କଂଗ୍ରେସ ଛାଡ଼ିବେ କି ପ୍ରଦୀପ ମାଝୀ…..?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପିସିସିର କାର୍ଯ୍ୟକାରୀ ସଭାପତି ଥିବା ପ୍ରଦୀପ ମାଝୀ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଲଗାତର ଜାରି ରହିଛି। ତେବେ ସତରେ କ’ଣ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବେ କି ପ୍ରଦୀପ? ଏ ନେଇ ଜବାବ ରଖିଛନ୍ତି ଖୋଦ ପ୍ରଦୀପ ମାଝୀ। ଓଟିଭିର ଲୋକପ୍ରିୟ ଟକ୍ ଶୋ’ ଖୋଲାକଥାରେ ଖୋଲାଖୋଲି ଭାବେ ନିଜ ମତ ରଖିଛନ୍ତି ପ୍ରଦୀପ। ପାଓ୍ୱାର କରିଡରରେ ରହି ଲୋକଙ୍କୁ ସେବା କରିବାର ସୁଯୋଗ ମିଳିଲେ, ଦଳ ପରିବର୍ତ୍ତନ କରିବେ କି ବୋଲି ହୋଷ୍ଟ ମନରଂଜନ ପ୍ରଶ୍ନ କରିବାରୁ ସେ କହିଛନ୍ତି, ଏପରି ସୁଯୋଗ ମିଳିଲେ ବିଚାର କରିବେ।ପ୍ରଦୀପ ମାଝୀ କହିଛନ୍ତି, ମୁଁ କେବେବି ବିଜେଡି ଆଇଡୋଲୋଜିକୁ ବିଶ୍ୱାସ କରିବା କଥା କହିନାହିଁ। କଂଗ୍ରେସ ଓ ବିଜେଡି ଆଇଡୋଲୋଜି ଭିତରେ ବିଶେଷ ଫରକ ନାହିଁ। ବିଜେଡିରେ ମିଶିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ଆଜି ନୁହେଁ ଗତ ତିନି-ଚାରି ବର୍ଷ ଧରି ହେଇ ଆସୁଛି। ଆଇଡୋଲୋଜି ପରିବର୍ତ୍ତନ କରିବାର ସେମିତି ଯୋଜନା ନାହିଁ। କିନ୍ତୁ ଲୋକଙ୍କ ସେବା କରିବାର ଅଧିକ ସୁଯୋଗ ମିଳିଲେ, ତାକୁ ହାତଛଡ଼ା କରିବା ଠିକ୍ ହେବ ନାହିଁ।ଯଦି ଲୋକଙ୍କ ସେବା କରିବା ପାଇଁ ସୁଯୋଗ ମିଳେ, ତାହେଲେ ଏହା ଉପରେ ମୁଁ ନିଶ୍ଚୟ ଚିନ୍ତା କରିବି। ଆଦର୍ଶ ଦୃଷ୍ଟିରୁ ଦେଖିଲେ କଂଗ୍ରେସ ଓ ବିଜେଡି ମଧ୍ୟରେ ବିଶେଷ କିଛି ଫରକ ନାହିଁ। ବିଜେଡିକୁ ପ୍ରଶଂସା କରି ସେ କହିଛନ୍ତି, ଏହି ଦଳରେ ଶୃଙ୍ଖଳା ଅଛି, ଶାସନରେ ସ୍ଥିରତା ଅଛି, ଯାହାକି କଂଗ୍ରେସରେ ନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି। ସୂଚନାଯୋଗ୍ୟ, ଗତ ଅଗଷ୍ଟରେ ‘ଓଡ଼ିଶା ରିପୋର୍ଟର’ ସହ କଥାବାର୍ତ୍ତାବେଳେ ୪୫ବର୍ଷୀୟ ଶ୍ରୀ ମାଝୀ ସ୍ପଷ୍ଟ ଭାବେ କିଛି କହିନଥିଲେ ମଧ୍ୟ ବିଜେଡିରେ ସାମିଲ ହେବା ପ୍ରସଙ୍ଗକୁ ସେ ସମ୍ପୂର୍ଣ୍ଣ ଏଡ଼ାଇ ନଥିଲେ। ରାଜ୍ୟରେ କଂଗ୍ରେସ ସଂଗଠନ ଦିନକୁ ଦିନ ତଳକୁ ତଳ ଯାଉଥିବାବେଳେ ଶ୍ରୀ ମାଝୀ ଦଳ ଛାଡ଼ିବା ପ୍ରାୟତଃ ଏକପ୍ରକାର ନିଶ୍ଚିତ ବୋଲି ସୂଚନା ମିଳିଛି। ନବରଙ୍ଗପୁର ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିଜେଡି ପାଖରେ ଜଣେ ଦକ୍ଷ ଆଦିବାସୀ ନେତା ନଥିବାରୁ ଦଳ ଏବେ ଶ୍ରୀ ମାଝୀଙ୍କ ଉପରେ ଭରସା କରିବାକୁ ଯୋଜନା ରଖିଛି । ଶ୍ରୀ ମାଝୀ ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ୨୦୦୯ରୁ ୨୦୧୧ ଓ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ସାଂସଦ ଭାବେ ନବରଙ୍ଗପୁରରୁ ନିର୍ବାଚିତ ହୋଇଥିଲେ । ତା’ପୂର୍ବରୁ ସେ ନବରଙ୍ଗପୁର ଜିଲ୍ଲା ପରିଷଦ ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଖରସ୍ରୋତା ମେଗା ପ୍ରକଳ୍ପର ଜାଲ୍ ରିପୋର୍ଟ ଦେଲା କିଏ, କ୍ରାଇମବାଂଚ ତଦନ୍ତ ହେଉ – କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କେନ୍ଦ୍ରାପଡ଼ା ଜିଲ୍ଲା ଖରସ୍ରୋତା ନଦୀରେ ନିର୍ମାଣଧୀନ ମେଗା ପାଇପ ଜଳ ପ୍ରକଳ୍ପରେ ହାଇଦ୍ରାବାଦ ଆଇଆଇଟିର ଜାଲ୍ ରିପୋର୍ଟ ଦେଖାଇ ରାଜ୍ୟ ସରକାର ପ୍ରକଳ୍ପ ମଂଜୁର କରିଛନ୍ତି। ଏହି ଜାଲ୍ ରିପୋର୍ଟ ଦେଲା କିଏ ଓ ସରକାର କିଭଳି ଏହି ପ୍ରକଳ୍ପକୁ ମଞ୍ଜୁର କଲେ ତା’ର ତଦନ୍ତ କ୍ରାଇମବ୍ରାଂଚ କରୁ ବୋଲି କଂଗ୍ରେସ କହିବା ସହ ଠିକାଦାର ସଂସ୍ଥାକୁ ତୁରନ୍ତ କଳା ତାଲିକାଭୁକ୍ତ ପାଇଁ ଦାବି କରିଛି। କଂଗ୍ରେସ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପକୁ ଜାଲ ରିପୋର୍ଟ ଦେଖାଇ ରାଜ୍ୟ ସରକାର ଏହାକୁ ମଞ୍ଜୁର କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ହିଁ ପ୍ରଥମେ ଖୁଲାସା କରିଥିଲା । ଏବେ ଆରଟିଆଇ ତଥ୍ୟ ରାଜ୍ୟ ସରକାରଙ୍କୁ ଜାଲିଆତିକୁ ସ୍ପଷ୍ଟ ଦିବାଲୋକରେ ଧରା ପକେଇ ଦେଇଛି। ଖରସ୍ରୋତା ନଦୀ ଉପରେ ଭଦ୍ରକ ଜିଲ୍ଲା ପାଇଁ ହେଉଥିବା ୧ ହଜାର କୋଟି ଟଙ୍କାର ସଂପୂର୍ଣ୍ଣ ମେଗାପାଇପ ଜଳ ପ୍ରକଳ୍ପଟି ସବୁଠୁ ଏକ ବଡ଼ ଦୁର୍ନୀତି ବୋଲି ଆଇଆଇଟି ହାଇଦ୍ରାବାଦ କର୍ତ୍ତୃପକ୍ଷ ଦେଇଥିବା ତଥ୍ୟରୁ ପ୍ରମାଣିତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆଇଆଇଟିର ଜାଲି ରିପୋର୍ଟ ରାଜ୍ୟ ଇତିହାସର ସବୁଠାରୁ କଳଙ୍କିତ ଘଟଣା ବୋଲି କଂଗ୍ରେସ କହିଛି। ପରିବେଶ ମଂଜୁରୀ ପାଇଁ ଜାଲ ରିପୋର୍ଟ ପ୍ରଦାନ କରିବା ଏକ ଧର୍ତ୍ତବ୍ୟ ଅପରାଧ, ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ ଆରଡବ୍ଲୁଏସ୍‌ଏସ୍‌ର ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ ମକଦମା ରୁଜୁ କରାଯିବା ପାଇଁ କଂଗ୍ରେସ ଦାବି କରୁଛି। ଯେହେତୁ ଜାଲ ରିପୋର୍ଟ ବଳରେ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି ତେଣୁ ଧରାପଡ଼ିବା ପରେ ସଂପୂର୍ଣ୍ଣ ପ୍ରକଳ୍ପ ବେଆଇନ ଏବଂ ଅବୈଧ ତେଣୁ ତୁରନ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଉ ବୋଲି କଂଗ୍ରେସ ଦାବି କରିଛିି । ଏଭଳି ଏକ ବିରାଟ ଦୁର୍ନୀତି ସମ୍ଭବପର ହେବା ପଛରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଭୂମିକାକୁ ଏଡ଼ାଇ ଦିଆଯାଇ ନପାରେ ଯେଉଁଥିପାଇଁ ବିଧାୟକ ପ୍ରତାପ ଦେବଙ୍କ ସହ ଅନ୍ୟ ବିଜେଡ଼ି ନେତା ମୁହଁ ଖୋଲୁନାହାଁନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି । ଏହି ଜାଲ ସାର୍ଟିଫିକେଟ ଆସିଲା କେଉଁଠୁ, କିଏ ଏହି ଜାଲ ସାର୍ଟିଫିକେଟ ପ୍ରସ୍ତୁତ କରିଛି ଏହାର ତଦନ୍ତ ସରିବା ଯାଏ ଗ୍ରାମୀଣ ଜଳ ଯୋଗାଣ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଉ ଏବଂ ସଂପୃକ୍ତ ଠିକାଦାର ସଂସ୍ଥାକୁ ରାଜ୍ୟରେ ବ୍ଲାକଲିଷ୍ଟ କରାଯାଉ ବୋଲି ଶ୍ରୀ ନାୟକ କହିଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଏହି ଘୋଟାଲାରେ କୌଣସି ଭୂମିକା ନାହିଁ ତେବେ କାଳବିଳମ୍ବ ନକରି ଜାଲ ରିପୋର୍ଟ ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର, ପ୍ରଶାନ୍ତ ଶତପଥି, ଚିନ୍ମୟ ସୁନ୍ଦର ଦାସ ଓ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ପୋଲିସ ବିଭାଗ ପ୍ରତି ଭରସା ନାହିଁ, ଗାଁ ଦାଣ୍ଡର ଖୁଣ୍ଟରେ ବାନ୍ଧି କଙ୍ଗାରୁ କୋର୍ଟ ରେ ଦଣ୍ଡ…!

!!! ବରଗଡ଼ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପଦ୍ମପୁର)- ପଦ୍ମପୁର ଉପଖଣ୍ଡ ସିମାନ୍ତବର୍ତ୍ତୀ ଗାଇସିଲାଟ ଥାନା ଅଂଚଳରୁ ଆସିଛି ଏକ କଙ୍ଗାରୁ କୋର୍ଟର ଅଭାବନୀୟ ଘଟଣା । ଯେଉଁଠି ଚାରି ଜଣ ଯୁବକଙ୍କୁ ଚୋରି ଅଭିଯୋଗରେ ଗାଁ ଦାଣ୍ଡର ଖୁଣ୍ଟରେ ହାତ ଗୋଡ ବାନ୍ଧି ବାସହ ଗାଁ ଦାଣ୍ଡରେ ବୁଲା ଯାଉଥିବାର ଦୃଶ୍ୟ ସାମନାକୁ ଆସିଛି । ଗାଇସିଲେଟ ଥାନା ରାଇସଲପଦର ଗାଁରେ ଚାଷ ଜମିର ମୋଟର ପମ୍ପ ଚୋରି ଅଭିଯୋଗରେ କଙ୍ଗାରୁ କୋର୍ଟ କରି ଗ୍ରାମବାସୀ ଚାରି ଜଣ ଯୁବକଙ୍କୁ ଦଣ୍ଡିତ କରିବା, ସେହି ଚାରି ଜଣ ଯୁବକଙ୍କୁ ଗାଁ ଦାଣ୍ଡର ଖୁଣ୍ଟରେ ବାନ୍ଧି ଅପମାନିତ କରାଯାଇଛି ଏବଂ ପରେ ଆହୁରି ଅପମାନିତ କରିବା ପାଇଁ ତଥା ଦଣ୍ଡିତ କଲା ପରି ସେହି ଚାରି ଜଣ ଯୁବକଙ୍କ ହାତକୁ ଦଉଡି ରେ ବାନ୍ଧି ଗାଁ ସାରା ବୁଲାଇଛନ୍ତି ।

ବର୍ତ୍ତମାନ ସମୟରେ ଲୋକ ମାନେ ଆଇନକୁ ହାତକୁ ନେବା ସହ କଙ୍ଗାରୁ କୋର୍ଟରେ ଦଣ୍ଡିତ କରିବା ପୋଲିସ ପ୍ରଶାସନ ଉପରେ ଭରସା ନଥିବା ଭଳି ମନେ ହେଉଛି । ଏଭଳି ଭାବରେ କଙ୍ଗାରୁ କୋର୍ଟରେ ଦଣ୍ଡିତ କଲା ପରେ ଗ୍ରାମବାସୀ ଗାଇସିଲେଟ ପୋଲିସକୁ ଖବର କରି ଚୋର ମାନଙ୍କୁ ପୋଲିସ ହାତରେ ଦେଇଛନ୍ତି । ଏହି କଙ୍ଗାରୁ କୋର୍ଟରେ ଦଣ୍ଡିତ କଳା ଭିଡିଓ ଏବେ ଗାଇସିଲାଟ ଓ ପଦ୍ମପୁର ଅଂଚଳରେ ଘୁରି ବୁଲୁଛି । ଗାଇସିଲାଟ ପୋଲିସ କହିବା ମୁତାବକ ସେହି ଚାରିଜଣ ବ୍ୟକ୍ତିଙ୍କ ପାଖରୁ କିଛି ଚୋରି ସାମଗ୍ରୀ ଜବତ କରାଯାଇଛି । ହେଲେ ଏପରି ଗାଁ ଦାଣ୍ଡରେ ଲୋକଙ୍କୁ ଦଣ୍ଡିତ କରିବା ପ୍ରଥା କେବେ ବନ୍ଦ ହେବ ତାହା ଚିନ୍ତାର ବିଷୟ ପାଲଟିଛି ।

ଇମ୍ଫାରେ ଦୁର୍ଘଟଣା ଏଡାଇବାକୁ ମକଡ୍ରିଲ୍….!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିଷରରେ ଏକ ତରଳ ଅମ୍ଳଜାନ ଗ୍ୟାସରୁ ସୁରକ୍ଷା ପାଇବା ସଂପର୍କିତ ମକଡ୍ରିଲ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମଟିକୁ ଇମ୍ଫାର ଉପ-ସଭାପତି ନିର୍ମାଣ ଶ୍ରୀ କେ.ଭି. ରାଓ ଙ୍କ ପ୍ରତେକ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାୟଗଡା ସ୍ଥିତ କାରଖାନା ଓ ବାଷ୍ପୀୟ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ସ୍ୱରୂପ କୁମାର ଜେନା,ସହ ନିର୍ଦ୍ଦେଶକ ଶ୍ରୀ ରଞୀିତ କୁମାର ନାଏକ,ଜିଲ୍ଲା ଅଗ୍ନିସମ ଅଧିକାରୀ ଶ୍ରୀ ସଂଗ୍ରାମ ହାଂସଦା, ଥେରୁବାଲି ଫାଣ୍ଡିର ସହକାରୀ ସବ୍-ଇନିସ୍ପେକ୍ଟର ଶ୍ରୀ ଜଗନ୍ନାଥ ବେହେରା,ସ୍ଥାନିୟ ଜେ.କେ.କାଗଜ କଳର ସୁରକ୍ଷା ବିଭାଗର ପରିଚାଳ ଶ୍ରୀ ରାମରଞୀନ ବିଶ୍ବାଳ,ଇମ୍ଫା ସୁରକ୍ଷା ବିଭାଗର ବରିଷ୍ଠ ପରିଚାଳକ  ଶ୍ରୀ ରାମକୃଷ୍ଣ ତ୍ରିପାଠୀ,ପ୍ରୋଜେକ୍ଟର ମଧ୍ୟମରେ ତରଳ ଅମ୍ଳଜାନ କ୍ଷରଣର ଦୁର୍ଘଟଣା ଏଡାଇବା ପାଇଁ ଇମ୍ଫାରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୁଝାଇଥିଲେ।ଜରୁରୀ କାଳିନ ପରିସ୍ଥିତିରେ କର୍ମଚାରୀ ମାନେ କିପରି ସତର୍କ ରହିବେ ଏବଂ ତରଳ ଅମ୍ଳଜାନ କ୍ଷରଣ ଜନିତ ଦୁର୍ଘଟଣାରୁ ରକ୍ଷା ପାଇବା କୌଷଳକୁ ଇମ୍ଫା କର୍ମଚାରୀ ମାନେ ମକ୍ ଡ୍ରିଲ ମାଧ୍ୟ୍ୟମରେ ପ୍ରଦର୍ଶିତ କରିଥିଲେ।

ଏହାକୁ ଉପସ୍ଥିତ ଅତିଥି ବୃନ୍ଦ ଇମ୍ଫା କର୍ମଚାରୀଙ୍କୁ ଉଚ୍ଚପ୍ରଶଂସା କରିଥିଲେ।ଏହି ଅବସରରେ ଇମ୍ଫାର ଉପ-ସଭାପତି ନିର୍ମାଣ ଶ୍ରୀ କେ.ଭି. ରାଓ ଯେ କୌଣସି ଦୁର୍ଘଟଣାକୁ ଏଡାଇବା ପାଇଁ କାରଖାନା ତରଫରୁ ସମସ୍ତ ପ୍ରକାର କୌଷଳ ପ୍ରୟୋଗ କରାଯାଉଥିବା ପ୍ରକାଶ କରିଥିଲେ।ସମସ୍ତ ଟିମର ଲିଡର ମାନେ ଆୟୋଜନ ହୋଇଥିବା ମକ୍ ଡ୍ରିଲ୍ ରେ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଅତିଥି ମାନଙ୍କୁ ବୁଝାଇଥିଲେ।ଆୟୋଜନ ହୋଇଥିବା ମକ୍ ଡ୍ରିଲ୍ ପରିଚାଳନା ଠିକ୍ ଭାବରେ,ଠିକ୍ ସମୟରେ ହୋଇ ଥିବାରୁ ଉପସ୍ଥିତ ଅତିଥି ବୃନ୍ଦ ଭୃୟଂଶି ପ୍ରସଂଶା କରିଥିଲେ।ଏହି କାର୍ଯ୍ୟ  କ୍ରମରେ ଥେରୁବାଲି ଇମ୍ଫାର ମୁଖ୍ୟ ଶ୍ରୀ କେ.ଭି. ରାଓ ଉପସ୍ଥିତ ଅତିଥି ମାନଙ୍କର ମାର୍ଗ ଦର୍ଶନକୁ ମାନି କାମକଲେ ସମସ୍ତେ ସୁରକ୍ଷୀତ ହୋଇ ହସ ଖୁସିରେ ଜିବନ ଯାପନ କରିବା ସହ ଧନ ଜିବନ ନଷ୍ଟ ହେବାରୁ ବଞ୍ଚାଇ ପାରିବା ବୋଲି କହିଥିଲେ।ଶେଷରେ ମାନବ ସମ୍ବଳ ଓ ପ୍ରଶାସନ ବିଭାଗର ଉପ ମହାପ୍ରବନ୍ଧକ ଶ୍ରୀ କଲୋଲ କୁମାର ନାୟକ ଉପସ୍ଥିତ ଥିବା ଅତିଥି ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଚନ୍ଦ୍ରପୁରରେ ଆଶୀର୍ବାଦ ଯୋଜନାରୁ ବଞ୍ଚିତ ଅନାଥ ଶିଶୁ…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡ଼ା ଜିଲ୍ଲାର ସବୁଠୁ ପଛୁଆ ବ୍ଲକ୍ ଚନ୍ଦ୍ରପୁରର ଅନାଥ ଶିଶୁଙ୍କ ପାଇଁ ଅଭିଶପ୍ତ ପାଲଟିଛି ସରକାରଙ୍କ ଆଶୀର୍ବାଦ ଯୋଜନା।ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ବ୍ଲକର ଜଣେ ବି ଶିଶୁ ଏଯାବତ୍ ଏହି ଯୋଜନାରେ ଉପକୃତ ହୋଇ ପାରିନାହାଁନ୍ତି।ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର।ଅନାଥ ଶିଶୁଙ୍କ ଆବଶ୍ୟକ କାଗଜପତ୍ର ଶିଶୁ ସୁରକ୍ଷା କମିଟି ନିକଟରେ ଦାଖଲ କରିବାରେ ଚନ୍ଦ୍ରପୁର ସିଡିପିଓ ବିଫଳ ହୋଇଥିବାରୁ କୈଫୟତ ତଲବ ପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ।କରୋନା କାରୁଣ୍ୟ ପରେ ବାପା,ମାଆଙ୍କୁ ହରାଇ ଅନାଥ ହୋଇଥିବା ଶିଶୁଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବାକୁ ପଦକ୍ଷେପ ନେଇଛନ୍ତି ସରକାର।ରାଜ୍ୟ ସରକାର ଆଶୀର୍ବାଦ ଏବଂ କେନ୍ଦ୍ର ସରକାର ପିଏମ୍ କେୟାରର୍ସ ଯୋଜନା ମାଧ୍ୟମରେ ଶିଶୁଙ୍କ ଦାୟିତ୍ବ ନେବାକୁ ଆଗଭର ହୋଇ ଗାଇଡ୍ ଲାଇନ୍ ଜାରି କରିଛନ୍ତି।

୨୦୨୦ ଏପ୍ରିଲ୍ ୧ ତାରିଖରୁ ୧୫ ସେପ୍ଟେମ୍ବର ୨୦୨୧ ମଧ୍ୟରେ ଶିଶୁମାନେ ଉଭୟ ବାପା,ମାଙ୍କୁ ହରାଇଥିଲେ ଆଶୀର୍ବାଦ ଯୋଜନାରେ ମାସିକ ୨୫୦୦, ପରିବାରର ରୋଜଗାରକ୍ଷମ ବ୍ୟକ୍ତି ବାପା କିମ୍ବା ମାଆ ଜଣଙ୍କୁ ହରାଇଥିଲେ ମାସିକ ୧୫୦୦ ଟଙ୍କାର ଆର୍ଥିକ ସହାୟତା ୧୮ ବର୍ଷ ପର୍ଯ୍ୟନ୍ତ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।ସେହିପରି କରୋନାରେ ବାପା ଓ ମାଙ୍କୁ ହରାଇଥିବା ଶିଶୁଙ୍କୁ ପିଏମ୍ କେୟାରର୍ସ ଯୋଜନାରେ ମାଗଣା ଶିକ୍ଷା ସହ ୧୮ ବର୍ଷ ହେବା ପରେ ୧୦ ଲକ୍ଷ ଟଙ୍କାର ବୀମା,୨୫ ବର୍ଷ ପରେ ଉଚ୍ଚ ଶିକ୍ଷା ପାଇଁ ସୁଧ ବିହୀନ ଋଣ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।ଉଭୟ ସରକାରଙ୍କ ଯୋଜନାର ସୁଫଳ ଅନାଥ ଶିଶୁଙ୍କ ନିକଟରେ ପହଞ୍ଚାଇବାକୁ ଜିଲ୍ଲା ପ୍ରଶାସନ ଶିଶୁ ସୁରକ୍ଷା କମିଟି ମାଧ୍ୟମରେ ଏହି ଅଭିଯାନକୁ ବ୍ଲକ୍ ଓ ପଞ୍ଚାୟତସ୍ତରରେ କାର୍ଯ୍ୟକାରୀ କରିଛି।ବ୍ଲକସ୍ତରରେ ଶିଶୁଙ୍କୁ ଚିହ୍ନଟ ଲାଗି ସିଡିପିଓ,ଜିଲ୍ଲା ଶିଶୁ ସୁରକ୍ଷା କମିଟି ମିଳିତ ଭାବେ କାର୍ଯ୍ୟ କରିବାକୁ ନିର୍ଦେଶ ହୋଇଛି।ଜିଲ୍ଲାର କେବଳ ଚନ୍ଦ୍ରପୁରକୁ ଛାଡ଼ିଲେ ଅନ୍ୟ ସମସ୍ତ ବ୍ଲକରେ ଏହି ଯୋଜନା ମାଧ୍ୟମରେ ଶିଶୁ ଉପକୃତ ହୋଇଛନ୍ତି। ସୂଚନା ମୁତାବକ, ଆଜି ସୁଦ୍ଧାର ଜିଲ୍ଲାର ୮୫୬ ଅନାଥ ଓ ବାପା, ମା’ ଛେଉଣ୍ଡ ଶିଶୁଙ୍କୁ ଚିହ୍ନଟ କରାଯାଇଛି।

୨୪ ଟି ୱାର୍ଡକୁ ଭ୍ରମଣ କଲେ ରାୟଗଡା ନଗର ଭାଜପା ସଭାପତି…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ନଗର ଭାଜପା ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ଙ୍କ ନେତୃତ୍ୱରେ ରାୟଗଡା ନଗରର ସ୍ଥିତି ବିଷୟରେ ଜନସାଧାରଣଙ୍କୁ ଜଣାଯାଇଛି।ନଗର ଭାଜପାର ଯୁବମୋର୍ଚ୍ଚା ସଭାପତି ଶ୍ରୀ ରାଜେଶ ପାଣିଗ୍ରାହୀ ଏବଂ ମୋର୍ଚ୍ଚାର ସଦସ୍ୟ ରାୟଗଡା ସହର ୨୪ଟି ୱାର୍ଡ ଗୁଡିକ ଭ୍ରମଣ କରି ରାଜ୍ୟ ସରକାର ଙ୍କ ରାୟଗଡା ନଗର ପ୍ରତି ଥିବା ବୈମାତୃକଭାବକୁ ସହର ବାସି ଙ୍କୁ ଜଣେଇଛନ୍ତି।ସରକାରଙ୍କ ଶାସନ କରି ୨୧ବର୍ଷ ହେବା ସତ୍ୱେ ରାୟଗଡା ନଗରକୁ ଆଜି ଯାଏଁ ଏକ ସ୍ଵଛ ଏବଂ ନିର୍ମଳ ସହର ରୂପେ ପ୍ରମାଣିତ କରିବାକୁ ରାଜ୍ୟ ସରକାର ବିଫଳ ହେଇଛନ୍ତି।

ଆଜି ଵି ସହରରେ ପରିମଳ ବ୍ୟବସ୍ତା ଠିକ ନାହିଁ,ଅନେକ ଜାଗାରେ ପକ୍କା ରାସ୍ତା ନାହିଁ।ଟିକିଏ ବର୍ଷାରେ ନାଳରୁ ପାଣି ବାହାରି ରାସ୍ତାକୁ ଆସିଯାଉଛି ଏବଂ ଅନେକ ବସ୍ତି ବାସିନ୍ଦା ଆବେଦନ କରିଛନ୍ତି।ନଗର ଭାଜପା ସର୍ବଦା ସହରବାସୀଙ୍କ ହକ୍ ପାଇଁ ଲଢ଼ି ଆସୁଛି ଏବଂ ଆଗକୁ ସହର ଉନ୍ନତି ଏବଂ ସ୍ଵଛମୟ କରିବା ପାଇଁ ଏପରି କାର୍ଯ୍ୟ ବଜାୟ ରଖିବ ଓ ତତ୍ସହିତ ସତ୍ୟତା କୁ ସର୍ବସାଧାରଣରେ ଉପସ୍ଥାପନା କରିଚାଲିବ।

ଆୟୁଷଡାକ୍ତରଙ୍କ କାର୍ଯ୍ୟବନ୍ଦ ସହ ଆନ୍ଦୋଳନ ଚେତାବନୀ ।

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡଜିଲ୍ଲାରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନେ ଚାକିରିରେ ନିୟମିତ ଦାବୀନେଇ ଅକ୍ଟୋବର 2 ତାରିଖରୁ କାର୍ଯ୍ୟବନ୍ଦ ସହ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ୨୦୦୭ରୁ ଜିଲ୍ଲାରେ ୧୫ ଏବଂ ରାଜ୍ୟରେ ମୋଟ ୧୧୫୫ ଆୟୁଷ ଡାକ୍ତର ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୧୭ବର୍ଷ ହେଲା କାମ କରୁଛନ୍ତି।ବନ୍ୟା,ବାତ୍ୟା,ଏବଂ କୋବିଡ଼ ଭଳି ମହାମାରୀ ସମୟରେ ମଧ୍ୟ ରୋଗୀ ସେବାରେ ଅବହେଳା କରିନାହାନ୍ତି, ବିଶେଷକରି ପଂଚାୟତସ୍ତରୀୟ ରୋଗୀସେବା ଓ ସ୍ୱାସ୍ଥ୍ୟ ସଚେତନରେ ବିଶେଷ ଭୂମିକା ଗ୍ରହଣ କରୁଥିଲେ ମଧ୍ୟ ଏମାନଙ୍କ ପ୍ରତି ବୈମାତୃକ ମନୋଭାବ ଅତ୍ୟନ୍ତ ଦୁଃଖଦାୟକ।

୨୦୧୯ ସାଧାରଣ ନିର୍ବାଚନପୂର୍ବରୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟମିଶନ ଅଧିନରେ ଥିବା ପାରାମେଡିସ୍କ ମାନଙ୍କୁ ନିୟମିତ କରାଗଲା ଏବଂ ସେହିସମୟରେ ଏମାନକୁ ନିୟମିତ କରାଯିବାର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ କାର୍ଯ୍ୟକାରୀ କରାଯାଇନି।ଏହି ଆୟୁଷ ଡାକ୍ତରମାନେ ମଧ୍ୟ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନରେ କାମ କରୁଛନ୍ତି।ଏଣୁ ଏମାନଙ୍କୁ ତୁରନ୍ତ ନିୟମିତ କରାନଗଲେ ,ଅକ୍ଟୋବର ୨ ତାରିଖରୁ ଅସହଯୋଗ ଆନ୍ଦୋଳନ କରାଯିବବୋଲି ଅଲଓଡ଼ିଶା ଆୟୁଷ ଡାକ୍ତରସଂଘ,ରାୟଗଡଜିଲ୍ଲା ସଭାପତି ସିଦ୍ଧାର୍ଥ ମଲ୍ଲିକ ଓ ସମ୍ପାଦକ ଭଗବତପ୍ରସାଦ ପାଢ଼ୀଙ୍କ ନେତୃତ୍ୱରେ ଏକ ଦାବିପତ୍ର ଜିଲ୍ଲା ପାଳ ସରୋଜକୁମାର ମିଶ୍ର ଓ ସିଡିଏମ ଓ ଆର୍ତ୍ତବନ୍ଧୁ ନାୟକଙ୍କୁ ପ୍ରଦାନ କରିଛନ୍ତି।

ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ସରକାରୀ ସ୍ଥରରେ ପ୍ରସାହନ ରାଶି ପ୍ରଦାନ….!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସାମାଜିକ ଭିନ୍ନକ୍ଷମ ସଶକ୍ତିକରଣବିଭାଗ ତରଫରୁ ରାୟଗଡ ଜିଲ୍ଲାର ଚାରିଜଣ ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ୨,୫୦,୦୦୦ ହିସାବରେ ଆର୍ଥିକ ପ୍ରଛହନ ରାଶି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ପ୍ରଦାନ କରିଛନ୍ତି।ରାୟଗଡ ସହରର ରାଣୀଗୁଡା ଫର୍ମର ଶ୍ରୀମତୀ ଗୀତା ନାୟକ ଓ ସ୍ୱାମୀ ଶ୍ରୀ କେଦାରନାଥ ପଢି,ସାନ ଚାନ୍ଦିଲି ଗ୍ରାମର ବିଶିକେଶନ ସୁନା ଓ ସ୍ତ୍ରୀ ରେଖା ସୁନା,ବିଜୟ ନଗର , କଲ୍ୟାଣସିଂହପୁର ର ରୋହିତ କନ୍ଧ ଓ ସ୍ତ୍ରୀ ମିନତୀ କନ୍ଧ ଏବଂ ରାୟଗଡା ସହରର ହରିଜନ ସାହିର ବଂଶୀଧର ବାଘ ଓ ସ୍ତ୍ରୀ ରଶ୍ମିତା ବାଘଙ୍କୁ ଆଜି ଏହି ରାଶି ପ୍ରଦାନ କରାଯାଇଥଲା।ପ୍ରକାଶ ଥାଉକି ଏହି ରାଶି ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କରେ ଜମହୋଇ ରହିବ ଓ ତାର ସୁଦ୍ଧ ଉପରୋକ୍ତ ବ୍ୟକ୍ତି ବ୍ୟବହାର କରି ପାରିବେ।ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଭିକ୍ଟୋରିଆ କୁଲୁ ପ୍ରମୁଖ ଉପସ୍ଥିତ ଥିଲେ ।

ଲଟା ବୁଦାରେ ମିଶିଲା ଆବାସ ଗୃହ…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡା ଜିଲ୍ଲା ଜେମାଦେଇପେଣ୍ଠ ବ୍ଲକ ୨୦୧୭ରେ ହୋଇ ଥିବା ପ୍ରଳୟଙ୍କରୀ ବନ୍ୟାରେ ବୈରାଗୀ ହାଲୁଆ ପଞ୍ଚାୟତରେ ଥିବା ନେଲେ ମେଟା ଗ୍ରାମ ବନ୍ୟା ଘେରରେ ଥିବାବେଳେ ଗ୍ରାମବାସୀ ନାହିଁ ନଥିବା ଅସୁବିଧା ଭୋଗିଥିଲେ।ଭୋକ ଉପାସରେ ଦୀର୍ଘଦିନ ଧରି ଜଳବନ୍ଦୀରେ ରହିଥିଲେ ମଧ୍ୟ ଗାଁବାସୀ ନିଜର ପୈତୃକ ଗୃହ ତଥା ସମ୍ପତ୍ତି ଛାଡ଼ି ଆସିବାକୁ ଇଚ୍ଛା କରି ନଥିଲେ।ରାୟଗଡ଼ା ଜିଲା ପ୍ରଶାସନ ଏହିସବୁ ଅସୁବିଧାକୁ ଦୃଷ୍ଟିରେ ରଖି ପଞ୍ଚାୟତ ଠାରୁ ଅଳ୍ପ ଦୂରରେ ଗାଁ ଲୋକଙ୍କ ପାଇଁ ଆବାସ ଯୋଜନାରେ ଘର ଓ ପାଣି ଯୋଗାଇ ଦେଇଥିଲେ।କିନ୍ତୁ ଦୀର୍ଘ ଚାରିବର୍ଷ ବିତି ଯାଇଥିଲେ ମଧ୍ୟ ଗ୍ରାମର ଲୋକ ଉକ୍ତ ଘରେ ରହିବାକୁ ଇଛା ପ୍ରକାଶ କରୁନାହାନ୍ତି କିମ୍ବା ଉକ୍ତ ଘରର ଯତ୍ନ ମଧ୍ୟ ନେଉନାହାନ୍ତି।ଫଳରେ ଅଳିଆ ଆବର୍ଜନା ଓ ଲଟା ବୁଦାରେ ରହି ଘର ସବୁ ନଷ୍ଟ ହେବାକୁଲାଗିଲାଣି।ଗାଁକୁ ଯାଇଥିବା ପାଣି ପାଇପ ଫାଟି ନଷ୍ଟ ହେବାକୁ ବସିଥିଲା ବେଳେ ଗାଁକୁ ଫେରିବା ପାଇଁ ପଞ୍ଚାୟତ ନିର୍ବାହୀ ଯନ୍ତ୍ରୀ ଜି ପାତ୍ର ଅନେକ ଅନୁରୋଧ କରିଥିଲେ ମଧ୍ୟ ଗ୍ରାମବାସୀ ଏଥୁପ୍ରତି କଣ୍ଠପାତ କରୁନାହାନ୍ତି।ଏ ସମ୍ପର୍କରେ ତହସିଲଦାର ଉମାଶଙ୍କର ବେହେରାଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ଜୀବନ ହେଉଛି ମୂଲ୍ୟବାନ।ତେଣୁ ପ୍ରଥମେ ଜୀବନ ବଞ୍ଚାଇବା ପରେ ଭିଟାମାଟି।ତେଣୁ ସେମାନଙ୍କ ମଧ୍ୟରେ ପୁନର୍ବାର ସଚେତନତା ସୃଷ୍ଟି କରିବାକୁ ସେ ଗୁରୁତ୍ଵ ଦେଉଥିବା କହିଥିଲେ।

ରାୟଗଡା ରେ ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ଓ ମେଡିକାଲ କକେଜ ପାଇଁ ଦାବି…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ରାୟଗଡ଼ା ଠାରେ ଏକ ମେଡିକାଲ କଲେଜ କିମ୍ବା ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ଦାବିକରି ଯୁବ ବିକାଶ ପରିଷଦ ପକ୍ଷରୁ ଧାରଣା ଦିଆଯାଇଛି।ୱାର୍ଡ଼ ସ୍ତରରୁ ଏହି ଧାରଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଆଜି ପୌରାଞ୍ଚଳର ୧ ନମ୍ବର ୱାର୍ଡ଼ର ମଝିଘରିଆଣୀ ମନ୍ଦିର ସମ୍ମୁଖ ଏବଂ ୨ ନମ୍ବର ୱାର୍ଡ଼ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ବିକାଶ ପରିଷଦର କର୍ମୀମାନେ ଧାରଣା ଦେଇଥିଲେ।ସହରର ସମସ୍ତ ୨୪ ଟି ୱାର୍ଡରେ ପ୍ରତିଦିନ ଏଭଳି ଧାରଣା ଦିଆଯିବ ବୋଲି ସୂଚନା ଦିଆଯାଇଛି । ପରିଷଦ ପକ୍ଷରୁ କୁହାଯାଇଛି ଯେ, ରାୟଗଡ଼ା ଠାରେ ଏକ ମେଡ଼ିକାଲ କଲେଜ ସରକାର ପୂର୍ବରୁ ଘୋଷଣା କରିଛନ୍ତି।ହେଲେ ବର୍ତ୍ତମାନ ସୁଦ୍ଧା ଏହା ନିର୍ମାଣ ହୋଇନି।

ରାୟଗଡ଼ା ଏକ ଆଦିବାସୀବହୁଳ ଜିଲ୍ଲା ହୋଇଥିବା ବେଳେ ମେଡ଼ିକାଲ କଲେଜର ଆବଶ୍ୟକତା ରହିଛି।ଯଦି ମେଡ଼ିକାଲ କଲେଜ ବିଳମ୍ବ ହେଉଛି ତେବେ ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ଜିଲ୍ଲା ସଦରମହକୁମା ଠାରେ ତୁରନ୍ତ ନିର୍ମାଣ କରାଯାଉ ବୋଲି ପରିଷଦ ଦାବି କରିଛି। ଆଗାମୀଦିନରେ ବଡ଼ ଧରଣର ଆନ୍ଦୋଳନ ସହ ପଞ୍ଚାୟତ ସ୍ତରରେ ମଧ୍ୟ ଧାରଣା ଦିଆଯିବ।ପରିଷଦ ସଭାପତି ଶିବାଜୀ ଦାଶଙ୍କ ନେତୃତ୍ବରେ ଏହି ଧାରଣା ଆଜିଠାରୁ ଆରମ୍ଭ ହୋଇଛି।