ଆକାଂକ୍ଷୀ ଜିଲ୍ଲା ତାଲିକାରେ ଆଗରେ ଗଜପତି, ପାଇବ ୧୧ କୋଟି…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତ କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗଜପତି)- ଆକାଂକ୍ଷୀ ଜିଲ୍ଲା ତାଲିକାରେ ଟପ୍‌ରେ ରହିଛି ଗଜପତି ଜିଲ୍ଲା । ସ୍ୱାସ୍ଥ୍ୟ,ପୋଷଣ, ଶିକ୍ଷା, କୃଷି, ଜଳସଂପଦ,ମୌଳିକ ଭିତ୍ତିଭୂମି, ଦକ୍ଷତା ବିକାଶ କ୍ଷେତ୍ରକୁ ଆକଳନ କରି ଗତ ଅଗଷ୍ଟ ମାସରେ  ନିତି ଆୟୋଗଙ୍କ ପକ୍ଷରୁ ଏକ  ତାଲିକା ପ୍ରସ୍ତୁତ ହୋଇଥିଲା । ସବୁ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ଗଜପତି ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିବା କହିଛନ୍ତି ଜିଲ୍ଲାପାଳ ।  ଏଥିପାଇଁ ଜିଲ୍ଲାକୁ ନୀତି ଆୟୋଗଙ୍କ ପକ୍ଷରୁ ୫କୋଟି ପୁରସ୍କାର ମିଳିବାକୁ ଥିବା ବେଳେ କୃଷିରେ ପ୍ରଥମ ଏବଂ ଜଳସଂପଦ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ଅତିରିକ୍ତ ୬ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ । ଗତ ୨୦୧୮ ମସିହା ଡିସେମ୍ବର  ରେ ଗଜପତି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ, ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୨୦୧୯ ମସିହା ଡିସେମ୍ବର ମାସରେ କୃଷି ଓ ଜଳସଂପଦ କ୍ଷେତ୍ରରେ ତୃତୀୟ ଏବଂ ୨୦୨୦ ମସିହା ନଭେମ୍ବର ମାସରେ ମୌଳିକ ଭିତିଭୂମି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ।

ବାଲୁକା କଳାରେ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଆଜି ସାରା ଦେଶ ମହାତ୍ମା ଗାନ୍ଧି ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ରାଜଘାଟସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଏବଂ ବିଜୟଘାଟସ୍ଥିତ ଶାସ୍ତ୍ରିଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗାନ୍ଧି ଜୟନ୍ତୀ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ମାଧ୍ୟମରେ ବାପୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପୁରୀ ବେଳାଭୂମିର ବାଲିରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଗାନ୍ଧି ଜୟନ୍ତୀର ଶୁଭେଚ୍ଛା ଜଣାଇଛନ୍ତି ମାନସ। ଏଥିନିମନ୍ତେ ସେ ୧୫ଫୁଟ୍ ଓସାର ବିଶିଷ୍ଟ ବାଲୁକା କଳାରେ ୧୫ ଟନ୍ ବାଲି ଉପଯୋଗ କରିଛନ୍ତି। ଏହା କରିବାକୁ ତାଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା। ସେହିପରି ସମ୍ବଲପୁର ନିକଟ ଭତରାରେ ଥିବା ଗାନ୍ଧି ମନ୍ଦିରରେ ଗାନ୍ଧି ଜୟନ୍ତୀ ପାଳନ କରାଯାଇଛି। ବଡି ଭୋରରୁ ମନ୍ଦିର ଖୋଲାଯାଇ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଆଳତି କରାଯାଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ପ୍ରମୁଖ ଗାନ୍ଧିଙ୍କ ମନ୍ଦିରକୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗାନ୍ଧିଜୀଙ୍କ ସ୍ମୃତି ଚାରଣ କରିଛନ୍ତି। ପୁରା ମନ୍ଦିର ଆଜି ରଘୁପତି ରାଘବ ରାଜା ରାମ ଧ୍ୱନିରେ ପ୍ରକମ୍ପିତ ହେଉଥିବା ବେଳେ ଗାନ୍ଧିଙ୍କ ଅବଦାନ ଓ ବଳିଦାନକୁ ସମସ୍ତେ ମନେ ପକାଇଛନ୍ତି।

ସ୍ନେହାଙ୍କୁ ନିର୍ଦ୍ଦେଶକଙ୍କ ସହିତ ଗୋଟିଏ ଦିନ ବିତାଇବାକୁ କୁହାଯାଇଥିଲା….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ‘ସାଥ୍ ନିଭାନା ସାଥୀୟା-୨’ରେ ଲିଡ୍ ରୋଲ୍‌ରେ ଅଭିନୟ କରୁଛନ୍ତି ସ୍ନେହା ଜୈନ। ଏଥିରେ ସେ ଗେହ୍‌ନା ଚରିତ୍ରରେ ଅଭିନୟ କରୁଛନ୍ତି। ଏହି ଧାରାବାହିକ ଜରିଆରେ ସେ ଘରେ ଘରେ ପରିଚିତ ହୋଇଗଲେଣି। ତେବେ ଏହି ସଫଳତା ପାଇଁ ତାଙ୍କୁ ବେଶ୍ କଷ୍ଟ କରିବାକୁ ପଡ଼ିଛି। ଅନେକ ଥର ତାଙ୍କୁ ରିଜେକ୍ଟ କରାଯାଇଛି। ଏମିତିକି ସେ କାଷ୍ଟିଂ କାଉଚ୍‌ର ମଧ୍ୟ ଶିକାର ହୋଇଛନ୍ତି। ଅତୀତରେ ଅନେକ ଅଭିନେତ୍ରୀ କାଷ୍ଟିଂ କାଉଚ୍‌କୁ ନେଇ ଖୋଲାଖୋଲି ନିଜ ଅନୁଭୂତି ବଖାଣିଥିବା ବେଳେ ଏବେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ସ୍ନେହ ଜୈନ। ଏକ ସାକ୍ଷାତକାରରେ ସେ ଏ ସଂପର୍କରେ ଖୋଲାଖୋଲି ଆଲୋଚନା କରିଛନ୍ତି। ସେ କହିଛନ୍ତି, ଥରେ ଦକ୍ଷିଣ ଭାରତର ଜଣେ କାଷ୍ଟିଂ ଡାଇରେକ୍ଟର ମୋତେ ଫୋନ୍ କରିଥିଲେ। ସେ ମୋତେ ଏକ ଫିଲ୍ମ ଯାଚି ଥିଲେ। ମୁଁ ମୋ ପ୍ରୋଫାଇଲ ଓ କିଛି ଫଟୋ ପଠାଇ ଥିଲି। ତା’ପର ଦିନ ସେ ମୋତେ ହାଇଦ୍ରାବାଦ ଡାକିଥିଲେ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ସାକ୍ଷାତ କରିବାକୁ। ମୁଁ ସେଠାକୁ ଯିବାକୁ ରାଜି ହୋଇଥିଲି। ତେବେ ତା’ ପୂର୍ବରୁ ଫିଲ୍ମ ସଂପର୍କରେ ସବିଶେଷ କଥା ଜାଣିବାକୁ ଚାହିଁଥିଲି। ମୁଁ ତାଙ୍କୁ ସେ ବିଷୟରେ ଜଣାଇବା ସହିତ ମା’ଙ୍କ ସାଙ୍ଗରେ ସେଠାକୁ ଯିବି ବୋଲି କହିଥିଲି। କାଷ୍ଟିଂ ଡାଇରେକ୍ଟର କହିଥିଲେ ଯେଉଁ ଦିନ ମୁଁ ହାଇଦ୍ରାବାଦରେ ପହଞ୍ଚିବି ସେହିଦିନ କେଉଁ ହୋଟେଲ୍‌ରେ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ଭେଟିବାକୁ ହେବ ସେ କଥା କହି ଦିଆଯିବ। ଚୁକ୍ତିପତ୍ର ସ୍ୱାକ୍ଷର କରିବା ପରେ ମୋତେ ଅଧା ପାରିଶ୍ରମିକ ଦେଇ ଦିଆଯିବ। କିନ୍ତୁ ମୋତେ ଫିଲ୍ମର ନିର୍ଦ୍ଦେଶକଙ୍କ ସହିତ ଗୋଟିଏ ଦିନ ବିତାଇବାକୁ ପଡ଼ିବ ବୋଲି ସେ କହିଥିଲେ। ଆଉ ନିର୍ଦ୍ଦେଶକ ଯାହା କହିବେ ମୋତେ କରିବାକୁ ପଡ଼ିବ ବୋଲି କହିଥିଲେ। ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସ୍ନେହା ଆହୁରି କହିଛନ୍ତି, ଏହା ଠିକ୍ କଥା ନୁହେଁ ବୋଲି ମୁଁ ଉକ୍ତ କାଷ୍ଟିଂ ଡାଇରେକ୍ଟରଙ୍କୁ କହିଥିଲି। ମୁଁ ସେହି ପ୍ରୋଜେକ୍ଟରେ କାମ କରିବି ନାହିଁ ବୋଲି ମଧ୍ୟ କହିଥିଲି। ତା’ପରେ ସେ କହିଥିଲେ ଏଇଟା ବଡ଼ କଥା ନୁହେଁ। ଅନେକ ଅଭିନେତ୍ରୀ ଏମିତି କମ୍ପ୍ରୋମାଇଜ କରନ୍ତି। ସପ୍ତାହେ ପରେ ସେ ପୁଣି ମୋତେ ଫୋନ୍ କରିଥିଲେ। କିନ୍ତୁ ମୁଁ ଉକ୍ତ ପ୍ରୋଜେକ୍ଟରେ କାମ କରିବି ନାହିଁ ବୋଲି କହିଥିଲି। ଅନେକ ଥର ବିଫଳତାର ସମ୍ମୁଖୀନ ହୋଇଥିବା ସ୍ନେହା କହିଛନ୍ତି ଯେ ସବୁ ବିଫଳତାରୁ ଶିକ୍ଷାଲାଭ କରି ଉପରକୁ ଉଠିଛନ୍ତି। ସେ କହିଛନ୍ତି, ଯେତେବେଳେ ଜଣେ ଅଭିନୟରେ କ୍ୟାରିୟର ଆରମ୍ଭ କରେ ସେତେବେଳେ ପ୍ରଥମେ ସମସ୍ତେ ତାଙ୍କ ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ୱକୁ ବିଚାରକୁ ନିଅନ୍ତି। ମୋ ସହିତ ବି ସେମିତି ଘଟିଥିଲା। ମୁଁ ଅଧିକ ଡେଙ୍ଗା ହୋଇ ନଥିବାରୁ ବହୁବାର ମୋତେ ରିଜେକ୍ଟ କରାଯାଇଥିଲା। କିନ୍ତୁ ମୁଁ ଆଶା ହରାଇ ନଥିଲି। କାରଣ ମୁଁ ମୋ ଅଭିନୟ ଦକ୍ଷତା ଉପରୁ ବିଶ୍ୱାସ ହରାଇ ନଥିଲି।

ଛୋଟ ପରଦାରେ ଧମାକେଦାର ଏଣ୍ଟ୍ରି କରିବେ ବାଜିରାଓ….!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବିଗ୍‌ ବି, ଶାହରୁଖ ଖାନ ଓ ସଲମାନଙ୍କ ପରେ ଏବେ ହୋଷ୍ଟ ସାଜିବେ ବଲିଉଡର ବାଜିରାଓ। କଲର୍ସ ଚ୍ୟାନେଲର ‘ଦି ବିଗ୍‌ ପିକଚର’ ଶୋ’ ଜରିଆରେ ଛୋଟ ପରଦାରେ ଧମାକେଦାର ଏଣ୍ଟ୍ରି କରିବେ ବଲିଉଡ୍‌ର ମୋଷ୍ଟ ଷ୍ଟାଇଲିଶ୍‌ ସୁପରଷ୍ଟାର ରଣବୀର ସିଂ। ବଡ଼ ପରଦାରେ ନିଜ ଜଲୱାରେ ଫ୍ୟାନ୍ସଙ୍କୁ ଦିବାନା କରି ସାରିଥିବା  ରଣବୀର ଏଥର  ଛୋଟ ପରଦାରେ ବି କମାଲ ଦେଖାଇବେ। ନିଜ ନୂଆ ପ୍ରୋଜେକ୍ଟକୁ ନେଇ ଖୁବ୍‌ ଏକ୍ସାଇଟେଡ ଥିବା ରଣବୀର କହିଛନ୍ତି ଜଣେ କଳାକାର ଭାବେ ଫ୍ୟାନ୍ସ ମୋତେ  ଖୁବ୍‌ ଭଲ ପାଇବା ଦେଇଛନ୍ତି। ଏବେ ଜଣେ ହୋଷ୍ଟ ରୂପେ ଛୋଟ ପରଦାରେ ଏଣ୍ଟ୍ରି କରିବି।  କଲର୍ସ ସହ ଯୋଡ଼ି ହୋଇ ଖୁବ୍‌ ଖୁସି ଅଛି। ଏକଥାର ଖୁଲାସା ରଣବୀର ନିଜେ ବିଗ୍‌ ବସ୍‌ ମଞ୍ଚରେ ଦବଙ୍ଗ ଖାନଙ୍କ ଉପସ୍ଥିତିରେ କରିଛନ୍ତି। ବିଗ୍‌ ବସ୍‌ ସିଜିନ-୧୫ ଆଜି ଟେଲିକାଷ୍ଟ ହେବ । ସୋ’ରେ ଗ୍ଲାମରର ତଡ଼କା ଲଗାଇବାକୁ  ଡ୍ୟାନ୍ସ ସହ ଖୁବ୍‌ ମସ୍ତିଭରା କାର୍ଯ୍ୟକ୍ରମ ରହିଛି। ବିଗ୍‌ ବସ୍‌ର ଗ୍ରାଣ୍ଡ ମସ୍ତି କାର୍ଯ୍ୟକ୍ରମରେ ସୋ’ର ହୋଷ୍ଟ ସଲମାନ ଖାନଙ୍କ ସହ ଫ୍ୟାନ୍ସଙ୍କ ଖୁବ୍‌ ଏଣ୍ଟରଟେନ୍‌ କରିବେ  ବଲିଉଡର ବାଜିରାଓ ରଣବୀର ସିଂ । ରଣବୀର ନିଜର ପ୍ରଥମ ଟେଲିଭିଜନ ସୋ’ ‘ଦି ବିଗ୍‌ ପିକଚର’କୁ ପ୍ରମୋଟ କରିବାକୁ ବିଗ୍‌ ବସ୍‌  ସୋ’ରେ ପହଞ୍ଚିଛନ୍ତି।  ଏହି ପ୍ରିମିୟର ସୋ’ରେ ସଲମାନ ଓ ରଣବୀର ଖୁବ୍‌ ମସ୍ତି କରୁଥିବାର ଫ୍ୟାନ୍ସ ଦେଖିବାକୁ ପାଇବେ। ଏଥିସହ ବିଗ୍‌ ବସ୍‌ ଶୋ’ର ପ୍ରଶଂସା କରି ରଣବୀର କହିଛନ୍ତି, ବିଗ୍‌ ବସ୍‌ ଟେଲିଭିଜନର ସବୁଠୁ ପପୁଲାର ସୋ’ । ବହୁ ପ୍ରତିଭାବାନ କାଳକାର ଗୋଟିଏ ଘରେ ଦୀର୍ଘ ଦିନ ରହିଥାନ୍ତି।  ଏହି ସମୟରେ ସେମାନଙ୍କ କାର୍ଯ୍ୟକଳାପ ଦ୍ୱାରା ଫ୍ୟାନ୍ସଙ୍କୁ ସେମାନଙ୍କୁ ଜାଣିବାର ସୁଯୋଗ ମିଳିଥାଏ।

ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଗସ୍ତ, ଦଶହରା ପୂର୍ବରୁ ଯିବେ ୩ ଜିଲ୍ଲା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିବା ଆଳରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ୍ ଜିଲ୍ଲା ଗସ୍ତରେ ଯିବେ। ଦଶହରା ପୂର୍ବରୁ ୬ ଦିନିଆ ଦିଲ୍ଲୀ ଗସ୍ତ ଶେଷକରି ଫେରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ସପ୍ତାହରେ ୩ଟି ଜିଲ୍ଲା ଗସ୍ତ କରିବେ। ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଗୋଟିଏ ସପ୍ତାହରେ ୩ଟି ଜିଲ୍ଲାକୁ ସରକାରୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତରୁ ରାଜନୀତିକ ଫାଇଦା ଉଠାଇବା ପାଇଁ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୪ତାରିଖରେ ଗଜପତି ଜିଲ୍ଲା ଗସ୍ତରେ ଯାଇ ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ସ୍ମାର୍ଟ କାର୍ଡ ବାଣ୍ଟିବାର ଶୁଭାରମ୍ଭ କରିବା ସହ ୪୫୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ଏହାପରେ ଆସନ୍ତା ୭ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଗସ୍ତ କରି ସେଠାରେ ବିଜୁ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ପ୍ରାୟ ୩୦୦କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଅକ୍ଟୋବର ୯ତାରିଖରେ ମୁଖ୍ୟମନ୍ତ୍ରୀ ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ କରିବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଗଜପତି ଓ ମୟୂରଭଞ୍ଜ ଜିଲ୍ଲା ଗସ୍ତ ପାଇଁ ସରକାରୀସ୍ତରରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେଉଥିବାବେଳେ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇ ଦଶହରା ପୂଜା ପରେ କରିବା ପାଇଁ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ବ୍ରହ୍ମଗିରି ଓ ଦେବଗଡ଼ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ପାଇଁ ଅଚାନକ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ଏସପି ଓ ବରିଷ୍ଠ ଅଧିକାରୀମାନେ ଆଜି ବ୍ରହ୍ମଗିରି ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣଠୁ ସଭା ପର୍ଯ୍ୟନ୍ତ ଏହି ସରକାରୀ ଗସ୍ତ କାର୍ଯ୍ୟକ୍ରମକୁ ବିଜେଡି ପକ୍ଷରୁ ଆଜି ଚୂଡ଼ାନ୍ତ ରୂପ ଦିଆଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଅକ୍ଟୋବର ୮ରେ ବାରିପଦା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିଲା। ଯାହାକୁ ଏବେ ସ୍ଥଗିତ ରଖାଯାଇଛି ଓ ମୁଖ୍ୟମନ୍ତ୍ରୀ ଅକ୍ଟୋବର ୨୦ରୁ ୨୫ତାରିଖ ମଧ୍ୟରେ ବାରିପଦା ଗସ୍ତରେ ଯିବେ ବୋଲି ଜଣାପଡ଼ିଛି। ଏହାବ୍ୟତୀତ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସମସ୍ତ ୩୦ଟି ଜିଲ୍ଲାକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏହି ଗସ୍ତରୁ ରାଜନୀତିକ ଫାଇଦା ଉଠାଇବାକୁ ବିଜେଡି ଜୋରଦାର ପ୍ରସ୍ତୁତି କରୁଥିବା ସୂଚନା ମିଳିଛି।

କଂଗ୍ରେସ ଛାଡ଼ିବେ କି ପ୍ରଦୀପ ମାଝୀ…..?

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପିସିସିର କାର୍ଯ୍ୟକାରୀ ସଭାପତି ଥିବା ପ୍ରଦୀପ ମାଝୀ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଲଗାତର ଜାରି ରହିଛି। ତେବେ ସତରେ କ’ଣ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବେ କି ପ୍ରଦୀପ? ଏ ନେଇ ଜବାବ ରଖିଛନ୍ତି ଖୋଦ ପ୍ରଦୀପ ମାଝୀ। ଓଟିଭିର ଲୋକପ୍ରିୟ ଟକ୍ ଶୋ’ ଖୋଲାକଥାରେ ଖୋଲାଖୋଲି ଭାବେ ନିଜ ମତ ରଖିଛନ୍ତି ପ୍ରଦୀପ। ପାଓ୍ୱାର କରିଡରରେ ରହି ଲୋକଙ୍କୁ ସେବା କରିବାର ସୁଯୋଗ ମିଳିଲେ, ଦଳ ପରିବର୍ତ୍ତନ କରିବେ କି ବୋଲି ହୋଷ୍ଟ ମନରଂଜନ ପ୍ରଶ୍ନ କରିବାରୁ ସେ କହିଛନ୍ତି, ଏପରି ସୁଯୋଗ ମିଳିଲେ ବିଚାର କରିବେ।ପ୍ରଦୀପ ମାଝୀ କହିଛନ୍ତି, ମୁଁ କେବେବି ବିଜେଡି ଆଇଡୋଲୋଜିକୁ ବିଶ୍ୱାସ କରିବା କଥା କହିନାହିଁ। କଂଗ୍ରେସ ଓ ବିଜେଡି ଆଇଡୋଲୋଜି ଭିତରେ ବିଶେଷ ଫରକ ନାହିଁ। ବିଜେଡିରେ ମିଶିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ଆଜି ନୁହେଁ ଗତ ତିନି-ଚାରି ବର୍ଷ ଧରି ହେଇ ଆସୁଛି। ଆଇଡୋଲୋଜି ପରିବର୍ତ୍ତନ କରିବାର ସେମିତି ଯୋଜନା ନାହିଁ। କିନ୍ତୁ ଲୋକଙ୍କ ସେବା କରିବାର ଅଧିକ ସୁଯୋଗ ମିଳିଲେ, ତାକୁ ହାତଛଡ଼ା କରିବା ଠିକ୍ ହେବ ନାହିଁ।ଯଦି ଲୋକଙ୍କ ସେବା କରିବା ପାଇଁ ସୁଯୋଗ ମିଳେ, ତାହେଲେ ଏହା ଉପରେ ମୁଁ ନିଶ୍ଚୟ ଚିନ୍ତା କରିବି। ଆଦର୍ଶ ଦୃଷ୍ଟିରୁ ଦେଖିଲେ କଂଗ୍ରେସ ଓ ବିଜେଡି ମଧ୍ୟରେ ବିଶେଷ କିଛି ଫରକ ନାହିଁ। ବିଜେଡିକୁ ପ୍ରଶଂସା କରି ସେ କହିଛନ୍ତି, ଏହି ଦଳରେ ଶୃଙ୍ଖଳା ଅଛି, ଶାସନରେ ସ୍ଥିରତା ଅଛି, ଯାହାକି କଂଗ୍ରେସରେ ନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି। ସୂଚନାଯୋଗ୍ୟ, ଗତ ଅଗଷ୍ଟରେ ‘ଓଡ଼ିଶା ରିପୋର୍ଟର’ ସହ କଥାବାର୍ତ୍ତାବେଳେ ୪୫ବର୍ଷୀୟ ଶ୍ରୀ ମାଝୀ ସ୍ପଷ୍ଟ ଭାବେ କିଛି କହିନଥିଲେ ମଧ୍ୟ ବିଜେଡିରେ ସାମିଲ ହେବା ପ୍ରସଙ୍ଗକୁ ସେ ସମ୍ପୂର୍ଣ୍ଣ ଏଡ଼ାଇ ନଥିଲେ। ରାଜ୍ୟରେ କଂଗ୍ରେସ ସଂଗଠନ ଦିନକୁ ଦିନ ତଳକୁ ତଳ ଯାଉଥିବାବେଳେ ଶ୍ରୀ ମାଝୀ ଦଳ ଛାଡ଼ିବା ପ୍ରାୟତଃ ଏକପ୍ରକାର ନିଶ୍ଚିତ ବୋଲି ସୂଚନା ମିଳିଛି। ନବରଙ୍ଗପୁର ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବିଜେଡି ପାଖରେ ଜଣେ ଦକ୍ଷ ଆଦିବାସୀ ନେତା ନଥିବାରୁ ଦଳ ଏବେ ଶ୍ରୀ ମାଝୀଙ୍କ ଉପରେ ଭରସା କରିବାକୁ ଯୋଜନା ରଖିଛି । ଶ୍ରୀ ମାଝୀ ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ୨୦୦୯ରୁ ୨୦୧୧ ଓ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ସାଂସଦ ଭାବେ ନବରଙ୍ଗପୁରରୁ ନିର୍ବାଚିତ ହୋଇଥିଲେ । ତା’ପୂର୍ବରୁ ସେ ନବରଙ୍ଗପୁର ଜିଲ୍ଲା ପରିଷଦ ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଖରସ୍ରୋତା ମେଗା ପ୍ରକଳ୍ପର ଜାଲ୍ ରିପୋର୍ଟ ଦେଲା କିଏ, କ୍ରାଇମବାଂଚ ତଦନ୍ତ ହେଉ – କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- କେନ୍ଦ୍ରାପଡ଼ା ଜିଲ୍ଲା ଖରସ୍ରୋତା ନଦୀରେ ନିର୍ମାଣଧୀନ ମେଗା ପାଇପ ଜଳ ପ୍ରକଳ୍ପରେ ହାଇଦ୍ରାବାଦ ଆଇଆଇଟିର ଜାଲ୍ ରିପୋର୍ଟ ଦେଖାଇ ରାଜ୍ୟ ସରକାର ପ୍ରକଳ୍ପ ମଂଜୁର କରିଛନ୍ତି। ଏହି ଜାଲ୍ ରିପୋର୍ଟ ଦେଲା କିଏ ଓ ସରକାର କିଭଳି ଏହି ପ୍ରକଳ୍ପକୁ ମଞ୍ଜୁର କଲେ ତା’ର ତଦନ୍ତ କ୍ରାଇମବ୍ରାଂଚ କରୁ ବୋଲି କଂଗ୍ରେସ କହିବା ସହ ଠିକାଦାର ସଂସ୍ଥାକୁ ତୁରନ୍ତ କଳା ତାଲିକାଭୁକ୍ତ ପାଇଁ ଦାବି କରିଛି। କଂଗ୍ରେସ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପକୁ ଜାଲ ରିପୋର୍ଟ ଦେଖାଇ ରାଜ୍ୟ ସରକାର ଏହାକୁ ମଞ୍ଜୁର କରିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ହିଁ ପ୍ରଥମେ ଖୁଲାସା କରିଥିଲା । ଏବେ ଆରଟିଆଇ ତଥ୍ୟ ରାଜ୍ୟ ସରକାରଙ୍କୁ ଜାଲିଆତିକୁ ସ୍ପଷ୍ଟ ଦିବାଲୋକରେ ଧରା ପକେଇ ଦେଇଛି। ଖରସ୍ରୋତା ନଦୀ ଉପରେ ଭଦ୍ରକ ଜିଲ୍ଲା ପାଇଁ ହେଉଥିବା ୧ ହଜାର କୋଟି ଟଙ୍କାର ସଂପୂର୍ଣ୍ଣ ମେଗାପାଇପ ଜଳ ପ୍ରକଳ୍ପଟି ସବୁଠୁ ଏକ ବଡ଼ ଦୁର୍ନୀତି ବୋଲି ଆଇଆଇଟି ହାଇଦ୍ରାବାଦ କର୍ତ୍ତୃପକ୍ଷ ଦେଇଥିବା ତଥ୍ୟରୁ ପ୍ରମାଣିତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆଇଆଇଟିର ଜାଲି ରିପୋର୍ଟ ରାଜ୍ୟ ଇତିହାସର ସବୁଠାରୁ କଳଙ୍କିତ ଘଟଣା ବୋଲି କଂଗ୍ରେସ କହିଛି। ପରିବେଶ ମଂଜୁରୀ ପାଇଁ ଜାଲ ରିପୋର୍ଟ ପ୍ରଦାନ କରିବା ଏକ ଧର୍ତ୍ତବ୍ୟ ଅପରାଧ, ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ ଆରଡବ୍ଲୁଏସ୍‌ଏସ୍‌ର ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ ମକଦମା ରୁଜୁ କରାଯିବା ପାଇଁ କଂଗ୍ରେସ ଦାବି କରୁଛି। ଯେହେତୁ ଜାଲ ରିପୋର୍ଟ ବଳରେ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି ତେଣୁ ଧରାପଡ଼ିବା ପରେ ସଂପୂର୍ଣ୍ଣ ପ୍ରକଳ୍ପ ବେଆଇନ ଏବଂ ଅବୈଧ ତେଣୁ ତୁରନ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଉ ବୋଲି କଂଗ୍ରେସ ଦାବି କରିଛିି । ଏଭଳି ଏକ ବିରାଟ ଦୁର୍ନୀତି ସମ୍ଭବପର ହେବା ପଛରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଭୂମିକାକୁ ଏଡ଼ାଇ ଦିଆଯାଇ ନପାରେ ଯେଉଁଥିପାଇଁ ବିଧାୟକ ପ୍ରତାପ ଦେବଙ୍କ ସହ ଅନ୍ୟ ବିଜେଡ଼ି ନେତା ମୁହଁ ଖୋଲୁନାହାଁନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି । ଏହି ଜାଲ ସାର୍ଟିଫିକେଟ ଆସିଲା କେଉଁଠୁ, କିଏ ଏହି ଜାଲ ସାର୍ଟିଫିକେଟ ପ୍ରସ୍ତୁତ କରିଛି ଏହାର ତଦନ୍ତ ସରିବା ଯାଏ ଗ୍ରାମୀଣ ଜଳ ଯୋଗାଣ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ନିଲମ୍ବନ କରାଯାଉ ଏବଂ ସଂପୃକ୍ତ ଠିକାଦାର ସଂସ୍ଥାକୁ ରାଜ୍ୟରେ ବ୍ଲାକଲିଷ୍ଟ କରାଯାଉ ବୋଲି ଶ୍ରୀ ନାୟକ କହିଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଏହି ଘୋଟାଲାରେ କୌଣସି ଭୂମିକା ନାହିଁ ତେବେ କାଳବିଳମ୍ବ ନକରି ଜାଲ ରିପୋର୍ଟ ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର, ପ୍ରଶାନ୍ତ ଶତପଥି, ଚିନ୍ମୟ ସୁନ୍ଦର ଦାସ ଓ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।