ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା “ଗୁଲାବ୍”ର ମୁକାବିଲା କରାଯିବା ନିମନ୍ତେ ଗଜପତି ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସମ୍ଭାବ୍ୟ ବାତ୍ୟାର ରୂପ ନେବାରେ ଲାଗିଛି । ଆସୁଥିବା ଏହି ସାମୁଦ୍ରିକ ଝଡ଼ବାତ୍ୟାର “ଗୁଲାବ୍” ନାମକରଣ କରାଯାଇଛି । ଏହା କଳିଙ୍ଗପାଟଣା ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସାବଧାନତା ମୂଳକ ପଦକ୍ଷେପ ସବୁ ଗ୍ରହଣ କରାଯାଇଛି ।ଏହାର ପ୍ରଭାବରେ ଆଜି ସକାଳ ଠାରୁ ସମଗ୍ର ଗଜପତି ଜିଲ୍ଲାଞ୍ଚଳରେ ଆକାଶ ସମ୍ପୂର୍ଣ୍ଣ ମେଘାଚ୍ଛନ୍ନ ରହି ବର୍ଷା ଲାଗିରହିଛି ।

ଏହି ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା “ଗୁଲାବ୍”ର ସମ୍ପୂର୍ଣ୍ଣ ମୁକାବିଲା କରାଯିବା ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଜିଲ୍ଲାର ସମସ୍ତ ୭ଟି ବ୍ଲକର ବିଡ଼ିଓ , ତହସିଲଦାର , ବିଭିନ୍ନ ବିଭାଗୀୟ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସମେତ ପଞ୍ଚାୟତ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ସହ ପ୍ରସ୍ତୁତି ମୁକାବିଲା ବୈଠକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ସମେତ ବିଭିନ୍ନ ବ୍ଲକଅଞ୍ଚଳରେ ସମ୍ଭାବ୍ୟ ବାତ୍ୟା ଗୁଲାବ ସମ୍ପର୍କରେ ଜନସାଧାରଣଙ୍କୁ ସତର୍କ ରହିବା ଏବଂ ବାତ୍ୟା ସମୟରେ ବାହାରକୁ ନ ବାହାରିବା ଏବଂ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇ ସଚେତନ କରାଯାଉଛି । ମିଳିଥିବା ସୂଚନା ପ୍ରକାରେ ବର୍ତ୍ତମାନ ସୁଦ୍ଧା ବ୍ଲକ ପ୍ରଶାସନ ପକ୍ଷରୁ ୫୪ ଗୋଟି ଆଶ୍ରୟ ସ୍ଥଳରେ ୫୫ ଟି ଗ୍ରାମର ମୋଟ ୭୯୪୮ ଜଣଙ୍କୁ ଅଣାଯାଇ ବିଭିନ୍ନ ସମୟରେ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବା ପାଇଁ ବିଭିନ୍ନ ସ୍ଥାନରେ ୧୬ଟି ଗାଡିର ବ୍ୟବସ୍ଥା କରା ଯାଇଥିବା ସହ ବିଭିନ୍ନ ବ୍ଲକଅଞ୍ଚଳରେ ସମ୍ଭାବ୍ୟ ବାତ୍ୟା , ବିପର୍ଯ୍ୟୟ ଓ ଉଦ୍ଧାର କାର୍ଯ୍ୟକ୍ରମ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ୭ ଜଣ ଜିଲ୍ଲାସ୍ତରର ଅଧିକାରୀ ମାନଙ୍କୁ ନୋଡାଲ ଅଧିକାରୀ ଭାବେ ନିୟୋଜିତ କରାଯାଇଛି ।ସମ୍ଭାବ୍ୟ ବାତ୍ୟାରେ ସମ୍ଭାବ୍ୟ ବିପର୍ଯ୍ୟୟ ଓ ଅଘଟଣ ସମୟରେ ଉଦ୍ଧର କାର୍ଯ୍ୟକ୍ରମ ପାଇଁ ୬ ଗୋଟି ଓଡ୍ରାଫ ଦଳ ଓ ୨ ଟି ଏନଡିଆରଏଫ’ ଟିମ ସମେତ ଅଗ୍ନିଶମ ବିଭାଗ ମାନେ ବିଭିନ୍ନ ସମ୍ଭାବ୍ୟ ବିପର୍ଯ୍ୟୟ ଓ ଅଘଟଣା ସ୍ଥାନ ମାନଙ୍କ’ରେ ନିୟୋଜିତ ଅଛନ୍ତି ।

ଅନ୍ୟପକ୍ଷରେ ଏହି ଉଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନରେ ୭୨ଟି ଜେସିବି ଓ ହିତାଚି ମେସିନ ସହ ବହୁ ମେସିନ ଅପରେଟର , ଟ୍ରାକ୍ଟର ଓ ଶ୍ରମିକ ମହଜୁଦ ରଖାଯାଇଛି । ବିଭିନ୍ନ ବ୍ଲକଅଞ୍ଚଳରେ ଗର୍ଭବତୀ ମାନଙ୍କୁ ମା ଗୃହକୁ ଅଣାଯିବା ସହ ବହୁ ଭିନ୍ନକ୍ଷମ ଓ ବୁଢ଼ାବୁଢ଼ୀ ମାନଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି । ପାର୍ବତ୍ୟା ଅଞ୍ଚଳ ମାନଙ୍କରେ ବସବାସ କରୁଥିବା ପରିବାର ମାନଙ୍କୁ ଲେଣ୍ଡ-ସ୍ଲାଇଡ଼କୁ ଦୃଷ୍ଟିରେ ରଖି ସେମାନଙ୍କୁ ସମତାଳିଆ ଓ ସୁରକ୍ଷିତ ଅଞ୍ଚଳର ଆଶ୍ରୟ ସ୍ଥଳକୁ ଅଣାଯାଉଛି । ଅଧିକାରୀ କି କର୍ମଚାରୀ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡିବା ଏବଂ ଏ ସମସ୍ତଙ୍କ ଛୁଟି ବାତିଲର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବଂଶଧାରା ନଦୀର ବନ୍ୟାଜଳକୁ ନିୟନ୍ତ୍ରଣ ରଖିବା ପାଇଁ ଜିଲ୍ଲା ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦିଆଯିବା ସହ ନଦୀର ତଳ-ମୁଣ୍ଡରେ ଥିବା ପଡୋଶୀ ଆନ୍ଧ୍ରର ଗୋଟ୍ଟା ବ୍ୟାରେଜର କାର୍ଯ୍ୟାଳୟକୁ ପରିସ୍ଥିତି ଦେଖି ବ୍ୟାରେଜ ଫାଟକ ଖୋଲିବା ପାଇଁ କୁହାଯାଇଛି ।
“ତିତିଲି” ମହାବାତ୍ୟା ସମୟରେ ପବନ ଅପେକ୍ଷା ପ୍ରବଳ-ବର୍ଷା ହେବା ଯୋଗୁଁ ଗଜପତି ଜିଲ୍ଲାର ବିଭିନ୍ନ ପାର୍ବତ୍ୟାଞ୍ଚଳରେ ଭୁସ୍ଖଳନ ହୋଇ ଏଥିରେ ବହୁ ଲୋକ ପ୍ରାଣ ହରାଇଥିଲେ । ସେ ସବୁକୁ ଦୃଷ୍ଟିରେ ରଖି ତାର କଡା ମୁକାବିଲା କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଭାବେ ପ୍ରସ୍ତୁତି ଓ ସଜାଗ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସାମ୍ୱାଦିକ ମାନଙ୍କୁ ସୂଚନା ପ୍ରଦାନ କରିଛନ୍ତି ।

“ପଦ୍ମପୁର ଥାନାଅଞ୍ଚଳରୁ ବିପୁଳ ମାତ୍ରାରେ ଗଞ୍ଜେଇଜବତ ଏକ ଟ୍ରକସହ ଜଣେ ଗିରଫ”…!

!!! ରାୟଗଡ଼ା ରୁ ଜିଲ୍ଲା ପ୍ରତିନିଧି ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ରାୟଗଡ଼ା)  – ରାୟଗଡ଼ା ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି।ପ୍ରାୟ ସବୁଦିନେ କହିଲେ ଅତ୍ୟୁକ୍ତି ହେବ ନାହିଁ।ଗଞ୍ଜେଈ କେଉଁଠି କେଉଁଠି ଧରାପଡୁଛି ଖବର କାଗଜରେ ପୃଷ୍ଠା ମଣ୍ଡନ କରୁଛି।ଏହି ପ୍ରଶ୍ନ ରାୟଗଡ଼ା ଜିଲ୍ଲାରେ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମହଲରେ ଏକ ଗୁଞ୍ଜରଣ ସୃଷ୍ଟି କରୁଛି। ପୋଲିସ ଓ ଅବକାରୀ ବିଭାଗ ତତ୍ପର ଥିଲେସୁଦ୍ଧା କାହିଁକି ରୋକା ଯାଇପାରୁନି ଏହାର ରହସ୍ୟ କଣ ଭେଦ କରିବାକୁ ପଡିବ।ନଚେତ ଏହିଭଳି ପୋଲିସ ଧରୁଥିବା କାମ ଜାରୀରହିଲେ ସୁଦ୍ଧା କିଛିଫଳ ମିଳିବନାହିଁ ବୋଲି ଜନସାଧାରଣରେ ଗୁଞ୍ଜରଣ ସୃଷ୍ଟି ହେଇଚି।

ଏହି ଗୁଞ୍ଜରଣ ପୋଲିସ ଓ ଅବକାରୀ ବିଭାଗର ଅପାରଗତା ଆଡକୁ ଅଙ୍ଗୁଳି ନିର୍ଦେଶ କରୁନାହିଁତ? ସେହିଭଳି ଗତକାଲି ଆଉ ଏକ ବଡଧରଣର ସଫଳତା ପାଇଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳର କେନ୍ଦୁଗୁଡା ନିକଟରେ ଏକ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହେଇଚି ଏଥିସହ ଏକ ଟ୍ରକ ଯାହାକି ଗଞ୍ଜେଈ ବୋଝେଇ ହୋଇ ବେଆଇନ ଭାବେ ଚାଲାଣ କରାଯାଉଥିଲା ଟ୍ରକ ନମ୍ବର ୱେ ବି ୦୩ ସି ୫୫୯୪କୁ ଜବତ କରିଛି ଓ ଗୋଟିଏ ମୋବାଇଲ ଫୋନସହ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ। ପଦ୍ମପୁର ଥାନା ଅଧିକାରୀଙ୍କ କହିବା ଅନୁସାରେ ରାୟଗଡ଼ା ପଟରୁ ଗଂଜାମ ନୂଆଗାଁ ଆଡକୁ ଦେଇ ଯାଉଥିବା ସମୟରେ କେନ୍ଦୁଗୁଡା ତନଖି ଫଟାକ ନିକଟରେ ତନଖି ସମୟରେ ଏହି ଗିରଫ ଓ ଗଞ୍ଜେଈ ଜବତ କରାଯାଇ ପଦ୍ମପୁର ଥାନା କେସ ନମ୍ବର ୮୨/୨୫-୦୯-୨୧ ଏନ ଡି ପି ଏସ ଧାରା ଅନୁଯାଇ କେସ ରୁଜୁ କରି ତଦନ୍ତ ଚାଲିଛି।ଏହା ପଛରେ କାହାର ହାତରହିଛି ତାହା ତଦନ୍ତପରେ ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି।

“ଆସୁଛି ବାତ୍ୟା ‘ଗୁଲାବ’ରେଡ୍ ଜୋନରେ ରାୟଗଡ଼ା”; ପ୍ରଶାସନ ପକ୍ଷରୁ ଚାଲିଛି ସଜବାଜ।

!!! ରାୟଗଡ଼ା ରୁ ଜିଲ୍ଲା ପ୍ରତିନିଧି ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ରାୟଗଡ଼ା) – ମାଡ଼ି ଆସୁଛି ବାତ୍ୟା ଗୁଲାବ୍ ରବିବାର ବିଶାଖାପାଟଣା-ଗୋପାଳପୁର ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ।ଯାହାର ପ୍ରଭାବ ଦକ୍ଷିଣ ଓଡ଼ିଶା ବିଶେଷ କରି ରାୟଗଡ଼ା-ଗଞ୍ଜାମ-ଗଜପତିରେ ପଡ଼ିବ। ଘଣ୍ଟା ପ୍ରତି ୬୦ରୁ ୭୦ କିମି ବେଗରେ ପବନ ବହିବା ସହିତ ୩୦୦ ମିମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବାରୁ ରାୟଗଡ଼ାକୁ ରେଡ୍ ଜୋନ୍ ଭାବେ ସରକାର ଘୋଷଣା କରିଛନ୍ତି। ନଈକୂଳିଆ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦେଶ ହୋଇଥିବା ବେଳେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ ଛୁଟିକୁ ବାତିଲ୍ କରିଛନ୍ତି ସରକାର। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ରାତିରେ ଅବପାତରେ ପରିଣତ ହୋଇ ସ୍ଥଳଭାଗ ମୁହାଁ ହେବ। ରବିବାର ସଂଧ୍ୟା ସୁଦ୍ଧା ବାତ୍ୟା ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହାର ପ୍ରଭାବରେ ରବିବାର ପୂର୍ବାହଣରୁ ବର୍ଷା ଆରମ୍ଭ ହେବ। ରାୟଗଡ଼ାରେ ଅତିରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ବାତ୍ୟା ମୁକାବିଲା ପାଇଁ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହେବା ସହ ରାସ୍ତା ଘାଟ ଧୋଇଯିବା, ଗାଁରେ ପାଣି ପଶିବା ଏବଂ ମାଟି ଅତଡ଼ା ଖସିବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଆରମ୍ଭ କରିଛି। ତଳି ଅଞ୍ଚଳ ଓ ନଈକୂଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ସମସ୍ତ ବିଡ଼ିଓ ଏବଂ ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ।


ଜିଲ୍ଲାରେ ୩ଟି ବାତ୍ୟା ଆଶ୍ରୟସ୍ଥଳୀ ଥିବା ବେଳେ ଅନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅସ୍ଥାୟୀ କେନ୍ଦ୍ର ଖୋଲିବା ଦିଗରେ ପଦକ୍ଷେପ ନେବାକୁ ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଗୁଣପୁର ଉପଜିଲ୍ଲାପାଳ ସୋନମ କୁମାର ଜେନାଙ୍କୁ ନିର୍ଦେଶ ହୋଇଛି। ଉଭୟ ଉପଜିଲ୍ଲାପାଳ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବିଡ଼ିଓଙ୍କ ଉପସ୍ଥିତିରେ ଆବଶ୍ୟକ ସାମଗ୍ରୀ ମହଜୁଦ୍ ରଖିବାକୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଛୁଟିରେ ଥିବା ସମସ୍ତ ଅଧିକାରୀ ଶୀଘ୍ର କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦେଶ ହୋଇଛି। ବାତ୍ୟାର ମୁକାବିଲା ପାଇଁ ସମସ୍ତ ବିଭାଗର ଅଧିକାରୀ ସଜାଗ ରହିବାକୁ କୁହାଯାଇଛି। ବିଶେଷ କରି ଗୁଡ଼ାରି, ଚନ୍ଦ୍ରପୁର, ଗୁଣପୁର, ରାୟଗଡ଼ା ତଳିଆ ଅଞ୍ଚଳ ପ୍ରତି ନଜର ରଖିବାକୁ ଜିଲ୍ଲାପାଳ କହିଛନ୍ତି। ରାସ୍ତାଘାଟ ଧୋଇଲେ କିମ୍ବା ଗଛ ପଡ଼ି ରାସ୍ତା ଅବରୋଧ ହେଲେ ତୁରନ୍ତ ଯାତାୟାତକୁ ସ୍ବାଭାବିକ କରିବାକୁ ପ୍ରସ୍ତୁତ ରହିବାକୁ ଗ୍ରାମ୍ୟ ନିର୍ମାଣ ଓ ପୂର୍ତ୍ତ ବିଭାଗକୁ ନିର୍ଦେଶ ହୋଇଛି। ବଡନାଳ, ହରଭଙ୍ଗୀ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀଙ୍କୁ ସତର୍କତା ଅବଲମ୍ବନ କରିବା ସହ ଜଳସ୍ତର ଉପରେ ନଜର ରହିବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ବିଭାଗକୁ ସମସ୍ତ ଔଷଧ ପତ୍ର ଏବଂ ଦୁର୍ଗମ ଅଞ୍ଚଳରେ ଯୋଗାଣ ବିଭାଗ ତରଫରୁ ଅତି ଆବଶ୍ୟକ ସାମଗ୍ରୀ ଚୁଡା, ଚାଉଳ, କିରୋସିନି, ଦିଆସିଲ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।
ସିଡିପିଓମାନେ ଆସନ୍ନ ପ୍ରସବା ମହିଳାଙ୍କୁ ନିକଟସ୍ଥ କେନ୍ଦ୍ରକୁ ସ୍ଥାନାନ୍ତର କରିବା ଦିଗରେ ପଦକ୍ଷେପ ନେବେ। ବର୍ଷା ସମୟରେ ଅତି ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରିବା ସହିତ ଚଳାଚଳ କରୁଥିବା ଗାଡ଼ି ଉପରେ ନଜର ରଖିବାକୁ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ହୋଇଛି। ସେହିପରି କୃଷି, ଉଦ୍ୟାନ କୃଷି ଓ ପ୍ରାଣୀ ଚିକିତ୍ସା ବିଭାଗକୁ ତକର୍ତା ଅବଲମ୍ବନ କରିବାକୁ କୁହାଯାଇଛି। ବାତ୍ୟା ମୁକାବିଲା ପାଇଁ ଜିଲ୍ଲାକୁ ୬ଟି ଓଡ୍ରାଫ ଟିମ ଓ ୩ଟି ଏନଡିଆରଏଫ୍ ଟିମ୍ ଆସିଛନ୍ତି। ସେମାନଙ୍କୁ ଆବଶ୍ୟକ ଅନୁଯାୟୀ ନିୟୋଜିତ କରାଯିବ। ପୁଲିସ୍ ଓ ଅଗ୍ନିଶମ ବିଭାଗ ସଜାଗ ଥିବା ବେଳେ ତହସିଲଦାର ଓ ଆଇଆଇସିଙ୍କୁ ନେଇ ଏକ କମିଟି ଗଠନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଭର୍ଚୁଆଲ୍ ମୋଡ଼ରେ ହୋଇଥିବା ଜରୁରି ବୈଠକରେ ଏସପି ବିବେକାନନ୍ଦ ଶର୍ମାଙ୍କ ସମେତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶ ମହେଶ୍ବର ନାଏକ, ବିଡ଼ିଓ, ତହସିଲଦାରଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଓଡିଶା ମୋ ପରିବାର ପକ୍ଷରୁ “ଜୀବନ ବିନ୍ଦୁ” ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ; ୬୦ ୟୁନିଟ ରକ୍ତ ସଂଗ୍ରହ ।

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି) –ପାରଳାଖେମୁଣ୍ଡି ସ୍ଥିତ ରୋଟାରୀ ହଲ୍‌ ଠାରେ ଓଡିଶା ମୋ ପରିବାର “ଜୀବନ ବିନ୍ଦୁ” ଆନୁକୂଲ୍ୟରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜିକା ଇନ୍ଦିରା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ , ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍.ଲିଙ୍ଗରାଜ , ଜିଲ୍ଲା ଛାତ୍ର ବିଜେଡି ସଭାପତି ବିଶ୍ବଜିତ ତ୍ରିପାଠୀ , ଶାନ୍ତି ଜେନା, ଅନିତା ଅଧିକାରୀ ପ୍ରମୁଖଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି) – ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରଘୁନାଥ ଆୟାର ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ। ବିଦ୍ୟାଳୟରେ ଚାଲିଥିବା ୫ଟି ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତରିକରଣ କାର୍ଯ୍ୟ ଗୁଡିକୁ ବୁଲି ଦେଖିଥିଲେ। ୩ ଗୋଟି ସ୍ମାର୍ଟ କ୍ଳାସରୁମ , ଇ-ଲାଇବ୍ରେରୀ , ଅତ୍ୟାଧୁନିକ ବିଜ୍ଞାନାଗାର କାର୍ଯ୍ୟ ତଦାରଖ କରିବା ସହ ନୀତି ଆୟୋଗର ଆର୍ଥିକ ସହାୟତାରେ ନିର୍ମାଣ ହେବାକୁ ଥିବା ଅଟଳ ଟିଙ୍କ୍ ରିଂଗ ଲେବ୍ କାର୍ଯ୍ୟର ସମୀକ୍ଷା କରିଥିଲେ।

ବିଦ୍ୟାଳୟ ଶିକ୍ଷକ ବିଶ୍ରାମାଗାରରେ ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ମାନଙ୍କ ସହ ଶିକ୍ଷାଦାନ କାର୍ଯ୍ୟକ୍ରମ ଇ-ଲାଇବ୍ରେରୀ , କେରିଅର୍ ପୋର୍ଟାଲ ସମ୍ପର୍କରେ ଆଲୋଚନା କରି ପରାମର୍ଶ ଦେଇଥିଲେ। ଉକ୍ତ ଆଲୋଚନାରେ ପ୍ରଧାନ ଶିକ୍ଷକ ଡ଼.ବୃଷକେତୁ ଦାଶ ସଂପ୍ରତି ଚାଲିଥିବା ମୂଲ୍ୟାୟନ ପଦ୍ଧତି ଓ ମେନଟର୍ ଦାୟୁତ୍ୱ ସମ୍ପର୍କରେ ନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ। ନିର୍ଦ୍ଦେଶକ ବିଦ୍ୟାଳୟର ଶୈକ୍ଷିକ ଓ ରୂପାନ୍ତରିକରଣ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଥିଲେ। ନିର୍ଦ୍ଦେଶକଙ୍କ ଗସ୍ତ କାଳରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ ଓ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ଉପସ୍ଥିତ ଥିଲେ।

୬ ଆନଥ ଝିଅଙ୍କୁ ସହାୟତାର ହାତ ବଢ଼ାଇଲା କିସ୍‍ ଫାଉଣ୍ଡେସନ୍….!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍‍ର ଦୁର୍ଗମ ଅଞ୍ଚଳରେ ଥିବା ଖାରିସାହିର ୬ ଅନାଥ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଛି କିସ୍‍ ଫାଉଣ୍ଡେସନ୍‍। ଗତବର୍ଷ ଏପ୍ରିଲ୍‍ ମାସରେ ସେମାନଙ୍କ ବାପା ଉର୍ବଙ୍ଗ ଦଳବେହେରା ଓ ମାଆ ସୁଜନୀ ଜ୍ୱରରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିବା ପରେ ସେମାନଙ୍କର ୬ ଝିଅ ଅନାଥ ହୋଇଯାଇଥିଲେ। ବଡ଼ ଦୁଇ ଝିଅ ସୁରଜନୀ ଓ ଉର୍ବନି ଏବେ ପରିବାର ପ୍ରତିପୋଷଣ କରିବା ପାଇଁ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ଏହି ଖବର କନ୍ଧମାଳ ସାଂସଦ ତଥା କିସ୍‍ ଫାଉଣ୍ଡେସନ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିବା ପରେ ତୁରନ୍ତ ଏହି ଅନାଥ ଭଉଣୀଙ୍କୁ ସହାୟତା ଯୋଗାଇ ଦେଇଛନ୍ତି। ଶ୍ରୀ ସାମନ୍ତ ନିଜ ପ୍ରତିନିଧିଙ୍କ ଜରିଆରେ ସେମାନଙ୍କ ସହ ଯୋଗାଯୋଗ କରିବା ପରେ ତୁରନ୍ତ ୫ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ଏହା ସହ ସେମାନେ ପାଠ ପଢ଼ିବା ଜାରି ରଖିବା ପାଇଁ ଶ୍ରୀ ସାମନ୍ତ ପରାମର୍ଶ ଦେଇଥିଲେ। ଏବେ ସେମାନଙ୍କ ଚଳିବା ଓ ପାଠ ପଢ଼ିବା ପାଇଁ କିସ୍‍ ଫାଉଣ୍ଡେସନ୍‍ ମାସିକ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ। ଏହା ସହ ଭବିଷ୍ୟତରେ ଯେଭଳି ସେମାନଙ୍କ ପାଠ ପଢ଼ିବାରେ କୌଣସି ଅସୁବିଧା ନ ହୁଏ ସେଥିପ୍ରତି କିସ୍‍ ଫାଉଣ୍ଡେସନ୍‍ ଯତ୍ନବାନ ରହିବ ବୋଲି ଶ୍ରୀ ସାମନ୍ତ କହିଥିଲେ।ଦାରିଦ୍ର‌୍ୟ ଯୋଗୁଁ କୌଣସି ପିଲା ଯେଭଳି ପାଠ ପଢ଼ାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ କିସ୍‍ ଫାଉଣ୍ଡେସନ୍‍ ସର୍ବଦା ଯତ୍ନବାନ ରହି ଆସିଛି। ଏହି ସହାୟତା ପାଇଁ ୬ ଭଉଣୀ ସାଂସଦ ଶ୍ରୀ ସାମନ୍ତ ତଥା କିସ୍‍ ଫାଉଣ୍ଡେସନ୍‍କୁ କୃତଜ୍ଞତା ଜଣାଇଛନ୍ତି। ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି।

ଅରିନ୍ଦମଙ୍କ ଅକାଳ ବିୟୋଗରେ ମୋହନା ସାମ୍ଵାଦିକ ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି…!

!!! ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ମଜେଶ୍ ରଇତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ମୋହନା) – ଗଜପତି ଜିଲ୍ଲା ମୋହନା ସ୍ଥିତ ସଂସ୍କୃତି ଭବନ ପରିସରରେ ମୋହନା ସାମ୍ବାଦିକ ସଂଘ ପକ୍ଷରୁ “ଓ” ଟିଭିର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ମୁଣ୍ଡଳୀଠାରେ ଓଡ୍ରାଫ ଟିମ ସହ ଗ୍ରାଭଣ୍ଡ ଜିରୋରୁ ହାତୀ ଉଦ୍ଧାର ଖବର ସଂଗ୍ରହ ବେଳେ ହଠାତ ଭାରସାମ୍ୟ ହରାଇ ବୋଟ ବୁଡିଯିବା ଫଳରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିଲା। ମୋହନା ସାମ୍ବାଦିକ ସଂଘ ସଭାପତି ପଞ୍ଚାନନ ଦାଶଙ୍କ ସଭାପତିତ୍ଵରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ସ୍ଵର୍ଗତ ଅରିନ୍ଦମ ଦାସ ଜଣେ ନିର୍ଭିକ,କର୍ମଠ , ଦାୟିତ୍ୱବାନ ସାମ୍ବାଦିକ ଭାବେ ପରିଚିତ ଥିଲେ । ସେ ବନ୍ୟା କିମ୍ବା ବାତ୍ୟା ବେଳେ ହେଉ କିମ୍ଵା ମାଓବାଦୀ ଘଟଣା ସଂପର୍କିତ ଖବର ଗୁଡ଼ିକ ଗ୍ରାଭଣ୍ଡ ଜିରୋକୁ ଯାଇ ଲାଇଭ କଭରେଜ କରୁଥିଲେ ବୋଲି ସାମ୍ବାଦିକ ଶ୍ରୀ ଦାଶ କହିଥିଲେ। ସେ କମ୍ ବୟସରେ ରାଜ୍ୟରେ ବେଶ ନାଁ କମାଇ ପାରିଥିଲେ । ତେବେ କିଏ ଜାଣିଥିଲା ଶୁକ୍ରବାର ତାଙ୍କର ଖବର ସଂଗ୍ରହର ଶେଷ ଦିନ ହେବ ବୋଲି କହିଥିଲେ “ଓ” ଟିଭିର ସାମ୍ବାଦିକ ମିହିର ଜତି। ସେହିପରି ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଅଂଶୁମାନ ପଣ୍ଡା , ସୁହାନ ଛିଞ୍ଚାଣୀ , ମନ୍ମଥ ମିଶ୍ର, ମାଣିକ ଜେନା , ଯୋଗେନ୍ଦ୍ର ରଥ, ମୋଜେସ ରଇତ, ଲକ୍ଷ୍ମୀନାରାୟଣ ଆଟାର୍ଯ୍ଯ, ବିରେନ୍ଦ୍ର ନାୟକ, ସ୍ଵେଚ୍ଛାସେବୀ ସୁଧୀର ପାଇକ,ମନୋଜ ସାହୁ ଉପସ୍ଥିତ ରହି ପରିବାର ବର୍ଗଙ୍କ ପ୍ରତି ସମବେଦନା ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ରାୟଗଡ଼ା ଜିଲ୍ଲା ହାବିଲଦାର୍ ଓ କନେଷ୍ଟବଳ ସଂଘ ନିର୍ବାଚନ…!

!!! ରାୟଗଡା ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା)- ହାବିଲଦାର୍ ଓ କନେଷ୍ଟବଳ ଶାଖା ସଂଘ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି।ସଂଘର ନୂତନ ସଭାପତି ଭାବେ ଶେକ୍ ମୁକ୍ତାଜ୍ ଓ ସାଧାରଣ ସଂପାଦକ ଭାବେ ଚିତ୍ତରଂଜନ ରଥ ନିର୍ବାଚିତ ହୋଇଛନ୍ତି।ସେହିପରି ଉପସଭାପତି ଭାବେ ଦେବୀ ପ୍ରସାଦ ପଣ୍ଡା,ଯୁଗ୍ମ ସଂପାଦକ ଭାବେ ସୁମନ କୁମାର ସାହୁ ଓ ସଞ୍ଜୟ କୁମାର ଗମାଙ୍ଗ,କୋଷାଧ୍ୟକ୍ଷ ଭାବେ ସମୀର କୁମାର ରଣା,ସଭ୍ୟ ଭାବେ ଦିଲ୍ଲୀପ କୁମାର ତିର୍କୀ,କୃଷ୍ଣଚନ୍ଦ୍ର ଜାନୀ, ରମାକାନ୍ତ ପାଢ଼ୀ,ଶ୍ୟାମସୁନ୍ଦର ସାହୁ, ସୁଧାଂଶୁ ରଞ୍ଜନ ପଣ୍ଡା ନିର୍ବାଚିତ ହୋଇଛନ୍ତି।ନୂତନ ସଭାପତି ଶେକ୍ ମୁକ୍ତାଜ୍ ନିଜ ନିକଟତମ ପ୍ରତିଦ୍ଵନ୍ଦୀ ବି. ହାଲକୁ ପରାସ୍ତ କରିଛନ୍ତି।ଶେକ୍ ୩୪୩ ଭୋଟ ପାଇଥିବା ବେଳେ ହାଲଓ୍ବା ୧୬୫ ଏବଂ ଅନ୍ୟତମ ପ୍ରତିଦ୍ଵନ୍ଦୀ ବିରଞ୍ଚି ୪୭ ଖଣ୍ଡ ଭୋଟ ପାଇଥିଲେ।ସେହିପରି ସଂପାଦକ ଭାବେ ବିଜୟୀ ହୋଇଥିବା ଚିତ୍ତରଂଜନ ରଥ ୩୧୫ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ଏନ୍. ଜାକକା ୧୯୮ ଖଣ୍ଡ ଏବଂ ମହାଙ୍କୁଡ଼ ୩୪ ଖଣ୍ଡ ଭୋଟ ପାଇଛନ୍ତି।ଶେକ୍ ମୁକ୍ତାନ୍‌ଙ୍କ ପୁରା ଟିମ୍ ଏହି ନିର୍ବାଚନରେ ବିଜୟୀ ହୋଇଛନ୍ତି।ରାୟଗଡ଼ା ପୁଲିସକୁ ନୂତନ ଦିଗଦର୍ଶନ ଦିଗରେ ନିର୍ବାଚିତ ଟିମ୍ କାମ କରିବ ବୋଲି ଶେକ୍ ମୁକ୍ତାଜ ପ୍ରକାଶ କରିଛନ୍ତି।

ରାଜ୍ୟର ଶ୍ରେଷ୍ଠ ଏନଏସି ମଧ୍ୟ ରେ କୋଦଳା …!

!!! ଗଞ୍ଜାମ ରୁ ଜିଲ୍ଲା ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ବେଗୁନିଆପଡା)- ଗଞ୍ଜାମ ଜିଲ୍ଲା କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ୍ କୁମାର ଚୌଧୁରୀଙ୍କ ପ୍ରତ୍ୟକ୍ଷ ପ୍ରଚେଷ୍ଟା ଫଳ ରେ ଆଜି ରାଜ୍ୟସ୍ତରୀୟ ଶ୍ରେଷ୍ଠ ଏନଏସି ର ମାନ୍ୟତା ହାସଲ କରିଥିବା ଜଣାପଡ଼ିଛି । ଓଡିଶା ସରକାରଙ୍କ ଗୃହ ଓ ନଗରଉନ୍ନୟନ ପକ୍ଷରୁ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ ଏ ସି ) କୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଡିଜିଟାଲ ରାଜସ୍ୱ ଆଦାୟ ନିମନ୍ତେ ଶ୍ରେଷ୍ଠ ଏନଏସି ରୂପେ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ରାଜ୍ୟ ସରକାରଙ୍କ ପକ୍ଷ ରୁ ସେପ୍ଟେମ୍ବର ୨୫ ତାରିଖ ଭୁବନେଶ୍ୱର ଲୋକସେବା ଭବନ ଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କୋଦଳା ଏନଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଜିତ୍ କୁମାର ଚୌଧୁରୀ, ଟେକ୍ସ କଲେକ୍ଟର ରାଜେନ୍ଦ୍ର କୁମାର ସାହୁ ଓ ସନ୍ତୋଷ କୁମାର ପଣ୍ଡାଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରିଛନ୍ତି । ଏନଏସି ର ଏହି ସଫଳତାରେ କାର୍ଯ୍ୟ ନିର୍ବାହୀ ଅଧିକାରିଙ୍କୁ ସହାୟକ ଯନ୍ତ୍ରୀ ସୁଧାକର ଦାଶ, ସ୍ୱଛତା ବିଶେଷଜ୍ଞ ଚନ୍ଦ୍ରକାନ୍ତ ମାରାଣ୍ଡି ଙ୍କ ସମେତ ସମସ୍ତ ଅଫିସ କର୍ମଚାରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ସମ୍ଭାବ୍ୟ ବାତ୍ୟା ଗୁଲାବକୁ ନେଇ ଗୁଣପୁର ଉପ ଜିଲ୍ଲାପାଳ ଙ୍କ ସାମ୍ବାଦିକ ସମ୍ମିଳନୀ …!

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଗୁଣପୁର)- ସାମ୍ଭାବ୍ୟ ବାତ୍ୟା ଓ ବନ୍ୟା ଗୁଲାବ କୁ ନେଇ ଗୁଣପୁର ଉପ ଜିଲ୍ଲାପାଳ ଙ୍କ ସଦଭାବନା ଗୃହ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଯେକୌଣସି ସମସ୍ୟା ଓ ପରିସ୍ତିତି ର ମୁକାବିଲା କରିବା ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ଦେଇଛନ୍ତି ଗୁଣପୁର ଉପ ଜିଲ୍ଲାପାଳ ଜେ ସୋନାଲ । ବଂଶଧାରା ନଦୀ ଅଞ୍ଚଳର ସମସ୍ତ ଜନସାଧାରଣ ଙ୍କୁ ସତର୍କ ରହିବା ସହ ସଚେତନ ହେବା ପାଇଁ ନିବେଦନ କରିଛନ୍ତି। ବର୍ତ୍ତମାନ୍ ବିଶେଷ କିଛି ବର୍ଷା ହେଉନଥିବା ନେଇ ଅବହେଳା ନକରି ଢ଼ିଲା ହୁଅନ୍ତୁ ନାହିଁ ଏବଂ ବିପଦ ଯେତେବେଳେ ମଧ୍ୟ ଆସିପାରେ ବୋଲି ଜନସାଧାରଣ ଙ୍କୁ ସଚେତନତା କରିଛନ୍ତି ।

ବର୍ତ୍ତମାନ ବଂଶଧାରା ନଦୀ ର ଜଳ ସ୍ଥର ୮୧.୭ ମିଟର ରହିଥିବା ବେଳେ ବନ୍ୟା ର ସତର୍କ ସ୍ଥର ରହିଛି ୮୩ ମିଟର ଏବଂ ବିପଦ ସଙ୍କେତ ୮୪ ମିଟର ରହିଛି । ବିପଦ ପୂର୍ଣ୍ଣ ପରିସ୍ଥିତି ର ସମ୍ମୁଖିନ କରିବା ନିମନ୍ତେ ୨ ଗୋଟି NDRF ଟିମ ଏବଂ ୧ ଗୋଟି ODRAF ଟିମ ପ୍ରସ୍ତୁତ ହୋଇ ରହିଥିବା ନେଇ ଉପ ଜିଲ୍ଲାପାଳ ସୁଚନା ଦେଇଥିଲେ । ପଦ୍ମପୁର ସ୍ଥିତ ବଡ଼ନାଳ ଜଳ ଭଣ୍ଡାର ରେ ୮୦% ରୁ ଅଧିକ ପାଣି ସ୍ଥର ବଢିବ ତେବେ ସେଠାରୁ ପାଣି ଛଡ଼ା ଗଲେ ବଂଶଧାରା ରେ ବିପଦ ସଙ୍କେତ ଛୁଇଁବାର ସମ୍ଭାବନା ରହିଥିବା ବେଳେ ତାହାର ସମ୍ମୁଖିନ କରିବାକୁ ଗୁଣପୁର ପ୍ରଶାସନ ସଜାଗ ରହିଛି ବୋଲି ଉପ ଜିଲ୍ଲାପାଳ ଶ୍ରୀ ସୋନାଲ୍ ଜେନା ସୁଚନା ଦେଇଥିଲେ ।