ପୂଜ୍ୟ ଗୁରୁଜୀ ତଥା ବିଶିଷ୍ଟ ଜ୍ୟୋତିର୍ବିଦ ଏମ ସତ୍ୟନାରାୟଣଙ୍କ ପ୍ରଥମ ବାର୍ଷିକୀ ପୂଣ୍ୟ ତିଥିରେ ଶ୍ରଦ୍ଧା ସୁମନ ଅର୍ପଣ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ ଜିଲ୍ଲା ଗୁଣୁପୁର ସଦର ଗାଦିଆଖଳା ରୋଡ ସ୍ଥିତ ଶିରିଡ଼ି ସାଇବାବା ମନ୍ଦିର ପରିସର କଲ୍ୟାଣ ମଣ୍ଡପ ଠାରେ ପୂଜ୍ୟ ଗୁରୁଜୀ ଏମ ସତ୍ୟନାରାୟଣଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପୂଣ୍ୟ ତିଥି ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ତଥା ଶ୍ରଦ୍ଧା ସୁମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଶିଷ୍ଟ ସାଇ ପ୍ରେମୀ ତଥା ଶିରିଡ଼ି ସାଇ ଟ୍ରଷ୍ଟର ସହ ସମ୍ପାଦକ ଶ୍ରୀ ଲାଡ଼ି ଶ୍ରୀ ରାମ ମୂର୍ତ୍ତୀ , ସମାଜ ସେବୀ ତଥା ପୂର୍ବତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ , ବିଶିଷ୍ଟ ଶିକ୍ଷବିତ୍ ତଥା ଯଶସ୍ୱୀ ଗୁରୁ ଶ୍ରୀ ପ୍ରସନ୍ନ କୁମାର ରଥ ଓ ଶିରିଡ଼ି ସାଇ ଟ୍ରଷ୍ଟର କୋଷାଧ୍ୟକ୍ଷ ଇଞ୍ଜିନିୟର ବିଷ୍ଣୁ ପଟ୍ଟନାୟକ ଓ ପୂଜ୍ୟ ଗୁରୁଜୀଙ୍କ ଏକମାତ୍ରଓ ଅନନ୍ୟ ପ୍ରତିଭା ସମ୍ପର୍ନ୍ନ ଶିଷ୍ୟ ତଥା ଶିରିଡ଼ି ସାଇ ଟ୍ରଷ୍ଟର ସଭାପତି ଜ୍ୟୋତିର୍ବିଦ ଡକ୍ଟର ପ୍ରଦୀପ କୁମାର ଚୌଧୁରୀ ପ୍ରମୁଖ ମଞ୍ଚାସିନ ଥିଲେ।

ଶିରିଡ଼ି ସାଇ ଟ୍ରଷ୍ଟ ପକ୍ଷରୁ ଶ୍ରୀ ମୁରଲୀଧର ପଣ୍ଡା ନିମନ୍ତ୍ରିତ ସମସ୍ତ ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଏବଂ ସେମାନଙ୍କ ସଂକ୍ଷିପ୍ତ ପରିଚୟ ପ୍ରଦାନ କରିଥିଲେ। ଗୁରୁ ପ୍ରଭାତ ମହାପାତ୍ରଙ୍କ ଦ୍ୱାରା ଗୁରୁ ବନ୍ଦନା ଗାନ ହୋଇଥିଲା। ମଞ୍ଚାସିନ ଅତିଥି ଓ ସାଇ ପ୍ରେମୀଙ୍କ ଦ୍ଵାରା ଶଙ୍ଖ ଧ୍ଵନୀ ସହ ପ୍ରଦୀପ ପ୍ରଜ୍ବଳନ ଓ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ଗୁରୁଙ୍କ ଆଦର୍ଶ ଶିଷ୍ୟ ପ୍ରଦୀପ ଚୌଧୁରୀ ତାଙ୍କ ଅଭିଭାଷଣରେ ଗୁରୁ ଓ ପରଂବ୍ରହ୍ମ ଙ୍କ ତତ୍ତ୍ଵ , ଗୁରୁ ସତ୍ତା ଓ ମନୁଷ୍ୟ ଜୀବନରେ ଗୁରୁଙ୍କ ଆବଶ୍ୟକତା ଉପରେ ଉପସ୍ଥାପନା କରିଥିଲେ। ଯଶସ୍ଵି ଗୁରୁ ପ୍ରସନ୍ନ କୁମାର ରଥ ତାଙ୍କ ଅଭିଭାଷଣରେ ଗୁରୁ ଶିଷ୍ୟ ପରମ୍ପରା ତଥା ସଦ୍ ଗୁରୁଙ୍କ ବିଷୟରେଉପସ୍ଥାପନକରିଥିଲେ। ପୂଜ୍ୟ ଗୁରୁଙ୍କ ଉଦ୍ଦେଶ୍ୟରେ ରାଧା କୃଷ୍ଣଙ୍କ ଫଟୋଚିତ୍ରକୁ ଉପସ୍ଥିତ ସମସ୍ତ ଅତିଥିଙ୍କ ଦ୍ଵାରା ଉନ୍ମୋଚନ ହୋଇଥିଲା । ଶ୍ରୀଗୁରୁଙ୍କ ସ୍ମୁତିରେ ଶିଷ୍ୟ ପ୍ରଦୀପ କୁମାର ଚୌଧୁରୀ ଯଶଶ୍ଵି ଗୁରୁ ପ୍ରସନ କୁମାର ରଥଙ୍କୁ ଗୁରୁ ବ୍ରହ୍ମଜ୍ୟୋତି ସମ୍ମାନ ପ୍ରଦାନ କରିଥିଲେ । ଏହି ପୂଣ୍ୟ ତିଥିରେ ସମସ୍ତ ଗୁରୁ ପ୍ରତିଭା ବ୍ୟକ୍ତିଙ୍କୁ ମଧ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନ କରାଯାଇଛି । ଆଜିର ଏହି ପୂଣ୍ୟ ତିଥି ଅବସରରେ ଚାରି ପ୍ରହରୀ ହରିନାମ ସଂକୀର୍ତ୍ତନର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଟ୍ରଷ୍ଟ ସମ୍ପାଦକ ଏସ ମଧୁ ସୁଦନ , ସୁଜିତ୍ କୁମାର ରଥ , ସିମାଞ୍ଚଳ ଷଡ଼ଙ୍ଗୀ, ଲାଡି ମଧୁ, ଲାଲୁ ପାଣିଗ୍ରାହୀ, ସନ୍ତୋଷ ଗୌଡ଼ ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ ସାଇ ପ୍ରେମୀ ଉପସ୍ଥିତ ଥିଲେ ।

ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷ ରୁ ସ୍ଥାନୀୟ କାର୍ଯ୍ୟାଳୟ ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ।

ଏଥର ସମ୍ଭାଳ (ଗୁଣପୁର) : ପ୍ରତିକୂଳ ପରିସ୍ଥିତି ର ସାହସୀ ସାମ୍ବାଦିକ ଅରିନ୍ଦମ୍ ଦାସ ଗତକାଲି କଟକ ମୁଣ୍ଡଳି ରେ ହୋଇଥିବା ବୋଟ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିଲେ ଏବଂ ଗୁଣପୁର ଓକିଲ ସଂଘର ସମ୍ପାଦକ ତଥା କଳିଙ୍ଗ ସାମ୍ବାଦିକ ସଂଘ ର ଉପଦେଷ୍ଟା ଶ୍ରୀ ଇନ୍ଦ୍ରାକ୍ଷି ଦାଶଙ୍କ ମାଆ ଶଶୀରେଖା ଦାଶ ଙ୍କ ୯୨ ବର୍ଷ ବୟସ ରେ ଗତକାଲି ସକାଳେ ତାଙ୍କ ବାସ ଭବନରେ ମୃତ୍ୟୁ ହୋଇଯାଇଛି । ଏକ ଧର୍ମ ପରାୟଣ ମହିଳା ଏବଂ ସାହସୀ ସାମ୍ବାଦିକ ଙ୍କ ମୃତ୍ୟୁ ଘଟଣା ଗୁଣପୁର ସାମ୍ବାଦିକ ମହଲ ରେ ଶୋକ ର ଛାୟା ଖେଳାଇ ଦେଇଛି । ଆଜି ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ର ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ସାହସୀ ସାମ୍ବାଦିକ ଅରିନ୍ଦମ୍ ଦାସ ଏବଂ ସଂଘ ର ଉପଦେଷ୍ଟା ଙ୍କ ମାତୃ ଙ୍କ ଉଦ୍ଦେଶ୍ୟ ରେ ଅଲବିଦା ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ରେ ସଂଘ ର କାର୍ଯ୍ୟକାରୀ ସଭାପତି ଶ୍ରୀ ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ , ସଂଘ ର ଆବାହକ ଶ୍ରୀ ଶକ୍ତି ଦାଶ , ସଂଘ ର ମିଡିଆ ସେଲ୍ ସଂଯୋଜକ ଶ୍ରୀ ସିଦ୍ଧାର୍ଥ ଦାଶ ଙ୍କ ସମେତ ସଂଘ ର କର୍ମକର୍ତ୍ତା ସୁନୀଲ କୁମାର ସାବତ , ସତ୍ୟ ନାରାୟଣ ସାହୁ , ସଙ୍କେତ ପାତ୍ର , ଦୀପକ ପଣ୍ଡା , ସନ୍ତୋଷ ସୁବୁଦ୍ଧି , ସତ୍ୟ ସୁନ୍ଦର କର , ରାମନାଥ ମହାନ୍ତି ଓ ଚେପାଲି ପ୍ରେମ କୁମାର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଅମର ଆତ୍ମା ର ସଦ୍ଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

ଅମରିନ୍ଦରଙ୍କ ପଦ ଯିବାପରେ ଗେହଲଟଙ୍କ ଛାତି ଧଡଧଡ….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ପଞ୍ଜାବରେ କଂଗ୍ରେସ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ରାଜସ୍ଥାନ ଏବଂ ଛତିଶଗଡରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବା ନେଇ କଳ୍ପନାଜଳ୍ପନା ଚାଲିଛି। କଂଗ୍ରେସ ଏବେ ଦଳର ପୁରୁଣା ଷ୍ଟଲଓ୍ୱାର୍ଟଙ୍କୁ ଚେହେରା ନକରି ଯୁବ ନେତାଙ୍କୁ ଚେହେରା କରିବାକୁ ଲକ୍ଷ୍ୟ ରଖିଛି। ଯାହାର ଉଦାହରଣ ପଞ୍ଜାବର ସମୀକରଣ। ତେଣୁ ଏହି ଫର୍ମାଲାକୁ ଏବେ ରାଜସ୍ଥାନ ଏବଂ ଛତିଶଗଡରେ କଂଗ୍ରେସ ଆପଣାଇପାରେ ବୋଲି କୁହାଯାଇଛି। ରାଜସ୍ଥାନରେ କଂଗ୍ରେସର ଷ୍ଟଲଓ୍ୱାର୍ଟ ନେତା ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି। ହେଲେ ଏହି ପଦକୁ ନେଇ ରାଜ୍ୟର ଅନ୍ୟତମ ୟଙ୍ଗ ଆଣ୍ଡ ଏନର୍ଜେଟିକ ଚେହେରା ସଚିନ ପାଇଲଟ ମଧ୍ୟ ଦାବିଦାର। ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ଉଭୟ କ୍ୟାମ୍ପ ଦାବି କଲେ ମଧ୍ୟ ଗେହଲଟ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି। ହେଲେ ଏବେ କଂଗ୍ରେସର ସମୀକରଣ ବଦଳୁଥିବା ଦେଖି ପାଇଲଟ କ୍ୟାମ୍ପ ଏବେ ଉତ୍ସାହିତ ଅଛି। ଏହାରି ଭିତରେ ସଚିନ ପାଇଲଟ ଶୁକ୍ରବାର ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ। ଗୋଟିଏ ସପ୍ତାହରେ ତିନି ନେତାଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବୈଠକ। ଏହା ମଧ୍ୟ କୁହାଯାଉଛି ଯେ ଗୁଜୁରାଟ ଭଳି ନିର୍ବାଚନ ରାଜ୍ୟରେ ପାଇଲଟଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯାଇପାରେ। ସପ୍ତାହ ମଧ୍ୟରେ ଦୁଇଥର ଦିଲ୍ଲୀ ଦରବାରରେ ପାଇଲଟଙ୍କ ଉପସ୍ଥିତି ଗୁଜୁରାଟ ଏବଂ ଛତିଶଗଡରେ ନେତୃତ୍ୱର ପରିବର୍ତ୍ତନ ନେଇ ଆଭାସ ମଧ୍ୟ ଦେଇଛି।ସଚିନ ପାଇଲଟ ଏବଂ ଅଶୋକ ଗେହଲଟଙ୍କ ମଧ୍ୟରେ ବିବାଦ ପୁରୁଣା। ସଚିନ ପାଇଲଟ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ନିରବ ରହିଛନ୍ତି। ହେଲେ ତାଙ୍କର ଦାବି ପୂରଣ ହୋଇନି ବୋଲି କୁହାଯାଉଛି। ତେଣୁ ଏବେ ଅମରିନ୍ଦରଙ୍କ ଓ୍ୱିକେଟ ଗଡିଲା ଭଳି ଏହି ସିରିଜରେ ଗେହଲଟ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଓ୍ୱିକେଟ ନେଇପାରେ କଂଗ୍ରେସ। ଛତିଶଗଡର ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂ ଦେଓ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରେ ବସିବା ନେଇ ଦିଲ୍ଲୀ ଦରବାରରେ ଦାବି ଜୋରଦାର କରୁଛନ୍ତି ବୋଲି ସୂଚନା ରହିଛି। ହେଲେ ଛତିଶଗଡରେ ମୁଖ୍ୟମନ୍ତ୍ରୀ ଆସନ ପରିବର୍ତ୍ତନ ନେଇ ଏବେ ସେମିତି କୈଣସି ଖବର ନାହିଁ।

ପିପିଲିରେ ନିର୍ବାଚନ ପ୍ରଚାର କରିବେନି ନବୀନ, ୨୯ରେ ଫେରିବେ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ପିପିଲି ଉପନିର୍ବାଚନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବା ସମ୍ଭାବନା କ୍ଷୀଣ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜିଠୁ ୬ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବାବେଳେ ୨୯ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି । ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣ ୩୦ତାରିଖରେ ହେବାକୁ ଥିବାବେଳେ ୨୭ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ ହେବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୯ତାରିଖ ବୁଧବାର ଅପରାହ୍ନରେ ଭୁବନେଶ୍ୱର ଫେରିବେ । ଦିଲ୍ଲୀ ଗସ୍ତ ସମୟରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ରବିବାର ହେବାକୁ ଥିବା ନକ୍ସଲ ପ୍ରଭାବିତ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକରେ ଯୋଗ ଦେବେ। ଏହାସହିତ ଓଡ଼ିଶାର ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିବେ। ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରବିବାର ଦିନ ସେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବେ। ଏହାସହିତ ଦିଲ୍ଲୀରେ ତାଙ୍କର ଅନ୍ୟ ସରକାରୀ କାର୍ଯ୍ୟକ୍ରମ ମଧ୍ୟ ରହିଛି। ଅନ୍ୟପକ୍ଷରେ ବିଜେଡି ସୂତ୍ରରୁ ଜଣାପଡ଼ିଛି ଯେ, ମୁଖ୍ୟମନ୍ତ୍ରୀ ପିପିଲି ଉପନିର୍ବାଚନ ପାଇଁ ଭୋଟଗ୍ରହଣର ଦିନକ ପୂର୍ବରୁ ଭୁବନେଶ୍ୱର ଫେରିବାର ଥିବାରୁ ନିର୍ବାଚନ ମଇଦାନକୁ ଓହ୍ଲାଇବା ସମ୍ଭବପର ନୁହେଁ । ଦଳ ନବୀନଙ୍କ ଭିଡିଓ ସନ୍ଦେଶ ମାଧ୍ୟମରେ ପ୍ରଚାର କରୁଛି । ସୂଚନାଯୋଗ୍ୟ, ୨୦୧୯ ଜୁନ୍ ମାସରେ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକରେ ଯୋଗ ଦେବାକୁ ଶେଷଥର ପାଇଁ ନବୀନ ଦିଲ୍ଲୀ ଗସ୍ତରେ ଯାଇଥିଲେ। ତା’ପରଠୁ ସେ କୋଭିଡ୍ ମହାମାରୀ ଯୋଗୁ ଅଧିକାଂଶ ସମୟ ନବୀନ ନିବାସରେ ବିତାଇଛନ୍ତି। ତେବେ ଗତ କିଛିମାସ ହେଲା କଳାହାଣ୍ଡି, ପୁରୀ, ସୁନ୍ଦରଗଡ଼, ମାଲକାନଗିରି, ବଲାଙ୍ଗୀର ଆଦି ଜିଲ୍ଲାକୁ ସରକାରୀ ଗସ୍ତରେ ଯାଇବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।

ବିଜେଡି ବିରୋଧରେ ଫେରାଦ ହେଲା ବିଜେପି, ଆସନ୍ତାକାଲି ପ୍ରଚାରକୁ ଓହ୍ଲାଇବେ ଧର୍ମେନ୍ଦ୍ର…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ପିପିଲି ଉପନିର୍ବାଚନ ପ୍ରଚାରକୁ ଆଉ ମାତ୍ର ୩ଦିନ ଥିବାବେଳେ ଆସନ୍ତାକାଲି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇବେ। ଏପଟେ ପିପିଲି ଉପନିର୍ବାଚନ ପ୍ରଚାରବେଳେ ଶାସକ ବିଜେଡି ନେତାମାନେ କୋଭିଡ୍ ଗାଇଡଲାଇନକୁ ଖୋଲାଖୋଲି ଉଲ୍ଲଘଂନ କରି ପିପିଲିବାସୀଙ୍କ ଜୀବନ ସହ ଖେଳୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଛି। ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପିପିଲି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବେ । ସେ ସକାଳ ସାଢ଼େ ୧୦ଟାରେ ପିପିଲି ନିର୍ବାଚନମଣ୍ଡଳୀର ମଧୁପୁର (ପୁବାଶାସନ)ରୁ ପ୍ରଚାର କରିବା ସହ ପିପିଲି ଓ ଡେଲାଙ୍ଗ ବ୍ଲକର ବିଭିନ୍ନ ଅଂଚଳ ଗସ୍ତ କରିବେ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପିପିଲି ନିର୍ବାଚନ ପ୍ରଚାରରେ ବିଜେଡି ପକ୍ଷରୁ କୋଭିଡ୍ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରାଯାଉନଥିବା ନେଇ ଅଭିଯୋଗ କରାଯାଇଛି। ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପିପିଲି ଉପନିର୍ବାଚନରେ କୋଭିଡ୍ ସଂକ୍ରମଣର ଭୟବହତାକୁ ଅଣଦେଖା କରିବା ସହ ଶାସକ ବିଜେଡି ସମସ୍ତ ଆଇନକାନୁନକୁ ଫୁ କରି ଦେଇ ପ୍ରଚାର କରିବା ଏବଂ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପଦାଧିକାରୀମାନେ ଏହି ସମସ୍ତ ବେଆଇନ କାର୍ଯ୍ୟକୁ ଦେଖି ଆଖି ବନ୍ଦ କରିଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ପିପିଲିବାସୀଙ୍କ ଜୀବନ ସହ ଖେଳିବା ସହ ସମାନ । ପିପିଲିବାସୀଙ୍କ ଜୀବନ ସହ ଖେଳିବାର ଅଧିକାର ବିଜେଡିର ନାହିଁ ବୋଲି ଡ.ଲେଖାଶ୍ରୀ କ୍ଷୋଭ ପ୍ରକାଶ କରି କହିଛନ୍ତି । । ଗତକାଲି ପିପିଲି ଉପନିର୍ବାଚନ ପ୍ରଚାରରେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକ, ନେତୃବୃନ୍ଦମାନେ ଶତାଧିକ କର୍ମକର୍ତ୍ତାଙ୍କ ଗ୍ରହଣରେ ଶାସକ ବିଜେଡି ପ୍ରାର୍ଥୀ ପ୍ରଚାର କାର୍ଯ୍ୟ କରିଥିଲେ । ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପଦାଧିକାରୀଙ୍କ ଉପସ୍ଥିତିରେ କୋଭିଡ୍ ଗାଇଡଲାଇନକୁ ଉଲ୍ଲଂଘନ କରାଯାଇ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆଇପିସି-୧୭୧(ଗ)ଓ ଆଇପିସି-୧୮୮କୁ ଏହା ଉଲ୍ଲଂଘନ କରୁଛି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ଏନେଇ ବାଇକ ରାଲିର ଫଟୋ ଓ ଭିଡିଓ ମଧ୍ୟ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଛି ।

ଓଡ଼ିଶାର ଦାରିଦ୍ର୍ୟରେ ତଳଆଡ଼ୁ ଏକ ନମ୍ବର: ଅପରାଜିତା, ଜବାବ ରଖିଲା ବିଜେଡି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଦୀର୍ଘ ୨୧ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେଡି ସରକାର ବିକାଶରେ ଏକନମ୍ବର କହୁଥିବାବେଳେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଓଡ଼ିଶା ଦାରିଦ୍ର‌୍ୟ ତଳ ଆଡ଼ୁ ନମ୍ବର ୱାନ ବୋଲି ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ କହିବା ସହ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ତେବେ ଅପରାଜିତାଙ୍କ ଏଭଳି ତଥ୍ୟଭିତ୍ତିକ ବୟାନ ଉପରେ ବିଜେଡି ଜବାବ ରଖିଛି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ଓଡ଼ିଶାର ଦାରିଦ୍ର‌୍ୟ ସ୍ଥିତି ଏବଂ ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯାତନା ଆଜି ଚିନ୍ତାର କାରଣ ସାଜିଛି । ରାଜ୍ୟକୁ ବାସ୍ତବରେ ଏକ ନମ୍ବରରେ ପରିଣତ କରିବାକୁ ହେଲେ ସର୍ବପ୍ରଥମେ ଆମେ ଆମ ନିଜର ବାସ୍ତବ ସ୍ଥିତି ସଂପର୍କରେ ଅବଗତ ହେବା ନିହାତି ଜରୁରୀ । ନ୍ୟାସନାଲ ସେଂପଲ ସର୍ଭେ ଅର୍ଗାନାଇଜେସନ ତରଫରୁ କରାଯାଇଥିବା ତଥ୍ୟ ଅନୁଯାୟୀ ସର୍ବଭାରତୀୟ ସ୍ତର ହାର ଅନୁଯାୟୀ ଓଡ଼ିଶାର ସ୍ଥାନ ବହୁ ପଛରେ ରହିଛି । ସର୍ଭେ ଅନୁଯାୟୀ ଜାତୀୟ ସ୍ତରରେ ସହାରଂଚଳ ପରିବାରରେ ‘ହାରାହାରି ସମ୍ପତ୍ତି ମୂଲ୍ୟ’ ୨୭.୧୨ଲକ୍ଷ ଟଙ୍କା ହୋଇଥିବାବେଳେ ଓଡ଼ିଶାରେ ଏହା ୧୩.୪୧ଲକ୍ଷ ଟଙ୍କା ଏବଂ ଜାତୀୟ ସ୍ତରରେ ଗ୍ରାମାଂଚଳ ପରିବାରରେ ‘ହାରାହାରି ସମ୍ପତ୍ତି ମୂଲ୍ୟ’ ୧୫.୯୨ ଲକ୍ଷ ଟଙ୍କା ହୋଇଥିବାବେଳେ ଓଡ଼ିଶାରେ ଏହା ମାତ୍ର ୫.୩୨ ଲକ୍ଷ ଟଙ୍କା ଅଛି । ଓଡ଼ିଶାର ଚାଷୀ ପରିବାରର ‘ହାରାହାରି ସମ୍ପତ୍ତି ମୂଲ୍ୟ’ ମାତ୍ର ୬.୨୧ ଲକ୍ଷ ଟଙ୍କା ଅଟେ । ଏହି ପରିମାଣ ଆମ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଛତିଶଗଡ, ଆସାମ, ଝାଡଖଣ୍ଡଠୁ ମଧ୍ୟ ବହୁ ପଛରେ ଅଛି । ଏହା ଅତ୍ୟନ୍ତ ଲଜ୍ଜାଜନକ । ହିସାବ କଲେ ଓଡ଼ିଶାର ପ୍ରତ୍ୟେକ ଚାଷୀଙ୍କ ଦିନକୁ ଆୟ ମାତ୍ର ୧୭୦ ଟଙ୍କା । ସର୍ବଭାରତୀୟ ସ୍ତରରେ ତଳ ଆଡୁ ଦ୍ୱିତୀୟ ସ୍ଥାନରେ ଓଡ଼ିଶା ରହିଛି । ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣ ଯୋଜନା ସଂପୂର୍ଣ୍ଣ ଫେଲ ହୋଇଥିବା ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି । ଗ୍ରାମାଂଚଳର ୪୦ ପ୍ରତିଶତ ପରିବାର ଋଣଗ୍ରସ୍ତ । ଲୋକଙ୍କ ଋଣ ଓ ସମ୍ପତ୍ତି ଭିତରେ ତାରତମ୍ୟ ୫.୫ ପ୍ରତିଶତ । ଚାଷୀଙ୍କ ଅବସ୍ଥା ମଧ୍ୟ ତଳକୁ ଯାଉଛି ଓ ଓଡ଼ିଶା ୩୬ତମ ସ୍ଥାନରେ ରହିଛି । ୨୦୧୯-୨୦ରେ ଜାତୀୟସ୍ତରରେ ଦାରିଦ୍ର‌୍ୟ ସୀମାରେଖା ତଳେ ୨୨ ପ୍ରତିଶତ ରହିଥିଲେ । ଓଡ଼ିଶାରେ ଏହା ୩୩.୫୯ ପ୍ରତିଶତ । ସରକାର ଠିକ୍ ଭାବେ ପଦକ୍ଷେପ ନେଇଥିଲେ ରାଜ୍ୟର ସ୍ଥିତି ଏମିତି ହୋଇନଥାନ୍ତା ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ । ନାରୀ ନିର୍ଯାତନାରେ ସର୍ବଭାରତୀୟ ସ୍ତରରେ ତଳଆଡୁ ଦ୍ୱିତୀୟ ସ୍ଥାନରେ ରହି ଓଡ଼ିଶା ଆଜି ରେକର୍ଡ କରିଛି । ଯୈାତୁକଜନିତ ହତ୍ୟା, ଧର୍ଷଣ, ବ୍ଲାକମେଲ, ନାବାଳିକା ଅତ୍ୟାଚାର ଆଦି ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି । କରୋନା ଲକ୍‌ଡାଉନ୍ ସମୟରେ ସମଗ୍ର ଦେଶରେ ମହିଳା ନିର୍ଯାତନା ଓ ହିଂସା ହ୍ରାସ ପାଇଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାର ଜବାବ ରଖି କହିଛନ୍ତି ଯେ, ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବୋଧହୁଏ ନିଜକୁ ଏବେବି ରାଜନେତା ନୁହେଁ ପ୍ରଶାସକ ବୋଲି ଭାବୁଛନ୍ତି । ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବା ପାଇଁ କୌଣସି ପ୍ରସଙ୍ଗ ନପାଇ ସେ ଗଣମାଧ୍ୟମରେ ରାଜନୀତିକ ଦୃଷ୍ଟିରୁ ପ୍ରାସଙ୍ଗିକ ରହିବାକୁ ରିପୋର୍ଟକୁ ଭୁଲ୍ ବାଖ୍ୟା କରୁଛନ୍ତି ଓ ପକ୍ଷପାତପୂର୍ଣ୍ଣ ମତ ଦେଉଛନ୍ତି । ସେ ବୋଧହୁଏ ଜାଣନ୍ତି ନାହିଁ ଯେ, ଦ୍ରାରିଦ୍ର‌୍ୟ ସୀମାରେଖାରୁ ୨୪ ପ୍ରତିଶତ ଅର୍ଥାତ ୮୦ଲକ୍ଷ ଲୋକଙ୍କୁ ବାହାରକୁ ଆଣି ଓଡ଼ିଶା ଭାରତର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ନୀତି ଆୟୋଗଙ୍କ ଦ୍ୱାରା ପ୍ରଂଶସିତ ହୋଇଛନ୍ତି । ତେଣୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଶସ୍ତା ରାଜନୀତି କରିବା ପାଇଁ ରିପୋର୍ଟକୁ ଭୁଲ୍ ବ୍ୟାଖ୍ୟା ଓ ପକ୍ଷପାତପୂର୍ଣ୍ଣ ମତ ଦେଇ ଓଡ଼ିଶାର ବଦନାମ ତଥା ଓଡ଼ିଶାକୁ ଅପମାନିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ବରଂ ଭୁବେନଶ୍ୱର ସାଂସଦ ଭାବେ ତାଙ୍କ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ, ଯେଉଁଠାରେ ସେ ସାଧାରଣତଃ ନିଖୋଜ ରହିଥାନ୍ତି ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।

କାଠଗଡ଼ାକୁ ଟଣା ହେଲା କପିଲଙ୍କ ଶୋ’….!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ବିବାଦରେ ଫସିଲା କପିଲ ଶର୍ମାଙ୍କ ଶୋ’। ଲୋକଙ୍କୁ ହସି ହସି ବେଦମ କରାଉଥିବା ସୋନି ଟିଭିର ଏହି ଶୋ’ ଏବେ କୋର୍ଟର କାଠଗଡ଼ାକୁ ଟଣା ହୋଇଛି।  ‘କମେଡି ନାଇଟ୍‌ ଉଇଥ୍‌ କପିଲ’ ଶୋ’ର କେବଳ ଗୋଟିଏ ଏପିସୋଡ୍‌ ଉପରେ ହିଁ ମାମଲା ହୋଇଛି। ଶୋ’ର ମଞ୍ଚରେ କୋର୍ଟ ରୁମ୍‌ର ସିନ୍‌ କରି ସେଠାରେ ମଦ୍ୟପାନର ଦୃଶ୍ୟ ଦେଖାଇବା ଶୋ’ ମେକର୍ସଙ୍କୁ ମହଙ୍ଗା ପଡ଼ିଛି।  ଏହା କୋର୍ଟଙ୍କ ଅପମାନ ଦର୍ଶାଇ ମଧ୍ୟପ୍ରଦେଶର ଜଣେ ଓକିଲ ଶିବପୁରୀ ଜିଲ୍ଲା କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି। ଆସନ୍ତା ୧ ତାରିଖରେ ଏହି ମାମଲାର ଶୁଣାଣି ହେବ। ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରେ ଓକିଲ ଜଣଙ୍କ ରୁଜୁ କରିଥିବା ମାମଲା ଅନୁଯାୟୀ,  ସୋନି ଟିଭିରେ ପ୍ରସାରିତ ହେଉଥିବା କପିଲ ଶର୍ମାଙ୍କ କମେଡି ଶୋ’ ରେ ମହିଳାଙ୍କ ସମେତ ଅନ୍ୟମାନଙ୍କୁ ଆକ୍ଷେପ କରାଯାଉଛି।  ଏପରି ମହିଳାଙ୍କ ମର୍ଯ୍ୟାଦାହାନୀ ପରି କମେଣ୍ଟ ବି ଦିଆଯାଉଛି। ଯେଉଁ ଏପିସୋଡ୍‌ଟି ବିରୋଧରେ ଅଭିଯୋଗ ଆସିଛି ତାହା ୨୦୨୦ ମସିହା ଜାନୁଆରୀ ୯ ତାରିଖରେ ପ୍ରସାରିତ ହୋଇଥିଲା। ଏହାପରେ ଏହି ଶୋ’ ଗତ ଏପ୍ରିଲ ୨୪ ତାରିଖରେ ପୁନଃ ପ୍ରସାରିତ ହୋଇଥିଲା। ସୂଚନାଯୋଗ୍ୟ, ଦ୍ୱିତୀୟ ଥର ବାପା ହେବା ପରେ କିଛି ଦିନ ପାଇଁ କପିଲ ଶୋ’ରୁ ବ୍ରେକ ନେବା ପାଇଁ ନିଷ୍ପତ୍ତି ନେଇଥିଲେ।  ଏହା ପରେ ଗତ ମେ’ ୧୫ ତାରିଖରୁ ପୁଣି ଥରେ ଶୁଟିଂ ଆରମ୍ଭ କରିଥିବା ବେଳେ ଜୁଲାଇ ୨୧ରୁ ଶୋ’ ପୁଣିଥରେ ଅନ୍‌ ଏୟାର ହୋଇଛି।

 

୨୫ସେପ୍ଟେମ୍ବର, ଶନିବାର – ଆଜିର ରାଶିଫଳ

!!! ପ୍ରବଚକ॰ଜଗଦୀଶ ପ୍ରସାଦ !!! 

ମେଷ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ। ପାରିବାରିକ ଜୀବନ ସୁଖମୟ ହେବ।

ବୃଷ: ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ଆର୍ଥିକ ଉନ୍ନତି ଦେଖା ଦେବ।

ମିଥୁନ: ତରବର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଭାଇଭଉଣୀଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ କାଟିବେ।

କର୍କଟ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଘରର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ।

ସିଂହ: ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

କନ୍ୟା: ଦୁଃଶ୍ଚିନ୍ତା ଦୂର ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ପରିବାରରେ ସୁଖଶାନ୍ତି ବଜାୟ ରହିବ।

ବୃଷ: ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ଆର୍ଥିକ ଉନ୍ନତି ଦେଖା ଦେବ।

ମିଥୁନ: ତରବର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଭାଇଭଉଣୀଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ କାଟିବେ।

କର୍କଟ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଘରର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ।

ସିଂହ: ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ।

କନ୍ୟା: ଦୁଃଶ୍ଚିନ୍ତା ଦୂର ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ପରିବାରରେ ସୁଖଶାନ୍ତି ବଜାୟ ରହିବ।