜୟନ୍ତ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପି ଓଡ଼ିଶାରେ ନିଜର ସଂଗଠନକୁ ସୁଦୃଢ଼ କରିବା ସହ ନିର୍ବାଚନୀ ସଫଳତା ହାସଲ ନିମନ୍ତେ ନୂଆ ରଣନୀତି ପ୍ରସ୍ତୁତ କରିଛି। ପ୍ରଥମଥର ପାଇଁ ଦଳ ରାଜ୍ୟରେ ସଂଗଠନକୁ ପରିଚାଳନା ନିମନ୍ତେ ୧୭ଜଣିଆ କୋର୍ ଟିମ ଗଠନ କରିଛି । ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଗଠିତ ଏହି କୋର୍ କମିଟିରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ସ୍ଥାନ ମିଳି ନଥିବାବେଳେ ରାଜ୍ୟରେ ଦଳ ଓ ସଂଗଠନର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି ଭାବେ ଏହା କାର୍ଯ୍ୟ କରିବ ବୋଲି ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ, ଓଡ଼ିଶାରେ ବିଜେପିକୁ ତୃଣମୂଳସ୍ତରରେ ଅଧିକ ସଂଗଠିତ ଓ ସୁଦୃଢ଼ କରିବା ସହ ନିର୍ବାଚନୀ ସଫଳତା କିଭଳି ମିଳିପାରିବ ସେ ନେଇ କେନ୍ଦ୍ରୀୟ ନେତୃତ୍ୱ ରଣନୀତି ପ୍ରସ୍ତୁତ କରିଛନ୍ତି। ଦଳ ଏବେ କୌଣସି ଜଣେ ନେତାଙ୍କ ଭରସାରେ ନରହି କୋର୍ ଟିମ୍ ମାଧ୍ୟମରେ ରାଜ୍ୟରେ ସଂଗଠନକୁ ସୁଦୃଢ଼ ଓ ଫଳପ୍ରସୂ କରାଇବାକୁ ଲକ୍ଷ୍ୟ ରଖିଛି। ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓଡ଼ିଶା ବିଜେପି ନିମନ୍ତେ ଏକ କୋର କମିଟି ଗଠନ କରିଛନ୍ତି। ଏହି କମିଟି ନିଶ୍ଚିତ ଭାବେ ପ୍ରତିମାସରେ ଥରେ ବୈଠକ କରିବ ବୋଲି ଶ୍ରୀ ନଡ୍ଡା ନିର୍ଦ୍ଦେଶ ଦେଇଛନ୍ତି। କମିଟିରେ ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ଭାବେ ଓଡ଼ିଶା ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓ ସହପ୍ରଭାରୀ ବିଜୟପାଲ ତୋମରଙ୍କ ସମେତ ମୋଟ ୧୭ଜଣଙ୍କୁ ସ୍ଥାନ ମିଳିଛି। କମିଟିରେ ୩ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡ଼ୁଙ୍କ ସମେତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା, ରାଜ୍ୟ ସଂଗଠନ ସମ୍ପାଦକ ମାନସ କୁମାର ମହାନ୍ତି, ବରିଷ୍ଠ ନେତା ମନମୋହନ ସାମଲ,କେଭି ସିଂହଦେଓ, ସମ୍ବିତ ପାତ୍ର ଏବଂ ସୁରମା ପାଢ଼ୀଙ୍କୁ କୋର କମିଟିରେ ସ୍ଥାନ ମିଳିଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଏହି କମିଟିରୁ ଦୂରେଇ ରଖାଯାଇଛି। ସାଂସଦ ଅପରାଜିତା ଏବେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନକୁ ଗସ୍ତ କରି ନିଜକୁ ରାଜ୍ୟରେ ବିଜେପିର ପ୍ରମୁଖ ଚେହେରା ଭାବେ ପ୍ରତିପାଦିତ କରିବାକୁ ପ୍ରୟାସ କରୁଥିବାବେଳେ ଶ୍ରୀ ନଡ୍ଡାଙ୍କ ଦ୍ୱାରା ଗଠିତ କୋରଟିମରେ ସେ ସ୍ଥାନ ନପାଇବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପୂର୍ବରୁ ଦଳ କୋଣଠେସା କରିଥିବାବେଳେ ଏହି କୋର କମିଟିରେ ବି ସ୍ଥାନିତ କରିନାହିଁ। ରାଜନୀତିକ ବିଶ୍ଲେଷକଙ୍କ ମତରେ, ୨୦୧୪ ମସିହା ପରଠୁ ରାଜ୍ୟ ବିଜେପିର ଚେହେରା ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉପସ୍ଥାପିତ କରାଯାଉଛି । କିନ୍ତୁ ଏହି କୋର କମିଟି ମାଧ୍ୟମରେ ଦଳ ଏକକାଳୀନ ଦୁଇଟି ସନ୍ଦେଶ ଦେବାକୁ ଚାହିଁଛି। ପ୍ରଥମତଃ, ରାଜ୍ୟରେ ବିଜେପି ଏପର୍ଯ୍ୟନ୍ତ କାହାରିକୁ ଚେହେରା ବା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିନାହିଁ ଓ ଦ୍ୱିତୀୟତଃ ସମସ୍ତଙ୍କ ସାମୁହିକ ନିଷ୍ପତ୍ତିରେ ରାଜ୍ୟ ବିଜେପିକୁ ଅଧିକ ସଂଗଠିତ ଓ ସୁଦୃଢ଼ କରିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି । ଦଳ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ଏବଂ ୨୦୧୭ ପଂଚାୟତ ନିର୍ବାଚନରେ ମିଳିଥିବା ଶିକ୍ଷାକୁ ଆଧାର କରି ଏହି କୋର୍ କମିଟି ଗଠନ କରିଥିବା ବିଜେପି ମହଲରେ ଚର୍ଚ୍ଚା ହେଉଛି।

କୋଭିଡ ମୁକାବୁଲା ପାଇଁ ପ୍ରଶାସନ ର ତତ୍ପରତା …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କୋଭିଡ଼ ର ନୂଆ ଭାରିଏଣ୍ଟ ର ଭୟାଭୟତା ସମ୍ପର୍କ ରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସବୁ ଦେଶକୁ ସତର୍କ କରାଇଛି. ଏହି ନୂଆ ଭାରିଏଣ୍ଟ ଅଧିକ ସଂକ୍ରମଣଶୀଳ ଥିବାରୁ ଜନ ସାଧରଣ ଏହାକୁ ଗୁରୁତର ସହ ନେବା ପାଇଁ ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି । କୋଭିଡ଼ ନିୟମ ଯେପରି କଡ଼ାକଡି ପାଳନ କରାଯିବ ଏଥିପ୍ରତି ସତର୍କ ପଦକ୍ଷେପମାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ଯ ସ୍ତରୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଉପଜିଲ୍ଲାପାଳ ଶ୍ରୀ ସୋନାଲ ଜେନା ପୌର ପରିଷଦ ର ସମସ୍ତ ବାଣିଜ୍ୟ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ ଗୁଡିକ ପରିଦର୍ଶନ କରି କୋଭିଡ଼ ନିୟମ କୁ କଡ଼ାକଡି ଭାବେ ପାଳନ ନକଲେ ଅମାନିଆ ପ୍ରତିଷ୍ଠାନ ଓ ଅନୁଷ୍ଠାନ କୁ ବନ୍ଦ କରିଦିଆଯିବା ଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସତର୍କ କରାଇଛନ୍ତି । ଏହି ପରିଦର୍ଶନ ବେଳେ ଶ୍ରୀ ଜେନା ଙ୍କ ସହ ସ୍ତାନୀୟ ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଜସବନ୍ତ ହିଆଲ୍ ଉପସ୍ଥିତ ଥିଲେ ।

ଉପଜିଲ୍ଲାପାଳ ଙ୍କ ଏଭଳି ପଦକ୍ଷେପ କୁ ସାଧାରଣ ରେ ଭୂୟସୀ ପ୍ରଶଂସା କରାଯାଇଛି । ପୂର୍ବରୁ ଦେଖା ଦେଇଥିବା କୋଭିଡ଼ ସଂକ୍ରମଣ ସମୟରେ ଉପଜିଲ୍ଲାପାଳ ଙ୍କ ଏଭଳି କଡ଼ା ପଦକ୍ଷେପ ଯୋଗୁଁ ସାଧାରଣ ରେ ସଂକ୍ରମଣ ବ୍ୟାପିବା ପରିସ୍ଥିତି ଉପରେ ରୋକ୍ ଲାଗିଥିଲା । ଉପଜିଲାପାଳ ମହୋଦୟ ପୌର ପରିଷଦ ର ଅଧ୍ୟକ୍ଷ ଥାଇ ମଧ୍ଯ ପୌରାଞ୍ଚଳ କୁ ବୁଲି ପୌର ପରିମଳ ବ୍ୟବସ୍ଥା ର ସମୀକ୍ଷା କରିବା ଦେଖାଯାଇ ନଥିବା ବେଳେ ଦୀର୍ଘ ଦିନ ପରେ ହଠାତ୍ ପୌରାଞ୍ଚଳ ମଧ୍ୟରେ ଘୁରି ସ୍ଥିତି ଅନୁଧ୍ୟାନ କରିବା ସାଧାରଣ ରେ କୌତୁହଳ ସୃଷ୍ଟି କରିଛି । ପୂର୍ବ ଲହରୀ ଅପେକ୍ଷା ବର୍ତ୍ତମାନ୍ ର ଆଗାମୀ ଲହରୀ ପରିସ୍ଥିତି ଭୟାବହ ଥିବାରୁ ସହରାଞ୍ଚଳ ମଧ୍ୟରେ ହେବାକୁ ଥିବା ଉତ୍ସବ ମହୋତ୍ସବ ପାଳନ ବେଳେ ନିୟମ କୁ କଡ଼ାକଡ଼ି କରନଗଲେ ଆଗାମୀ ଦିନରେ ସଂକ୍ରମିତ ଅଧିକରୁ ଅଧିକ ବୃଦ୍ଧି ହୋଇ ମୁକାବିଲା ପରିସ୍ଥିତି ହାତଛଡା ହୋଇ ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଏଭଳି ପରିସ୍ଥିତି ଉପୁଜିଲେ ଏହାକୁ ଦେଖି ଆମ୍ଭ ମତ ରହିବ ବାବୁ ଏଥର ସମ୍ଭାଳ…